Lopamudra Parida

Inspirational

4  

Lopamudra Parida

Inspirational

ମହାବାହୁଙ୍କ ନୀତି କାନ୍ତି

ମହାବାହୁଙ୍କ ନୀତି କାନ୍ତି

10 mins
30


ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁରେ .....

ଜଗବନ୍ଧୁ ଆମ ଜୀବନ ବନ୍ଧୁ । ଆମ ଠାକୁର ଆମ ସଂସ୍କୃତି,ଆମ ପରମ୍ପରା,ଆମ ଚଳଣି , ଆମ ସଂସ୍କାର । ଆମ ଠାକୁରକୁ ଦେଖି,ଶୁଣି,ବୁଝି,ଭଲପାଇ ଆମେ ଚାଲୁଥାଏ , ଚଳୁଥାଏ। ତାଙ୍କରି ସାଙ୍ଗରେ ଆମ ଶୈଳୀ ,କଳା,କଥା, କାରୁକାର୍ଯ୍ୟ,ପର୍ବ ପର୍ବାଣୀ,ରିତିନୀତି,ଓଷାବାର, ବିଧି ଲଗ୍ନ ଉତ୍କର୍ଷତାକୁ ଛୁଏଁ। ଆମ ଠାକୁର ଆମ ଅତି ଆପଣାର । ଆମ ଘର ମଣିଷ।ଆମେ ତାର ଆଉ ସିଏ ଗୋଟାପଣେ ଆମର । ଶ୍ରୀ ମନ୍ଦିରରେ କଳା ସାଆନ୍ତେ ନିଜର ଜ୍ୟେଷ୍ଠ ବଡଠାକୁରେ ଆଉ ସୁନାନାକି ଭଉଣୀ ସୁଭଦ୍ରାଙ୍କ ସହ ତେତିଶ କୋଟି ଦେବତାଙ୍କୁ ନେଇ ଅବସ୍ଥାନ କରିଅଛନ୍ତି । ସେଥିଲାଗି ପରା ଶ୍ରୀ କ୍ଷେତ୍ରର ଅନ୍ୟ ନାମ ମର୍ତ୍ତ୍ୟ ବୈକୁଣ୍ଠ । କୋଟିଏ ଭକ୍ତ, ଦାସ,ଦାସାନୁଦାସ,ସେବାୟତ,ପରିଚାରକ, ମହନ୍ତ, ସ଼ହର୍ଷେ ନବଧା ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି । ନିତିପ୍ରତି ନିଜେ ମହାବିଷ୍ଣୁଙ୍କର ଚଳନ୍ତି ପ୍ରତିମା ଶ୍ରୀ ଶ୍ରୀ ଶ୍ରୀ ଶହେ ଆଠ ଶ୍ରୀ ଐର ଖାରବେଳ‌ ନବକୋଟି କର୍ଣ୍ଣାଟ କଳବର୍ଗେଶ୍ବର ରାଜାଧିରାଜ ଗଜପତି ମହାରାଜ ଯେଉଁ ଛାମୁ ଙ୍କ ଶ୍ରୀ ଚରଣାରବିନ୍ଦରେ ନିଉଛାଳି ହେଉଛନ୍ତି କରପତ୍ର ଯୋଡି ସେହି କରୁଣା ବାରିଧି ଜଗଦିଶ୍ବରଙ୍କର ଶ୍ରୀ ଅରବିନ୍ଦ ପଦ ବନ୍ଦନା କରି ଆଗକୁ ବଢିବା ।

ମହାପ୍ରଭୁଙ୍କ ଦୈନିକ ନିତି କାନ୍ତି

________________________

ପ୍ରଥମେ ଦ୍ବାର ଫିଟା ନିତି ତଥା ମଙ୍ଗଳ ଆଳତି:

ସୂର୍ଯ୍ୟଙ୍କର ପ୍ରଥମ କିରଣ ନୀଳନେତକୁ ଛୁଇଁ ନଥିବ। ସିନ୍ଦୂରା ଫିଟି ଫିଟି ଆସୁଥିବ। ଭୋର ମଙ୍ଗଳ ବେଳାରେ ଭକ୍ତ ସମାଗମ ଘଟୁଥିବ ବିଶାଳ ସିଂହଦରଜା ବହିର୍ଭାଗରେ। ଇନ୍ଦ୍ର ଡାକୁଥିବେ ଦେବ ମଣିମା ମଣିମା, ବ୍ରହ୍ମା ଡାକୁଥିବେ ଦେବ ଗୁହାରି ଶୁଣିମା। ହରିବୋଲ ହୁଳହୁଳି ସହ ଫିଟିବେ ସିଂହ ଦ୍ବାର। ପ୍ରାତଃ ସମୟ । ପାଞ୍ଚଟା କି ତହିଁ ଆଗରୁ ସଭିଏଁ ବିଭୁ ଦରଶନ ଆଶାୟୀ ଚାତକ ସମ ଅପେକ୍ଷାରତ ଥିବେ ନୀଳକାନ୍ତ କୋମଳ ତନୁ କମଳନୟନ କେତେବେଳେ ଦେବେ ଦର୍ଶନ। ଅମୃତ ମୂହୁର୍ତ୍ତ ଅବତରିତ ହୁଅନ୍ତେ ଅରୁଣ ସ୍ତମ୍ଭ ଏପାଖରୁ ଦିଶିବେ ପତିତପାବନ ମହାପ୍ରଭୁ।

ଅଶ୍ବିନୀ ଏକାଦଶୀ ( ଦଶହରାର ପର ଦିନ) ଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏ ଏବଂ ଧନୁ ସଂକ୍ରାନ୍ତି ଠୁ ମକର ସଂକ୍ରାନ୍ତି ଯାଏ ଦ୍ବାରଫିଟା ନିତି ସମୟ ମଧ୍ୟ ରାତ୍ର ଦୁଇରୁ ତିନିଟା ମଧ୍ୟରେ ହୋଇଥାଏ । ଏହି ସମୟରେ ପାଞ୍ଚଜଣ ସେବାୟତ ଉପସ୍ଥିତ ରହିଥାନ୍ତି ଯଥା ଭିତରଛ୍ଛୁ ମହାପାତ୍ର, ପ୍ରତିହାରୀ ବା ପଢିହାରୀ ସେବକ,ମୁଦୁଲି ସେବକ, ଅଖଣ୍ଡ ମେକାପ, ,ପାଳିଆ ମେକାପ, ।ରାତିର ମୁଦ ଫିଟିଲା ପରେ ମୁଦୁଲି ସେବକ ଜୟ ବିଜୟ ଦ୍ବାର ଖୋଲନ୍ତି ।ତାର ପରେ କଳାହାଟ ଦ୍ବାର ବା ଛାମୁ ଦ୍ବାର ଖୋଲିଥାଏ। ପ୍ରତିହାରୀ ସେବକ "ମଣିମା ମଣିମା" ଡାକ ଦେଉଥାନ୍ତି। ଭକ୍ତିରେ ଝଙ୍କୃତ ହେଉଥାଏ ଗଗନ ପବନ । ସମସ୍ତ ଦରଜା ଫିଟା ନୀତି ସମ୍ପନ୍ନ ଉପରାନ୍ତେ ଶ୍ରୀ ମନ୍ଦିର ଧୋପଖାଳ ନୀତି ପ୍ରାରମ୍ଭ ହୋଇଥାନ୍ତି ଯେଉଁଥିରେ ଦେବକାର୍ଯ୍ୟ ନିମନ୍ତେ ଉପଯୋଗୀ ପବିତ୍ର ଜଳ ବ୍ୟବହାର ହୋଇଥାଏ।

ମଙ୍ଗଳ ଆଳତି

____________

ରାଧେ କୃଷ୍ଣ

ହରି ଗୋବିନ୍ଦ ଗୋପାଳ

ହରି ବସୁଦେବବାଳ

ଭଜ ନନ୍ଦଦୁଲାର

ଜୟ ଜୟ ଦେବ ହରେ.......

ଶ୍ରୀ ଜୟଦେବ ରଚିତ ଗୀତ ଗୋବିନ୍ଦର ତାଳେ ତାଳେ ପ୍ରକମ୍ପିତ ହୁଏ ପ୍ରତିଟି ହୃଦୟର ତନ୍ତ୍ରୀ । ଆହାଃ। ସେ ସ୍ବରର ମଧୁରତା ଏମିତି ମଗ୍ନ କରାଏ ଯେ ସେଥିରୁ ମୁକୁଳି ସଂସାର ମୁହାଁ ହେବାକୁ ଆଉ କି ପରାଣ ଡାକେ। ଭିତରଛ୍ଛୁ ମହାପାତ୍ର ଜଗଦିଶ ଶ୍ରୀ ଜଗନ୍ନାଥଙ୍କର, ଦୁଇଜଣ ପୁଷ୍ପାଳକ ନିଯୋଗ ସେବାୟତ ଯଥାକ୍ରମେ କାମପାଳ ବଳଦେବ ପ୍ରଭୁ ଓ କାମ୍ପିଲ୍ୟ ବାସିନୀ ମାଆ ଯୋଗମାୟା ସୁଭଦ୍ରାଙ୍କର ଆଳତୀ କାର୍ଯ୍ୟ ସମାପନ କରି ଥାନ୍ତି। କଂସା ତଥା ପିତଳର ସ୍ବତନ୍ତ୍ର ପାତ୍ରରେ‌ କର୍ପୁର ଆଳତୀ ବଢନ୍ତି।ତାର ପରେ ପିଷ୍ଟକ ଆଳତି ହୁଅନ୍ତି। କର୍ପୂର, ବାସ ଦ୍ରବ୍ୟ , ପିଠଉ ମିଶ୍ରିତ ହୋଇ ଆଳତୀର ଅବଶିଷ୍ଟ ଭାବେ ଭାବେ ଭକ୍ତ ମାନଙ୍କୁ ପ୍ରସାଦ ରୂପରେ ବାଣ୍ଟିଦିଆଯାଏ। ତାର ମହକ ଯିଏ ପାଇଛି ସିଏ ଜାଣିଛି ଯେ ସହସ୍ର ଅମୃତ ଏହା ସରି ନୁହେଁ।

ବାରଜଣ ସେବାୟତ ଆଳତୀ ସେବା ପାଇଁ ନିୟୋଜିତ ହୋଇଥାନ୍ତି। ସେମାନେ ହେଲେ ଭିତରଛ୍ଛୁ ମହାପାତ୍ରେ, ପ୍ରତିହାରୀ, ମୁଦୁଲି, ଅଖଣ୍ଡ ମେକାପ, ଖୁଣ୍ଟିଆ,ପାଳିଆ ମେକାପ,ସୁଆରବଡୁ,ଗରାବଡୁ,ବଳିତାବଳା ସେବାୟତ, ପୁଷ୍ପାଳକ, ମନ୍ଦିର ଗାରଦରୁ ଜଣେ।

ମଇଲମ

___________

ପୁରୀ, ପୁରୁଷୋତ୍ତମ ବା ଲୋକମୁଖରେ ପୁରସ୍ତମର ଭାଷା ଭାରି ନିଆରା ।ଭାରି ମଧୁର। ଏଠାରେ ବ୍ୟବହୃତ ମଇଲମ ଶବ୍ଦର ଅର୍ଥ ବଦଳେଇବା ବା ପାଲଟିବା । ବାସି ଲୁଗାପଟା ବାସି ଫୁଲ ସଜ ଓଲାଗି ହେବାର ସେବା । ଆମେ ମଣିଷ ଯେମିତି ସକାଳୁ ଉଠି ବାସିପାଇଟି ସାରୁ ଆମ ଠାକୁରେ ସେମିତି ନିଜର ନିତ୍ୟକର୍ମ ସାରିଥାନ୍ତି । ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ତାଲିକା ମଧ୍ୟ ଠିକ୍ ଆମରି ପରି। ସାଧାରଣ ଜୀବନକୁ ନିଜ ସାନିଧ୍ୟ ଆଶିଷ ପ୍ରଦାନ ସ୍ବରୂପ ଅସାଧାରଣ ଦିବ୍ୟତା ପ୍ରଦାନ କରିବା ଠାକୁର ଇଏ । ସକାଳ ଛଟାରେ ମଇଲମ ବଢେ। ମଙ୍ଗଳ ଆଳତି ପରେ ପରେ ହେଉଥିବା ଏହି ନୀତିରେ ତିନିଜଣ ପୁଷ୍ପାଳକ, ଖୁଣ୍ଟିଆ ସେବକ, ଚାଙ୍ଗଡ଼ା ମେକାପ,ଓ ଧୋବା ସେବା ( ଯିଏ ଜାତିରେ ବ୍ରାହ୍ମଣ ଏବଂ ଦାରୁବ୍ରହ୍ମଙ୍କର ପାଲଟା ଲୁଗା ଧୁଆସଫା କରି ଥାନ୍ତି ) ଉପସ୍ଥିତ ରୁହନ୍ତି। ରତ୍ନ ବେଦୀ ଉପରେ ପୁଷ୍ପାଳକ ସେବାୟତ ତିନିହେଁ ମହାପ୍ରଭୁ ମାନଙ୍କର ବେଶ,ଲୁଗା ଶାଢୀ ଓଲାଗି କରି ତଡପ,ଉତ୍ତରୀ ଲାଗି କରେଇ ଥାନ୍ତି। ତଡପ ଏଠାରେ ଗାଧୁଆ ଗାମୁଛା ଅଟନ୍ତି। ଚତୁର୍ଦ୍ଧା ବିଗ୍ରହଙ୍କର ଚାରୋଟି ତଡପ,ଦୁଇ ବଳିୟାର ସିଂହ ଭାଇଙ୍କର ଦୋଟି ଉତ୍ତରିୟ ଲାଗି କରାଯାଏ। ମଇଲମ ଫୁଲ ତୁଳସୀକୁ ଖୁଣ୍ଟିଆ ଓ ପୁଷ୍ପାଳକ ସେବକମାନେ ଭକ୍ତ ମାନଙ୍କୁ ପ୍ରସାଦ ରୂପରେ ବାଣ୍ଟି ଦିଅନ୍ତି।

ଅବକାଶ

------------

ଦାନ୍ତଘସା,ଜିଭଛେଲା,ସ୍ନାନ ବିଧି କର୍ମ ସକାଳ ସାଢେ ଛ'ଟା ଭିତରେ ବଢନ୍ତି। ପୁଷ୍ପାଳକ ସେବାୟତ ତ୍ରୟ ରତ୍ନ ସିଂହାସନ ତଳେ ମନ୍ତ୍ର , ମୁଦ୍ରା ଚଳନ ଦ୍ବାରା ଏହି ନିତି ସମ୍ପୂର୍ଣ୍ଣ କରାନ୍ତି। ବୈଦିକ ମନ୍ତ୍ର , ଶ୍ଲୋକ ପାଠ ସହ ଜଳ,ଅଁଳାଫଳ,ବଟାଚନ୍ଦନ,ଦଧି,ଦୁଗ୍ଧ,ଜାଇଫଳ ଘୋରା ଆଦି ମହାର୍ଘ୍ୟ ବସ୍ତୁ ସମୂହରେ ପିତଳ ଦର୍ପଣରେ ପ୍ରତିବିମ୍ବ ସ୍ନାନ କରାଯାଏ। ତିନି ଦିଅଁଙ୍କ ଆଗରେ ତିନୋଟି ଦର୍ପଣ ରଖାଯାଏ। ମନ୍ତ୍ର ସ୍ନାନ ବିଧି ସମ୍ପନ୍ନ ଉପରାନ୍ତେ ଖୁରିନାୟକ ( ଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟୋତିଷ ମହାଶୟ) ସେଇ ଦିନର ପାଞ୍ଜି ପାଠ କରନ୍ତି । ଦିନ,ବାର,ତିଥି,ନିଷେଧ,କରଣିୟ,କର୍ମ, କ୍ରିୟା, ସଂସ୍କାର ଆଦି ପଢାଯାଏ। ଯଦି ସହି ଦିନ କୈାଣସି ଦେବତାଙ୍କର ସ୍ଵନକ୍ଷତ୍ର ଦିବସ ଥାଏ ତେବେ ନକ୍ଷତ୍ର ବନ୍ଦାପନା ନିତି ପାଳନ କରି ଜନ୍ମ ଦିନର ଶୁଭେଚ୍ଛା ବଢାଯାଏ ।

ଏହି ସଂପୂର୍ଣ୍ଣ ନିତି ନିମନ୍ତେ ପୁଷ୍ପାଳକ,ସୁଆର ବଡୁ, ପାଣି ଆପଟ, ଖଟୁଲି ସେବକ, ଦର୍ପଣିଆ,ମୁଖ ପଖାଳ ପଢିଆରୀ,ମୁଖ ପଖାଳ ପୁଷ୍ପାଳକ,ଆଲଣା ଘଟୁଆରୀ,ଭଣ୍ଡାର ମେକାପ,ମହାଭୋଈ,ମନ୍ଦିର ଜ୍ୟୋତିଷ । ବ୍ୟବହାର୍ଯ୍ୟ ସାମଗ୍ରୀ କାଷ୍ଠ ଖଟୁଲି, ଶୁଦ୍ଧ ଜଳ,କୋମଳ ଡାହି,ଜିଭଚିରା କାଠି, ତିନୋଟି ପାତ୍ର,ଫୁଲ ତୁଳସୀ,ଦର୍ପଣି ( ପିତଳ ଦର୍ପଣ) ,ରୂପା ପିଙ୍ଗଳ ତିନୋଟି ।

ଗରୁଡ ଗାଧୁଆ ବା ସ୍ନାନ ମଧ୍ୟ ଏହି ସମୟରେ କରାଯାଏ। ନାଟମଣ୍ଡପରେ ଗଦା ହୋଇଥିବା ଭକ୍ତ ମାନେ ଆଞ୍ଜୁଳି ପାତି ଗରୁଡ ସ୍ନାହାନ ଜଳ ସଂଗ୍ରହ କରିଥାନ୍ତି। ପାଇଥାନ୍ତି। ମୁଣ୍ଡରେ ହାତ ପୋଛନ୍ତି। ଘରୁ ଆଣିଥିବା ପାତ୍ରରେ ଘରମଣିଷଙ୍କ ପାଇଁ ଘେନିଯାନ୍ତି। ପୁରୀ ବାସୀ ଆମେ ବିଶ୍ବାସ କରୁ ଯେ ଏହା ପାଇବା ଦ୍ବାରା ଗରୁଡଙ୍କ ପରି ହରିଭକ୍ତି ସ୍ଥିର ହୁଏ ମନରେ ଓ ଶରୀର ଆରୋଗ୍ୟ ଲଭେ। ଚୁନରା ସେବକ କଂସାପିତଳ ଗରାରେ ଚନ୍ଦନ ମିଶା ବାସଜଳ ଆଣି ଗାଧୋଇଦେଇଥାନ୍ତି ପକ୍ଷୀରାଜଙ୍କୁ। ଭିତର କାଠ ଅର୍ଗଳି ପାଖରୁ ମହାପ୍ରଭୁ ଧିରେ ଧିରେ ହସୁଥାନ୍ତି। ଅବକାଶ ନିତି ପରେ ଖଣ୍ଡୁଆ ପାଟ ପରିହିତ ହୋଇ ମହାପ୍ରଭୁ ଫୁଲ ସଜ ଲାଗି ହୁଅନ୍ତି। ଅଖଣ୍ଡ ମେକାପ ବଇଠାରେ ଅଖଣ୍ଡ ଦୀପ ପ୍ରଜ୍ବଳିତ ବ୍ୟବସ୍ଥା ଦେଖନ୍ତି ଯାହା ସଂସାର ମଙ୍ଗଳ ନିମନ୍ତେ ସଦା କାଳେ ଜଳୁଥାଏ। ଦିଅଁ ମାନେ କରପଲ୍ଲବ,ପଦପଲ୍ଲଭ,ହୃଦପଲ୍ଲବ, ନାକୁଆସୀ, ଅଗଣ୍ଠି ହାର ଇତ୍ୟାଦି ପୁଷ୍ପ ଅଳଙ୍କାରରେ ସଜେଇ ହୁଅନ୍ତି। ବାର ଅନୁସାରେ ବସ୍ତ୍ରର ରଙ୍ଗ ଭିନ୍ନ ରହେ ମଣିମାଙ୍କର।

ସାହାଣ ମେଲା

----------------

ସାହାଣ ମେଲା ଭକ୍ତ ମାନଙ୍କ ପାଇଁ ଏକ ଇପ୍ସିତ ସମୟ। ଆଜିକାଲି ତ ଧାଡି ଦର୍ଶନ ହେଲାଣି। ଆମ ପିଲା ଦିନେ ସାହାଣ ମେଲା ବେଳେ ରତ୍ନ ସିଂହାସନ ଯାଏ ଯାଇ ମହାପ୍ରଭୁଙ୍କୁ ଛୁଇଁବାର ଅନୁମତି ରହୁଥିଲା। ବିଭିନ୍ନ କାରଣ ଯୋଗେ ଧିରେ ଧିରେ ଅନୁମତି ରଦ୍ଧ କରିଦିଆ ଯାଇଛି। ଏବେ କେବଳ ଭିତର କାଠ ପର୍ଯ୍ୟନ୍ତ ଅନୁମତି ରହିଛି । ସମୁଦ୍ର ପରି ଲୋକ ଗହଳି ସତ୍ତ୍ୱେ କାଳିଆର ଅଧା ବଡ ଠାକୁରଙ୍କର ଅଧା ଓ ଦେବୀ ମହାମାୟାଙ୍କର ସଂପୂର୍ଣ୍ଣ ଦର୍ଶନ ହୋଇଥାନ୍ତି ଯଦି ଆପଣ ମଝିରେ ଠିଆ ହେଇ ଦି ହାତ ଟେକି ସମର୍ପଣ ମୁଦ୍ରାରେ ତୋଳି ହୁଅନ୍ତି ମାତ୍ର ବାମକୁ ଗଲେ କାଳିଆ ପୁରା ଦିଶେ।ମନ ଭରି ହସେ। ଚିତ୍ତ ଚୋରାଏ। ଡାହାଣକୁ ଯାଇ ଚାହିଁଲେ ହଳଧର ଠାକୁରେ ଆଶିର୍ବାଦ ମୁଦ୍ରାରେ ଦର୍ଶନ ଦିଅନ୍ତି ।

ସକାଳ ସାତଟା ଆଠଟାରୁ ନ' ଟା ଯାଏ କୈାଣସି ଏକ ସମୟରେ ସାହାଣ ମେଲା ହୁଏ । ସମୟ ନିତି ଉପରେ ନିର୍ଭର କରେ । ଦଶହରା ପରଦିନ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସଂଧ୍ୟା ସମୟରେ ଦିପହର ଧୂପ ବାଦେ ସାସାଣ ମେଲା ହୁଏ । ପର୍ବପର୍ବାଣୀ ଉପରେ ମଧ୍ୟ ସାହାଣମେଲା ସମୟ ନିର୍ଧାରଣ ନିର୍ଭରଶୀଳ ଅଟେ।

ଏହା ପରେ ପୁଷ୍ପାଳକ ଫୁଲସଜ ସେବା ତୁଲାଇ ଥାନ୍ତି। ତିନି ଠାକୁରେ ବେଶ ଲାଗି ହୋଇ ଅଭିନବ ସୁନ୍ଦର ଦିଶନ୍ତି।

ରୋଷ ହୋମ, ସୂର୍ଯ୍ୟ ପୂଜା,ଦ୍ବାରପାଳ ପୂଜା,ଗରୁଡ ପୂଜା

--------------------------------------------------------

କୋଠ ଚୁଲି ପାଖରୁ ଏହି ବିଧିମାନ ଆରମ୍ଭ ହୁଅନ୍ତି । ମନ୍ଦିର ନଥିପତ୍ର ଅନୁସାରେ ଯଦିଓ ଏହି କର୍ମର ପ୍ରାରମ୍ଭିକ ଅଧିକାର ଦେଉଳ ପୁରୋହିତଙ୍କର ଅଟେ, ମାତ୍ର ବର୍ତ୍ତମାନ ସମୟରେ ଏହା ପୁଜା ପଣ୍ଡା ମାନଙ୍କ ଦ୍ବାରା ସମାପନ କରାଯାଉଛି । ରୋଷ ହୋମ ପରେ ପରେ ମୁକ୍ତିମଣ୍ଡପ ପାଖ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ପୂଜା କାମ ବଢିଥାଏ। ଦ୍ବାରପାଳ ପୂଜାରେ ଦୁଆର ଜଗିଥିବା ଦିଅଁଙ୍କୁ ଭୋଗ ବଢାଯାଏ। ଦେଖନ୍ତୁ କେମିତି କୃପାସିନ୍ଧୁ ଠାକୁର ଆମର । ଆଗେ ସମସ୍ତଙ୍କ ଖାଇବା କଥା ବୁଝେ। ଯତ୍ନ ନିଏ ନିଜ ପରିଚାରକ , ଗାଡି ଚାଳକଠୁ ଦ୍ଵାରପାଳ ଯାଏ। ଜୟ ବିଜୟ ଦ୍ବାର ପାଖରେ ପାଳିଆ ପୁଜା ପଣ୍ଡା ଏହି କାର୍ଯ୍ୟ ତୁଲାନ୍ତି। ଓ ପରେ ପରେ ଗରୁଡ ପୂଜା ହୁଏ।

ଗୋପାଳ ବଲ୍ଲବ

-------------------

ଅଣବସର ପିଣ୍ଡି ଉପରେ ସକାଳର ପ୍ରଥମ ଭୋଗ (ସମୟ ନ'ଟା) ବା ଜଳଖିଆକୁ ବଲ୍ଲଭ କୁହାଯାଏ। ପଞ୍ଚ ଉପଚାର ବିଧିରେ ପୁଜା ପଣ୍ଡା ନୈବେଦ୍ୟ ଅର୍ପଣ କରିଥାନ୍ତି। ପାଗଖଈ,ସାକର,ସାନନଡିଆ ,କୋଳି,ମିଠା ଦେଶୀ କଦଳୀ,ଖୁଆମଣ୍ଡା ଦଧି,କୋରା,ଲହୁଣି,ପଈଡ, ଇତ୍ୟାଦି ଇତ୍ୟାଦି ରହେ। ଏଥିନିମନ୍ତେ ଉପସ୍ଥିତ ସେବକ ମାନେ ହେଲେ ତିନି ଜଣ ପୂଜାପଣ୍ଡା, ସୁଦୁସୁଆର,ବଲ୍ଲଭ ଯୋଗାଣିଆ, ଚର୍ଚ୍ଚା ପାଇକ,ସୁଆରବଡୁ, ପତ୍ରି ବଡୁ, ଗରାବଡୁ,ପାଳିଆ ମହାସୁଆର,ପ୍ରଧାନି।

ଧନୁମାସରେ ବଲ୍ଲଭ ଭୋଗ ସହ ପହିଲି ଭୋଗ ଖେଚଡି ( ଅଦା,ହେଙ୍ଗୁ ଦିଆ) ଓ ଅନ୍ୟାନ୍ୟ ଭୋଗ ମଧ୍ୟ ଏକସଙ୍ଗେ ସମର୍ପିତ କରାଯାଏ । ସେହିପରି ଦୋଳ ପୂର୍ଣିମା ଓ ସ୍ନାହାନ ପୂର୍ଣ୍ଣିମା ଦିନ ବଲ୍ଲବ ଓ ସକାଳ ଧୂପ ଏକ ସଙ୍ଗେ ଉଠିଥାନ୍ତି ।

ସକାଳ ଧୂପ

----------------

ପୋଖରିଆ ପାଖରେ ଷୋଡ଼ଶ ଉପଚାର ବିଧିରେ ସକାଳର ପ୍ରଥମ ଅନ୍ନ ପ୍ରସାଦ ଅର୍ପଣକୁ ସକାଳ ଧୂପ କୁହନ୍ତି। ଏହା ଦିନ ଦଶଟାରେ ଉଠିବା କଥା। ପୂଜା ପଣ୍ଡା ରତ୍ନ ବେଦୀରେ ବସିଥାନ୍ତି। କେବଳ ବ୍ୟତିକ୍ରମ ରୂପେ ଓଢଣ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ଯାଏ ସେମାନେ ସିଂହାସନର ତଳେ ବିରାଜନ୍ତି । ଏଥିରେ କାନିକା, ତାଟ ଖେଚଡି,ନୁଖୁରା ଖେଚୁଡ଼ି,ମେଣ୍ଢା ମୁଣ୍ଡିଆ,ବଡ କାନ୍ତି,ସାନ କାନ୍ତି,ମାଠ ପୁଳି,ପିଠାପୁଳି,ହଂସପୁଳି,ଝିଲି,ଚାନ୍ଦପୁଳି, ଏଣ୍ଡୁରି,ଅଦା ପାଚେଡି,ଶାଗ,ଭଜା ଇତ୍ୟାଦି ସୁସ୍ୱାଦୁ ବ୍ୟଞ୍ଜନ ଭୋଗ ବଢାଯାଏ।ଏଠାରେ ବତିଶି ଜଣ ସେବା ନିଯୋଗ ସେବାୟତ ନିଜର ସେବା ପ୍ରଦାନ କରିଥାନ୍ତି ଯଥା ସୁଆର ବଡୁ,ଧୁକୁଡି ଦ୍ବାର ପ୍ରତିହାରୀ,ପାଣି ଆପଟ,ପ୍ରଧାନୀ ସେବକ, ପ୍ରତିହାରୀ, ପୂଜା ପଣ୍ଡା,ପନ୍ତି ବଡୁ,ପାଳିଆ ମହାସୁଆର,ପାଳିଆ ପତ୍ରି, ରୋଷ ପାଇକ,ଗରାବଡୁ, ଚାଙ୍ଗଡ଼ା ମେକାପ, ପତ୍ରିବଡୁ, ମୁଦୁଲି,ଚନ୍ଦନ ଘଟୁଆରି,ପରିଖ ବଡୁ,ପାଳିଆ ମେକାପ,ପାଳିଆ ମାହାରି,ରାଜଗୁରୁ,ପାଳିଆ ମାଦେଳି ,ଝାଞ୍ଜ ପିଟାଳି,ବିଡିଆ ଯୋଗାଣିଆ, ହଡପ ନାୟକ,ବୋଝିଆ,ପୁରାଣ ପଣ୍ଡା,ସୁଦୁସୁଆର,ଗୋଛିକାର, ଦକ୍ଷିଣ ଦ୍ଵାର ପଢିଆରି, ଦ୍ବାରିନାୟକ,ଘଣ୍ଟୁଆ,ବାଜାନ୍ତ୍ରୀ । କୋଠ ଭୋଗ ସୁପକାର ଭୋଗ ପ୍ରସ୍ତୁତି କରିଥାନ୍ତି। ମନ୍ଦିର ନିଯୋଗ ଏଥି ନିମନ୍ତେ ସମସ୍ତ ଦ୍ରବ୍ଯ ଯୋଗାଇ ଥାନ୍ତି । ଉପରୋକ୍ତ ସେବାୟତ ମାନେ ସେବା ବଦଳରେ ପ୍ରତିଦିନ ନିଜ ନିଜର ସେବାର ପ୍ରତିବଦଳ ପାଉଣା ଭାବରେ " ଖେଇ" ପାଇଥାନ୍ତି ।

ମଇଲମ

_________

,ସକାଳ ଧୂପ ବଢାଯିବା ପରେ ମହାପ୍ରଭୁ ମାନେ ପୁନଶ୍ଚ ବସ୍ତ୍ର ପରିଧାନ ଓଲାଗି ହୁଅନ୍ତି ଓ ସଜ ହଳ ମାନ ପରିଧାନ କରନ୍ତି।ସକାଳ ଏଗାରଟା ସମୟ ନିର୍ଘଣ୍ଟ କରାଯାଇଛି ଏହି ସେବା ନିମିତ୍ତ।

ତା ପରେ ଆମର ତ ଖାଇବାବାଲା ଠାକୁର।ଓଡିଆ ଭାରି ବଢିଆ।ଆମ ମନ ଜିତିବାର ବାଟ ହେଲା ସୁସ୍ବାଦୁ ଖାଦ୍ୟ। ଆମେ ଆମ ଠାକୁରଙ୍କ ଠୁ ଶିଖିଛୁ ଖାଇବା। ଆମ ପୁରୀ ବୋଲିରେ କୁହନ୍ତି " ମରିଗଲେ ପାଣି ପତର ପାଇବୁ, ମଉଜ ପାଇବୁ କାହିଁ।" ଆମ ଓଡିଶାର ଲୋକେ ଆନନ୍ଦ ପ୍ରିୟ,ଭୋଜନ ପ୍ରିୟ ।

ଗରୁଡ ସ୍ତମ୍ଭ ପଛରେ ଥିବା ବିରାଟ ହଲ୍ ପରି ଘରଟି ଭୋଗମଣ୍ଡପ। ଇତିହାସ କହେ ଅନ୍ନ ଭୋଗ ବ୍ୟବସ୍ଥା ଆରମ୍ଭ ପରେ ଏହାର ନିର୍ମିତ ।ଆଗରୁ ନ ଥିଲା। ଏଣୁ ଏହାର ନିର୍ମାଣ ଶୈଳୀ ଭିନ୍ନ। ଏଠାରେ ଦିହିପହର ଧୂପ ପାଇଁ ଭୋଗ ଖଞ୍ଜା ହୁଏ । ପଞ୍ଚ ଉପଚାର ବିଧିରେ ପୂଜାପଣ୍ଡା ଏହା ଅର୍ପଣ କରିଥାନ୍ତି।ଏଥିଲାଗି ପ୍ରସ୍ତୁତ ଭୋଗ ପ୍ରତ୍ୟହ ଆସୁଥିବା ଭକ୍ତମାନଙ୍କର ଏକ ଆନୁମାନିକ ସଂଖ୍ୟାକୁ ଧରି କରାଯାଏ। ଏଥିରେ ବରାଦ ଭୋଗ ମଧ୍ୟ ରହିଥାନ୍ତି। ଏହା ଆନନ୍ଦ ବଜାରରେ ବିକ୍ରି ନିମନ୍ତେ ଯାଏ । ମହାଦେବୀ ମାଆ ବିମଳାଙ୍କୁ ସମର୍ପିତ ହେଲା ପରେ ଏହି ମହାପ୍ରସାଦ ସିଧାସଳଖ ତୀର୍ଥ ଯାତ୍ରୀମାନଙ୍କ ପାଇଁ ଉଦ୍ଧିଷ୍ଟ ହୁଏ। ଏଠାରେ ଭୋଗ ମଣ୍ଡପ ପ୍ରତିହାରୀ ଓ ଭୋଗ ମଣ୍ଡପ ଦ୍ବାର ପ୍ରତିହାରୀଙ୍କ ସହ ଅନ୍ୟାନ୍ୟ ସେବାୟତ ମାନେ ନିଜ ନିଜର ସେବା ଦାୟିତ୍ୱ ନିର୍ବାହ କରିଥାଆନ୍ତି।

ମଧ୍ୟାହ୍ନ ଧୂପ

---------------

ଏହା ଆମ କାଳିଆର ଦ୍ବିପହର ଖିଆ। । ସାଢେ ବାର ରୁ ଗୋଟାଏ ଭିତରେ ଏହାର ସମୟ। ରତ୍ନ ବେଦୀ ତଳ ପୋଖରିଆରେ ଏହି ନୈବେଦ୍ୟ ଅର୍ପଣ କରାଯାଇଥାଏ। ପୂଜା ପଣ୍ଡା ତ୍ରୟ ଷୋଡ଼ଷ ଉପଚାର ବିଧିରେ ଭୋଗ ଲାଗନ୍ତି। ସକାଳ ଧୂପର ସମସ୍ତ ସେବାୟତ ଏଠାରେ ଉପସ୍ଥିତ ରହି ନିଜର ସେବା ପ୍ରଦାନ କରିବା ବିଧେୟ। ଏଥିରେ ମୁଖ୍ୟତଃ ଲାଗୁଥିବା ଭୋଗ ସାରଣୀ କିଛି ଏପରି : ଆରିସା,ପିଠାପୁଳି,ତ୍ରିପୁଳି,ମାଠପୁଳି,କାକରା,ଚଢେଇନଦା,,ତାଟ ମନୋହର,ଖଇରଚୂଳ, ମରିଚ ଲଡୁ,ଫେଣି,ଟାକୁଆ,ଗଜା,ବିରିବଡି,ଅନ୍ନ,ମୁଗଡାଲି,ପିତିଅନ୍ନ,ଓରିଅ,ମରିଚପାଣି,ଖିରି,ସୁବାସପଖାଳ,ପଣା,ସାକର ଆଦି ।

ଭୋଗ କାର୍ଯ୍ୟ ବଢନ୍ତେ ମଧ୍ୟାହ୍ନ ଆଳତୀ ବଢିଥାନ୍ତି।

ମଧ୍ୟାହ୍ନ ପହୁଡ଼

----------------

ମଧ୍ୟାହ୍ନ ପହୁଡରେ ଆମେ ଖରାବେଳ ଖିଆ ସାରି ଟିକେ ଗଡପଡ ହେଲା ପରି ମହାପ୍ରଭୁଙ୍କର ଟିକେ ଆରାମ କରିବା ବେଳ। ଆଜି କାଲି ଆମେ ଦିନ ରାତି ଖଟି ହେଉଥିବା ପରି କେଉଁ ଏକ ଅଜ୍ଞାତ କାରଣେ ଆମ ମହାପ୍ରଭୁ ମାନେ ମଧ୍ୟ ବିଶ୍ରାମ ଟିକେ ପାଉନାହାନ୍ତି। ସଂସାର କେଉଁ ଏକ ମାୟା ରଜ୍ଜୁରେ ଟାଣି ହେଇ ଦଉଡୁଛି ଯେ ଦଉଡୁଛି । ଆଗ ପରି ଦିନ ଆଉ ନାହିଁ। ଆମେ ବି କୋଉ ଆଉ ନିଶ୍ବାସ ଟିକେ ନେଇ ଘଡିଏ ଥକା ମାରୁଛୁ ଯେ ଆମ ପ୍ରଭୁଙ୍କୁ ଆମେ ଆମ କଥା ବୁଝିବାରୁ ଫୁରୁସତ ଦିଅନ୍ତେ।

କଥାରେ ନାହିଁ ଖାଇ ବସିଲେ ବଢଇ ବାୟୁ,

ଖାଇ ଶୋଇଲେ ବଢଇ ଆୟୁ,

ଖାଇ ଚାଲିଲେ ବଢଇ ପେଟ,

ଖାଇ ଖାଇଲେ ଯମର ଭେଟ।।

ଆମେ ଓଡ଼ିଆ ମାନେ ଖାଇ ସାରି ଟିକେ ଗଡିପଡୁ। ମାଆ ମାନେ କୁହନ୍ତି ଦେହ ପାଇଁ ଭଲ । ସୁସ୍ଥ ରହିବ ।

ନୀତି ଅନୁସାରେ ମଧ୍ୟାହ୍ନ ଧୂପ ପରେ ଆଉ ଥରେ ମଇଲମ ହୁଏ। ଲୁଗା ପଟା ବଦାଳି ଠାକୁରେ ଆମର ରତ୍ନ ସିଂହାସନରୁ ଓଲ୍ହାଇ ରତ୍ନ ପଲଙ୍କରେ ବିଜେ କରନ୍ତି। ସଂଧ୍ୟା ଛ'ଟା ଯାଏ ଦର୍ଶନ ବନ୍ଦ ରହନ୍ତି। ସର୍ବସାଧାରଣଙ୍କ ନିମନ୍ତେ ଠାକୁରେ ପୁଣି ସଂଧ୍ୟାରେ ଦର୍ଶନ ଦିଅନ୍ତି। ଖଟ ଶେଜ ମେକାପ ପଲଙ୍କ ବିଛାନ୍ତି। ବଡ ଦ୍ବାର ପ୍ରତିହାରୀ ବଡ ପାଟିରେ " ମଣିମା,ମଣିମା ପଲଙ୍କ ସଜ ହୋଇସାରିଲେଣି ମଣିମା।ବିଜେ କରିବା ହୁଅନ୍ତୁ ସାଆନ୍ତେ। " ବୋଲି ଯାଚନା କରନ୍ତି। ତାର ପରେ କଳାହାଟ ଦୁଆର, ବେହେରଣ, ଜୟ ବିଜୟ ଦ୍ବାର ପହଡ ପଡନ୍ତି।

ଏବେ କାଳରେ ବା ବର୍ତ୍ତମାନ ସମୟରେ ଏହି ସେବା କରାଯାଇ ପାରୁନାହିଁ। ନୀତି ସମୟ ସବୁବେଳେ ଗଡିଯାଉଛି। କେବଳ କାର୍ତ୍ତିକ ଓ ପଉଷ ମାସରେ ଏହି ସେବା ହେଇପାରୁଛି।

ସଂଧ୍ୟା ଆଳତୀ

-----------------

ବଡ ଠାକୁରେ ଓ ମହାମାୟାଙ୍କ ଆଳତୀ ଦୁଇ ପୁଷ୍ପାଳକ ଓ ତଳଛୁ ମହାପାତ୍ରଙ୍କ ଦ୍ବାରା ମହାବାହୁଙ୍କର ଆଳତୀ ସେବା ବଢେ। କର୍ପୂର,ଏକୋଇଶି ଦୀପ,ସଞ୍ଜ କଳି ଆଳତୀ ରତ୍ନ ସିଂହାସନ ତଳେ ହୋଇଥାଏ। ଯେବେ ମଧ୍ୟାହ୍ନ ପହୁଡ଼ ହୋଇପାରନ୍ତି ଦିଅଁ ମାନେ ସେଦିନ ଆଳତୀ ପରେ ମଇଲମ ହୁଅନ୍ତି । ଯଦି ପହୁଡ ହୋଇନଥାନ୍ତି ତେବେ ଆଳତୀ ସେବା ଆଗରୁ ମଇଲମ ସେବା ସମ୍ପନ୍ନ କରିବାକୁ ହୁଏ ।

ସଁ ଧୂପ ବା ସଂଧ୍ୟା ଧୂପ

-----_------------------

ସଞ୍ଜ ସାତଟାରୁ ଆଠଟା ଭିତରେ ଜଳଖିଆ ବ୍ୟବସ୍ଥା। ମନ୍ଦିର ପରିଚାଳନା ନିଯୋଗ ଏହାର ବ୍ୟବସ୍ଥା ବୁଝିବୁଝି ଦାୟିତ୍ୱରେ । ଭିତର ପୋଖରିଆରେ ଷୋଡ଼ଶ ଉପଚାର ବିଧିରେ କନଳପୁରୀ,ବଡ କାକରା,ସାନ କାକରା,ଗୋଟାଳି,ଅମାଲୁ,ଲୁଣି ଖୁରୁମା,ରୋଷ ପାଇକ ହିରିବୁହା,ଝଡେଇନଦା,ବଡ କଦମ,ସାନ କଦମ ଆଦି ଭୋଗ ଲାଗେ । ତା ପରେ ତିନୋଟି ରୂପା ପିଙ୍ଗଳରେ ପାଞ୍ଚ ପ୍ରକାରର ଆଳତୀ ପୂଜାପଣ୍ଡା କରନ୍ତି। ଏହା ବିଶ୍ବ ବ୍ରହ୍ମାଣ୍ଡର ମଙ୍ଗଳ ମନାସୀ ଜଗଦୀଶ୍ବର କରୁରାମୟ ବିଶ୍ବ ଅଧିପତିଙ୍କ ପାଖରେ କରାଯାଏ ।" ସଂସାର ମଙ୍ଗଳ ହେଉ ମଣିମା ! " କୁହାଯାଏ ଏହାର ନାମ "ଜୟ ମଙ୍ଗଳ ଆଳତି"

ତା ପରେ ସକାଳର ସାହାଣ ମେଲା ପରି ଆଉ ଥରେ ସବୁ ଭକ୍ତଙ୍କ ପାଇଁ ସାହାଣ ମେଲା କରାଯାଉଥିଲା ଆଗେ। ଏବେ ତାହା ବନ୍ଦ କରି ଦିଆ ଯାଇଛି ।

ମଇଲମ ଓ ଚନ୍ଦନ ଲାଗି

------------------ ----

ରାତି ଦଶଟାରେ ଲୁଗାପଟା,ଦିହିପହର ଫୁଲ ସଜ ଓଲାଗି ହେଇ ଠାକୁରେ କର୍ପୂର,ଜାଇଫଳ ଓ ଚନ୍ଦନ ଘୋରା ଲାଗି ହୁଅନ୍ତି । ସକାଳର ସମସ୍ତ ସେବାୟତଙ୍କ ସହ ହଡପ ନାୟକ ସେବକ ଏଠାରେ ଉପସ୍ଥିତ ରୁହନ୍ତି ।

ବଡ ଶୃଙ୍ଗାର ବେଶ

---------------------

ଏହି ବେଶ ଦର୍ଶନେ ମନୁଷ୍ୟ ମୁକ୍ତି ଲଭେ। ଅପୂର୍ବ,ଅନୁପମ, ଅଦ୍ୱିତୀୟ। ଆମ ଠାକୁର କେଡେ ରସିକିଆ,କେଡେ ସଉକିଆ । ଶୋଇବା ବେଳ ହେଲଣି । ହେଲେ ତାର ସବୁଠୁ ସୁନ୍ଦର ମନ ମୋହକ ମନଜିଣା ରୂପ ଶୋଭା କାନ୍ତିମୟ ବେଶ ହବ ଏଇ ରାତିରେ। ବଡ ଶୃଙ୍ଗାର ବେଶରେ ସମସ୍ତ ଶୃଙ୍ଗାର ହୁଏ ଆମ ନନ୍ଦ କିଶୋର, ଭାଇ ଭଉଣୀଙ୍କ ସହ । ଏହି ଭବ୍ୟ ବେଶରୂପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଭାଗ୍ୟରେ ଥିଲେ ମିଳେ । ରଙ୍ଗବିରଙ୍ଗୀ ବିଭିନ୍ନ ଲାଗି ଯୋଗ୍ୟ ପୁଷ୍ପ ଅଳଙ୍କାର, ଚନ୍ଦ୍ରିକା,ତଡିଗ,କୁଣ୍ଡଳ,ହୃଦ ପଲ୍ଲବ, ବାରଲାଗି ପାଟ,ଖଣ୍ଡୁଆ ପାଟ,ଗୀତ ଗୋବିନ୍ଦ ପାଟ ( ଯେଉଁ ଥିରେ ଶ୍ରୀ ଜୟଦେବ ରଚିତ ଗୀତ ଗୋବିନ୍ଦର ପଦାବଳି ଅଙ୍କିତ ହୋଇଥାଏ) ଲାଗି ହୋଇଥାନ୍ତି । ହସ ହସ ଦିଶୁଥାନ୍ତି ଠାକୁରେ। କୃଷ୍ଣ କୃଷ୍ଣ ଭାବ,ମହକ,ବାସ,ପ୍ରେମ ଦେଉଳ ଯାକ ଚହଟୁଥାଏ ।ତାର ପରେ ମହାପ୍ରଭୁ ଆଉ ଅଳ୍ପ କିଛି ଭୋଗ ଗ୍ରହଣ କରନ୍ତି ଓ ନିଜର ରତ୍ନ ପଲଙ୍କକୁ ବିଜେ କରନ୍ତି।

ବଡଶୃଙ୍ଗାର ଧୂପ

------------------

ପ୍ରତ୍ୟହ ଦିନମାନର ଏହା ଶେଷ ଭୋଗ ଲାଗି। ଏହା ସରୁ ସରୁ ସାଢେ ଏଗାର ବାର ବାଜେ। ପଞ୍ଚ ଉପଚାର ବିଧିରେ ରତ୍ନ ସିଂହାସନ ତଳେ ବଢାଯାନ୍ତି ଏହି ଧୂପ। ଏଥିରେ ଥାଏ ରୂପା ଗିନାରେ ଗିନେ ଘିଅ, କଦଳୀ ବରା,ଖିରି,ସାକର,ପିଠା,କାଞ୍ଜି ଆଦି ।

ଏହି ଭୋଗ ପରେ ପୁଣି ଆଳତୀ ସମାପନ ହୁଅନ୍ତି ।

ଖଟ ଶେଜ ଲାଗି ସେବା

--------------------------

ରାତି ଏଗାର ପଇଁ ଚାଳିଶି ବାର ବେଳକୁ ଶୟନ ଠାକୁର ( ମହା ଲକ୍ଷ୍ମୀ ନାରାୟଣଙ୍କର ଆଠୋଟି ହାତ ବିଶିଷ୍ଟ ପ୍ରତିମା,ଯିଏ ଭଣ୍ଡାର ଘରେ ବିଜେ କରିଥାନ୍ତି) ବିଜେ କରିବେ। ପଇଡ଼ ଓ ବିଡିଆ ପାନ ବଢାଯିବ। କଳାହାଟ ଦୁଆର ପାଖରେ ଜଗମୋହନ ନାଟ ମଣ୍ଡପରେ ମାହାରି,ଦେବଦାସୀ ନିଜର ଭଜନ ଜଣାଣ, ନୃତ୍ୟ ସେବା ବାଢୁଥିବେ।

ପାଳିଆ ଖୁଣ୍ଟିଆଙ୍କ ଦ୍ବାରା ପୁଷ୍ପାଞ୍ଜଳି ଦିଆଯାଇ ଶୟନ ଠାକୁରେ ଶୋଇବେ ଓ ଆଳତୀ ହୋଇ ଭଣ୍ଡାର ଘରକୁ ଲେଉଟିବେ।

ଶେଷରେ ଝାଞ୍ଜପିଟା ମଠର ସେବାରେ ମନ୍ଦିର ସଂପୂର୍ଣ୍ଣ ଖାଲି କରାଯାଇ ସବୁ ଦ୍ବାର ମୁଦ ଦିଆଯାଏ।

ଜୟ ଜୟ ଜଗନ୍ନାଥ

ଜୟ ଜୟ ଶ୍ରୀ ଜଗନ୍ନାଥ

ପୁରା ଦିନ ଭିତରେ ମହାପ୍ରଭୁଙ୍କର ଉପରୋକ୍ତ ସେବା ମାନ ଯଥାମାନ୍ୟ ସେବାୟତ ମାନେ ନିଜର ଦୈନିକ ନିତି କାନ୍ତି ଅନୁଯାୟୀ ଆସି କରିଥାନ୍ତି। ପର୍ବ ପର୍ବାଣୀ ଓ ସ୍ବତନ୍ତ୍ର ଦିନ ମାନଙ୍କରେ ସ୍ବତନ୍ତ୍ର ସେବା ରହିଥାଏ ।

ମହାପ୍ରଭୁଙ୍କ ଆଶିଷରେ ମହାପ୍ରଭୁଙ୍କର ନାମ ଜପ, ସ୍ମରଣ, ବନ୍ଦନ, ଅର୍ଚ୍ଚନ,ସାଖ୍ୟ,ଚିନ୍ତନ ଆଦି ସେବା ମଣିଷର ଏହି ଜୀବନରେ ପ୍ରାପ୍ତ ହେଉଥାଉ।

ଏହା ହେଉଛି ଆମ ମଣିମାଙ୍କର ନିତିପ୍ରତି ସେବାର ସଂକ୍ଷିପ୍ତ ବିବରଣୀ।

ମହାପ୍ରଭୁଙ୍କ ଅପାର କରୁଣାରୁ ମହାପ୍ରଭୁ ଏ ଅଧମ ଦେଇ ଲେଖେଇନେଲେ। ଭକ୍ତି ତାଙ୍କ ଶ୍ରୀ ଚରଣେ ମମ ଅଚଳ ହେଉ। ସଂସାର ମଙ୍ଗଳମୟ ହେଉ।

ସର୍ବେ ଭବନ୍ତୁ ସୁଖିନ୍ଃ

ସମସ୍ତେ ସୁସ୍ଥ,ନିରୋଗ ହବା ସହ ହରି ଭକ୍ତି ପ୍ରାପ୍ତ ହୁଅନ୍ତୁ।



Rate this content
Log in

Similar oriya story from Inspirational