ବ୍ରହ୍ମାସ୍ତ୍ର
ବ୍ରହ୍ମାସ୍ତ୍ର


ହେଇଟି ......... ଶୁଣୁଛ.......
ରୋଷେଇ ଘରୁ ଡାକ ପକେଇଲେ ମମତା। ହଁ ହଁ ଯାଉଛି କହି ଭିତରକୁ ପଶି ଆସିଲେ ସନାତନ ବାବୁ। ସ୍ୱାମୀଙ୍କ ହାତରେ ଲଞ୍ଚ ବକ୍ସଟା ଧରେଇ ଦେଇ ମମତା କହିଲେ ନିଅ ତୁମ ଲଞ୍ଚ ରେଡି। କିନ୍ତୁ ଆଜି ତୁମର ପ୍ରିୟ ବାଇଗଣ ଭର୍ତ୍ତାଟା କରିନି ମୁଁ। ଘରେ ବାଇଗଣ ନ ଥିଲା ତ ସେଥିପାଇଁ କରି ପାରିଲିନି। ଚଳେଇ ଦବ ଆଜି ଗୋଟେ ଦିନ। ହଉ କହି ଲଞ୍ଚ ବକ୍ସଟା ଧରି ଅଫିସ ବାହାରି ଗଲେ ସନାତନ ବାବୁ।
ସନାତନ ବାବୁଙ୍କର ବାଇଗଣ ଭର୍ତ୍ତାଟା ଭାରି ପ୍ରିୟ। ଲଞ୍ଚରେ ଯେମିତି ହେଲେ ଅତି ଯତ୍ନରେ ବାଇଗଣ ଭର୍ତ୍ତା ତିଆରି କରି ଦେଇଥାନ୍ତି ମମତା। ବାଇଗଣ ଭର୍ତ୍ତା ସହ ସନାତନ ବାବୁଙ୍କର ସମ୍ପର୍କଟା ଅଫିସରେ ବି ସମସ୍ତେ ଜାଣିଛନ୍ତି।
ସବୁଦିନ ଅଫିସରୁ ଫେରି ସନାତନ ବାବୁ ବସି ପଡନ୍ତି ଡ୍ରଇଂ ରୁମରେ । ଅପେକ୍ଷା କରନ୍ତି ଚା କପ୍ କୁ। ତା ପରେ ମମତା ଚା କପ୍ ଟିଏ ଧରେଇ ଦେଇ ପାଖରେ ବସି ପଡନ୍ତି ସରାଗରେ। ଆଉ ଦିନଯାକର ହାଲଚାଲ ପଚାରି ବୁଝନ୍ତି। ଅଫିସରେ ସନାତନ ବାବୁ ଦୁଇ ଜଣ ସହକର୍ମୀଙ୍କ ସହ ମିଶିକି ଲଞ୍ଚ କରନ୍ତି।ସମସ୍ତେ ମମତାଙ୍କ ହାତରନ୍ଧାର ବହୁତ ପ୍ରଶଂସା କରନ୍ତି। ସେତିକି ଶୁଣିବା ପାଇଁ ମମତା ଅପେକ୍ଷା କରି ରହିଥାନ୍ତି ସନ୍ଧ୍ୟା ପର୍ଯ୍ୟନ୍ତ। ଆଉ ସ୍ଵାମୀ ଘରକୁ ଆସିବା ମାତ୍ରେ ପାଖରେ ବସି ପଡ଼ି ଭଲମନ୍ଦ ପଚାରି ବୁଝନ୍ତି। ଭଲମନ୍ଦ ପଚାରିବାଟା ଖାଲି ଗୋଟେ ବାହାନା ମାତ୍ର, ମନ ଟା କିନ୍ତୁ ଥାଏ ପ୍ରଶଂସା ଶୁଣିବାରେ।ସନାତନ ବାବୁ ବି ମନ ଜାଣି ବହୁତ ପ୍ରଶଂସା କରନ୍ତି। ବେଳେବେଳେ ଟିକେ ଟିକେ ମିଛ ବି କହି ପକାନ୍ତି। ସେ ଜାଣିଛନ୍ତି ପତ୍ନୀଙ୍କୁ ଖୁସିରେ ରଖିବା ପାଇଁ ଏ ମିଛ ପ୍ରଶଂସାଟା ହେଉଛି ଏକ ବଢିଆ ଅସ୍ତ୍ର । ଅସ୍ତ୍ର ତ ନୁହେଁ ବ୍ରହ୍ମାସ୍ତ୍ର କହିଲେ ବି ଚଳିବ। ଅତି ଆନନ୍ଦରେ କାନ ଡେରି ପ୍ରଶଂସା ଗୁଡାକ ପିଇ ଯାଆନ୍ତି ମମତା ଆଉ ତା ପରେ ରୋଷେଇ ଘରକୁ ଯାଆନ୍ତି ରାତ୍ରିଭୋଜନ ତିଆରି କରିବା ପାଇଁ । ଏଇଟା ଗୋଟାଏ ନିତିଦିନିଆ ଘଟଣା।
ଆଜି କିନ୍ତୁ ସେଇ ଚିରାଚରିତ ଘଟଣାରେ ଟିକେ ବିଘ୍ନ ଘଟି ଯାଇଛି। ଅନ୍ୟମନସ୍କରେ କିଛି ଭୁଲ କହିଦେଇଛନ୍ତି ସନାତନ ବାବୁ। ଆଉ ଏଇ ଅନିଚ୍ଛାକୃତ ତ୍ରୁଟିକୁ କେମିତି ସୁଧାରିବେ ବାଟ ପାଉ ନାହାଁନ୍ତି ସିଏ।
ଅଫିସରୁ ଆସି ଡ୍ରଇଂରୁମରେ ବସି ପଡିଲେ ସନାତନ ବାବୁ। ସବୁଦିନ ପରି ମମତା ଆସି ଭଲମନ୍ଦ ପଚାରି ବୁଝିଲେ।କଥା ହଉହଉ ସନାତନ ବାବୁ କହି ପକାଇଲେ, ଜାଣିଲ ମମତା ଆଜି ପଣ୍ଡା ବାବୁଙ୍କ ସ୍ତ୍ରୀ ବଢିଆ ଜହ୍ନି ତରକାରୀ ବନେଇକି ଦେଇଥିଲେ ମ। ତାକୁ ଖାଇ ମୋତେ ମୋ ବୋଉ ହାତରନ୍ଧା ମନେ ପଡିଗଲା।ଏ କଥା ଶୁଣି ମମତାଙ୍କ ମୁହଁ ଟି ଶୁଖିଗଲାଣି କିନ୍ତୁ ସେଥିକୁ ଆଉ ନଜର ନାହିଁ ସନାତନ ବାବୁଙ୍କର। ସେ ପୁଣି ଆରମ୍ଭ କଲେ,ଆଜି ଦାସ ବାବୁଙ୍କ ସ୍ତ୍ରୀ ବି ବଢିଆ ବିରିୟାନି ବନେଇକି ଦେଇଥିଲେ। ଆଚ୍ଛା ତୁମେ ତ ତାଙ୍କ ସହ ଫୋନରେ ମଝିରେ ମଝିରେ କଥା ହଉଛ, ପଚାରିକି ବୁଝୁନ ସେ କେମିତି ବିରିୟାନିଟା ବନଉଛନ୍ତି। ମମତା ସେତେବେଳକୁ କ୍ରୋଧରେ ଜଳିଲେଣି ପୁରା। କିଛି କହି ପାରୁନାହାନ୍ତି ଆଉ।ସନାତନ ବାବୁ ପୁଣି ଆରମ୍ଭ କଲେ ଆଜି ତୁମ ବାଇଗଣ ଭର୍ତ୍ତାର ....... ବାସ୍ ଏତିକି କହିଛନ୍ତି ବିସ୍ଫୋରଣ ଘଟିଲା ମମତାଙ୍କ ଭିତରେ। ଆରମ୍ଭ ହୋଇଗଲା...." କାହିଁ ଗୋଟେ ବାଇଗଣ ବାଇଗଣ ହଉଛ ହୋ ସକାଳୁ। ସବୁଦିନ ବାଇଗଣ ଭର୍ତ୍ତା ଖାଇବ ବୋଲି କଣ କୋଉଠି ଲେଖା ହେଇଛି। ବାଇଗଣ କେଜି ଶହେ ଟଙ୍କା ଟପିଲାଣି ତୁମେ ନ ଖାଇଲେ କଣ ବେଦ ଅଶୁଦ୍ଧ ହେଇଯିବ। କାଲିଠାରୁ ପଣ୍ଡା ବାବୁଙ୍କ ସ୍ତ୍ରୀ କୁ କହିବ ତୁମକୁ ବାଇଗଣ ଭର୍ତ୍ତା କରିକି ଦବ। ଏତିକି ଶୁଣେଇଦେଇ ଦୁମ୍ ଦୁମ୍ ହୋଇ ରୋଷେଇ ଘରକୁ ଚାଲିଗଲେ ମମତା।
ତା ପରେ ହୋସ ଆସିଲା ସନାତନ ବାବୁଙ୍କର।ସେ କହି ଆସୁଥିଲେ ଯେ ଆଜି ତୁମ ବାଇଗଣ ଭର୍ତ୍ତାର କିଛି ଆବଶ୍ୟକ ପଡିଲାନି । ବିନା ବାଇଗଣ ଭର୍ତ୍ତାରେ ବି ଆଜି ବଢିଆ ମଧ୍ୟାହ୍ନ ଭୋଜନଟେ ହେଇଛି। କିନ୍ତୁ ଅଧା ବାକ୍ୟକୁ ଅଧାରେ ରଖି ଚୁପ ରହିଗଲେ ସନାତନ ବାବୁ। ମନେ ମନେ ଭାବିଲେ ଏବେ ଏ ପରିସ୍ଥିତିକୁ ସୁଧାରିବେ କେମିତି।କଣ କରିବେ ଭାବୁଛନ୍ତି ବସିକି ରୋଷେଇ ଘରୁ ଶୁଭିଲା ଦୁମ୍ ଦାମ୍ ଧଡ ଧାଡ଼ ବାସନକୁସନର ଶବ୍ଦ। କିଛି ସମୟ ପରେ ପୁଣି ଶୁଣାଗଲା ମମତାଙ୍କ ପାଟି,"ସକାଳୁ ମଣିଷ ମରିପଡି କେତେ ଯତ୍ନରେ ରାନ୍ଧି ବାଢି ଖାଇବାକୁ ଦଉଛି। ଆଉ ବାବୁ ଆମର ସନ୍ଧ୍ୟା ବେଳକୁ ଘରକୁ ଫେରି ପର ହାତରନ୍ଧାର ପ୍ରଶଂସା ଗାନ କରୁଛନ୍ତି। ମୋର ତ ଭାଗ୍ୟ ଖରାପ କହିବି କାହାକୁ। ମୋ ଭାଗ୍ୟରେ ତ ପ୍ରଶଂସା ନାହିଁ।"
ସନାତନ ବାବୁ ବିଚରା କିଂକର୍ତ୍ତବ୍ୟମୁଢ ହେଇ ବସିଛନ୍ତି। ମମତା ପୁଣି ଆଉଥରେ ବଡ ପାଟିରେ ସ୍ୱାମୀଙ୍କୁ ଶୁଭିଲା ପରି କହିଲେ, ବୁଝିଲ ମାଗି ଆଣିଲା ତିଅଣ ହାପୁଡ଼ାଏ। ଏମିତି ସବୁ ବାକ୍ୟବାଣୀ ମାନ ଶୁଣେଇ ଶୁଣେଇ ପର୍ସଟିଏ ହାତରେ ଧରି ଡ୍ରଇଂ ରୁମକୁ ଆସିଲେ ମମତା। ସନାତନ ବାବୁଙ୍କୁ କହିଲେ ମୁଁ ଯାଉଛି ମୋ ଭଉଣୀ ଘରକୁ। ଦୁଇ ତିନିଦିନ ରହିକି ଫେରିବି। ସକାଳର ତରକାରୀ ଅଛି ଗରମକରି ଖାଇଦବ। କାଲି ହାତରେ ରାନ୍ଧିକି ଅଫିସ ନେଇଯିବ। ଫୋନ କରି ଚିହ୍ନା ଅଟୋଵାଲାକୁ ଡାକି ଘରୁ ବାହାରି ଗଲେ ମମତା। କିଛି ମନେ ପଡିଗଲା ପରି ପୁଣି ଦୁଆରମୁହଁରୁ ଫେରିଆସି ସନାତନ ବାବୁଙ୍କୁ କହିଲେ କାଲି ଯଦି ହାତରେ ରାନ୍ଧି ନପାରିବ ତାହେଲେ ଦାସ ବାବୁଙ୍କ ସ୍ତ୍ରୀ ଙ୍କୁ ଫୋନ କରିଦିଅ। ସେ ତୁମପାଇଁ ବିରିୟାନି ପଠେଇଦେବେ।ତା ପରେ ମମତା ବାହାରି ଗଲେ ମାତ୍ର ଦୁଇ କିଲୋମିଟର ଦୂରରେ ରହୁଥିବା ନିଜ ଭଉଣୀ ଘରକୁ।
ସନାତନ ବାବୁ ଏକା ଏକା ବସି ଟିଭି ଦେଖିଲେ। ତା ପରେ ତରକାରୀ ଗରମ କରି ବ୍ରେଡ଼ ସହ ଖାଇ ଶୋଇବାକୁ ଗଲେ। ସେପଟେ ମମତାଙ୍କ ମନଟା ବି ଗୋଳେଇଘାଣ୍ଟି ହଉଛି।ରାଗରେ ତ ବାହାରି ଆସିଛନ୍ତି। ସ୍ଵାମୀ କଣ ଖାଇଲେ କେମିତି ଖାଇଲେ ଜାଣିବା ପାଇଁ ମନ ହଉଛି କିନ୍ତୁ ଫୋନ କରି ପାରୁନାହାନ୍ତି।
ଏପଟେ ସନାତନ ବାବୁ କଣ କରିବେ ଭାବିଭାବି ରାତି ପ୍ରାୟ ୧୧ ଟା ବେଳକୁ ଫୋନ କଲେ ମମତାଙ୍କ ପାଖକୁ। ସେପଟୁ ବିନା ଉପକ୍ରମରେ ଗମ୍ଭୀର ସ୍ୱରରେ ମମତା କହିଲେ, କଣ ହେଲା? ସନାତନ ବାବୁ ଉତ୍ତର ଦେଲେ ନା କିଛି ହେଇନି ଯେ ତୁମେ ମୋର କଥାଟା ଅଧା ଶୁଣିକି ରାଗିକି ପଳେଇଛ ତ ପୁରା କହିବା ପାଇଁ ଫୋନ କରିଛି। ମୁଁ ସେତେବେଳେ କହୁଥିଲି ଯେ ପଣ୍ଡାବାବୁଙ୍କ ସ୍ତ୍ରୀ ଆଜି ବଢିଆ ଜହ୍ନି ତରକାରୀ ଆଉ ଦାସବାବୁଙ୍କ ସ୍ତ୍ରୀ ବଢିଆ ବିରିୟାନି ବନେଇକି ଦେଇଥିଲେ। କିନ୍ତୁ ସମସ୍ତେ ଆଜି ଆମେ ତୁମ ବାଇଗଣ ଭର୍ତ୍ତାକୁ ଝୁରୁଥିଲୁ। କେହି ଶାନ୍ତିରେ ଖାଇନୁ ଆଜି। ଅଫିସରୁ ଫେରିଲା ବେଳେ ଦାସବାବୁ ମୋତେ କହିଲେ ,ବୁଝିଲ ସନାତନ ବାବୁ ମାଡାମଙ୍କୁ କହିବେ ଆଉ ଯାହା ଦିଅନ୍ତୁ ନଦିଅନ୍ତୁ ସବୁଦିନ ବାଇଗଣ ଭର୍ତ୍ତାଟା ନିହାତି ଭାବରେ ଦେବେ। ନହେଲେ ଖାଇବାରେ ମଜା ଆସୁନି। ଏକା ନିଃଶ୍ବାସରେ ଏତିକ କଞ୍ଚାମିଛ କହିଗଲେ ସନାତନ ବାବୁ ମମତାଙ୍କୁ।
ମମତାଙ୍କ କ୍ରୋଧାଗ୍ନି ଉପରେ ଯେମିତି ପାଣି ବାଲ୍ଟିଏ କିଏ ଢାଳିଦେଲା। କଣ କହିବେ ନ କହିବେ ହଉହଉ ସନାତନ ବାବୁ କହିଲେ ହଉ ମୁଁ ରହୁଛି। ଯାଉଛି ଶୋଇବି। ସକାଳୁ ଜଲଦି ଉଠି ପୁଣି ହାତରେ ରାନ୍ଧିବାର ଅଛି। ତୁମେ ଦୁଇ ତିନିଦିନ ରହି ଜଲଦି ପଳେଇ ଆସିବ।
ସକାଳୁ କଲିଂବେଲର ଶବ୍ଦରେ ନିଦ ଭାଙ୍ଗିଲା ସନାତନ ବାବୁଙ୍କର। ଘଣ୍ଟାକୁ ଚାହିଁ ଦେଖିଲେ ୬:୩୦ ବାଜିଛି। ଏତେ ସକାଳୁ କିଏ ହୋଇଥିବ ଭାବିଭାବି କବାଟ ଖୋଲିଲା ବେଳକୁ ଆଗରେ ମମତା। ଗୋଟାଏ ହାତରେ ପର୍ସ ଆଉ ଗୋଟାଏ ହାତରେ ଦୁଇତିନି କିଲୋ ବାଇଗଣ ପଲିଥିନରେ ଧରି ଠିଆ ହେଇଛନ୍ତି ସାମ୍ନାରେ। ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ସନାତନ ବାବୁ। ମମତା କହିଲେ ସକାଳୁ ସକାଳୁ ଭୁତ ଦେଖିଲା ପରି ଚାହିଁଛ କଣ। ଯାଅ ଅଫିସ ପାଇଁ ରେଡି ହୁଅ। ମୁଁ ଯାଉଛି ରୋଷେଇ କରିବି। ମୋତେ ପୁଣି ବାଇଗଣ ଭର୍ତ୍ତା ବନେଇବାର ଅଛି। ମମତା ପଶିଗଲେ ରୋଷେଇ ଘରକୁ। ବ୍ରହ୍ମାସ୍ତ୍ର ଠିକ ଜାଗାରେ ବାଜିଛି ଜାଣି ଆଶ୍ୱସ୍ତ ହେଲେ ସନାତନ ବାବୁ ଆଉ ନିଜ ହସକୁ ନିୟନ୍ତ୍ରଣ କରିବା ପାଇଁ ପଶିଗଲେ ବାଥରୁମରେ।