ବର୍ଷାର ଅନୁଭୂତି
ବର୍ଷାର ଅନୁଭୂତି


ବାହାରେ ଝିପିଝିପି ବର୍ଷା ସାଙ୍ଗକୁ ହାଲକା ହାଲକା ପବନ ଘର ଭିତରେ ମଣିକା କାମ ସାରି ଝରକା ବାହାରର ବର୍ଷା ଆଉ ପବନକୁ ଦେଖି ମନେ ମନେ ବାତ୍ୟା ଫୋନିକୁ ଅଜସ୍ର ଗାଳି ଦେଉଛି ।
ଏହି ବାତ୍ୟାହିଁ ମଣିକାକୁ ସହରରୁ ଶାଶୁ ଘର ଗାଁ କୁ ନେଇଥିଲା ଦୀର୍ଘ ସାତ ବର୍ଷ ପରେ ପାଣି ବିଜୁଳିର ଅଭାବ ଯୋଗୁଁ....
ସେତେବେଳେ ଶାଶୁଘରଟି ସ୍ୱର୍ଗ ପରି ଲାଗୁଥିଲା ନା ପାଣି କଷ୍ଟ ଥିଲା ନା ବିଜୁଳିର ଅଭାବ ଥିଲା ।ଦଶବର୍ଷ ତଳର ପଙ୍ଖାଟି ଘଡଘଡ ନାଦରେ ବୁଲି ଯେଉଁ ପବନ ଦେଉଥିଲା ସହରର ଏସି ମନେ ପଡୁ ନଥିଲା।
ପିଜା ବର୍ଗର ହୋଟେଲର ଖାଦ୍ୟ ଠୁଁ ଗାଁ ପୋଖରୀର ମାଛ ଚିଙ୍ଗୁଡ଼ି, ତଟକା ପରିବା, ଶାଗ ଖାଇବାକୁ ଭାରି ଭଲ ଲାଗୁଥିଲା କାରଣ ଶାଶୁଘରର କଳାଧଳାର ଛୋଟ ଟେଲିଭିଜନରୁ ପୁରୀ ଭୁବନେଶ୍ୱରର ଭୟାନକ ଦୃଶ୍ୟ ଦେଖି ।
କିନ୍ତୁ...
ଏହି ଦ୍ୱିତୀୟ ଥର ପାଇଁ ଆସିଥିବା ଶାଶୁଘର ଅଣ ନିଶ୍ୱାସୀ ଲାଗୁଛି ।ସତେ ଯେମିତି ଜେଲଖାନାର କଏଦୀ ।ଚାରିଦିନ ଚାରିଯୁଗ ଲାଗୁଛି ।କାମବାଲୀ ରେବତୀକୁ ବେଶି ମନେ ପଡୁଛି । ପୁଅ ଦିଶୁର ଗାଧୋଇବା,ଖୋଇବା ଶୁଆଇବା ଚା ରୋଷେଇ ସବୁକାମ ରେବତୀ କରୁଥିଲା ।
ନିଆଁଲଗା ଫୋନିଟା ଶାଶୁଘର ସହ ବାନ୍ଧିଦେଲା । ସତରେ ମୁଁ ନିଖିଲ ସହ କେତେ ଆରାମରେ ଥିଲି କାମ କରିବାକୁ ପଡୁନଥିଲା। ଏଠି ବୁଢାବୁଢୀ ସହ ମିଶି ନିଖିଲ ଖାଲି ମୋ ମାଆ ମୋ ବାପା ହେଉଛି ଦିନରାତି ଗପ କରୁଛି । ଦିଶୁ ମାମା ମାମା କହିବାରୁ ମଣିକା ଭାବିବା ଛାଡି ରାଗରେ ପୁଅକୁ ପଚାରିଲା କଣ ହେଲା?
ଦିଶୁ କହିଲା, ଗତକାଲି ବାବା ମୋ ପାଇଁ କାଗଜ ଡ଼ଙ୍ଗା କରିଥିଲେ ମୁଁ କାଗଜ ଡ଼ଙ୍ଗା ଭସେଇ ଥିଲି ଆଜି ତମେ ମୋ ପାଇଁ କରିଦିଅ ।ମୁଁ ବର୍ଷା ପାଣିରେ ଡ଼ଙ୍ଗା ଭସେଇବି ଏଠି ବହୁତ ମଜା ଲାଗୁଛି । ମୋର ବହୁତ ସାଙ୍ଗ ହୋଇଗଲେ ମୁଁ ବାଲିରେ ସୁନ୍ଦର ସୁନ୍ଦର ଘର ବନାଉଛି, ଲୁଚକାଳି, ଗୋଡ଼ାଗୋଡ଼ି ଖେଳ ଖେଳୁଛି ଆମ୍ବ ପିଜୁଳି ଖାଉଛି ।ଆମ ସହରର ସାଙ୍ଗମାନେ ମୋବାଇଲରେ ଗେମ ଖେଳୁଛନ୍ତି ଟେଲିଭିଜନ ଦେଖୁଛନ୍ତି । ମୋତେ ଗାଁରେ ଜେଜେବାପା ଜେଜେମାଆ ପାଖରେ ଭଲ ଲାଗୁଛି ମୋତେ ଜେଜେ ମଜା ମଜା କାହାଣୀ ଶୁଣାଉଛନ୍ତି ।ଘୋଡାକରି ପିଠିରେ ବସାଉଛନ୍ତି ।ମାଆ ଲୁଚେଇ ଲୁଚେଇ ଚକଲେଟ ଦେଉଛନ୍ତି ମୁଁ ଚକଲେଟ ଖାଇଲେ ତୁମେ ଗାଳି ଦେଉଛ ବୋଲି ।
ମାମା ଆମେ ସବୁ ଛୁଟିରେ ଗାଁକୁ ଆସିବା ।ଆମ ସହରଠୁଁ ଗାଁ ବହୁତ ଭଲ ମାମା....
ମଣିକା ଦିଶୁର ଗାଲରେ ଢ଼ୋ କିନା ଚାପୁଡ଼ାଟି ଦେଲା କହିଲା ବାଜେ ଗାଉଁଲି ପିଲାମାନଙ୍କ ସହ ମିଶି ଏଠି ପାଲା କରୁଛି କଣ ନା ଗାଁ ଭଲ ଲାଗୁଛି ମାଆବାପା ଭଲ ଲାଗୁଛନ୍ତି ।
ଦିଶୁ ଭେଁ ଭେଁ କାନ୍ଦିବାକୁ ଲାଗିଲା...।
ନିଖିଲ, ଶାଶୁ ଜେମାଦେଇ ଶ୍ୱଶୁର ଅଖିଳ ଦୌଡ଼ିକି ଆସି ଦିଶୁକୁ ଜାବୁଡି ଧରିଲେ ପିଲାକୁ କାହିଁକି ମାରୁଛୁ କହିଲେ । ମଣିକା ରାଗ ତମତମ ହୋଇ କହିଲା ଗାଁକୁ ଆସି ମୋ ପୁଅ ବଦମାସ ହୋଇଗଲା ।ମୁଁ ସେଥିଯୋଗୁଁ କହୁଥିଲି ମମି ଡାଡିଙ୍କ ଘରକୁ ଯିବି ଏଠିକି ଆସିବିନି କହି ରାଗରେ ଶୋଇବା ଘରକୁ ଚାଲିଗଲା ।
ନିଖିଲର ନିରୀହ ଶାନ୍ତ ସ୍ୱଭାବର ବାପାବୋଉ କହିଲେ ବାପରେ ବର୍ଷା ଛାଡ଼ିଗଲେ କାଲି ତୁ ବୋହୂକୁ,ଦିଶୁକୁ ନେଇ ଭୁବନେଶ୍ୱର ଚାଲିଯା ଧନୀ ଘର ଝିଅ ଆମ ଗରୀବ ଘରେ କଣ ଭଲ ଲାଗିବ?
ଫୋନି ବେଳେ ସିନା ଅସୁବିଧା ଥିଲା ଯେ ବୋହୂ ବାହାଘରର ସାତବର୍ଷ ପରେ ଘରକୁ ଆସିଲା,ଏବେ ତ ସହରରେ ସବୁ ସୁବିଧା ଅଛି ସେ କାହିଁକି ଗାଁ ରେ ରହିବ । ଫୋନି ସିନା ଧନ ସମ୍ପତ୍ତି ଘରଦ୍ୱାର ସହରକୁ ନଷ୍ଟ କରିଦେଲା କିନ୍ତୁ ଆମ ପରି ଗରୀବ ପରିବାର ମାନଙ୍କୁ ପୁଅ ବୋହୂ ନାତିନାତୁଣୀ ସହ ଭେଟ କରାଇଦେଲା ।
ନିଖିଲ କହିଲା ବୋଉ ଏମିତି କହନା ଫନି ପୁରୀ ଭୁବେନେଶ୍ୱରକୁ ନାରଖାର କରିଦେଇଛି । ସରକାର, ମିଡ଼ିଆ ଯୋଗେ ଜୀବନ ସିନା ବଞ୍ଚି ଯାଇଛି ଧନ ସମ୍ପତ୍ତି ଘରଦ୍ୱାର ନଷ୍ଟ ହୋଇ ବହୁତ ଜଣଙ୍କୁ ଦାଣ୍ଡର ଭିକାରୀ କରିଦେଇଛି । ଖାଇବା ପାଇଁ ନାହିଁ ପିନ୍ଧିବା ପାଇଁ ନାହିଁ । ପୁରୀ ଭୁବନେଶ୍ୱର ଶ୍ରୀହୀନ ହୋଇଯାଇଛି ।ପ୍ରାକୃତିକ ସବୁଜିମା ଧ୍ୱଂସ ହୋଇଯାଇଛି।ପୁଣି ସବୁଜିମା ହେବାପାଇଁ ବର୍ଷବର୍ଷ ଲାଗିଯିବ ।
ହଁ ରେ ବାପ ଆମେ ବୁଢ଼ାବୁଢ଼ୀ ଗାଉଁଲି ମାନେ ସହରକୁ କଣ ଦେଖିଛୁ ।ଭଗବାନ ତ ଆମ ପୁଅକୁ ମୋଠୁଁ ଦୂରେଇ ଦେଲେ କେତେ ଆଶା କରିଥିଲୁ ପୁଅବୋହୂ ନାତିନାତୁଣୀ ସହ ଜୀବନଟା ଆନନ୍ଦରେ କଟିବ ବୋଲି କିନ୍ତୁ ଦଇବ ସହିଲାନି । ଆମ ମାନଙ୍କୁ ବୋହୂ ଜମା ପସନ୍ଦ କରୁନି ତୋର ସହ ଯାଇ ଭୁବନେଶ୍ୱରରେ ରହିଥାନ୍ତୁ କିନ୍ତୁ ବୋହୂ କହୁଛି ସେ ଆମ ସହ ଗୋଟିଏ ଓଳି ବି ଚଳି ପାରିବନି ।
ତୁମ ଦୁଇଜଣଙ୍କ ଝଗଡା ଆମେ ଦେଖିପାରିବୁନି ତୁ ବୋହୂକୁ, ତା ବାପ ଘରକୁ ଧରି ଭଲରେ ରହ ।ଆମ ନାତିଆ ଟୋକା ବଡହେଇ ଚାକିରୀ କଲେ ଆମ ଗାଁକୁ ଆସିବ ଆମକୁ ସହର ବୁଲେଇବ କହୁଛି ତୁ ଜମାରୁ ବ୍ୟସ୍ତ ହେନା ଆମେ ଗାଁରେ ଗାଁ ଭାଇ ଧରି ଭଲରେ ଅଛୁ । ଫୋନିଟା ସିନା କାହାପାଇଁ କଣ କଲା କିନ୍ତୁ ଆମକୁ ଅଳପ ଦିନପାଇଁ ବୋହୂ ନାତି ସହ ହସଖୁସିରେ ରଖେଇ ଥିଲା ।
ହଁ ଲୋ ବୋଉ ପୁଅର ଜୀବନ ବହୁତ କଷ୍ଟ ସ୍ତ୍ରୀ କଥା ବୁଝିବ ନା ବାପ ଘର କଥା ବୁଝିବ ନା ଶାଶୁ ଘର କଥା ବୁଝିବ ନା ପିଲାଙ୍କ କଥା ବୁଝିବ ।ବାହାଘର ପରେ ପୁଅଟିକୁ ଦିଟି ନାଆରେ ଗୋଡ଼ ରଖିଲା ପରି ଲାଗେ ।ସବୁ ପୂର୍ବ ଜନ୍ମର ଫଳ ଲୋ ବୋଉ ।
ହଟାତ ଘଡଘଡି ମାରି ଜୋରରେ ବର୍ଷା ଆରମ୍ଭ ହୋଇଗଲା.....
ନିଖିଲ କହିଲା କବାଟ ଝରକା ବନ୍ଦ କରିଦେବା ଦିଶୁ ଟା ନହେଲେ ବାହାରକୁ ପଳେଇବ । ପାଣିପାଗ ବିବରଣୀ କହୁଥିଲା କାଲି ବହୁତ ଜୋରରେ ବର୍ଷା ହେବ ।
ହଁ ରେ ବାପ ବର୍ଷାଟା ଆମକୁ ଖୁସି ଖବର ଦେଇଦେଲା ଆମ ବୋହୂ, ନାତି ଆମ ପାଖରେ ଆଉ ଗୋଟିଏ ଦିନ ରହିବେ ସବୁ ଭଗବାନଙ୍କ ଇଚ୍ଛା । ମୁଁ ଯାଉଛି ସମସ୍ତଙ୍କ ପାଇଁ ନଡ଼ିଆ ଦେଇ ମୁଢ଼ି ମିକ୍ସଚର ବନେଇବି ତାପରେ ବୋହୂ ସହ ମିଶି ଗରମ ଭାତକୁ ମାଛ ଝୋଳ ବନାଇବି ସମସ୍ତେ ଖୁସିରେ ଖାଇବା ।
ବର୍ଷାଟା ପରା କାହା ଜୀବନରେ ସୁଖ ଆଣିଦିଏ ତ କାହା ଜୀବନରେ ଦୁଃଖ ଆଣିଦିଏ କାହା ପରିବାରକୁ ମିଶେଇ ଦିଏ କାହା ପରିବାରକୁ ଭାଙ୍ଗିଦିଏ ସବୁ ଲୀଳାମୟଙ୍କର ଲୀଳା ।
ଯା ରେ ବାପ ବୋହୂକୁ ମନେଇ ଦେ ବୋହୂ ପରା ଆମ କୁଳର ଲକ୍ଷ୍ମୀ ।ଲକ୍ଷ୍ମୀ ମା ମନରେ କିଏ କଣ କଷ୍ଟଦିଏ। ଦିନେନା ଦିନେ ସୁନାବୋହୂ ମୋର ବୁଝିବ ଆମ ଗାଁକୁ ହସିହସି କରି ଆସିବ ।ବର୍ଷା ହେବ ଆମ ନାତିଆ ଇନ୍ଦ୍ରଧନୁ ଦେଖିବ । ଗାଈ ଗୋରୁ ଚାଷ ଜମି ଦେଖି ଆନନ୍ଦରେ ନାଚିବ ।ଆମ ମୁହଁରେ ହସ ଫୁଟେଇବ ।