ABhimanyu Panda

Drama Romance

3  

ABhimanyu Panda

Drama Romance

ଚାଲ ଆଉଥରେ

ଚାଲ ଆଉଥରେ

12 mins
319


ହେଇଟି ଶୁଣୁଛ,,, କୁଆଡ଼େ ଗଲ ? ଆରେ ଏଇଠି ବସିଛ !? ଘରଟା ଯାକ ଖୋଜି ଆସିଲିଣି ମୁଁ ,,, ତୁମେ ଏ ବାଡ଼ି ଆଡ଼େ ବସିଛ ? କଣ ଭାବୁଛକୁ ଏମିତି ସବୁ ମୋ ଡାକ ତମ କାନରେ ପଶୁନି !? କଣ ଏମିତି ନୀରବ ରହୁଛ ? 

ଏତିକିରେ ହାତ ରଖିଦେଲି ତାଙ୍କ କାନ୍ଧ ଉପରେ । ତଥାପି ପ୍ରତିକ୍ରିୟା ଶୂନ୍ୟ । ମନ ଭିତରଟା ଗୋଳେଇ ଘାଣ୍ଟି ହେଇଗଲା । ଅତୀତର ସେ କଥା ସବୁ ମନେ ପଡ଼ିଗଲା ଆପେଆପେ । ଅତୀତର ବାଷ୍ପୀୟ ସ୍ମୃତି ଜଳ ହେଇ ଆଖି ଦେଇ ଝରିଯିବା ପୂର୍ବରୁ କଣ୍ଠସ୍ଥ ଓ ଗର୍ଭସ୍ଥ କରିଦେଲି । 

ମୋ ହାତର ଛୁଆଁ ତ ବହୁତ ଦୂରର କଥା ମୋ ପାଦ ଚିପା ଚଲାରେ ବି ତୁମେ ଅନୁଭବ କରିପାରୁଥିଲ ମୋତେ । ହେଲେ ଆଜି ଏତେ ରୁକ୍ଷତା କାହିଁକି !!? ବୁଲି ଚାହିଁବାକୁ ଥରୁଟିଏ ଇଚ୍ଛା ହେଉନି ତୁମର ? ଜୀବନର ସାୟାହ୍ନରେ ତୁମେ ଯଦି ଏମିତି କରିବ ତାହେଲେ ଏ ଜୀବନ ଥାଇକି ଲାଭ କଣ ? ପୁଅଝିଅ ନାତୀ ନାତୁଣୀ ସମସ୍ତେ ଡେଣା ଝାଡ଼ି ମୁକ୍ତ ଆକାଶର ବିହଙ୍ଗ । ତୁମେତ ସାଙ୍ଗସାଥି ମନ୍ଦିର ବେଢ଼ା ଭଜନରେ ନିଜର ସମୟ କାଟି ଦେଉଛ ,, ମୁଁ ଏକୁଟିଆ ଟା କେମିତି ଏ ଘରେ ରହୁଛି ଥରେ ପଚାରି ବୁଝିଲଣି ? 

ସମୟ ଥିଲା ମୋ ଆବଶ୍ୟକତାକୁ ମୁହଁ ଖୋଲି କହିବା ଆଗରୁ ତୁମେ ବୁଝିଯାଉଥିଲ । ଖଞ୍ଜି ଦେଉଥିଲ ସବୁ ପାଖକୁ ପାଖକୁ । କନିଆଁ ସାଜି ସବୁ ସମ୍ପର୍କକୁ ପଛରେ ପକେଇ ତୁମରି ମୁହଁକୁ ଚାହିଁ ଚାଲି ଆସିଥିଲି ନିଜର ଗୋଟେ ସଂସାର ଗଢ଼ିବାକୁ । ଖେଳିବାର ବୟସ ବି ମୋର ଶେଷ ହୋଇନଥିଲା । ବାପା , ମା , ଭାଇ , ଭଉଣୀ ସମସ୍ତଙ୍କୁ ଛାଡ଼ି ଆସିଥିଲି ,, 

ସତରେ ଏ ଝିଅ ଜନମ ବି ଅଜବ । ଗୋଟିଏ ଘରର ସମ୍ପର୍କ ମାନଙ୍କୁ ବୁଝୁବୁଝୁ ଆଉ ଗୋଟିଏ ଘରର ମାନସମ୍ମାନ ତଳେ ଅଣନିଶ୍ୱାସୀ ହେବାକୁ ପଡ଼େ । ଭଗବାନ ବି ମାନସିକ ଭାବେ ଝିଅ ମାନଙ୍କୁ ଶକ୍ତିଶାଳୀ କରି ଗଢ଼ି ତୋଳିଛନ୍ତି । ଯେକୌଣସି ପରିସ୍ଥିତିରେ ସେ ନିଜକୁ ସମ୍ଭାଳି ନିଏ । ମୋର ଭାଗ୍ୟ ବି ବହୁତ ଟେକ । 

ବାପା ମା ପରିବର୍ତ୍ତେ ପାଇଲି ତାଙ୍କ ଠାରୁ ଅଧିକ ଧ୍ୟାନ ରଖୁଥିବା ଶାଶୁ ଶ୍ବଶୁର । ଶାଶୁ ଭାବେ ନିଜର ଅଧିକାର ଦେଖେଇବା ସଙ୍ଗେ ସଙ୍ଗେ ନିଜର କର୍ତ୍ତବ୍ୟରେ କେବେବି ହେଳା କରି ନାହାଁନ୍ତି । ମୋର ଭୁଲ ଦେଖି କଡ଼ା ଦିପଦ କଥା କହିଦିଅନ୍ତି । ହେଲେ ତାଙ୍କ ଆଗରେ ମୋତେ ଆଉ କିଏ କଣ କହିବ ,,, ତା ଅନ୍ତ ଟାଣି ଆଣିବେ । ଝପଟି ପଡ଼ୁଥିଲେ ମୋ ରକ୍ଷାର୍ଥେ ସିଂହୀ ପରି । 

ମୋ ବାହାଘର ପରେ ସେ କେବେବି ନୂଆ ଶାଢ଼ୀଟିଏ ପିନ୍ଧିନାହାଁନ୍ତି । ଆରେ ମା ତୁ ଏବେ ଛୁଆଟେ ତୋର ସଅକିଆ ବୟସ ଏବେ । ତୁ ଦି/ତିନି ଧୁଆ କରିଦେ ତାପରେ ମୁଁ ପିନ୍ଧିବି । ବଡ଼ ଯୌଥ ପରିବାରର ବଡ଼ ବୋହୂ ମୁଁ । ସମସ୍ତଙ୍କୁ ଖାଇବା ଦେଉଦେଉ ନିଜ ବେଳକୁ କଢ଼େଇ କାନ୍ଦଣା ତିଅଣ ବଞ୍ଚିଥାଏ । ଶାଶୁ ମୋର ଜଗି ବସିଥିବେ ମୋ ଖାଇବା ସମୟକୁ । ପୁରୁଣା କାଳିଆ ମଣିଷ ,,, କ୍ଷଣିକ ଭିତରେ କେତେ ପ୍ରକାରର ମୋ ଖାଇବା ପାଖରେ ଖଞ୍ଜି ଦିଅନ୍ତି । ଆଉ ଗୋଟେ କଥା କହୁଛି ଶୁଣ ମୁଁ ରାତିରେ ଶାଶୁଙ୍କୁ ମୋଡ଼ି ଦେବାକୁ ଯାଏ ସତ ହେଲେ ମୋଡ଼ି ଦିଏନି । 

ମନା କରନ୍ତି । ମା ରେ ଏବେତ ମୁଁ ସୁସ୍ଥ ଅଛି ,, ଚାଲିବୁଲି ପାରୁଛି । ଏବେ ମୋର ଏ ଘଷାମୋଡ଼ା କଣ ହେବ ? ଦେହ ମୁଣ୍ଡ ହେଲେ ଟିକେ ଅନେଇବୁ । ପଡ଼ିଗଲେ ଟିକେ ଉଠେଇବୁ । ଆଉ ଶୁଣୁ ସବୁଦିନ ଟିକେ ଆସୁଥିବୁ ଶୋଇବା ପୂର୍ବରୁ । ଘରର ଭଲମନ୍ଦ ସବୁ ବୁଝନ୍ତି ମୋ ପାଖରୁ । ମୋ ମନର ସମସ୍ତ ସମସ୍ୟାର ସମାଧାନ କରଦିଅନ୍ତି କେବେ କଅଁଳ କଥାରେ ତ କେବେ ପୁଣି ଆଦେଶ ଦେଲାପରି । ଉଦାହରଣ ସବୁ ପୁଣି ପୁରାଣ ଶାସ୍ତ୍ରରୁ ଉଦ୍ଧୃତ କରି । ତାଙ୍କ ନିଜର ଅନୁଭୂତି ଥୋଇଦିଅନ୍ତି ମୋ ଆଗରେ । ଅତି ରକ୍ଷଣଶୀଳ ସମୟର ବୋହୂ ସେ । ହେଲେ ମୋତେ ସେ ସମୟ ସହିତ ତାଳଦେଇ ଚାଲିବାକୁ ସବୁବେଳେ ଜୋରଦେଇ କହନ୍ତି । ଶ୍ବଶୁରଙ୍କ କଥା କଣ କହିବି । 

ବାଗନାରେ ପ୍ରଥମ କରି ଫଳିଥିବା ଫଳକୁ ମୋ ହାତକୁ ବଢ଼େଇ ଦିଅନ୍ତି ,,,, ମା ରେ ଏ ପିଲାସବୁ ଝାଡ଼ି ଖାଇ ଦେଉଛନ୍ତି ,,, ତୁ ଖାଇଦେ କେତେ ଜଗାଜଗି କରି ତୋ ପାଇଁ ଆଣିଛି । ମନେମନେ ଭାବେ ମୋ ବାପା ସିନା ମୋତେ ବଡ଼ ପିଲାଟିଏ ଭାବି ତାଙ୍କ ନିକଟରୁ ମୋତେ ଅଲଗା କରିଦେଲେ ହେଲେ ଆଉ ଜଣେ ବାପା ତ ପାଇଛି ମୁଁ । ଫଳ ଫଳିବା ଆରମ୍ଭ ହେଉହେଉ ଶେଷ ହେଇଯିବା କଥା କହିଦିଅନ୍ତି । କି ମମତ୍ୱ ଏ !! ମୋତେ ଛୋଟ ପିଲାଟିଏ ଭାବି ଭୁଲେଇବାକୁ ଚେଷ୍ଟା କରନ୍ତି । ମନେମନେ ଫୁଲିଉଠେ ମୁଁ । ମୋ ଭିତରର କୁଲା ଖେଳୁଥିବା କୁନି ଝିଅଟିଏ ପୁଣି ନିଜର ଅସ୍ଥିତ୍ୱ ଜାହିର କରେ । ପାଦ ତଳେ ଲାଗେନି ମୋର । 

ବାପାଙ୍କର ସବୁ କଥାରେ ,,, ମାରେ ସେ ଅମୁକ କେଉଁଠି ରହିଲା ସମୁକ କେଉଁଠି ରହିଲା ,,। ସବୁବେଳେ ଖୋଜୁଥିବେ । ଘର କାମରେ ବ୍ୟସ୍ତ ରହି ଯେଉଁଦିନ ସକାଳ ଖାଇବା ମୋର ଡେରି ହେଇଥିବ ସେଦିନ ସ୍ୱର୍ଗ ମର୍ତ୍ୟ କୁ ଏକ କରିଦିଅନ୍ତି ବାପା । ଫୋପଡ଼ା କଚଡ଼ା ଆରମ୍ଭ ହେଇଯାଏ । କ୍ଷଣକୋପୀ ମଣିଷ ହେଲେ ଭାରି ସ୍ନେହୀ । ପରିଶେଷରେ ମୁଁ ହିଁ ଯାଇ ଶାନ୍ତ କରାଏ । ବାପା ଟିକେ କାମବେଶି ଥିଲା ବୋଲି ଖାଇ ପାରିଲିନି ,,, ଏମିତି ଭଙ୍ଗାରୁଜା କଲେ ମୁଁ ଏସବୁ ସଫା କରିବି ନା ଖାଇବି ? ଏତିକିରେ ବାପା ଶାନ୍ତ । ଶାଶୁ ବିଲକୁଲ ବି ସାମ୍ନାକୁ ଆସନ୍ତିନି ସେତେବେଳେ । ମୋତେ ହିଁ ପେଲି ପଠେଇବେ । 

ଆଉ ଗୋଟେ କଥା କହୁଛି ଶୁଣ ମୁଁ ବି ବେଳେବେଳେ ବାପା ବୋଉଙ୍କ ଝଗଡ଼ାରେ ମଜାନିଏ । ବାପା କେତେବେଳେ ମଣି ଡାକିଦିଅନ୍ତି ତ କେବେ ଖାଲି ମା ରେ । ତାଙ୍କର ପ୍ରତ୍ୟେକଟି ଡାକରେ ଶିଶିର ବୁନ୍ଦା ପରି ଝରିପଡ଼େ ଆପଣାପଣର ଶୀତଳତା । ସନ୍ଧ୍ୟା ଭାଗବତରେ ବାପା ବେଳେବେଳେ କୁହନ୍ତି ଦେଖ ଦେଖ ରଘୁ ବୋଉ ଦେଖ । କେମିତି ଭାଗବତ ପଢ଼ାଯାଏ ମୋ ବୋହୂ ପାଖରୁ ଶିଖ । ଏମିତି ଦିନେ ଭାଗବତର ଭାବରେ ଭିଜି ଭାଗବତ ପଢ଼ିଛ ? ବୋଉ ମୁରୁକି ହସାଦେଇ କୁହନ୍ତି ,,, 

ତମେ ଶୁଣ ବୋହୁଖଣ୍ଡେ ଆଣିଛ ଯେତେବେଳେ ,,, ମୁଣ୍ଡରେ ବସେଇ ରଖିଥା । ଏସବୁ ଆରୋପ ପ୍ରତ୍ୟାରୋପ କେବଳ ମୋତେ ଆନନ୍ଦିତ କରିବାପାଇଁ । ମୋ ମନୋବଳ ଦୃଢ଼ କରିବା ପାଇଁ । ଦିଅର , ନଣନ୍ଦଙ୍କ କଥା କଣ କହିବି । 

ଦିଅର ରବି ଆଜିଯାଏ ମୋ ଆଗରେ ଆଖିଟେକି କଥା ହେଇ ନାହାଁନ୍ତି । ସମ୍ମାନ ପାଇଛି ମା ପରି । ହେଲେ ଖାଇଲା ବେଳେ ନୂଆବୋଉ , ପାଣି ପିଇବାକୁ ହେଲେ ନୂଆବୋଉ । ତମର ମନେଅଛିନା ରବିର ସବୁ କଥାକୁ ମୁଁ ବାପା ଆଉ ତମ ଆଗରେ ବାଢ଼ିଦିଏ । କେତେଥର ବାପା ମୋତେ ମିଠା ଗାଳି ବି କରିଛନ୍ତି । ଆରେ ମା ତୁ କଣ ତାର ପାଟି । ତାକୁ କଣ କଥା କହି ଆସିନି ? ତାପରେ ରବିକୁ ଗାଳି । ଶଳା ଦରବୁଢ଼ା ହେଲୁଣି ଆହୁରି ଭାଉଜ ମା ପଣତ ଧରି ଚାଲୁଛୁ । ଏକଥାରେ ଆମେ ଦିଅର ଭାଉଜ ଦିହେଁ ଖୁସି ହେଇଯାଉ । ଆଉ ନଣନ୍ଦ ,,,, 

ଭାରି ଫୁଲେଇ । ସାଆନ୍ତ ଘର ଝିଅ ଯେତେବେଳେ । ଅଲିଅଳୀ ସବୁଠୁ ସାନ ଯେତେବେଳେ । ପାଦ ତଳେ ଲଗାଏନି । ହେଲେ ମୋର ସାମାନ୍ୟ ଦେହ ଖରାପ ହେଲେ ଅଣ୍ଟା ଭିଡ଼ିଦିଏ ଘରର ସବୁ କାମ କରିବାକୁ । ମୋତେ ସମ୍ପୂର୍ଣ୍ଣ ବିଶ୍ରାମ ଦେଇଦିଏ । କେବେକେବେ ଆମେ ଝଗଡ଼ା ବି ଲାଗୁ । ତୁମର ମନେଥିବ ସେ ମୋତେ କେମିତି ଆଧୁନିକା ବେଶଭୁଷାରେ ସଜେଇବାକୁ ଜିଦିକରେ ଆଉ ଅରାଜି ହେଲେ ,,,,, ହାଣ୍ଡି ପରିକା ମୁହଁ କରି ବସେ । ରାଜିହେଇଯାଏ ତା କଥାରେ । କଅଁଳ ମନ ତାର । ତାରି ଇଚ୍ଛାରେ ନିଜର ବେଶ ପରିଚର୍ଯ୍ୟା କରେ । ନୂଆ ନୂଆ ପ୍ରସାଧନ ସାମଗ୍ରୀ ସାଙ୍ଗକୁ କେତେକଣ ବଜାରରୁ ନେଇଆସେ ତା ପ୍ରିୟ ଭାଉଜ ଲାଗି ମାନେ ମୋ ପାଇଁ । ବଡ଼ ହେଲାପରେ ଭାଉଜର ଖାଇବା ସମୟକୁ ଜଗି ବସିଥିବ । ଦୁଇଥର ମୋ ହାତରୁ ନଖାଇଲା ଯାଏ ତା ମନକୁ ଶାନ୍ତି ନାହିଁ । 

ରବି କେତେ ଚିଡାଏ କହିଲ ତାକୁ ,,, ଢେମିଣୀ ଦରବୁଢ଼ୀ ହେଲୁଣି ଆହୁରି ହାତରେ ଖାଇବା ଶିଖିନୁ । ଯା ଯା ଖାଲି ଶାଶୂଘରକୁ । ପାନେ ପାଇବୁ ଭଲକରି । ନଣନ୍ଦ ମୋର କଣ କମ କି ? ଡେଇଁପଡେ଼ ବାକ୍ ଯୁଦ୍ଧକୁ । 

ଶୁଳିଆ ତୋ ଦେହ କାହିଁକି ସହୁନି । ମୋ ବାହାଘର ତୁ ବୁଝିବୁଟି ? ଯୁତିଆ ମୁଣ୍ଡେଇ ଯିବୁ ମୋ ଘରକୁ । ମୋ ଦୁଃଖ ଦେଖିଲେ ତୋ ଛାତି ଫାଟିଯିବ । ମିଛରେ କାଇଁ ମରୁଛୁ ଏମିତି । 

କଣ କହିଲୁ ମୁଁ ମରୁଛି ? 

ଆଉ ଅଦେଖା ତୋ ଦେହରେ ଯାଉନି ହେଲା । ଆ ଆ ତୁ ବି ଦିଗୁଣ୍ଡା ଖାଇଦେ ନହେଲେ ମୋ ପେଟ କାମୁଡ଼ିବ । 

ଦେଖ ନୂଆବୋଉ ଦେଖ ଏ ପୋଡ଼ାମୁହିଁ କେମିତି ଗୋଡ଼ ଟେକି ରହିଛି ବାହା ହବାକୁ । 

ଏତିକିରେ ନାକ କାନ୍ଦୁରୀ ନଣନ୍ଦ ମୋର ଆଖିରୁ ଝରେଇଦିଏ ମୋତି । ଲାଜ ସରସର ହୋଇ ଲୁଚିଯାଏ ମୋ ଆଢୁଆଳରେ । ରବି ବାପା ଆଉ ତୁମ ପାଖରୁ ଗାଳି ଶୁଣିବା ଭୟରେ କ୍ଷମା ପରେ କ୍ଷମା ଯାଚନା କରିଚାଲେ । ଇଲୋ ଚଣ୍ଡୀଲୋ ତୁ ଠିକ ମୁଁ ଭୁଲ । ତୁ ବିଲକୁଲ ବାହା ହବୁନି । ଜୀବନ ଭରି ରହିବୁ ଏଇଠି ମୋରି ପ୍ରାଣ ଖାଇବାକୁ । 

ମୋତେ ହସ୍ତକ୍ଷେପ କରିବାକୁ ପଡ଼େ ଭାଇ ଭଉଣୀଙ୍କର ସେ ନିତିଦିନିଆ ଝଗଡ଼ାରେ । ବୁଝେଇବାକୁ ପଡ଼େ ଦୁହିଁଙ୍କୁ । ରବିକୁ ମିଛିମିଛିକା ଗାଳି କରିବାକୁ ପଡ଼େ । ତାପରେ ଅଲିଅଳୀ ଭଉଣୀ ତୁମର ଶାନ୍ତ ହୁଏ । କି ପ୍ରିତିପୂର୍ଣ ପରିବେଶ ସତରେ । ହେଲେ ସମୟ ହାତରେ ଆମେ ସମସ୍ତେ ଦାସ । 

ବାପା ଥାଉଁଥାଉଁ ବୋଉ ଚାଲିଗଲେ । ଦେହମୁଣ୍ଡ ହେଲେ ତାଙ୍କୁ ସେବା କରିବାର ଯେଉଁ ପ୍ରତିଶୃତି ଦେଇଥିଲି । ସମୟ ସେ ପ୍ରତିଶୃତି ରକ୍ଷା କରିବାର ସୁଯୋଗ ଦେଲାନି । ସନ୍ଧ୍ୟା ଭାଗବତ ସମୟରେ ବସିବସି ଟଳି ପଡ଼ିଲେ । ତାଙ୍କୁ ଝୁରିଝୁରି ବାପା ବି ଛଅମାସ ଭିତରେ ଚାଲିଗଲେ ତାଙ୍କ ପାଖକୁ । ସେତେବେଳକୁ ରବି ଚାକିରୀ କରି ବାହାସାହା ହୋଇ ତାର ପିଲାମାନଙ୍କ ସହିତ ସହରକୁ ଚାଲିଯାଇଛି । କିନ୍ତୁ ତା ନୂଆବୋଉ ପାଖରେ ଏବେବି ସେଇ ଅବୋଧ ଶିଶୁଟିଏ । ନଣନ୍ଦ ମୋର ବି ରାଜକୁମାର ପରି ଜୀବନ ସାଥି ପାଇ ବିଦେଶରେ । ନାତିନାତୁଣୀ ବି ଦେଖିଲାଣି । ତୁମ କଥା କହିବି । 

ତୁମ ସହିତ ସେ ଦିନ ସବୁକୁ ଭାବିଦେଲେ କାହିଁକି କେଜାଣି ମୁଁ ମୁଁ ହେଇକି ରହିପାରେନି । କଅଁଳ କଢ଼ିଟିଏର ସଠିକ ଯତ୍ନ ନେଇଛ ତୁମେ । ହାତଚକିରେ , ଆଖି ପଲକରେ , ତୁମ ହୃଦୟର ଘରେ ରଖିଥିଲ ମୋତେ । ପ୍ରତିଟି ପାଦ ଭାବିଚିନ୍ତି ଆଗକୁ ବଢ଼ାଏ । କାଳେ ମୋର କୌଣସି ପାଦ ତୁମ ହୃଦୟରେ କ୍ଷତଟିଏ ସୃଷ୍ଟି କରିବ ସେଥିପ୍ରତି ସବୁବେଳେ ସଚେତନ ମୁଁ । ଆଜିଯାଏ ବି । ବାହାଘର ବେଳେ ତୁମର ବି ବୟସ କେତେ ? ତେଇସି ମାତ୍ର । 

ହେଲେ ବାସର ଦୀପକୁ ଚାହିଁ କହିଥିଲ ମୋ ଆଖିରେ କେବେ ଲୁହ ଦେବନି । ଯୌବନ କୁ ସ୍ୱାଗତ କରିବାର ବୟସ ଆମର । ଦୁହେଁ ଦୁହିଁଙ୍କ ଭିତରେ ଶାରୀରିକ ଓ ମାନସିକ ଭାବେ ହଜି ଯାଇଥିଲୁ । ମୋ ଉପରେ ଚାରିଆଡ଼ୁ ବର୍ଷୁଥିବା ସ୍ନେହ ମମତାର ବର୍ଷା ତୁମରି କୋଳରେ ପ୍ରୀତି ଝରଣା ପାଲଟି କୁଳୁକୁଳୁ କରି ବହିଯାଏ ଅନନ୍ତ କଳ୍ପନାକୁ ସାକାର କରିବା ପାଇଁ । କେଇଟା ଦିନ ଭିତରେ ତୁମେ ତୁମର ପ୍ରତିଶୃତି ଭାଙ୍ଗିଥିଲ ,,। 

ଘର ଗୃହସ୍ଥୀରେ ସାମାନ୍ୟ ଝଗଡ଼ା ,, ରୁହ ରୁହ ଝଗଡ଼ା ତ ନୁହେଁ ମୋର ଅବୁଝା ପଣିଆକୁ ବୁଝିପାରିଲନି । ମୋ ମନ ଭିତରୁ ଝିଅଟିର ଅସ୍ଥିତ୍ୱ ବେଳେବେଳେ ମୁଣ୍ଡ ଟେକୁଥିଲା ,, ତେଣୁ ବୁଝିବାକୁ କଷ୍ଟ ହେଉଥିଲା ଏ ସାଂସାରିକ ଦାୟିତ୍ୱକୁ । ସେଇ ସାମାନ୍ୟ କଥାରେ ମୋ ଗାଲରେ ଶକ୍ତ ଚଟକଣା ଟିଏ ଦେଇଥିଲ ପୁରୁଷ ପୁଙ୍ଗବ ଶାରୀରିକ ଶକ୍ତିର ପ୍ରଦର୍ଶନ କରି । ଠକ ଠକ ଲୁହ ଝରିପଡ଼ିଲା ମୋର ,, ବର୍ଷା ପରର ପତ୍ରଜଳ ପରି । ପ୍ରଥମ ଆଉ ଶେଷଥର ପାଇଁ ମନମୋର ବ୍ୟାକୁଳ ହୋଇ ମୋ କୁଆଁରୀ ସମୟକୁ ଖୋଜିଲା । 

ତୁମେ ଅଥୟ ଅସ୍ଥିର ହୋଇଯାଇଥିଲ । ଚାଲିଯାଇଥିଲ ବାହାରକୁ । ତୁମ ଆଖିରେ ଅପରାଧବୋଧ ସ୍ପଷ୍ଟ ବାରିହେଇ ପଡ଼ିଥିଲା । ଫେରିବା ପରେ ମୋ ଆଗରେ ତୁମେ ଅନୁତାପର ଲୁହ ଝରାଇ ଥିଲ । ତୁମ ଆଖିରେ ଲୁହ ଅସହ୍ୟ ଥିଲା ମୋ ଲାଗି । ମୋ ପାଦ ଧରି କ୍ଷମା ମାଗିଥିଲ । କେଇ ସମୟ ପାଇଁ ମୁଁ ପ୍ରେମୀକା ପାଲଟିଥିଲି ଆଉ ତୁମେ ମୋ କୃଷ୍ଣ । ଅଧିରା ହୋଇ ଉଠିଥିଲି ଖୁସିରେ । କୋଳେଇ ନେଇଥିଲ ମୋତେ । ସେଦିନ ଜହ୍ନବି ଆମ ପ୍ରୀତି ପର୍ବର ସାକ୍ଷୀ ସାଜିବାକୁ ଅଳସେଇ ଯାଇଥିଲା । 

ଆଉ କେବେ ଜୋରକରି କଥା ପଦେ କହିନ ମୋତେ । କହିଥିଲ ମଣି ବରଂ ତୁମର କୌଣସି କୌଣସି କର୍ମ ଅତି ଅସହ୍ୟ ହେଲେ ମୁଁ ତୁମ ଠାରୁ ଅଲଗା ହେଇଯିବି କିନ୍ତୁ ବଞ୍ଚିଥିଲା ପର୍ଯ୍ୟନ୍ତ କେବେ ତୁମ ଉପରକୁ ହାତ ଉଠେଇବି ନାହିଁ । ରଖିଛ ତୁମ ପୁରୁଷ ପଣିଆ । ସେ ପରିସ୍ଥିତିର ପୁନରାବୃତ୍ତି ହେଇନି ଆଜିଯାଏ । ପ୍ରୀତି ଭୋଳରେ କଟି ଚାଲିଲା ପ୍ରତିଟି ମୁହୂର୍ତ୍ତ । ତିନୋଟି ସନ୍ତାନର ଜନନୀ ହେଲି । 

ପରିଚୟ ଦେଇ ଲାଗିପଡିଲ ସେମାନଙ୍କ ଭବିଷ୍ୟତ ନିର୍ମାଣରେ । ଏଣେ ଘରର ବଡ଼ପୁଅର ଦାୟିତ୍ୱ ,,, ସବୁ ଭିତରେ ବି ମୋତେ କେବେ ଏକାକୀପଣର ଅନୁଭବ କରେଇ ଦେଇନ । ଚାକିରୀରେ ସହରକୁ ବଦଳି ହେଲାପରେ ଘରର ଦାୟିତ୍ୱପାଇଁ ତୁମେ ମୋତେ ସାଙ୍ଗରେ ନନେଇ ଘରର ଦାୟିତ୍ୱ ଓ ପିଲାମାନଙ୍କର ଭବିଷ୍ୟତ ପାଇଁ ମୋତେ ଘରେ ରହିବାକୁ ବୁଝେଇଥିଲ । ମୁଁ ବି ଘରର ସ୍ନେହବୋଳା ପରିବେଶରୁ ଦୁରେଇବାକୁ ଠିକ ମଣିନଥିଲି । ପ୍ରତି ଶନିବାର ସନ୍ଧ୍ୟାରେ ତୁମେ ଘରକୁ ଆସିବାର ପ୍ରତିଶୃତି ଦେଇଥିଲ ଯାହା କେବେବି ଭାଙ୍ଗିନ । 

ଗ୍ରୀଷ୍ମ ଚାତକେ ସମ ମୋ ମନର ପ୍ରୀତିମରୁରେ ତୁମ ସ୍ପର୍ଶର ବିନ୍ଦୁକୁ ମୁଁ ଚାହିଁବସେ । ତୁମକୁ କେବେବି ବର୍ଷାପବନ ଅଟକେଇ ପାରିନି ଦେଇଥିବା ପ୍ରତିଶୃତି ରକ୍ଷାକରିବାକୁ । ଜାଣିଛ ଦିବସର କ୍ଳାନ୍ତି ପରେ ବିଛଣାରେ ଯେବେ ତୁମ କୋଳକୁ ଆସେ । ସେତେବେଳେ କୁଆଡ଼େ ମେଣ୍ଟିଯାଏ ସେ ଅବସ । ତୁମ କୋଳର ଉଷ୍ମତାରେ ଦେହର କ୍ଳାନ୍ତିପଣ ନିଶୁନ ହେଇଯାଏ । ତୁମର ଗୋଟେ ଗୁଣକୁ ମୁଁ ବହୁତ ପସନ୍ଦ କରେ । ଏଣୁତେଣୁ ପୁଳେ ମୂଲ୍ୟହୀନ ଗପ ତୁମେ ସାଇତି ରଖିଥାଅ ମୋପାଇଁ । 

ତୁମ ସଞ୍ଜତ ପଣ ବିଷୟରେ ନକହିବା ଭଲ । ବିବାହର ଛଅମାସ ଯାଏ ତ ସେସବୁ ବିନା ସଂସାର ଚାଲେ ବୋଲି ଭାବିନେଇଥିଲି । ଶୁଣାକଥା ସବୁକୁ ମିଛ ଭାବିନେଇଥିଲି । ଯେତେବେଳେ ଆମ ଘରକୁ ଗଲି ବୁଲିବାକୁ ସେତେବେଳେ ମୋ ସମବୟସ୍କା ମୋ ଭାଉଜଙ୍କ ପାଖରୁ ସବୁ ବୁଝି ଆସିଲାପରେ ଭାବିଲି ତୁମେ ଅକ୍ଷମ । ଷୋହଳ ବର୍ଷର ଝିଅଥିଲି କଣ ବା ଜାଣିଥାନ୍ତି !!? ଶାରୀରିକ ଶିହରଣ କେବଳ ଆଲିଙ୍ଗନ ଦ୍ୱାରା ହିଁ ସ୍ଥିରତାକୁ ପ୍ରାପ୍ତିହୁଏ ଏ ଭ୍ରାନ୍ତ ଧାରଣା ମୋ ମନରେ ଘର କରିସାରିଥିଲା । ହେଲେ ଘରୁ ଫେରିଲା ପରେ ଅଲାଜୁକୀ ହେଇ ଯେତେବେଳେ ଭାଉଜଙ୍କ କହିବା କଥା ତୁମକୁ କହିଥିଲି । ହସି ଦେଇଥିଲ ,,, ଭାଉଜ ତୁମ ପୁରୁଷତ୍ଵକୁ ଆକ୍ଷେପ କରିବା କଥା ବି କହିଦେଇଥିଲି । 

ସେଦିନ ତୁମେ ତୁମ ପୌରୁଷ ଛୁଆଁରେ ମୋତେ ପ୍ରଦାନ କରିଥିଲ ନାରୀତ୍ବ । ଦେହର ଅଗ୍ନିକୁ ଶକ୍ତଛନ୍ଦ ଆଲିଙ୍ଗନରେ ନିର୍ବାପନ କରିଥିଲ । ସେଇ ପ୍ରକୃତି ତୁମର ଶେଷଯାଏ । ମୋତେ ଅଲାଜୁକୀ ହେବାକୁ ବାଧ୍ୟକରିଥିଲ ଆଉ ବୁଝେଇ ଦେଇଥିଲ ତୁମେ ତୁମର ମନକଥା ଯଦି ମୋ ଆଗରେ ନକହି ପାରିଲ ତେବେ ମୋ ସ୍ୱାମୀ ପଣିଆକୁ ଧିକ ।

ଅନେକ ବର୍ତ୍ତମାନ ବିବାହକୁ ବନ୍ଧନ କହୁଛନ୍ତି । ହେଲେ ମୁଁ ବିବାହ ସମ୍ପର୍କର ସ୍ୱଚ୍ଛନ୍ଦତାକୁ ଭୋଗ କରିଛି । କେବେ ମୋର ପାଉଁଜୀ ତୁମକୁ ମୋହିତ କରୁଥିଲାତ କେବେ ମୋର କାନଫୁଲ , କେବେ ମୋର ବକ୍ଷୋଜର ପ୍ରଶଂସା କରୁଥିଲତ କେବେ ପୁଣି ମୋର ନିତମ୍ବ ମାୟାରେ ପଡ଼ୁଥିଲ କେବେତ ମୋର ସର୍ବାଙ୍ଗକୁ ଈଶ୍ୱରଙ୍କର ଏକ ଅନନ୍ୟ ସୃଷ୍ଟି ବୋଲି କହୁଥିଲ । ତୁମର ସେ ତେଲ ମରା କଥା ସାଙ୍ଗକୁ ସେ ଯେଉଁ ଉଗ୍ର ଚୁମ୍ବନ ଓହୋଃ । ମୋତେ ଅଲାଜୁକୀ ହେବାକୁ ବାଧ୍ୟକରିଦିଏ । 

ପିଲାମାନେ ସଂସ୍କାର ପାଇଲେ , ଶିକ୍ଷା ବି ପାଇଲେ , ନିଜ ମନମୁତାବକ ଦୀକ୍ଷାବି ପାଇସାରିଲେଣି । ନାତିନାତୁଣୀ ଭେଣ୍ଡିଆ ହେଇଗଲେଣି । ସେ ଟୋକି ସେଦିନ କଣ କହୁଥିଲା ଶୁଣିନ କି ? ଜେଜେ ତୁମେ ବହୁତ ଭାଗ୍ୟବାନ ଜେଜେମା ପରି ହଳଦୀ ଗୋରୀ ସ୍ତ୍ରୀଟିଏ ପାଇଥିଲ । ଏ ବୟସରେ ବି କେମିତି ଝଟକୁଛନ୍ତି ଦେଖ ।

ପିଲାମାନଙ୍କ ପାଇଁ ସହରରେ ଘର ତୋଳେଇଦେଲ । ସମାଜକୁ ଲକ୍ଷ୍ୟକରି ନାତିନାତୁଣୀଙ୍କ ଶିକ୍ଷାଦୀକ୍ଷା ବି ସହରରେ ହେଉ କହି ବୋହୂ ମାନଙ୍କୁ ପଠେଇଦେଲ । ହେଲେ ଏତେବେଡ଼ ଘରେ ମୁଁ ବି ରହୁଛି ଏକଥାକୁ ତୁମେ ଭୁଲିଗଲ କେମିତି ? ସମସ୍ତଙ୍କ ଭବିଷ୍ୟତ ନିର୍ମାଣ ଚିନ୍ତା ଭିତରେ ମୋ ବର୍ତ୍ତମାନ କୁ ଏମିତି ଅଣଦେଖା କରୁଛ କାହିଁକି ? ଏ ଷାଠିଏ ରୁ ଉର୍ଦ୍ଧ୍ବ ବୃଦ୍ଧା ବୟସରେ ମୋର କଣ ଆଉ କ୍ଷମତା ଅଛି ମୋ ଅଲାଜୁକୀ ପଣ ଜାହିର କରି ତୁମକୁ ମୋ ଆଡ଼କୁ ଆକର୍ଷିତ କରିବି !!? 

ଯେତେଦୂର ମୁଁ ତୁମକୁ ଜାଣିଛି ,,, ତୁମ ମନରେ ବି ତିଳେମାତ୍ର ଦେହ ଲାଳସା ନଥିବ । କିନ୍ତୁ କୁଆଡ଼େ ଗଲା ସେ ପ୍ରତିଶୃତି , କୁଆଡ଼େ ଗଲା ତମର ସେ ବିଶ୍ୱାସ ଭରା କଥାସବୁ । ତୁମର ମୋ ଉପରେ ଥିବା ଅଗାଧ ଭରଷା କୁ ତ ମୁଁ କେବେ ଲୋକହସା କରେଇନି !!? ତାହେଲେ କାହିଁକି ଏମିତି ରୁକ୍ଷତା ମୋପ୍ରତି !!? 

ସେସବୁ କଣ ତାହେଲେ କେବଳ ଯୌବନର ଉନ୍ମାଦନା ପାଇଁ ଆବଶ୍ୟକ ଥିଲା !!? ଆମେ ପରା ଜନ୍ମଜନ୍ମକୁ ସାଥୀ ହେଇଛେ ? ଆମର ସେ ସଙ୍ଗ କଣ କେବଳ ଯୌବନ କାଳ ଥିଲା ପର୍ଯ୍ୟନ୍ତ !!? ଦେଖ ମୋ ତରାଟ କଢ଼ିପରି ଦାନ୍ତ ସବୁ ଝଡ଼ି ପଡ଼ିଲାଣି , ତୁମକୁ ଆକର୍ଷିତ କରୁଥିବା ମୋ ନାକର ଗୁଣା ଓହଳି ପଡ଼ିଥିବା ଚର୍ମ ତଳେ ଢାଙ୍କି ହେଇଗଲାଣି । ତାମାନେ କଣ ସମ୍ପର୍କର ଇତିବୃତ୍ତି ।!!

ତୁମର ହତାଦର ଦେଖି ଯଦି ମୋ ମନର ନିସଙ୍ଗତା ଦୂର କରିବାକୁ ପିଲାମାନଙ୍କ ଭରପୁର ପରିବାରକୁ ଆଦରି ନେଲି ଆଉ ସେମାନଙ୍କୁ ମୋର ଉପସ୍ଥିତି ସହ୍ୟ ନହେଲା ତେବେ କଣ ମୋର ସ୍ଥାନ କେଉଁ ଜରାଶ୍ରମ !!? 

ନା ନା ,, ଏଇଠି ମରିବି ପଛେ କୁଆଡ଼େ ଯିବିନି ମୁଁ । ହେଲେ ପଦେ କଥା ବି ମୋ ପାଇଁ ଝରୁନି ତୁମ ଓଠରୁ !!? ଜରାଶ୍ରମ ପୂର୍ଣ୍ଣ ହେବାର ଏହା କଣ ଏକ କାରଣ ନୁହେଁ !!? ଜନ୍ମଜନ୍ମର ସାଥିତ ନିଜର ହେଲାନି ଆଉ ଏ ପିଲାମାନଙ୍କ କଥା କଣ କହିବି ? ହେଲେ ମୋ ବିନା ତୁମେ ହଇରାଣ ହେବ ,,, ଚାହିଁଲେବି କୁଆଡେ଼ ଯାଇପାରୁନି । 

କାହିଁକି ଏତେ ଭାବିବି ? ଆଉ କେଇଟା ଦିନ ଅବା ବଞ୍ଚିବି ,,, ଶାଶୁ ମାଙ୍କ ପରି ତୁମକୁ ଦେଖୁଦେଖୁ ଝରିପଡ଼ନ୍ତି କି ? 


ଆରେ ମଣି ତୁମେ କେତେବେଳେ ଆସିଲ ? 

ଜିଭ କାମୁଡ଼ି ପକେଇଲି ମୁଁ ,,, ମୁଁ କଣ ଏକଥାସବୁ ଗୁଣୁଗୁଣୁ ହେଇ ୟାଙ୍କୁ କହି ଦେଲିକି ? ନା ତ ,,। 


ମଣି ତୁମ ଆଖି ଏମିତି ଛଳଛଳ କାହିଁକି ? 


ବୁଢ଼ୀ ହେଲିଣି କଣ ଜାଣିପାରୁନ !!? ପାଣି ଜକେଇ ଆସୁଛି ଏ ଆଖିରେ । ତୁମେ ଏମିତି ଚାହିଁ ରହିଛ କଣ ଯେ ? କଣ ଆଜି ନୂଆ ଦେଖୁଛ ? 

ନାଇଁ ମଣି ତୁମ ଆଖିରେ ଦ୍ଵିତୀୟ ବାର ଲୁହ ଦେଖୁଛି ଆଜି । ଆଉ ସମ୍ଭାଳି ପାରିଲିନି । 


ଶୁଷ୍କ ଆଖିରୁବି ଝରି ଆସିଲା ଦୁଇଧାର ଉପେକ୍ଷାର ଧାର । 


କାହିଁକି ଏତେ ଅଭିମାନ ମଣି !!? କଣ ମୋର ଦୋଷ !!? ଏ ପରିଣତ ବୟସରେ ତୁମ ଆଖିର ଲୁହ ସଯ୍ୟ କରିପାରିବିନି ମୁଁ । ପିଲାମାନେ କଣ କେହି କିଛି କହିଲେକି ? ତୁମକୁ ମୋରାଣ ମଣି କୁହ କଣ ହେଇଛି ତୁମର ? 


ତୁମେ ସେହି ରଘୁନାଥଟି ? ଷୋଳ ବର୍ଷ ବୟସରେ ଯାହାର ହାତଧରି ମୁଁ ସବୁକିଛି ଭୁଲି ଯାଇଥିଲି !!? 


ହଁ ମଣି ମୁଁ ସେଇ ରଘୁନାଥ !! 


ଘଣ୍ଟାଏ ହେଲାଣି ମୁଁ ତୁମକୁ ଡାକୁଛି ,, ହାତମାରି ବି ଡାକିଲି ହେଲେ .........। ପସରି ଗଲା ଚକ୍ରବାତ ପରର ନୀରବତା । ରମାମଣି ଦେବୀ ଲୋତକ ପୂର୍ଣ୍ଣ ଆଖିରେ ଚାହିଁ ରହିଛନ୍ତି ରଘୁନାଥ ବାବୁଙ୍କୁ । 

ମୋତେ କ୍ଷମାକର ମଣି ,, ଦ୍ବିତୀୟଥର ପାଇଁ କ୍ଷମାକର । ଆଉ କିଛି କହିବାକୁ ସକ୍ଷମ ନଥିଲେ ରଘୁନାଥ ବାବୁ ,, କଣ୍ଠ ଅବରୋଧ ହେଇଯାଇଥିଲା ତାଙ୍କର । 


ଏ....ତୁମେ ଏମିତି କାନ୍ଦୁଛ !!? (ଚାଲ ଆଉଥରେ ପ୍ରେମ କରିବାର ପ୍ରୟାସ କରିବା । ବିଶ୍ୱାସ ଭରଷା ପ୍ରତିଶୃତି ବିନା ଆଉଥରେ ସ୍ୱପ୍ନ ଦେଖିବାର ଅଭିନୟ କରିବା ।) 

ଏବେ ସେସବୁର ଆବଶ୍ୟକତା ବି କଣ ଅଛି କହିଲ ? ସମୟ ସୁଅରେ ଏବେ ଏସବୁ ଅପ୍ରାସଙ୍ଗିକ ହେଇଯାଇଛି । ତୁମର ଈଶ୍ୱରୀୟ ଚିନ୍ତାରେ ମୋତେ ଭାଗୀ କରିଲେ ହୁଅନ୍ତାନି !!? ମୁଁ ପରା ତୁମ ଅର୍ଦ୍ଧାଙ୍ଗିନୀ ,, ମୋ ବିନା କେମିତି ତୁମେ ତପାଚରଣ କରିପାରିବ !!? ରଘୁନାଥ ବାବୁଙ୍କ ଆଖି ଆଗରେ ଘୋଟିଗଲା ବହଳ ଅନ୍ଧାର । ଲୁହର ଆସ୍ତରଣ ମାଡ଼ି ଯାଇଥିଲା ଆଖି ଉପରେ । ଥଙ୍ଗଥଙ୍ଗ ହେଇକି ରଘୁନାଥବାବୁ କହୁଛନ୍ତି ,,,,

ନା ମଣି ନା ଏବେ ଆଉ ଅଭିନୟ କରିବିନି ,,, ଏବେ ଅଭିନୟର ଆବଶ୍ୟକତା ନାହିଁ । ଏବେ ସମ୍ପୂର୍ଣ୍ଣ ରୂପେ ବାସ୍ତବତାକୁ ନେଇ ବଞ୍ଚିବା ଆମେ । ନା ବାସନା ନା ପ୍ରତ୍ୟର୍ପଣ ଏବେ ଖାଲି ସମର୍ପଣର ଜୀବନ ବଞ୍ଚିବା । ମୋତେ କ୍ଷମାକର , କ୍ଷମାକର ମଣି କ୍ଷମାକର । ଶବ୍ଦମାନେ ସେମାନଙ୍କ କାମ ସାରିଦେଇଥିଲେ ,,, ଭାବନା ପ୍ରବାହମାନ ହେଉଥିଲା ଚାରିଟି ଆଖିରେ ଓ ଦୁଇଟି ହୃଦୟରେ । 

ରମାମଣି ଦେବୀ କୋଳେଇନେଲେ ରଘୁନାଥଙ୍କୁ । ପରିସ୍ଥିତି ସମ୍ପୂର୍ଣ୍ଣ ବିପରୀତ ,,, ସମୟ ନିଜକୁ ବଦଳେଇଛି । ଅବୁଝା ହେଇକି ଆଉ ନାହାଁନ୍ତି ରମାମଣି ଦେବୀ ଏବେ ବିଜ୍ଞ ରଘୁନାଥ ବାବୁ ସମ୍ପୂର୍ଣ୍ଣ ରୂପେ ଅବୋଧ ଆଉ ତାଙ୍କୁ  ସାନ୍ତ୍ୱନା ଦେଉଛନ୍ତି ମମତାର ପ୍ରତିମୂର୍ତ୍ତି ରମାମଣି ଦେବୀ । 


              ।।ଶରଣ ମାତେ।।


Rate this content
Log in

Similar oriya story from Drama