ଚଗଲୀ ଝିଅ
ଚଗଲୀ ଝିଅ
ମୁଁ ସେ ଝିଅଟିକୁ ଦେଖୁଥିଲି ।
ମୋ ମାମୁ ଘର ଗାଆଁର ଝିଅ ସିଏ । ମୋ ଆଈଙ୍କ ସହିତ ଆମ ଘରକୁ ଆସିଥିଲା ।
ପ୍ରାୟ ଦଶ ବର୍ଷ ପରେ ଦେଖୁଥିଲି ତାକୁ । ସେତେବେଳେ ତାକୁ ଛ' ବର୍ଷ ବୟସ ହୋଇଥିଲା । ହେଲେ ଏବେ ସେ ଷୋଡଶୀ ।
ଆଈ ତାକୁ ସାଙ୍ଗରେ ଡାକି ଆଣିଥିଲେ । ସେ ବି ଖୁସି ହୋଇ ବୁଲି ଆସିଥିଲା ।
ତାକୁ ଦେଖି ମୁଁ ହଠାତ୍ ଚିହ୍ନି ପାରିଲି ନାହିଁ । ହେଲେ ସେ ପିନ୍ଧିଥିବା ଲାଲ୍ ରଙ୍ଗର କୁର୍ତ୍ତା ଓ ତା'ର ଛାତି ଉପରେ ପଡିଥିବା ଦୀର୍ଘ କଜଳ କଳା ବେଣୀ ମୋର ଦୃଷ୍ଟି ଆକର୍ଷଣ କଲେ । ମୁଁ ତାକୁ ବଲବଲ କରି ଚାହିଁ ରହିଲି ।
ଏତିକିବେଳେ ଆଈ କହିଲେ - “ଆରେ ଏମିତି ତାକୁ ଚାହିଁଛୁ କ'ଣ ? ସିଏ ପରା
ତାପସୀ । ମାମୁ ଘରେ ରହି ପାଠ ପଢୁଛି । ତୁ ତାକୁ ପିଲାଦିନେ ଦେଖିଥିଲୁ । ହେଲେ ତୋର ମନେ ନାହିଁ ।”
ହାତରେ ମୋଟା ମୋଟା ସୁନା ଚୁଡି ଦି'ପଟ,ବେକରେ ମୋଟା ଚେନ୍ ହାର ପିନ୍ଧିଥିଲା
ସେ । ଆଦୌ ସାଧାରଣ ଗାଉଁଲି ଝିଅ ପରି ଦିଶୁ ନ ଥିଲା । ତା'ର ରୂପର ସ୍ନିଗ୍ଧତା ମୋତେ ଏତେ ଆକର୍ଷିତ କରୁଥିଲା ଯେ ମୁଁ ଆଈଙ୍କର କଥାକୁ କ'ଣ ଶୁଣିବି, ତା' ଆଡକୁ ଚାହିଁ ରହିଥିଲି ।
ଆଈଙ୍କ ସହିତ ଆମ ଘରେ ରହିଲା ସେ । ତା'ର ପରକୁ ସଂପୂର୍ଣ୍ଣ ଆପଣାର କରିନେବାର ବ୍ୟବହାର, ଆଉ କଥାବାର୍ତ୍ତାରେ ଆନ୍ତରିକତା ମୁଁ ଦେଖୁଥିଲି । ମୋତେ ସେସବୁ ଖୁବ୍ ପ୍ରଭାବିତ କରୁଥିଲା । ସତରେ କହିବା ଭଳି ରୂପ,ଗୁଣ ତା'ର ଥିଲା ।
ତା'ର ହସହସ ମୁହଁ,ସୁନ୍ଦର ସ୍ୱାସ୍ଥ୍ୟ, ଲମ୍ବା ବେଣୀ, ଉନ୍ନତ ଛାତି ଓ ଗହମ ରଙ୍ଗର ଦେହ ମୋର ଆଖି ଦୁଇଟାକୁ ଟାଣି ନେଉଥିଲେ ତା' ଆଡେ । ମୋ ଆଈ ସେଥିରୁ କ'ଣ ବୁଝିଲେ କେଜାଣି, ଅଲଗା ବେଳେ ମୋତେ ପାଖକୁ ଡାକି କହିଲେ - “ତାପସୀ ତୋର ପସନ୍ଦ ହେଉଛି
କି ? କହୁନୁ . . ., ମୁଁ ତା' ବାପା ସାଙ୍ଗରେ କଥାବାର୍ତ୍ତା କରିବି । ଭାରି ଭଲ ଝିଅଟା ସେ ।”
ମୋତେ ଲାଜ ମାଡିଲା । ମୁଁ ଫିକ୍ ଫିକ୍ ହସିଦେଇ ଅନ୍ୟ ଆଡେ ଚାଲିଗଲି । ଭାଗ୍ୟ ଭଲ ତାପସୀ ସେଠାରେ ନ ଥିଲା । ନ ହେଲେ ସିଏ ବି ଲାଜେଇ ଯାଇଥାନ୍ତା ।
ଦିନ କେତେଟା ରହି ସେମାନେ ତାଙ୍କ ଗାଆଁକୁ ଫେରିଗଲେ । ସେମାନେ ଗାଆଁକୁ ଫେରିବା ଦିନ ମୁଁ ସେମାନଙ୍କୁ ଟ୍ରେନରେ ବସାଇ ଦେବାପାଇଁ ଷ୍ଟେସନକୁ ଯାଇଥିଲି ।
ଆମ ଘରେ ଥିବା ସେଇ ଦିନ ଗୁଡିକରେ ତାପସୀ ସହିତ ମୁଁ ବହୁତ ମିଶିଥିଲି । କେତେ ହସ, ଖୁସି, ଥଟ୍ଟା, ମଜା ହୋଇଥିଲି । ଏବେ ମୋର ଖାଲି ସେଇ ସବୁ କଥା ମନେ ପଡୁଥିଲା । ମୋତେ ଖୁବ୍ ଅନ୍ୟମନସ୍କ କରୁଥିଲା ସେସବୁ । ମୋର ଆଉ କୌଣସି କଥାରେ, କାମରେ ମନ ଲାଗୁନଥିଲା । ବାରମ୍ବାର ତା'ର ସୁନ୍ଦର, ହସ ହସ ମୁହଁଟି ଆଖି ଆଗରେ ଭାସି ଉଠୁଥିଲା ।
ମନକୁ ବୁଝାଇ ପାରୁ ନ ଥିଲି । କିଛି ଦିନ ଗଲା । ଦିନେ ଖାସ୍ ତାକୁ ହିଁ ଦେଖିବା ପାଇଁ ମୁଁ ଯାଇ ମାମୁ ଘରେ ପହଞ୍ଚିଲି । ତାକୁ ଦେଖିଲି । ସେ ଯେମିତି ଥିଲା ସେମିତି । ତାକୁ ଭଲପାଏ ବୋଲି କହିଦେବି ଭାବିଲି । ହେଲେ କହି ପାରିଲିନି । କାଳେ ନାଇଁ କରିଦେବ ! ମୋତେ ଡର ମାଡିଲା ।
ମାମୁ ଘରେ ବେଶ୍ କିଛି ଦିନ ରହିଲି । ତା' ସହିତ ମିଶିଲି । ଯେଉଁଦିନ ଘରକୁ ଫେରିଲି ସେଦିନ ସେ ମୋ ପାଖକୁ ଚାଲିଆସି ମୋ ହାତରେ ଖଣ୍ଡେ ଚାରି ଚଉତା କାଗଜ ଗୁଞ୍ଜିଦେଲା । ଆଶ୍ଚର୍ଯ୍ୟ ହେଲି । ତା'ର ସେହି କାଗଜ ଖଣ୍ଡକୁ ତା'ର ପ୍ରଥମ ପ୍ରେମ ଚିଠି ମନେ କରି ମୋ ମନ ଉଡିଲା କି ବୁଡିଲା । ମୁଁ ଦୌଡି ଦୌଡି ଘର ପଛକୁ ଚାଲିଗଲି । ସେଥିରେ ସେ କ'ଣ ଲେଖିଛି ବୋଲି ଖୋଲି ପଢିବାକୁ ଚାହିଁଲି ।
ଲେଖାଥିଲା - ଆଶିଷ୍ ଭାଇ ! ବାହାଘର ଭୋଜି ଫାଙ୍କି ଦେବ ନାହିଁ ମୋତେ । ଭୋଜି ପାଇଁ ମୁଁ ପେଟ ସଫା କରି ବସିଛି ।
ତାହା ପଢି ମୁଁ ଆହୁରି ଆଶ୍ଚର୍ଯ୍ୟ ହେଲି । ଧୀରେ ଧୀରେ ବୁଝିଗଲି ତା'ର ଉଦ୍ଦେଶ୍ୟ । ଫେରିଆସି ତାକୁ କହିଲି - “ଦେଖ୍, ମୁଁ କାହାକୁ ଭଲପାଏ ନାହିଁ । ମୋର ସେମିତି
କେହିନାହାନ୍ତି । ହେଲେ ଏକଥା ଆଜି କହିବାକୁ ଦ୍ୱିଧା ନାହିଁ ଯେ ମୁଁ ତୋତେ ଭଲପାଏ । ବହୁତ ଭଲପାଏ ।”
ସେ ମୁର୍କି ମୁର୍କି ହସିଲା ମୋ କଥା ଶେଷରେ । ଓ ମତେ କହିଲା - “ସେତିକି ଜାଣିବା ପାଇଁ ତ ମୁଁ ଏତିକି ଲେଖିଥିଲି । ଏବେ ମୋ ମନରୁ ସନ୍ଦେହ ପୂରାପୂରି ସଫା ।” କହି ସାରି ଠୋ ଠୋ ହସି ପକାଇଲା ସେ ।
ଚଗଲୀ ଝିଅ ! ମୋ ପାଟିରୁ ବାହାରିଗଲା । ମୁଁ ବି ଠୋ ଠୋ ହସି ପକାଇଲି ମୋ କଥା ଶେଷରେ ।