ତୋ ପାଇଁ
ତୋ ପାଇଁ
ଝୋ ଝୋ ବର୍ଷା
ରଥ ଉପରେ ତୁ
ରାତି ପାଖାପାଖି ଦଶ
କେହି ନାହାଁନ୍ତି ତୋ ଚାରିପଟେ
ତୋ ଚାରିପଟେ ଭିଡ଼ ନ ଥିବା କଥାଟା କେମିତି ପାଣିଚିଆ ଶୁଭେ, ନୁହେଁ କିରେ !
କିନ୍ତୁ ସତ ।
ଏ କଥା ହୋ' ପୁରୁଣା
ମୁଁ ସାନ ଥିଲି
ଏତେ ବି ସାନ ନଥିଲି
ତତେ ପ୍ରେମ କରିବା ମୋ ମନ ଶିଖିସାରିଥିଲା ।
ତତେ କିଏ ପ୍ରେମ ନ କରେ କିରେ ଏ ସଂସାରେ!
ଏମିତି ଜଣଟେ ନ ଥିବ
ଡିବିରି ଧରି ଖୋଜି ଆସିଲେ ବି ନ ମିଳିବ।
ମନେ ପଡ଼େ ସେଇଦିନ ସବୁ ।
ଧନରେ ! ତୋ ପାଖରେ କେଡେ ସହଜରେ ପହଞ୍ଚି ହେଉଥିଲା। ସବୁ ବାଣ୍ଟିହେଉଥିଲା। କହିହେଉଥିଲା ତୋ ପାଖରେ ସକଳ ଲୁହହସ ।ତୁ ବି ତ ଶୁଣୁଥିଲୁ। ହାତ ଧରି ଚାଲୁଥିଲୁ ।ତୋ ପେଟରେ ମୁଁ ବିଲେଇ ପରି ନେସି ହେଉଥିଲି। ତୋ କାନ୍ଧରେ ମୁଣ୍ଡ ରଖି ଗେଲେଇ ହେଉଥିଲି। ଦିନ ହଉ କି ରାତି । ମୁଁ ଭେଟିବାକୁ ଆତୁର ହେଲେ ତୁ ଆଗଭର ହେଉଥିଲୁ। ଏବେ କାହିଁ ଗଲା ସେ ଦିନ । ମୁଁ ଯେବେ ଗାଉଥିଲି," ମୋ ଦେହେ ବୋଳିଦେ ତୋ ଦେହ କଳା" ତୁ ଲାଲି ହସ ହସିଦେଉଥିଲୁ । ଦେଖେ ଏଇଲେ ତୁ କାହିଁ କେତେ ଦୂରରେ ବସିଲା ପରି ପ୍ରତେ ହେଉଛି। " ତୁ କହୁଥିବୁ ମୁଁ ଶୁଣୁଥିବି " ସେଇ ଆମ ପ୍ରିୟ ସ୍ବପ୍ନ କଣ ଆଉ କେବେ ସତ ହବନି? ମୁଁ ରୁଷିଲେ, ମୁହଁ ଫୁଲେଇଲେ ତୁ ପ୍ରଥମେ ହିଁ ଆସି ମୋ ମନ ଚହଲାଉ। ତତେ ମୁଁ ସହସ୍ର ଚିଠିରେ ଦଶ ସହସ୍ର କଥା ଲେଖୁଥାଏ। ହେଲେ ତୁ କଣ ଏବେ ଏମିତି ଏତେ ବଦଳି ଗଲୁ?
ଲୁହ ଲୁହ ଆଖିରେ ଆଉ ପାରୁନି ଲେଖି
କୋହ ରୁନ୍ଧି ଦେଉଛିରେ ନୀଳମଣି
ତତେ କଣ ସବୁ କହିବାକୁ ହୁଏ! ତୁ ପରା ଚିନ୍ତାମଣି।
ଯା..... ଯାହା ନ କହିଲି ତାହା ବୁଝେ
ଅପେକ୍ଷାରେ ସଦା କାଳେ
ତୋର ମୁଁ ।