Nityananda Nandi

Classics Inspirational

4  

Nityananda Nandi

Classics Inspirational

ଚାରୁଲତା ର ଝିଅ, ଚାରୁଲତା

ଚାରୁଲତା ର ଝିଅ, ଚାରୁଲତା

5 mins
182



ପୃଥିବୀ ବାହାରେ ଜାଗାଟିଏ ଦରକାର ଚାରୁଲତାଙ୍କୁ। ପୃଥିବୀଟା ଆଉ ଖାସ ଲାଗୁନି। ପାରିବାରିକ ଅଶାନ୍ତି , ସବୁବେଳେ ଝଗଡା ସ୍ଵାମୀଙ୍କ ସହିତ। ଛୋଟ ଛୋଟ ଜିନିଷକୁ ନେଇ ଝଗଡା, ତା ନୁହେଁ ଯେ ସମ୍ପର୍କ ପୂରା ଖରାପ ! ଅବଶିଷ୍ଟ ସମୟ କିନ୍ତୁ ବିତିଯାଏ ହସ ଖୁସିରେ। ପୁଅ , ଦ୍ୱାଦଶ କ୍ଲାସରେ ବିଜ୍ଞାନ ପଢୁଛି। ଛୋଟ ପରିବାର।

ଅଫିସରୁ ଫେରିବା ରାସ୍ତାରେ ଲକ୍ଷ୍ମୀପାଦ ଝୋଟି ଫ୍ରେମଟିଏ ଆଣିବା ପାଇଁ କହିଲେ ଚାରୁଲତା, ସେଇଠୁ କଥା କଟାକଟି, 

"ଏଇ ଛୋଟ ଛୋଟ ଜିନିଷ ପାଇଁ ମୋ ପାଖରେ ସମୟ ନାହିଁ, ମୁଁ ପାରିବିନି"। ଚାରୁଲତା କଣ ଛାଡ଼ିଲେ, ଆଜେବାଜେ ବକି ଦେଲେ ସୁମନ୍ତଙ୍କୁ। 

ମୋତେ ବି ପାଞ୍ଚ ମିନିଟ ସମୟ କାଟିବା କଷ୍ଟକର ହୋଇ ପଡୁଛି ଏଇ ଘରେ। ଡାଇନିଂ ଟେବୁଲରେ ବ୍ରେକଫାଷ୍ଟ ସେମିତି ରହିଛି, ଅଫିସ୍ ବେଗରେ ଡାଏରୀ, କାଗଜ ପତ୍ର ଭର୍ତ୍ତି କରି ସିଧା ବାହାରି ଗଲେ ଅଫିସକୁ। 

ଚାରୁଲତା ମୁହଁ ଓହଳେଇ ବସିଥିଲେ ବାଲକୋନୀ ରେ। ସୁମନ୍ତଙ୍କ କବାଟ ବନ୍ଦ କରିବା ଶୈଳୀରୁ ତାଙ୍କ ରାଗର ତୀବ୍ରତାକୁ ପଢନ୍ତି ଚାରୁଲତା , ବାସ୍ ସିସ୍ମୋଗ୍ରାଫ ମେସିନଟିଏ ପରି...


ପ୍ରାୟ ପ୍ରତିଦିନ ଏମିତି ଘଟଣା ଘଟେ। ଦିନର ମାଧୂର୍ଯ୍ୟ ଧରାଶାୟୀ ହୋଇଯାଏ। ଲାଗେ ଯେମିତି ପୃଥିବୀଟା ତାଙ୍କୁ ଏକୁଟିଆ ଛାଡି ବୁଲୁଛି ତା କକ୍ଷରେ। ନିଃସଂଗତା କୁ ଯେତିକି ଭୟ , ସେତିକି ଭଲ ପାଆନ୍ତି ଚାରୁଲତା। ଏଇ ନିଃସଙ୍ଗତା କିନ୍ତୁ ଭୟଙ୍କର ତାଙ୍କ ପାଇଁ..


ସେଆଡେ ସୁମନ୍ତ ଅଫିସ୍ ବେଗରୁ ଡାଏରୀ ଖୋଜି ପାଉ ନାହାନ୍ତି। ତରବର ହୋଇ ଅଫିସ ବାହାରି ଗଲେ। ଚାରୁଲତାଙ୍କ ନିଜସ୍ଵ ଡାଏରୀ ବେଗ ଭିତରେ। ସାଧାରଣତଃ ଚାରୁଲତା, ଡାଏରୀକୁ ଲୁଚେଇ ରଖନ୍ତି ନିଜ ବାକ୍ସ ଭିତରେ। ମନଛୁଆଁ କଥା ଲେଖନ୍ତି ଡାଏରୀରେ ପ୍ରତିଦିନ। କାଲି ବୋଧେ ଲେଖୁ ଲେଖୁ ଭୁଲି ଯାଇଥିଲେ ଭିତରେ ରଖିବା ପାଇଁ। ଭୁଲବଶତଃ ଡାଏରୀ ଟି ସୁମନ୍ତ ଙ୍କ ବେଗ ଭିତରେ ଆସି ଯାଇଛି।


ପ୍ରଥମେ ଭାବିଲେ, ଡାଏରୀ ପଢ଼ିବେ ନାହିଁ ବୋଲି। ମନରେ କଣ ଆସିଲା କେଜାଣି ପ୍ରଥମ ପୃଷ୍ଠା ଓଲଟାଇ ଦେଖିଲେ ସୁମନ୍ତ, ଲେଖାଥିଲା 

" ବୋଉ ! ମୋର ଝିଅଟିଏ ଥାଆନ୍ତା କି ?

ଆଗ୍ରହ ବଢିଲା ଦ୍ଵିତୀୟ ପୃଷ୍ଠା ପଢ଼ିବା ପାଇଁ!

ସେଇ ସମାନ କଥା

" ବୋଉ ! ମୋର ଝିଅଟିଏ ଥାଆନ୍ତା କି ?

ପ୍ରତି ପୃଷ୍ଠାରେ ଲେଖାଥାଏ ଗୋଟାଏ କଥା। ଓଲଟାଇଲେ ସେ ପୃଷ୍ଠା ପରେ ପୃଷ୍ଠା..

ହଠାତ ଦେଖିଲେ ଲେଖା ଅଛି

"ବୋଉ ସ୍ୱପ୍ନରେ ଆସିଥିଲା ଆଜି ରାତିରେ, ପଚାରିଲା, ଚାରୁ ! ତୁ ତ ଭାଗ୍ୟବାନ, ପୁଅଟିଏ ଅଛି , ଝିଅ କଣ ନିହାତି ଦରକାର !!!!

ତା ପର ପୃଷ୍ଠା ପଢ଼ିଲେ ସୁମନ୍ତ...


ବୋଉ ! ତୁ ବଞ୍ଚିଥିଲେ, ତୋତେ ମୁଁ ନିଶ୍ଚୟ କହି ଥାଆନ୍ତି।

କଲୋନୀରେ ଏଇଠି ସମସ୍ତେ କହନ୍ତି, ମୁଁ ଏକା ରହିବାକୁ ଭଲ ପାଏ, କିନ୍ତୁ ନା..ମୁଁ ଏକା ହୋଇଯାଇଛି ! ବେଳାଭୂଇଁର ତିଆରି ସବୁ ବାଲୁକା ମୁର୍ତ୍ତିର ବୟସ ସ୍ୱଳ୍ପ ..ନା ବୋଉ। ସକାଳକୁ କିଛି ବି ନ ଥାଏ। ସମୁଦ୍ର ଗର୍ଭରେ ହିଁ ହଜିଯାଏ ସବୁକିଛି। ଠିକ୍ ସେମିତି ମୋର ଅସ୍ତିତ୍ବ, ଗଦା ଗଦା ପ୍ରଶ୍ନର ବୋଝକୁ ପିଠିରେ ଲଦି ଅଳସ ଭାଙ୍ଗୁଛି ଅନିଶ୍ଚିତ ଗୋଟାଏ ଯୁଦ୍ଧ ଭୂଇଁରେ। କାଲି କଣ ଘଟିବ, ମୁଁ ଜାଣିନି..

  

ପୁଅ ବୋର୍ଡିଂ ହଷ୍ଟେଲରେ..ସୁମନ୍ତ ଙ୍କୁ ଆଦୌ ସମୟ ହୁଏନି। ଇଚ୍ଛା ତ ହୁଏ ଅନେକ ଗପିବା ପାଇଁ ତାଙ୍କ ସହିତ। ସବୁ ଇଚ୍ଛା କଣ ପୂରଣ ହୁଏ, ନା..।

ମନେ ଅଛି ନା ବୋଉ ! ବାପାଙ୍କ ସହିତ ତୋର ଝଗଡା, ପ୍ରାୟ ପ୍ରତିଦିନ, ମୁଁ ଦଶମ ଶ୍ରେଣୀରେ ପଢୁଥାଏ। ପ୍ରତି ଝଗଡାରେ ତୁ ମୋତେ ମଝିରେ ଛିଡା କରେଇ ପଚାରୁଥିଲୁ ଚାରୁ ! କହ ! ଏଇଟା ତୋ ବାପାଙ୍କ ଭୁଲ ନା ମୋ'ର....

ନା ମୁଁ କିଛି କହୁଥିଲି, ନା ଭୁଲ ନିର୍ଦ୍ଧାରଣ କରିବାର କ୍ଷମତା ଥିଲା ମୋ ଭିତରେ। ତଥାପି କାହିଁକି କେଜାଣି ତୁମ ଦୁଇ ଜଣଙ୍କ ମଝିରେ ଯେତେବେଳେ ମୁହଁ ପୋତି ବସିଯାଏ , ବାପା ଚୁପ ହୋଇ ଯାଆନ୍ତି। ତୁ କିନ୍ତୁ ବହୁତ କଳିହୁଡି ଥିଲୁ ବୋଉ, ବାପାଙ୍କୁ ଭୟ ଲାଗେ ବୋଲି ତାଙ୍କୁ ମୁଁ ଦେଖି ପାରେନି, ଭୟଂକର ଦେଖା ଯାଆନ୍ତି ରାଗିଥିଲେ। ତୋତେ ଆଖି ଦେଖେଇ ଦିଏ, ତା ପରେ ଯାଇ, ତୁ ଚୁପ ହେଉ।

ମନେ ଥିବ, ମାଂସ ତରକାରୀ ରେ ଲୁଣ ପକେଇବା ନେଇ ମହାଭାରତ ହୋଇଥିଲା ଆମ ଘରେ। ତୁ ଆଉ ବାପାଙ୍କ ଭିତରେ ଝଗଡା ଏତେ ବଢ଼ିଗଲା ଯେ ମୁଁ ଆସି ମେରୁଦଣ୍ଡ ପରି ଛିଡାହେଲି ତୁମ ଦୁହିଙ୍କ ମଝିରେ, ଝଗଡାର ଅବସାନ ଘଟିଲା। ମୋ ଭିତରେ କଣ ଥାଏ କେଜାଣି, ମୋତେ ଦେଖିଲେ ତୁମେ ଦୁଇ ଜଣ ତୁନି ପଡିଯାଅ। 

ବାପାଙ୍କ ଅଫିସରେ ଜଣେ ମହିଳା କର୍ମଚାରୀ ଥିଲେ, ଝୁମ୍ପା। ବାପାଙ୍କୁ ଲେଖିଥିବା ତାଙ୍କର ଚିଠି ତୋ ହାତରେ ପଡ଼ିଲା, ମୋତେ ଦେଖେଇବା ଉଚିତ ନୁହେଁ ଜାଣି ସୁଦ୍ଧା ତୁ ମୋ ସହିତ ତୋ ଦୁଃଖ ସେଆର କରିଥିଲୁ। ଆଜି ବି ମନେ ଅଛି ସେ ମହିଳା ବାପାଙ୍କୁ କଣ ଲେଖିଥିଲେ...

ଡିଅର, 

ଏମିତି ନିଆଁ ନାହିଁ ପୃଥିବୀରେ, ଯାହାକୁ ତମେ ଲିଭେଇ ପାରିବନି !! ତମେ ପାଣି ଠାରୁ ଆହୁରି ଶୀତଳ। ଖାଲି ଏତିକି ଭୟ ପାଣି ଭିତରେ କଣ ଛୁପି ରହିଛି, ମୁଁ ଜାଣିନି। ତମେ କିନ୍ତୁ ସୁନାମି ନୁହଁ, ତମେ ମୋ ମନ ବେଳାଭୁଇଁ ର ଶାନ୍ତ, ସ୍ନିଗ୍ଧ ତରଙ୍ଗ। ମୋ ପାଦକୁ ଛୁଇଁ ଛୁଇଁ ମୋ ଭିତରେ ଉଷ୍ମତା ଭରି ଦେଉଛ । ତମ ଉଷ୍ମତା ରେ ମୁଁ ତରଳି ଯାଉଛି ଉତ୍ତପ୍ତ ଲାଭା ପରି..ଇତି ତୁମର ଅତି ପ୍ରିୟ ଝୁମ୍ପା


ଚିଠିଟିକୁ ପଢି ବୁଝିବାର ବୟସ ହୋଇ ନ ଥିଲା, ତୋ ଆଖିର ଲୁହ ଦେଖି ଚିଠିଟି ବାର ବାର ପଢି ବୁଝିବାକୁ ଚେଷ୍ଟା କଲି। ତୋ ଲୁହକୁ ନେଇ ମନ ତରାଜୁରେ ମାପିଲି, ମୂଲ୍ୟାୟନ କଲି , କେତେ ମୂଲ୍ୟବାନ ଥିଲା ତୋ ଲୁହର ପ୍ରତିଟି ବିନ୍ଦୁ, ବୁଝିଲି ସେଇଦିନ। ତୋ ପାଇଁ ମୋ କଲିଜା ପଥର ପାଲଟି ଗଲା ଏଇ ଘଟଣା ପରେ।


ସେଦିନ ଫେବୃଆରୀ ୧୪ ତାରିଖ, ମୋ ଜନ୍ମ ଦିନରେ ତୁ ଦେଇଥିବା ହାରକୁ ତରଳାଇ ବାପାଙ୍କ ପାଇଁ ମୁଦିଟିଏ ବନେଇଲି। ଆଜି ପର୍ଯ୍ୟନ୍ତ କଥାଟି ଛୁପେଇ କି ରଖିଥିଲି ତୋ ପାଖରୁ। ତୋତେ କହିଲି, ବାପାଙ୍କୁ ଉପହାର ଦେ..ତୁ ମୋ କଥା ମାନି ବାପାଙ୍କୁ ଉପହାର ଦେଲୁ। ସେଇ ଦିନଠୁ ବାପା ତୋତେ ଏତେ ଭଲ ପାଇଲେ ଯେ ସେଇ ମହିଳାଙ୍କ ପ୍ରବେଶ ଆଉ ସମ୍ଭବ ହେଲା ନାହିଁ ତୁମ ଦୁହିଙ୍କ ଭିତରେ। 


ବୋଉ ! ଠିକ୍ ସେମିତି ମୁଁ ଝଗଡା କରେ ସୁମନ୍ତ ଙ୍କ ସହିତ। ଛୋଟ ଛୋଟ କଥାରେ। ସେ ଅଫିସ୍ ଯିବା ପରେ ସବୁ ବେଳେ ମନ୍ଥନ କରେ, ଭୁଲ କାହାର, ଭୁଲ କୋଉଠି !!

ସବୁବେଳେ ମୋତେ ଲାଗେ ଯେମିତି ସବୁ ଭୁଲ ମୋର, ମୁଁ ତାଙ୍କୁ ବହୁତ ଭଲ ପାଏ, ଅନ୍ୟ ପକ୍ଷରେ ସେ ବହୁତ ଅଳସୁଆ, କିଛି କରନ୍ତି ନାହିଁ। କେତେ ଆଉ ରାଗିବି ତାଙ୍କ ଉପରେ..


ଏବେ ବୁଝି ପାରୁଛୁ ବୋଉ, କାହିଁକି ମୁଁ ଝିଅ ଚାହୁଁଥିଲି, ଡାଇରୀ ର ପ୍ରତି ପୃଷ୍ଠାରେ ପ୍ରତୀକ୍ଷା ଥିଲା ଝିଅଟିଏ ପାଇଁ। ପୁଅକୁ ଥରେ କହୁଥିଲି, ତୋ ବାପା ମୋତେ ଗାଳି କଲେ । ନ ଶୁଣିବା ପରି ହଷ୍ଟେଲକୁ ବାହାରି ଗଲା। କହିଲା କଣ ନା " ମୁଁ କଣ କରିବି" ଏଇଟା ତ ପାର୍ଥକ୍ୟ ପୁଅ ଆଉ ଝିଅ ଭିତରେ। ଯେତେବେଳେ ମୁଁ ସୁମନ୍ତ ଙ୍କୁ ଅଜସ୍ର ଗାଳି କରେ,ମୋର ଯଦି ଝିଅଟିଏ ଥାଆନ୍ତା , ମୋତେ ଆପାତତଃ ଆଖି ଦେଖେଇ ପାରନ୍ତା । 


ଠିକ୍ ମୋ ପରି ଝିଅଟିଏ ମୁଁ ଚାହୁଁଥିଲି। 


ଏଇ ଅତିକ୍ରାନ୍ତ ବୟସରେ ଝିଅ କଣ ଆଉ ଆଶା କରିହୁଏ ବୋଉ.. ଇତି ଚାରୁଲତା

ସୁମନ୍ତ ଙ୍କ ଆଖି ଜକେଇ ଆସିଲା ଡାଇରୀ ର ପ୍ରତି ପୃଷ୍ଠା ପଢି ସାରିବା ପରେ..

******

ସରି, ସକାଳେ ବହୁତ ଗାଳି କଲି ବୋଲି ଲେଟ କରୁଛ ଆସିବା ପାଇଁ। ଶୀଘ୍ର ଆସ !!

ମେସେଜଟି ପଠଉ ପଠଉ କଲିଂ ବେଲ ବାଜିଲା। ଚାରୁଲତା ଡୋର ଖୋଲିଲେ, ହସି ହସି ପଶି ଆସିଲେ ସୁମନ୍ତ ଘର ଭିତରକୁ।

ନିଅ ତମ ଝୋଟି ଫ୍ରେମ....ସକାଳେ ଏଇଥି ପାଇଁ କେତେ ଝଗଡା କହିଲ ?

ଏଇ ତୂଳୀ ଚିତ୍ରଟିକୁ କାନ୍ଥରେ ଝୁଲାଇ ଦିଅ, ବହୁତ ଖୋଜି ଖୋଜି ଲିପାକ୍ଷୀ ହସ୍ତଶିଳ୍ପରୁ କିଣିଛି। 

ଚାରୁଲତା ଖୋଲିଲେ ସେଇ ହସ୍ତ ଶିଳ୍ପକୁ, 

ଏଁ, ଝିଅଟିଏ.... ବହୁତ ସୁନ୍ଦର ହୋଇଛି ଏଇ ଚିତ୍ରଟି !!!

ହଁ, ଚିତ୍ର ନୁହେଁ !! ସେ ହିଁ ଆମ ଝିଅ। ସୁମନ୍ତ କହିଲେ

ଆଶ୍ଚର୍ଯ୍ୟ ହୋଇ ଅନେଇଲେ ଚାରୁଲତା !!!!!

ହଁ, ଏଇ ଅତିକ୍ରାନ୍ତ ବୟସରେ ଆଉ କଣ ଝିଅଟିଏ ଆମ କୋଳକୁ ଆସିବ !!! ଭାବିନିଅ, ଏଇ ଆମ ଝିଅ, ଚାରୁଲତା ର ଝିଅ ଚାରୁଲତା

କଣ କହୁଛ ! କିଛି ବୁଝି ପାରୁନି, ଚାରୁଲତା କହିଲେ


ତମେ ଚାହୁଁଥିଲ ନା ତମ ଝିଅ ଠିକ୍ ତମ ପରି ହେଉ।


ଆଜିଠୁ, ଅାମେ ଯେତେବେଳେ ଛୋଟ ଛୋଟ କଥାରେ ଝଗଡା କରିବୁ, ଏଇ ଚାରୁଲତା ଆମକୁ ଆକଟ କରିବ। ଅାମେ ଚୁପ୍ ହୋଇଯିବୁ।

କିନ୍ତୁ, କାହିଁକି ???

ଭୁଲରେ ତମ ଡାଇରୀ ମୁଁ ଆଜି ମୋ ବେଗରେ ନେଇଯାଇଥିଲି। ସବୁ ପଢିଛି। ସତରେ, ଝିଅ ଭଗବାନଙ୍କ ଗୋଟାଏ ଅପୂର୍ବ ସୃଷ୍ଟି। ବାପାଙ୍କ ଠୁ ଆରମ୍ଭ ହୋଇ ବୋଉ ପର୍ଯ୍ୟନ୍ତ ଲମ୍ବିଥିବା ଅଦୃଶ୍ୟ ମନ ଟିକୁ ଭାଙ୍ଗିବାକୁ ଦିଏନି। ଆଖିରୁ ଦୁଇ ଟୋପା ଲୁହ ନିଗାଡି ସମ୍ପର୍କର ସେଇ ସେତୁକୁ ଭରାଦେଇ ଅକ୍ଷତ ରଖିବାକୁ ଚେଷ୍ଟା କରେ ସାରା ଜୀବନ, ଖୁମ୍ବଟିଏ ହୋଇ ଛିଡା ହୋଇ ରହେ।, ପୁଅ ପାଖରେ ସମୟ କାହିଁ, ବାପା ବୋଉଙ୍କ ପାଇଁ ଏତେ କଥା ଚିନ୍ତା କରିବ !!! 

ଝିଅଟିଏ ବାପା ବୋଉଙ୍କ ଝଗଡା ଭିତରେ ଆସି ଖାଲି ବସିଗଲେ, ସବୁ ଶାନ୍ତ ହୋଇଯାଏ ନା... ଠିକ ତମ ପରି, ତମେ ଯେମିତି ବସି ଯାଉଥିଲ ବାପା ବୋଉଙ୍କ ଝଗଡା ମଝିରେ। ତମ ମନର ସବୁ ବ୍ୟଥାକୁ ମୁଁ ଆଜି ଅନୁଭବ କରିଛି ତିଳ ତିଳ କରି। ଜୀବନ୍ତ ଝିଅ ନ ଥିଲେ କଣ ହେଲା, ଏଇ ଚିତ୍ରିତ ଝିଅକୁ ସାକ୍ଷୀ ରଖି ଅାମେ ଆମ ଭୁଲକୁ ସୁଧାରି ନେଇ ପାରିବା ତ !!!! 

ଚାରୁଲତା କୋଳେଇ ନେଲେ ସୁମନ୍ତଙ୍କୁ, ଆଖିରେ ଆଖିଏ ଆନନ୍ଦାଶୁ....

PProvided



Rate this content
Log in

Similar oriya story from Classics