ଛାତିଥରା ଗୀତ
ଛାତିଥରା ଗୀତ


ଜୀବନଟା ଭାରି ସୁନ୍ଦର ଓ ମଧୁର, ପୂରାପୂରି ନିଜର । ସେଥିପାଇଁ କେତେ ଆପଣାର ସତେ?ସେଥିରେ ପୁଣି ପାପପୁଣ୍ୟର ବିବାଦ,ପାପପୁଣ୍ୟକୁ ତଉଲିବାର ନିକିତିଟା କଣ,ସେ କଥା ଆମେ କେହି ଜାଣୁନା । ଜୀବନ ଆଉ ପାପ ପୁଣ୍ୟକୁ ନେଇ ଅସରନ୍ତି ଗାଥା । ଏଇ ଆଲୋଚନାରେ ବ୍ୟସ୍ତ ଥିଲେ ରାମଶରଣ ବାବୁ । ନିରାକାର ବାବୁଙ୍କ ସହିତ ଶୀତଋତୁର ଦେହ ଥରାରୁରକ୍ଷା ପାଇବା ପାଇଁ,ଦାଣ୍ଡ ଦୁଆର ଚଉରାମୂଳ ଚାନ୍ଦିନୀ ଉପରେ ସକାଳ ସୂର୍ଯ୍ୟଙ୍କ ଉଷୁମକୁ ଉପଭୋଗ କରୁଥାନ୍ତି ଅବସରପ୍ରାପ୍ତ ଦୁଇଜଣ । ନିରାକାର ବାବୁ କହିଲେ ,ଆହେରାମବାବୁ, ସ୍ୱର୍ଗର ଯେଉଁ ପାରିଜାତ ତାକୁ କିଏ ଦେଖିଛି କହିଲ?ହେଲେ ସ୍ୱର୍ଗ ପାଇଁ ଏ ମର୍ତ୍ତ୍ୟ ମଣିଷର କେତେ ଉତ୍ସୁକତା, ପ୍ରହେଳିକା ପୂଣ୍ୟ ପାଇଁ ବୋଧେ ଆମର ଠିକ୍ ସେହି ଉତ୍ସୁକତା । ପାପପୁଣ୍ୟକୁ ବାଦ ଦେଇ ।
ମଣିଷ ତ ବଞ୍ଚି ପାରିବନି । ଛୋଟରୁ ବଡ ହେଲୁ,ବଡରୁ ବୁଢା ହେଲୁ,ଟୋକା ଥିବା ସମୟରେ ବୁଢା ହେବାକଥା ଭାବିନଥିଲୁ । ଧନ,ମାନ,ସମ୍ମାନ ବଢିଲା ମନରେ ଟାଣପଣରାଜୁତି କଲା । ନିଜକୁ ନିଆରା ଭାବିଲୁ । ପିଲାମାନେ ସେଇ ଛାଞ୍ଚରେ ଗଢାହେଲେ । ଆମ ଆଖି ଆଗରେ ଅନେକ ଲୋକ ଆରପାରିକୁ ଗଲେ । ଆମେ ସେମାନଙ୍କୁ ମଶାଣିକୁ ନେଲୁ । ଜିଅନ୍ତା ମଣିଷ ମୁର୍ଦ୍ଦାର ହେବା ଦେଖିଲୁ । ସୁନ୍ଦର ମଣିଷ କିପରି କୁତ୍ସିତ ହୁଏ ଦେଖିଲୁ । ଖବରକାଗଜ, ଟିଭିରୁ ଅକାଳ ମୃତ୍ୟୁ ସମ୍ବାଦ ପାଇଲୁ । ତଥାପି ମୋହ ଭାଙ୍ଗିଲା ନାହିଁ । ଧରାକୁ ସରା ମଣିଲୁ । ସ୍ୱର୍ଗକୁ ନର୍କ କଲୁ । ବିନା ମେଘରେକୁଳିଶ ସୃଜିଲୁ । ବୁଢା ବୟସରେ ଚୁଟି ପାଚିଲା, ହେବାର ଡାଇ ଲଗାଇଲୁ,ଦାନ୍ତ ଝଡିଲା,ନକଲି ଦାନ୍ତ ଲଗାଇଲେ, ଆଖିକି ଅଦୃଶ୍ୟ ହେଲା,ଚଷମା ପିନ୍ଧିଲୁ । କାନକୁ ଶୁଣା ଗଲାନି, ହିୟରିଂ ଏଡ ଲଗାଇଲୁ । ଚମ ଧୁଡୁ ଧୁଡୁ ହେଲା,ଲୋସନ ଲଗାଇ ଚମକୁ ଚିକଣିଆ କଲୁ । ସେଇଠୁ ହିସାବ ଗୋଳମାଳ ହୋଇଗଲା । ଅୟସ ବଢିଲା, ତା ସହିତ ବୟସ ବି ବଢିଲା ସିନା ହେଲେ ଆୟୁଷ ଛିଡୁଥିଲା । ବୟସ ଖସୁଥିଲା, ଅୟସ ହସୁଥିଲା, ଆୟୁଷ କାନ୍ଦୁଥିଲା । ଭୋଗ ଇଛା ବଢିଲା ସିନା, ଯୋଗ ଛିଡିଲା ।ରୋଗ ଧରିଲା,ରୋଗ ଶେଯରେ ଶୋଇ,ଛାତି ଥରାଉଥିବା ସେ ଗୀତ ମନେପଡିଲା । (ରାମନାମ ସତ୍ୟ ହେ ହରିନାମ ସତ୍ୟ ହେ)ଘଟଣା କ୍ରମ ଗୁଡିକୁ ମନକୁ ଆଣି ,ମ୍ରିୟମାଣ ହେଉଥିଲେ ରାମବାବୁ ଓ ନିରାକାର ବାବୁ ।