ବୟସର ବସନ୍ତ
ବୟସର ବସନ୍ତ


ବୁଝି ଯାଇଥିଲି ଯେ କେବେ ଆଉ ଅନୁପମା ସାଙ୍ଗରେ ମୋର ଦେଖା ହେବନାହିଁ।
ଭୁଲି ଯାଇଥିଲି ଯେ ସ୍କୁଲରେ ପଢୁଥିବା ବେଳେ ତା' ପାଇଁ ମାଡ ଖାଇଥିଲି।
ଏକଦା ତା' ପାଖକୁ ପ୍ରେମ ଚିଠି ଲେଖିବା ମୋର ନିଶା ଥିଲା। ତା' ପାଇଁ ଗୀତ ଗାଇବା ମୋର ଗୋଟେ ପେଶା ହୋଇଥିଲା। ସ୍କୁଲ୍ ପ୍ରୋଗ୍ରାମରେ ଗୀତ ଗାଇ ଅନେକ ପ୍ରଶଂସା ପାଇଥିଲି। - ହେଲେ ଏସବୁ କଥା ମୋ ମନ ଭିତରେ ମରି ସାରିଥିଲା।
ସେ ଖୁବ୍ ସୁନ୍ଦରୀ ଥିଲା। ଭଳି ଭଳି ପୋଷାକ ପିନ୍ଧି ସ୍କୁଲକୁ ଆସୁଥିଲା। ଛାତି ଉପରକୁ ଦୁଇଟା ବେଣୀ ଝୁଲେଇ ଦେଉଥିଲା। ତାକୁ ଦେଖିଦେଲେ ଗୋଟେ ମିଠା ମିଠା ଅନୁଭବ ଖେଳି ଯାଉଥିଲା ମୋ ମନରେ।
ଉପରେ ଉପରେ ଦେଖେଇ ହେଉଥିବା ଫଗୁଣ ପରି ମୋତେ ଲାଗୁଥିଲା ସେ। ତା' ପ୍ରେମରେ ପଡି ଯାଇଥିଲି ମୁଁ। ଯେଉଁ ଋତୁ ହେଉ ନା କାହିଁକି ମୋତେ ସବୁ ବସନ୍ତ ବସନ୍ତ ଲାଗୁଥିଲା।
ଗୋଟେ କଥା ତାକୁ କହିବି କହିବି ଭାବୁଥିଲି। ହେଲେ ମୋତେ ଲାଜ ଲାଗୁଥିଲା। କହି ପାରୁ ନ ଥିଲି। ମୁର୍କି ମୁର୍କି ହସୁଥିଲା ସେ। ମୋତେ ଲାଗୁଥିଲା ଯେମିତି ମୋର ମନକଥା ସେ ବୁଝି ପାରିଛି।
ସ୍କୁଲ୍ ପଢା ସରିଗଲା। କଲେଜରେ ପଢିବା ପାଇଁ ମୁଁ ସହରକୁ ଚାଲି ଆସିଲି। ସେ ଗାଆଁରେ ରହୁଥିଲା। ଆଉ ପାଠ ପଢୁ ନ ଥିଲା।
ଦିନେ ଗାଆଁକୁ ଫେରି ଶୁଣିଲି ତା'ର ବାହାଘର ହୋଇ ଯାଇଛି। ହାୟ !ଦୁଃଖୀ ହେଲି ମନେମନେ।
ବୋଧହୁଏ ସେଇଠି ମୋର ବସନ୍ତ ଋତୁ ସରିଗଲା। ମୋ ଭିତରେ ଥିବା କୋଇଲିର କଣ୍ଠ ପଡିଗଲା।
ଏବେ କେମିତି ନୀରସ ନୀରସ ଲାଗୁଥିଲା ଜୀବନ। ମୁଁ ଆଉ ପଦୁଟିଏ ଗୀତ ଗାଇ ପାରୁ ନ ଥିଲି।
କିଏ ଜାଣିଥିଲା ଏମିତି ହେବ ବୋଲି ସ୍ବପ୍ନ ତୁଟି ଯାଇଥିଲା। ଏବେ ଫଗୁଣର ଫୁଲମାନେ ମୋତେ ବିଦ୍ରୁପ କରୁଥିବା ଭଳି ଲାଗୁଥିଲା।
ଇଏ କେତେ ଦିନର କଥା।
ଏବେ ହଠାତ୍ ଦିନେ ଗୋଟେ ସାହିତ୍ୟ ସଭାରେ ତା' ସାଙ୍ଗେ ଦେଖାହେଲା। ଏକ ବସନ୍ତ ଆସରକୁ କବିତା ପଢିବାକୁ ଆସିଥିଲା ସେ। କେବେଠୁଁ ସେ ଜଣେ ପ୍ରତିଷ୍ଠିତ କବୀ ହୋଇ ଗଲାଣି, ତା'ର ଖବର ମୋ ପାଖରେ ନ ଥିଲା। ତାକୁ ଦେଖୁ ଦେଖୁ ଯାହା ବୁଝି ଯାଇଥିଲି ତାହା ମୋତେ ଭୁଲ୍ ପରି ଲାଗିଲା। ଯାହା ଭୁଲି ଯାଇଥିଲି ତାହା ମୋର ମନେ ପଡିଲା।
ସେ ଖୁବ୍ ମିଶିଲା ମୋ ସହିତ। ହସି ହସି କଥା ହେଲା। ମୁଁ ଆଉ ଗୀତ ଗାଉ ନ ଥିବା ଜାଣି ଦୁଃଖ ପ୍ରକାଶ କଲା। ଯେତେବେଳେ ଜାଣିଲା ଯେ ମୁଁ ବିବାହ ନ କରି ରହିଛି, ଖୁବ୍ ଭାଙ୍ଗି ପଡ଼ିଲା। କାରଣଟି ବୁଝିବା ପରେ ଅନୁତାପରେ ସଢିଗଲା। ମୋ ଠାରୁ କ୍ଷମା ମାଗିନେଲା।
ସଭାରୁ ଘରକୁ ଫେରିଲି। କାହିଁକି କେଜାଣି ନିଜ ଭିତରେ ପୁଣି ବସନ୍ତକୁ ଖୋଜିଲି। ଗୀତଟିଏ ଗାଇବାକୁ ମନ ହେଲା। ଚେଷ୍ଟା କଲି ଖୁବ୍।
ସେଦିନ ସାରାରାତି ଅନିଦ୍ରା ରହିଲି। ନା ମୁଁ ଖୋଜି ପାଇ ପାରିଲି ମୋ ବୟସର ବସନ୍ତକୁ,ନା ମୁଁ ଗାଇ ପାରିଲି ଗୀତଟିଏ।
ବସନ୍ତ ଫେରେ,ହେଲେ ବୟସର ବସନ୍ତ ଫେରେ କ'ଣ !
ବୟସର ବସନ୍ତ ଫେରୁ ନ ଥିଲା।
କୋଇଲିର କଣ୍ଠ ଫିଟୁ ନ ଥିଲା।
ହାୟରେ ବୟସର ବସନ୍ତ