ଲେଖା ପଛର ପ୍ରେରଣା
ଲେଖା ପଛର ପ୍ରେରଣା


ଆଜି ଅଜୟ ମହାପାତ୍ରଙ୍କୁ ଶ୍ରେଷ୍ଠ ଲେଖକ ଭାବରେ ସମ୍ମାନିତ କରାଯିବ । ତେଣୁ ସହରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଛି ।ସେ କେଉଁ ସାର୍ଟ ପିନ୍ଧି ସଭାକୁ ଯିବେ ସ୍ଥିର କରିପାରୁ ନ ଥିଲେ ।କେହି ଯେମିତି ଅଙ୍ଗୁଳି ନିର୍ଦ୍ଦେଶ କରି କହୁଥିଲା "ସେଇ ନୀଳ ସାର୍ଟ "।ନୀଳ ରଙ୍ଗ ଯେ ମୀନୁଙ୍କ ଭାରି ପସନ୍ଦ ।ମୀନୁ ହିଁ ସେ ସାର୍ଟ ଅଜୟଙ୍କ ଜନ୍ମ ଦିବସରେ ଆଣିଥିଲେ ଆଜକୁ ତିନି ବର୍ଷ ତଳେ ।
ମୀନୁ ତାଙ୍କର ପତ୍ନୀ ।ସାନ ବେଳରୁ ଅଜୟ ଭଲ ପାଉଥିଲେ ମୀନୁଙ୍କୁ । ଉଭୟଙ୍କ ପରିବାର ଗୋଟିଏ କଲୋନୀରେ ରହୁଥିଲେ ।ମୀନୁଙ୍କ ବାପାଙ୍କ ଟ୍ରାନ୍ସପର ହୋଇଯିବାରୁ ସେମାନେ ସହର ଛାଡ଼ି ଅନ୍ୟତ୍ର ଚାଲିଗଲେ ।
ମୀନୁଙ୍କ ବିନା ଅଜୟଙ୍କ ଜୀବନଟା ଭାରି ଏକୁଟିଆ ଓ ରଙ୍ଗହୀନ ଲାଗିଲା ।ମୀନୁଙ୍କ ବିରହରେ ଦଗ୍ଧ ହୋଇ ସେ ଲେଖା ଆରମ୍ଭ କଲେ । ହୃଦୟରରୁ ଝରିଥିବା ଲେଖା ଯେ ହୃଦୟସ୍ପର୍ଶୀ ହୋଇପାରେ ।ପୁଣି ବିରହ କବିତା ଯେ ପାଷାଣ ହୃଦୟରେ ଅଶ୍ରୁର ବନ୍ୟା ରଚି ପାରେ । ଅଳ୍ପ ଦିନରେ ସେ ପାଠକ ମହଲରେ ପ୍ରତିଭାବାନ୍ କବି ଭାବରେ ପରିଚିତ ହୋଇଗଲେ ।
ହଠାତ୍ ଦିନେ ମୀନୁର ବାପା ଅଜୟଙ୍କ ପାଇଁ ମୀନୁର ପ୍ରସ୍ତାବ ପଠେଇଲେ ଅଜୁଙ୍କ ବାପାଙ୍କ ପାଖକୁ ଓ ଉଭୟେ ସମୁଦି ହେବାର ନିଷ୍ପତ୍ତି କରିନେଲେ ।ମନର ମଣିଷକୁ ଜୀବନ ସାଥୀ କରିବାର ସୋଉଭାଗ୍ୟ ସେଇ ମାନଙ୍କୁ ମିଳେ , ଯେଉଁ ମାନେ ପ୍ରକୃତିରେ ଭାଗ୍ୟବାନ ଅଟନ୍ତି । ଅଜୟ ମୀନୁକୁ ପାଇ ସାରା ଦୁନିଆଁର ଖୁସୀ ପାଇଗଲେ ଯେମିତି ।ଘର ତାଙ୍କର ପାଲଟିଗଲା ବୈକୁଣ୍ଠ ।
ଦିନେ ମୀନୁ ଅଜୟଙ୍କୁ ପ୍ରେମ ପୂର୍ଣ୍ଣ ଭାଷାରେ କହିଲେ "କିଛି ଦିନ ପାଇଁ ମୁଁ ତୁମକଠୁ ଦୂରେଇ ଗଲି ବୋଲି ଏତେ କବିତା ଲେଖି ପକାଇଲ ।ଯଦି ମୁଁ ସବୁଦିନ ପାଇଁ ତୁମଠୁ ଦୂରେଇ ଯାଏ ତେବେ.…."ଅଜୟ କଲମ ଫୋପାଡି ଦେଇ ମୀନୁ ମୁହଁରେ ହାତ ରଖି କହିଥିଲେ "ନା ମୀନୁ ଏମିତି କଥା କହିବନି କେବେ ମୁଁ ତମ ବିନା ବଞ୍ଚି ପାରିବିନି ।ମୋର କବି ଲେଖକ ହେବାର ଦରକାର ନାହିଁ ।"
ଅଜୟଙ୍କ ସୀମାହୀନ ଅନନ୍ତ ପ୍ରେମକୁ କଳନା କରିବାର ସାହସ ନ ଥିଲା ମୀନୁଙ୍କ ପାଖରେ।ସେ ଛଳ ଛଳ ନୟନରେ ଅଜୟଙ୍କ ହାତରେ କଲମ ଧରେଇ କହିଥିଲେ "ଯେଉଁ ମାନଙ୍କ ଉପରେ ମା ସରସ୍ବତୀଙ୍କ ଆଶୀର୍ବାଦ ଥାଏ ସେଇମାନେ ସ୍ରଷ୍ଟା ହୁଅନ୍ତି । ମୋରାଣ ଖାଇ କହ ତମେ କେବେ ଆଉ କଲମ ଛାଡ଼ିବନି । ଏମିତି ଲେଖିଚାଲିବ ଯେ ଲେଖିଚାଲିବ ।ଦେଖିବ ତମେ ଦିନେ ଶ୍ରେଷ୍ଠ ଲେଖକ ଭାବରେ ପରିଚିତ ହେବ ।
ସୁଖର ସଂସାରରେ ସତେଅବା କାହାର ନଜର ଲାଗିଯାଏ । କିଛିଦିନ ପରେ ମୀନୁ ଆକ୍ସିଡେଣ୍ଟରେ.…..।ସତକୁ ସତ ମୀନୁ ସବୁଦିନ ପାଇଁ ଅଜୟଙ୍କୁ ଛାଡ଼ି ଚାଲିଗଲେ । ଯେତେ ଆପଣାର ହେଲେବି କେହି ତ କାହା ସହିତ ମରି ପାରେନି । ବଞ୍ଚି ବାକୁ ପଡ଼ିଲା ଅଜୟଙ୍କୁ ।ଯିଏ ଆତ୍ମୀୟ ସ୍ବଜନଙ୍କୁ ହରେଇଛି ସେ ସିନା ବୁଝିପାରେ ସେ ଜୀବନ ମୃତ୍ୟୁ ଠାରୁ ବି କେଡ଼େ କଷ୍ଟ ଦାୟକ । ଅଜୟଙ୍କ ହୃଦୟ କନ୍ଦରରୁ ଦୁ଼ଃଖ ସବୁ ଝରି ପଡ଼ିଲା କବିତା ହୋଇ ।
ସେ ମୀନୁଙ୍କୁ କଥା ଦେଇଥିବାରୁ ଲେଖା ଛାଡ଼ିଲେ ନାହିଁ ।ଆଉ ଆଜି ସେ ଶ୍ରେଷ୍ଠ ଲେଖକ ଭାବରେ ସମ୍ମାନିତ ହେବେ ।
ଅଜୟ ଘଣ୍ଟା ଦେଖୁଥିଲେ ।ସଭାରେ ପହଞ୍ଚିବାର ସମୟ ହୋଇ ଯାଉଥିଲା ।ସେ ନୀଳ ସାର୍ଟ ପିନ୍ଧି ବାହାରୁଥିଲେ ।
ଅଦେଖା ଦୁନିଆଁରେ ଥାଇ ମୀନୁ ସତେ ଯେମିତି ତାଙ୍କୁ ଜଣଉଥିଲେ "congratulations "।