Sucharita Sena

Classics

4.5  

Sucharita Sena

Classics

ଚିଲିକାରେ ସଂନ୍ଧ୍ୟା

ଚିଲିକାରେ ସଂନ୍ଧ୍ୟା

7 mins
417


ସେତବେଳେ ମୋର ବୟସ ଦଶବର୍ଷ | ପଞ୍ଚମ ଶ୍ରେଣୀର ଛାତ୍ରୀ ଥିଲି | ସ୍କୁଲ ଘଣ୍ଟିର ଶବ୍ଦରେ ତୃତୀୟ ପିରିୟଡ଼ ଚାଲିଲା ବୋଲି ଜାଣି ପାରି ଖୁସି ହେଲି | ତୃତୀୟ ପିରିୟଡ଼ ସାହିତ୍ୟ ଥିଲା, ଯାହା ମୋର ଅତ୍ୟନ୍ତ ପ୍ରିୟ ବିଷୟ | ମଧୁଦିଦି ଶ୍ରେଣୀ ଭିତରକୁ ପଶି ଆସିଲେ ଓ ବଡ ପାଟିରେ କହିଲେ "ପିଲାମାନେ, ଆମେ ଆଜି "କାଳିଜାଇରେ ସନ୍ଧ୍ୟା " ବିଷୟରେ ପଢିବା, ଗୋଦାବରୀଶ ମିଶ୍ର ଚିଲିକାକୁ ଦେଖି ଏ କବିତାଟି ରଚନା କରିଥିଲେ | ତାପରେ ମଧୁ ଦିଦିଙ୍କ କଣ୍ଠରୁ ମଧୁ ଝରିଲା ଭଳି କବିତାଟି ଶୁଣିଥିଲୁ.....

        କାତଧରି ଧୀରେ ନାଉରି ନାଆ ଦେଇଛି ମେଲି,

        ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି |

        ନାଚି ନାଚି ଚାଲେ ତରଣୀ, ନାଚେ ଶତ ତରଙ୍ଗ,

        ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ | 

    

        ହଂସ ହଂସ ରାଳି ଖେଳନ୍ତି ଢ଼େଉ..... ଦୋଳିରେ ଖେଳ,

        ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ |

       

         ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ,

         ଲକ୍ଷ ରଖୀ ଜଳେ ବୁଡଇ ମୀନ ଧରିବା ଆଶେ |

    

         ଚାହିଁ ଚାହିଁ ଯାଇ ଗଭୀର ଜଳେ ପଡିଲା ନାଆ

         ଅକାତ ପାଣିସେ ଗଣ୍ଡରେ କାଳିଜାଇ ତା ନାଁଆ |

         

କବିତାଟିକୁ ମଧୁଦିଦି ଯେତିକି ବୁଝାଇ ଚାଲିଥାନ୍ତି ଚିଲିକା ସେତିକି ଭଲ ଲାଗୁଥାଏ | ଭାଲେରୀ ପାହାଡ଼ ପାଖରେ ସୂର୍ଯ୍ୟଙ୍କ ବୁଡିଯିବାର ଦୃଶ୍ୟ , ଜଟିଆ ପାହାଡ଼ ପାଖରେ ଚଢେଇ ମାନଙ୍କ ଉଡିବା ଦୃଶ୍ୟ , ଚଢେଇ ଗୁହାର ଉପରେ ଏରା ପକ୍ଷୀ ଉଡିବା, ଦୂରରୁ ପାରିକୁଦ ଓ ମାଲୁଦ ଦ୍ୱୀପ ର ଛବି ଏସବୁ ଯେପରି ଆଖି ଆଗରେ ନାଚି ଗଲା, ସତରେ କଣ ମୁଁ ଏସବୁ ଜାଣିଛି ଏତେ ଆପଣାର ଆପଣାର ଲାଗୁଛି କାହିଁକି | ଯେପରି ଲାଗୁଛି ମୋର ପରିଚିତ ଯାଗା, କିନ୍ତୁ ମୁଁ କେବେ ଚିଲିକା ଯାଇନି | ପିରିୟଡ଼ ସରିବାର ଘଣ୍ଟି ବାଜିଗଲା, ମଧୁ ଦିଦି ଚଷମା ଖୋଳରେ ଚଷମା ରଖି କହିଲେ... " ପିଲାମାନେ ଆସନ୍ତାକାଲି ଆମେ କାଳିଜାଇ ବିଷୟରେ ଜାଣିବା ...ଠିକୀ ଅଛି ???"| ସମସ୍ତ ପିଲା ଏକା ସହ ହଁ ଭରିଲେ | ମଧୁଦିଦି ଚାଲିଗଲେ ମୋ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଥାଏ, ଇଚ୍ଛା ହଉଥାଏ ଆଜି କବିତାରେ ଥିବା ସବୁ କାହାଣୀକୁ ଶୁଣିବାକୁ | ସ୍କୁଲ ଛୁଟି ପରେ ଘରେ ପହଂଚି ଖେଦିଦେଲି ସବୁ ଘର | ମା ପଚାରିଲା ଆରେ କଣ ଖୋଜୁଛୁ ?|

ମୋର ଉତ୍ତର ଥିଲା... "ଜେଜେଙ୍କୁ.... କାହାନ୍ତି ସେ ମା ????" | 

                  

                  ମୋ ଜେଜେ 'ବୈରାଗୀ ମିଶ୍ର' | ଅବସରପ୍ରାପ୍ତ ଅଧ୍ୟାପକ | ସେ ଥିଲେ ମୋ ପାଇଁ ଭାଷାକୋଷ ସଦୃଶ, ଯେତେବେଳେ ଯାହା ଚାହିଁବି ତା ବିଷୟରେ ଜାଣିପାରେ ମୋ ଜେଜେଙ୍କ ଠାରୁ | ଜେଜେ ସେଦିନ ରାତି ଆଠଟାରେ ଘରକୁ ଫେରିଲେ, କୌଣସି ଦରକାରୀ କାମରେ ବାହାରକୁ ଯାଇଥିଲେ | ଜେଜେମା ଆସି ଡାକଦେଲେ ..." ବିନି, ଜେଜେ ଆସିଲେଣି "| ମୁଁ ପଢ଼ୁଥିବା ବହିଟିକୁ ବନ୍ଦ କରିଛିକି ନାହିଁ ମୋର ଠିକିସେ ମନେ ନାହିଁ, ଏକା ଡିଆଁରେ ଆସି ଜେଜେଙ୍କ ପାଖରେ |

ଜେଜେ କୋଳେଇ ନେଲେ, ମୋ ମୁଣ୍ଡରେ ହାତ ଆଉଁଷି ଆଣି କହିଲେ......... "ମୋ ମାର ଆଜି କଣ ଜାଣିବାର ଅଛି ? ... ଏତେ ଖୋଜିଛ ଯେ ଘରେ ପହଂଚୁ ପହଂଚୁ ସମସ୍ତେ କହିଲେଣି" |

         ମୁଁ ଆଉ ସମୟ ନଷ୍ଟ କରିବାକୁ ଚାହୁଁ ନଥିଲି..... "ଜେଜେ ମତେ କାଳିଜାଇ କଥା କୁହ..... ସେ କିଏ ଜେଜେ "? | ମୋର ଉତ୍ସାହ ଦେଖି ଜେଜେ ହସିଦେଲେ, ସବୁଥର ପରି ତାଙ୍କ ଯାଦୁଗରୀ କହିବା ଶୈଳୀରେ ଆରମ୍ବ କଲେ.......

"କିମ୍ବଦନ୍ତୀର ପ୍ରତ୍ୟକ୍ଷ ଦେବି ମା ବିଶ୍ଵ ଜନନୀ ଚିଲିକା ମଧ୍ୟରେ ପୂଜା ପାଉଛନ୍ତି କାଳିଜାଇ ନାମରେ | ସେ ଅଲିଅଳି କନ୍ୟା ଭାବରେ ଏ ଧରାପୃଷ୍ଠରେ ଜନ୍ମ ନେଲେ, ବାପା ଶ୍ରଦ୍ଧାରେ ନାଁଆ ରଖିଲେ " ଜାଇ " | ମା ବାପାଙ୍କ ଆଦର ଓ ଭାଇର ସ୍ନହ ଶ୍ରଦ୍ଧା ପାଇ ଧୀରେ ଧୀରେ ଜାଇ ବଡ ହେଲା | ବିବାହ ବୟସ ଉପନୀତ ହେବାରୁ , ବାପା ସୁଯୋଗ୍ୟ ବରପାତ୍ର ଖୋଜି ବିବାହ ଦେବାକୁ ସ୍ଥିର କଲେ | ଝିଅଟି ଯେତେବେଳେ ପରଗୋତ୍ରୀ ହୁଏ, ସାଙ୍ଗ ସାଥି ମାୟା ତୁଟାଇ, ବାପା ମା ଓ ଭାଇଙ୍କୁ ଦୂର କରି, ସବୁ ବନ୍ଧନକୁ କାଟି ,ନିଜର ଲୋକ ମାନଙ୍କୁ ଦୂର କରି, ପର ଘରକୁ ଚାଲିଯାଏ |

ଜାଇ କୁ ସାଙ୍ଗରେ ନେଇ ବାପା ତା ଶାଶୁଘରେ ଛାଡିବା ପାଇଁ ବାହାରିଲେ | ଶାଶୁଘର ଚିଲିକା ସେପରି ପାରିକୁଦ ଗାଁ | ଜାଇ ମଥାରେ ସିନ୍ଦୁର, ଦେହରେ ଗହଣା ଓ ନାଲି ଶାଢ଼ୀ ପିନ୍ଧି ଝଟକୁ ଥାଏ | ନାଉରିଆ ଆସି ନାଆ ବାହାର କଲା | ଉତ୍ତରା ବପନ ସୁଲୁସୁଲୁ ହୋଇ ବୋହୁଥାଏ |ବାପା ନିଜ ଜୀବନଠୁ ଭଲ ପାଉଥିବା ଝିଅକୁ ପର ଘରେ ଛାଡି ଦେବାକୁ ନେଉଛନ୍ତି, ଛାତିଟା ତାଙ୍କର ଫାଟି ପଡୁଛି |ହେଲେ ଜାଇ ଭାବୁଛି ଅନେକ କଥା...... ଆଖିରୁ ତାର ବୋହି ପଡୁଛି ଲୁହ ଓ ମନ ତଳେ ଉଙ୍କି ମାରୁଛି ବିଗତ ଦିନର ଅଭୁଲା ସ୍ମୁତି ଗୁଡିକ | କେତେ ପୂଜା ପର୍ବାଣି, ପିଠା ପଣା ଆଉ କଣ ସେ ଦିନ ଫେରିବ ? | ଯୋଉଁ ମାଙ୍କୁ ଛାଡି ସେ ତିଳେ ରହି ପାରେନି ଏବେ ସେ କିପରି ରହିବ | ସେ ବାପା ଭାଇଙ୍କ ପାଖରେ କରୁଥିବା ଅଳି ଅରଦଳି ଏବେ କାହା ପାଖରେ କରିବ | ଯେଉଁ ବାପା ତାକୁ ଏତେ ଭଲ ପାଉଥିଲେ ସେ ଆଜି ପରଘରେ ଛାଡି ଦେବାକୁ ଯାଉଛନ୍ତି | ଜାଇ ବୁକୁ ଫଟାଇ କାନ୍ଦିବାରେ ଲାଗିଲା, ବାପା ରାଣ ନିୟମ ପକାଇ ଝିଅକୁ ବୁଝାଉ ଥାନ୍ତି | ଜାଇର ଶାଶୁଘର ପାରିକୁଦ, ସେଠାରେ ପହଂଚିବାକୁ ହେଲେ ଏ ବିଶାଳ ଚିଲିକାକୁ ପାରି କରିବାକୁ ପଡିବ |

        ଚିଲିକା ମଝିରେ ଅକାତ ପାଣି, ସେଠି କାତ ପାଏନାହିଁ | ଦେଖୁ ଦେଖୁ ନାଆ ଟା ଆସି ସେଇଠି ପହଂଚି ଗଲା | ନିରିମାଖି ପରି ଜାଇ ବସି କାନ୍ଦୁଥାଏ, ତା ଆଖିରୁ ବାପା ଲୁହ ପୋଛିଦେଲେ, ଓ ନାଉରିଆକୁ କହିଲେ " ନାଉରିଆ ଭାଇ ନାଆ ଟିକେ ଧୀରେ ନେ... ମୋ ଝିଅ ଆଗରୁ କେବେ ନାଆ ରେ ବସିନି ତାକୁ ବହୁତ ଡର ଲାଗୁଛି | ଚିଲିକା ଗଣ୍ଡରେ ପାଣି ଯେପରି କଳା ଗୁମର ଦିଶୁଥାଏ | ନାଉରିଆ ର କାତ ଆଉ ପାଇଲା ନାହିଁ, ଦେଖୁ ଦେଖୁ ନାଆ ଆସି ପୁରା ଗଣ୍ଡରେ ପଡିଲା | ଏଥର ନାଉରିଆ କାତ ଛାଡି ଆହୁଲା ମାରି ନାଆ କୁ ଆଗକୁ ନେଉଥାଏ | ଠିକ୍ ଏହି ସମୟରେ ଘଟିଲା ଅଘଟଣ, ଭାଲେରୀ ପାହାଡ଼ କୋଣରୁ ମେଘମାଳ ଗୁଡା ଉଠି ଆସିଲେ, ସୂର୍ଯ୍ୟ ବାଦଲ ଭତରେ ମୁହଁ ଲୁଚାଇ ଦେଲେ | ଚିଲିକା ମଝିରେ ଭାରି ନିଛାଟିଆ ଲାଗିଲା | ନାଉରିଆ ଆହୁଲା ଛାଡି ଠିଆ ହୋଇଗଲା | ଜଟିଆ ପାହାଡ଼ ଉପରୁ ମେଘ ପବନ ମାଡି ଆସିଲା, ନାଆ ଟା ଜୋରେ ଦୋହଲିବାରେ ଲାଗିଲା | ଭୀଷଣ ବର୍ଷା ସହ ତୋଫାନ | ନାଉରିଆ ର କାତ ବି ପାଉନଥାଏ | ଚାହୁଁ ଚାହୁଁ ଡଙ୍ଗାଟିକୁ ଏ ତୋଫାନ ଭସାଇ ନେଇ ପାହାଡ଼ ଦେହରେ ବାଡେଇ ଦେଲା | ଆଖି ପିଛୁଳାକେ ସବୁ ଉଜୁଡି ଗଲା | କିଛି ସମୟ ପରେ ପବନ ମେଘ ନିଜ ବାଟରେ ଚାଲିଗଲେ | ପୁଣି ଥରେ ଖରା ମାଡିଆସିଲା, ଚିଲିକା ବୁକୁରେ କଳକଳ ହୋଇ ବୋହି ଯାଉଥାଏ ଜଳ | ବାପା ପଚାରିଲେ ନାଉରିଆକୁ "ନାଉରିଆ ଭାଇ ତୁ ଅଛୁ ମୁଁ ଅଛି ହେଲେ ମୋ ଝିଅ କାଇଁ ?? "| ନାଉରିଆ ପାଷାଣ ପରି ଠିଆ ହୋଇଥାଏ, ବାପା ଭୋଭୋ ହୋଇ କାନ୍ଦି ଜାଇକୁ ଖୋଜୁଥାନ୍ତି....... ହେଲେ ଜାଇ ଆଉ ମିଳିଲାନି | ସବୁଦିନ ପାଇଁ ତାଙ୍କ ଅଲିଅଳି ହୃଦୟମାଳି ଜାଇ ହଜିଗଲା ସେ ଚିଲିକା ଜଳରେ |

                     

                   ସାରା ଜଗତରେ ଯିଏ ପୂଜା ପାଇବ ସେ କଣ ଘର କୋଣରେ ଲୁଚି ରହିଥାନ୍ତା |ସେ "କାଳିଜାଇ" ନାଁଆ ରେ ବିଖ୍ୟାତ ହେବାର ଅଛି, ସମସ୍ତଙ୍କ ଠାରୁ ପୂଜା ପାଇବାର ଅଛି | ବିଧିର ବିଧାନ ବଡ ବିଚିତ୍ର ମା |ଏବେ ବାଲୁଗାଁ କୂଳୁ ପାରିକୁଦ ଗଡ ପର୍ଯନ୍ତ ନୀତି ନାଆ ରେ ଲୋକ ମନେ ଯାଉଛନ୍ତି | ଲୋକେ କୁହନ୍ତି ସନ୍ଧ୍ୟା ହେଲେ ସେ ପାହାଡ଼ରୁ ଅନେକ ସମୟରେ ମଣିଷ କଥା ଶୁଣାଯାଏ | ଜନଶୂନ୍ୟ ପାହାଡ଼ରୁ ମଣିଷ କେଉଁଠି ଆସିବେ ??? | ସୂର୍ଯ୍ୟ ଯେତବେଳେ ବୁଡ଼ିଯାଏ ଓ ଅନ୍ଧାର ମାଡିଆସେ... ସେଇ ଅନ୍ଧାର ଭିତରେ ଜାଇ ବାହାରେ ଆଉ ତା କାନ୍ଦିବା ସ୍ୱର କୁ ସମସ୍ତେ ଶୁଣନ୍ତି " |

                   ଅଜାଙ୍କ କଥାରେ ସେଦିନ ମୁଁ କଇଁ କଇଁ ହୋଇ କାନ୍ଦିଥିଲି, ଜାଇ ପାଇଁ..... ଜେଜେଙ୍କୁ ମନା କଲି ଜେଜେ ମତେ ବାହା କରିବନି | ଜେଜେ ମୋତେ କୋଳେଇ ନେଇଥିଲେ ଆଉ ଗେଲ୍ହା ରେ କହିଥିଲେ ନା କେବେ ନୁହେଁ | ସେଦିନ ଖାଲି ମୁଁ ନୁହେଁ, ଜେଜେ ମା, ବୋଉ ମୋ ପିଉସୀ ନାନୀ ସମସ୍ତେ କାନ୍ଦିଥିଲେ ଜାଇ ର କଥାରେ | ଗୋଟେ ଝିଅର ଭାବନା କୁ ଆଉ ଗୋଟେ ଝିଅ ହିଁ ବୁଝିପାରେ |

                  

ମୋର ସ୍ନାତକ ଶେଷ ବର୍ଷରେ ଜେଜେ ମତେ ଛାଡି ଆରପାରିକୁ ଚାଲିଗଲେ | ଜେଜେ ଯିବାପରେ ଲାଗିଲା ଯେପରି ମୁଁ ବଂଚି ପାରିବିନି ତାଙ୍କ ବିନା | ଅନେକ ଦିନ ଲାଗିଥିଲା ମତେ ଜେଜେଙ୍କୁ ଭୁଲିବାକୁ | ପାଞ୍ଚ ବର୍ଷ ପରେ ଶୁଭଂକର ସହ ମୋର ବାହାଘର ହୋଇଗଲା | ବାହାଘର ପାରେ ଘର ଠାରୁ ବହୁତ ଦୂରରେ ରହିବାକୁ ପଡିଲା | ପିଲା ଦୁଇଟିଙ୍କୁ ନେଇ ଵ୍ୟସ୍ତ ଜୀବନ ହୋଇଗଲା |

                   ଗ୍ରୀଷ୍ମ ଛୁଟିରେ ପିଲାଙ୍କୁ ନେଇ ଅନେକ ଜାଗା ବୁଲିଯାଉ, ସବୁ ବର୍ଷ ପରି ଏଥର ବି ପ୍ଲାନ ହେଲା | କିନ୍ତୁ ମୋ ପାଇଁ କିଛି ବିଗତ ଦିନର ଅଭୁଲା ସ୍ମୃତି ଆଉ ଥରେ ତାଜା ହେବାର ଥିଲା | ପିଲାଙ୍କୁ ସାଙ୍ଗରେ ନେଇ ରିସୋର୍ଟସ କୁ ଯିବାର ପ୍ଲାନ କରିଥିଲେ କିନ୍ତୁ କଣ ହେଲା କେଜାଣି ,ଶୁଭଂକର ଯିବା ପୂର୍ବଦିନ ମତେ ଜଣାଇଲେ ଆମେ ଏଥର ଚିଲିକା ଯିବା | ମୁଁ ବହୁତ ଖୁସି ଥିଲି ଓ ମନେ ମନେ ଜେଜେଙ୍କୁ ମନେ ପକାଉ ଥିଲି | ସବୁ ପ୍ୟାକିଂ ହୋଇଗଲା ଦୁଇ ପିଲାଙ୍କୁ ସାଙ୍ଗରେ ନେଇ ବାହାରିଲୁ ଚିଲିକା |

ସାତପଡ଼ାରୁ ଦୁଇ ଘଣ୍ଟା ଲାଗିଲା ବାଲୁଗାଁ ରେ ପହଂଚିବାକୁ | ରାସ୍ତା କଡରେ ଠାଏ ଠାଏ ମାଛ ଶୁଖା ହେବାର ଦୃଶ୍ୟ ବଡ ନୂଆ ଥିଲା ମୋ ପିଲାଙ୍କ ପାଇଁ | ଗେଷ୍ଟ ହାଉସ ରେ ପହଂଚିଲୁ କିଛି ସମୟ ରହି ବାହାରିଲୁ ଚିଲିକା ଅଭିମୂଖେ | ମନରେ ମୋର ଉତ୍କଣ୍ଠା ଭରି ରହିଥାଏ | ଯାହାକୁ ଦିନେ ମଧୁଦିଦି ଓ ଜେଜେଙ୍କ କଥାରେ ଦେଖିଥିଲି ତାକୁ ଆଜି ସୌଚକ୍ଷୁ ରେ ଦେଖିବି |

                      3560 ବର୍ଗ କ୍ଷେତ୍ର ବିଶିଷ୍ଟ ଏ ଚିଲିକା ହ୍ରଦ, ଚାହିଁଲେ ଆଖି ପାଉନାହିଁ | କେତେ ସୁନ୍ଦର ସତରେ | ଭାରତର ବୃହତମ ଓ ପୃଥିବୀର ଦ୍ୱିତୀୟ ବୃହତମ ହ୍ରଦ ବୋଲି ଶୁଣିଥିଲି ଆଜି ତାହା ଅନୁଭବ କରୁଛି | 150000ରୁ ଅଧିକ ଲୋକ ମାଛମାରି ଜୀବିକା ଅତିବାହିତ କରନ୍ତି | 132 ଟି ଗାଁ କୁ ଘେରି ରହିଛି ଏ ଚିଲିକା | ଶୀତଦିନେ ବିଦେଶୀ ପକ୍ଷୀମାନେ କାହି କେଉଁ ଦୂରରୁ ଉଡି ଆସନ୍ତି ଏଠାକୁ | ସାଉତୁଏସିଆ, ହିମାଳୟ, ମଙ୍ଗୋଲିଆ ଏମିତି ଅନେକ ଦେଶରୁ ଆସି ଚିଲିକାର ସ୍ୱଭାକୁ ଦୁଇ ଗୁଣିତ କରିଥାନ୍ତି | ମୁଁ ଚିଲିକା କୁ ଦେଖିଲା ପରେ ଜାଣିଲି  ମୋ ଭାବନାର ଚିଲିକା ଠାରୁ ଆହୁରି ସୁନ୍ଦର ଏ ବାସ୍ତବ | ଗୀତାଞ୍ଜଳି ବୋଟ ରେ ବସି ଆଗକୁ ବଢ଼ିଲୁ, ଚିଲିକା ପାଣି କୁ ଦେଖି ଜାଇର କଥା ଗୋଟି ଗୋଟି ହୋଇ ସବୁ ମନେ ପଡି ଯାଉଥିଲା | କାଳିଜାଇ ମନ୍ଦିର ଯାଇ ବହୁତ ଶାନ୍ତି ଅନୁଭବ କଲି | ତା ପାରେ ବଡ଼କୁଦ, କୃଷ୍ଣପ୍ରସାଦ, ରାଜହଂସ, ନଳବନ, ଚଢେଇଗୁହା, ନୂଆପଡ଼ା, ସାନକୁଦ, ମାଲୁଦ, ପାରିକୁଦ ଏପରି ଅନେକ ଛୋଟ ବଡ ଦ୍ୱୀପ ପୁଞ୍ଜ ଦେଖିଲୁ | ମାଛ, କଙ୍କଡା ଚିଙ୍ଗୁଡ଼ି ଏପରି ଅନେକ ପ୍ରକାର ମାଛ ଦେଖିବାକୁ ପାଇଲୁ | ହଁ ବୋଟ ରେ ଆସିଲା ବେଳେ ସବୁଠୁ ସୁନ୍ଦର ଦୃଶ୍ୟ ଥିଲା ଡ଼ଲଫିନ, ଓ ତାସହ ଚିଲିକା ଜଳରେ ଦୋଳାୟମାନ ପକ୍ଷୀ | କି ସୁନ୍ଦର !!!|

    

                             ଅନେକ ବୁଲା ବୁଲି ପରେ ସନ୍ଧ୍ୟା ହୋଇଆସିଲା, ସୂର୍ଯ୍ୟ ପାହାଡ଼ ପାଖରେ ପହଂଚି ଗଲେଣି..... ଆଉ ଟିକେ ପାରେ ନିଜକୁ ଲୁଚାଇ ନେବେ | ସମସ୍ତେ ଆସି ବୋଟ ରେ ବସିଲେ | ଚିଲିକାର ବିସ୍ତିଣ୍ଣ ଜଳରାଶି ଓ ତା ମଧ୍ୟରେ ବୋଟଟି ଗର୍ଜନ ଭାଙ୍ଗି ଚାଲୁଥାଏ | ସଞ୍ଜ ବୁଡି ସାରିଥାଏ |

             ମୋର କାହିଁକି ଇଛା ହେଲା ପାଣିରେ ଟିକେ ହାତ ଲଗେଇବାକୁ , ହାତ ବଢାଇବା ମାତ୍ରେ ମତେ ଲାଗିଲା ଯେପରି କିଏ ମୋ ହାତକୁ ଉପରକୁ ଟାଣି ଆଣିଲା | ମୋ କାନ ପାଖରେ ଶୁଣଗଲା ସ୍ପଷ୍ଟ ସ୍ୱର "ମା ଏମିତି କରେନି, ଏଟା ପରା ଚିଲିକା ଗଣ୍ଡ "| ସେ ସ୍ୱର ଆଉ କାହାର ନଥିଲା, ଥିଲା ମୋ ଅତି ଆଦରର ଜେଜେ ଙ୍କର |

ଦେହଟା ମୋର ଶୀତେଇ ଉଠିଲା | ଲାଗିଲା ଯେପରି ଜେଜେ ମୋ ପାଖକୁ ଲାଗି ଆସି ମୋ ମୁଣ୍ଡକୁ ଆଉଁଷି ଦେଉଛନ୍ତି |ଜେଜେ ଙ୍କ ଯିବାକୁ ପନ୍ଦର ବର୍ଷ ହୋଇଗଲାଣି, ଏହା ଭିତରେ ଥରେବି ମୋ ଜେଜେଙ୍କୁ ଦେଖି ନଥିଲି | ଏତେ ଦିନ ପାରେ ଆଜି ମୁଁ ତାଙ୍କୁ ଅନୁଭବ କରୁଥିଲି | ଲାଗିଲା ଯେପରି ସେ ମୋ ପାଖରେ ବସି ଯଗିଛନ୍ତି | ମୁଁ ଶୁଭଙ୍କର ଙ୍କ ପାଖକୁ ଲାଗି ଆସିଲି | କିଛି ସମୟ ପରେ ଆମେ ଆସି ପହଂଚି ଗଲୁ | ଶୁଭଙ୍କର ଓ ପିଲାମାନେ ଖାଇବା ଅଡ଼ର କରି ଖାଇନେଲେ | ମୋ ଦେହଟା ଶୀତେଇ ଯାଉଥାଏ, ମତେ ଜୋରେ ଜ୍ୱର ଆସିଗଲା | ଶୁଭଂକର ରାତିସାରା ପାଖରେ ବସି ଯଗିଥାନ୍ତି | ମେଡ଼ିସିନ ଖାଇବା ପାରେ ଜ୍ୱର କମିଲା | ସକାଳୁ ମୁଁ ଡେରିରେ ଉଠିଲି | ଜ୍ୱର ନଥାଏ... ଆଗଭଳି ସବୁ ଠିକୀ ଥିଲା | ଶୁଭଙ୍କର ପାଖକୁ ଆସି ପଚାରିଲେ........ " କଣ କାଲି ଚିଲିକାରୁ ଫେରିଲା ବେଳେ କାହାର କାନ୍ଦ ଶୁଭିଲା ନା କଣ, ଡରରେ ଜ୍ୱର ହୋଇଗଲା "??| ମୁଁ ଟିକେ ହସିଦେଲି କହିଲି..... "ନାଇଁ ସେମିତି କିଛି ନାହିଁ, ଅତ୍ୟଧିକ କ୍ଲାନ୍ତ ହେବା ପରେ ଏମିତି ହୋଇଛି ଶୋଇ ଉଠିବା ପରେ ଏବେ ଭଲ ଲାଗୁଛି "|

"ଜଲ୍ଦି ଉଠି ବ୍ରେକଫାଷ୍ଟ କରିନିଏ, ଏଥର ବାହାରିବା" | କହି ଲନ ଆଡକୁ ଚାଲିଗଲେ ଶୁଭଂକର |

ମୁଁ ବସି ଜେଜେଙ୍କ କଥା ଭାବୁଥାଏ, କାଲି ଯାହା ହେଲା ତାହା କଣ ସତ ଥିଲା ୟା ମୋ ଭ୍ରମ | କିନ୍ତୁ ସାରା ଜୀବନ ଏ ମୋ ପାଇଁ ଅତି ସୁନ୍ଦର ସ୍ମୃତି ହୋଇ ରହିବ |

                

                      


Rate this content
Log in

Similar oriya story from Classics