ଗଛ ସହ ଦୁଇପଦ
ଗଛ ସହ ଦୁଇପଦ
ବଦ୍ରିବାବୁ । ଉଚ୍ଚ ଶିକ୍ଷିତ । ପ୍ରଧାନ ଶିକ୍ଷକ ପଦରୁ ଅବସର ନେବାର ସମୟ ପ୍ରାୟ ଉପଗତ । ଖୁବ୍ ଚାଲାକ୍ ମଣିଷ ।
ଏ ସନ ମାଷ୍ଟ୍ରେ ଖୁବ୍ ସତର୍କ । କର୍ମମୟ ଜୀବନ ର ଶେଷ ସମୟ । ଏପଟେ ସରକାରୀ ଛାଟ । ଖରା ଛୁଟି ରେ ବି ନିସ୍ତାର ନାହିଁ ।
ସ୍କୁଲ କାମ କିରାଣୀ ବାବୁଙ୍କୁ ସମର୍ପି ଦେଇ ଗୋଡ ହଲାଉ ଥାନ୍ତି । ହଠାତ୍ ବିଜୁଳି ଚାଲିଗଲା । ବିଜୁଳିର ଚଉଦ ପୁରୁଷ କୁ ଧିକାର କରି ମହାଶୟ ଚାଲିଗଲେ ସ୍କୁଲ ହତା ପାଖ ବର ଗଛ ମୂଳକୁ ।
ଭୀଷଣ ଗରମ । ରହି ହେଉ ନଥାଏ । ବର ମୂଳେ ବଦ୍ରିବାବୁ ମୂତ୍ର ବିସର୍ଜନ ଅନ୍ତେ ପକେଟରୁ ପ୍ୟାକେଟ ଖୋଲି ତ୍ରିନାଥ ମେଳା ର ଚିଲମ ଭୋଗ ଭଳି ଭସ୍ ଭସ୍ କୁହଳା ଛାଡୁଛନ୍ତି । ଏତିକି ବେଳେ ଉତ୍ତପ୍ତ ବାୟୁ ଜନିତ ଖଣ୍ଡିଆଭୁତ ର ଆବିର୍ଭାବ ହେଲା ।
ଖଣ୍ଡିଆଭୁତ ବରଗଛ କୋରଡରେ ପଶିଗଲା । ବଦ୍ରିବାବୁ କହୁଥିଲେ ବାଃ କି ଥଣ୍ଡା ! ଗଛ ଭିତରୁ କେହିଜଣେ କିଛି କହିଲା ଭଳି ଲାଗିଲା ।
ବଦ୍ରିବାବୁ କହିଲେ କିଏ ?
ଖଣ୍ଡିଆଭୁତ କହିଲା ମୁଁ....
ହଇହୋ ବଡ଼ ଗୁରୁଜୀ । ତମର ଏ କି ସ୍ବଭାବ? ବରଗଛ କୁ ଖାତିର ନାହିଁ ।
ବଦ୍ରିବାବୁ : ମୁଁ କାହାକୁ ଡରେନି । ମୋ ସାଥିରେ ଲାଗିଲେ ସାବାଡ କରିଦିଏ ! କି ଖାତିର ଯେ...?
ମୁଁ ପରା ବିଜ୍ଞାନ ସାର୍ । ହେଡମାଷ୍ଟର । ପଦାର୍ଥ ବିଜ୍ଞାନ ମୋର ପାଠ । ଦୁନିଆ ଯାହା ଦେଖିବ ଫିଜିକ୍ସ ପରା ।
ହଁ ହୋ ଫିଜିକ୍ସ ପଢା ମାଷ୍ଟ୍ରେ । ତମର କ'ଣ ହିତାହିତ ଜ୍ଞାନ ନାହିଁ । ପାଚେରୀ ଏପଟେ ଗୋଚର ଜମି । ମୋ ଆସ୍ଥାନ ଆଡ଼କୁ ତମ ଲାଟ୍ରିନ୍ ଟାଙ୍କି । ତମ ଦିଦି ମାନଙ୍କ ର ପରିସ୍ରାରେ ମୋ ଅବସ୍ଥା ବେହାଲ୍ । ପୁନଶ୍ଚ କିରାଣୀ ରାତ୍ରଜଗୁଆଳି ର ସଦ୍ୟତମ କଞ୍ଚାମାଲ ପାଇପ୍ ଫାଟି ମୋ' ଚରଣରେ ।
ତମେ ହିନ୍ଦୁ ନା ପଠାଣ ସାର୍ !
ମୋ' ଦେହରେ ଶହଶହ ପକ୍ଷୀକସା , ଗୁଣ୍ଡୁଚି ବସା , ବାଦୁଡି ଘର । ଆଉ ଏଠି ନାଗ ଦେବତା ଙ୍କୁ ବି ମୁଁ ସ୍ଥାନ ଦେଇଛି ।
ଭୋପାଳ ଗ୍ୟାସ୍ ଟ୍ରାଜେଡି ଠାରୁ ଆପଣଙ୍କ ଷ୍ଟାଫ୍ ଙ୍କ ଅତ୍ୟାଚାର କିଛି କମ୍ ନୁହେଁ । ଆଉ କେତେ ସହିବି ?
ବଦ୍ରିବାବୁ : ହଁ ସହିବାକୁ ହେବ । ପାଞ୍ଚ ଆଙ୍ଗୁଠି ସମାନ ନୁହଁ । ସାତବାର ଯାକ ସପ୍ତଶିର ମୋ କଥା ମାନନ୍ତି । ଅକ୍ଷୟ ବାବୁ ମୋ କଥା କ୍ଷୟ କରନ୍ତି ନାହିଁ । ସୁପ୍ରଭା ତ ଏବେ ଟିକିଏ କୁପ୍ରଭାବ ପକାଇଲାଣି। ଉପାସନା ତ ମୋ' ସାଧନା ବୁଝେନା । ଚତୁର୍ଭୁଜ ଚାରି ଦିନ ଛାଡ , ଚାରି ଘଣ୍ଟା ଛାଡ । ଚାରି ସେକେଣ୍ଡ ବି ମାନୁନି । ଆଉ କ'ଣ ଦୁନିଆରେ ମମତା ବଞ୍ଚିଛି ! ଘୋର କଳିକାଳ ।
ହଁ ଗୁରୁଜୀ । କଳିକାଳ ରେ ଆପଣମାନେ ପରା ଜଣେ ଜଣେ ବଅଁଶମରା ଡାହୁକ । ତମେ ବିଜ୍ଞାନ ପଢିଛ । କଉଲର୍ ଖୋଜୁଛ । ବିନା ବିଜୁଳିରେ ରହି ପାରୁନ । କିନ୍ତୁ ପ୍ରତିଦିନ ମୋ ମୂଳେ ବିସର୍ଜନ କରୁଛ । ସିଗାରେଟ ପିଉଛ । ମାତ୍ର ମୋ' ବଞ୍ଚିବା ଦୁର୍ବିସହ କରି ଦେଉଛ। ଥରେ ମୋ କଥା ବିଚାର କରିଛ ?
କରମା । 5T ଟାଇମ୍ ରେ ଆକାଶିଆ ଗଛ ସହ ତୁମକେ ବି କାଟି ଦେମା । ଅତିଷ୍ଠ ନି ହେବ କି କମପ୍ଲେନ୍ ବି ନି କରବ । ଆଉ ବରଗଛ କଟିଗଲେ ଇନେ ପିଲାମାନେ ଖେଲାକୁଦ କରି ପାରିବେ ।
ବରଗଛ କହିଲା ଠିକ୍ ଅଛି ଆଜ୍ଞା । ମୋତେ ତମ ର ବାସ୍ନା ସୁଙ୍ଘିବା ଅପେକ୍ଷା ମରି ଯିବା ଭଲ ହେବ । ଜଲଦି କାଟି ଦିଅନ୍ତୁ ଆଜ୍ଞା ।
କିନ୍ତୁ ମନେ ରଖିବ ଗୁରୁଜୀ। ଖରାରେ। ମୁତିବ। ଖରା ରେ ସିଗାରେଟ ପିଇବ। ମୁଁ ଆପଣଙ୍କ ର ୟୁରିନାଲ ନୁହଁ କି ଆସ୍ ଟ୍ରେ ନୁହଁ। ବିଜୁଳି କଟିଗଲେ ମୋତେ ଟିକେ ମନେ ପକାଇବ ।
ଏତିକି କହି ବରଗଛ ଗୁରୁ ଗମ୍ଭୀର ହୋଇ ରହିଗଲା । ଖଣ୍ଡିଆଭୁତ ଝାଞ୍ଜି ଭଳି ମାଡି ଆସୁଥାଏ । ବଦ୍ରିବାବୁ ଦେହରୁ ଗମଗମ୍ ଝାଳ । ଏତିକି ବେଳେ କିଛି କାମରେ ବିଦ୍ୟାଳୟ ସଭାପତି ସୁଗ୍ରୀବ ର ଆବିର୍ଭାବ। ଆଜ୍ଞା ଆପଣଙ୍କର ବାଗିର୍ ଲୋକମାନେ ଏ ପରିବେଶ ଖରାପ କରି ସାରିଲେଣି । ଏ ଖରାରେ ସିଗାରେଟ । ସତରେ ଏ ଗଛ ପାଇଁ ଟିକିଏ ଛାଇ । ଆଉ ଏ ସନ ତ ବର୍ଷା ଜମାରୁ ନାହିଁ । 50° ରୁ ଅଧିକ ତାତି । ଅସହ୍ୟ ଗୁଳୁଗୁଳି ।
ସୁଗ୍ରୀବ କଥା ଶୁଣି ବୃକ୍ଷ ଦେବତା କହିଲେ । ମୋତେ କାଟି ଜାଳି ଦିଅ । ଏଠି ଅସହ୍ୟ ଗନ୍ଧ ରେ ମୁଁ ଅତିଷ୍ଠ । ମୋ' ଦେହରୁ ତ୍ରିନାଥ ଠାକୁର ଉଭାନ୍ । ନାଗ ଦେବତା ଦିଦି ମାନଙ୍କ ମୂତ୍ର ଯୋଗୁଁ ଫେରାର । କିନ୍ତୁ ଗୁରୁଜୀ ମୋତେ କାଟିଦିଅ । ଦୁଃଖ ନାହିଁ । କିନ୍ତୁ ଏ ବର୍ଷ ବନମହୋତ୍ସବ ରେ କିଛି ଗଛ ଲଗାଇବ । ତୁମର ମଙ୍ଗଳ ସହ ଜଗତର ମଙ୍ଗଳ ହେବ । ଯଦି ବିଜ୍ଞାନ ପଢାଉଥିବ ନିଶ୍ଚିତ ବୁଝିପାରୁ ଥିବ ।
ସୁଗ୍ରୀବ ଠୋ ଠୋ ହସୁଥିଲା । ଆଉ ଖରାରେ ବଦ୍ରିବାବୁ ଙ୍କର ମୁହଁ ଆମ୍ବିଳା ଦହି ଭଳି ଫଣଫଣ ଦିଶୁଥିଲା ।
