ବର୍ଷାଳୀ
ବର୍ଷାଳୀ
ଚିକ୍ ମିକ୍ ତାରା ର ସମ୍ଭାର ଭିତରେ ,ଭଷା ବାଦଲ ର ଉହାଡ ରୁ ଜହ୍ନ ଟା ସତେ ଯେମିତି ଭାରୀ ଉଦାସିଆ ଦିଶୁଥିଲା!ଦଲକାଏ ଶୀତଳ ପବନ ଟାରେ ଶରୀର ଟା ତା'ର ଅଧିକ ନିସ୍ତେଜ ହୋଇ ଯାଉଥିଲା!ଅନ୍ତର ର ସବୁ କ୍ଷୋଭ ଯେମିତି ଛଟପଟ ହୋଇ ବାହାରକୁ ଚାଲି ଆସୁଥିଲେ...।
ବର୍ଷାଳୀ.....ବର୍ଷାଳୀ...ଶବ୍ଦ ଟି ବାରମ୍ବାର କାନ ଭିତରେ ବାଜି ଉଠୁଥିଲା!
ଶୁଣିବାକୁ ଶବ୍ଦ ଟି ଭାରି ଭଲ ଲାଗୁଥିଲା, ଖାଲି କାନ କୁ ନୁହେଁ, ହୃଦୟ ଭିତରେ ମଧ୍ୟ ମଧୁର ଧ୍ୱନି ଟିଏ ସୃଷ୍ଟି କରି ପାରୁଥିଲା।ମନ ଭିତର ଟା ତାର ହସି ବି ଦେଉଥିଲା!ନିଜ ଭିତରେ ଉଠୁଥିବା ପ୍ରଶ୍ନ ଭିତରେ ନିଜେ ଯେମିତି ଛନ୍ଦି ହୋଇ ପଡୁଥିଲା!ସତରେ କଣ ସେ ଶବ୍ଦ ଟି ଏତେ ସୁନ୍ଦର ଥିଲା?କାହିଁକି ତା'ମନପ୍ରାଣ ରେ ଲେଖି ହୋଇ ଯାଇଥିଲା??
ମନ ଭିତରେ ଉବୁଟୁବୁ ହେଉଥିବା ଘଟଣା ଗୁଡିକ ସତେ ଯେମିତି ବୋହି ଯିବାକୁ ବାଟ ଖୋଜୁଥିଲେ!ସେଦିନ ର ଘଟଣା ଟି ତ ସବୁ ଛୋଟ ବଡ଼ ଘଟଣା ଉପରେ ମାଡି ଚାଲି ଆସିଥିଲା,ପ୍ରଥମେ ବାହାରକୁ.....କାନରେ ତା'ର ବାଜିଯାଉଥିଲା ଖଣ୍ଡ ବାକ୍ୟ କେତୋଟି....'ନିଜ ସ୍ୱର ରେ ଟିକେ ବି ଓଜନ ନାହିଁ,'ବୟସ ର ପରିପକ୍ଵତା ସ୍ୱର ରେ ନ ଥିଲେ କଥା କୁହନି','ସେଇଥି ପାଇଁ ତୁମକୁ କେହି ଖାତିର କରୁ ନାହାନ୍ତି'...ଏତକ ଥିଲା ,ତା'ଜୀବନସାଥୀ ଙ୍କ ର କଡା ତାଗିଦ୍।ସତରେ କ'ଣ ତା'ସ୍ୱର ରେ ସେ ବୟସ ର ପରିପକ୍ଵତା ଆଣି ପାରୁନଥିଲା?ସେଇଟା ତାର ଅକ୍ଷମତା ନା, ତା'ସ୍ୱର ର ତ୍ରୁଟି ଥିଲା?କେମିତି ସେ ତା'ସ୍ୱର ରେ ଭରିଦେଵ ବୟସ ର ପରିପକ୍ଵତା,ଯେତେ ଚେଷ୍ଟା କଲେ ମଧ୍ୟ ଜାଣିପାରୁନଥିଲା!!
ଅଜଣା ଲୋକ ଟିର ହାତ ଧରି ସଂସାର କରିବା ଦିନ ଠାରୁ ଅନେକଥର ନିଜର ଅଯୋଗ୍ୟତାକୁ ମନେ ମନେ ଗାଳି ଦେଇ ଦେଇ ନିଜକୁ ନିଜ ଭିତରେ ସଙ୍କୁଚିତ କରି ଦେଉଥିଲା।ବାହାର ଦୁନିଆ ଆଖିରେ ମଧୁର ସ୍ୱର ଟା ସିନା ତାର ଥିଲା,ହେଲେ ସେଇ ସ୍ୱର ଟି ସାଂସାରିକ ଜୀବନରେ ସବୁଠାରୁ ବଡ଼ ଶତ୍ରୁ ତା'ର ହୋଇ ଯାଇଥିଲା!ନିଜର ଆତ୍ମ ବିଶ୍ୱାସ ଟା ବି ଯେମିତି ଧୀରେ ଧୀରେ ବିମୁଖ ହୋଇ ଯାଉଥିଲା!ନିଜ ପରିବାର ର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ରେ ନିଜର ମତ ବ୍ୟକ୍ତ କରିବା ଠାରୁ ,ନିଜ ପିଲା ମାନଙ୍କ ସମସ୍ୟା କୁ ମଧ୍ୟ ସମାଧାନ କରିବାକୁ ନିଜକୁ ଅକ୍ଷମ ମନେ କରୁଥିଲା!ଛୋଟ ଘଟଣା ଟିଏ ଏବେ ବି ତା'ମନ ଭିତରୁ ଲିଭି ପାରୁନଥିଲା–ଯୋଉଦିନ ଝିଅ କୁ ହଇ ରାଣ କରୁଥିବା ଅଜଣା କଲ୍ ଟିକୁ ଅତି ସାହସ ର ସହିତ ହ୍ୟାଣ୍ଡଲ କରିପାରିବ ଭାବି,କଡା କଥା ଦୁଇପଦ ଶୁଣାଇଦେବାକୁ ନିଷ୍ପତ୍ତି କରି,ହାରିଯାଇଥିଲା!ଅନ୍ୟପଟୁ କେବଳ ବିଦ୍ରୁପଭରା କଥା କେଇପଦ ଶୁଣିଥିଲା!ନିଜର ପରିଚୟ ଦେବା ସତ୍ତ୍ୱେ ମଧ୍ୟ ବିଶ୍ୱାସ କରାଇ ପାରିନଥିଲା,ଆଉ ସମସ୍ୟା ର ସମାଧାନ ତ ଦୂର ର କଥା,ଅଧିକ ଜଟିଳ ହୋଇ ଯାଇଥିଲା!ଆଉ ଆତ୍ମବିଶ୍ବାସ ରେ ତା'ର ଆଉଗୋଟିଏ ଫାଟ ଯେମିତି ପଡି ଯାଇଥିଲା!ସ୍ୱର ସହିତ ତା'ର ଆତ୍ମବିଶ୍ବାସ ର ଯେ ଏତେ ଗଭୀର ସମ୍ପର୍କ,ହୁଏତ ସିଏ ନିଜେ ବି ଜାଣିପାରିନଥିଲା!
ସେଦିନ କିନ୍ତୁ କବିତା ଆସର ରୁ ଫେରୁ ଫେରୁ ସେ ବୃଦ୍ଧ ଜଣକ ଙ୍କ ର ଅଚାନକ ତା'ଆଗକୁ ଚାଲି ଆସିବା ଓ ତା'ର ହାତ ଟିକୁ ଧରିପକାଇ 'ବର୍ଷାଳୀ' ନାମରେ ସମ୍ବୋଧନ କରିବା ସତେ ଯେମିତି କୋଉ ନାଟକ ର ଶେଷ ଯବନିକା ପରି ତାକୁ ଲାଗୁଥିଲା!ହଠାତ ଏମିତି ଏକ ଅପ୍ରୀତିକର ପରିସ୍ଥିତି ର ସାମନା କରିବାକୁ ପଡିବ ବୋଲି ଭାବି ପାରିନଥିଲା।କିଛି କହିବା ପୂର୍ବରୁ ବୃଦ୍ଧ ଜଣକ କହି ଚାଲିଥିଲେ-ତୁମ ସ୍ୱର ଓ ତୁମ କବିତା'ବର୍ଷା ରାଣୀ ଆସୁଛି',ଉଭୟ ମୋ ମନ ପ୍ରାଣ କୁ ଛୁଇଁ ଯାଇ ,ଶୀତଳ କରି ଦେଇଛି!will you be my friend,dear?? ଯଦିଓ ତୁମେ ମୋ ଝିଅ ବୟସ ର ,କିନ୍ତୁ ବନ୍ଧୁ ହିସାବ ରେ ମୋତେ ଗ୍ରହଣ କରି ପାରିବ କି?ମୋ ବୟସ ର ଲୋକ କେବଳ ମିଠା କଥା ଦୁଇପଦ ଚାହେଁ।ହୁଏତ ବର୍ଷେ ଦୁଇ ବର୍ଷ ମୋର ଆୟୁଷ ବଢିଯାଇ ପାରେ!ଜୀବନ କୁ ମୁଁ ଭଲପାଏ।ଜୀବନ ର ଶେଷ ସମୟ ଟିକୁ ମୁଁ ଟିକେ ଶାନ୍ତିରେ କଟାଇବାକୁ ଚାହେଁ ।କେବଳ ଦୁଇ ମିନିଟ ସମୟ ତୁମ ଚବିଶ ଘଣ୍ଟା ରୁ ଦେଇ ପାରିବ ବର୍ଷାଳୀ??
ବୟସ ର ସାୟାହ୍ନ ରେ ପହଞ୍ଚି ସାରିଥିଲେ ବି ଏମିତି ଏକ ଅପ୍ରିତିକର ଓ ବିସ୍ମୟ କର ପରିସ୍ଥିତି ର ସମ୍ମୁଖୀନ କେବେ ସେ ହୋଇ ନ ଥିଲା!ଅନେକ ସଭା ସମିତି ରେ ଯୋଗ ଦେଇ ନିଜ ସ୍ୱର ର ପ୍ରଶଂସା ଯଦିଓ ଅଳ୍ପେ ବହୁତେ ଶୁଣୁଥିଲା,ହେଲେ ନିଜର ଆତ୍ମବିଶ୍ବାସ କୁ ଯେମିତି ସମ୍ପୂର୍ଣ୍ଣ ରୂପେ ଫେରି ପାଇ ପାରିନଥିଲା!ସେଦିନ ର ସେଇ ଅସ୍ୱାଭାବିକ ପରିସ୍ଥିତି ଟି ଯେମିତି ବହୁତ କିଛି ଓଲଟ ପାଲଟ କରି ଦେଇଥିଲା!ପରେ ଅବଶ୍ୟ ସେ ବୃଦ୍ଧ ଙ୍କ ବିଷୟ ରେ ବୁଝି ଜାଣିଥିଲା ଯେ-ଆଲଯାଇମର ରୋଗ ରେ ପୀଡିତ,ଜୀବନର ନବେ ଟି ବସନ୍ତ ଅତିକ୍ରମ କରି ସାରିଥିବା ବ୍ୟକ୍ତି ଜଣକ ନିଜର ଏକମାତ୍ର କନ୍ୟା 'ବର୍ଷା',ଯାହାକୁ ସିଏ ସ୍ନେହରେ 'ବର୍ଷାଳୀ' ଡାକୁଥିଲେ, ଆଉ ତା'ରି ସଙ୍ଗୀତ ର ମୂର୍ଚ୍ଛନା ରେ ସେ ବିଭୋର ହେଉଥିଲେ,ସବୁକିଛି ଭୁଲି ଯାଇଥିଲେ ମଧ୍ୟ ସେଇ ସ୍ୱର ଓ ନାଁ ଟିକୁ ମନ ଭିତରେ ସାଇତି ରଖିଥିଲେ।ଆଉ ହୁଏତ ତାକୁଇ ସେ ହୃଦୟ ଭିତରେ ସବୁବେଳେ ଖୋଜି ବୁଲୁଥିଲେ।ପରିବାର ର ଅନେକ ବାରଣ ସତ୍ତ୍ୱେ ,କବିତା ଆସର,ସଭା ସମିତି କୁ ବାରମ୍ବାର ଚାଲିଆସୁଥିଲେ,ଆଉ ଖୋଜି ବୁଲୁଥିଲେ ତାଙ୍କରି ବର୍ଷାଳୀ କୁ!!
ମନ ଭିତରେ ସେ ବୃଦ୍ଧ ଙ୍କ କହିଥିବା ବାକ୍ୟ କେତୋଟି ବାରମ୍ବାର ବାଜି ଉଠୁଥିଲା!ଆଉ ସତେ ଯେମିତି ସିଏ 'ବର୍ଷାଳୀ' ପାଲଟି ଯାଉଥିଲା!,ତା'ସାଙ୍ଗରେ ତା'ର ଆତ୍ମବିଶ୍ବାସ ଟା ରେ ପଡିଥିବା ଫାଟସବୁ ଯେମିତି ବନ୍ଦ ହୋଇ ଯାଉଥିଲା!ନିଜକୁ ଚେଷ୍ଟା କରି ମଧ୍ୟ ଅଟକାଇ ପାରି ନ ଥିଲା!ହାତ ତାର ଟାଣି ହୋଇ ଯାଇଥିଲା ଫୋନ ଟି ପାଖକୁ।ନମ୍ବର ଟି ଡାଏଲ କରି କିଛି କ୍ଷଣ ରହିଯାଇ,ଧୀରେ କରି କହିପକାଇଲା–ହ୍ୟାଲୋ...ମୁଁ ବର୍ଷାଳୀ କହୁଛି!
