ଦିନଟି ସଜ ଗପ
ଦିନଟି ସଜ ଗପ
ଆଜି
ଚାଲୁ ଚାଲୁ ଗୁଡେ ଦିନ ପରେ ଲୁଚିଥିବା ଗପ ମାନେ ବି ଧରା ଦେଲେ ହାତ ଛନ୍ଦା ଛନ୍ଦି ହେଇ ।କାହାକୁ ଆଗେ ଟିପିବି,କିଏ ଆସିବ ପଛେ ! ସମସ୍ତେ ତ ମୋର ପ୍ରିୟ,ଏକ ସମାନ। ହା ହା ।
ହଉ
କୁନି ଦି ଟା ଆଗେ ଏଇଠି ଟିପି ଦିଏ ବାକି ଲମ୍ବା ଦିଟାର ଡୋରି ପରେ ଧରିବା,ସିଏ ବି ମନେ ଯଦି ଥିବ ସେତେବେଳକୁ ତେବେ ଯାଇ। ହା ହା।
ଗପ ଏକତା
--------
ସକାଳ ପାଞ୍ଚଟା।।
ଦେଶୀ କୁକୁର ମାନେ ଠା କୁ ଠା ଟୋଲ ଗେଟ୍ ପରି ଛତା ପକେଇ ବସିଛନ୍ତି ଆପାର୍ଟମେଣ୍ଟର ଗେଟ୍ ପାଖରୁ ଯେ ଛକ ମୋଡାଣି ଯାଏ ।ବିଲାତି ତକ ମାଲିକ ମାନଙ୍କ ସହ ଠାଣିରେ ପାଦ ପକେଇ ଚାଲୁଅଛି ରାମ୍ପ ଓ୍ବାକ୍ ପରି ।
ଚାରି ଦିନିଆ ଲାଗିଲାଗିକା ଛୁଟି ଗୋଟେ ମିଳିଲାନି ତ ମିଳିଲା ନିଃଶ୍ବାସ ନବାକୁ ଘଡିଦିଘଡି ଜାଣ। ସକାଳର ସୌନ୍ଦର୍ଯ୍ୟ କଣ ଅଲମୋଷ୍ଟ ଭୁଲି ସାରିଥିବା ମଣିଷ ଆଜି ପ୍ରାତଃ ଭ୍ରମଣରେ ଦି ପାଦ ଆଗେଇ ଗଲି। ବାଟରେ ଭେଟିଲି ହଜାର ରଙ୍ଗର ଫୁଲ, ଗଛ ଲଦା ଫଳ ସବୁ ଆଉ ଯେହେତୁ ସହର ତେଣୁ ଚାରୋଟି କାଉ,ଆଠଶ ପାରା ଆଉ ଆଠୋଟି କପୋତ ଦିଶିଲେ ତିନୋଟି ଗୁଣ୍ଡୁଚି, ନଅ ପ୍ରଜାପତି, ଗୋଟିଏ ଧଳା ମୂଷା ସହ । ମନେ ପଡିଲା ଏଇ ତ ମେଦୁରକାଳ। ଶ୍ରୀରାମାୟଣରେ " ବର୍ଷାକାଳ" ର ବର୍ଣ୍ଣନା ଆହା। ଅପୂର୍ବ। ଫୁଲ ଫଳ ତକର ନାମ ତାଲିକା ଆଉ ଦିନେ।
ଚାଲୁ ଚାଲୁ ଝୁଣ୍ଟିଗଲି। କୋୖଣସି ଜିନିଷରେ ନୁହେଁ, କିଛି ଗୋଟିଏର କୁନି ପାହାଡଟେ ଚଲାପଥରେ ଅଟକେଇଲେ। ଚଷମା ନେଇ ନଥିବାରୁ ଆଗେ ଭାବିଲି , ନୂଆ ତମ୍ବାର ତାର ଜଞ୍ଜିରରୁ ଦି ମୁଠା। ବୋଧେ କିଛି ଅଳଙ୍କାର କାହାର ଖସି ପଡିଛି। କଳା କଳା ମାଳି ଦେଇ ଗୁନ୍ଥା ହେଇଛି। ହାଲୁକା ନଇଁପଡି ଦେଖେ......
ହଜାରଟି ଉପରେ ସଦ୍ୟଜାତ ବିଛାଜାତିୟ କୈାଣସି କିଟର ସନ୍ତାନ। ତେଲୁଣି ପରି ଚଢି ଶୃଂଖଳା ପର୍ବତ ତିଆରିଚାଲିଥାନ୍ତି। ମଝି ରାସ୍ତାରେ ବୋକି କିଟମାଆ ଅଣ୍ଡା ଦେଇଛି। ଖରା,ପାଣି,ପବନ ତାକୁ ଉଷୁମେଇ ଜୀବନ ଫୁଟେଇସାରିଛନ୍ତି । ଜୀବନ ପୁଞ୍ଜ ସଦା ସୁନ୍ଦର । ଏଇ ଏଇ ବାହାରି ଥିବାରୁ ଚିକ୍ ଚିକ୍ ଦିଶୁଥାନ୍ତି ସମସ୍ତେ ସୁନାଖରା ପଡ଼ି । କେଡେ କୁନି କୁନି ନ ହେଇଛନ୍ତି ସତେ। ମନ ଲାଖିଗଲା। ଭାବିଲି," ପତ୍ର ସାହାଯ୍ୟରେ ମଝି ରାସ୍ତାରୁ ନେଇ ମାଟି କଡ଼ରେ ଓଲ୍ହାଇ ଦେବି। ନହେଲେ କାର୍, ବାଇକ୍ ବାଲାଙ୍କୁ ତ ମଣିଷ ଦିଶନ୍ତିନି । ପୋକ କଥା କିଏ ଭାବୁଛି । " କେବଳ ଭାବିଲି ଆଣ୍ଠୁରେ ଭରା ଦେଇ।
ଇଏ ଥାନ୍ତି ମୋ ସହ
ଆଉ ୟାଙ୍କୁ ପୋକ ମାନଙ୍କୁ ନେଇ ମନ ତଳେ ପାଳିତ ଏକ ଅସୁକିଆ ଡର।
ତଥାପି କହିଲେ," ହାତ ମାରନି। ଡରରେ ଖେଳେଇ ଯିବେ।ଖେଳେଇ ଗଲେ ଚାରିପଟେ ଅନେକ ଆଖି ତାଙ୍କୁ ଉଦରସ୍ତ କରିବା ଅପେକ୍ଷାରେ । ତାଙ୍କ ଏକତା ହି ତାଙ୍କ ବଳ। ଫେରିଆସ । ଈଶ୍ୱର ତାଙ୍କ ଯତ୍ନ ନେବେ । "
ଗପ ଡିଜିଟାଲ
----------
ଚାମୁଣ୍ଡେଶ୍ବରୀ ପାହାଡ ଉପରେ ମହାଦେବୀ ଭଗବତୀଙ୍କୁ ଦର୍ଶନ କରି ଓହ୍ଲାଇଆସୁଛୁ। ଦେବୀଙ୍କୁ ଦର୍ଶନାନ୍ତେ ଅଫୁରନ୍ତ ଦୈବୀ ଆନନ୍ଦ ଆବୋରି ବସିଥାଏ। ନାରୀଟିଏ ଯେ ଶକ୍ତି ଅଂଶ ଏ କଥା ମନକୁ ତେଜୋମୟ କରୁଥାଏ। ମନର ବୀର ରସ ଚେହେରାକୁ ଦୀପ୍ତ କରୁଥାଏ ।ଦେବୀ ଦେବୀ ଲାଗୁଥାଏ ନିଜକୁ।ଲାଗୁଥାଏ ସରଳେଇ ଦେଇ ହେବ ପୃଥିବୀରେ ଯେତେ ସବୁ ସମସ୍ୟା ଏଇ ହାତ ଚୁଟୁକିରେ।
ପାହାଚ ପାହାଚ ହେଇ କୁନି କିନ୍ତୁ ସୁନ୍ଦରିଆ ବଜାରଟିଏ । ପିଲେ ଏଇଟା ସେଇଟା ସବୁଟା କିଣିବାର ଆଗ୍ରହ ଦଉଡିରେ ଝିଙ୍କା ଝିଙ୍କି। ଦେବୀରୁ ମାନବୀ ଦିଗର ଅବରୋହଣ।
ମୁଁ ଦେଖିଲି ଅଗରେ ଧଳା ଗୋଲେଇ ଠିପି ଲଗା ନେଳି ବୋତଲ ସବୁ ଓଲଟହେଇ ଦୋକାନଟିଏ।
ବୁଢୀଟିଏ ବସିଥାଏ।
ମନେ ପଡିଲା ସ୍କୁଲ ଦିନରେ ଏଇ ବୋତଲ ସବୁ ସହ ଅଧା କଲିକତି ରିକ୍ସା ପରି ଠେଲା ଗାଡିଟେ। ସୋଡା ଗାଡି। ଦୂରରୁ ଦେଖେ।ବୋଉ କେବେ ଅନୁମତି ଦିଏନି ।
ଯୋଉ ଜିନିଷ ମନା,ମନ ତାକୁଇ ନେଇ ଝାଙ୍କେ।
ୟାଙ୍କୁ ଚାହିଁଲି। କହିଲେ," ପି'ବ ? "
ଟ୍ରାଏ ମାଡ୍ଡି।
ପ୍ରଥମ ଥର ନେଳି ବୋତଲ ସିଧା ହେଲେ ।କହିରଖେ ଆମ ପୁରୀ ପଟିଆ ନେଳିପାଣି ନୁହେଁ ମ । ତା ' ସୁଆଦ ପୁରା ଅଲଗା ପକାର।
ଦି ବୋତଲ ପରେ ତୃତୀୟ ବୋତଲ ବି ମାଡ କରିଦେବାକୁ ଯାଉଛି କି ଇଏ ହାତ ଧରିପକେଇଲେ ଆଉ ବୁଢୀକୁ ପଚାରିଲେ," କେତେ ହେଲା ମାଆ ? " ବୁଢୀ ଖଣ୍ଡି ମିଶାମିଶି ଭାଷାରେ କହିଲା," ତିରିଶ"
ଇଏ ଫୋନ ଖୋଲିକି ତାର ପେ ଫୋନ ବାର୍ କୋଡ଼ ଥିବା ସନ୍ ବୋର୍ଡ ଖୋଜୁଛନ୍ତି ସିଏ ମତେ କୋଣକୁ ଠାରି ଦେଇ କହିଲା,"ଆମ୍ମା ପାର୍ବତୀ, ରେଜା ଖୋଲା ପଇସା ଦେ ମାଆ। ଏ ଫୁନୁଡବାର ପଇସା ତ ପୁଅବୋହୁ ଖାତାକୁ ସିଧା ଯାଏ।ଖଣ୍ଡେ ପାନ ପାଇଁ ବି ହାତ ପାତିବାକୁ ହୁଏ। "
ମୋ ମୁଣ୍ଡରୁ ଓଲ୍ହେଇ ଆସୁଥିଲା ଧିର ପଦପାତରେ ଦେବୀ ହେବାର ନିଶା।
ଦେବୀ ହବା କଣ ଏଡେ ସରଳ !