ଚାରି ହାତି ଗାମୁଛା
ଚାରି ହାତି ଗାମୁଛା
ସେଦିନ ରାଜେନ୍ଦ୍ର ବାବୁ ଅଫିସରୁ ଫେରୁ ଫେରୁ
ବହୁତ ବିଳମ୍ବ ହୋଇ ଯାଇଥିଲା। ଫେରିବା ବେଳେ
ବାଟରେ ପଡୁଥିବା ହାଟରୁ କିଛି ସଜ ପରିବା ମାଛ
ଆଉ ସଉଦାପତ୍ର ନେଇ ଆସିବା କଥା, ଅଫିସ ଗଲା
ବେଳେ ସ୍ତ୍ରୀ ସରିତାକୁ କହି ଯାଇଥିଲେ। କିନ୍ତୁ ଆଣିବେ
କେମିତି, ଫେରୁ ଫେରୁ ତ ବେଳ ଉଛୁର, ଦୋକାନ
ସବୁ ଉଠି ଗଲାଣି। ହାଟ ବନ୍ଦ, ହାଟରୁ ଫେରୁଥିବା ଲୋକମାନଙ୍କୁ ବାଟରେ ସେ ଭେଟି ଭେଟି ଆସୁଛନ୍ତି।
ଘରେ ବି ସେମିତି କିଛି ପରିବା ନାହିଁ। ସ୍ତ୍ରୀ ଗର ଗର ହେବ। ଖାଇଲାବେଳେ ପିଲାମାନେ ବି ନାକ ଟେକି ଖାଇବେ ନ ଖାଇବେ ହୋଇ କୌଣସି ମତେ ବାଧ୍ୟରେ ଖାଇବେ।
ବାଇକ୍ ର ହର୍ଣ୍ଣ ଶୁଣି ପୁଅ ଆସି ଫାଟକ ଖୋଲିଲା।
ରାଜେନ୍ଦ୍ର ବାବୁ ଗାଡି ଷ୍ଟାଣ୍ଡ କରୁ କରୁ ପୁଅକୁ କହିଲେ,
ତୋ ବୋଉ କି କରୁଛି, ଡାକ୍ ନା ସରିତା ରୋଷେଇ ଘରୁ ବାହାରି ଆସିଲେ ତାଙ୍କର କଥା ଶୁଣି ।
--ତୁମର ଏତେ ଲେଟ୍ ଆଜି...
--ହଁ, ଗୁଡ଼ାଏ କାମ ଥିଲା, ତହସିଲଦାର ସାର୍
ଟୁର୍ ରୁ ବିଳମ୍ବରେ ଫେରିଲେ। ସବୁ ଫାଇଲ୍
ତାଙ୍କୁ ଦେଇ ଆସିଛି। ଆଛା, ମୁଁ ତ କିଛି ଆଣି
ପାରିଲିନି, ଆସିଲା ବେଳକୁ ହାଟ ସରି ଯାଇ
ଥିଲା। ରାତି ପାଇଁ କଣ କରିବ...
-- ନ ହେଲା ତ ନାହିଁ, ବ୍ୟସ୍ତ ହୁଅନି। ମୁଁ ରୋଟି
ସନ୍ତୁଳା କରି ଦେଇଛି। ତୁମେ ଫ୍ରେସ୍ ହୁଅ,
ମୁଁ ଚା କରୁଛି।
ଏଇ ରାଜେନ୍ଦ୍ରବାବୁ ତହସିଲ୍ ଅଫିସ୍ ର ଜଣେ
ବରିଷ୍ଠ କିରାଣୀ, ବାହାରେ ବାହାରେ ଚାକିରୀ
କରି ଏବେ ଘର ପାଖକୁ ବଦଳି ଆସିଛନ୍ତି। ଘରୁ
ଅଫିସ ୧୫ କି.ମି. ଦୂର। ବାଇକ୍ ରେ ଯିବା ଆସିବା
କରନ୍ତି। ଆଜିର ଯୁଗରେ ସେ ଜଣେ ନିଆରା ମଣିଷ।
ବହୁ ହିସାବି ମଣିଷ। ମାପିଚୁପି ଚାଲନ୍ତି। ଦେଖିବାକୁ
ଭାରି ସାଧାସିଧା। ଅଳପ ମଧୁର କଥା।ବେଶଭୂଷା
ତାଙ୍କର ଗାଉଁଲି। କେବଳ ଅଫିସ୍ ବାହାରିଲେ ହିଁ
ପ୍ୟାଣ୍ଟ୍ ସାର୍ଟ ପିନ୍ଧନ୍ତି। ଭାରି ନିରାଡମ୍ବର ସେ।
ସରଳ ଶାନ୍ତ ଉଦାର ସ୍ବଭାବ ତାଙ୍କର। ଆଜିକାଲି
ଏମିତି ଜଣେ କିରାଣୀ ଦେଖିବା ବିରଳ ପ୍ରାୟ, ପୁଣି
ତହସିଲ୍ ଅଫିସ୍ ରେ। କଥାଟା ଶୁଣି କାନକୁ ନେବ
ନାହିଁ କେହି। ସେ ବିଶ୍ଵାସ କରିବ ଯିଏ ତାଙ୍କୁ ଅତି
ପାଖରୁ ଦେଖିଛି ଜାଣିଛି। ତାଙ୍କ ସହିତ ତାଙ୍କ ପାଖରେ
କାମ କରିଛି। ଦରମା ଟଙ୍କା ଛଡ଼ା ସେ ଆଜି ଯାଏଁ
ଟଙ୍କାଟାଏ ବି କାହାଠୁ ଲାଞ୍ଚ ବା ଭେଟି ଆକାରରେ
ନେଇ ନାହାଁନ୍ତି।
ତାଙ୍କର ଏଇ ସଚ୍ଚୋଟ ପଣିଆ ପାଇଁ ଅଫିସର-
ମାନେ ତାଙ୍କୁ ବହୁତ ବିଶ୍ବାସ କରନ୍ତି। ଅଫିସର ଅନ୍ୟ ସହକର୍ମୀମାନେ ଯା' କରନ୍ତି ସେମିତି କିଛି ବେଆଇନ୍ ତାଙ୍କୁ ଲୁଚାଇ। ପରୋକ୍ଷରେ ପରିହାସ କରନ୍ତି। କିଏ କହେ ରାଜା ହରିଶ୍ଚନ୍ଦ୍ର ତ କିଏ କହେ ମହାଦାନୀ କର୍ଣ୍ଣ।
ଏମିତି କଥା ତାଙ୍କ ପାଖକୁ ପରୋକ୍ଷରେ କ୍ଵଚିତ ଆସେ। ସାମ୍ନାରେ କହିବାକୁ କାହାରି ନୈତିକ
ସାହସ ନାହିଁ। ସବୁ ଶୁଣି ବି ସେ କାହାକୁ ଚିଡାନ୍ତି
ନାହିଁ କି ମନ ଦୁଃଖ କରନ୍ତି ନାହିଁ।
ଆଜିକାଲିର ମଣିଷ ତ ମଣିଷକୁ ପ୍ରଶଂସା
କରି ଶିଖିନି, ଇର୍ଷା ହିଂସା କରିବା ଛଡ଼ା। ନିହାତି ଯଦି
କାହାର କାହା ପାଖରେ କାମ ଅଛି ଏ ପ୍ରଶଂସା ବହୁତ ମିଳେ ଆବଶ୍ୟକତାଠୁ ବେଶି। ଏହାକୁ ଆମେ ସରଳ ଓ ଖାଣ୍ଟି ଓଡ଼ିଆରେ କହୁ ତୋଷାମଦ ବା ତେଲ ମାରିବା ବୋଲି। ରାଜେନ୍ଦ୍ରବାବୁଙ୍କ ପରି ମଣିଷ ଖୋଜି ପାଇବା ଭାରି କଷ୍ଟ। ପରିହାସରେ ହେଉ ବରଂ ସେମାନେ ଯାହା କହୁଛନ୍ତି ସେ ତ ସତ। ଏକ ପ୍ରକାର ତାଙ୍କର ପ୍ରଶଂସା।ମନେ ମନେ ରାଜେନ୍ଦ୍ରବାବୁ ଆତ୍ମସନ୍ତୋଷ ପାଇ ନୀରବ ରୁହନ୍ତି।
ସ୍ତ୍ରୀ ସରିତା ଚା ନେଇ ଆସିଲେ ବାରଣ୍ଡାକୁ।
ଚା ପିଉ ପିଉ ରାଜେନ୍ଦ୍ରବାବୁ କହିଲେ
କଣ କରିବା ପୁଅକୁ କେଉଁଠି ପଢ଼ାଇବା।
ରେସିଡେନ୍ସିଏଲ୍ ରେ ନା ସରକାରୀ କଲେଜରେ।
-- ମୁଁ କଣ କହିବି ତୁମେ ଯା ଠିକ୍ ଭାବିବ
-- ଆଲୋକ କଣ କହୁଥିଲା।
--ସେ ତ ରେସିଡେନ୍ସିଲ୍ ରେ ପଢ଼ିବାକୁ ଚାହେଁ।
ତାର ସବୁ ସାଙ୍ଗମାନେ ପଢିବେ ତ
-- ଆରେ, ମୁଁ ସେ କଥା କହୁନି, ଆଲୋକ ସରକାରୀ
କଲେଜରେ ପଢିଲେ ବି ଭଲ କରିବ। ମୋର
ପୁରା ବିଶ୍ଵାସ ଅଛି। ଝିଅ ତ ପୁଣି ଭଲ ପଢୁଛି।
ତା ଛଡା ଏତେ ଟଙ୍କା କାହିଁ ବୋଉ ସହିତ ପୁଣି
ଭାଇଟିଏ ଭଉଣୀଟିଏ ତାଙ୍କର ସବୁ ବୁଝିବାକୁ ହେବ
-- ଦେଖ ବିଚାର କରି, ଆଲୋକକୁ ବୁଝାଇବ।
ହଉ, ମୁଁ ଆଲୋକକୁ ପଠାଇ ଦେଉଛି।
ରାଜେନ୍ଦ୍ରବାବୁ ଚାକିରୀ କଲେ ବି ଅଭାବ ଅସୁବିଧା
ରହିବା ମଣିଷଟିଏ। ଦରମା ଟଙ୍କାରେ ସବୁ କଷ୍ଟେ
ମଷ୍ଟେ ସବୁ ସମ୍ଭାଳି ନିଅନ୍ତି ପରିବାରର ଅତ୍ୟାବଶ୍ୟକ
ଯା ହୁଏ। ପରିବାରରେ ସେ ତାଙ୍କ ସ୍ତ୍ରୀ ଝିଅ ମଧୁମିତା
ପୁଅ ଆଲୋକ ସହିତ ତାଙ୍କର ବୋଉ ସାନ ଭାଇ
ଓ ଭଉଣୀ। ଏବେର ଯୁଗରେ ବହୁ କୁଟୁମ୍ବି, ଯୌଥ ପରିବାର କହିଲେ ଭୁଲ୍ ହେବ ନାହିଁ। ବାପ ତାଙ୍କର ବେଶ୍ ଶିକ୍ଷିତ ଥିଲେ, ବିଶେଷ ଆଖି ଦୃଶିଆ ପାଠ ପଢ଼ି ନ ଥିଲେ ବି ଆଦର୍ଶ ସ୍ଥାନୀୟ ମଣିଷଟିଏ। ଗାଁ ଭୂଇଁର ଚାଷିଟିଏ ଥିଲେ।ପାଞ୍ଚ ମାଣ ଜମିକୁ ନେଇ ଧାନ ଗହମ ସଙ୍ଗେ ପନିପରିବା ଚାଷ କରୁଥିଲେ। ଭଲରେ ଚଳିବା ମାଫିକ୍ ରୋଜଗାର କରୁଥିଲେ। ପାଞ୍ଚ ବରଷ ହେବ ତାଙ୍କର ମୃତ୍ୟୁ ଘଟିଛି। ବାପାଙ୍କ ପରେ ଭାଇ ଭଉଣୀ ତାଙ୍କରି ଦେଖାଶୁଣାରେ ପାଠ ପଢି ସାନ ଭାଇ ଚାକିରୀ ପାଇଁ ପ୍ରସ୍ତୁତ ହେଉଛି। ଭଲ ପ୍ରସ୍ତାବ ଆସିଲେ ଭଉଣୀର
ବାହାଘର କରିବେ। ସ୍ତ୍ରୀ ହିସାବରେ ସରିତା ବହୁତ ଭଲ। ଏକଦମ୍ପ ପତିବ୍ରତା। ପାଠରେ ମ୍ୟାଟ୍ରିକ ପାଶ୍। ରାଜେନ୍ଦ୍ର-
ବାବୁଙ୍କର ଅନୁଗାମିନୀ। ଆଜିର ସମାଜରେ ରାମସୀତାଙ୍କ ଯୋଡ଼ି। ତାଙ୍କ ଭିତରେ କେବେ ବଚସା ହେବାର କେହି ଶୁଣିନି। ଦିଅର ନଣନ୍ଦଙ୍କୁ ନିଜ ଭାଇ ଭଉଣୀ ପରି ଦେଖେ ଯତ୍ନ ନିଏ। ଶାଶୁ ମାଆଙ୍କର ସେବାରେ ଅବହେଳା ଆଜି ଯାଏଁ କରି ନାହିଁ। ଏ ବୋଧହୁଏ ତାଙ୍କ ବାପାମାଆର ପୁଣ୍ୟର ଫଳ। ଝିଅ ପୁଅ ବି ଦି' ଜଣ ତାଙ୍କର ଗୁଣର ମାନର। ଚାହିଁବା ଭଳି ପୁଅ ଝିଅ। ସଂସ୍କାରୀ ଦୁହେଁ। ଏ ହେଉଛି ରାଜେନ୍ଦ୍ରବାବୁଙ୍କ ପରିବାରର ବ୍ଲୁ ପ୍ରିଣ୍ଟ୍ , ମୋଟା ମୋଟି ସ୍ଥିତି। ସମାଜର ପୃଷ୍ଠଭୂମିରେ ଏକ ବାସ୍ତବ ଚଳନ୍ତି ଜୀବନଧାରା। ଆଲୋକ ଆସି ତାଙ୍କ ପାଖରେ ବସିଲା।
ବାପା କହିଲେ ବସ୍, ଆଲୋକ
ଆଲୋକ ବସିଲା ପରେ ରାଜେନ୍ଦ୍ରବାବୁ ଆରମ୍ଭ
କଲେ ଶୁଣ, ଆଲୋକ ମୁଁ ତୋତେ କିଛି କହିବା
ପାଇଁ ଚାହୁଁଛି।
-- କୁହ, ତୁମ କଥା ମୁଁ କେବେ ଅମାନ୍ୟ କରିବିନି।
-- ଜାଣେ, ତଥାପି ତୋ ସହିତ ଆଲୋଚନା ନ କରି ମୁଁ ଏକା ଏକା ନିଷ୍ପତ୍ତି ନେବାକୁ ଚାହେଁନି। ତୋର ମ୍ୟାଟ୍ରିକ ରେଜଲ୍ଟ୍ ରେ ମୁଁ ବହୁତ ଖୁସି ଆରେ ୮୭% ମାର୍କ ବହୁତ ଭଲ ମାର୍କ। ତୋତେ
ଭଲ ଗୋଟାଏ ରେସିଡେନ୍ସିଲ୍ କଲେଜ୍ ରେ ମୁଁ ପଢାଇବାକୁ ଚାହୁଁଥିଲି। ମନ ଥିଲେ କଣ ହେବ, ପରିବାରର ପରିସ୍ଥିତିକୁ ନେଇ ମୁ ପାରୁନି। ଦେଖୁଛୁ ସବୁ ବୁଝୁଛୁ ତ। ତୁ ସରକାରୀ କଲେଜ୍ ପଢିଲେ କଣ ଅସୁବିଧା ହେବ।
-- ବାପା, ତମେ ଯା ଭଲ ଭାବିବ ଯେଉଁ ସିଦ୍ଧାନ୍ତ
ନେବ, ମୁଁ ତା କରିବି। ମୋ କିଛି ଆପତ୍ତି କି
ଅସୁବିଧା ନାହିଁ।
-- ଶୁଣ୍, ମୋ ବାପା ଦିନେ ମୋତେ ବୁଝାଇବା ପାଇଁ
ଏକ ଉଦାହରଣ ଦେଇ କହିଥିଲେ, ମୁଁ ଯେତ ବେଳେ ତାଙ୍କ ଅନୁଶାସନରୁ ବାହାରି ଯାଇ ଜିଦ୍ ଧରିଥିଲି। ସେତେବେଳେ ମୁଁ ୭ମ ଶ୍ରେଣୀରେ ପଢୁଥିଲି, ଯାହା କହିଥିଲେ ସବୁ ମୋର ମନେ ଅଛି, ମୋ ହୃଦୟର କଳାପଟାରେ ଏବେ ବି ଲେଖା ଅଛି। ସେ କହିଥିଲେ, " ରାଜେନ୍ଦ୍ର, ମୁଁ ଜଣେ ଚାଷି ମୂଲିଆ ଶ୍ରେଣୀର, ରୋଜଗାର ମୋର ସୀମିତ, ଆଶା ମଣିଷ ଅନେକ ଅସରନ୍ତି ମଣିଷ ସେତିକି ଚାହିଁବା ଉଚିତ ଯେତିକି ସମ୍ଭବ
ତାର ଆବଶ୍ୟକତାକୁ ବିଚାରି।ଦୁନିଆଁରେ ମଣିଷର ସବୁ ଦରକାର। ଆବଶ୍ୟକତାକୁ ପୂରଣ କରିବା ପାଇଁ ନିଜର ରୋଜଗାର ନେଇ ଯୋଜନା କରିବା। ସତ୍ ପଥରେ ରହି କଠିନ ଶ୍ରମ ସାଧନା କରିବା। ମଣିଷ ପଣିଆଁ ବଜାଇ ରଖିବା
ଏବଂ ଶେଷରେ କହିଥିଲେ, ସେ ଗୋଟାଏ ଚାରି ହାତି ଗାମୁଛା ଜଣେ ଚାଷୀର ଚାରି ହାତି ଗାମୁଛା ସୁଖ ଦୁଃଖ ସାଥୀ। ମୂଲ ମଜୁରୀ ମେହନତି କଲେ ଏ ଗାମୁଛା ହିଁ ତାକୁ ଧୂଳି ଧୂସର ହେଲେ ବା ଝାଳ ସରସର ହେଲେ ପୋଛିପାଛି ଦିଏ। ଦରକାର ହେଲେ ବେଳେବେଳେ ପିନ୍ଧିବାକୁ ବି ହୁଏ। ଏ ଗାମୁଛା ନେଇ ଧୋତି ଭଳି କୁଞ୍ଚକରି ପିନ୍ଧି ହୁଏନା। ସେମିତି ମୁଁ ଇଚ୍ଛା ଥାଇ ବି ତୋର ଆବଶ୍ୟକତା ସଂପୂର୍ଣ୍ଣ ପୂରଣ କରି ପାରୁନି ସେତେବେଳେ ଏ କଥାର ତାତ୍ପର୍ଯ୍ୟ ମୁଁ ଠିକ୍ ଭାବରେ ବୁଝି ପାରି ନ ଥିଲି। ଏବେ ସେ କଥା ଯେତେ ଥର ମନେ ପଡ଼େ ତା ଭିତରୁ ସେତିକି ନୂଆ ନୂଆ ଭାବାର୍ଥ ଆସେ। ମୋ ବିଚାରରେ ମୁଁ ଦେଖୁଛି, ଏ ସଂସାରର ସବୁ ସେଇ ଚାରି ହାତି ଗାମୁଛା। କିଛି ଅଭାବ ଦୂର କରେ କିଛି ବାକି ରହିଯାଏ।ଯାହାର ଯେତେ ବି ରୋଜଗାର ଥାଉଁନା କାହିଁକି ତାର ଯୋଜନା ସବୁକୁ କାର୍ଯ୍ୟକାରୀ କରିବାକୁ ନିଅଣ୍ଟ ପଡିଥାଏ। ସେଇଥି ପାଇଁ ତଥାଗତ ବୁଦ୍ଧଦେବ କହିଥିଲେ 'କାମନାର
ବିକାଶରେ ଦୁଃଖର ବିନାଶ'। ଆମେ ତ କାମନାକୁ ସଂପୂର୍ଣ୍ଣ ରୂପେ ଛାଡି ପାରିବାନି କିନ୍ତୁ ନିଜର ସ୍ଥିତି ନେଇ ଚାରି ହାତି ଗାମୁଛା ପରି ଅତ୍ୟାବଶ୍ୟକତାକୁ ପୂରଣ କରି ପାରିବା"।
ସବୁ ଶୁଣି ଆଲୋକ କହିଲା, ବାପା ତୁମେ ଯାହା ବିଚାର କରିଛ ମୁଁ ମାନିବି। ମନ ଊଣା କରନି। ମୋର ଆତ୍ମବିଶ୍ୱାସ ଅଛି, ଯେଉଁଠି ପଢିଲେ ବି ଭଲ ରେଜଲ୍ଟ କରିବି ରୋଷେଇ ଘର ଭିତରୁ ସରିତା ଆଲୋକର ମାଆ ଡାକୁଥିଲେ, ଆଲୋକ, ଆରେ ଆସ। ବାପାଙ୍କୁ ବି କହ। ଆସ ସମସ୍ତେ ଖାଇବ ।
