ବର୍ଷା ଓ କବି : ଏକ ପ୍ରେମ କାହାଣୀ
ବର୍ଷା ଓ କବି : ଏକ ପ୍ରେମ କାହାଣୀ


ଦୂର ପାହାଡ଼ରୁ ଓହ୍ଲାଇ ଆସୁଥିଲା ବର୍ଷା - ରିମ୍ ଝିମ୍,ରିମ୍ ଝିମ୍ ନାଚି ନାଚି । ନଈ,ନାଳ,ବିଲ,ବଣ,ହିଡ଼,ପଡ଼ିଆ - ସବୁକୁ ଡେଇଁ ଡେଇଁ ଚାଲି ଆସୁଥିଲା ସେ । ଦାଣ୍ଡରେ, ଦୁଆରେ, ଛାତରେ, ଛପର ଉପରେ, ବିଲରେ, ବଣରେ, ପଡ଼ିଆରେ - ସବୁଠି ନାଚୁଥିଲା ।
ସବୁବେଳେ ତା'ର ନାଚ ।
ସବୁବେଳେ ତା'ର ଗୀତ ।
ରିମ୍ ଝିମ୍, ରିମ୍ ଝିମ୍ । ଟିପ୍ ଟିପ୍, ଟିପ୍ ଟିପ୍ ।
ଝର ଝର ଝପର ଝପର ।
ଟପ୍ ଟପ୍ ଟପର ଟପର ।
ସେ ଆସିଲେ ବାଲି ଛତୁ ଫୁଟୁଥିଲା । ନଈ,ପୋଖରୀ ପୂରି ଉଠୁଥିଲା । ଘାସରେ ସାଧବବୋହୂ ଚାଲୁଥିଲେ । ବେଙ୍ଗ ବେଙ୍ଗୁଲୀ ରଡି ଛାଡୁଥିଲେ । କଦମ୍ବ, କାମିନୀ ମହକିତ କରି ଦେଉଥିଲେ ଧରାକୁ ।
କେତେବେଳେ ସକାଳେ ତ କେତେବେଳେ ଦ୍ବିପହରରେ । କେତେବେଳେ ସଞ୍ଜରେ ତ କେବେ ରାତି ଅଧରେ ସେ ଚାଲି ଆସୁଥିଲା । କାହା କଥା ଶୁଣୁ ନ ଥିଲା ସେ । କାହା ଆକଟ ମାନୁ ନ ଥିଲା । ତା'ନାଁ ଧରି ତାକୁ ଡାକିଲେ ବି ସେ ' ଓ ' କରୁ ନ ଥିଲା କି ଆସୁ ନ ଥିଲା । ସେ ଏମିତି ଆସୁଥିଲା ଯେତେବେଳେ ତା'ର ମନ ହେଉଥିଲା ।
ଗୋଟେ ଉଦଣ୍ଡୀ ଝିଅ ପରି ଥିଲା ସେ ।
ଗୋଟେ ଭାରି ମନୋଇ ଝିଅ ପରି ଥିଲା ସେ ।
ଭାରି ନିର୍ଭୀକ, ଭାରି ବେଫିକର ।
ଯେତେ ସବୁ ଉଛୁଳା କଥା ଭରି ରହିଥିଲା ତା' ସ୍ବରରେ । ସେ ଆସୁଥିଲା ତ, ତା' ନିଜ ଗୀତରେ, ତା' ନିଜ ସ୍ବରରେ ହଜି ଯାଉଥିଲା । ରିମ୍ ଝିମ୍ ବର୍ଷୁଥିଲା । ଖୋଲା ଝର୍କାରେ ବସି କବି ନିରବରେ ତାକୁ ବାରମ୍ବାର ଦେଖୁଥିଲେ । ତା'ର ସୌନ୍ଦର୍ଯ୍ୟରେ ବିମୋହିତ ହେଉଥିଲେ । କବିଙ୍କୁ ଭାରି ଭଲ ଲାଗୁଥିଲା ତା'ର ନାଚ,ଗୀତ । ଆହୁରି ଭଲ ଲାଗୁଥିଲା ଯେତେବେଳେ ତା'ର ଛାତି ଉପରୁ ଖସି ଯାଉଥିଲା ଓଢ଼ଣୀ,ଫିଟି ଯାଉଥିଲା ତା'ର କବରୀ । ତା'ର ଭିଜାଭିଜା ଛାତିର ଆକର୍ଷଣ, ଓଦାଓଦା କେଶର ବାସ୍ନା କବିଙ୍କୁ ପାଗଳ କରି ଦେଉଥିଲା । ସେଆଡୁ ଆଖି ଫେରାଇ ପାରୁ ନ ଥିଲେ ସେ । ଦେହରେ ଉତ୍ତେଜନା ଭରି ଯାଉଥିଲା । ବେଶ୍ ବେପରୁଆ ହୋଇ ପଡୁଥିଲେ କବି ।
ନା ପ୍ରେମକୁ ଡରୁଥିଲେ ନା ପ୍ରତାରଣାକୁ ।
ନା ଜୀବନକୁ ଡରୁଥିଲେ ନା ଯନ୍ତ୍ରଣାକୁ ।
: ମୁଁ ତୁମକୁ ଭଲପାଏ । ଦିନେ ଏଇ ଶଦ୍ଦ ମୁଠାକ ତା' ଉପରକୁ ଫିଙ୍ଗିଦେଲେ କବି ।
ଝର୍କାରେ କବି ।
ସାମ୍ନାରେ ବର୍ଷା ।
ଗୋଟେ ମିଠା ମିଠା ପ୍ରେମସିକ୍ତ ପରିବେଶ ।
ଟିକେ ମୁର୍କି ହସିଦେଲା ବର୍ଷା ।
ବାସ୍…. । ଗୋଟିଏ ପଲକରେ ସବୁ ଯେମିତି ଠିକ୍ ଠାକ୍ ହୋଇଗଲା ।
ଏଥର ଗୋଟେ ମୃଦୁ ଚୁମ୍ବନ ଫିଙ୍ଗିଦେଲେ କବି ।
ମୁର୍କି ହସି ଚୁମ୍ବନ ଫେରାଇଲା ବର୍ଷା ।
ଶିହରି ଉଠିଲେ କବି । ପୁଲକିତ, ଆତ୍ମବିଭୋର ହୋଇଗଲେ ।
: ମୁଁ ତୁମକୁ ଭଲପାଏ, ବର୍ଷା । ବହୁତ ଭଲପାଏ । ପୁଣି ମୁଠାଏ ଶଦ୍ଦ ଫିଙ୍ଗିଦେଲେ କବି ।
ମୁର୍କି ମୁର୍କି ହସିଲା ବର୍ଷା । କହିଲା - ମୁଁ ବି ତୁମକୁ ଭଲପାଏ, କବି । ବହୁତ ଭଲପାଏ । କବି ଏବେ ବଞ୍ଚୁଛନ୍ତି ଖାଲି ପ୍ରେମର ଜୀବନ ।
: ' ମୁଁ କବିର ପ୍ରେମିକା । ସବୁଠି ଏବେ କହି ବୁଲୁଛି ବର୍ଷା ।