Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Sachidananda Kar

Romance

4.0  

Sachidananda Kar

Romance

ଛଳନା : ମିଠା ମିଠା

ଛଳନା : ମିଠା ମିଠା

2 mins
9



          ସବୁବେଳେ ମୁଁ ତୁମରି ପରି ମଣିଷମାନଙ୍କୁ ପ୍ରତୀକ୍ଷା କରିଥାଏ।


          ଏଇଥିପାଇଁ ନୁହେଁ ଯେ ତୁମେ ମୋତେ ଖୁବ୍ ଶ୍ରଦ୍ଧାରେ ଆଲିଙ୍ଗନ କର,ମିଠା ମିଠା ଚୁମ୍ବନ ଦିଅ।


         ମୋର ଇଚ୍ଛା ସବୁବେଳେ ଆଉ କିଛି।ତୁମେ ତାହା ବୁଝିଛ କି ନାହିଁ ଜାଣିନି।ମୋର ସେଥିରେ କିଛି ବି ଯାଏ ଆସେ ନାହିଁ।


         ତୁମେ ମୋ ପାଖକୁ ଆସିଲେ ଇ ମୋର ଇଚ୍ଛା ପୂରଣ ହୁଏ।ମୁଁ ବୁଝେ ସ୍ତ୍ରୀ ଠାରୁ ତୁମେ ମୋତେ ବହୁତ ବେଶୀ ଭଲପାଉଛ,ସୁନ୍ଦରୀ ଭାବୁଛ।


         ସେ ପଲଙ୍କ ସଜାନ୍ତିନି,ମୁଁ ସଜାଏ।


         ସେ ଗଭାରେ ଗଜରା ବାନ୍ଧନ୍ତିନି,ମୁଁ ବାନ୍ଧେ।


         ସେ ଚୁମ୍ବନ ଦେଇ ଜାଣନ୍ତିନି ଯେମିତି ମୁଁ ଦିଏ।


         ସେ ମଲା ମାଛ ପରି ପଡି ରହନ୍ତି, ମୁଁ ଉଷ୍ମ ଆଲିଙ୍ଗନ କରେ।


         ସେ ଗେହ୍ଲା କରନ୍ତିନି,ମୁଁ ବହୁତ କରେ।


         ସେ ତୁମକୁ ସାଧାରଣ ମନେକରନ୍ତି,ମୁଁ ରାଜକୁମାର ମନେକରେ।


         ସେ କେବେ ବି ତୁମକୁ ମନେ ପକାନ୍ତିନି,ମୁଁ ତୁମକୁ ଆଖି ପଲକରେ ରଖିଥାଏ।


          ସେ ପାଖରେ ଥିଲେ ତୁମର ଦୁଶ୍ଚିନ୍ତା, ମୁଁ ଥିଲେ ତୁମେ ଚିନ୍ତାଶୂନ୍ୟ।


          ସେ ବାଡ ପକାନ୍ତି ସବୁ କଥାରେ, ମୋ ପାଖରେ ତୁମର ପୂର୍ଣ୍ଣ ସ୍ବାଧୀନତା।


          ଏସବୁ ମୋର ମନଗଢା ନୁହେଁ, ତୁମେ ମୋତେ କହିଥିବା କଥା।


          ତୁମ କଥାରୁ ବୁଝେ ତୁମେ ସ୍ତ୍ରୀ ପାଖରେ ଆଦୌ ସନ୍ତୁଷ୍ଟ ନୁହଁ।ମୋ ପାଖରେ ସନ୍ତୁଷ୍ଟ।ମୁଁ ଖୁସି ହୁଏ।ଭାବେ ସମସ୍ତେ ଯଦି ନିଜ ନିଜର ସ୍ତ୍ରୀ ପାଖରେ ସନ୍ତୁଷ୍ଟ ରହିବେ ,ମୁଁ ବଞ୍ଚିବି କେମିତି।ତୁମେ ଇ ତ ମୋର ସୃଷ୍ଟିର କାରଣ,ମୋର ଅସ୍ତିତ୍ଵ।


          ମୁଁ ବିକ୍ରି ହୋଇ ସାରିଥିଏ।ତୁମେ କିଣି ନେଇଥାଅ।ତା'ପରେ ମୁଁ ଯାହା କରେ ସେସବୁ ମୋର ଧର୍ମ।ତୁମେ ଥାଅ ମୋ ପାଖରେ,ମୁଁ ଅଟକି ଯାଇଥାଏ ମୋ ସମୟ ପାଖରେ।


          ମୁଁ ଜାଣିଥାଏ ତୁମେ କାହିଁକି ମୋ ପାଖକୁ ଆସିଛ।ଦେଖିପାରେ ତୁମ ଭିତରେ ଜଳୁଥିବା ନିଆଁକୁ।ମୁଁ ଖୁସି ହୁଏ ଯେତେବେଳେ ଦେଖେ ମୋ ଦେହର କାରୁକାର୍ଯ୍ୟ ଦେଖି ତୁମେ ବିମୋହିତ ହେଉଛ।ହଜିଯାଉଛ।


          ମୁଁ ନୀରବ ଥାଏ।ମୋ ରକ୍ତ, ମାଂସ,ହାଡର କଳାତ୍ମକ ଫୁଲଗୁଡିକୁ ତୁମେ ଖିନଭିନ୍ କରୁଥାଅ।ମଜା ଉଠାଉଥାଅ।ମୋତେ ଲାଗେ ମୁଁ ଯେମିତି ତୁମର ସବୁଠାରୁ ବେଶୀ ଇପ୍ସିତ ଏ ଦୁନିଆରେ।


          ତୁମର ସବୁକିଛି ଆପଣେଇ ନିଏ ମୁଁ।ବେଶ୍ କିଛି ସମୟ ପାଇଁ ତୁମକୁ ତୁମ ସୁଖ ଓ ସ୍ବପ୍ନର ରାଜ୍ୟରେ ବୁଡାଇ ରଖେ।


           ହେଲେ ବିଶ୍ୱାସ କର ମୁଁ ଆଦୌ ସେମିତି ନୁହେଁ।ତୁମେ ମୋ ପାଖରୁ ଯାଉଣୁ ନ ଯାଉଣୁ ମୁ ସବୁକିଛି ଭୁଲି ସାରିଥାଏ।ମୋ ଭିତରେ କେବଳ ପ୍ରତିଶୋଧର ନିଆଁ ଜଳୁଥାଏ।


           ଜଳିବନି ? କାହିଁକି ଜଳିବନି କୁହ ?


           ଆବଶ୍ୟକ ନ ଥିଲେ ତୁମେ କ'ଣ ଆସନ୍ତ ମୋ ପାଖକୁ ? ସ୍ତ୍ରୀ ନିନ୍ଦା କରନ୍ତ ?


           ହେଲେ ମନେରଖ ଧୀରେଧୀରେ ସବୁକିଛି ଲିଭି ଆସିବ।ରାତିରେ ଜଳୁଥିବା ଜୁଇଟା ସକାଳକୁ ମୁଠାଏ ପାଉଁଶ ହୋଇ ଯାଇଥାଏ ପରା।ନିଆଁର ଚିହ୍ନବର୍ଣ୍ଣ ନ ଥାଏ ସେଥିରେ।ପ୍ରେମ ବି କେବେକେବେ ପ୍ରତ୍ନତତ୍ତ୍ୱ ପାଲଟି ମାଟି ତଳେ ପୋତି ହୋଇପଡେ।


           ଦିନ ଆସିବ ତୁମେ ନୀରବ, ନିଶ୍ଚଳ ହୋଇ ଶୋଇ ପଡିଥିବ।ଆଉ ସେତେବେଳେ କ'ଣ ହେବ ଜାଣିଛ ? ମୁଁ କାନ୍ଦୁ ନ ଥିବି,ବରଂ ସଜେଇ ହୋଇ ଆଉ କାହାର ଅପେକ୍ଷାରେ ଥିବି।ଭାବୁଥିବି ତୁମ ପରି ଆଉ କିଏ ପହଞ୍ଚିବ କାଳେ।


           ହେଲେ କାନ୍ଦୁଥିବ ତୁମ ସ୍ତ୍ରୀ, ସେତେବେଳେ ଯଦି ତୁମ ସାଙ୍ଗରେ ଥିବ ସେ ବିଚାରୀ।ସେଦିନ ତୁମକୁ ବିଦାୟ ଦେବା ପାଇଁ ଏରୁଣ୍ଡି ବନ୍ଧ ଯାଏ ଆସିବ ସେ ନିଶ୍ଚୟ।ଆଖି ଲୁହରେ ସମୁଦ୍ର ସୃଷ୍ଟି କରିବ।


           - " ଏଁ ! କ'ଣ ଏମିତି ଭାବୁଛ ଯେ ! ମୁଁ କେତେବେଳୁ ଆସିଲିଣି ପରା।ଅଥଚ ତୁମେ ଭାବନାରେ ବୁଡିଯାଇଛ ? " 


           ସହସା ମୁଁ ଚମକି ପଡ଼ିଲି।


           ମୋ ଖୁବ୍ ପାଖରେ ବସି ମୁର୍କି ମୁର୍କି ହସୁଥିଲେ ସେ।ତାଙ୍କୁ ଚାହିଁ ମିଠା ମିଠା ଛଳନାର ହସ ହସିଦେଇ ମୁଁ ସଙ୍ଗେସଙ୍ଗେ ପ୍ରକୃତିସ୍ଥ ହୋଇଗଲି।କହିଲି - " ତୁମରି କଥା ଇ ତ ଭାବୁଥିଲି ମୁଁ।ତୁମେ କେତେବେଳେ ଆସିବ। "


          ମୋର ଏତିକି କଥାରେ ସେ ବହୁତ ସନ୍ତୁଷ୍ଟ ଦିଶିଲେ।ମୋତେ ଆମୋଦିତ କରି ପୁଣି ମୁର୍କି ମୁର୍କି ହସିଲେ ସେ ସେଇ ମଧୁଝରା ସୁନ୍ଦର ସଂଧ୍ୟାରେ।ମୋ ଘରସାରା ସ୍ବର୍ଗର ପାରିଜାତ ବିଛେଇ ହୋଇଗଲା।


Rate this content
Log in

More oriya story from Sachidananda Kar

Similar oriya story from Romance