ଛିଦ୍ରଉଣ୍ଡା
ଛିଦ୍ରଉଣ୍ଡା


ଜଣେ ଲୋକ ଠାରେ ଭଲ ଗୁଣ ଯେତେ ଥାଉନା କାହିଁକି ସେସବୁକୁ ଅଣଦେଖା କରି ଖୁଣ ଅଧିକ କାଢ଼ନ୍ତି ଶ୍ଯାମସୁନ୍ଦର ବାବୁ। ସଜ ମାଛରେ ପୋକ ପକାଇ ଦେବା ଲୋକ ଇଏ। ଏଇଟା କିନ୍ତୁ ତାଙ୍କର ଅବଗୁଣ ନୁହେଁ ବରଂ ବିଶେଷ ସୁଗୁଣ! ଅନ୍ୟର ଦୋଷ ଦୁର୍ବଳତାକୁ ବାହାର କରିବା ଓ ପଦାରେ ପକାଇ ତାକୁ ବଦନାମ କରିବାରେ ତାଙ୍କର ପରମ ଆନନ୍ଦ।
ଯେଉଁ ଦିନ ତାଙ୍କ ହାତରେ କାହାର କିଛି ଖୁଣ ଖୁଣ୍ଟିବାକୁ ସୁରାକ ନଲାଗେ, ଭାତ ହଜମ ହୁଏନି। ଥନ୍ତଲା ପେଟଟି ଗୋଳେଇ ଘାଣ୍ଟି ହୋଇ ବଡ଼ କଷ୍ଟ ଦିଏ ତାଙ୍କୁ। ଲୋକେ ଯେମିତି ସଞ୍ଜ ସକାଳେ ଚାଲନ୍ତି ଖାଦ୍ୟ ହଜମ କରିବା ପାଇଁ, ସେମିତି ଶ୍ୟାମସୁନ୍ଦର ବାବୁ ଅନ୍ୟର ଅବଗୁଣ ଖୋଜିବା ଓ ବଖାଣିବା ପାଇଁ ତତ୍ପର ରୁହନ୍ତି।
ବେଶ୍ କୁହାଳିଆ ତୁଣ୍ଡ ତାଙ୍କର। ଅଦ୍ୱିତୀୟ ବାକପଟୁ ସେ! ଦୀର୍ଘ ଚାଳିଶ ବର୍ଷ ଧରି ଅଡ଼ିଟର୍ ଚାକିରି କରିଥିଲେ। କମ୍ବଳରୁ ବାଳ ସବୁକୁ ଅଲଗା କରିପାରିବାର ବିଶେଷ ଦକ୍ଷତା ରହିଛି ଶ୍ଯାମସୁନ୍ଦର ବାବୁଙ୍କର। ଦେଖୁ ଦେଖୁ କହିଦିଅନ୍ତି ହିସାବରେ କେଉଁଠି ଗଡବଡ ଅଛି ବୋଲି। ଛଞ୍ଚାଣର ଆଖି ପରି ତାଙ୍କ ଆଖି, ସବୁ ଭୁଲ୍ ଭଟକାକୁ ଅବିଳମ୍ବେ ଶିକାର କରିନିଏ। ବିଚରା ଆକାଉଣ୍ଟାଣ୍ଟ୍ ଯାହା ସମସ୍ତ ସମାଲୋଚନାର ଶରବ୍ଯ ହୁଏ।
ଏଇ ବାହାନାରେ କ୍ଲାଏଣ୍ଟ୍ ଠାରୁ ଉତ୍ତମ ଭାବରେ ସେବା ଆଦାୟ କରି ନିଅନ୍ତି ଶ୍ଯାମସୁନ୍ଦର ବାବୁ। ମାଛ ତେଲରେ ମାଛ କିପରି ଭାଜିବାକୁ ହେବ ତାହା ତାଙ୍କୁ ଭଲ କରି ଜଣା। ହିସାବ ପତ୍ରରେ ଥିବା ଦୁଇ ଚାରିଟା ବିସଙ୍ଗତି କାଢିଦେଲେ କ୍ଲାଏଣ୍ଟ୍ ଅର୍ଥରେ ମଙ୍ଗଳବାର ହୋଇଯାଏ। ମାସ ମାସ ଧରି ଘର ଠାରୁ ଦୁରେଇ ରୁହନ୍ତି ସେ ଅଡିଟ୍ ଟୁର୍ ପାଇଁ। ଘରୁ ବାହାରିଲା ବେଳେ ଗୋଟିଏ ମାତ୍ର ସୁଟକେଶ୍ ନେଇ ଯାଇଥିବେ। ଫେରିବା ବେଳକୁ ଗାଡ଼ି ଭର୍ତ୍ତି ମାଲ୍ ଆଣିକି ଆସିବେ।
ବେଶ୍ ଭୋଜନ ବିଳାସୀ ଶ୍ଯାମସୁନ୍ଦର ବାବୁ, ଆମିଷାଶୀ। ଉପରେ ପଡ଼ି ମାଗଣାରେ କେମିତି ଖିଆଯାଏ, ସେ କଳା କୌଶଳରେ ସେ ନିପୁଣ। ବର୍ଷକ ମଧ୍ୟରେ କିଛି ଦିନ ଛାଡ଼ି ପ୍ରାୟ ସବୁଦିନେ ଦି ଓଳି ଆଇଁଷ ନହେଲେ ତାଙ୍କର ନ ଚଳେ। ସେଥିପାଇଁ ବିଶେଷ ଧ୍ୟାନ ରଖିଥାନ୍ତି ତାଙ୍କର କ୍ଲାଏଣ୍ଟ୍ ମାନେ। ସେ ସବୁବେଳେ କହିହୁଅନ୍ତି, "ଯାବତ ନପୁରେ ଉଦର, ତାବତ ଜ୍ଞାନ ନାହିଁ ମୋର!"
ସବୁ କଥାରୁ କିଛି ନା କିଛି ଅଲଗା ଅର୍ଥ ବାହାର କରି ତାର ତର୍ଜମା ନିଜ ସୁବିଧା ଅନୁସାରେ କରନ୍ତି ସେ। ଏଇ ଯେମିତି ସଜ ଧରା ହୋଇଥିବା ଜୀଅନ୍ତା ମାଛକୁ ପୋକରା ସଢା ବରଫଦିଆ କହି ଏମିତି ଯୁକ୍ତି କରନ୍ତି ଯେ, କେଉଟ ବିଚରା କମ୍ ଦାମରେ ବିକିଦିଏ ତାଙ୍କୁ ବଦନାମୀ ଡରରେ। ନେହୁରା ହୁଏ ନ ଚିଲେଇବା ପାଇଁ ନଚେତ୍ ଅନ୍ୟ ଗ୍ରାହକ ମାନେ ମୁହଁ ଫେରାଇ ନେବେ। ରାସ୍ତାକଡ଼ର ସବୁ ଛୋଟ ବଡ଼ ଉଠା ଦୋକାନୀଙ୍କ ପାଇଁ ଶ୍ଯାମସୁନ୍ଦର ବାବୁ ଶନି ଗ୍ରହ! ଥରେ ହାବୁଡିଗଲେ ଆଉ ପିଛା ଛାଡନ୍ତି ନାହିଁ।
ସେଇ ଗୋଟିଏ କଥାକୁ ବାରମ୍ବାର ପୁନରାବୃତ୍ତି କରିବାକୁ ତାଙ୍କୁ ବିରକ୍ତି ଅନୁଭବ ହୁଏନାହିଁ ବରଂ ଏତେ ସବୁ କଥା ମନେରଖି ପାରିଛନ୍ତି ବୋଲି ନିଜ ସ୍ମରଣ ଶକ୍ତିର ମହିମା ଗାନ କରନ୍ତି। ବୟୋଜ୍ୟେଷ୍ଠ ବ୍ୟକ୍ତି ହୋଇଥିବା ହେତୁ ଲୋକେ ତାଙ୍କୁ ସମ୍ମାନ କରନ୍ତି। କିନ୍ତୁ ତାଙ୍କର ରିପିଟ୍ ଟେଲିକାଷ୍ଟ୍ ପାଇଁ ମନେ ମନେ ବିରକ୍ତ ହେଉଥିଲେ ମଧ୍ୟ ମୁହଁରେ କେହି କିଛି କହି ପାରନ୍ତି ନାହିଁ ସଂସ୍କାର ଓ ଲୋକାଚାରର ଦ୍ବାହି ଦେଇ।
ଅନେକ ଲୋକ ତାଙ୍କ ଦୃଷ୍ଟି ଏଡ଼େଇବା ପାଇଁ ଚେଷ୍ଟା କରନ୍ତି ବାଟରେ ଘାଟରେ ଅଯଥା ଅଲଣା କଥାରୁ ବର୍ତ୍ତିବା ପାଇଁ। ଅକସ୍ମାତ ଯଦି କେହି ତାଙ୍କ ହାବୁଡରେ ପଡିଯାଏ, ତାର ଦିମାଗ ମଗଜ ସବୁ ଦହି ହୋଇଯାଏ। ଶ୍ଯାମସୁନ୍ଦର ବାବୁଙ୍କ ଏପରି ଅଜବଗଜବ ବ୍ୟବହାରରେ ତାଙ୍କ ପରିବାର ବର୍ଗ ମଧ୍ଯ ଅତିଷ୍ଠ କିନ୍ତୁ ଅସହାୟ ନିରୁପାୟ। ସାହି ପଡିଶାରେ ଶ୍ଯାମସୁନ୍ଦର ବାବୁଙ୍କୁ ନେଇ ଲୋକଙ୍କ ଟାହିଟାପରା ଶୁଣିବାକୁ ଭଲ ଲାଗେନି ସେମାନଙ୍କୁ। ସଭିଏଁ କାଳେ ତାଙ୍କୁ "ପର ଛିଦ୍ର ଉଣ୍ଡା" ବୋଲି ଡାକନ୍ତି ସାଙ୍କେତିକ ଭାଷାରେ!
ନିଜକୁ ସଦାସର୍ବଦା ମିଷ୍ଟର ପରଫେକ୍ଟସନିଷ୍ଟ୍ ଭାବେ ଅନ୍ଯମାନଙ୍କ ସମ୍ମୁଖରେ ପ୍ରଦର୍ଶିତ କରନ୍ତି। କିନ୍ତୁ ଅନ୍ୟମାନଙ୍କ ଅବଗୁଣ ବଖାଣରୁ ବିରତ ରୁହନ୍ତି ନାହିଁ। ୟା ଖୁଣ ତା ଆଗରେ ତ ତା ଖୁଣ ପୁଣି ଆଉ କାହା ଆଗରେ। ଏଣୁ ତାଙ୍କ ସମବୟସ୍କ ବନ୍ଧୁମାନେ ବିଚାର କରନ୍ତି ଯେ, "ଅନ୍ୟର ଖୁଣ ଗଣିବାରେ ଯଦି ନୋବେଲ୍ ପୁରସ୍କାର ମିଳୁଥାନ୍ତା, ତେବେ ଶ୍ଯାମସୁନ୍ଦର ବାବୁ ଏହି ବିଭାଗରେ ପ୍ରଥମ ବିଜେତା ହୋଇଥାନ୍ତେ!"
"ପ୍ରେମ" ନେଇ ଶ୍ଯାମସୁନ୍ଦର ବାବୁ ବଡ଼ ସିନିକାଲ୍ ଅର୍ଥାତ୍ ନିରାଶାବାଦୀ। ବହୁମୂଲ୍ୟ ସମୟର ବୃଥା ଅପଚୟ ବୋଲି ବିବେଚନା କରନ୍ତି ସେ। ନିଜେ ବାହା ହୋଇଥିଲେ ବାପାମାଆଙ୍କ ଇଚ୍ଛାମୁତାବକ, ସେଥିପାଇଁ ନିଜକୁ ନିଜେ ଆଦର୍ଶ ସ୍ଥାନୀୟ ପୁରୁଷ ଭାବେ ପରିଗଣିତ କରିବା ପାଇଁ ଡିଣ୍ଡିମ ପିଟନ୍ତି ଚାରିଆଡ଼େ।
କିନ୍ତୁ ତାଙ୍କ ନିକଟତମ ଆତ୍ମୀୟଙ୍କ ଠାରୁ ଯାହା ଶୁଣିବାକୁ ମିଳେ, ସେ କାଳେ ସମ୍ପତ୍ତି ଲୋଭରେ ବିବାହ କରିଥିଲେ ପତ୍ନୀ ସୁଲୋଚନା ଦେବୀଙ୍କୁ! ବାପାମାଆଙ୍କର ଏକ ମାତ୍ର କନ୍ୟା ହୋଇଥିବାରୁ ସୁଲୋଚନା ଦେବୀ ଥିଲେ ଅମାପ ଭୂସମ୍ପତ୍ତିର ଏକ ମାତ୍ର ଉତ୍ତରାଧିକାରିଣୀ। ଦେଖିବାକୁ ବିଶେଷ ସୁନ୍ଦର ହୋଇ ନଥିବାରୁ ଅନେକ ବିବାହ ପ୍ରସ୍ତାବ କାଟ୍ ଖାଇଯାଉଥିଲା ତାଙ୍କର। ବିରାଡ଼ି କପାଳକୁ ଶିକା ଛିଣ୍ଡିବା ପରି ଶ୍ଯାମସୁନ୍ଦର ବାବୁଙ୍କ ପାଇଁ ତାଙ୍କର ବିବାହ ପ୍ରସ୍ତାବ ଆସିଥିଲା। ଥୋପରେ ରଖାଯାଇଥିଲା ସମସ୍ତ ଭୂସମ୍ପତ୍ତି ଓ ଘର ଜୋଇଁଆ ହୋଇ ରହିବାର ପ୍ରଲୋଭନ!
ଶ୍ଯାମସୁନ୍ଦର ବାବୁଙ୍କ ପରି ସୁବିଧାବାଦୀ ବ୍ୟକ୍ତି ଥୋପ ଗିଳି ରାତାରାତି ମାଲାମାଲ୍ ହୋଇଗଲେ। କେହି କେହି ତାଙ୍କୁ ଥଟ୍ଟାରେ ଏକଥା କହିଲେ, ପ୍ରତ୍ୟୁତ୍ତରରେ ସେ କହନ୍ତି, "ସମ୍ପତ୍ତି ଆହରଣ କରିବା ମଣିଷର ସ୍ବାଭାବିକ ଓ ସହଜାତ ପ୍ରବୃତ୍ତି!" ହେଲେ ରାଜଧାନୀ ଭୁବନେଶ୍ଵରର ମଧୁସୂଦନନଗର ଠାରେ ଥିବା ତ୍ରିତଳ ପ୍ରାସାଦଟି ଶ୍ଯାମସୁନ୍ଦର ବାବୁଙ୍କ କଷ୍ଟାର୍ଜିତ ସଞ୍ଚିତ ସମ୍ବଳର ପ୍ରତୀକ।
ପ୍ରେମ ଫ୍ରେମ ଫାଲତୁ କଥା ବୋଲି ତାଙ୍କର ବଦ୍ଧମୂଳ ଧାରଣା। ଅପସଂସ୍କୃତି ଓ ପାପାଚାର ଏଇ ପ୍ରେମ। ନାକ ଟେକନ୍ତି ପ୍ରେମୀଯୁଗଳଙ୍କୁ ଦେଖିଲେ ସତେଯେପରି ଏମାନେ କେଉଁ ଭିନ୍ନ ଗ୍ରହର ଜୀବ କିମ୍ବା କୌଣସି ଗର୍ହିତ ଅପରାଧ କରି ପକେଇଛନ୍ତି। ରାସ୍ତାଘାଟ କିମ୍ବା ପାର୍କରେ ଏମାନଙ୍କୁ ଦେଖି ବହେ ଗାଳିଗୁଲଜ କରନ୍ତି, କେହି ପ୍ରତିବାଦ କଲେ ପୋଲିସ୍ କୁ ଫୋନ୍ କରି ଅସଞ୍ଜତ ଅବସ୍ଥାରେ ଥିବା କଥା ମିଛରେ କହି ଅପଦସ୍ତ କରାନ୍ତି ସେମାନଙ୍କୁ।
ଯଦି କେହି ଚିହ୍ନାଜଣା ପ୍ରେମୀ ତାଙ୍କ ନଜରକୁ ଆସନ୍ତି ତେବେ କଥା ସରିଲା ସେଇଠି। କାନଧରି ବସ୍ ଉଠ୍ କରାନ୍ତି ସମସ୍ତଙ୍କ ସମ୍ମୁଖରେ। ଏତିକିରେ ମନ ଭରେ ନାହିଁ। ସେମାନଙ୍କ ଅଭିଭାବକଙ୍କ ଆଗରେ ଗୁପ୍ତ ପ୍ରଣୟର ଚିଠା ଖୋଲିଦିଅନ୍ତି। ଏମିତି ଅସଂଖ୍ଯ ପ୍ରେମ କାହାଣୀର ଖଳନାୟକ ଶ୍ଯାମସୁନ୍ଦର ବାବୁ।
ତାଙ୍କର ସର୍ବମୋଟ ପାଞ୍ଚୋଟି ପିଲାପିଲି। ତିନୋଟି ଝିଅ ଓ ଦୁଇଟି ପୁଅ। ତନ୍ମଧ୍ୟରୁ ଚାରିଜଣ ବିବାହିତ। ସେମାନେ ଅବଶ୍ୟ ପ୍ରେମ କରୁଥିଲେ ଲୁଚି ଲୁଚି ଗୋଟେ ସମୟରେ, କିନ୍ତୁ ପ୍ରବଳ ପ୍ରତାପୀ ଶ୍ଯାମସୁନ୍ଦରଙ୍କ ଆଗରେ କାହାର ବି ଗୋଟିଏ କଥା ରହିନାହିଁ। ଅଗତ୍ୟା ଇଛା ବିରୁଦ୍ଧରେ ବାହାହୋଇଛନ୍ତି ସଭିଏଁ। ଏଥିପାଇଁ ସମ୍ପତ୍ତି ଲୋଭ ମଧ୍ଯ କେତେକାଂଶରେ ଦାୟୀ। କେବଳ ଶ୍ୟାମସୁନ୍ଦର ବାବୁଙ୍କୁ ଦୋଷାରୋପ କରିବା ଏକପାଖିଆ ନ୍ୟାୟ ହେବ।
ସବା ସାନ ଝିଅ ସୁପ୍ରିୟା, ଏବେ ପି. ଜି. କରୁଛି ବାଣୀବିହାରରେ। ଦେଖିବାକୁ ଚମ୍ପା ଫୁଲ ପରି ସୁନ୍ଦର, ମଧ୍ଯମ ଗଢଣ, ସ୍ମାର୍ଟ୍। ବରପାତ୍ର ଦେଖାଚାହାଁ ଚାଲିଛି ତା ପାଇଁ। ବଡ ପୁଅ ସୌରଭ ଠାରୁ ତାର ବୟସଗତ ତାରତମ୍ୟ ପାଖାପାଖି ପନ୍ଦର ସତର ବର୍ଷ ହେବ ବୋଧେ। ପୀଢ଼ି ସମାନ ହେଲେ ମଧ୍ୟ ବିଚାର ଭିନ୍ନ! ଆକାଶ ପାତାଳ ଫରକ। ରୋକ୍ ଠୋକ୍ ସ୍ବଭାବର ଝିଅଟେ ସେ। ମନ ଦେଇ ବସିଥିଲା ତାର ସ୍ବପ୍ନର ରାଜକୁମାରକୁ। ସବୁକିଛି ଜାଣିଥିଲା ସେ ନିଜ ପରିବାର ଲୋକଙ୍କ ବିଷୟରେ।
ଦିନେ ଅପରାହ୍ନ ସମୟରେ ଶ୍ଯାମସୁନ୍ଦର ବାବୁ ଛକରେ ବନ୍ଧୁମାନଙ୍କ ସହିତ ଗୁଲିଖଟି କରୁଥିବା ବେଳେ ଦେଖିବାକୁ ପାଇଲେ, ତାଙ୍କ ଅଲିଅଳି କନ୍ଯା ସୁପ୍ରିୟା ଜଣେ ସୌମ୍ୟଦର୍ଶୀ ଯୁବକର ବାଇକରୁ ଓହ୍ଲାଇ ତା ସହ ବେଶ୍ ହସଖୁସିରେ କଥା ହେବାର। ଯୁବକଟି ଥିଲା ତାଙ୍କ ପାଇଁ ସଂପୂର୍ଣ୍ଣ ଭାବେ ଅଜଣା। ମନକୁ ତାଙ୍କର କେତେ ଅନାବନା କଥା ଧସେଇ ପଶୁଥାଏ। ଯାହା ହେଲେ ବି ନିଜ ଝିଅ ପରା। ନିଜର ମାନ ସମ୍ମାନର କଥା ନୋହିଲେ କେଡ଼େ ଅନର୍ଥ କରି ପକାଇଥାନ୍ତେ ସେ!
ସେଠି ଆଉ ବେଶି ସମୟ ନରହି ଘରକୁ ଫେରିଆସିଲେ ସେ। ସୁପ୍ରିୟାର ବାଟ ଚାହିଁ ରହିଥିଲେ ମଧ୍ୟ ତାର ଦେଖା ନଥିଲା। ମନକୁ ତାଙ୍କର ପାପ ଛୁଉଁଥାଏ। ବିଳମ୍ବରେ ହେଲେ ମଧ୍ୟ ଘରକୁ ଫେରିଲା ସୁପ୍ରିୟା। ତା ମୁହଁକୁ ଚାହିଁବାକୁ ସାହାସ ନଥିଲା ଶ୍ଯାମସୁନ୍ଦର ବାବୁଙ୍କର। କିଛି ନଜାଣିବା ପରି ଚୁପଚାପ୍ ରହିଲେ ସେ କିନ୍ତୁ ରାତିସାରା ଶୋଇ ପାରିଲେ ନାହିଁ।
ରାତି ପାହି ଭୋର ହେଲା, ଚାହା ପିଆର ପର୍ବ। ପରିବାରର ସଭିଏଁ ଡ୍ରଇଂରୁମରେ ଉପସ୍ଥିତ। ଆଉ ଧୈର୍ଯ୍ୟଧରି ରହିପାରିଲେ ନାହିଁ ଶ୍ଯାମସୁନ୍ଦର ବାବୁ। ସୁପ୍ରିୟାକୁ କୈଫିୟତ ତଲବ କରନ୍ତେ, ସେ ଚିହିଙ୍କି ଉଠି କହିଲା, "ମୋ ଜୀବନର ନିଷ୍ପତ୍ତି ମୁଁ ନେବି। ତୁମର ମୁଣ୍ଡ ବ୍ୟଥା କାହିଁ ପାଇଁ? ରାଜି ହେବ ତ ହୁଅ ନଚେତ୍ ମୁଁ ଘରଛାଡ଼ି ପଳେଇବି!"
ପିଲାମାନେ କେହିବି ତାଙ୍କୁ ଏପରି ଲେଉଟ ଜବାବ ଦେଇନାହାଁନ୍ତି ଆଜି ଯାଏଁ। କିନ୍ତୁ ଏଇ ସାନ ଝିଅର ଏତେ ସାହାସ! ତା କଥାର ପରିବାରର ଅନ୍ୟ କେହି ପ୍ରତିବାଦ ବି କଲେ ନାହିଁ। ବରଂ ନିରବ ରହି ସମର୍ଥନ ଜଣାଇଲେ।
ଅପମାନିତ ବୋଧ କରି ବଦନାମୀ ଡରରେ ଚୁପ୍ ରହିଲେ ଶ୍ୟାମସୁନ୍ଦର ବାବୁ। ପରିଣତ ବୟସରେ ବଦଳିଯାଇଥିବା ସମୟକୁ ନେଇ ମନରେ ଭରି ରହିଥିଲା ଅସରନ୍ତି କ୍ଷୋଭ। ଅନୁଭବ ହେଉଥିଲା ଯେମିତି କାନ ପାଖରେ କେହି ଗୁଣୁ ଗୁଣୁ ହୋଇ କହୁଥିଲା, :
"କହି ଦେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ!"