ଧୂଳି ଖେଳ
ଧୂଳି ଖେଳ
ସମୁଦ୍ର ଢେଉ ପିଟୁଥିଲା । ମୁଁ ବହୁତ ଦିନ ପରେ ତାକୁ ଭେଟିବାକୁ ଆସିଥିଲି । ସମୟ କାଢି ହେଉନଥିଲା ନିଜ ପାଇଁ । ବାହାନା ବାଢିବା ପାଇଁ ବେଶୀ ଭାବିବାକୁ ହୁଏନି।
ମୋ ଆଗରେ ଦର୍ପଣ ପରି ମୋ ପିଲାଦିନ ଝଲସି ଗଲା ଟିକେ ଦୂରରେ ବସିଥିବା ତିନୋଟି ବାଳୁତ ପିଲାଙ୍କୁ ଦେଖି । ଏମିତି ଠିକ୍ ମୁଁ ଆଉ ମୋ ସୀମି ଗୋଟେଇ ଆଣୁଥିଲୁ କେତେ କେତେ ସିପ ସାମୁକା ଲହରୀର ଫେରା ଅଫେରା ପଥରୁ । ବାଲି ଗରଡା ଦେଇ ପାଚେରୀ ତିଆରି ହଉଥିଲା। ମୁଠା ମୁଠା ଓଦା ବାଲି ସାଉଁଟି ତୋଳା ହେଉଥିଲା ଦେଉଳଟିଏ । ଦିଅଁ ବିହିନ ଶରୀର ସିନା ଆମ ଶିଶୁ ମନରେ ର଼ହୁଥିଲା କାଳିଆ । ମୁଣ୍ଡି ମାରିବାକୁ ଖୋଜା ପଡେ ପ୍ରତିଥର କାଠିଟିଏ ଆଉ ବାନା ପାଇଁ ସୂତା ଟିଏ । ସେଇଠି ଥାଏ ପ୍ରକୃତ ଜିତାପଟ। ଯିଏ ପାଇପାରେ କାଠିଟିକୁ ଆଗେ ସିଏ ଇନ୍ଦ୍ରଦ୍ୟୁମ୍ନ ।କଥା ଥିଲା ଯିଏ ଜିତିବ ସିଏ ଯାହା କହିବ ତାହା।
ଆଉ ସାଗର କୂଳେ ସହଜରେ ମିଳିପାରେ ଅସରନ୍ତି ବାଲି ସିନା ହେଲେ ଚଢେଇ ଥଣ୍ଟ କାହୁଁ ପାଏ ଶୁଖିଲା କାଠିଟିଏ ବୁଣିବାକୁ ବସା ! ଆଉ ପ୍ରତିଥର ସିମୀ ହିଁ ଜିତୁଥିଲା କିନ୍ତୁ ପୁରସ୍କାର ଭାବେ ବାପାଙ୍କଠୁ ମିଗୁଥିଲା ମୋ ପସନ୍ଦର କୁଲଫି । ତାକୁ ତ କୁଲଫି ଖାଇବା ମନା ଥିଲା କଫ ଭର୍ତ୍ତି କଲିଜା ଯୋଗୁଁ ।ପରେ ଯାଣିଲି ତା'ର ଫ୍ରକରେ ସିଏ ଲୁଚେଇ ଆଣୁଥିଲା କାଠିଟିଏ ସବୁଥର। ମୁଁ ସୋର କାଟୁଥିଲି ସାମୁକା ଧାରରେ ଯାହା।
ଦଲକାଏ ପବନ ଫେରେଇ ଆଣି କଚାଡି ଦେଲା ସେ ପିଲାଦିନ ଧୂଳିଖେଳକୁ ଆଜିର ପଠାରେ । ସେଇ ସମୁଦ୍ର। ସେଇ ମୁଁ। ହେଲେ ସମୟ ଆଉ କାହାର । ସିମୀ ବାହା ହେଇ ଚାଲିଯାଇଥାଏ କେବେଠୁ । ମୁଁ ଏ ସହର ଛାଡିବା ପରେ ପରେ ବୋଧେ ।
କିଏ ଏଠି ମନେ ରଖେ କାହାକୁ ଯେ ସିଏ ମତେ ମନେ ରଖନ୍ତା !
ଆଜି ପୁଣି ଖେଳୁଛନ୍ତି କିଛି ପିଲା ଏଇ ଅନତି ଦୂରରେ। ବାଲି ଆଜି ବି ଓଦା ଅଛି। ହେଲେ ସେ ବାଲି ଏ ବାଲି ନୁହେଁ।ଏହାର ରଙ୍ଗ କଳା ପଡିଛି। ୟା ଦେହ ସାରା ସହର ଯାକର ଆବର୍ଜନା ସୋର କାଟୁଛି ।ପୋକ ଅସନା ଗଦା। ସମୁଦ୍ର ସାରା କାଠି,କୁଟା,କାଚ,ବୋତଲ । ଅଭାବ ନାହିଁ ଗୋଟେଇ ଆଣି ଗଢିବାକୁ ମହଲ । ତଥାପି ପିଲାମନ ସେ ସବୁ କଂକାଳ ଛବିକୁ ନେଇ ଖାତିରି କରେନି। ଗଢା ଚାଲିଛି କିଛି ଗୋଟେ।
ମୁଁ ପାଖେଇଲି । କୁନି ଝିଅଟିଏ ।ବାଲି ଏକାଠି କରୁଛି।ଥାପି ଦଉଛି ତା କୁନି ପାପୁଲିରେ ଥରକୁ ଥର ।ସ୍ବର ବଡ ବ୍ୟସ୍ତ ବ୍ୟସ୍ତ ଶୁଭୁଛି ତାର। ମୁଁ ଭାବୁଛି," ମନ୍ଦିର " ତୋଳା ହବ। ଖୋଜାହବ କାଠି।ଖିଆହେବ କୁଲଫି। ପୁରେଇ ଆଣିଥିବ ଇଏ କାଠି ଟିଏ ସେଇ ଦୂରରେ ବାଲି ଗୋଟେଇବାର ଚେଷ୍ଟାରେ ଥିବା ପୁଅଟି ପାଇଁ। ହେଲେ ଏ କଣ .... ଝିଅଟି ଯେ କହୁଛି," ହେଃ ତମେ କୋଉ କାମକୁ ନୁହେଁ। କେକ୍ ତିଆରି ସରିଛି। ସଜେଇବା ପାଇଁ କ୍ରିମ ଲୋଡା। ........ ଆହୁରି ଆହୁରି ର ଲମ୍ବା ତାଲିକା...... ଶେଷକୁ ପୁଅଟିର ମୁହଁ ଶୁଖିଯାଉଛି।ସିଏ ଦଉଡି ଦଉଡି ଫେରି ଯାଉ ଯାଉ ବଡ ପାଟିରେ କହୁଛି," ମୁଁ ଖେଳିବିନି ତୋ ସାଙ୍ଗରେ।କେବେ ନୁହେଁ ।"
ମଣିଷ ମନ ମିଛ ଗଢିବାରେ ଦକ୍ଷ,ଆଉ ନିଜକୁ ନିଜ ଦର୍ପଣରେ ସତଟେ କହିବାକୁ କଲିଜାଟେ ତ ଦରକାର ହୁଏ ।
