ଆନନ୍ଦ ବଜାର
ଆନନ୍ଦ ବଜାର
ଜୟ ଜଗନ୍ନାଥଜୟ ଜଗନ୍ନାଥଜୟ ଜଗନ୍ନାଥ
ଆଜ୍ଞା, ବଜାର କହିଲେ ବିପଣୀ ମାଳ ଯୋଉଠି ମୁଦ୍ରା ବିନିମୟରେ ବସ୍ତୁ ଲାଭ ହୁଏ । ହେଲେ ମାଲିକେ ! ଇଏ ଏମିତି ବଜାର ଯୋଉଠି ପ୍ରାପ୍ତି ହବା ଚିଜ ବଡ ଦୁର୍ମୂଲ୍ୟ । ଅତୀବ ଦୁର୍ଲଭ । ହେଲେ ମୂଲ୍ୟ ଭରିବେ ଆପଣ କେବଳ ପ୍ରେମ ଓ ଭକ୍ତି ପ୍ରତିବଦଳେ।ତାହା ଦେଇ ଯାହା ପାଇବେ ନା , ତାହା ପରା ଦେବଗଣଙ୍କୁ ବି ଅପୂର୍ବ । କି ' ଅମୃତମୟ କଥା ସତେ ଆହାଃ !ଯୋଉ ଚିଜ ଟିକକ ଲଭିବା ପାଇଁ ଆପଣେ ଦେଖିଥିବେ ସହସ୍ର ଯୋଗୀ,ରୁଷି ଅନନ୍ତ କାଳ ଯାଏ ଗୁମ୍ଫା,ବରଫ,ବନଅରଣ୍ୟ ଭିତରେ ଏକଗୋଡିକିଆ ଠିଆ ହେଇ ତପମଗ୍ନ ରହନ୍ତି ସେହି ଅଦ୍ବିତୀୟ ଚିଜଟି ଏଇ ଠିକଣା ବଜାରରେ ଉପଲବ୍ଧ ହଏ । ଜିନିଷଟା କଣ ? ଖାଣ୍ଟି ଗୁଆଘିଅ ମାର୍କା ଆନନ୍ଦ, ମୋକ୍ଷ, ମୁକ୍ତିଲାଭ ସଶରୀରେ । ଅଲଭ୍ୟ ଲଭ୍ୟତେ ଭୂକୋଳେ । ସାଲୋକ୍ୟ, ସାରୂପ୍ୟ, ସାଯୁଜ୍ୟ, ସାନିଧ୍ୟ ସମସ୍ତ ମୁକ୍ତିର ପ୍ରାପ୍ତି ମାତ୍ର କଣିକାଏରେ। ତନ-ମନ, ଚେତନ- ଅବଚେତନ ସହ ଉଦର ସବୁ ଶାନ୍ତି ଆଜ୍ଞା ଏଇ ଗୋଟିଏ ଠା ' । ପୃଥିବୀର ଏକମାତ୍ର ଏବଂ ସବୁଠାରୁ ବଡ ଭୋଜନାଳୟ " ଆନନ୍ଦ ବଜାର " । ଯେତେ ଲୋକ ଆସନ୍ତୁ, ଯେଡେ ଗହଳି ହଉ କେହି ଅଭୁକ୍ତ ଫେରିବେନି । ଭାଗ୍ୟ ନେଇ ପ୍ରାପ୍ତ କଣାକାଏ ହେଉ କି ଭୁରି ଭୋଜନ ଅନ୍ନବ୍ରହ୍ମ ତୃପ୍ତଆନନ୍ଦ କରାଇବେ ।
ଆନନ୍ଦ ବଜାର ମହାପ୍ରଭୁଙ୍କର ଶ୍ରୀ ମନ୍ଦିରର ଏକ ଅଭିନ୍ନ ଅଙ୍ଗ ଯାହା ବାହାର ବେଢା ଅର୍ଥାତ କୂର୍ମ ବେଢ଼ା ପରେ କିନ୍ତୁ ମେଘନାଦ ପାଚେରୀ ଭିତରେ ସିଂହ ଦରଜାର ଉତ୍ତର ପୂର୍ବ କୋଣରେ ରହିଛି । ବାସ୍ତୁ ସିଦ୍ଧାନ୍ତ ଅନୁଯାୟୀ ଘରର ଦକ୍ଷିଣରେ ରୋଷଘର ଓ ଉତ୍ତରପଟରେ ଖାଇବା ଘର ରହିବା କଥା ଯାହା ପରଶିବା ମଣିଷକୁ ଆନନ୍ଦ,ଖାଇବା ମଣିଷକୁ ଆନନ୍ଦ, ରାନ୍ଧଣା କରିଥିବା ରାନ୍ଧୁଣିଆକୁ ବି ଆନନ୍ଦ ପ୍ରଦାନ କରିଥାଏ। ଦିଅଁଙ୍କ ଦେଉଳରେ ସବୁ ସଜଡା।
ବଡ଼ଦେଉଳର କାଗଜ ପତ୍ର ବଡ ଠାକୁରଙ୍କ ନାଁରେ । ମନ୍ଦିର ଶ୍ରୀ ତଥା ମହାଲକ୍ଷ୍ମୀ ସାଆନ୍ତାଣୀଙ୍କ ମାଲିକାନାରେ, ହେଲେ ନାଁ ଡାକ " କାଳିଆର" । କାଳିଆ ଆମର ଖାଇବା ଠାକୁର।ଚାରିଧାମ ମଧ୍ୟରୁ ଶ୍ରୀ ବଦ୍ରିନାରାୟଣ ଛ ମାସ କାଳ ଶୋଇବେ ଆଉ ଛ ମାସ ଦର୍ଶନ , ଶ୍ରୀ ଦ୍ବାରକାଧିଶ ରାଜପରିପାଟିରେ ଶୁଶୋଭିତ ହେବେ ବାରମାସ ଯାକ, ଶ୍ରୀ ରାମେଶ୍ବରମ୍ ରେ ଠାକୁରେ ନିତି ଗାଧେଇବେ। ହେଲେ ଏଠି ଆମ ମାଲିକେ ପ୍ରତିଦିନ ଛପନପଉଟିଭୋଗ ଭୁଞ୍ଜି ଭୁଞ୍ଜାଇବେ । ଯେତେ ଥର ଠା'ପିଢା ଲାଗି ହେବେ ଲୁଗା ବଦଳେଇବେ,ନୂଆ ସାଜସଜ ପିନ୍ଧିବେ।ରଜାଠାକୁର। ରାଜକୀୟ ଠାଣିମାଣି। ମନ ଖୋଲା। ହୃଦୟ ଆହୁରି ଖୋଲା।ଦି ବାହୁ ଖୋଲି ଜଗତ ଯାକ ଲୋକଙ୍କୁ ଡୋରି ଲଗେଇ ଦଉଛି ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥ ବୋଲାଉଛି। ମାଦଳା ପାଞ୍ଜି ଅନୁସାରେ ୧୯୧୦ ମସିହା ବେଳକୁ ମୋଟ ୪୩୫ପ୍ରକାର ଭୋଗ ଥିଲା ଯାହା କମି କମି ବର୍ତ୍ତମାନରେ ଶହେ ପଚାଶ ପାଖାପାଖି ପ୍ରକାରରେ ପହଞ୍ଚିଛି। ସେଥିରୁ ପୁଣି ମୋଟା, ସରୁ, ପତଳା, ସାନ, ବଡ ଆଦି ପ୍ରକାର ବାଦେ ମୁଖ୍ୟ ପ୍ରକାରେ ଛପନ ହିଁ ରହିଛି ।
ସେଇ ଶ୍ରୀ ମନ୍ଦିର ସ୍ଵତ୍ତ୍ଵଲିପି ( The Puri shree Jagannath Temple Administration Act , Records of Rights ,part 2 ) ଅନୁସାରେ ପ୍ଲଟ ନମ୍ବର ୧୫୬ ରେ ଆନନ୍ଦ ବଜାର । ତା ପୂର୍ବ ପ୍ଲଟଟି ସରକାରୀ ପସରା ପ୍ଲଟ ନମ୍ବର ୧୫୪ ଯେଉଁ ଠାରେ ରଜାପସରା, ରାଣୀପସରା, ଜେନାମଣି ପସରା ସହ କୋଠଭୋଗ ଏବଂ ଠାକୁରଙ୍କର ସ୍ବତନ୍ତ୍ର ଭୋଗ ରାଜସୁପରିଡେଣ୍ଟଟଙ୍କ ଦ୍ବାରା ନିଯୁକ୍ତ ସେବକ ହି ବିକ୍ରି କରିବାର ବ୍ୟବସ୍ଥା ରହିଥିଲା । ସେଥିରୁ କୋଠ ଭୋଗ ଓ ସ୍ବତନ୍ତ୍ର ଭୋଗ ଯାହାର ବିକ୍ରି ମୂଲ୍ୟ ମନ୍ଦିରକୁ ପ୍ରାପ୍ୟ।ମଣ୍ଡପଠାରୁ ସରକାରୀ ପସରା ଯାଏ ଥିବା ଖୋଲା ସ୍ଥାନରେ ସୁଆର, ମହାସୁଆର ବିନା ମହାସୁଲରେ ବିକ୍ରୀ କରିପାରନ୍ତି । ସେମାନଙ୍କୁ ଦୈନିକ ଖଜଣା ଭରିବାକୁ ପଡେ । ପୂର୍ବେ ଏହିଠାବରେ "ତୁଣିଆ ମାହାଲ" ନିଲାମ ଡକା ହେଉଥିଲା। ଭିତର ଦ୍ଵାର ବାମ ତରଫ ସ୍ଥାନରେ ସୁଆର ଓ ମହାସୁଆର ନିଯୋଗ ଓ ଦକ୍ଷିଣ ତରଫରେ ପଣ୍ଡା ନିଯୋଗ ଓ ପୁଷ୍ପାଳକ ନିଯୋଗ ବିକ୍ରି ଅନୁମତି ପ୍ରାପ୍ତ ଅଟନ୍ତି। ଉଭୟ ମଧ୍ୟରେ ଖଣ୍ଡେ ସଧକାରୀ ସ୍ଥାନ ରହିଛି। କୋଠ ଭୋଗର ଏବେ ଆମ ସାହି (ବାଲି ସାହି) ଆପଟ ଘର ଦାୟିତ୍ୱରେ ସୁନିଆଁ, ପୁଷ୍ୟାଭିଷେକ ଆଦିରେ ପର୍ବମାନଙ୍କରେ ମହାପ୍ରସାଦ ପହଞ୍ଚା ବିଜେ କରେଇବା ରହିଛି । ଏହା ରତ୍ନ ବେଦୀ ନିକଟରେ ଷୋଡଶ ଉପଚାର ବିଧିରେ ଭୋଗ ଲାଗେ। ଆନନ୍ଦ ବଜାର ଭିତରକୁ ଯିବାକୁ ଦିପଟେ ବାଟ। ପାଟ ଅଗଣାରୁ ଏବଂ ବାଇଶି ପାହଚରୁ । ଏବେ ପାଟ ଅଗଣା ପଟ ତୋରଣ ଦେଇ ଭକ୍ତ ଯା ଆସ କରୁଛନ୍ତି। ବାଇଶି ପାହଚ ପଟଟି ତାଲା ଦିଆହେଇ ରହୁଛି। ସରକାରଙ୍କର ନଥିକରଣ, ସୈାନ୍ଦର୍ଯ୍ୟକରଣ ଆଦି ନେଇ ବାଇଶି ପାହାଚ ପଟକୁ ଥିବା କେତୋଟି ସାନ ଦୋକାନଙ୍କୁ ଉଛ୍ଛେଦ କରାଯାଇଛି। ଆନନ୍ଦ ବଜାର ଭିତରେ କେବଳ ଅବଢା ତଥା ଶୁଖିଲି ମହାପ୍ରସାଦ ବିକ୍ରି ଓ ଭୋଜନ ବ୍ୟବସ୍ଥା ରହିଛି । ହାତ ଧୋଇବା ଓ ପିଇବା ପାଣି ବ୍ୟବସ୍ଥା କରାଯାଇଛି। ନୂତନଜଗତି ସବୁ ଉପରେ ଭକ୍ତଜନ ସାନନ୍ଦେ ମହାପ୍ରସାଦ ପାଇବା ସହ ସାଙ୍ଗରେ କିଣି ନେଉଛନ୍ତି। ସଂଖୁଡି ଓ ଶୁଖିଲା ମହାପ୍ରସାଦ ଭିତରେ ଅବଢ଼ା, ଘିଅଅନ୍ନ, କାନିକା, ଖେଚୁଡି, ଡାଲି, ଡାଲମା, ଶାଗ, ବେସର, ମହୁର, ଖଟା, ରାଇତା, ଖିରି, ଭଜା, ଖିରା, ସର, ରାବିଡି, ଶାକର, ମରିଚପାଣି, ମଧୁରୁଚି, ଦହିବୁନ୍ଦି, ବିଭିନ୍ନ ପ୍ରକାର ପିଠା, ସରପୁଳି, ଘୃତପୁଳି, ପୋଡପିଠା, ମହନଭୋଗ, କାକରା, ମାଣ୍ଡୁଅ, ପଣା, ଖଜା, ଗଜା, ନାଡି, ଜଗନ୍ନାଥ ବଲ୍ଲଭ, ମାଠପୁଳି, ମୁଠିଗଜା, ଖିରିସାକର, ଅମାଲୁ, ମାଲପୁଆ, ଆମ୍ବିଳ, ଲୁଣିଖୁରାମା, ପାରିଜାତକ, ରାଧା ବଲ୍ଲଭ, ଝିଲି, ମୁଗକାନ୍ତି, ମଗଜଲଡୁ, ମନୋହର, ଅଟକାଳି, ମଣ୍ଡା, ଚଢେଇନଦା, ଏଣ୍ଡୁରି,ଆରିସା, କଦମ୍ବ ଇତ୍ୟାଦି ଇତ୍ୟାଦି । ଏହି ସମସ୍ତ ପ୍ରସାଦ ରୋଷ ଘରୁ ପ୍ରସ୍ତୁତ ହୋଇ ଦୈନିକ ଉପଚାର ବିଧିରେ ଦାରୁ ବ୍ରହ୍ମଙ୍କୁ ଅର୍ପଣ କରାଯାଏ ।
ଆନନ୍ଦ ବଜାର ସିଂହପଟ ଦରଜା ପାଖକୁ ମାଆ ଅନ୍ନପୂର୍ଣ୍ଣା ଅଛନ୍ତି। ପ୍ରତିଦିନ ମଙ୍ଗଳା ଆଳତୀ ଦର୍ଶନ ପରେ ସେଇପଟ ଦେଇ ଫେରିବା ସମୟରେ ଅନ୍ନ କଣିକାଏ ମାଆକୁ ସମର୍ପଣ କରି ଆସିବାର ଅଲିଖିତ ବିଧି ସେବାୟତ ଘର ମାଆ ମାନେ ପାଳି ଆସୁଛନ୍ତି। ସେଇପଟ ଗେଟ କାନ୍ଥରେ ଶ୍ରୀ ବରାହ ଅବତାର ଶ୍ଲୋକ ଲେଖା ହେଇଛନ୍ତି। ତା ପାଖକୁ ଏବେ ମନ୍ଦିର ପ୍ରଶାସନ ତରଫରୁ ସୁନ୍ଦର ମଣ୍ଡପ ସବୁ କରାଯାଇଛି ବସିକି ମ଼ହାପ୍ରସାଦ ସେବନ ପାଇଁ। ଆଗରୁ ବଡ ବଡ ଗଛ ଥିଲେ ଓ ତା ତଳ ପଥର ଚଟ୍ଟାଣରେ ଲୋକେ କଦଳୀ ପତ୍ର ପକେଇ ମହାନନ୍ଦେ ଅବଢା ପାଉଥିଲେ। ଅବଢା ଅର୍ଥ ଯାହାକୁ ବଢା ଯାଏନା। ସମସ୍ତେ ଆନନ୍ଦରେ ନିଜେ ଖାଉଥାନ୍ତି ।
ତଥ୍ୟ______ଆନନ୍ଦ ବଜାର ମଧ୍ୟ ଦେଇ ଗୁଣ୍ଡିଚା, ବାହୁଡା, ଦୋଳ, ଚାପ ଆଦି ଆଦି ଯେତେ ପ୍ରକାର ପର୍ବନୀତିରେ ମହାପ୍ରଭୁ ସ୍ୱୟଂ ( ଶ୍ରୀ ବଳଭଦ୍ର, ମାଆ ସୁଭଦ୍ରା , ମହାବାହୁ ଜଗନ୍ନାଥ, ଓ ଚକ୍ର ରାଜ ସୁଦର୍ଶନ ) ବିଜେ କରନ୍ତୁ ବା ପ୍ରଭୁଙ୍କର ଚଳନ୍ତି ପ୍ରତିମା, ଶ୍ରୀ ରାମକୃଷ୍ଣ, ମଦନମୋହନ, ଶ୍ରୀ ଦେବୀ, ମୁଁ ଦେବୀ, ମାଧବ ଆଦି ସିଂହ ଦରଜା ଦେଇ ବଡ଼ଦାଣ୍ଡକୁ ବାହାର ବିଜେ କରିଥାନ୍ତି ଓ ସେଇପଟେ ବଡ ଦେଉଳର ସ୍ବସ୍ଥାନକୁ ଗମନ କରନ୍ତି।
ଆନନ୍ଦ ନନ୍ଦନା ନନ୍ଦ ସତ୍ୟଧର୍ମା ତ୍ରିବିକ୍ରମଃ ( ଶ୍ରୀ ବିଷ୍ଣୁ ସହସ୍ରନାମ: ୫୬ ) ମହାପ୍ରଭୁଙ୍କର ପ୍ରତିଭୁ ହେଉଛି ଶ୍ରୀମ଼ହାପ୍ରସାଦ ।
ପୁରୁଷୋତ୍ତମାତ୍ ପରଂକ୍ଷେତ୍ର ନାସ୍ତ୍ୟତ୍ର ପୃଥିବୀ ତଳେ,ଭୂସ୍ବର୍ଗମିତିବିଖ୍ୟାତଂ ଦେବାନାମପି ଦୁର୍ଲଭମ୍ - ବ୍ରହ୍ମ ପୁରାଣ।।
ନ ବିକ୍ରୟଃ କ୍ରୟୋ ବାପି ପ୍ରଶସ୍ତଶ୍ୟ ଭୋ ଦ୍ବିଜାଃ ( ସ୍କନ୍ଦ - ୩୮ / ୧୩ )
ଜାତିଭେଦୋ ନ କର୍ତ୍ତବ୍ୟଃ ପ୍ରସାଦେ ପରମାତ୍ମନଃ ( ମହାନିର୍ବାଣ ପୁରାଣ)
ସହସ୍ର କୋଟି ଜନ୍ମର ପୂଣ୍ୟ ଫଳରେ ମହାପ୍ରସାଦ ପ୍ରାପ୍ତି। ମହାପ୍ରସାଦ ହିଁ ନିଜେ ପରମବ୍ରହ୍ମ। ଅମୃତ, ଅବଢା, କୈବଲ୍ୟ, ନିର୍ମାଲ୍ୟ, ମଧୁକରୀ ଶବ୍ଦ ବ୍ରହ୍ମ, ଅନ୍ନ ବ୍ରହ୍ମ ଠାକୁରେ।
ବ୍ରହ୍ମ ପୁରାଣେ ବର୍ଣ୍ଣିତ କଥା ଅନୁରୂପ ପୁରୀ ଭୂସ୍ବର୍ଗ ବା ମର୍ତ୍ତ୍ୟ ବୈକୁଣ୍ଠ ପାଲଟିବାରେ ଆନନ୍ଦ ବଜାରେ ମହାପ୍ରସାଦ ସେବନର ଅବଦାନ ଅଶେଷ । ସ୍କନ୍ଧ ପୁରାଣ ମତରେ ମହାପ୍ରସାଦ ବିକ୍ରି କ୍ରୟ ଆନନ୍ଦ ବଜାରରେ ପ୍ରଶସ୍ତ। ଏଠିକାର ବୈଶିଷ୍ଟ୍ୟ ଏହି କି ଯେ ନିଜେ ମନ ଆତ୍ମା ଭରି ଖାଇବ, ଖୁଏଇବ। ଅନ୍ୟକୁ ଅନ୍ନଦାନ କରି ଆନନ୍ଦ ସାଉଁଟିବ। କୁଣ୍ଢେଇ ଗେଲେଇ, ଧସି ଲେସି ହବା ଠାକୁର ସିଏ। ପ୍ରେମରେ ଭିଜେଇ ମଜେଇ ଏମିତି ହଜେଇ ଦବ ଯେ ମନ ନିଜେ ନିଜକୁ ପାଶୋରି ଆନନ୍ଦମଗ୍ନ ହେବ।
ସତ୍ୟଯୁଗରେ ବ୍ରହ୍ମଦର୍ଶୀ ବ୍ରାହ୍ମଣ ବିଦ୍ୟାପତି ଓ ବ୍ରହ୍ମବିତ୍ ଭକ୍ତ ବିଶ୍ଵାବସୁଙ୍କ କଥା କାହାକୁ ବା ଅଜଣା ! ବିଦ୍ୟାପତି ଯେତେବେଳେ ଅତିଥି ଭାବେ ଲଳିତାର କୁଟୀରରେ ଶବରରଜା ବିଶ୍ଵାବସୁ ପରସିଦେଇଥିଲେ ନବ ଜାମାତାଙ୍କୁ ତାଙ୍କର ପରମ ଆରାଧ୍ୟ ଦିବ୍ୟ ପ୍ରସାଦ। ଦାନାଏ ଓଠରେ ଲଗଉ ଲଗଉ ସମାଧିସ୍ଥ ହୁଅନ୍ତି ଭକ୍ତ ବିଦ୍ୟାପତି। ଜିଜ୍ଞାସା ସ୍ବତଃ ଜନ୍ମେ ।କାହାର ଏ ପ୍ରସାଦ ? ଏ ବାସ୍ନା,ଏ ସ୍ବାଦ, ଏ ଆନନ୍ଦ , ଏହାର ଉତ୍ସ କେଉଁଠାରୁ । ଅପୂର୍ବ ଅପୂର୍ବ।
ଶବର ପଲ୍ଲୀଗୁହାର ଘୋର ଅରଣ୍ୟାନୀ କୋଳରେ ନୀଳକାନ୍ତ ମଣି ସଦୃଶ୍ୟ ଦୋଦୁଲ୍ୟମାନ ନୀଳ ଆଭାରେ ଉଦ୍ଭାସିତ ଶ୍ରୀ ଶ୍ରୀ ନୀଳମାଧବ। ଶବର ମାନେ ଯାହାଙ୍କୁ ଆଜି ଯାଏ ଦର୍ଶନ ପାଇନଥିଲେ,ସେହି ପ୍ରସାଦ ହିଁ ତାଙ୍କ ପାଇଁ ଦେବତା ଥିଲେ ସେହି ମ଼ହାପ୍ରସାଦର ପ୍ରାପ୍ତି ଆନନ୍ଦ ବଜାରରେ । ଭକ୍ତି, ସମର୍ପଣ ପରେ ଅର୍ପିତ ନୈବେଦ୍ୟ ଯେ ଏତେ ଅମୃତ ସମ ଜାଣିବା ପରେ ସିଏ ନିଶ୍ଚିତ ହେଲେ ଯେ ଯେଉଁ ପରମଧାମନାଥଙ୍କର ସନ୍ଧାନେ ସିଏ ଆଗମନ କରିଛନ୍ତି ସିଏ ଏହି ହିଁ । ତା ପର କଥା ଆମେ ସଭିଏଁ ଜାଣୁ। ବହୁଗୁଣିତ ଆଗ୍ରହ,ଉତ୍ସାହ,ଦର୍ଶନର ଅଭିପ୍ସାରେ ଅଭିପ୍ରେରିତ ଭକ୍ତ ସହ ଈଶ୍ୱର ନିଜେ ନିଳକନ୍ଦରକୁ ଚାଲିଲେ। ସେଇ ଭାବମିଳନ,ଭୋଗସେବନରୁ ମୂଳଭିତ୍ତି ପଡିଥିଲା ଏକାଠି ବସି ବାଣ୍ଟି ପ୍ରସାଦ ସେବନର ପ୍ରଥା। ଆନନ୍ଦ ବଜାରର ଉତ୍ପତ୍ତି ସେଇ କିମ୍ବଦନ୍ତୀର ଧାରା ବୋଲି ବିଶ୍ୱାସରେ ମାନିନିଆଯାଇପାରେ।
ଗୁରୁବାର ମହାଲକ୍ଷ୍ମୀ ପୁରାଣରେ ଭକ୍ତ ବଳରାମ ଦାସ ଭଣିଲେ" ବ୍ରାହ୍ମଣ ଚଣ୍ଡାଳ ଯାଏ ଖୁଆଖୋଇ ହେବେସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେହାଡିର ହାତୁ ବ୍ରାହ୍ମଣ ଛଡାଇ ଖାଇବେସଭିଏଁ ଖାଇ ହାତକୁ ମୁଣ୍ଡରେ ପୋଛିବେ।" ଯାହା ମାଆ କମଳିନୀଙ୍କର ଅଭିମାନ ମିଶା ଅନୁନୟ ବା ଦାବୀ ଥିଲା ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ। ଏତିକ ହେଲେ ସିଏ ବଡ ଦେଉଳକୁ ଫେରିବେ ବୋଲି। ଆନନ୍ଦ ବଜାର ତାହାର ପ୍ରମାଣଯେ ଏଠାରେ ମାଆଙ୍କର ଇଛ୍ଛା ଅକ୍ଷରେ ଅକ୍ଷରେ ପାଳନ ହୋଇଛି। ଆମେ ମାହାର୍ଦ ପାଇଲେ ମଥାରେ ହାତ ପୋଛୁ। ହାତ ଧୋଇବାର ହେଲେ ଗଛ ମୂଳ ମାଟିରେ ଧୋଇବା ବିଧେୟ ଏବଂ ଆସନ ପାରି ମହାପ୍ରସାଦ ପାଇବା ମନା । ମହାପ୍ରସାଦକୁ ମନା କରିବା ବର୍ଜନ। କଣିକାଏ ହେଇ ସସମ୍ମାନେ ନେଇ ପାଇବାକୁ ହୁଏ ଓ ମଥାରେ ହାତ ପୋଛାଯାଏ। ଜାତିପତି , ଉଚ୍ଚ ନୀଚ ଭେଦଭାବ ନାହିଁ।ଅଇଁଠା ଶଂଖୁଡି ନାହିଁ।ବିକାର ନାହିଁ ନିରାକାରଙ୍କର ହାଣ୍ଡିରେ । ଉଣାଅଧିକ ନାହିଁ। ଖାଣ୍ଡିରେ ଖାଇବା ଲୋକ ଖାଇସାରି ସେଇଠି ଛାଡିଯାଏ। ଆରେକ ଭକ୍ତ ପୁଣି ସେଇଖାଣ୍ଡିରେ ଉଠେଇ ଖାଏ। ଅନ୍ନଦା ସଦା ପ୍ରସନ୍ନ ସେଠି। ଲୋକେ ମହାପ୍ରସାଦ ହାତରେ ଦେଲେ ବନ୍ଧୁ ହୁଅନ୍ତି। ଜନ୍ମ ଜନ୍ମାନ୍ତର ସୈାହାର୍ଦ୍ଦ ଅମଳିନ ରହେ। ମାହାର୍ଦ୍ଦ ଟେକା ହେଇ ଲୋକେ ଶାନ୍ତି ଲଭୁଥାନ୍ତି ଅବିରତ। ବିଶ୍ବାସର ପୁଣ୍ୟଗଣ୍ଠି।
ସମ୍ଭବତଃ ଅଷ୍ଟାଦଶ ଶତାବ୍ଦୀର ଆରମ୍ଭ ପୂର୍ବ କାଳରେ ବାଇଶି ପାହାଚରେ ଶ୍ରୀ ମହାପ୍ରସାଦ ବିକ୍ରୟର ବ୍ୟବସ୍ଥା ରହିଥିଲା। ଏହାର ପ୍ରମାଣ ସ୍ବରୁପ ଆମେ ଇତିହାସ, କିମ୍ବଦନ୍ତୀ ତଥା ପୁରାଣ,ଲୋକକଥା ଆଦିର ତଥ୍ୟ ରଖିବା ।
ଭକ୍ତ ସାଲବେଗଙ୍କର ପିତା ଲାଲବେଗ ଯବନଙ୍କର ମୃତ୍ୟୁ ୨୬ ଅପ୍ରେଲ ୧୬୦୮ରେ ହୋଇଥିଲା ବୋଲି ଇତିହାସ ବିଦିତ। ସେତେବେଳେ ସାଲବେଗ ଶିଶୁ। କିନ୍ତୁ ସେଇ ସାଲବେଗ ଯୈବନର ଅପରାହ୍ନ ବେଳକୁ ଯୁଦ୍ଧରେ ରକ୍ତାକ୍ତ, ଗଭୀର କ୍ଷତାକ୍ତ ହୋଇ କଷ୍ଟ ପାଉଥିବା ବେଳେ ହିନ୍ଦୁ ଜନନୀଙ୍କ ପ୍ରେରଣାରେ ମହାପ୍ରଭୁଙ୍କର ଶରଣାପନ୍ନ ହୋଇଗଲେ ଓ ଶିଘ୍ର ସୁସ୍ଥତା ଲଭିଲେ ଓ ନିଜକୁ ନିଉଛିଳି କରିଦେଲେ ଶ୍ରୀ ଚରଣାରବିନ୍ଦେ। ଚରଣ ଅରବିନ୍ଦ ଆଶ୍ରିତ ଆରୋଗ୍ୟ ଲଭିଥିବା ସାଲବେଗଙ୍କୁ ଯଦି ସେଇ ସମୟରେ ଅନ୍ତତଃ ବୟସ ଚାଳିଶ ଆନୁମାନିକ ଧରାଯାଏ ତେବେ୧୬୫୦ ବେଳକୁ ବାଇଶି ପାହାଚରେ ହିଁ ଅବଢା ବିକା ହେଉଥିଲା ବୋଲି ମାନିନେବାକୁ ହେବ। ତା ନ ହୋଇଥିଲେ ତାଙ୍କ ନିମ୍ନୋକ୍ତ ଭଜନ ଧାଡିରେ ଏ କଥା ଉନ୍ମୋଚିତ ହୋଇନଥାନ୍ତା ଯେ" ବାଇଶି ପାହଚେ ଯାଇ ସୁଖେକୈବଲ୍ୟ ପସରା ବେନି ପାଖେଚଣ୍ଡାଳୁ ବ୍ରାହ୍ମଣ ଶୁଦ୍ର ପରିଯନ୍ତେକୈବଲ୍ୟ ଭୁଞ୍ଜନ୍ତି ମୁଖେ ମୁଖେ ।।"
ଆହୁରି ଭକ୍ତ ସାରିଆ ଭିକ କହିଲେ," ବାଇଶି ପାବଛ୍ଛେ ବିକାକୈବଲ୍ୟ ହେଉଛି ଚୋଖାହାଣ୍ଡିକ ପଡେ ସିଉକାମନରଙ୍କା ଛଡାଇବା।"
୧୯୨୯ ମସିହାରେ ପ୍ରକାଶିତ ଶ୍ରୀ କୃଷ୍ଣ ସିନ୍ଧୁ ମହାପାତ୍ରଙ୍କର କ୍ଷେତ୍ର ମହାତ୍ମ୍ୟ ( ପୃ : ୪୦ ) ରେ ତଥ୍ୟ ରହିଅଛନ୍ତି ଯେ " ସ୍ନାନ ମଣ୍ଡପର ପଶ୍ଚିମ ତରଫକୁ ନୂତନ ଆନନ୍ଦ ବଜାର ଗୋଟିଏ ଖୋଲିଅଛି।"
ପୁସ୍ତକ 'ପୁରୀ ବୋଲି ' (ପୃଷ୍ଠା : ୧୬୭) ଲେଖକ ଡଃ ସିଦ୍ଧେଶ୍ୱର ମହାପାତ୍ର ଲେଖିଛନ୍ତି," ସ୍ନାନ ମଣ୍ଡପର ପଶ୍ଚିମ ତରଫରେ ଅବଢ଼ା ବିକ୍ରି ନିମନ୍ତେ ନୂତନ ଭାବରେ ଏକ ଆନନ୍ଦ ବଜାର ଖୋଲାଯାଇଛି।
ଉପରୋକ୍ତ ଉଭୟଙ୍କୁ ଆମ୍ଭେ ଏକ ଏକ ସିଦ୍ଧାନ୍ତ ଭାବେ ଗ୍ରହଣ କରିପାରିବା ।
ଶ୍ରୀ ମନ୍ଦିର ସ୍ଵତ୍ତ୍ଵଲିପି ପୃଷ୍ଠା୨୫୬ରେ ବର୍ତ୍ତମାନର ପରିଦୃଶ୍ୟମାନ ଆନନ୍ଦ ବଜାରର ପୁନଃ ନବିକରଣ କାର୍ଯ୍ୟ ଶ୍ରୀ ମନ୍ଦିରର ପ୍ରକାଶକ ସ୍ବର୍ଗତ ପରମାନନ୍ଦ ତ୍ରିପାଠୀଙ୍କ ସମୟରେ ୧୯୭୮ ରୁ ୧୯୭୯ ମସିହାରେ କାର୍ଯ୍ୟକାରୀ ହୋଇଥିଲା ବୋଲି ଅବଗତ ହୁଏ ।ପ୍ଲଟ ନମ୍ବର ୧୪୩ ( ୧୯୬୮-୬୯) ପୃଷ୍ଠା ୨୫୧ ରେ ( ଲେଖକ, ଶ୍ରୀ ଜଗନ୍ନାଥ ସଂସ୍କୃତିର ଗବେଷକ,ଓଏସ୍ ଡି, ତଥା ବିଧିବିଭାଗ ଉପପ୍ରଶାସକ ଭାସ୍କର ମିଶ୍ର ମହୋଦୟଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଆମେ ଜାଣିଲୁ ଯେ ) ଜଣେ ଯଜମାନ ସ୍ବର୍ଗତ ମଗନି ରାମ,ରାମ କୁମାର ବାଙ୍ଗଡ, ନାମକ ଜଣେ ମାରୁଆଡି ଭକ୍ତ ଜଳଛତ୍ର ବଣ୍ଟନର ବ୍ୟବସ୍ଥା ଆନନ୍ଦ ବଜାରରେ ଆରମ୍ଭ କରିଥିଲେ। ଭକ୍ତ ମାନଙ୍କୁ କିପରି ସୁବିଧାରେ ପାନୀୟ ଜଳ ଟୋପେ ମିଳିପାରିବ ଏହା ଏକ ସୁବିଚାର, ଏକ ପୁଣ୍ୟ ବିଧିର ଗଣନ। ଅଦ୍ୟାବଧି ସେଠାରେ ଯାତ୍ରୀ, ଭକ୍ତ, ପର୍ଯ୍ୟଟକ,ଅଭୁକ୍ତ, ଆଶାୟୀ,କ୍ଷୁଦାର୍ଥି ସମସ୍ତେ ଏକାଠି ବସି ମହାପ୍ରସାଦ ସେବନ କରିଥାନ୍ତି। ଆନନ୍ଦ ବଜାର ଭିତରେ ଉଚ୍ଚ ବାରଣ୍ଡା,ମେଲା ଅଗଣା, ମଣ୍ଡପ ଆଦି ସବୁରେ କିଣା ବିକା ଲାଗିଥାଏ।ଲୋକେ ଆନନ୍ଦ ପସରାରୁ ନିଜ ଭାଗକ ସାଉଁଳି ନେଉଥାନ୍ତି।
୨୦୦୯ ମସିହାରେ ମନ୍ଦିର ପରିଚାଳନା କମିଟିର ନିଷ୍ପତି କ୍ରମେ ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ସୁରେଶ ମହାପାତ୍ରଙ୍କ ଉଦ୍ୟମରେ ନାଲକୋ କମ୍ପାନୀ ପକ୍ଷରୁ ଆନନ୍ଦ ବଜାରର ନବିକରଣ, ଶ୍ରୀ ମହାପ୍ରସାଦ ବିକ୍ରପେଣ୍ଠ/ସ୍ଥଳୀ, ଭୋଜନ ମଣ୍ଡପ ମାନ, ବିପଣୀ ସମୂହର ନିର୍ମାଣ କାର୍ଯ୍ୟରେ ଆଦି ଚାଲୁଅଛି ଓ ସଂପୂର୍ଣ୍ଣ ହୋଇଛି।
ବାଇଶି ପାହଚ ପଟକୁ ଥିବା ଆନନ୍ଦ ବଜାରକୁ ପ୍ରବେଶ ପଥରେ ଦିଟି ବିରାଟ ଧବଳ ସିଂହ । ବିରାଟ ଓ ନିଶୁଆ।ମୋର ଭାରି ପସନ୍ଦ। ପିଲାଦିନେ କେତେ ଖେଳିଛି ତାଙ୍କ ପେଟ ତଳେ ଘର ଲୋକ ସବୁ ଦେଉଳର ବିଭିନ୍ନ ସେବା ଓ ଦର୍ଶନରେ ବ୍ୟସ୍ତ ଥିବା ବେଳେ। ଖମ୍ବ ପରି ଦମ୍ବ ଆଗ ଗୋଡ ଯୋଡାକ ମଝିରେ ଗଳି ଗଳିକା ତା ଆଁ ରେ ହାତ ପୁରେଇ ଦାନ୍ତ ଗଣା ଖେଳୁ ଖେଳୁ ଭୋକ ହୁଏ ତ ଲକ୍ଷ୍ମୀ ମନ୍ଦିରରେ ସୁଦର୍ଶନ ମାମୁଁଙ୍କ ଭୋଗ ଦୋକାନ ହେଉ କି ଆନନ୍ଦ ବଜାର ଅନ୍ନପୂର୍ଣ୍ଣା ଠାକୁରାଣୀଙ୍କ ପଡିଶାରେ ଥିବା କୋଠଭୋଗ ନିଯୋଗରେ ଶିବ ମାମୁଁଙ୍କ ମନଲୋଭା ପ୍ରସାଦ ପସରା ମନେପଡେ।
ଆନନ୍ଦ ବଜାରରେ ରହିଅଛନ୍ତି ସ୍ନାନ/ସ୍ନାହାନ ମଣ୍ଡପ , ଯୋଉଠି ଜ୍ୟୋଷ୍ଠ ଶୁକ୍ଳ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହଙ୍କ ଅଶେଆଠ ଗରା ଜଳରେ ସ୍ନାନ ବିଧି ବଢେ। ତା ପର ଦିନ ଠାରୁ ମହାପ୍ରଭୁ ଜ୍ବରରେ ପଡନ୍ତି ପନ୍ଦର ଦିନ ଗଣି ଗଣି। ପଥି ପାଞ୍ଚଣ, ମହୋଷଧି, ପଣା ପାନ୍ତି। ଫୁଲୁରୀ ତେଲ ଘସାହଏ। ଜ୍ବର ଉପଶମ ପରେ ତୁରନ୍ତ ବାହାରନ୍ତି ଦାଣ୍ଡବୁଲାରେ ଠାକୁରେ। ସାଙ୍ଗରେ ଭାଇ ଭଉଣୀଙ୍କୁ ନେଇ ରଥ ଦାଣ୍ଡ ଦୁଲୁକାନ୍ତି ଜଗତପତି। କାଳିଆର ବାର ମାସରେ ଚଉଷଠି ପର୍ବ। ରଥ କାମ ଅକ୍ଷି ତୃତୀୟା ଠୁ ଆରମ୍ଭ ହେଇ ହରିଶୟନ ଏକାଦଶୀ ଯାଏ ଗଡୁଥାନ୍ତି । ପ୍ରତିଟି ନୀତିକୁ ନେଇ ଅନେକ କଥା ,ଅନେକ ପ୍ରସଙ୍ଗ। ତେବେ ଆଜିର ପ୍ରସଙ୍ଗ " ଆନନ୍ଦ ବଜାର" ଭିତରେ ଶ୍ବେତ ସୁନ୍ଦର,ପଟ୍ଟଚିତ୍ର ପଇଡ଼ ଅଙ୍କା " ସ୍ନାନ ମଣ୍ଡପର ସ୍ଥାନ ଗୁରୁତ୍ୱପୂର୍ଣ୍ଣ । ସେଇଦିନ ଗହଗହ ନାଦରେ ବଡ ଦାଣ୍ଡରେ ଚହଳ ପଡୁଥାଏ। ଜଗତି ଉପରୁ ଜଗଦୀଶ ସକାଳୁ ସମସ୍ତ ନୀତି କାନ୍ତି ସହ ଗଜ/ ହାତୀ ବେଶରେ କୋଟି ଜନତାଙ୍କୁ କୃପା ପୂର୍ବକ ଦର୍ଶନ ଦେଉଥାନ୍ତି । ଅହୋଭାଗ୍ୟ ସେଇ ଭକ୍ତ ଗଣପତି ଭଟ୍ଟଙ୍କର , ଯାହାଙ୍କ ଭକ୍ତିର ଉତ୍କୃଷ୍ଟ ନିଦର୍ଶନ ସ୍ୱରୂପ ଏହି ବେଶ ।
ଆନନ୍ଦ "ବୋଲି"-------------------
ଭକ୍ତ ବା ଯାତ୍ରୀଗଣଙ୍କୁ ଆକୃଷ୍ଟ କରିବାର ଏହା ଏକ ସ୍ବତନ୍ତ୍ର ପ୍ରକାର ଭାଷାର ପ୍ରୟୋଗ ଯାହା ଅଧିକାଂଶ ଆଞ୍ଚଳିକ ଶୈଳୀରେ ଗଢା।ଲୋକମୁଖରୁ ସୃଷ୍ଟ ତଥା ବର୍ଦ୍ଧିତ ଓ ପ୍ରଚଳିତ। ବର୍ତ୍ତମାନ ସମୟରେ ଭାଷା ତାର ଏହି କୁହାଟ ବା ଡାକ ପରମ୍ପରା ହଜେଇସାରିଛି। ଗୋଟେ ଭାଷା ତାର ବ୍ୟବହାର ବହୁଳତାରୁ ବୃଦ୍ଧି ପାଏ ଓ ଅନାଦରେ ଅନାୟସରେ ଲୁପ୍ତ ପାଏ। ଭାବ ବ୍ୟକ୍ତିର ଏହି ସରସିଆ ରସରସିଆ ବୋଲି ବାଣୀରୁ ଅଳ୍ପ କେତୋଟି ଏଠାରେ ସଂଗୃହିତ ଭାବେ ଉଦ୍ଧୃତ।ଯଥା -୧ : ଆସ ରେ ମାଡି ଆସଅନନ୍ତ ମହକା ଖଟେଇ, କାହାକୁ ଦେବା ଚଟେଇ।। ( ପାଣିକଖାରୁ ଖଟା)୨: ଦେବତା ପ୍ରସନ୍ନ ଡାଲି, କିଏ ନବ ଆଣ ଖଲି ।। ( ମିଠାଡାଲି)୩ : ବଳିବାମନ ମୁଗ, କିଏ ଚାଖିବ ଆସ ଆଗ ( ଗୋଟା ଡାଲି)୪: ପଇସାକୁ ପେଟେ , ଭାତ ନଖାଇବ ମୋଟେ ( ବାସି ତିଅଣ)୫: ଚାରିଜଣିଆ ଗୋଟିକିଆ, ନେଇଯ ନେଇଯ। ଆଉ ପାଇବନି।।( ବଗଡା ଅନ୍ନ)୬: ମଣି! ଆଡିକି....ଆ, ବଜାରେ ନ ଥିବ ଏମନ୍ତ ଡାଲିଥରେ ଖାଇଲେ ପାଟିରେ ଲାଖିଯିବ, ସୁଆଦକୁ ମନ ଡାକୁଥିବ ( କନ୍ଦମୂଳ ମିଶା ଡାଲି)୭: କୋଠ ଓରିଆ, ଆସ ଆସ ,ପାଦ ଚଞ୍ଚଳ କର, ହେଇ ସଇଲା ଜାଣ ( ଗୋଟିକିଆ ଉପରେ ଭଲଘିଅ / ଘୃତ ପ୍ରଲେପ )୮: ଅସଲ ଜିରିଅନ୍ନ କୃଷ୍ଣ ଭୋଗ, କା'କପାଳରେ ଅଛି ଯୋଗ ( ଗୋଟିକିଆ ଭିତରେ ମଠ ବଗଡା)୯: କାନପୁରୀ ହରଡ, ବାଣପୁରୀ ମୁଗ.... ଆଃ ଚାଲିଆ...ଦଉଡି ଲଗା ( ଚଣା ମିଶ୍ରିତ ହରଡ ଓ ଚୋପାଲଗା ଡାଲି)୧୦: ନଡିଆ ମହୁର , ଗୋଟି ବାଇଗଣ ବେସରସର ପଲମ ଘୋରା, ସରିଗଲେ ଆକାଶକୁ ଚାହିଁଥିବୁ ପରା( ମୂଳା ସାରୁ ମଞ୍ଜା ବେସର)୧୧: ନିଦା, ବିଧା, ଖୁନ୍ଦାଟାଏ, କା଼ଆକୁ ବାଉଁଶ ଖିଏଚାରି ଛ ' ଜଣିଆ ମାଲିକେକା' ଭାଗ୍ୟରେ ଲେଖା( ଏକ / ଦୁଇ କିଲୋ ଚାଉଳ ସରୁ ବାସୁମତି ଅବଢା , ଭୁଞ୍ଜା ନୁହେଁ, କୁଡିଆର ମଙ୍ଗଛୁଆଁ, ଛ ଆଠ ଜଣଙ୍କ ପାଇଁ ଯଥେଷ୍ଟ )
ଇତ୍ୟାଦି ଇତ୍ୟାଦି ।
ସୁଆର ସ୍ବଜନ ପିଲା ମାନଙ୍କର ଡାକପାରିବାର ଏହି ଆକର୍ଷକ ଶୈଳୀ ପୁରୀକୁ ତଥା ଓଡିଆ ଭାଷା ସମୃଦ୍ଧିକୁ ଏକ ନିଜସ୍ବ ପରିଚୟ ଦେଉଛି ନିଶ୍ଚିତ।
ମହତ୍ତ୍ଵ--------ଗଜତୁରଗ ସହସ୍ରଂ ଗୋକୋଟି ଭୂମିଦାନଂକନକ ରଜତ ପାତ୍ରଂମେଦିନୀ ମଣ୍ଡଳେଉଭୟକୁଳ ବିଶୁଦ୍ଧଂକୋଟି କନ୍ୟା ପ୍ରଧାନଂକନ ଭବନ୍ତି ସମତୁଲ୍ୟଂଅନ୍ନଦାନ ସମାନମ୍ ।। ( ସଂଗୃହୀତ ଶ୍ଲୋକ )
କୁରୁକ୍ଷେତ୍ରେ ମ଼ହାଦାନଂଚନ୍ଦ୍ର ସୂର୍ଯ୍ୟୋପରାଗୟୋଃବିଷ୍ଣୋର୍ନିବେଦିତଂ ଚାନ୍ନଂତଦ୍ଦୋନେନ ସମଂ ଭବେତ୍ବ୍ରହ୍ମାଦିଭିଶ୍ଚ ଯତ୍ ଦତ୍ତଂ ହରେଃପଦମନାମୟମ୍ ।ନରସ୍ତତ୍ ଫଳମାପୋତିଜଗନ୍ନାଥାନ୍ନଭକ୍ଷଣାତ୍ ।। ( ମୁକ୍ତି ଚିନ୍ତାମଣି )
ଜପି, ତପି, ଗୋପି,କପି, ଶରୀରି, ଅଶରୀରୀ, ଦେବ, ଦାନବ, ନାଗ, ଯକ୍ଷ, କିନ୍ନର, ଇତର, ପତିତ, ପ୍ରେତ, ଯୋଗିନୀ, ରୋଗୀ, ଯୋଗୀ, ଭୋଗୀ, ଇନ୍ଦ୍ର, ଚନ୍ଦ୍ର, ବରୁଣ, ଶିବ, ବ୍ରହ୍ମା, ସ୍ଥାବର, ଦୃଶ୍ୟ, ଅଦୃଶ୍ୟ ଆଦି ଆଦି ଯେତେ ସତ୍ତା ବ୍ରହ୍ମାଣ୍ଡର କୋଣ, ଅନୁକୋଣ, ସଚରାଚର ପ୍ରତିକୋଣର ଜୀବଟିଏ ମହାପ୍ରସାଦ ପାଇ ମୁକ୍ତି ଲଢ଼ିବାକୁ ଆଶାୟୀ । ଜୀବ ପରଲୋକ ଗମନ ବେଳେ ଆମ ଓଡିଆ ଘରେ ଆମେ ନିର୍ମାଲ୍ୟ ଦେଇଥାଏ। ଜୀବାତ୍ମାକୁ ମୁକ୍ତିପଥ ଦିଏ ଅବଢା କଣିକା। ସ୍ବର୍ଗ ବୋଲି କିଛି ଯଦି ଥାଏ କୈବଲ୍ୟ କଣିକା ତହିଁକୁ ନାଆ । ଭକ୍ତି ନିଶୁଣିରେ ବୈକୁଣ୍ଠ ପ୍ରାପ୍ତି।
ସହସ୍ର କୋଟି ଗୋ, ବସ୍ତ୍ର, ସୂବର୍ଣ୍ଣ,ଭୂମି, ଗଜ, ଅଶ୍ଵ, ଦାନ, ଅଜସ୍ର ଅଶ୍ଵମେଧ, ହୋମ, ଯଜ୍ଞର ଫଳ କେବଳ ମାତ୍ର ମହାପ୍ରଭୁଙ୍କର ଶ୍ରୀ ମହାପ୍ରସାଦ ଆନନ୍ଦ ବଜାରରେ ଅନ୍ନ ଅବଢା ନିଜେ ଖାଇଲେ ଖୋଇଲେ, ଦାନ କଲେ ପ୍ରାପ୍ତ ହୁଏ । ପିତୃପୁରୁଷଙ୍କୁ ଅବଢା ପିଣ୍ଡଦାନ, ତର୍ପଣ, ପୂଜା ପ୍ରତିକାର, ଆଦିରେ ମୋକ୍ଷ ମିଳିଥାଏ। କଣିକାଏ ମହାପ୍ରସାଦ ଆତ୍ମାକୁ ନିର୍ବାଣର ବାଟ ଦେଖାଏ। କୋଟିଏ ଜନ୍ମ ପାତକ କ୍ଷୟ ହୁଏ। ବ୍ରହ୍ମମୟ ହୁଏ ଚତୁର୍ପାର୍ଶ୍ଵ। ତପସ୍ୟାର ଫଳ ଅଚିରେ ଆଞ୍ଜୁଳି ଭରେ । ଆନନ୍ଦ ବଜାରରେ ପଶିବା ଓ ବାହାରୁଥିବା ସମାନ ମଣିଷଟିର ଆନ୍ତରିକ ରୂପାନ୍ତରିଣ ଘଟିସାରିଥାଏ ତାର ଅଜାଣତେ।
ଶାସ୍ତ୍ର ବିଦିତ ତଥ୍ୟ ଅନୁଯାୟୀ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗ ସମୟରେ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଯେଉଁ ମହାଦାନ କରିବା କଥା ଉଲ୍ଲେଖ ରହିଛି ତାହା ସହ ସମ ଫଳ ଦାତା ହେଉଛନ୍ତି ଶ୍ରୀ ବିଷ୍ଣୁ ପ୍ରସାଦ ଆନନ୍ଦ ବଜାରର ଅବଢା ।
ବ୍ରହ୍ମାଦି ଦେବଗଣଙ୍କ ଦ୍ୱାରା ଶ୍ରୀ ହରିଙ୍କର ପଦସେବା, ଅର୍ଚ୍ଚନା, ବନ୍ଦନା ପରେ ଯେଉଁ ନୈବେଦ୍ୟ ଅର୍ପଣ କରାଯାଏ, ସେଥିରେ ଯେଉଁ ଫଳ ଆନନ୍ଦ ବଜାରରେ କଦଳୀ ପତ୍ରଟେ ପାରିକି ଲଙ୍କା, ଲେମ୍ବୁ, ଲୁଣ ପାଇଁ କରି ଉଦରଶାନ୍ତି କରିବାରେ ସମାନ ପୂଣ୍ୟ। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଭୋଗ ବଢା ପରେ ମାଆ ବିମଳାଙ୍କୁ ଲାଗି ହୋଇ ମହାପ୍ରସାଦ ଆନନ୍ଦ ବଜାରକୁ ଆସେ।
ମୁଁ ଲୋପାମୁଦ୍ରା ଏହି ଅତିବ ସୁନ୍ଦର ତଥ୍ୟ ଉପଲବ୍ଧି ନିମନ୍ତେ ଲେଖକ, ଶ୍ରୀ ଜଗନ୍ନାଥ ସଂସ୍କୃତିର ଗବେଷକ, ଓଏସ୍ ଡି, ତଥା ପୂର୍ବତନ ବିଧିବିଭାଗ ଉପପ୍ରଶାସକ ବରେଣ୍ୟ ଶ୍ରୀଯୁକ୍ତ ଭାସ୍କର ମିଶ୍ର ମହାଶୟ , ଅନେକ ସହଯୋଗ ପାଇଁ ପୁରୀର ପୂର୍ବତନ ନଗରପାଳ ତଥା ମହାବାହୁଙ୍କର ଘଣ୍ଟ ସେବାୟତ ଓ ମୋର ପୂଜ୍ୟ ମାମୁଁ ଶ୍ରୀଯୁକ୍ତ ଗୈାରହରି ପ୍ରଧାନ ଏବଂ ମହାପ୍ରଭୁଙ୍କର ଚରଣାରବିନ୍ଦରେ କଲମ ଦ୍ବାରା ସେବା ପ୍ରଦାନ କରିବାର ସୁଯୋଗ ଦେଇଥିବା ସମ୍ମାନୀୟ ପ୍ରକାଶକ , କବି, ସାହିତ୍ୟିକ ଶ୍ରୀଯୁକ୍ତ କୃଷ୍ଣ କୁମାର ମହାନ୍ତି ସାରଙ୍କୁ ମୋର ଅଜସ୍ର କୃତଜ୍ଞତା ଜ୍ଞାପନ କରୁଛି ।
ଜୟ ଜଗନ୍ନାଥହରି ହରି ବୋଲ