ବର୍ଷା ସହ କିଛି ସ୍ମୃତି
ବର୍ଷା ସହ କିଛି ସ୍ମୃତି
ମୁଁ ନୂଆକରି ଯାଇଥାଏ ଭୁବନେଶ୍ୱର | ପଟିଆ ରେ ଘର ଭଡା ଦେଇ ରହୁଥାଏ | କିନ୍ତୁ କାହିଁକି ରହୁଥିଲି ସେ କଥା କହି ପାରିବିନି | ଭାବିନିଅନ୍ତୁ ନିହାତି ବ୍ୟକ୍ତିଗତ କଥା ହୋଉଥିବ ସେଥିପାଇଁ ସଂକୋଚ ଆସୁଛି | ଖାଲି ମୁଁ ଯେ ଘର ଭଡା ଦେଇ ରହୁଥିଲି ତାହା ନୁହେଁ , ମୋ ଆଖପାଖ.... ଚାରି ପାଖରେ ଥିବା ବଡ ବଡ ଘର ଗୁଡ଼ିକରେ ଅନେକ ପିଲା ରହୁଥିଲେ | ମୋର ଭୁବନେଶ୍ୱର ଆସିବା ଆଠ ମାସ ହୋଇଯାଇଥିଲା | ଅନେକ ସାଙ୍ଗ ସାଥି ଏଠି ଥିବାରୁ ମୁଁ ମୋ ଘରେ କମ୍ ବାହାରେ ସେମାନଙ୍କ ସହ ଅଧିକ ସମୟ ବିତାଉଥିଲି |
ମୋ ଘର ସାମ୍ନାରେ ଗୋଟେ ଘର ଥିଲା | ଯାହାର ଝରକା ଓ ବାଲକୋନୀ ମୋ ଘର ଆଡକୁ ଚାହିଁ ରହିଥିଲା | କେବେ କେବେ ସେ ବାଲକୋନୀ ଉପରକୁ ମୋ ନଜର ଯାଏ, କିନ୍ତୁ ଏପରି କିଛି ଖାସ୍ ପ୍ରଭାବ ପକାଏନି ମୋ ଉପରେ |
ସେଦିନ କିନ୍ତୁ ଦିନଟି ନିଆରା ଥିଲା ଏକଦମ୍ ନିଆରା.....
ନୀଳ ଆକାଶଟା ଖଣ୍ଡେ ଖଣ୍ଡେ ଭସା ବଦଳକୁ ଗୋଟାଉ ଥାଏ | ଲାଗୁଥାଏ ସୂର୍ଯ୍ୟ ଢୋଳାଉ ଥାନ୍ତି ବାଦଲକୁ ଦେଖି | ଯେପରି ଆକଟ ମାନୁ ନଥାନ୍ତି ଛୋଟ ଛୋଟ ବୁନ୍ଦା ମାନେ | ଅମାନିଆ ହୋଇ ଖସି ଆସୁଥାନ୍ତି ମା କୋଳରୁ ତଳକୁ | ମୁଁ ଚାହିଁଲି ଉପରକୁ ମେଘ ଘୋଟି ଆସୁଥାଏ | ସଂନ୍ଧ୍ୟାବି ହୋଇଯିବ ଘରକୁ ଚାଲିଯିବାଟା ଠିକ୍ ହେବ | ଅଦିନିଆ ବର୍ଷା ପାଇଁ ମୋ ପାଖରେ ନାଥିଲା ଛତା, କି ନାଥିଲା ରେନି କୋଟ୍ | ସେଥିପାଇଁ ଘର ମୁହାଁ ଧାବମାନ ହେଲି |ଅବଶ୍ୟ ଘର ପାଖାପାଖି ଟିକେ ଝିପି ଝିପି ବର୍ଷାରେ ଓଦା ହେଲି | ମୋ ଝରକା ଖୋଲି ଦେଇ ବାହାରକୁ ଚାହିଁଥାଏ | ବାହାରେ ବର୍ଷା ଘର ଭିତରେ ମୁଁ | ବର୍ଷାକୁ ଦେଖିଲେ ଘର କଥା ମନେପଡେ, ଆଉ ମନେ ପଡେ ଓଦା ମାଟିର ବାସ୍ନା | ରେବ ମା' ଚାଲ ଉପରେ ସେ ପୋଇ କଖାରୁ ରୁ ପତ୍ରଙ୍କ ନୃତ୍ୟ | ଏସବୁ ମନେ ପଡିଲେ ମନଟା ଉଦାସ ହୋଇଯାଏ | ନା ଅଛି ପୋଇ କଖାରୁ ର ଲଟା ନା ଅଛି ମାଟିର ବାସ୍ନା | ଖାଲି ସିମେଣ୍ଟ ଲୁହାରେ ତିଆରି ବଡ ବଡ ଇମାରତ | ବର୍ଷା ପାଗ ପାଇଁ ଆଜି ଜଲ୍ଦି ସଂନ୍ଧ୍ୟା ହୋଇଗଲା ପରି ଲାଗିଲା | ପ୍ରତି ଘରର ଆଲୁଅ ଜାଳି ଉଠିଲା | ମୋର ଇଛା ହେଉ ନଥିଲା ଉଠିକି ଆଲୁଅ ଲଗେଇବାକୁ | ଆଉ ଟିକେ ବାହାରକୁ ଚାହିଁ ପୁରୁଣା ଦିନ କୁ ମନେ ପକାଇବାକୁ ଇଛା ହେଉଥାଏ |
ମୁହଁକୁ କ୍ଷୀଣ ଆଲୁଅ ପଡିଲା ଭଳି ଅନୁଭବ ହେଲା | କେଉଁଠୁ ଆସିଲା? ଆଖି ଉଠାଇ ଚାହିଁଲି | ସମ୍ମୁଖ ଘରର ଆଲୁଅ | ବୋଧେ କିଏ ରହିଲେ ସେ ଘରେ | ସେଠାରୁ ଆସୁଥିବା ଘଣ୍ଟିର ଶବ୍ଦ ମୋ କାନରେ ପଡିଲା, | ଆରେ ଠାକୁରଙ୍କ ପାଖରେ ଧୂପଟେ ଦେଇଦିଏ କହି ଉଠି ଚାଲିଗଲି | କିଛି ସମୟ ପରେ ମୁଁ ପୁନଃ ଆସି ଝରକା ପାଖରେ ବସିଗଲି | କିନ୍ତୁ ଏଥର ମୋ ଲକ୍ଷ୍ୟ ବର୍ଷା ଦେଖିବାର ନଥିଲା | ଥିଲା ସେ ବାଲକୋନୀ ଉପରେ | ଲମ୍ବା କୁଞ୍ଚୁ କୁଞ୍ଚୁ ଚୁଟି, ସଟ୍ ପ୍ୟାଣ୍ଟ, ଟି ସଟ୍, ପିନ୍ଧା ଝିଅଟି ଉପରେ , ଯିଏକି ମୋ ପଟକୁ ପିଠି କରି ଠିଆ ହୋଇଥିଲା | ହାତରେ ବହି ଭଳି କିଛି ଜିନିଷ ଥିଲା ଓ କପ୍ ରେ କଫି ( କଫି ଏଥିପାଇଁ କହିଲିକି ପିଲାଟି ଆଧୁନିକ ହୋଇଥିବାରୁ ଚାହା ବଦଳରେ କଫି ପିଉଥିବ ) | ଟିକେ କପ୍ କୁ ପାଟି ପାଖକୁ ନେଉଥାଏ ପୁନଃ ଥୋଇଦେଉ ଥାଏ | ପ୍ରତି କାମରେ ଯେପରି ସ୍ଥିରତା | କେଜାଣି କାହିଁକି ସେ ଝିଅକୁ ଦେଖିଲା ପରେ ମୋ ମନର ସୁପ୍ତ ଭାବନା ଚେଇଁ ଉଠିଲା | ହୋଇପାର ଆଜି ପାଗଟା ଦୁଷ୍ଟ ଥିଲା | କେବେ କୌଣସି ଝିଅକୁ ଏପରି ଲୁଚି ଲୁଚି ଦେଖି ନଥିଲି | ଖୁବ୍ ଭଲ ଲାଗିଲା ଝିଅଟି | ଗାଁରେ ଥିବା ବେଳେ, ଯଦି କାହା ଘରକୁ କୁଣିଆଁ ହୋଇ ଆସିଥିବା ଝିଅଟି ସୁନ୍ଦର ଥାଏ , ତେବେ ସବୁ ପୁଅଙ୍କୁ ସେ ଆଖପାଖରେ ଡୁଙ୍ଗୁ ଥିବାର ଦେଖିବାକୁ ମିଳେ | ମୁଁ ମୋ ସାଙ୍ଗ ମାନଙ୍କ ସହ ଯାଏ କିନ୍ତୁ କାହାକୁ କେବେ ସେ ଦୃଷ୍ଟିରେ ଦେଖି ନଥିଲି | ଭାବେ ଏ ସବୁ ଭଲ ନୁହେଁ | କିନ୍ତୁ ଆଜି କାହିଁକି ସେ ବାଲକୋନୀ ଉପରୁ ଧ୍ୟାନ ହଟୁନି | ଝିଅଟି ନିଜ କେଶ ରାଶିକୁ ଆଙ୍ଗୁଠିରେ ଖେଳିଲା ଭଳି କରୁଥାଏ | ମୁଁ ତାକୁ ଯେତେ ଦେଖୁଥାଏ ସେତିକି ଖୁସି ଅନୁଭବ ହେଉଥାଏ | ଦିନରେ ଜଲ୍ଦି ଖାଇଥିବା ହେତୁ ମୋ ପେଟରେ ମୂଷା ଦୌଡୁଥାନ୍ତି | ଭାବିଲି କିଛି ଖାଇନେବି | କଣ କଲେ ଜଲ୍ଦି ସରିବ, ସେପରି ଖାଦ୍ୟର ଅନୁସନ୍ଧାନରେ ମିଳିଲା ନୁଡୁଲସ୍ | ଆଜି ଏହାକୁ ଖାଇ ଚାଲଇ ନେବା | ମଝିରେ ଆସି ବାଲକୋନୀ ଦେଖିଦେଇ ଗଲି କିନ୍ତୁ ଝିଅଟି ଭିତରକୁ ଚାଲି ଯାଇଥିଲା |
ମୁଁ ଝରକା ପାଖରେ ବସି ଖାଉଛି ମୋ ଫୋନ ରିଙ୍ଗ ହେଲା...... ଅଜଣା ନମ୍ବର ଥିଲା |
ମୁଁ କହିଲି ..... : ହେଲୋ |
ସେ ....... : କଣ କରୁଛ ? |
ମୁଁ ........ : କିଏ ?
ସେ.......... : ଚିହ୍ନି ପାରୁନା ? ମୁଁ ମଧୁ, ମଧୁସ୍ମିତା ମହାନ୍ତି |
ମୁଁ .......... : ହଁ, ହଁ ଜାଣି ପାରିଲି |
ସେ ......... : ବହୁତ ଦିନ ପରେ ତୁମ ନମ୍ବର ପାଇଲି ତ ଭାବିଲି କଥା ହୋଇଯାଏ | କିମିତି ଅଛ ?
ବାଲକୋନୀରେ ସେ ଝିଅଟି ପୂର୍ଵ ଭଳି ଠିଆ ହୋଇଥାଏ | ଏଥର କିନ୍ତୁ ଚୁଟି ଖୋଲା ନଥିଲା ଢିଲା କରି ବାନ୍ଧି ଥିଲା | ମୁଁ ମୋ ସ୍କୁଲ ସାଙ୍ଗ ମଧୁ ସହିତ କଥା ହେଉଛି ଏହା କିଛି ସମୟ ପାଇଁ ଭୁଲିଗଲି , ମୋ ଆଖ ପାଖ ଶୂନଶାନ ହୋଇଗଲା | କେବଳ ଦେଖା ଯାଉଥିଲା ସେ ବୋଲକୋନୀରେ ଠିଆ ହୋଇଥିବା ଝିଅ |
ମଧୁ...... : ହେଲୋ, ହେଲୋ...... ହେଲୋ |
ମୁଁ ...... : ହଁ ହଁ କୁହ? |
ମଧୁ...... : କିପରି ଅଛ? |
ମୁଁ........ : ବହୁତ ଭଲ ଅଛି |
ଏଥର ସେ ବାଲକୋନୀ ର ଝିଅଟି କାହା ସହ ଫୋନରେ କଥା ହେଲା | କେଜାଣି କାହିଁକି ମୋ ଭିତରେ କିଛି ହେଲା | ଝିଅଟି ତା ପ୍ରେମିକ ସହିତ କଥା ହେଉନିତ? ନାଇଁ ନାଇଁ ଘର ଲୋକ ହୋଇଥିବେ | ଏଭଳି ମିଶ୍ରିତ ଭାବନା ମୋ ମନକୁ ରାମ୍ପି ଚାଲିଥିଲା | ସେ ପଟରୁ ମୋ କାନରେ ବାଜିଲା....
ମଧୁ...... : ଵ୍ୟସ୍ତ ଅଛ ବୋଧେ |
ମୁଁ........ : ହଁ,..... ନାଇଁ...... କୁହ... ଶୁଣୁଛି |
ମଧୁ...... : ଏ ମୋ ନମ୍ବର, ଯଦି କଥା ହେବାକୁ ଇଛା ହୁଏ କଲ୍ କରିବ | ରହୁଛି |
କଲ୍ କାଟିବାର ଶବ୍ଦ ଶୁଭିଲା | ମଧୁ କଲ୍ କାଟିଦେଲା ପରେ ମତେ ଯେତିକି ଵ୍ୟସ୍ତ ଲାଗିଲା ନାହିଁ , ଅଧିକ ଵ୍ୟସ୍ତ ଲାଗୁଥିଲା ସେ ବାଲକୋନୀ ଝିଅର ଫୋନ ଧରି କଥା ହେବା |
ମଧୁ ମୋ ପିଲା ଦିନର ସ୍କୁଲ ସାଙ୍ଗ | ସାଙ୍ଗ ହୋଇ ଟିୟୁସନ୍ ଯାଉଥିଲୁ | ମଧୁ ଗାଉଁଲି ଝିଅଟେ | ହାତ ପାପୁଲି ଚକିରେ ଚକିଏ ଲେଖା ତେଲ ମୁଣ୍ଡରେ ମାରି ଦୁଇଟି ବେଣୀ ପଡ଼ିଥିବ | ମୁଁ ଜାଣିଥିଲି ତା ମନରେ ମୋ ପାଇଁ କିଛି ଥିଲା | କିନ୍ତୁ ସେ କେବେ ବ୍ୟକ୍ତ କରିପାରି ନଥିଲା | କି ମୁଁ କେବେ କିଛି ପଚାରି ନଥିଲି | ମଧୁ କଥା ଭାବି ସମୟ ନଷ୍ଟ କରିବା ଅପେକ୍ଷା, ବାଲକୋନୀ ଝିଅକୁ ଦେଖିବା ଶ୍ରେୟସ୍କର ଥିଲା ମୋ ପାଇଁ |
କିଛିସମୟ ପରେ ବାଲକୋନୀ ଝିଅଟି ଫୋନ ରଖିଲା | ଦୁଇ ହାତକୁ ଯୋଡି ମୁଣ୍ଡ ଉପରକୁ ନେଲା | ବୋଧେ ଦିନସାରା କାମରେ ଥକି ଯାଇଛି | ମୁଁ ଅତି ଆଗ୍ରହର ସହ ଚାହିଁ ରହିଥାଏ | ଥରେ ମୋ ଆଡକୁ ବୁଲିଯନ୍ତାକି, ମୁହଁଟା ଦେଖିଦେଲେ ଶାନ୍ତିରେ ନିଦ ଆସିଯାନ୍ତା | ସତେ ଯେପରି ମୋ କଥା ତା କାନରେ ପଡିଲା | ବୁଲି ଚାହିଁଲା ମୋ ଘର ଆଡକୁ......
ଆଲୋ...... ଆଲୋ...... ଏ... କଣ, ପୁଅ ପିଲାଟାଯେ |
ମୋ ଛାତି ଧଡ଼କି ହେଲା | ଲାଜରେ ମୁହଁ ଯେପରି ଜଳି ଗଲାଭଳି ଅନୁଭବ ହେଉଥାଏ | ଝରକାକୁ ଜୋର କରି ବନ୍ଦ କରି ଖଟ ଉପରେ ଶୋଇପଡିଲି | ଫୋନ ଟୁଁ.... ଟୁଁ ହେଲା | କିଛି ବାର୍ତ୍ତା ଆସିଛି ତା ସହ ଫୋଟୋଟେ | ଖୋଲିଲି ଫୋଟୋ ତଳେ ଲେଖା ଥିଲା, " ଚିନୀହିଁ ପାରିଲ ନା ଆଉ ଥରେ ପରିଚୟ ଦେବି " |
ହସିଦେଲି......ମଧୁର,.... ମଧୁର ବାର୍ତ୍ତା ଭଳି ଲାଗିଲା | ମନରେ ଉତ୍କଣ୍ଠା ଜାଗ୍ରତ ହେଉଥିଲା | ଫୋଟୋ ଟିକୁ ଭଲସେ ଦେଖିଲି ଶାଢୀରେ ମଧୁ ଦୁନିଆରେ ସବୁଠାରୁ ସୁନ୍ଦର ଝିଅ ଭଳି ଲାଗୁଥିଲା | ତା ହସ ମତେ ମତୁଆଲା କରୁଥିଲା | ତା କଥା କୁହା ଆଖି ଅନେକ କିଛି କହୁଥିଲା | ମୋ ମନ ଓ ହୃଦୟରେ ସେ ମୁହଁ ସାଇତି ଦେଲି ସବୁ ଦିନ ପାଇଁ |

