STORYMIRROR

Bhumisuta Sahu

Romance

3  

Bhumisuta Sahu

Romance

ବସୁମତୀର ଚିଠି

ବସୁମତୀର ଚିଠି

2 mins
250

(୧ମ ଭାଗ)  


  "ମୋ ଭାଗ୍ୟରେ ମିଳନର ଖୁସି କେବେ ଥିଲା ଯେ ମୁଁ ବିରହର ଦୁଃଖ ରେ ମର୍ମାହତ ହୁଅନ୍ତି ? ତମେ ତମ ବାଟରେ ଆଉ ମୁଁ ମୋ ରାସ୍ତାରେ ।ନଦୀର ଦୁଇଟି ଧାର ପରି ତ ।ତମେ ଚିଠି ଲେଖି ପଠେଇବ ମେଘ ହାତରେ ।ଆଉ ମୁଁ.... ମୁଁ ପଠେଇବି ଜଳୀୟ ବାଷ୍ପରେ । ହଁ, ଦେଖ ତମକୁ ମୋ ରାଣ ତମେ ଛୋଟ ପିଲା ପରି କାନ୍ଦିବନି ଜମା ବର୍ଷାରେ । ତମେ କାନ୍ଦିଲେ ମୋ ଆଖିରେ ଶ୍ରାବଣ ଆସିଯିବ ଯେ ... 


  ହଁ ,ଉଡୁଥିବା ଗୁଡ଼ି ଟିକୁ ପଚାରିଥିଲି ତୁମ କଥା ।ସେ ମୋ କଥା କୁ କି ଶୁଣନ୍ତା ? ସେ ତ ମୋତେ ଜଳୁଛି ନା ଇର୍ଷା ରେ । ଉଡନ୍ତା ପକ୍ଷୀ ଟିକୁ ବି ପଚାରିଲି ଯେ ତୁମ କଥା ।ହେଲେ ସେ ଖାଲି ଜୁଳୁ ଜୁଳୁ କରି ଅନେଇଲା ମୋ ଆଡ଼କୁ ମ ।କିଛି କହିଲା ନି ।


    ଜ୍ୟୋତ୍ସ୍ନା ଚର୍ଚ୍ଚିତ ରଜନୀରେ ମୁଁ ଛାତ ଉପରକୁ ଚଢ଼ି ଥିଲି । ଭାବିଥିଲି କାଳେ ଜହ୍ନକୁ ଭେଟିବି ।ସେ ବିଚରା ମହାଶୟ ତ ରୂପାପାଣିରେ ଭିଜେଇ ଦେଲେ ମୋ ସଂସାରକୁ । ମୁଁ ତାଙ୍କୁ କିଛି ପଚାରିବି ପଚାରିବି ହେଉଛି ଆରେ ସେ ତ ମୋତେ ଓଲଟି ପଚାରି ବସିଲେ କୁମୁଦିନୀ ର କଥା ।ଜଣେ ଦୁଃଖୀ ହିଁ ଅନ୍ୟର ଦୁଃଖ କୁ ଅନୁଭବ କରିପାରେ ତ ।ଠିକ୍ ସେଇଥି ପାଇଁ ମୁଁ ତାଙ୍କରି ଆଗରେ ବଖାଣିବାରେ ଲାଗିଲି କୁମୁଦିନୀ ର ବ୍ୟଥା ଓ ବେଦନାର ଗାଥାକୁ ।


   ପରଦିନ ମୁଁ ଯାଇଥିଲି କୁମୁଦିନୀ ପାଖକୁ ।ସେ ଛଳ ଛଳ ନୟନରେ ମୋ ଆଡ଼କୁ ଅନେଇ ରହିଲା ।ମଣିଷର ମୁହଁ ସିନା ହୃଦୟ ର କଥାକୁ ଖୋଲି କହି ପାରେନା ,ହେଲେ ଆଖି...ଆଖିର ଝର୍କାରେ ହୃଦୟର ଭାବ ବେଶ୍ ଵୁଝାପଡେ ।ସେ ମତେ ପଚାରିଲା "ତମକୁ କ'ଣ ମନେ ପଡେନା ତାଙ୍କ କଥା ?"


   ହସିବାର ଅଭିନୟ କରି କହିଲି "କର୍ମବହୁଳ ଜୀବନରେ ମୋର ସମୟ କାହିଁ କାହା କଥା ଭାବିବାକୁ ଯେ ! " ମିଛ କହିଥିଲି ତାକୁ ।ଘରକୁ ଆସି ଆଇନା ସାମ୍ନାରେ ଛିଡ଼ା ହୋଇଥିଲି ।ଅନ୍ୟକୁ ସିନା ଠକି ହୁଏ ହେଲେ ନିଜକୁ ? ନିଜକୁ କ'ଣ ଠକି ହୁଏ ? ଦେଖ ଏ ସୂର୍ଯ୍ୟ କିରଣ ର ସିନ୍ଦୂରରେ ,ଝରଣାର ପାଉଁଜି ରେ,କାଶତଣ୍ଡୀର ଗହଣାରେ , ପ୍ରଶସ୍ତ ଧାନ କ୍ଷେତର ସବୁଜ ପଣତରେ, ଅଶୋକ ଫୁଲର ଅଲତାରେ,ସମୟର ଶଙ୍ଖାରେ, ସମୀରଣର ପୁଲକରେ ତମେ ପରା ଯାଇଛ ଲାଖି ......"  


   ( କ୍ରମଶଃ .....)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance