Bibhu Samanta

Classics Inspirational Children

4  

Bibhu Samanta

Classics Inspirational Children

ଚଇତି ବାଆ ର ନାଁ ଘଣ୍ଟପାଟୁଆ

ଚଇତି ବାଆ ର ନାଁ ଘଣ୍ଟପାଟୁଆ

7 mins
352


ବାର୍ଷିକ ପରୀକ୍ଷାର ଶେଷ ଉତ୍ତର ଖାତାଟି ସାର ଙ୍କ ହାତକୁ ବଢ଼େଇ ଦେଲା ପରେ, ମୋ ମନଟା ଝରା ପତ୍ର ପରି ଉଡି ଯାଏ ସୁନଝରି ପାହାଡ଼ ତଳେ ମୋର ସବୁଜ ଶ୍ୟାମଳ ଗାଁ ଆଡେ। ସେ ଗାଁ ନୁହେଁ , ପରଦେଶୀ ପ୍ରିୟତମା ଟିଏ, ଯେ ମୋତେ ହାତ ଠାରି ଡାକେ,"ଏଇ , ଏଥର କଣ ଆସିବୁନି?ମୋ ପାଖକୁ! ଯେମିତି ସେଇଟା ଉତ୍ତର ଖାତା ନୁହେଁ, ମୋ ଛୁଟି ଦରଖାସ୍ତ। ମୁଁ ଦେଖେ ସ୍କୁଲ ଝରକା ଆରପଟେ ଫୁଟିଥିବା କୃଷ୍ନଚୂଡ଼ା ମାନଙ୍କୁ। ଇଛା ହୁଏ, ତାଙ୍କ ପରି ଫୁଟି, ଆକାଶ ସହ କଥା ହେବାକୁ। ପରୀକ୍ଷା ସାରି ଘରକୁ ଆସିଲେ, ମୁଁ ଲାଗିପଡ଼େ ଗାଁ କୁ ଯିବାର ପ୍ରସ୍ତୁତି ପର୍ବରେ। ବାପା ଅନେକ ବୁଝାନ୍ତି, ଗାଁ କୁ ଗଲେ ଦୁଷ୍ଟ ହେବୁନି, ଖରାରେ ବୁଲିବୁନି, ପୋଖରୀ କୁ ଯିବୁନି, ପାଠ ପଢ଼ିିବୁ, ବୋଉ କଥା ମାନିବୁ। ମୁଁ ନିର୍ଵାଚନର ପ୍ରାର୍ଥୀ ପରି ବଡ଼ ହଁ ଟେ କରିଦିଏ। କିନ୍ତୁ ମୁଁ ସେୟା ସବୁ କରେ, ଯାହା ସେ ମନା କରିଥାନ୍ତି। କାହିଁକି କେଜାଣି, କଥା ନ ମାନି ମାଡ଼ ଖାଇବାକୁ ମୋତେ ଗର୍ବର ବିଷୟ ପରି ଲାଗେ।

ବସ କୁ କହି ବାପା ଆଗ ସିଟ ଟା ଆମ ପାଇଁ ରଖିଦିଅନ୍ତି। ଆମେ ଗଲା ଦିନ ସକାଳୁ ଉଠି ମୁଁ କାମରେ ଲାଗିଯାଏ। ବୋଉକୁ ଜମା ହଇରାଣ କରେନି। ଠିକ ସମୟକୁ ନୂଆ ଡ୍ରେସ ପିନ୍ଧି ଛକରେ ଠିଆ ହୋଇପଡୁ ଆମେ, ବସ ଅପେକ୍ଷାରେ। ବାପା ଆମକୁ ବସରେ ବସେଇ ଯାଆନ୍ତି ଅଫିସ। ବସ ଚାଲେ। ସହର ରାସ୍ତା ଅତିକ୍ରମ କରି, ଗାଁ ଆଡ଼କୁ। ମୁଁ ଝରକା ବାହାରକୁ ଦେଖୁଥାଏ। ସବୁକିଛି ବଦଳି ଯାଉଥାଏ ଯେମିତି। ରାସ୍ତା କଡରେ ଥିବା ଆମ୍ବ ଗଛ ଗୁଡିକ ରେ ଆମ୍ବ ଭର୍ତ୍ତି। କାଜୁ ଫୁଲର ବାସ୍ନା। ମୋ ଗାଲକୁ ଗେଲ କରୁଥିବା ଥଣ୍ଡା ପବନ। ଆଉ କଣ ଚାହେଁ ଏ ଜୀବନ। ଘରବାହୁଡା ଖୁସି ଆଗେ ସବୁ ଖୁସି ଫିକା ଲାଗେ। ବିଲ ଗୋହିରୀରେ ଠା ଠା ଛୋଟ ସମାଧି ସବୁ। ମୁଁ ବୋଉ କୁ ପଚାରେ, ୟା ଭିତରେ କୋଉ ଠାକୁର ରୁହନ୍ତି? କିଏ ପୂଜା କରେ ଏମାନଙ୍କୁ, କେତେବେଳେ? ବୋଉ କିନ୍ତୁ ଗାଁର କେଉଁ ଏକ ସ୍ତ୍ରୀଲୋକ ସହ ଗପ ଜମେଇ ଦେଇଥାଏ। ସେ ନ କହୁ, ଗାଁ କୁ ଗଲେ, ଜେଜେମା ମୋତେ ବୁଝେଇ ଦେବେନି? ବସ ର ଝରକା ପାଖେ ବସି ମୁଁ ଦେଖୁଥାଏ ରାସ୍ତା କଡେ ଗଛ ମୂଳେ ଆଶ୍ରା ନେଇଥିବା, ଦେବୀ ମାନଙ୍କୁ। ସିନ୍ଦୁର ବୋଳା ତାଙ୍କ ମୁହଁରୁ ଅପୂର୍ବ ଜ୍ୟୋତି ,ଦୂରରୁ ଟାଣି ଆଣେ ତାଙ୍କ ପାଖକୁ। ମୁଁ ହାତ ଟେକି ନମସ୍କାର କରେ। ଜାଣିବାକୁ ଇଛା ହୁଏ, ସେ କିଏ? କୋଉଠୁ ଆସିଲେ? କିଏ ତାଙ୍କୁ ପାଇ ପୂଜା କଲା? ବୋଉ କୁ ପଚାରିବା ଇଚ୍ଛା ଥିଲେ ବି, ତାର ଗପ ଲମ୍ବିଥାଏ ଏଇ ରାସ୍ତା ପରି। 


ଠିକ ଏତିକି ବେଳେ ବସ ରେ କିଛି ଲୋକ ଚଢିଲେ, ଯେଉଁମାନଙ୍କ ବେଶ ପୋଷାକ ଅଲଗା ପ୍ରକାର। ଅଣ୍ଟା ତଳକୁ ଝିଅଙ୍କ ପରି ସ୍କାର୍ଟ ପିନ୍ଧିଥିଲେ, ଆଉ ଖାଲି ଦେହରେ କାଠଚମ୍ପାର ମାଳା। ହାତରେ ଧରିଥାନ୍ତି ଗୋଛାଏ ମୟୁର ପିଛ। ମଥାରେ ନାଲି ସିନ୍ଦୁର ଟୋପା। ଭାରି ଭୟଙ୍କର ସେ ଚେହେରା। ମୁଁ ତାଙ୍କୁ ଦେଖି ବୋଉ କାନି ତଳେ ମୁହଁ ଲୁଚାଏ। ଆଖି ବନ୍ଦ କରିଦିଏ। ଥଣ୍ଡା ପବନ ବାଜି କେତେବେଳେ ନିଦ ଆସିଯାଏ ଜାଣି ପାରେନି।


ମୋ ନିଦ ଭାଙ୍ଗେ, ଆମ ଗାଁ ଛକରେ। ଦାଦା ଆସିଥାନ୍ତି ଆମକୁ ନେବାକୁ ସାଇକେଲ ଧରି। ମୁଁ ତାଙ୍କୁ ପାଦ ଛୁଇଁ ପ୍ରଣାମ କରେ। ସେ ମୋ ମଥା ଆଉଁସି ମୋତେ ସାଇକେଲ ରେ ବସେଇ ଦିଅନ୍ତି। ଆମ ଜିନିଷ ପତ୍ର କୁ ପଛରେ ଲଦି, ସାଇକେଲ ଗଡେଇ ଦିଅନ୍ତି ଘର ଆଡ଼େ। ମୁଁ ଦେଖୁଥାଏ ମୋ ଗାଁକୁ। ଶାନ୍ତ, ସୁନ୍ଦର, ସବୁଜିମା ଭରା ପରିବେଶ କୁ। ଗ୍ରାମ ଦେବତୀ ଙ୍କ ପୀଠରେ ରଙ୍ଗ ଦିଆ ଚାଲିଥାଏ। ଅଳ୍ପ ଦିନ ପରେ ଝାମୁ ଯାତ୍ରା, ଦାଦା କହିଦିଅନ୍ତି। ମୁଁ ପୁଣି ଅସଂଖ୍ୟ ପ୍ରଶ୍ନ ରେ ଛନ୍ଦି ହୋଇଯାଏ। ସବୁର ଉତ୍ତର କେବଳ ମୋ ଜେଜେମା ପାଖେ। 


ମୁଁ ଦୌଡ଼ି ଯାଇ ଜେଜେମା କୁ କୁଣ୍ଢେଇ ପକାଏ, ସେ ମୋତେ କେତେ ଗେଲ କରନ୍ତି। ମୁଁ ତାଙ୍କୁ ପ୍ରଣାମ କରିବା ଭୁଲିଯାଏ। ବଡ଼ମା, ଖୁଡି ଆଉ ଭାଇ ଭଉଣୀଙ୍କ ପାଖରେ ପାଇ ମୋ ଖୁସି କହିଲେ ନ ସରେ। ବାପା ମନା କରିଥିବା, ଦୁଷ୍ଟାମୀ ର ତାଲିକା ନିମିଷକରେ ପ୍ରସ୍ତୁତ ହୋଇ ଯାଏ। ଜୀବନର ସୁନେଲି ଦିନ ଗୁଡିକ ସେମିତି ଚମକୁ ଥାଏ, ସେଇ ଚଇତି ଖରାରେ।


ଝାଞ୍ଜି ପବନ ଟା ରାଜୁତି କରେ, ଗାଁ ଦାଣ୍ଡରେ। ଖରା ଦିନେ ବିଜୁଳିକାଟ କିଛି ନୂଆ କଥା ନୁହେଁ, ଗାଁ ରେ। ମୁଁ ଜେଜେମା ପାଖେ ଶୋଇଥାଏ । ସାନ ଭଉଣୀ ଦେଇଥିବା କଞ୍ଚା ଆମ୍ବ ଖଣ୍ଡେ ଲୁଣ ମଡେଇ ଖାଉଥାଏ। ଜେଜେମା ବିଞ୍ଚଣା ରେ ବିଞ୍ଚୁଥାନ୍ତି ମୋତେ।ଏତିକି ବେଳେ ଶୁଭିଲା ଢୋଲ ମର୍ଦଳ ବାଜା। ସୁନସାନ ଖରା ବେଳ ଟା ଚେଇଁ ଉଠିଲା। ଗୋଟେ ଲମ୍ବା ଦଣ୍ଡ ରେ କଳା ପାଟ୍ଟ ଗୁଡେଇ, ସିନ୍ଦୁର, ମନ୍ଦାର ରେ ସଜେଇ ନାଚି ନାଚି ଆସୁଥିଲେ କିଛି ଲୋକ। ତାଙ୍କ ଭିତରୁ ଜଣେ ଧରିଥାନ୍ତି ସେ ଦଣ୍ଡକୁ ମଥାରେ।ଅନ୍ୟମାନେ ବସ ରେ ଦେଖିଥିବା ସେଇ ଲୋକ ଙ୍କ ପରି। ମୁଁ ଦେଖୁଥାଏ ଝରକା ପାଖେ ଠିଆ ହୋଇ। ଜେଜେମା ଆସି ଠିଆ ହେଲେ ମୋ ପାଖେ। ମୁଁ ଡରରେ କୁଣ୍ଢେଇ ପକେଇଲି ତାଙ୍କୁ। ପଚାରିଲି, ଏମାନେ କିଏ ? ସେ କହିଲେ ଘଣ୍ଟ ପାଟୁଆ, ମା ମଙ୍ଗଳାଙ୍କ ରୂପ। ମୁଁ ପଚାରିଲି, ମଙ୍ଗଳା ତ ଝିଅ ! ଏମାନେ ସମସ୍ତେ ପୁଅ ?

ସେ କହିଲେ, କେଉଁ ଏକ ସମୟରେ ଏମାନେ ସବୁ ପାପୀ ଅସୁର ଥିଲେ। ଦୁରାଚାର, ଅହଂକାର ରେ ମତ୍ତ। କାହାକୁ ମାନୁ ନଥିଲେ, ଦେବୀ ମା ନିଜେ ତାଙ୍କ ଗର୍ବ ଅହଂକାର କୁ ଚୁନା କରି ତାଙ୍କୁ ନିଜର ଅନୁଗାମୀ କରିଦେଲେ। ସେବେ ଠୁ ଏମାନେ ଏମିତି। 

- ହେଲେ ଏମାନେ ଏମିତି ଖରାବେଳେ କାହିଁ ଆସନ୍ତି? ମନ୍ଦିରରେ ରହୁନାହାନ୍ତି। କାହିଁ ମୁଁ କେବେ ତ ମନ୍ଦିରରେ ଦେଖିନି ଏମାନଙ୍କୁ। 

- ନା, ଏମାନେ ଏଇ ଚୈତ୍ର ମାସ ଖରାରେ ବୁଲି ଦେବୀଙ୍କ ମହିମା ଶୁଣାନ୍ତି ଲୋକମାନଙ୍କୁ। ଲୋକମାନେ ତାଙ୍କୁ ଶ୍ରଦ୍ଧାରେ କିଛି କିଛି ଦିଅନ୍ତି।  

ମୁଁ ତଥାପି ପଚାରିଲି, ମନ୍ଦିରରେ ରହିଲେ ଲୋକ ତ ଦେଇ ଆସନ୍ତେ! 

ଜେଜେମା ହସିକି କହିଲେ, ତୁ ଦେଖିଛୁ? ଦୋଳପୁନେଇରେ କେମିତି ଦିଅଁ ବୁଲି ବୁଲି ଭୋଗ ଖାଆନ୍ତି। ସେମିତି ଦେବୀ ମା ଚୈତ୍ର ମାସରେ ବୁଲି ବାହାରନ୍ତି। ବର୍ଷ ସାରା, ଭକ୍ତ ଟେ ଦୌଡୁଥାଏ ତାଙ୍କ ପାଖକୁ, ହେଲେ ସେ ମା ପରା। ମମତାମୟୀ, କରୁଣାମୟୀ, ସେ ନିଜେ ଆସେ ଦେଖିବାକୁ ତା ସନ୍ତାନ ମାନଙ୍କୁ। 

ମୁଁ ଶୁଣି ବୁଝୁଥିଲି ମୋ ଜେଜେମା ର କଥା। ତା ଭିତରେ ଥିବା ବୁଝିବା ପଣିଆ କୁ, ଗପ ହେଲେ ବି ତା ବିଶ୍ୱାସ, ଭକ୍ତି , ସମର୍ପଣ ଭାବରେ ସେ ଦିଶୁଥିଲା ମୁଁ ବସ ରୁ ରେ ଦେଖିଥିବା ଦେବୀମୂର୍ତ୍ତି ଙ୍କ ପରି। ଇଚ୍ଛା ହେଉଥିଲା ତା ପାଦ ଛୁଇଁ , ମୁଣ୍ଡିଆ ମାରିବାକୁ। ସେ ମୋ ଆଖିରେ କଣ ଦେଖିଲା କେଜାଣି ମତେ କୁଣ୍ଢେଇ ପକେଇଲା। ଆଉ ଗେଲ କଲା। ମୁଁ ବି ତାକୁ ଜୋରରେ କୁଣ୍ଢେଇ ଧରିଲି। 


ଏତିକି ବେଳେ ସେ ଘଣ୍ଟପଟୁଆ ଆମ ଦୁଆରେ ଆସି ପହଞ୍ଚିଲେ। ଜେଜେମା ଯାଇ ପିଢ଼ା ପାଣି ଦେଲା। ବାଡିରୁ କିଛି ଚୁନା ମନ୍ଦାର ଫୁଲ, ଧୂପ ଦୀପ ଦେଇ ତାଙ୍କ ପୂଜା କଲା। ସେ ମଙ୍ଗଳା ଦଣ୍ଡରୁ ସିନ୍ଦୁର ଆଣି ମୋତେ ଲଗେଇ ଦେଲା। ବୋଉ ସେମାନଙ୍କ ପାଇଁ ଦହି ସର୍ବତ କରି ଆଣିଲା। ସେ ମାନେ ପି ଲେ ଖୁସି ହୋଇ। ମଙ୍ଗଳା ଙ୍କୁ ଧରିଥିବା ନନା ଜେଜେମା ଙ୍କୁ କହିଲେ," ଇଏ ବୁଲୁ ପୁଅ ଟି?" ଜେଜେମା କହିଲେ, "ହଁ, ସହରରେ ରହେ, ତା ବାପାର ଚାକିରୀ ସେଇଠି।ଭଲ ପଢେ। ତାକୁ ଟିକେ କଲ୍ୟାଣ କର, ପିଲା ଟା ଦୁଷ୍ଟ ହଉଚି, ତା ବୋଉ କଥା ମାନୁନି, ଖାଲି ଖେଳରେ ତା ମନ।" ସେ ମୋତେ ଚାହିଁ ହସିଲେ, ପାଖକୁ ଡାକିଲେ, ମୁଁ ଡରି ଡରି ପାଖକୁ ଗଲି। ସେମାନେ ଧରିଥିବା ମୟୁର ପୂଛରେ ମୋତେ ଝାଡିଦେଲେ। ମୁଁ ତାଙ୍କ ପାଦ ତଳେ ମୁଣ୍ଡିଆ ମାରିଲି। ଜେଜେମା , ବୋଉ , ଖୁଡି ସମସ୍ତେ । ମୋତେ କହିଲେ ,"ଯା ଏଥର। ମଙ୍ଗଳା ତୋର ସବୁ ରିଷ୍ଟ ଖଣ୍ଡନ କରିବେ। ଜୀବନରେ ଅନେକ ଆଗକୁ ଯିବୁ ତୁ।" ବୋଉ ଭକ୍ତିରେ ଛଳଛଳ ହୋଇ ତାଙ୍କ ପସରା ରେ ଦେଇ ଦେଲା ଶହେ ଟଙ୍କିଆ ନୋଟ ଟେ। ମୁଁ ବୁଲି ଚାହିଁଲି ତାକୁ। ଚକଲେଟ ଖାଇବାକୁ ପଇସା ମାଗିଲେ ଦେବନି। ହେଲେ ଏତେବେଳକୁ ....।


ସମୟ ଅମାନିଆ , ବୟସ ଅମାନିଆ ଆଉ ମନ ... ତା ଉପରେ କାହା ଜୋର ଯେ! ସବୁ କିଛି ବଦଳିଛି। ସେଦିନର ବୋଉ କାନି ତଳେ ମୁହଁ ଲୁଚାଉ ଥିବା ଛୋଟ ପିଲା ଟି ଆଜି ଦାୟିତ୍ୱବାନ ସଂସାରୀ ଟେ। ଘଣ୍ଟପାଟୁଆଙ୍କ ଢୋଲ ବାଜା ଏବେ ବି ମନକୁ କେମିତି ଗୋଟେ ଦୋହଲେଇ ଦିଏ। ଏଥର କିନ୍ତୁ ସାଥିରେ ଜେଜେମା ନଥାଏ। ଥାଏ, ଯସ୍ମୀନ, ମୋ ଧର୍ମପତ୍ନୀ। ସହରରେ ତା ପିଲା ଦିନ , ଗାଁ ର କୋଣସି କଥାରେ ଧାର ଧାରେନି। ମୋ ପରି ପିଲାଦିନ, ଗାଁ , ସ୍ମୃତି କୁ ପାଥେୟ କରି ବଞ୍ଚୁଥିବା ପିଲା ଭାଗ୍ୟରେ ଶେଷରେ ଏମିତି ଝିଅଟେ ! ଜେଜେମାର କିନ୍ତୁ ଭାରି ପସନ୍ଦ ସେ। କେଜାଣି କଣ ଦେଖିକି ....। ସେ ଥର ବି ସେ ଉଦୁୁଉଦିିଆ ଖରା ବେଳର ନୀରବତା କୁ ଚିରି ଘଣ୍ଟପାଟୁଆ ଆସିଲେ, ଆମ ଦୁଆରକୁ। ବାପା ଏବେ ଅବସର ନେଇ ଗାଆଁ ରେ। ବୋଉ ଆଜି ବି ସେମିତି ପିଢ଼ା ପାଣି ଦେଇ ମା ଙ୍କ ଅଭ୍ୟର୍ଥନା କଲା। ଦଣ୍ଡ ଧରିଥିବା ନନା , ଏଥର ପଚାରିଲେ ଆଉ ସବୁ ଭଲ ନା। ବୋଉ କହିଲା," ନନା ଏଇ ମୋ ବୋହୂ।ତାକୁ ଟିକେ କଲ୍ୟାଣ କର। ତା ଦେହ ସବୁବେଳେ ଖରାପ। ଯାହା ଖାଇଲେ ବି ଦେହରେ ଲାଗୁନି ଜମା। ଦେହ ଖରାପ ବୋଲି ମନ ବି ଭଲ ରହୁନି"। ଯସ୍ମୀନ ଶୁଣି ଅବାକ। ଆଜିକାଲି ଶାଶୁ ଏମିତି ବି ଅଛନ୍ତି। ହେଲେ ତା ଦେହ ତ ସେମିତି ବିଶେଷ ଖରାପ ନାହିଁ। ହଁ! ଚିନ୍ତା ଥାଇ ପାରେ। ନନା ପାଖକୁ ଡାକିଲେ ତାକୁ। ସେ ଗଲା ମଥାରେ ଓଢଣୀ ଦେଇ ମୁଣ୍ଡିଆ ମାରିଲା ଦଣ୍ଡ ଠାକୁରାଣୀଙ୍କୁ। ସେମାନେ ବାଜା ବଜେଇ ତାକୁ ଝାଡ଼ିଦେଲେ ସେ ମୟୁରପୁଚ୍ଛରେ। କହିଲେ, "ମଙ୍ଗଳା ଙ୍କ ଦୟାରୁ ତୋ ଦେହ ଭଲ ରହିବ, ତୋ ସ୍ୱାମୀ ତୋତେ ବହୁତ ଭଲ ପାଇବ। ତୋ ଶାଶୁ ଶଶୁର ତୋ ପାଇଁ ଗର୍ବ କରିବେ। ତୁ ଦୁଇ କୁଳର ନାଁ ରଖିବୁ। ତୋ ଲାଗି ତୋ ସ୍ୱାମୀର ଖୁବ ଉନ୍ନତି ହେବ, ଖୁବ ଶୀଘ୍ର ମଙ୍ଗଳାଙ୍କ ପରି ଝିଅଟେ ହେବ ତୋର"। ମଙ୍ଗଳା ଦଣ୍ଡରୁ ସିନ୍ଦୁର ଟିକେ ଆଣି ଟିକେ ଲଗେଇ ଦେଲେ ମଥାରେ। କି କିମିଆ ଥିଲା ସେ ସିନ୍ଦୁର ରେ କେଜାଣି ଏମ ବି ଏ ପଢିଥିବା ଯସ୍ମୀନ ଭାବବିହ୍ଵଳ ହୋଇଗଲା। ପସରା ରେ ବୋଉ ଚାଉଳ ପନିପରିବା ଆଉ ଟଙ୍କା ଦେଇ ଚାଲିଗଲା ଘର ଭିତରକୁ।ଝିଅ ହେବ କଥା ବୋଧେ ତାକୁ ଭଲ ଲାଗିଲାନି।। ଯସ୍ମୀନ ମୋ ପକେଟ ରୁ 500ଟଙ୍କା ଟେ ନେଇ ଦେଇ ଆସିଲା। ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁ ଥାଏ। ମନେପଡୁଥିଲା, ସେଦିନ ବୋଉ କେମିତି ପଇସା ଦେଇଥିଲା ପସରା ରେ। ଆଉ ଆଜି ଯସ୍ମୀନ।


ୟା ଭିତରେ, ଅନେକ ବର୍ଷ ଚାଲିଗଲାଣି ପୁଣି। ଜେଜେମା, ଦଣ୍ଡ ଧରୁଥିବା ନନା, ଯସ୍ମୀନ ଏମାନେ ହଜି ଗଲେଣି ସମୟ ହିସାବ ଖାତାରେ। ଏତେ ପରିବର୍ତ୍ତନ ଭିତରେ ବି , ତାଙ୍କ ବେଶ ଭୁସା ଏବେ ବି ସେମିତି, ନିର୍ଦିଷ୍ଟ, ସ୍ଵତନ୍ତ୍ର। ୟା ଭିତରେ କେତେ କାଳ ବୈଶାଖୀ ବହିଗଲାଣି ଜୀବନରେ। ଚୈତ୍ର ଆସେ ଆଉ ଯାଏ। ସେ ଥରକ ମୁଁ ଶୁଣିଲି ବୋଉ ପାଖେ ଅଳି କରୁଛି ଜୁବୁଲ, ଗପ ଶୁଣିବ ବୋଲି। ଜୁବୁଲ ଆମ ଝିଅ, ଯସ୍ମୀନ ଆଉ ବୁଲୁର ଝିଅ। ମୁଁ ଡାକିଲି ତାକୁ ପାଖକୁ ହାତରେ ପଇସା ଦେଇ କହିଲି,"ଯା, ଦୋକାନରୁ ଚକଲେଟ ଆଣିବୁ। ଆଉ ଜେଜେମା ପାଇଁ ପାନ ଆଣିବୁ।" ସେ ଗଲା, ପୁଣି ଶୁଭିଲା, ମଙ୍ଗଳାଙ୍କ ଆଗମନୀ ବାଦ୍ୟ। ମୁଁ ଦାଣ୍ଡକୁ ଚାଲି ଆସି ଚାହିଁଲି ରାସ୍ତାକୁ । ଜୁବୁଲ ଫେରୁଛି ହସି ହସି, ତା କପାଳରେ ସିନ୍ଦୁର ଟୋପା, ମଙ୍ଗଳାଙ୍କର। ମୁଁ ପଚାରିଲି, ଆଣିଲୁ ଚକଲେଟ ? ସେ କହିଲା, "ନା,ପଇସା ମଙ୍ଗଳା ଙ୍କୁ ଦେଇଆସିଲି। ସେ ମୋତେ କେତେ ଆଶୀର୍ବାଦ ଦେଲେ। ତୁମ ଦେହ ଭଲ ରହୁ ବୋଲି ବି କହିଛି। " ସେ ମୋ ପାଖେ ଆସି ଗେହ୍ଲା ହେଲା, ତା ଆଖିରେ ଗୋଟେ ଅପୂର୍ବ ଚମକ, ମୁଁ ଦେଖୁଥିଲି ତା ଭିତରେ ଜେଜେମା ଆଉ ଯସ୍ମୀନର ଛାଇକୁ। ସମୟ ସିନା ଆଗକୁ ଧାଇଁଛି, ହେଲେ ମଙ୍ଗଳାଙ୍କ ଉପରେ ଏ ଜାତି, ଏ ମାଟିର ବିଶ୍ୱାସ ଏବେ ବି ସେମିତି। ଏବେ ବି ଘରୁ ବାହାରିଲେ, ଦାଦା ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରନ୍ତି। କାହା ଦେହ ଖରାପ ହେଲେ ବୋଉ ମାଜଣା ମାନସିକ କରେ। ଏବେ ବି ଚଇତିଯାତ ଆମ ପରମ୍ପରାର ଅଙ୍ଗ ଟିଏ। 


Rate this content
Log in

Similar oriya story from Classics