ବର୍ଷା ସହ କିଛି ସ୍ମୃତି
ବର୍ଷା ସହ କିଛି ସ୍ମୃତି
ସ୍ମୃତି ବିସ୍ମୃତିର କରାଳ ଛାୟାରେ ଆଜି ବି ମନରେ ପୁଲକ ଆସେ । ପୁଲକ ଆସେ ତେବେ, ଯେବେ ଉଙ୍କିମାରେ ଆକାଶରେ ମେଘ । ଆକାଶରେ ମେଘ ନୁହଁ ତ ... ଝର୍କା ସେପାଖରୁ କେହି ଜଣେ ଯୁବା । ଯୁବା ! ଚମକି ପଡିଲା କୁମାର ବେଣୁ । କାହିଁକି ବା ଚମକି ପଡିବନି । ଆଜିକୁ ଅନେକ ଦିନ ତଳର ଘଟଣା । କଲେଜ କ୍ଯାମ୍ପସ୍ ରେ ଏକା ଏକା ପଦଚାରଣ କରୁଥିଲା କୁମାର ବେଣୁ ।
କ୍ଲାସ ନଥିଲା । ଶୁନସାନ୍ ଥିଲା କଲେଜ କ୍ଯାମ୍ପସ୍ । କେବଳ ପ୍ରାକ୍ଟିକାଲ୍ ଚାଲିଥିଲା । ଯୁକ୍ତ ଦୁଇ ବିଜ୍ଞାନର । ନର୍ଥ ବ୍ଲକର ସେଇ ଅନ୍ଧାରିଆ ସିଡିପଟ । ରୁମ୍ ନମ୍ବର ୩୦୩ । ଅନ୍ଧାରିଆ ସିଡିକୁ ଲାଗି ଟଏଲେଟ୍ । ପାଖକୁ ପାଖ କ୍ଲାସରୁମ୍ । ବହୁତ ଛୋଟ । ବୋଧେ ଅନର୍ସ କ୍ଲାସ ଚାଲେ । ତା'ପାଖକୁ ଲାଗି ୩୦୩ । ଖୁବ୍ ବଡ । କେମେଷ୍ଟ୍ରି ଲାବ୍ । ସେଦିନ ଲାବ୍ ରେ ପ୍ରାକ୍ଟିକାଲ୍ ଟେଷ୍ଟ ଚାଲିଥିଲା । ଟେଷ୍ଟ ସରିଲା ପରେ ମଧ୍ୟ ଡେମୋନଷ୍ଟ୍ରେଟର ଅନିରୁଦ୍ଧ ପ୍ରଧାନ ଆଉ ଅଧ୍ଯାପକ ବାସୁଦେବ ସାର୍ ଙ୍କ ସହ ଲାବ୍ ଭିତରେ ଥିଲା ବର୍ଷା । ବୋଧେ ସାର୍ ଙ୍କ ପ୍ରିୟ ଶିଷ୍ଯା । ଅନ୍ଯମାନେ କିଏ ହଷ୍ଟେଲ ତ କିଏ ବସ୍ ତ କିଏ ସ୍କୁଟିରେ ଘର ଯାଇସାରିଲେଣି । ବାପାଙ୍କୁ ଅପେକ୍ଷା କରି ଲାବ୍ ଭିତରେ ଅପେକ୍ଷା କରିଛି ବର୍ଷା । ସାର୍ ବୋଧେ ଷ୍ଟାଫ୍ ରୁମକୁ ଗଲେଣି । ଡେମୋନଷ୍ଟ୍ରେଟର ଅନିରୁଦ୍ଧ ବାବୁ କାଗଜପତ୍ର ସଜାଡି ରଖୁଥାନ୍ତି ।
ସମୟ ଅପରାହ୍ନ ୩ଟା । ଏପର୍ଯ୍ୟନ୍ତ ବର୍ଷାକୁ ନେବାକୁ ବାପା ଆସିନାହାନ୍ତି ।ବହୁତ ବିରକ୍ତିକର ପରିସ୍ଥିତି । ଝର୍କା ପାଖକୁ ଚାହିଁ ଦେଖେ ବର୍ଷା ତ ସାରା ଆକାଶ କଳଙ୍କିତ । କଳଙ୍କିତ ନୁହଁ ଯେ କଳାହାଣ୍ଡିଆ ମେଘ ଯୋଗୁଁ ଚାରିଆଡେ ଅନ୍ଧାରର ରାଜୁତି । ରାସ୍ତାଘାଟ ଶୂନ୍ଯସାନ୍ । ବଏଜ୍ ହଷ୍ଟେଲ ପଟକୁ ଦୃଷ୍ଟି ପଡନ୍ତେ ବିରାଟ ବଟାନିକାଲ୍ ଗାର୍ଡେନ୍ । ଆଉ ତା'ଭିତରେ ଏକା ଏକା କେହିଜଣେ ପଦଚାରଣରେ ବ୍ଯସ୍ତ ।
ଚିହ୍ନିବା ଭାରି ମୁସ୍କିଲ । ଏତେ ଦୂରରୁ । ଶୂନସାନ୍ କଲେଜ କ୍ଯାମ୍ପସ୍ ଭିତରେ ମଧ୍ୟ ଏକ ଅଜଣା ଭୟର ଶିହରଣ । ଶିହରିତ ବର୍ଷାର ତନମନରେ ଅନେକ ସନ୍ଦେହ । ଘଣ୍ଟାରେ ୩-୧୫ ମିନିଟ। ଅନିରୁଦ୍ଧ ଆଜ୍ଞା ପ୍ରଶ୍ନ କଲେ - "କେତେ ବେଳେ ଘରକୁ ଯିବ ବର୍ଷା ? ଅନେକ ବିଳମ୍ବ ହେଲାଣି । ମୋତେ ଏବେ କ୍ବାର୍ଟର ଯାଇ ବିଶ୍ରାମ ନେବାକୁ ହେବ ।" ଖୁବ ଇତସ୍ତତଃ ହୋଇ ଉତ୍ତର ରଖିଲା ବର୍ଷା । ବାପାଙ୍କୁ କହିଥିଲି ସାର୍ । କିନ୍ତୁ .. କ'ଣ ପାଇଁ ଆସିନାହାନ୍ତି ଯେ ? ହଉ ସାର୍ ମୁଁ କଲେଜ ବାହାର ବାହାର ୟୋଗା ୟୁନିଟରେ ଅପେକ୍ଷା କରିଥିବି । ବାପା ଆସିଲେ ତାଙ୍କ ସହ ଚାଲିଯିବି । ଆପଣ ଲକ୍ କରି ଯାଆନ୍ତୁ ।
ଅନିରୁଦ୍ଧ ସାର୍ ଙ୍କ ମନ ମାନିଲା ନାହିଁ । ଏକା ଏକା ଏ କଲେଜ କ୍ଯାମ୍ପସ୍ ରେ ବର୍ଷାକୁ ଏକୁଟିଆ ଛାଡି ଯିବାକୁ । ବାହାନା କରି କହିଲେ "ତମରି ପ୍ରିୟ ବାସୁଦେବ ସାର୍ ଙ୍କ ନିର୍ଦ୍ଦେଶ ତମେ ଗଲା ପରେ ଯାଇ ହିଁ ମୋତେ ଯିବାକୁ ହେବ । ଭୋକରେ ମୋର ଅନଳ ଜଳିଲାଣି । ଯେମିତି ହେଉ କ୍ବାର୍ଟର ଯିବାକୁ ହେବ । ତମ ପାଖରେ ମୋବାଇଲ ଅଛି କି ? ବାପାଙ୍କୁ ଜଣେଇ ଦିଅ । ମୋ କ୍ବାର୍ଟର ନମ୍ବର BT/13 । ତମେ ଚାଲ ସେଇଠି ଅପେକ୍ଷା କରିନେବ ।"
ନିରୁପାୟ ଆଉ ନିରୁତ୍ତର ରହିଲା ବର୍ଷା । ଏବେ ଲାବ୍ ରୁ ବାହାରକୁ ଯିବାକୁ ହେବ ତାକୁ । ବାହାରେ ଶୂନସାନ୍ । ଏଠି ବି ଅଣନିଃଶ୍ବାସୀ ସେ । ବାପାଙ୍କର କଣ ଅସୁବିଧା ! କିଛି ବୁଝି ପାରୁନି ସେ । ଅତ୍ୟଧିକ ବିଳମ୍ବ ଯୋଗୁଁ ବାସୁଦେବ ସାର୍ ଅନିରୁଦ୍ଧ ସାର୍ ଙ୍କୁ କହି ଚାଲିଗଲେ ।
ଏବେ ସେ କଣ କରିବ ? ନିଜକୁ ନିଜେ ପଚାରିଲା ବର୍ଷା । ଅନିରୁଦ୍ଧ ସାର୍ ଙ୍କ କ୍ବାର୍ଟର ..... ନା ବାବା ନା... । ଅନିରୁଦ୍ଧ ସାରଙ୍କ ବିଷୟରେ ବଡଦିଦି ମାନଙ୍କ ଠାରୁ ସେ ସବୁ ଜାଣିଛି । ସେ ଯେମିତି ଲାଞ୍ଚୁଆ ସେମିତି ବେହିଆ । ଝିଅ ବୟସର ଛାତ୍ରୀ ମାନଙ୍କ ପିଠି ଥାପୁଡାନ୍ତି । ପ୍ରାକ୍ଟିକାଲ୍ ନମ୍ବର ବାହାନାରେ ପ୍ରାକ୍ଟିକାଲ୍ ର ମଜା ନିଅନ୍ତି କୋମଳମତି ଝିଅ ମାନଙ୍କଠାରୁ । ଏମିତି ଭାବିବା ଭିତରେ ସୁଇଚ୍ ବନ୍ଦ କରିଦେଲେ ଅନିରୁଦ୍ଧ ସାର୍ । ଘନ ଅନ୍ଧାର ବିରାଜୁ ଥିଲା । ରାସାୟନ ଗବେଷଣା ଗାର ଭିତରେ କାଳେ କି ଅସଂଯମ ରାସାୟନ କି ପାର୍ଶ୍ଵ ପ୍ରତିକ୍ରିୟା ଘଟିବା ଆଗରୁ ପାଦ ଚିପିଚିପି କଲେଜର ତିନି ମହଲା ଉପରୁ ତଳକୁ ଧାଉଁଥାଏ ବର୍ଷା । ଶୂନସାନ୍ ନୀରବତା ଭିତରେ ବର୍ଷା ସ୍ଯାଣ୍ଡାଲ୍ ର ଠକଠକ୍ ଶବ୍ଦ । କଲେଜର ଭିତର ଫାଟକ ପାଖରେ ସିକୁରିଟି । ଅଟକାଇବାକୁ ଯାଇ ପଚାରିଲା ବର୍ଷାକୁ । କଣ କରୁଥିଲେ ଏ ପର୍ଯ୍ୟନ୍ତ ? ଆଉ ଅନିରୁଦ୍ଧ ବାବୁ ? ମୋତେ ତ ବାସୁଦେବ ସାର୍ କହିଥିଲେ ଅତି ବେଶୀରେ ଅଧଘଣ୍ଟା ଭିତରେ ତମେ ଯିବାକଥା । କିଛି କହୁନ କାହିଁକି ?
ବର୍ଷାର ଛାତି ପଡୁଥାଏ ଉଠୁଥାଏ । ଅଜଣା ଭୟରେ ପ୍ରକମ୍ପିତ ତା'ହୃଦୟ । ଏକା ନିଶ୍ବାସ କେ କହିଗଲା - 'ସେମିତି କିଛି ନାହିଁ ସାର୍ । ବାପାଙ୍କ କିଛି ଅସୁବିଧା ବୋଧେ । ଆଉ ଅପେକ୍ଷା କରିହବନି । ମୋତେ ଡର ଲାଗୁଛି ବାପାଙ୍କ କଣ ହୋଇଛି କେଜାଣି ?"
ବ୍ଯସ୍ତ ନ ହେବାକୁ ପ୍ରବୋଧନା ଦେଇ ଅପେକ୍ଷା କରିବାକୁ କହିଲା ସିକୁରିଟି ଗାର୍ଡ । ସେତିକିବେଳେ ଅନିରୁଦ୍ଧ ସାର ବାହାରି ଆସିଲେ । କଣେଇ ଚାହିଁଲେ ବର୍ଷା ଆଡକୁ । କଲେଜ ସାମ୍ନା ଆମ୍ବଗଛ ମୂଳରୁ ଧଳା ସ୍କୁଟି ବାହାର କରି ଏକମୁହାଁ ହୋଇ ଚାଲିଗଲେ । ସିକୁରିଟି ଗାର୍ଡ କିନ୍ତୁ ଖୁବ୍ ଭଲ ମଣିଷଟିଏ । ଠାଆଟିଏ ପାଇଁ କଥାବାର୍ତ୍ତା ଭିତରେ ତା'ର ମଣିଷ ପଣିଆକୁ ପରଖି ସାରିଥିଲା ବର୍ଷା । ହାତରୁ ଭ୍ଯାନିଟି ବ୍ଯାଗ୍ ଟା ଧରେଇ ଦେଇ ବର୍ଷା କହିଲା ମଉସା ଟିକିଏ ଫ୍ରେସ୍ ହେବି । ମୁଁ ପଛପାଖକୁ ଯାଇ ସାଙ୍ଗେ ସାଙ୍ଗେ ଆସୁଛି । ମୁଣ୍ଡ ହଲାଇ ସମ୍ମତି ଦେଲା ସିକୁରିଟି ଗାର୍ଡ । ପଛପାଖ ଓପେନ ଟଏଲେଟ । ସେଠୁ ଫେରିଲା ବେଳେ ଦେଖିଲା ବର୍ଷା । ଟପ୍ ଟପ୍ ମାଡିଆସୁଛି ଅସରାଏ ବର୍ଷା । ସେ ସିକୁରିଟି ପୋଷ୍ଟ ପାଖକୁ ଧାଇଁଲା ।
ଆଉ ସେତିକିବେଳେ ବଟାନିକାଲ୍ ଗାର୍ଡେନ୍ ରୁ ଫେରୁଥିବା କୁମାର ବେଣୁ ହେଷ୍ଟେଲ ମୁହାଁ । ଅନ୍ଯ ଉପାୟ ନ ପାଇଁ ବର୍ଷାରେ ଭିଜିବା ଅପେକ୍ଷା ସିକୁରିଟି ପୋଷ୍ଟ ପାଖକୁ ଚାଲିଆସେ କିଛି କ୍ଷଣର ଆଶ୍ରୟ ପାଇଁ । ବଟାନିକାଲ୍ ଗାର୍ଡେନ୍ ପଟୁ କୁମାର ବେଣୁ ଆଉ କଲେଜ ଭିତରକୁ ବର୍ଷାର ଆଗମନ । ଆକାଶରେ ଭୟଙ୍କର ଘଡଘଡି ବିଜୁଳି ଆଉ ବର୍ଷା ।ସେଇ ବିଜୁଳିର ଚକଚକ ଆଲୋକ ଭିତରେ ବର୍ଷା ଆଉ ବେଣୁ ଭିତରେ ହୁଏ ଚାରି ଚକ୍ଷୁର ମିଳନ । ଘନ ଅନ୍ଧାରର ଶୂନ୍ଯତାକୁ ଭସେଇ ଦେଇ ଆକଶରୁ ଥପ୍ ଥପ୍ ଝରିପଡୁଥାଏ ବର୍ଷା ବିନ୍ଦୁ । ଅସରାଏ ବର୍ଷାରେ ଭିଜିଗଲା କଲେଜ କ୍ଯାମ୍ପସ୍ । ଆଉ ସାରା ସହର । ମାଡିଆସିଲା ହାଲକା ହାଲକା ପବନ । ସେ ପବନରେ ପୁଲକିତ ହୋଇ ଉଠୁଥିଲା ବର୍ଷାର ତନୁମନ । ପ୍ରଥମ ଦେଖାର ପ୍ରେମ ଆଉ ତା' ଅନୁରାଗ କଣ କେବେ ବଖାଣି ହୁଏ । ସେଇମିତି ସମାନ ଅନୁଭବ ଅନୁରାଗରେ ଓଦା କୁମାର ବେଣୁର ହୃଦୟ । ଅଧଘଣ୍ଟାର ବର୍ଷା ଭିତରେ ଅନେକ ମିଠା ମିଠା ଗପ । ପ୍ରୀତି ଭରା ଆଳାପ । ପଲକ ପଡୁନଥିବା ଚାହାଣିରେ କଥାବାର୍ତ୍ତା । ସିକୁରିଟି ମାଉସାଙ୍କ ସ୍ନେହଭରା ସମ୍ଭାର୍ଷଣ । ଆଉ ବର୍ଷାର ନିଆରା ଛିଟା । ଅଧାଭିଜା କାମିଜ୍ ଦେହରେ ଭିଜାମାଟିର ଗନ୍ଧ ଭଳି ବୋଳିହୋଇ ଯାଉଥାଏ ପହିଲି ପ୍ରେମର ରୋମାଞ୍ଚ ଭରା ପୁଲକ ।
କ୍ରମଶଃ.....

