ବ୍ୟକ୍ତିଗତ
ବ୍ୟକ୍ତିଗତ
ନିଜ ପାଇଁ ନିଜେ ସିଦ୍ଧାନ୍ତ ନେବାର କଳା ଯେ ହାସିଲ କରିନେଲା ଜାଣିବ ସେ
ଅପରାଜୟ ।.........
ମୋର ଏକଦମ ବିଶ୍ୱାସ ହେଇଯାଇଥିଲା ମୁଁ ଭୁଲି ଯାଇଛି । ମାନେ ଭଲ ଭାବେ ନିଜକୁ ସଫା କରି ନେଇଛି । ପୁରୁଣା ଘଷରା ଜିନିଷ ରଖିବା କବାଡି ବାଲାର କାମ । ମୁଁ ହେଲି ଏକଦମ ଅପଟୁଡେଟ୍ । ତେଣୁ ମୋର ସେ ରଦ୍ଦି ଗୁଡା ସାଇତିବାର ନୁହେଁ । ମୁଁ ନିଜକୁ ସବୁବେଳେ ଝଡ଼ିଝୁଡ଼ି ସଫା ରଖିବାରେ ମାହିର । ଭାଉ ବି ଖାଏ ଏଇଥିପାଇଁ । ତେଣୁ ସେ କେଉଁଠି ନାହିଁ ବୋଲି ମୁଁ ନିଶ୍ଚିତ ଥିଲି ।
ଅତୀତର ସମାଧି ଉପରେ ଭବିଷ୍ୟତର ସୌଧ ହିଁ ଜୀବନ ।........
ମୋର ହିସାବରେ ଜୀବନଟା ଏକଦମ ଛୋଟିଆ ; ହେଇ ହେଇକି ଦଶ ବର୍ଷର ସ୍ୱାଧୀନତା ; ୧୮ ରୁ ୨୮। ଏଇ ରେଞ୍ଜଟା ସାର୍ବଜନୀନ । ୧୮ ପୂର୍ବରୁ ଦମ ଆସେନି ଆଉ ୨୮ ପରେ ଦାମ ରୁହେନି । କଲେଜରେ ମଞ୍ଜି ପୋତି ମୂଳ ଟାଣ ହେଲା ବେଳକୁ ୧୮ ; ତା' ପରେ ରଙ୍ଗୀନ ଫୁଲର ମେଳଣ । ସେମିତି ୨୮ ପରେ ଚାକିରୀ ବାକିରି କରି ଜମିଲେ ଗଛରେ ଫଳର ଓଜନ । ନହେଲେ ରାସ୍ତାକଡ଼ ଇଉକାଲି ପଟାସ୍ ସ୍ଥିତି ।
ତେଣୁ ସ୍ୱାଧୀନ ସମୟ ସେଇ ଦଶ । ଜୀବନ ସେତିକି ; ତା' ପୂର୍ବରୁ ଘର ଅଧିନ ଓ ପରେ ଦାୟିତ୍ୱ ଅଧିନ ହେଇଯିବା ପକ୍କା ।
ସେତିକି ସମୟରେ ରଦ୍ଦି ସାଇତିବାକୁ ତର କାହିଁ ? ବୁଦ୍ଧିମାନ ଲୋକ ବରଂ ରଦ୍ଦି ବିକି ନୂଆ ଜିନିଷ କିଣେ । ଯିଏ ରଦ୍ଦି ସାଇତେ ଅଳିଆ ଗଦା ହେଇଯାଏ ତା' ଜୀବନ । ସେଥିରୁ ସତେଜତା ହଜିଯାଏ ଘୋଡା ମୁଣ୍ଡର ସିଙ୍ଗ ଭଳି । ତେଣୁ ମୁଁ ନିଜକୁ ସଫା କରିନେଇଥିଲି ବୋଲି ଦୃଢ଼ ଧାରଣାଟିଏ ସାଇତି ନେଇଥିଲି ଗୋଟେ ଘଣ୍ଟା ପୂର୍ବ
ଯାଏଁ ।
ହଁ ସାର୍ପ ଗୋଟେ ଘଣ୍ଟା ହେଲା ମୁଁ ତାକୁ ମୋ ସମ୍ନାରେ ଦେଖୁଛି । ମାଟି ଭିତରେ ପୋତାହେଇ ଖତ ହେଇଯାଇଥିବା ପୁରୁଣା
ସ୍ମୃତିଗୁଡା ପୁଣି ଜକଜକ ହେଇ ଦିଶୁଛି ।
ମୋର ଯେ କୌଣସି କଥା ପାସୋର ହେଇନି ବୁଝା ପଡୁଛି । ଆହୁରି ମୁଁ ଯେ ତାକୁ ମୋ ଭିତରେ ସାଇତି ମହାଦ୍ରୁମ କରିଦେଇଛି ସେତକ ମଧ୍ୟ ସ୍ପଷ୍ଟ ବୁଝୁଛି ।
କିଛି ସ୍ମୃତି ଚିରକାଳ ସବୁଜ ନିବୁଜ ହୃଦୟ ଭିତରେ ।.....
ସେ ମୋ ସାମ୍ନାରେ ମୁଣ୍ଡରେ ପୋଥାଏ ସିନ୍ଦୁର ଲଗେଇ , ହାତରେ ମେଞ୍ଚେ ନାଲି ଚୁଡ଼ି ପିନ୍ଧି ବସିଛି । ପୁଅଟି ସହ ହାତରେ ହାତଛନ୍ଦି , ଦେହରେ ଦେହ ଘଷି , ଆଖିରେ ଆଖି ମିସେଇ ହସୁଛି। ଭାରି ସୁନ୍ଦରୀ ଲାଗୁଛି ନିଶ୍ଚିତ କିନ୍ତୁ ମୋତେ ବଡ଼ ଅବାଗିଆ ଲାଗୁଛି ଏଇ ଭୂବନ ମୋହିନୀ ରୂପ ।
ମୋର କାହିଁକି କେଜାଣି ଏବେ ଇର୍ଷା ହେଉଛି ଭୟଙ୍କର ଭାବରେ । ବହୁତ ରାଗ ହେଉଛି ସେଇ ହ୍ୟାଣ୍ଡସମ୍ ପୁଅଟି ଉପରେ ।
ଇଚ୍ଛା ହେଉଛି ତାଙ୍କ ସେଇ ମୁଲାୟମ ସନ୍ଧ୍ୟାର ମାହୋଲକୁ ଗୋଟେ ନିଷ୍ଠୁର ଦସ୍ୟୁ ଭଳି ଲୁଣ୍ଠନ କରି ନେବାକୁ । ତାକୁ ଦୌଡ଼ି ଯାଇ କୁଣ୍ଢେଇ ପକେଇ କହିବାକୁ , " ପ୍ଲିଜ ମୋ ସହ ଏମିତି କରି ଠିକ କରିନୁ ତୁ ଗ୍ଲୋରା । ତୁ ମୋତେ ଧୋକା ଦେଇ ସୁଖୀ ହେବୁନି ଜମା ।''
ବାସ ଏତିକି ଯଥେଷ୍ଟ ପୁଅଟିର ହସ ଚୋରେଇବାକୁ । ସେ କଥା କିଏ ବୁଝିବ ସତରେ ମୁଁ ; ମାନେ ଆମେ ଦୁହେଁ କେବେ ସମ୍ପର୍କରେ ଥିଲୁ କି ନାହିଁ !............
ଗୋଟେ ସଇତାନ ଲୁଚି ବସିଥାଏ ପ୍ରତ୍ୟକ ଦେବତା ଭିତରେ । ତାକୁ କାବୁ କରିବାର ପ୍ରଚେଷ୍ଟା ଭିତରେ ସରିଯାଏ ଜୀବନ । ଅଉ ଜଦି କାବୁ କରିବା କଷ୍ଟ ହୁଏ ତେବେ ଆମେ ହେଉ ଅମଣିଷ ।
ମୁଁ କିନ୍ତୁ ଅମଣିଷ ନୁହେଁ , ମୁଁ ନେପଥ୍ୟର ନାୟକ । ଏବେ ଅଛି ଏଇ ପାର୍ଟିରେ ଗୋଟେ କାର୍ଟୁନ କଣ୍ଢେଇ ମୁଖା ପିନ୍ଧା ମଣିଷ ଭଳି । ଭିତର ମଣିଷର ସ୍ଥିତି ଯାହା ହେଉ ପଛେ କଣ୍ଢେଇ ନାଚିବ , ଖେଳିବ , ସଭିଙ୍କୁ ହସେଇବ । ମୁଁ ନିଜେ ବସିଛି ମୋ ଗୀଟାର ଧରି ସ୍ପେଶାଲ କନ୍ସର୍ଟରେ ଯାହା ଗ୍ଲୋରା ଆଉ ତା' ସ୍ବାମୀ ପାଇଁ ବ୍ୟବସ୍ଥା କରାଯାଇଛି ହୋଟେଲ ତରଫରୁ ।
ମୁଁ ଏଇନେ ୨୮ ପାର କରି ଇଉକାଲି ପଟାସ୍ ହେଇଯାଇଛି । ନା' ଫୁଲ ନା ଫଳ ।
ଗୀଟାର ଟୁଣୁଟୁଣୁ କରୁଛି ଆଉ ନିଜକୁ ଠକୁଛି । ମୋର ଯଉଁ ଅବସ୍ଥା ସେଥିରେ ଗ୍ଲୋରାର ଛାତିଟା କାଣୀଚାଏ ହଲଚଲ ହେବାର ସମ୍ଭାବନା ଶୁନ୍ । ସେ ହୁଏତ ମୋତେ ଦେଖି ଚିହ୍ନିବି ପାରୁନି । ମୁଁ କୋଉ ଆଉ ଅଛି ସେଇ ଅଶ୍ରୁମୋଚନ , ତା' ପରିଚିତ ଅଶୁ ।
ବର୍ଷା ହେଉଥିଲା , ପ୍ରବଳ ବର୍ଷା । ମୌସୁମୀ ବର୍ଷାର ରୂପ ଅବପାତରେ ବଦଳି ଯାଇଥିଲା । କେମେଷ୍ଟ୍ରି ପ୍ରାକ୍ଟିକାଲରେ ମୁଁ ସଲଟ୍ ଆଇଡେଣ୍ଟିଫାୟ କରିବାକୁ ରୀତିମତ ସଂଘର୍ଷ କରୁଥିଲା ବେଳେ ସେ ଠିକ ଲାଇବ୍ରେରୀ ସାମ୍ନାରେ ଠିଆ ହେଇ ମୋତେ ଏକଦମ ଏକ ଲୟରେ ଅନେଇଥିଲା । ସାରା କଲେଜ ଶୁନସାନ ହେଇସାରିଥିଲା ବେଳେ ତାର ଏମିତି ଏକୁଟିଆ ଠିଆ ହେବା ମୋତେ ଅଡ଼ୁଆ ଲାଗୁଥିଲା ଆଉ ମୋ ପ୍ରାକ୍ଟିକାଲ ବାଉଳା ହେଉଥିଲା । ଦୁଇଟା ଛୋଟ ଦୁର୍ଘଟଣା ବି କଲି ଗୋଟେ ବିକର ଭାଙ୍ଗିଲି ଆଉ ହାତ ବି ନିଆଁ ଲଗେଇଲି ।
କୌଣସି ମତେ କାମ ସାରି ସିଧା ଆସିକି ତା' ଉପରେ ଚଢିଲି । '' ତୁ କଣ ପାଇଁ ଏମିତି ଡାହାଣୀ ଆଖିରେ ଅନେଇଛୁ , ତୋ ସକାଶେ ପ୍ରାକ୍ଟିକାଲ ଗୋଲ ହେଇଗଲା , ମାଙ୍କିଡି ।''
ସେ କିଛି କହିନଥିଲା କେବଳ ବଲବଲ ହେଇ ଅନେଇଥିଲା । ତା' ଦୃଷ୍ଟି ମୋ ଦେହର ଚମ ଭେଦୀ ରକ୍ତ କୈଶିକ ପର୍ଯ୍ୟନ୍ତ ନିବିଦ୍ଧ ହେଇଗଲା । ସେ ମୋତେ କେବଳ ଏତିକି କହିଲା ,"ମୋର ଯିବାକୁ ଜମା ଇଚ୍ଛା
ନାହିଁ ।''
ମୁଁ ବୁଝି ପାରିଲି ନାହିଁ । ଏମିତି ଭୂମିକା କରିବାର ମାନେ କ'ଣ ? ମୋତେ ଜଣା ସେ ଯିବ । ସଭିଏଁ ତାକୁ କାଲି ଶେଷ ବିଦାୟ ବି ଦେଇଛନ୍ତି । ଗ୍ଲୋରା କିନ୍ତୁ ଯିବାକୁ ଚାହୁଁନି ମୁଁ ଜାଣିନି , ବିଲକୁଲ ଜାଣିନି ।
ମୁଁ କହିଲି , ତୁ ଯିବୁନି କାହିଁକି ?......
ସେ ପୁଣି ଥରେ ଅନେଇଲା ଆଉ କିଛି ନକହି ବର୍ଷାରେ ସାଇକଲ ଗଡେଇ ଚାଲିଗଲା । ମୁଁ ସେଇ ଆଖିର ଆବେଦନ ଭୁଲି ପାରିନି ଆଜିଯାଏଁ । ସେଇଟା ପ୍ରେମ ନୁହେଁ ବୋଲି କହିବିନି କିନ୍ତୁ ପ୍ରେମର ସ୍ୱୀକୃତି ବି ଦେବିନି । .........
ବୟସ ଗୋଟେ ଥାଏ ବୁଝିବାର , ଅନୁଭବ କରିବାର ଆଉ ସାଇତି ନେବାର । ଝିଅଙ୍କ ପାଖରେ ସେ ବୟସ ପହଞ୍ଚେ ପୁଅଙ୍କ ଠାରୁ ଢେର ପୂର୍ବରୁ । .........
ଏକାନ୍ତ ବ୍ୟକ୍ତିଗତ ପ୍ରସଙ୍ଗ ଏଇଟା । ମୋର ପ୍ରଥମ କ୍ରସ୍ । ଗ୍ଲୋରା ତୁ କାହିଁକି କିଛି କହିଲୁ ନାହିଁ । ମୁଁ ସେତେବେଳେ ୧୬ ରେ ଥିଲି ଯେ ଦମ ନଥିଲା । ତୋତେ କିଛି କହିବାର ସାହସ ନଥିଲା । ଆଉ ଆଜି ଦାମ ନାହିଁ । ତୋ ବ୍ୟତୀତ ଆଉ କାହାକୁ ନିରୁତା ପ୍ରେମ କରିନି ଆଜିଯାଏଁ । କିନ୍ତୁ କହିପାରିନି କେବେ ।
କାଶ ଚିହ୍ନି ପାରିଥାନ୍ତି ମୁଁ ମୋ ଭିତରର ଏଇ
ଗ୍ଲୋରା ମନସ୍କ ମଣିଷଟିକୁ ସଠିକ
ସମୟରେ !.....
*******************
ନବ ବିବାହିତା ଯୋଡିକୁ ଆପ୍ୟାୟିତ କରି ଖୁସିଥିଲା ହୋଟେଲ ମ୍ୟାନେଜର । ବେଶ ଭଲ ଆୟୋଜନ କରିଥିଲା ବୋଲି କଂପ୍ଲିମେଣ୍ଟ ମଧ୍ୟ ମିଳିଥିଲା । ଆଉ ଖାସ ଥ୍ୟାଙ୍କସ୍ ଥିଲା କନସର୍ଟ ପାଇଁ।
୨ହଜାର ଟଙ୍କର ନୋଟଟେ ବଢ଼େଇ ଦେଲା ମ୍ୟାନେଜର ମୋ ହାତକୁ , ମୋ
ଟିପ୍ସ। ସେଇଟା ଜରୁରୀ ଥିଲା ବହୁତ ଜରୁରୀ ଆଜିର ସମୟରେ । ମୁଁ ବାସ୍ତବଧର୍ମୀ ହେଉଥିଲି ଆଉ ଟଙ୍କା ଧରି ଚାଲିଯିବାକୁ ବସିଲି ।
ସୁନ୍ଦରୀ ବାର ଅଟେଣ୍ଡାଣ୍ଟ ଝିଅଟି କିନ୍ତୁ ମୋ ବାଟ ଓଗାଳିଲା । ଦେଖିଛି ମୁଁ ଝିଅଟିକୁ , ଭାରି ସୁନ୍ଦରୀ କିନ୍ତୁ ଏଠି ଠିଆ ହେଉଥିବା ଝିଅଟି କେବଳ ଆଖିର ଲୋଭନୀୟ ଟ୍ରିଟ୍ ହେଇପାରେ ଆଉ ଅଧିକ କିଛି ନୁହେଁ ।
ମୁଁ ଅଶ୍ରୁ ମୋର ଗୋଟେ ନିଜସ୍ୱ ଷ୍ଟାଣ୍ଡାର୍ଡ
ଅଛି ।.......
ଝିଅଟି ହସିଲା ଗୋଟେ ଭଦ୍ର ହସ । ଉଦ୍ଧତ ପ୍ରସାଧନ ମଖା , ଆବଶ୍ୟକତାଠୁ ଢେର ଅଧିକ ଉଦ୍ଦାମ ଲାଲ ରଙ୍ଗ ଲଗା ଓଠରେ ସେଇ ହସ ବଡ଼ ବେଖାପ ଲାଗିଲା ମୋତେ । ମୁଁ ଦେଖିଛି ତାକୁ ହସିହସି ଲୋଟି ଯାଉଥିବା ସ୍ଥିତିରେ ଗ୍ରାହକ ପାଖରେ । ଅବଶ୍ୟ ଏସବୁ ପ୍ରଫେସନାଲ ଡିମାଣ୍ଡ , ବାଧ୍ୟବାଧକତା ।
ଝିଅଟେ ହେବା ସହଜ ନୁହେଁ ଆମ ପୃଥିବୀରେ । ସେ କେବଳ ଆଉ କେବଳ ବସ୍ତୁ ।.......
ସେ ଆସିଲା ମୋ ନିକଟକୁ ଆଉ ଧରେଇ ଦେଇ ଚାରି ଚଉତା ଟିସୁ ପେପର ଟିଏ ଚାଲିଗଲା ଉଁ କି ଚୁ ନକରି । ମୁଁ କୌଣସି ପ୍ରତିକ୍ରିୟା କରିବା ପୂର୍ବରୁ ଅଦୃଶ୍ୟ ହେଇଯାଇଥିଲା ସେ ।
ମୁଁ ବୋକା ଆଖିରେ ତା'ର ଲାସ୍ୟମୟୀ ରୂପକୁ ନିରିଖେଇ ଦେଖୁଥିଲି । ପଶ୍ଚାତ ସୁନ୍ଦରୀ ମୋତେ ବେଶୀ ଆକର୍ଷଣୀୟ ବୋଧ ହେଉଥିଲା ।
ମୁଁ ଖୋଲିଲି ଟିସୁ , ସେଥିରେ ଥିଲା ଦଶ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର । ଏତକ ଦେଖି ମୋ ମୁଣ୍ଡରେ ଘଣ୍ଟି ବାଜିଲା । ବର୍ଷେ ହେଲା ଏଇ ଝିଅକୁ ଦେଖୁଛି ମୁଁ ଆଉ ମୋତେ ଶୁଣୁଛି ସେ । ଏଇ କାମଟି ଆଜିଯାଏଁ ହେଇନଥିଲା , ତେଣୁ ମୁଁ ନିଶ୍ଚିତ ଥିଲି ଏଇଟା ତା' ନମ୍ବର ନୁହେଁ ।
ତେବେ ......................
କିଛି କ୍ଷଣ ଗୋଟେ ଭୟଙ୍କର ଆଲୋଡନ ହେଲା ମୋ ଭିତରେ । ସୁନାମି ଯଦିଓ ମୁଁ ଅନୁଭବି ନାହିଁ କିନ୍ତୁ ଠିକ ସେଇଭଳି । ଲାଗିଲା ମୋ ହୃଦୟାଟା ପେଟ ଭିତରକୁ ଖସି ପଡିଛି ଆଉ ସେଇଠି ଧକଧକ ହେଇ ପେଟଟା ଘାଣ୍ଟି ଚକୁଟି ଦେଉଛି । ମୋ ହାତ ଗୋଡ଼ ଥରିଲା ଆଉ ମୁଁ ବସିଗଲି । ଗ୍ଲୋରା ?.....
ଝିଅଟି ଖାସ ନବ ଦମ୍ପତିଙ୍କ ସେବାରେ ଥିଲା । ଗ୍ଲୋରା ତା' ସହ କଥା ହେଉଥିଲା । ଦୁଇ ଚାରିଥର ଇଙ୍ଗିତ ଦେଇ ଡାକିଥିଲା । ତେବେ ଏଇ ନମ୍ବର , ମୋତେ ମନେ ରଖିଛି ଗ୍ଲୋରା ? ଚିହ୍ନି ପାରିଛି , କଥା ପଦେ ହେବାକୁ ଇଚ୍ଛା ବି କରିଛି ??..
ମୋର ଖୁସି ଆଉ ଉନ୍ମାଦ ଉଭୟ ଅବ୍ୟକ୍ତ ରହିଗଲା ଆଉ ପ୍ରବଳ ଆଲୋଡନ ସୃଷ୍ଟି କଲା । ମୁଁ ପୁଣି ସେଇ ୱେଡିଂ ରୁମକୁ ଧାଇଁଲି , ଗ୍ଲୋରାର ଗୋଟେ ଦୃଶ୍ୟ ଲୋଭରେ ।
କିନ୍ତୁ ଗ୍ଲୋରା ଭିଡରେ ନୁହେଁ ଏକାକୀ ଥିଲା କେବଳ ତା' ସ୍ବାମୀ ସହ ଗୋଟେ ଏକାନ୍ତ ମୁହୂର୍ତ୍ତରେ । ମୋର ଦୌଡ଼ିଲା ପାଦ କାହିଁକି କେଜାଣି ଶିଥିଳ ହେଇଗଲେ । ପଛଘୁଞ୍ଚା ଦେଇ ଫେରିଆସିଲେ ।
ଝିଅଗୁଡା ଭାରି ଅବୋଧ୍ୟ !.......
*************
ଗ୍ଲୋରା , ବୋକି ଏତେ ସୁନ୍ଦର ଜୀବନ ଆରମ୍ଭରେ ପୁଣି ମୋ ପ୍ରତି ଦୁର୍ବଳ ହେଉଛି !
ଧେତ୍ ଝିଅଗୁଡା ଏମିତି ଇମୋସନଲ ଫୁଲ ।
ମୁଁ କିନ୍ତୁ ହେବିନି ସେମିତି , ଥାଉ ବିଚାରି ନିଜ ପୃଥିବୀରେ ସତେଜ ହେଇ । ସୁନ୍ଦରୀ ଗୁଡା ସମୃଦ୍ଧି ଭିତରେ ଭଲ ଲାଗନ୍ତି । ମୋ ସହ ଯୋଡି ହେଇ ଜୀବନଟା ଧୁଧୁ ମରୁବାଲି ନହେଉ ।
ମୁଁ ଅତୀତ , ମୋ ଉପରେ ଆୟୁତ ଯୁଗର ଧୂଳି । ସେଇଠି ମୁଁ ସମାଧିସ୍ଥ ହେଇଯିବା ବହୁତ ଭଲ । ଘରକୁ ଫେରୁଥିବା ରାସ୍ତାରେ ମୋ ଭିତରେ ଏମିତି ଚକପଞ୍ଝା । ନା' ଫୋନ୍ କରିବା ଅନୁଚିତ । ହୁଏତ ମୋର ଆବିର୍ଭାବ ଆଣିବ ଅଜଣା ଭୁସ୍ଖଳନ ।
କିନ୍ତୁ , ସେ ଯଦି ସୁଖୀ ନଥିବ ? ମାନେ ଯଦି ସେଇ ପୁଅଟି ତାକୁ ଜୋର ଜବରଦସ୍ତ କରି ନିଜର କରିଥିବ । ଯଦି ସେ ଏଇ ସମ୍ପର୍କରେ ଅଣନିଶ୍ୱାସୀ ହେଇଯାଉଥିବ । ବୁଡ଼ିଗଲା ଲୋକ ଭଳି ଆକ୍ତାମାକ୍ତା ହେଇଯାଉଥିବ ଆଉ ସେଠୁ ଉଦ୍ଧାର କରିବାକୁ ମୋତେ ହାତ ବଢ଼େଇ ଥିବ ।
ଗ୍ଲୋରାଟା ତ ନିରୀହ , ମନ କଥା ଖୋଲି କହିପାରେ ନାହିଁ । କୋଉ ସେବେ କହିଥିଲା ବିଚାରୀ । କାଶ କହିଥାନ୍ତା ......
ମୋର ଫୋନ୍ କରିବା ଉଚିତ । ସେବେ ତାକୁ ଉପେକ୍ଷା କରିଥିଲି , କିନ୍ତୁ ଏବେ ହୁଏତ ଅନ୍ୟାୟ ହେଇଯିବ ।
କିଏ ଜାଣେ ସବୁ ଉଜ୍ଜ୍ୱଳ ଦେଖାଯାଉଥିବା ବସ୍ତୁ ସୁବର୍ଣ୍ଣ ନୁହେଁ ଯେ !......
ଦ୍ୱନ୍ଦ୍ୱ - ଅସମାପ୍ତ , ଅପରିସୀମ ଦ୍ୱନ୍ଦ୍ୱ ଭିତରେ ଧନ୍ଦି ହେଲି ମୁଁ ସାରା ରାତି । ମୋ ଭିତରର ସାମାଜିକ ମଣିଷ ଓ ଫସିଲ ଦିଆ ପ୍ରେମିକ ଭିତରର ଟଣାଭିଡା ଭିତର ରାତିର ନିଦ ।
ସକାଳୁ କିନ୍ତୁ ଆଉ କୌଣସି ଦ୍ୱନ୍ଦ୍ୱ ନରଖି ମୁଁ ନିଷ୍ପତ୍ତି ନେଲି । ଫୋନ୍ କରିବି ନାହିଁ । ଗ୍ଲୋରା ଭୁଲିଯାଉ ମୋତେ ଆଉ ମୁଁ ଭୁଲି ସାରିଛି ତାକୁ ।
ଅତୀତର କବର ଖୋଳି ଅତୃପ୍ତିକୁ ପୁଣି ଜୀବନ୍ୟାସ ଦେବା ବୁଦ୍ଧିମତ୍ତା ନୁହେଁ । ଗ୍ଲୋରା ନିଜ ସମସ୍ୟା ନିଜେ ସମାଧାନ
କରୁ । ସେ ପାରିବ ମୁଁ ଜାଣେ ।......
ଲୁଗାଗୁଡା ସଫା କରିବା ପୂର୍ବରୁ ବୋଉ ସବୁବେଳେ ପକେଟ ଖୋଜିନିଏ । ବଢ଼ିଲା ପୁଅର ମା' ବଡ଼ ସଜାଗ । ଦେଖିବା ଉଚିତ ପୁଅର ଅନ୍ଧିସନ୍ଧି । କିଏ ଜାଣେ ହୁଡୁଥିବା ପାଦର ଗୁମର ଖୋଲିଯିବ ଏଇ ପକେଟ ଭିତରୁ । ଟଙ୍କା ପଇସା ବି ସାଇତିବା କାମ ବୋଉର ।
ସେଇ ଧରେଇ ଦେଲା ଚାରି ଚଉତା ଟିସୁ ଖଣ୍ଡକ ସପ୍ତାହେ ପରେ ପୁଣି ଥରେ । କହିଲା , '' ଫୋନ୍ ନମ୍ବରଟେ ଅଛି ଏଥିରେ ଭାବିଲି ଜରୁରୀ ହେଇଥିବ କାଳେ !"
ଜରୁରୀ ନୁହେଁ ବୋଉ , ଜମା ନୁହେଁ ।ଫୋପାଡ଼ି ଦେ ତୁ ସେଇଟା । ୱସିଙ୍ଗ ମେସିନ ଭିତରେ ପୁରେଇ ଘୁରେଇ ଦେ । ମୁଁ ଫୋପାଡ଼ି ପାରୁନି ତୁ ଟିକେ ଏତକ ନଷ୍ଟ କରିଦେ । ଇଚ୍ଛା ହେଉଥିଲା ଏମିତି କହିବାକୁ ବୋଉକୁ । କିନ୍ତୁ ମୁଁ ଗୋଟିଏ ଶବ୍ଦ ମଧ୍ୟ କହିଲିନି । ବୋଉ ଆଖିରୁ ସତର୍କ ହେଇ ନିଜକୁ ଲୁଚେଇ ନେଇ ଚାଲିଗଲି ଟିସୁଟି ନେଇ ।
ସେଦିନ ସିନା ବୁଝେଇ ନେଇଥିଲି ମନକୁ କିନ୍ତୁ ଆଜି ଆନମନା ହେଲି । ଭିତରୁ କେହି ଯେମିତି କହିଲା , '' ଫୋନ୍ ଥରେ କରି ଶୁଭେଚ୍ଛା ଦେଇଦେ ବିବାହର ।''
ନମ୍ବର ଲଗେଇଲି ବଡ଼ ଦ୍ବିଧାରେ । ସୁନ୍ଦର ଗୀତଟେ ବାଜି ଉଠିଲା ଆଉ ମୋତେ ହଜେଇ ଦେଲା । ମୋ ଭାବନାରେ ପୂର୍ଣ୍ଣଛେଦ ପକେଇ ଶୁଭିଲା ମିଠା ସ୍ୱରଟିଏ । '' ଅଶ୍ରୁ ଏତେ ଦିନ ଲାଗିଲା କଥା ହେବାକୁ , ନା' ବାର ଅଟେଣ୍ଡାଣ୍ଟ ଝିଅଟି ସହ କଥା ହେବାକୁ ସଂକୋଚ କଲ ?''
ମୋ ଅସ୍ମିତା ଝଟକା ଖାଇଲା । ଇସ୍ ଇଏ ଗ୍ଲୋରା ନୁହେଁ । ସେଇ ଝିଅଟି ଯେ ମୋ ଘୃଣାର ପାତ୍ର , ମୋ ଷ୍ଟାଣ୍ଡର୍ଡ ତଳର ଶସ୍ତା ଝିଅ । ତଥାପି ସେଇ ଝିଅଟି ମୋର ବର୍ତ୍ତମାନ , ଗ୍ଲୋରା କେବଳ ବିସ୍ମୃତି । ମୋତେ ଆଜି ଅସମ୍ଭବ ଭାବେ ହାଲୁକା ଲାଗିଲା ଆଉ ଖୁସିବି ।
ମୁଁ କହିଲି , '' ନା' ସେମିତି କିଛି ନୁହେଁ , ତୁମେ ଆଜି ସନ୍ଧ୍ୟାରେ ଫ୍ରି ଅଛ କି ?''.......
(ବୋଉ ମାନେ ଜରୁରୀ ଜିନିଷ ଚିହ୍ନିବାର ଅଦ୍ଭୁତ କଳାର ଅଧିକାରୀ ସତରେ !...)
