STORYMIRROR

Lopamudra Parida

Drama Action Inspirational

3  

Lopamudra Parida

Drama Action Inspirational

ଚିତା

ଚିତା

6 mins
368


ତା' ନାକର ଠିକ୍ ଡାହାଣ ପଟକୁ ଟିକି ଟିକିଲି ଟେ 

_" ତା' ନାକର ଠିକ୍ ଡାହାଣ ପଟକୁ ଟିକି ଟିକିଲି ଟେ ପରି କଳାଜାଈଟେ ଥିଲା ରେ ଭାଇ ।ମନ ଲାଖିଯାଏ ସେଇଠି ।ଇଛ୍ଛା ହୁଏ ........। " 


ସିଏ ଆକାଶ ମୁହାଁ ହେଲା , ମହାଶୂନ୍ଯ ଭିତରକୁ ।


କୋଉ ଆକାଶ ଦିଶୁଥିଲା ଯେ ? ଏ ମେଘଢଳା ପରର ନେଳି ଛାତିଟାରେ ତାର ଯାହା ବଳକା ମେଘଧୁଆ ବାଦଲ ଦି ଚାରୋଟି ଭାସୁଥିଲେ ପୋତନାଆ ପରି ବିନା ଆହୁଲାରେ ସିନା ! ସିଏ ଦିଶୁଥିଲା ସମୁଦ୍ର ଟେ ପରି ଗାଢ ଆଉ ଗଭୀର ।


ତଥାପି ସିଏ ଗୋଟେ କୋଉ ତାରାକୁ ଖୋଜୁଥିଲା ବୋଧେ ।ସେମିତି ଚାହିଁଥିଲା ତ ଉପରକୁ  , ହଜିଗଲାପରି , ଆଖି ରେ ଆଖି ରେ ଅଣ୍ଡାଳିଲା ପରି ।ଆଉ ଖୋଜୁ ଖୋଜୁ ଏତକ କହିଲା, " ତୁ କଣ ଭାବୁଛୁ ଆମ ଜୀବନ ଏମିତି ଏମିତିରେ ସରିଯିବ? " 

ଧେତ୍ ଯେମିତି ମୋ ଭାବିବାରେ ପୃଥିବୀ ଚାଲୁଛି ..... ।ସିଏ ଅନେକ ବେଳେ ସ୍ବପ୍ନ ବିଭୋର ହେଇ ବିରକ୍ତ କରାଏ ।


କଣ ମ ! ତାରା ସବୁ କେମିତି କଳାଜାଇ ପରି ଦିଶିବ କହୁନ! ଅଜବ ଖିଆଲ ନୁହେଁ ! ଆମ ପରି ଲୋକଙ୍କର ଏତେ ଗୋଟେ ସପନବାଉଳି ହବା କଣ ଶୋଭାପାଏ ?ସେଇଠୁ ମୁଁ ଚିଡିକି ବାକି ଥିବା ଟୋପାକ ବୋତଲ ଟେକିଦେଲି । କହିଲି ତାକୁ, 



_ " ହେ ...... ମୁଣ୍ଡ ଖାନି ।ଏ ସବୁ ଖାସ୍ ବକବାସ୍ ବୁଝିଲୁ 

କାଲି କଣ ଖାଇବା ଭାବ୍ ।" 


ଯୋଉଟା ମିଳିବନି, ଯୋଉଟା ଛାଡି ଆସିଛେ ତାକୁ ଗଲା

ଘାରି ହେଇ ଲାଭ ? ଆବଶ୍ୟ ମୁଁ ଜାଣିନି ସିଏ ଯାହା କଥା କହୁଛି ସେଇ ଚରିତ୍ର ଟା ସତ ନା କାଳ୍ପନିକ ।କେତେ ଚିହ୍ନାଜଣା ତାର ସେ ଚରିତ୍ର ସହ । ହେଲେ ବି ସିଏ ମୋରି ଆଗରେ ଗପେ ,ମୁଁ ଶୁଣେ କି ନ ଶୁଣେ ତା ଅବାନ୍ତର ଚାଇଁ ଫର୍ ଫର୍ କଥା।


ସିଏ ଥରେ ମୁଣ୍ଡ ତଳକୁ କରି ପୁଣି ସେଇ ଅନ୍ଧାରିବିଜେ ର ଆନନ୍ଦ ନେଲା ।


ଦଣ୍ଡା କେନାଲ ଠି ରାତିଆ ଆମେ ଏଇଠି ଏକାଠି ହଉ ।ଏକାଠି ଯୋଜନା ପାନ୍ଚୁ  ,ଏକାଠି କାମ ବଢଉ ଆଉ ଶେଷରେ ଏଇଠି ସମାନ ସମାନ ଭାଗବାଣ୍ଟି ନଉ ବିନା ତରାଜୁରେ ।


ସିଏ ଡାଙ୍ଗା ।ଏଇ ନାଁରେ କୁଖ୍ଯାତ ।ତା ସହରରେ ଶୋରିଷକଣା ଟେ ଚୋରିଚୁରା ହେଲେ, ଥାନାବାବୁ ଆଗେ ଯାଇ ତାରି ଦରଜା ଠକଠକାଏ ।ତେଣିକି ସିଏ ଥାଉ କି ନଥାଉ ।ତା ମାଆ ଦୁଆର ଦେଇ କାନ୍ଦେ କି ନା ସିଏ ବୁଝିନି ।। ସିଏ କୋଉ ଥାଏ ଯେ ବୁଝିବ । ଆମେ ତ ଅଧାଦିନ ଚଉହଦୀ ରେ ରହିବା ଖୋଜୁ, ଭାତ ଗଣ୍ଡେ ହାତକୁ ମିଳେ ଯେ । ହ ହାଡ ଭାଙ୍ଗେ ଦିହରୁ । ହେଲେ ଖଟଣି କୁ ଚଟଣୀ କରି ଚାଟିଦଉ । 


ତାର  ଘରଦୁଆର ବାପମାଆ ଭଉଣୀ ଭାଇ ସବୁ ଅଛନ୍ତି, ଭରାପୁରା ଘର ।ହେଲେ ସିଏ ଶୁଣିଛି, ସିଏ କାଳେ ଗୋଟେ କଳା ବେଳା _ନକ୍ଷତ୍ର ରେ ଜନମିଛି ଯେ ତାର ଏ ଖୁଣଟି ଖୁଣ୍ଟିଖାଣ୍ଟି ହେଇ ରହିଛି ହାତରେ ଚିତାକୁଟା ପରି । ହଁ ତାକୁ ତା ଘରେ ଏ ଯାଏ କେହି ଘୃଣା ଆଖି ଟେ ଫିଙ୍ଗିନି, ସିଏ ଦମ୍ଭ ରେ କହେ  ।


ମୁଁ ତା ନାଁ ରେ 'ଇ' ଟେ 'ଆ' ଟେ ଜୋଡି ଡାଙ୍ଗିଆ ଡାକେ ।ସିଏ ସେଇଥିରେ ମତେ ଆପଣାର ମାନେ । ରକ୍ତ ଠୁ ନିଜର ।


ନିଜ ନାଁ ଟା କୋଉ ନିଜର ।ମାଆ, ବାପ, ରାସ୍ତା, ଚାରିପଟ ଯାହା ଦେଇଦିଅନ୍ତି ତା ପ୍ରତି ପୁଣି କେତେ ଆବେଗ, କେତେ ଆସକ୍ତି ଦେଖ ।


ଦିନେ ଅଧେ ସିଏ ତା' ଘରକୁ ଯାଏ ।ସମତିଙ୍କ ପାଇଁ କିଛି ନା କିଛି ଉପହାର ନିଏ ସେମାନଙ୍କ ପସନ୍ଦ ରେ ।ସେଦିନ ସିଏ ହାତ ସଫେଇ କରେନି ।ଥାନାଖଟଣି ସନ୍ଚା ପଇସା ରୁ କିଣେ ।କହେ ,ମୋ ପାପଭାର ମୋର ।ସେଥିରେ କାହାର ଭାଗ ନାହିଁ ।ଝାଳବୁହା ମେନେନତିଆ ମାଲ୍ ଇଏ ।ୟାର ବାସ୍ନା ଭିନ୍ନ ।


"ଛେଃ "ମୁଁ ଭାବେ , ଜାଣୁଛୁ ଯଦି ସେଇଥେରେ ରହୁନୁ ! କିଏ କହୁଛି "ଚୋର" ହବାକୁ । 


ଏତେ କଥା ବୁଝୁଥିବା ଲୋକଟା ପୁଣି ମାତେ କାହିଁକି ? କାହିଁକି ମାମୁଁ ମାନଙ୍କୁ ରାତିଆ ଘେଣା ବୁଲାଏ ।ଚକର କାଟି କାଟି ସାଇରନ ଦେଇ ଦେଇ ମାମୁଁ ମାନେ କାନମୁଣ୍ଡା ଆଉଁସି ନାଲିବତୀ ଲିଭାନ୍ତି ।ସକାଳେ ପୁଣି ତାଙ୍କରି ଆଗରେ ସୁନା ପିଲା ପରି ଯା ଆସ କରେ ,କେହି ଧରିପାରନ୍ତିନି ।ରାତିଟା ତାକୁ କିମିଆ କରେ ।ତା ପାଦ ହାତ କଳା ପଡିଯାଏ ଆଉ ସିଏ ସିନ୍ଧିକାଟେ ଗାତୁଆ ମୂଷା ପରି ।ହାତ ଝାଡିଝୁଡି ଦିଏ ଏମିତି ଯେମିତି ସେ ଥାନରେ ଆଗରୁ କେବେ କିଛି ନଥିଲା ।ଧୂଳି ଝାଡି ହୋଇ ଧୂଳିରେ ଉଡିଯାଏ  ।


ସିଏ ଚୋର ,ହେଲେ ବି ଚରିତ୍ରବାନ ।ସିଏ ଚୋର ହେଲେ ବି ଦୟାଳୁ ।ସିଏ ଚୋର ହେଲେ ବି ତାର ଚେର ନାହିଁ ।


ତାର ମୋର ଭେଟ ଏମିତି ଦିନେ ଦଉଡୁ ଦଉଡୁ ଅନ୍ଧାର କୁ ଚିରି ଚିରି ହେଇଥିଲା ଯାହା ମନେପଡେ ।ତା ଲୁହାଛାତିରେ ଧକ୍କା ଖାଇ ତଳେ ମୁହଁ ମାଡି ପଡୁ ପଡୁ ସାଟ୍ କାଲର୍ ଟା ଝିଙ୍କି ଧରିଥିଲା ସିଏ ।ଆଉଜେଇ ଦେଇଥିଲା କାନ୍ଥ କୁ ଝିଟିପିଟି ପରି ।

ସେ ଦଉଡେ ପବନଠୁ ଜୋର୍, ଠିକ୍ ଡଙ୍ଗରର ଗୋଟେ ଚିତା ବାଘ ପରି ଝିଡ୍ କରି ।ଖୋପ ପକେଇ ଛକେ ଓ ପରେ ଝପାକ୍ । ଜୀବନ ଛୁଟାଏ, ଭୌଗଳିକ, ମାନସିକ ଛୁଟନ୍ ।ଜୀବନ ଗୋଡ ଫରକଟେଇ ଦିଏ, ଥଙ୍ଗାଏ, ଭଙ୍ଗାଏ କିନ୍ତୁ ଛାଟ ଧରି ଦଉଡାଏ ଯେ ଦଉଡାଏ ।




ଆଉ ମୁଁ ଏତେ ଭାବେନି ।ମିଳିଲା ଖାଇଲି, ନ ମିଳିଲା ଯୋଉଠି ପାରେ ସେଇଠି ଗଡିଗଲି ସକାଳ ଯାଏ ।ସକାଳକୁ ନାକ ପବନ ଟାଣୁଥିଲେ ପୁଣି ଚକ ଲଗେଇ ପାଦ ବଢେଇବି ନହେଲେ ଯାଃ ..... ସଇଲା ।କିଏ ଆଗକୁ ଅଛି ନା ପଛକୁ ଯେ ।


ଧକ୍କା କିଏ ନ ଖାଏ କି ! ଖୋଦ୍ ଆଲୁଅରେ ଧୋକା ଖାଉଥିବା ଲୋକ ପା ଆଖି ମୁଜି ଚାଲୁଥାନ୍ତି ।ଆମେ ତ ଗାଢ ଅନ୍ଧାର ରେ ବି ସତର୍କ ଥାଉ ।


ଏତେନ୍ଜା ( ଏତେ ବେଳ ଯାଏ ) ସିଏ ସେମିତି ଦାରୁଭୁତ ଭଳି ବସିଛି ।ଉଁ କି ଚୁଁ କହୁନି ।ହେଃ ନକହୁ । ବସୁ ।ଖାଲି ବସୁ ।ଫୁଲୁଥିବା ନିଶ୍ବାସ ତକକୁ ଗୋଟେଇ ନଉ । ତକିଆଟେ କରୁ ।ଜାକିଧରି ଶୋଇପଡୁ ।ତୁଳା ଭଳି ହାଲୁକା କଳେବର ସବୁ ସ୍ବପ୍ନ ର ,ହେଲେ ତାକୁ ପେଲି ଦେଇ ହୁଏନି ।


ମୁଁ ଘଡିଏ ଶୋଇ ଉଠିଲିଣି ଏଇ ଦରଭଙ୍ଗା ସିମେଣ୍ଟ ପୋଲଟାରେ ।ସିଏ ବସିଛି ।ମୁଁ କହିଲି,  " କିରେ କଣ ? "

ସିଏ ପେଚା ପରି ଚାହିଁଲା ।ଭୁତଟେ ପରି ଦିଶିଲା ।କିନ୍ତୁ ଉତ୍ତର ଫେରେଇଲାନି ।ମୁଁ ଆରକଡ ମାଡି ପୁଣି ଶୋଇପଡିଲି ।


ଅଧିକାଂଶ

ସମୟ ଆମେ ଭୁତର ଭ୍ରମରେ ଜୀଉଁ ,ଡରୁ ,ହେଲେ ସେ ପ୍ରାଣୀ ଟି ଅଚିହ୍ନା ଏତେ କଣ ? ନାଇଁ ତ !

ଅନ୍ଧାରର ଛିଟା ତଳେ ଆତ୍ମଗୋପନ କରାଏ, ଅସହାୟ ନୁହେଁ ।


*****

ଏଥର ଟିକେ ବେଶୀ ଦିନ ଆମେ ରହିଯାଇଥିଲୁ ଭିତରେ ।ତଥାପି ସିଏ ଆଗେ ମୁକୁଳିଗଲା ସଜାରୁ ।ଏ ସଲାଖ ତକ ତ ଆମ ଆୟୁଷ ଗାର ।


ମୁଁ ମୁକୁଳିଲି ତା ଚାରିଆଠ ମାସରେ ।ତାକୁ ଖୋଜିଲି ।ଯୋଉଠି ଯୋଉଠି ଥିବ ଭାବୁଥିଲି ସବୁଠି ।ହେଲେ ସିଏ ଯେମିତି ଅଦୃଶ୍ୟ ହେଇସାରିଥିଲା ।


******

ବରଷେ କି ଦିବରଷ ଉପରେ ହବଣି  ।ମୁଁ ତାକୁ ପ୍ରାୟ ଭୁଲି ଆସିଲିଣି ।ଠିଆମେଲା ଦୁଆର ବାଟେ ସବୁ ଯା ଆସ ସରଳ ।


ଈଶ୍ବରୀୟ ବରଦାନ ଏ ଭୁଲିବା ଗୁଣଟି, ମଣିଷ କୁ ମିଳିଛି ।ନହେଲେ ପଛ ଅଠର ଜନ୍ମ ର ଗୁଣଖୁଣ ସବୁ ବି ଗଣ୍ଠି ପଡନ୍ତେ କି କଣ ।


ଆମେ ତ ଚାଲୁଥିବା ରେଳ ରେ ଚଢିଯାଉଥିଲୁ, ଯୋଉଠି ପାରୁଥିଲୁ ଓଲ୍ହେଇ ପଡୁଥିଲୁ ।ସେଇଠି ରହିଯାଉଥିଲୁ ଦିନା କେତେ ।ମନ ପୁରିଗଲେ ପୁଣି ଫୁର୍ ।ଆମର କୋଉ ପରିଚୟ ପତ୍ର ଥିଲା ନା କାଗଜ ! ଯେଣେ ଗଲୁ ସେଣେ ଆପଣାର ।ଠାଉରିଆ ଚୋର ତ ,କୋଉ ଡକେଇତ !


ତାକୁ କିନ୍ତୁ ପବନ ଚୋରେଇ ଉଡେଇନେଇଥିଲା କି କଣ ?


********


ଆଜି ଚଢିଗଲି ଗୋଟେ ପ୍ଯାସେଞର ଗାଡିରେ ଅଭ୍ଯାସ ଅନୁଯାୟୀ ।ଅଧରାତି ହବ କି କଣ , କମଳଟି କାନ୍ଧ କୁ ଟାଣି ଆଣିଲି ।ସେଇ ଗୁସଲଖାନା ଟିଣକବାଟ କୋଣକୁ ଘୁମଉଥିଲା କ୍ଯାଟେରିଂ ପିଲାଟା ।ତା ମୁହଁ ଦିଶୁନଥିଲା ଝିମ୍ ଝିମିଆ ଅନ୍ଧାର ରେ ।ୟୁରିଆ ଗନ୍ଧ ତାର ଆଦତରେ ପଡିଯାଇଥିଲା ।


ତାରି କଡକୁ ଗୁଞିହେଲି ।ସିଏ ବି ଟିକେ ଘୁନ୍ଚିଗଲା ଘୁମରେ ଥାଇ ।ଖାଇନଥିଲି ପୁରା ଦିନ ,କିଛି ବି ହାତରେ ଲାଗିନଥିଲା ।


ଲୋକେ କଚରାଦାନାରେ ଖାଇବାଦାନା ଓଜାଡି ଥିଲେ ।ଅଧା ପିଆ ପାଣି ବୋତଲ କୋଚା କରି ପକେଇ ଥିଲେ । ଶୋଷ ମୋର ତଣ୍ଟି କୁ ପୋଡୁଥିଲା ଖେନ୍ଚି ଖେନ୍ଚିକା ।ମୁଁ ମୁହଁ ବୁଲେଇନେଲି ।ଖାଲି ପେଟରେ ନିଦ ଗାଢଉନଥିଲା ।ଗାଡି ଝୁଲ୍ ହାତୀ ଝୁଲ୍ ଧୋ ବାଇଆ ଗାଉଥିଲା ।


ହଠାତ୍ ମୋ ନଜର ପଡିଲା ବର୍ଥରୁ ଦିଶୁଥିବା ଶୋଇଲା ମୁହଁ ଟେ ।ଇସ୍ କି କାନ୍ଦୁରା ମୁହଁ ଟେ । ଏ ଲୋକ ଗୁଡା ମୁହଁ ରେ ଏତେ ଦୁଃଖ ନେସନ୍ତି ନା ଶୋଇପଡିଲା ପରେ ମିଛ ହସ ଶୋଇପଡେ ତ ଭିତରଟା ମୁହଁ ରେ ଉକୁଟେ? ମୁଁ ପୁଣି ମୁହଁ ବୁଲେଇନେଲି ।


ସିଏ ମାଟିଆ ଚଦରଟେ ଦେହରେ ପକେଇଥିଲା ।ତା ଛନ୍ଦା ହାତ ହଳକ ଚଦର ତଳୁ ଆକାର ନେଇ ମାଟିଆ ହାତ ହଳଟେ ପରି ଦିଶୁଥିଲେ ଯେ ,ଆଉ କଣ ଗୋଟେ ବି ଧରିବା ପରି ଲାଗିଲା ।କଣ ହୋଇପାରେ ଏତେ ପ୍ରିୟ, ଜରୁରୀ, ଲୁଚେଇବା ପରି,ସତର୍କ ହେବା ପରି ଯେ ଧରି ଜାବୁଡି ଶୋଇଛି ଇୟେ ।କି ବୁଜୁଳି? କଣ ଲୁଚେଇଛି?


ମନ ଝାଙ୍କିଲା ମୋର । ପ୍ରକୃତି ପରା ନୈବ ମୁଚ୍ଯତେ ।ସୁଯୋଗ ଅପେକ୍ଷା ରେ ରହିଲି ।କିଏ ଗୋଟେ ଉଠି ପାଇଖାନା ଗଲା ।ମୁଁ ଅଚେତା ପରି ପଡି ରହିଲି ।ଗାଡି ଧିମେଇଲା ।କୋଉ ଗୋଟେ ଅନାମଧେୟ ଛୋଟିଆ କୋଚଟ ଷ୍ଟେସନରେ ।ଗୋଟିଏ ବତୀ ଖୁଣ୍ଟି ତେଲସରା ଡିବିରି ପରି ମିଞିମିଞି ଧକଉଛି ।ଆଉ ବହଳେ ପରସ୍ତ ଅନ୍ଧାର କୁ ଶାଢୀ କରି ପିନ୍ଧିଛି ରାତି ।ଝିଁ ଝିଁ ଝିଙ୍କାରୀ ଗାଉଛି ।


ରହିବନି ବୋଧେ ଗାଡି, ଖାଲି ଧିମେଇ ଧିମେଇ ଆଗେଇବ ।


କମଳ ଟା ଆଉ ଟିକେ ମୁଣ୍ଡ ଉପରକୁ ଟାଣି ନେଇ ଉଠିଲି ।ଶୋଇଥିବା ସେ ଝୁଲନ୍ତ ମୁହଁ ପାଖକୁ ଅଟକି ଗୋଟେ ଝଟକରେ

ତା ହାତର ବୁଜୁଳି ଟି ଘିନ୍ଚି ନେଇ ତଳକୁ ଡେଇଁ ପଡି ମିଳେଇଗଲି ଅନ୍ଧାର ରେ ।ଗାଡି ଜୋର୍ ଧରିଲା ।ଆଉ ଗଡିଗଲା ।ସେ ଲୋକଟି ର ହାଁ ହାଁ ଚୋର ଚୋର ଆଉ କାନ୍ଦ ପବନରେ ମିଳେଇଗଲେ ।


ଫୁଲାଫାଙ୍କିଆ ନବାବ ଚାଲି ଚାଲିଲି ମୁଁ ସେ ଗୋଟିକିଆ ଦରବାନ ପରି ଠିଆ ବତୀଖୁଣ୍ଟ ତଳକୁ ।କେହି କୁଆଡେ ନଥିଲେ, ବିଲେଇ କୁକୁର ପିଲାଟେ ବି ନୁହେଁ ।


ଓଲଟେଇ ଝାଡିଦେଲି ସେ ବୁଜୁଳି ଝଡ୍ ଝଡ୍ କରି ।ଲୁଗା ପଟା କିଛି ସହ ପଇସା କିଛି ଥିଲା ଆଉ ମୋଡା କାଗଜଟେ ।କି କାଗଜ ବୋଲି ମେଲେଇ ଦେଖିଲି କାହାର ଗୋଟେ ଫଟୋ ।ଇଏ ତ ସିଏ ।ଡାଙ୍ଗାର ଫଟୋ ।କିଏ ଥିଲା ରେଳରେ ତାର ? କଣ ହେଇଛି?


ତରତର ହେଇ ପଡଥିବା ଜିନିଷ ସବୁ  ଉଠେଇ ବୁଜୁଳିରେ ଭରୁଛି,  କଣ ମୋ ପଛରେ କିଏ ଗୋଟେ ଠିଆ ହେବା ପରି ଲାଗିଲା ।ଛାଇଛାଇଆ ଡରଟେ ଗଳିଗଲା ମୋ ଭିତରେ।କାହାର ପାଦ ତ ଦିଶୁନି, ମୁଁ ସେମିତି ନଇଁକି ମୋ ଗୋଡ ଦିଟା ମଝି ଫାଙ୍କରୁ ଅନେଇଲି ଆଖିର ଡିମା ଫଟେଇ ।କିନ୍ତୁ ଲାଗୁଛି କିଏ ତ ଅଛି, ଠିଆ ହେଇଛି ।


ଚଟ୍ କି ବୁଲି ଦେଖେ, " ସିଏ " ଯାହାକୁ ମୁଁ ଖୋଜିଥିଲି ଆଉ ଭୁଲିଯିବାକୁ ଚାହିଁ ବି ଭୁଲି ନଥିଲା । ହଁ " ଡାଙ୍ଗିଆ " ହଁ ହଁ ମୁଁ ଠିକ୍ ଚିହ୍ନିଛି ଇଏ ସେଇ ।ବ୍ଯାକୁଳ ଦୃଷ୍ଟି ବୁଣୁଛି ଆଉ ଉଦ୍ଗତ କୋହ ଚାପୁଛି ।ରାତିର ସବୁ ନୀରବତା ଭୟଙ୍କର ନୀଳ ହେଇ ନିଗିଡି ପଡୁଥିଲେ ମୋ ମୁହଁ ଉପର ଦେଇ ।


ମୋ ହାତରୁ ସେ କାଗଜ ଉଡିଗଲା ।ମୁଁ ଫାଁ କାଢି ଚାହିଁ ଥିଲି ଆଉ ଥରୁଥିଲି ।ମୋ ଆଁ ମେଲା ଥିଲା ଆଉ ପାଦତଳୁ କମ୍ପ ଉଠୁଥିଲା ।ଅନୁଭୁତ ହେଲା ଛାତିତଳଟା ଚାଉଁ କିନା ।ଗୋଟା ପଣେ ଝାଳେ ଜୁଡୁବୁଡୁ ।ହୁତାଶନ ଉଠୁଥିଲା ହୁ ହୁ।


ସିଏ ବି ଧୁସ୍ କି କୁଆଡେ ମିଳେଇଗଲା ଯେମିତି ନଥିଲା କେବେ ଆଗରୁ ! ମୃତ ମୂହୁର୍ତ୍ତ ସବୁର ପାଉଁଶ ଗଦା ଅଣ୍ଡାଳୁ ଥିବା ପାଦରେ ଚେଙ୍ଗିହେଇଗଲା ଚୋରା ନିଆଁ ଝୁଲଟେ ।


ଆଖି ଆଗରେ ଭାସିଗଲା ଛବିଟେ, ସେଇ ଶୋଇଥିବା ଦୁଃଖି ମୁହଁ ଟା ଗୋଟେ ଝିଅର ଥିଲା ଯାହାର ଡାହାଣପଟ ନାକର ଠିକ୍ ଉପରକୁ ଥିଲା କଳାଯାଇଟେ ।


ଏବେ ମୋ ସବୁ ଶକ୍ତି ଲଗେଇ ମୁଁ ଦଉଡୁଥିଲି ଚିତା ଟେ ପରି 

ଦ୍ରୂତଗାମୀ ରେଳ କୁ ଧରିବା ପଛରେ ଗାଁ, ମଶାଣି, ବିଲ ଗହୀର, ବାଲୁକା ପଥ,ଉଚ୍ଚାଟ ପବନକୁ  ଟପି ।




__________

ଲୋପାମୁଦ୍ରା ପରିଡା 

ପାନାଥୁର

ବାଙ୍ଗାଲୋର


Rate this content
Log in

Similar oriya story from Drama