ବ୍ୟବଚ୍ଛେଦ : ଏକ ପ୍ରେମର
ବ୍ୟବଚ୍ଛେଦ : ଏକ ପ୍ରେମର
ସେ ଟିକେ ବଦଳିଯାଉ,ମୁଁ ଚାହୁଁଥିଲି।
ମୁଁ ଟିକେ ବଦଳିଯାଏ,ସେ ଚାହୁଁଥିଲା।
ସେ ମୋର ଅତି ଖାସ୍ ଥିଲା।ମୁଁ ମଧ୍ୟ ତା'ର ଅତି ଖାସ୍ ଥିଲି।
ତା' ମନର ଖୁସିରେ ହଜାର ହଜାର ପଦ୍ମଫୁଲ ଫୁଟି ଉଠୁଥିଲା।ପ୍ରତିଟି ପଦ୍ମଫୁଲରେ ରୂପବତୀ ଝିଅଟିଏର ସୁନ୍ଦର ମୁହଁ ମୋତେ ଦିଶୁଥିଲା।
ତା'ର ଉଚ୍ଚତା, ଭ୍ରୂଲତା ଓ ଘନ କଳା,ଚିକ୍କଣ ଆଉ ଲମ୍ବା ଚୁଟିଗୁଡିକ ମୋର ବହୁତ ପସନ୍ଦର ଥିଲା।ବାଣୀବିହାର କ୍ୟାମ୍ପସରେ ପ୍ରଥମ ଦେଖାରେ ମୁଁ ତା' ପ୍ରତି ଆକର୍ଷିତ ହୋଇଥିଲି।
ଆମେ ଦୁହେଁ ଅଲଗା ଅଲଗା ଡିପାଟମେଣ୍ଟର ଥିଲୁ।ସବୁଦିନ ପରସ୍ପରକୁ ଭେଟୁଥିଲୁ।ନିରୋଳା ଜାଗା ଖୋଜି ଖୁବ୍ ଲଗାଲଗି ହୋଇ ବସି କଥାବାର୍ତ୍ତା ହେଉଥିଲୁ।
ପ୍ରାୟ ସବୁଦିନେ କ୍ୟାମ୍ପସର କ୍ୟାଣ୍ଟିନକୁ ସାଙ୍ଗହୋଇ ଯାଉଥିଲୁ ଆମେ।ସେ ଆଗ ତା' ପାଇଁ ଫ୍ରେଞ୍ଚଟୋଷ୍ଟ ଓ କଫି ଅର୍ଡର କରୁଥିଲା।ଗୋଲମରିଚ କିମ୍ବା ଅଦା ପକା ଚା' ପାଇଁ ଅର୍ଡର କରୁଥିଲି ମୁଁ।
ସନ୍ଧ୍ୟାରେ କ୍ୟାମ୍ପସର ରାସ୍ତା ସବୁ ଫାଙ୍କା ଥାଏ।ରାତି ହେଲେ ଶାନ୍ତ ଲାଗେ।ଧୀର, ସୁମଧୁର ପବନ ବହୁଥାଏ।ଏସବୁ ମୋର ପସନ୍ଦର।ରାତିରେ କେବେ କେବେ ସେଇ ରାସ୍ତାରେ ତାକୁ ସାଙ୍ଗରେ ଧରି ବୁଲୁଥିଲି ମୁଁ।ମୋତେ କିନ୍ତୁ ସେ ସବୁବେଳେ ନାଇଟ୍ କ୍ଲବ୍ ଯିବାକୁ ବାଧ୍ୟ କରୁଥିଲା।ନାଇଟ୍ କ୍ଲବ୍ ଥିଲା ତା' ପସନ୍ଦର।
ବେଶୀ ଓ ଅଯଥା ଗପିବା ମୋର ଆଦୌ ପସନ୍ଦର ନ ଥିଲା।ତେଣୁ ମୁଁ କୁଆଡ଼େ ତାକୁ ମୃତ ପରି ଲାଗୁଥିଲି।ସେ କିନ୍ତୁ ବହୁତ ବକ୍ ବକ୍ ହେଉଥିଲା।ଅବଶ୍ୟ ତା'ର ବକ୍ ବକ୍ ଶୁଣିବାକୁ ମୁଁ ଭଲ ପାଉଥିଲି।
କେବେ କେବେ କବିତା ଲେଖୁଥିଲି ମୁଁ।ତାକୁ ଦେଖାଉଥିଲି।ସେ କହୁଥିଲା - " ମୋ ପାଇଁ ଏସବୁ ଭାରି ବୋରିଂ।ତୁମେ ଆଉ କିଛି କଥା କୁହ। " ହେଲେ ମୁଁ କବିତା ଲେଖୁଥିବାର ଦେଖିଲେ ସେ ମୋତେ ଚାହିଁ ରହୁଥିଲା।
ବିଗ୍ ବଜାର୍ ଓ ବଡ ବଡ ମଲ୍ ମାନଙ୍କରେ ସପିଂ କରିବାକୁ ଚାହୁଁଥିଲା ସେ।ଇଂଲଣ୍ଡ,ଆମେରିକା ବୁଲି ଯିବାକୁ ସ୍ୱପ୍ନ ଦେଖୁଥିଲା।ମୁଁ ମୋ ଗାଆଁ ହାଟ କଥା ହିଁ ମନେ ପକାଉଥିଲି।ସେଠାରୁ ମିଳୁଥିବା ସଜ ପରିବା,ମାଛ ଓ ଖାସି ମାଂସ ମୋର ମନେ ପଡୁଥିଲା।ଗାଆଁର ପ୍ରାକୃତିକ ସୌନ୍ଦର୍ଯ୍ୟ, ନଈକୂଳ ଓ ସୂର୍ଯ୍ୟାସ୍ତକୁ ନେଇ ଭାବୁଥିଲି ମୁଁ।
ସେ ତା' ଇଚ୍ଛାରେ ବାଟ ଚାଲୁଥିଲା।ମୁଁ ମୋ ଇଚ୍ଛାରେ ବାଟ ଚାଲୁଥିଲି।ତାକୁ ଚେଷ୍ଟା କରି ମଧ୍ୟ ବଦଳେଇ ପାରିଲି ନାହିଁ ମୁଁ।ସେ ମଧ୍ୟ ମୋତେ ବଦଳେଇ ପାରିଲା ନାହିଁ।ନିଜ ଚେଷ୍ଟାରେ ଅସଫଳ ରହିଲା।
ଦୁଇଟି ସାମାନ୍ତରାଳ ରେଖା ପରି ଆମେ ଦୁହେଁ ଚାଲିଥିଲୁ।କେତେ ଦିନ ଚାଲି ପାରିଥାନ୍ତୁ ଏମିତି !ପାଠପଢ଼ା ସରିବା ପରେ ଅଲଗା ଅଲଗା ହୋଇଗଲୁ।ଆଉ ତା' ସହିତ ମୋର ଭେଟ ହେଲାନାହିଁ।
ବହୁଦିନ ପରେ - - - - - ।
ଦିନେ ତା' ସାଙ୍ଗ ଠାରୁ ଖବର ପାଇଲି ଯେ ସେ କୁଆଡ଼େ ଆଉ ଏତେ ବକ୍ ବକ୍ ହେଉନି।ଗୋଲମରିଚ କିମ୍ବା ଅଦା ପକା ଚା' ପିଇବାକୁ ଭଲ ପାଉଛି।ଶାନ୍ତ ରହୁଛି।ମଝିରେ ମଝିରେ କବିତା ଲେଖୁଛି।ଗାଆଁର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶରେ ନିଜକୁ ହଜାଇ ରଖିଛି।
ହେଲେ ଏବେ ଦାମିକା କାଫେରେ ବସି କଫି ପିଉଛି ମୁଁ।ଆଉ କବିତା ଲେଖୁନି।ସାଙ୍ଗମେଳରେ ଅନର୍ଗଳ ବକୁଛି।ମୋ ଗାଆଁ ଆଉ ମୋ ମନର ମାନଚିତ୍ର ଭିତରେ ନାହିଁ।ମୁଁ ନାଇଟ୍ କ୍ଲବ୍ ଯାଉଛି।ନାଚ ଗୀତରେ ଜୀବନକୁ ଖୋଜୁଛି।ଜୀବନର ମଜା ଉଠାଉଛି।ଉପଭୋଗ କରୁଛି।
ପ୍ରେମର ପରିଭାଷା ସେଦିନ ଆମ ଦୁହିଙ୍କୁ ଜଣା ନ ଥିଲା ସିନା, ଏବେ କିନ୍ତୁ ଜାଣି ହେଉଛି।ସେ ଜାଣୁଛି ତା' ବାଟରେ, ମୁଁ ଜାଣୁଛି ମୋ ବାଟରେ।ସତରେ ପ୍ରେମର ରଙ୍ଗ କ'ଣ ଏତେ ଗାଢ଼ !!!

