ବଡ ଅବା ବଡପଣ
ବଡ ଅବା ବଡପଣ
ଆମ ଗାଁ ର କିଆବୋଉ । ମାନ୍ଯରେ ଆଈମାଁ । ବୁଢୀର ଢଗ ଢମାଳି ଖୁବ୍ ଆନନ୍ଦ ଦାୟକ । ଏବେ ମନେପଡେ ସତରେ ବୁଢୀ ପାଖରେ କେତେ ଜ୍ଞାନ ଖୁନ୍ଦି ହୋଇରହିଥିଲା । ଏବେବି ମନେପଡେ ତା'ର ସେଇ ଢଗ -
"ବଡ ହୋଇ ନାହିଁ ବଡପଣ
ପଖାଳ କଂସାକୁ ନାହିଁ ଲୁଣ ।
ରାଉଳ ଘର ଖୁଦ ଭଜା
ମିଛଟାରେ ପୁଅ ମହାରାଜା ।
ବଡପଣ ତୋ'ର ଘରେ ଥାଉ
ମିଛରେ ଦେଖାନା ଏତେ ଭାଉ ।
ବଡପଣେ ତୋ'ର ଲୋକହସା
ଡେଙ୍ଗା ମୁଣ୍ଡକୁ ଠେଙ୍ଗା କହିବୋଲୁ
ଭୋଗୀବୁରେ ପାଜି ଦୁରୁଦଶା ।"
ବାଃ କି ଚମତ୍କାର । ଏବେ ବୁଝୁଛି ଆଈ ବୁଢୀଟା ମୋର ଏତେ କଥା କାହିଁକି କହୁଥିଲା । ଛୁଆଟି ବେଳରୁ ସେ ହିଁ ସାହାରା । ପ୍ରସବ କାଳଠୁ ଷଠିଘରେ । ଏକୋଶିଆ କଣ ମାସ ପରେ ମାସ ସେ ହିଁ ସାଉତି ଥିଲା ମୋତେ । ବାସ୍ କେଇ ବର୍ଷ । ବୁଢୀ ବି ଠାଉ କହି । ଅପ୍ରିୟ ସତ କଥା ଗୁଡାକ ଠାଉ ଠାଉ କହିଦିଏ । ସଭିଙ୍କ ଆଗରେ । ସେତେବେଳେ ନା ପାଠ ନା ଶାଠ । ଆଈବୁଢୀ ର କଟାକ୍ଷ କିଛି ବୁଝେନା ମୁଁ । କିନ୍ତୁ ତା'ର ଆବୃତ୍ତି , କହିବା ଶୈଳୀ ମନକୁ ଛୁଇଁ ଯାଏ ।
ବୁଢୀ ଭାରୀ ଡାଆଁଣୀ । ଆପଣାପଣରେ ଗପ କହେ । ବାଘ ଛେଳି , ମେଣ୍ଢା ଜ୍ବାଇଁ, ବୁଡଢାବୁଢୀ ଗପ , ବୁଢୀଅସୁରୁଣୀ, ରଜାରାଣୀ , ସାଧବଝିଅ ଇତ୍ୟାଦି ଇତ୍ଯାଦି । ବଡ ହେଲାରୁ ଏବେ ବୁଛୁଛି ତା' କଟାକ୍ଷ ଭିତରେ ଆତ୍ମପ୍ରତ୍ଯୟ ଥିଲା । ସେ ଅପାଠୋଇ ବୁଢୀ ପଢିଥିଲା ମନସ୍ତତ୍ତ୍ବ । ଜାଣି ପାରିଥିଲା କିଏ କଣ କେମିତି ? ହାତରେ ସାଉତି ଥିଲା । ପେଟରେ ତେଲ ମାରି ଦିନରାତି ଘଷିଛି ତ ପେଟର କଥା ସବୁ ଓଗାଳି କହିପକାଉ ଥିଲା । ଆମେ ଘରେ ଠାଉକହି ବୁଢୀ କହି ମଜା ନେଉଥିଲୁ । ଅନ୍ଯ ମାନଙ୍କୁ ବୋଧେ ବେଳେବେଳେ ବାଧେ । ସେଇଥିପାଇଁ ନା କଣ ପ୍ରତିକ୍ରିୟା କରନ୍ତି । ଗରଗର ହୁଅନ୍ତି । ମୁଁ ତ ଇସ୍କୁଲ ଯାଉଥିବି ନୂଆ ନୂଆ । କଣ ବା ବୁଝନ୍ତି ମଣି ମନର ଗହନ କଥା । କିନ୍ତୁ ଏବେ ବୁଝୁଛି ଆଈବୁଢୀ ହିଁ ଜାଣିଥିଲା ମନତଳର କଥା । ଅବ୍ଯକ୍ତ କୋହ । ମଣିଷ ମନର ମୋହ । ଆଉ ସରଳ ଚଞ୍ଚଳ ଆଖିର ଲୁହ । ଏଇଥିପାଇଁ ତ ପ୍ରତି କଥାରେ ଢଗ ଢମାଳି ଗାଇ ଚେତାଇ ଦେଉଥିଲା । ବୋଧେ ତା' ଢଗରେ ଅବୋଲକରା ପାଇଁ ସୁଧାର ଥିଲା ଆଉ ବୋଲକରା ପାଇଁ ଥିଲା ନିର୍ଦ୍ଦେଶ । ଆପଣାକୁ ଚିହ୍ନିବାକୁ । ରକ୍ତ ସମ୍ପର୍କର ମାନେ ବୁଝିବାକୁ । ଫୁଗୁଳିଆର ଦୁଃଶ୍ଚିନ୍ତା ବଅଁଶମରା ଡାହୁକ ଗୁଣ । ଘର ଢୀଙ୍କି କୁମ୍ଭୀର ହେଲେ ତ କଥା ସଲା । ଯେହେତୁ ବୁଢୀ ବୁଝିଥିଲା କିଏ କଣ , ତେଣୁ ବାଣ ଟେ ଲେଖା ଛାଡୁଥିଲା । ମୁଁ ସିନା ମଜା ନେଉଥିଲି କିନ୍ତୁ କୁତ୍ସିତ ଘୃଣ୍ଯ ଅମଣିଷ ସବୁ ନାକ ଟେକୁଥିଲେ । ବୁଢୀକୁ ଟାହିଟାପରା କରି ରାଗ ଗରଗର ହେଉଥିଲେ । ଘରେ ପିଠାପଣା ହେଲେ ବୁଢି ତ ସବୁଦିନିଆ କୁଣିଆ । ତାକୁ ନ ଦେଇ ବାଟ ନାହିଁ । ଭାଇ ଭଉଣୀ ପାଞ୍ଚୋଟାର ନାଭି କାଟିଛି । ସଞ୍ଜ ସକାଳ ସାଇତିଛି ।
ସେଦିନ କଥା ମନେ ପଡୁଛି । କାହିଁକି ସେଇ ବଡପଣ ବାଣ ମାରୁଥିଲା ମୋ' ପଡୋଶୀ ଆଈବୁଢୀ । ବୋଧେ ମୋତେ ଟିକିଏ ଅଧିକ ଭଲ ପାଉଥିଲା । ଅନ୍ୟ କେହି ତ ଆନ ଦୁଆର ଯାଆନ୍ତି ନାହିଁ । ମୋ ପାଇଁ ସବୁ ଅଗଣା ଖୋଲା । ଆଉ ମୋ ସରଳତା କୁ ସେଇ ଆଈବୁଢୀ ଠିକ୍ ମାପିଥିଲା । ମୋ' ଜୀବନ ଯାତନା କଥା କହି ମୋତେ ସତର୍କ କରାଇବାକୁ ଚେଷ୍ଟିତ ଥିଲା । ମୁଁ କିନ୍ତୁ ବୁଝିବା ବୟସର ହୋଇ ନଥିଲି । କିଛି ବୁଝିପାରୁ ନଥିଲି । ଆଉ ଆଈବୁଢୀ କଥା ବୁଝିଲା ବେଳକୁ ନେଡି ଗୁଡ କହୁଣୀକୁ । କହିବି କାହାକୁ
ଆପଣା ଭାଗ୍ଯ ତ ଫଟା କପାଳ ଲୋ ଆଈ .... ।
ଆଜି ଏଠି ବୁଢୀର ଏଇ ଢଗର ବଡ ଆଉ ବଡପଣ କୁ ନେଇ କଣ କିଛି ଲେଖିବି ବୋଲି କଲମ ଧରିଛି । କର୍ଣ୍ଣ ବେଣୀ ସଂହାର ସମୟରେ କହି ଥିଲେ "ବଡ ଘରେ ଅଥବା ଉଚ୍ଚ କୁଳରେ ଜନ୍ମ ହେବା ଦୈବର ଅଧିନ ଅଟେ ମାତ୍ର ପୁରୁଷକାର ମୋର ଅଧିନ ।" ସତରେ କର୍ଣ୍ଣ କେତେ ଅପମାନିତ ନ ଥିଲେ । ସେତ ବାସ୍ତବରେ ସୁତପୁତ୍ର ଥିଲେ । ଏଠି କେତେ ମାଆ ପେଟର ଭାଇ ସୁତପୁତ୍ର ହୋଇ ନାହାଁନ୍ତି । କଷ୍ଟ ଦେଇ ନାହାନ୍ତି । ଧନ୍ଯ ସେମାନଙ୍କ ପରିଚୟ । ବଡ ହେବାର ମର୍ଯ୍ୟାଦା ଆଉ ବଡପଣର ମିଥ୍ଯା ଅହମିକା । ଦଶଶୀର ଟାଣି ପାଗଳହାତୀ ଭଳି ପ୍ରଗଳ୍ଭ ଭାଷଣ ଦେବାର ବୃଥା ଦମ୍ଭ । ସେମାନଙ୍କର ସତ ସାହାସ ନାହିଁ । ଅନ୍ଯର ଖୁସି ତାଙ୍କ ଦେହରେ ଯାଏନା । ନିଜେ ତ ଆପେ ବଞ୍ଚିଲେ ବାପର ନାଁ କହି ଏକୁଟିଆ ରହୁଥିବା ପରଜୀବୀ କଣ କେବେ ବୁଝିପାରେ ଯେ, ସେ ପରଜୀବୀ । ପରଜୀବୀ ଅନ୍ୟ ଗଛର ସାହାରା ରେ ବଞ୍ଚେ । ଯଦି କେବେ ଗଛଠାରୁ ଉପରକୁ ବଢି ଯାଏ ଆତ୍ମଗର୍ବ ରେ ତା' ଛାତି ଫାଟିଯାଏ । ମୁଁ ବଡ । ସେଜାଣେନା ତା'ର ସ୍ଥିତି ଆଉ ଅସ୍ତିତ୍ବ । ଅବଶ୍ୟ ନିରୋଳାରେ କଣ କେବେ ପରଖି ନଥିବ ତା' ଅତୀତ । ମନେ ପଡୁ ନଥିବ ବିଗତ ସ୍ମୃତି । କେତେ ଝଡ ଝଞ୍ଜାରେ ତା'କୁ ମଣିଷ କରିଥିବା ବୁଢା ବାପମାଆ । ଆଉ ସେତୁ ବନ୍ଧରେ ଗୁଣ୍ଡୁଚି ଭଳି ରାତି ଅଧରେ ପର ଦୁଆରକୁ ପଠାଉ ଥିବା ମାଆ ପେଟର ଭାଇ । ଇଜ୍ଜତ ହାସଲ କରାଯାଏନା । ଆପେ ଆସିଯାଏ । ବର୍ଷ ବର୍ଷ ଧରି ଅପ୍ରିୟ ଥିବା ଦୁଆରେ ଜନ୍ମମାଟି ବିକି ପାଠ ପଢିବା ଆଉ ଯେଉଁ ମାନଙ୍କୁ ତୁଚ୍ଛ ଭାବୁଥିବା ସେମାନ ଦୁଆରକୁ ଗୁପ୍ତଚର ଭଳି ଆଉ ଗୋଟାଏ ଭାଇକୁ ପଠାଇ ଟଙ୍କା ଆଣିବା । ନିୟତିର କରାଳ ଗର୍ଭରେ ଇତିହାସ ହୋଇପାରେ ଏସବୁ । କିନ୍ତୁ କର୍ଣ୍ଣ ଭଳି ବୀର ଆଜୀବନ ମନେ ପକାଉଥିବେ ଏ ସଂସାରରେ । ଯେଉଁ ଭିଟାମାଟି ଉଜାଡି ବାପମାଆ ମଣିଷ କରନ୍ତି ସେଥିରେ କେବଳ ବଡର ଅଧିକାର ନା ଅନ୍ଯର ଅଧିକାର ଥାଏ । ଶିକ୍ଷା ଦୀକ୍ଷା ପାଇଥିବା ମଣିଷ ବୁଝନ୍ତା । ସମାଜରେ ଏବେବି ମଣିଷ ଦେହଧାରୀ ନର ରାକ୍ଷସ ଙ୍କ ସଂଖ୍ୟା କିଛି କମ ନୁହଁ । ଯେଉଁ ମାନେ ଯେତେ ଉଦ୍ଧତ ତାଙ୍କର ପୁରସ୍କାର ନିର୍ଣ୍ଣୟ କରିବାକୁ କିଆବୋଉ ଆଈବୁଢୀ କିଏ ? ନା ମୁଁ କିଏ ? ସମୟ ବଡ ବଳବାନ ।
କବି ଯଦୁମଣି କହୁଥିଲେ- "ନିକିତି ତଉଲ ସାନ ବଡକୁ । ଭାରି ହୁଏ ଯହିଁ ଯାଏ ତଳକୁ ।" ସତରେ ସଂସାରି କି ଗହନ କଥା । ବଡ ହେବାକୁ ହେଲେ ତଳେ ରହିବାକୁ ହୁଏ । ଡେଙ୍ଗା ମୁଣ୍ଡରେ ପରା ଠେଙ୍ଗା । ଯେ ଠେଙ୍ଗା କୁ ଡରେ । ଶହେ ଦୁଇଶହକୁ ଡରେ । ସେ କି ଡେଙ୍ଗା ଯେ । ସେଦିନ ଜଣେ ଶିକ୍ଷକ ବନ୍ଧୁ କହୁଥିଲେ : ବଡ ଶବ୍ଦର ଅର୍ଥ କଣ ବୁଝିଛ ? ତମେତ ମୋ'ସାନ ଭାଇକୁ ଦେଖିଛ ଜାଣିଛ ପଚାରିବ । ସହିବାର ଗୁଣ ନଥିବା ମଣିଷ ବଡ ଚିତ୍କାର କଲେ କଣ ହେବ ! ସହନଶୀଳତା ନଥିଲେ କି ବଡ ହୋ ?
ସତରେ ଏଇଥିପାଇଁ ବୋଧେ ବଡପୁଅକୁ ଅଗ୍ରଜ ଭୁଇଁ ଦେବା ଆମ ହିନ୍ଦୁ ପରମ୍ପରା ରେ । କିନ୍ତୁ ଆଜିକାଲିର ଅଗ୍ରଜ ମାନେ ସାକ୍ଷାତ୍ ଧର୍ମରାଜ । ସେମାନଙ୍କର କଣ ଯାଏ ନା ଆସେ । ପରଜୀବୀ ସାଜି ଘରେ ବାହାରେ ବାହାସ୍ପୋଟ ମାରନ୍ତି । ପାଟିରୁ ବାଜୁ ଫିଙ୍ଗି ଭାଷଣ ଦିଅନ୍ତି । ଧୃର୍ତ୍ତ ମଣିଷ ଋପି ଅମଣିଷ ସବୁ । ସ୍ବାର୍ଥନ୍ବେଷୀ ସ୍ବାର୍ଥପର । ଯେଉଁ ପାଟିରେ ଖାଆନ୍ତି ସେଇଟା ତାଙ୍କର ମଳଦ୍ବାର । ସେମାନେ କଣ ସମ୍ମାନର ଅଧିକାରୀ ହେବାକୁ ଯୋଗ୍ଯ ।
ଘରକୁ ବନ୍ଧୁ ଆସିଲେ ଯେ ସ୍ବାର୍ଥୀ ହୋଇ ତେଲାଏ , ଚାୟ ପିଆଏ , ଭୋଜି ଖୁଆଏ ସ୍ବାର୍ଥ ସରିଗଲେ ସେ ଚିହ୍ନନ୍ତା କିଆଁ ?ବଡପଣ କୁଆଡୁ ଆସିବ ଗୋଟେ ଚାମଚାର । ଯା ପାଖରେ ବାପମାଆ ଭାଇବନ୍ଧୁର କାହାରି ସ୍ଥାନ ନାହିଁ ସେ କି ପ୍ରକାର ମଣିଷ । ମହିଷାସୁର ର ମୁଖା ଖୋଲିଦେଲେ ସେ ଦୈତ୍ଯର ଲାଲ୍ ମୁଖା ଆପେ ଖୋଲିଯାଆନ୍ତା । କିନ୍ତୁ ବିରାଡି ବେକରେ ଘଣ୍ଟି ବାନ୍ଧିବାକୁ କେହି ନାହାନ୍ତି ନୁହଁ ବରଂ ସମୟ ଆସିନାହିଁ ।
ବଡପଣ ବଡ ଲୋକଙ୍କ ପାଖରେ ଥାଏ । ଟଙ୍କା ଥିଲେଯେ ମଣିଷ ସମାଜରେ ବଡ ହୋଇଯାଏ ଭାବିବା ମୂର୍ଖାମୀ ଛଡା ଆଉ କିଛି ନୁହଁ । ଭାରି ଅବିଶ୍ବାସୀ ମଣିଷ ସେ , ଯେ ଅନ୍ୟଠି ଅନ୍ଯ ବିଷୟରେ କହେ । ଆରେ ତାକୁ ଫୋନ କରୁଛୁ ନା ନାହିଁ । ଭିତିରିଆ ଗପୁଥିବୁ । ତା'ସହ କେବେ କଥା ହୋଇଥିଲୁ । ତା'କୁ କଲ କରିବୁନି । ତା' ସହ ସମ୍ପର୍କ ରଖିବୁନି । ସତରେ .. ଏ କରିତକର୍ମା ଜଣକ କେଡେ ଅମାନୁଷିକ ହୋଇ ନଥିବେ । ଏକବିଂଶ ଶତାବ୍ଦୀର ମଣିଷ କିଏ କାହା ସହ ସୁସମ୍ପର୍କ ରଖିବ କାହା ଘରକୁ ଯିବ ନ ଯିବ ତାର ହିସାବ ଘରେ ସେ କେଉଁ ସ୍ତରର ମଣିଷ ଆପଣ ମାନେ ବିଚାର କରନ୍ତୁ । ଏମିତି ନୀଚ୍ଚ କୁତ୍ସିତ କୁଚକ୍ରୀ ଅପଦାର୍ଥ ମଣିଷ ଆମ ସମାଜରେ ଅଛନ୍ତି । ଆମ ଘରେ ମଧ୍ୟ ଅଛନ୍ତି । ନିଜକୁ ଭାବନ୍ତି ଗଜପତି । କିନ୍ତୁ ବୁଝନ୍ତି ନାହିଁ କଞ୍ଚୁକୀର ଭାବନା । ବୃଦ୍ଧି କଞ୍ଚୁକୀର ମନଭାବକୁ ନେଇ ରାଧାନାଥ ରାୟଙ୍କ ଶାଣିତ କଲମ ଗାଇଛି -
"ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ଆପଣାର ଭାଗ୍ଯ ଡୋରୀ
ନିଜ ଭାଗ୍ଯଡୋରୀ କାଳ ହସ୍ତେ ବନ୍ଧା ପକାନ୍ତି ହେଳେ ପାସୋରି ।"
ସତରେ ଏ ସମାଜର କୁତ୍ସିତ ଅମଣିଷଗଣ । ସୁଧାରିନିଅ । ଅନ୍ଯକୁ କଷ୍ଟ ଦେଲେ ଭଗବାନ ଦିନେ ସେ କଷ୍ଟ ର ହିସାବ ନିକାଶ କରିବେ ।
ଯେଉଁ ମାନେ ଅନ୍ୟ କୁ ନିଜ ଭଳିଆ ହେବାକୁ , ନିଜର କ୍ରୀତଦାସ ହେବାକୁ ବାଧ୍ୟ କରନ୍ତି ସମୟ ସୁଅରେ ସେମାନେ କ୍ରୀତଦାସ ହୋଇଯାଆନ୍ତି । ଅନ୍ଯର ସାହାଯ୍ୟ ଭୁଲିଯାଇ ମୁଁ ଏୟା କରିଦେଇଛି ସେୟା କରିଦେଇଛି ବୋଲି ଘରର ନିନ୍ଦା ଅନ୍ଯ ଆଗରେ ଗାଆନ୍ତି ସେମାନଙ୍କୁ ସେମାନଙ୍କ ମତରେ ହେଉ କି ଚାଣକ୍ଯଙ୍କ ମତରେ କଣ କୁହାଯିବ ସେମାନେ କହିବେ । ବଡଲୋକ ଅନ୍ଯର ଦୟାରେ କେହି ହୁଅନ୍ତି ନାହିଁ । ଦୟା କ୍ଷଣିକ । ଯେ ସ୍ବାଭିମାନୀ ତା' କହିବା କରିବାରେ ସ୍ବାଭିମାନ ଥାଏ । ଆପଣାପଣ ଥାଏ । ଯେଉଁ ବ୍ଯକ୍ତର ବ୍ଯକ୍ତିତ୍ବର ବିକାଶ ହୋଇନଥାଏ ସେ ପରଜୀବୀ ଭଳି ଅନ୍ଯର ଦୟା ରେ ବଞ୍ଚେ । ଯେଉଁଠି କର୍ତ୍ତବ୍ୟର ଆବଶ୍ୟକତା ଅଛି ସେଠି ତିରସ୍କାର କରି ମିଛ ସମ୍ପର୍କର ବାହାନା ବା କେଇଦିନ ! ବଡ ଆଉ ବଡପଣ ତା'ଠାରେ ଥାଏ ଯେ ଅଳ୍ପେ ବହୁତେ ନିଜର କର୍ତ୍ତବ୍ୟ ସମ୍ପାଦନା କରିଥାଏ କିମ୍ବା କର୍ତ୍ତବ୍ୟ କରିବାର ଆଗ୍ରହ ରଖିଥାଏ । କିଆବୋଉ ର ଢଗ ଏଇମିତି ମଣିଷ କୁ ମନେ ପକାଇ ଦେଉଥିବ , "ରେ ମଣିଷ ସାବଧାନ ..! ଏଠି ନରଦେହୀ ନର ରାକ୍ଷସ ର ଗତିବିଧି ଖୁବ୍ ଭୟଙ୍କର । ସଜାଗ ହୁଅ । "
