ଚିଙ୍ଗୁଡ଼ି ଆଲାର୍ମ୍
ଚିଙ୍ଗୁଡ଼ି ଆଲାର୍ମ୍
ଶିବୁମା ଆମ ସମସ୍ତଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଯାଆନ୍ତି ପ୍ରାୟ ସମୟରେ । ବୟସ ଦୃଷ୍ଟିରୁ ବହୁତ ପାର୍ଥକ୍ୟ ଥିଲେ ମଧ୍ୟ କେଜାଣି ସେ ଅଞ୍ଚଳର ସମସ୍ତେ ତାଙ୍କୁ ଶିବୁମା ହିଁ ଡାକନ୍ତି । କହିବା ବାହୁଲ୍ୟ ଯେ ଶିବୁ ଭାଇ ତାଙ୍କର ଏକ ମାତ୍ର ଗଳାର ମାଳି ଥିଲେ । ଶିବୁ ଭାଇ ଆମ ବଜରଙ୍ଗ ଦଳ ମାନେ ଛୋଟ ପିଲା ଗୋଷ୍ଠୀର ନେତା ଥିଲେ । ମୁଁ ସେ ସମୟର କଥା କହୁଛି ଯେତେବେଳେ ଛୋଟ ପିଲାମାନେ ଘର ଭିତରେ ମୋବାଇଲ ଆଉ କମ୍ପୁଟର ନ ଧରି ବାହାରେ ଖେଳ କୁଦ କରୁଥିଲେ । ମାନେ ମୋ ସ୍କୁଲ୍ ସମୟର କଥା ।
ହଁ । ଶିବୁ ମା । ଜଣେ ସାଧାରଣ ବିଧବା ମହିଳା । ଭାଇ ଦଶ ବର୍ଷର ହେଇଥିବା ବେଳେ ବାପାଙ୍କୁ ହରେଇଥିଲେ । କିନ୍ତୁ ମା ର ଅଭୟ ପଣତ ତାଙ୍କୁ ଏକ ବିଜ୍ଞ ଆଉ ସଚ୍ଚୋଟ ମଣିଷ କରି ଗଢି ତୋଳି ଥିଲା । ଶିବୁ ଭାଇ ଦେଖିବାକୁ ଯେମିତି ସୁନ୍ଦର ଥିଲେ, କାମ ଆଉ ବ୍ୟବହାରରେ ମଧ୍ୟ ସମସ୍ତଙ୍କ ମନ କିଣି ନେଉଥିଲେ । କିନ୍ତୁ ଏଇ ଶିବୁ ମା କେଜାଣି କାହିଁକି ସବୁବେଳେ କିଛି ନା କିଛି ବିଷୟ ନେଇ ଅସନ୍ତୁଷ୍ଟ ରହୁଥିଲେ । ଏଇ ଯେମିତି ତାଙ୍କ ବାଡ଼ିରୁ କେହି ଫଳ ନେଇଗଲା ବା ତାଙ୍କ ଘର ଆଗରେ ନିଜ ବାହନ ରଖିଦେଲା । ବହୁତ କାରଣ ଥାଏ ତାଙ୍କ ବିରକ୍ତି ପ୍ରକାଶର । କିନ୍ତୁ ସେ କାହିଁକି ଏତେ ବିରକ୍ତ ହୁଅନ୍ତି ସେ କଥା କେହି ଜାଣନ୍ତି ନାହିଁ କି ଜାଣିବାକୁ ଚେଷ୍ଟା କରନ୍ତି ନାହିଁ ଏହା ବି ସତ୍ୟ । ତା ସହ କିନ୍ତୁ ଏ କଥା ବି ସତ ଯେ ଆଲାର୍ମ ଆମେ କେହି ବ୍ୟବହାର କରୁ ନଥିଲୁ । କାରଣ ସକାଳୁ ଶିବୁ ମା ଙ୍କ ଅନର୍ଗଳ ବକ୍ୟ ବାଣ ସମସ୍ତଙ୍କୁ ସୁଖ ନିଦ୍ରାରୁ ଧକ୍କା ମାରି ଉଠାଇବା କାମଟି ସୁନ୍ଦର ରୂପେ କରି ଦେଉଥିଲା ।
ସମୟକ୍ରମେ ଶିବୁ ଭାଇଙ୍କ ବାହାଘର ହେଲା । ସମସ୍ତେ ବାହାରେ ଖୁସି ଥିଲେ ମଧ୍ୟ ଭିତରେ ନୂଆ ଭାଉଜ ପାଇଁ ଚିନ୍ତିତ ଥିଲେ । କେଜାଣି ଶିବୁ ମା ତାଙ୍କୁ କିପରି ବ୍ୟବହାର କରିବେ । !!??ସତକୁ ସତ ନୂଆ ଭାଉଜ ସହଜରେ ଶିବୁ ମାଙ୍କ ସରଳ ଅସ୍ତ୍ର ହେଇଗଲେ । ସକାଳୁ ଆଉ କାହାକୁ ନୁହେଁ ବରଂ ନିଜ ବୋହୂକୁ ମନ ଇଚ୍ଛା ଗାଳି ଦେଇ ଶିବୁ ମା ଖାଦ୍ୟ ହଜମ କରିବାରେ ଅଭ୍ୟସ୍ତ ହେଇଗଲେ । ଆଉ ଆମ ନୁଆ ଭାଉଜ । ଦୀର୍ଘ କୋଡ଼ିଏ ଦିନ ଧରି ଏଇ ପ୍ରକାର ନିତିଦିନିଆ କାମରେ ଚୁପ୍ ଚାପ୍ ବ୍ୟସ୍ତ ରହିଲେ ।
ଆଉ କୋଡ଼ିଏ
ଦିନ ପରେ । .
ନୂଆ ଭାଉଜଙ୍କ ମାମୁଁ ବଡ଼ ଚିଙ୍ଗୁଡ଼ି ମାଛ ଆଣି ଦେଇ ଯାଇ ଥାଆନ୍ତି । ଭାଉଜ ମନ ଦେଇ ରୋଷେଇ କରି ସାରି ଥାଆନ୍ତି । ଘର ସାରା ଚିଙ୍ଗୁଡ଼ି ମହକରେ ମହକିତ ହୋଇ ଥାଏ । ଆଉ ସେ ଦିନ ଶିବୁ ମା ଆହୁରି ଆହୁରି ବେଶୀ ପାଟିତୁଣ୍ଡ କରୁ ଥାଆନ୍ତି । ଭାଉଜ କିଛି ଭାବିଲେ । ପରେ କଅଁଳେଇ ଶିବୁମା ଙ୍କୁ ଖାଇବାକୁ ଡାକିଲେ । ଆଉ ଆସ୍ତେ କରି ଲୁଚେଇ ଗରମ୍ ଗରମ୍ ଚିଙ୍ଗୁଡ଼ି ଝୋଳ ପାଖରେ ବାଢ଼ି ଦେଲେ । ଶିବୁମା ଗର୍ଜି ଉଠି କିଛି କହିବା ଆଗରୁ କହିଲେ । "ମା । ମୁଁ ଜାଣିଛି । ଆପଣଙ୍କ ପାଇଁ ଆମିଷ ନିଷେଧ । ହେଲେ କଣ କରିବି?ନୂଆ କରି ରୋଷେଇ କରିଛି । ଆପଣଙ୍କ ପୁଅ ଆସିଲେ ଖାଇବେ । ଯଦି ସ୍ଵାଦ ଠିକ୍ ହେଇ ନ ଥିବ । ତେବେ?ଆଉ ମୁଁ କଣ ସ୍ବାମୀ ଖାଇଲା ଆଗରୁ । !!??"ତଥାପି ଶିବୁମା ଆହୁରି ରାଗିଯାଇ କିଛି କହିବାକୁ ଆରମ୍ଭ କରୁଥିଲେ । କିନ୍ତୁ ଭାଉଜ କହିଲେ । " ମା ଆମ ଗାଆଁ ର ପୁରୋହିତ କହିଛନ୍ତି ବିଧବା ମାନେ ସ୍ବାମୀ ଯିବାର କେବଳ ଏକ ବର୍ଷ ଯାଏଁ ଆମିଷ ଖାଇବେ ନାହିଁ । ତା ପରେ କିନ୍ତୁ ନ ଖାଇଲେ ନର୍କ ଭୋଗ ହେବ ଯେ । "
ଏତିକି କହି ଭାଉଜ ଦେଖିଲା ବେଳକୁ ଶିବୁ ମା ଚଟାପଟ୍ ଚିଙ୍ଗୁଡ଼ି ଝୋଳ ଖାଇବାରେ ବ୍ୟସ୍ତ ହୋଇ ଯାଇଥିଲେ । ଅନେକ ବର୍ଷର ଅବଦମୀତ ଇଚ୍ଛା ଯେପରି ପୂର୍ଣ୍ଣ ହେଇଗଲା । ଅବଶ୍ୟ ମଣିଷ ନିଜ ମନ ଇଚ୍ଛାରେ ଯଦି କିଛି କରେ ଖୁସି ହୁଏ । କିନ୍ତୁ ଜବରଦସ୍ତ ବାଧ୍ୟ ହେଇ କିଛି କରିଲେ । କଷ୍ଟ ଲାଗେ ନା । !!??ଆଖିରୁ ବାହାରୁଥିବା ଲୁହ ପୋଛି ଭାଉଜ ଆଉ ଥଳିଏ ଚିଙ୍ଗୁଡ଼ି ଝୋଳ ଆଣିଦେଲେ । ଅଳ୍ପ ହସି ଶିବୁ ମା କହିଲେ । "ତୋ ହାତରେ ବହୁତ ସ୍ବାଦ ଅଛି ମା । "
ହଁ । ତା ପରଠୁ କିନ୍ତୁ ଶିବୁ ମା ଆଉ ନୂଆ ଭାଉଜ ବିରୁଦ୍ଧରେ କିଛି କହିବା ଆମେ କେହି ଶୁଣି ପାରିଲୁନି । ପଚାରିଲେ ଭାଉଜ ଖାଲି ମୁରୁକି ହସି ଦିଅନ୍ତି । ଶିବୁ ମା ଙ୍କୁ ଗୀତା ରାମାୟଣ ପଢା ଆଉ ଭାଉଜ ସହ ହସ ଗପ କରିବା ଦେଖି କିଛି ଗୋଟେ ହରେଇଦେଲା ପରି କାହିଁକି ମନେ ହୁଏ କେଜାଣି ।
ଆଉ ତା ପରେ କିନ୍ତୁ ସମସ୍ତଙ୍କୁ ଅଲାର୍ମ ଲଗେଇ ଶୋଇବାକୁ ହେଲା । ନିଦ ସମ୍ପୂର୍ଣ୍ଣ ହେବାରୁ ଖୁସି ଲାଗୁଥିଲା କି ଅାଲାର୍ମ ଲଗେଇ ଉଠିବାରୁ ଦୁଃଖ ଲାଗୁଥିଲା । ମୁଁ ଏବେ ବି ବୁଝିପାରୁନାହିଁ । .