ଆଧୁନିକତା
ଆଧୁନିକତା
ଏ ବର୍ଷ ଭଲ ଫସଲ ହୋଇଛି ।ରାମ ପଧାନ ଧାନ ବିକି ଗୋଟିଏ ମୋବାଇଲ୍ କିଣି ଆଣିଲେ ।ପୁଅ ରାଜୁକୁ କହିଲେ " ଏ ରାଜୁ ମତେ ଟିକେ ଶିଖେଇ ଦେ କେମିତି ଫୋନ୍ ଲଗେଇବି , କେମିତି ଗୀତ ଶୁଣିବି , କେମିତି ଭିଡିଓ ଦେଖିବି ?"
ରାଜୁ ଚଉକିରେ ବସି ଟେବୁଲ୍ ଉପରେ ଗୋଡ଼ ଥୋଇ ତା ମୋବାଇଲରେ ଗେମ୍ ଖେଳୁଥିଲା ।ସେ ଶୁଣିଲାନି ।ତା ମାଆ ଗାଳି ଦେବାରୁ ସେ ଆସିଲା । ବାପାଙ୍କୁ ପଚାରିଲା " କଣ କହୁଚ୍ଛ କି ବାପା ?
ବାପା ମୋବାଇଲ ବିଷୟରେ ପଚାରିବାରୁ ସେ ସବୁ ବତେଇଦେଲା ।କିଛି ସମୟ ପରେ ରାମ ବାବୁ ସବୁ ସବୁ ଭୁଲିଗଲେ । କେଉଁ ସୁଇଚ୍ ଟା ଦାବିଲେ କଣ ହୁଏ ସବୁଭୁଲିଗଲେ ।ପୁଣି ରାଜୁକୁ କଅଁଳ ଭାଷାରେ କହିଲେ"ବାବୁରେ ରାଜୁ ଦେ ତ ପୁଣି ଥରେ ଶିଖେଇ ଭୁଲିଗଲିରେ ପୁଅ ।"
ରାଜୁ ଚଉକିକୁ କଚାଡ଼ି ଦୁମ୍ ଦୁମ୍ ଆସିଲା ।ରାମ ପୁଅ ହାତକୁ ମୋବାଇଲ ବଢେଇ ଦେବାରୁ ରାଜୁ ମୋବାଇଲ ଟିକୁ ଅଗଣାରେ କଚାଡ଼ି ଦେଲା ।ସାପ ପରି ମୁହଁ ଫଁ ଫଁ କରି କହିଲା ତମେ ଟେନସନ୍ ଦଉଛ ବାପା ଏତିକି ଜାଣିପାରୁନ ମତେ ସେଇ କଥାକୁ ବାରମ୍ବାର ପଚାରୁଛ ? "
ରାଜୁ ମାଆ ଚକୁଲି ପିଠା ତିଆରି କରୁଥିଲେ ।ବାପ ପ୍ରତି ପୁଅର ଦୁର୍ବ୍ୟବହାର ସହିପାରିଲେ ନାହିଁ ।ପୁଅ ଗାଲରେ ଶକ୍ତ ଚାପୁଡ଼ା ମାରି କହିଲେ"ତୋତେ ଲାଜ ଲାଗୁନି ?ତୋ ବାପାକୁ ଏମିତି କହି ପାରୁଛୁ? କାଲି ଯେତେବେଳେ ତୁ ଛୋଟ ହୋଇଥିଲୁ ତୋ ବାପା ପରା ତୋତେ କେତେ କଷ୍ଟରେ ପାଠ ପଢ଼ାଇଥିଲେ ।ଅ .....ଆ..... ଶିଖେଇ ଥିଲେ ।ଅଙ୍କ ପଢେଇଥିଲେ ।ତୁ ଯେତେବେଳେ 'ଷ' କୁ 'ଯ'ଉଚ୍ଚାରଣ କରୁଥିଲୁ ଅଣଷାଠିଏକୁ ଅଣସ୍ତରି ବୋଲି କହୁଥିଲୁ ଯେତେ ଶିଖେଇଲେ ଶିଖି ପାରିନ ଥିଲୁ ସେତେବେଳେ ତ ତୋ ବାପା ତୋର ବହି ସିଲଟ ଅଗଣାକୁ ଫୋପାଡ଼ି ଦେଇ ନ ଥିଲେ କି ତମେ ଟେନ୍ସନ୍ ଦଉଚୁ ବୋଲି କହି ନ ଥିଲେ ।"
ରାଜୁର ମାଆ ମୁହଁରେ ଲୁଗା ଜାକି କାନ୍ଦି ପକାଅଉଥିଲେ ।
ରାମପଧାନ୍ ଦୁଆରରେ ପଡ଼ି ଥିବା ମୋବାଇଲ ଖଣ୍ଡ ଗୁଡ଼ିକୁ ଗୋଟାଉ ଗୋଟାଉ ଭାବୁଥିଲେ "ଆଧୁନିକ ଯୁଗର ପିଲାମାନଙ୍କୁ କଥାପଦୁଟେ କହି ହୁଏନାହିଁ ରେ ବାବା ।"