STORYMIRROR

Kulamani Sarangi

Classics

2  

Kulamani Sarangi

Classics

ବ୍ରହ୍ମାଦ୍ରି ବିହାରୀ ନୀଳମାଧବ-୨

ବ୍ରହ୍ମାଦ୍ରି ବିହାରୀ ନୀଳମାଧବ-୨

3 mins
3.4K


ମହାନଦୀକୁ 'ଉତ୍କଳଗଙ୍ଗା' ନାମରେ ନାମିତ କରିବାର ଯଥାର୍ଥତା ଅଛି।ଅମର କଣ୍ଟକରୁ ବାହାରି,ବହୁ ଦୀର୍ଘପଥ ଅତିକ୍ରମକରି ସିନ୍ଧୁରେ ବିଲୀନ ହେବା ଆଗରୁ ଉତ୍କଳ ଭୂଇଁ ଛୁଇଁ ଏହା ତିନୋଟି କାରଣରୁ ପବିତ୍ର ହୋଇଯାଇଛି ।ସୁବର୍ଣ୍ଣପୁର ତଟରେ ସୁବର୍ଣ୍ଣାକ୍ଷ ମହାଦେବଙ୍କର ପଦ ଧୌତକରି ପବିତ୍ର ହେବାପରେ କଣ୍ଟିଲୋ ଠାରେ ପରମ ପାବନ ନୀଳମାଧବକ୍ଷେତ୍ର ବ୍ରହ୍ମାଦ୍ରିରେ ମଥା ପାତି ପ୍ରଭୁ ନୀଳମାଧବଙ୍କୁ ପୂଜା କରିଛି ମହାନଦୀ।ତତ୍ପରେ ଜନନୀ ଭଟ୍ଟାରିକାଙ୍କର ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା କରିବାପରେ କଳକଳ ଛଳଛଳ ଚିତ୍ରୋତ୍ପଳା ପରମ ଆରାଧ୍ୟା,ଜଗଜ୍ନନନୀ ମାଆ ଚର୍ଚ୍ଚିକାଙ୍କ ପାଦ ସ୍ପର୍ଶକରି ସାଗରାଭିମୁଖୀ ହୋଇଛି।

ଗଙ୍ଗାର ତ୍ରିବେଣୀ ସଙ୍ଗମ ଭଳି ,ନୀଳମାଧବ କ୍ଷେତ୍ରରେ ମହାନଦୀ ସହିତ ସଙ୍ଗମ ହୋଇଛନ୍ତି ଆଉ ଦୁଇଟି ନଦୀ,କୁସୁମୀ ଏବଂ କୁମାରୀକା ।ପ୍ରଭୁ ନୀଳମାଧବଙ୍କର କନିଷ୍ଠ ପଦାଙ୍ଗୁଳିରୁ ପ୍ରବହମାନ ପବିତ୍ର ଗଙ୍ଗା ମହାନଦୀ ଜଳରେ ମିଶି ପବିତ୍ର କରିଦେଉଛି ନଦୀ ଘାଟକୁ।ମାଘମାସରେ ଭୌମ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ଯନ୍ତ ଏହି ପବିତ୍ର ନଦୀଘାଟରେ ବୁଡ ପକାଇ ପ୍ରଭୁ ବ୍ରହ୍ମାଦ୍ରିନାଥ ନୀଳମାଧବଙ୍କୁ ଦର୍ଶନ କରି ତନୁ ମନ ପବିତ୍ର କରନ୍ତି ଲକ୍ଷ ଲକ୍ଷ ଯାତ୍ରୀ।ସେହି ମାଘୋତ୍ସବ ସମୟରେ ଏକ ବିରାଟ ଯାତ୍ରାର ଆୟୋଜନ କରାଯାଏ ଏହିଠାରେ ।ସେ ଯାତ୍ରାରେ ବିରାଟ ଜନସମାଗମ ହୁଏ।

 ମନ୍ଦିର ଭିତରେ ଚତୁର୍ଭୁଜ ବିଷ୍ଣୁଙ୍କର, ଉପର ଦୁଇ ହାତରେ ଶଙ୍ଖଏବଂ ଚକ୍ର ସୁଶୋଭିତ।ତଳ ଦୁଇ ହାତ ଲମ୍ବିଯାଇଛି ଅଭୟାଶୀର୍ବାଦ ଛଳରେ ପାଦ ପାଖରେ ବସିଥିବା ପ୍ରିୟତମା ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କ ମଥା ଉପରକୁ।ନୀଳାଦ୍ରିରେ ଜଗନ୍ନାଥ ଙ୍କର ରତ୍ନ ସିଂହାସନ ପାଖରେ ଶ୍ରୀଦେବୀ ଏବଂ ଭୂଦେବୀ ଆସୀନ।ସେହିପରି ନୀଳମାଧବଙ୍କ ପାଖରେ ବିରାଜିତା ଲକ୍ଷ୍ମୀ ଓ ସରସ୍ୱତୀ। ମାଧବଙ୍କର ମଥା ଉପରେ ଅନନ୍ତନାଗ, ତାଙ୍କର ସମସ୍ତ ଫଣାକୁ ଛତ୍ର ଆକାରରେ ତୋଳି ଧରିଛନ୍ତି ।ଆଃ କି ଅନୁପମ ଦୃଶ୍ୟ ! 

ମନ୍ଦିର ବେଢାରେ ଠିଆହେଲେ ମହାନଦୀର ନୈସର୍ଗିକ ସୌନ୍ଦର୍ଯ୍ୟ ଆଗନ୍ତୁକକୁ ନେଇଯାଏ ସ୍ୱପ୍ନ ରାଜ୍ୟକୁ।ପାହାଡ,ପର୍ବତ ଗିରି ବନ ରାଜି ଭିତରଦେଇ ମହାନଦୀର ନୀଳବେଣୀ ଲମ୍ବିଯାଇଛି ଦୂରରୁ ଦୂରକୁ।ଚତୁର୍ଦ୍ଦିଗରେ ସୁଷମାର ମଧୁଚକ୍ର। ଶାନ୍ତ କାନ୍ତ କମନୀୟ ପରିବେଶ।ବାସ୍ତବିକ୍, ବିଶ୍ୱରେ କଣ ଏ ଛବି ସମ୍ଭବ !

ମନ୍ଦିର ବେଢାର ଦକ୍ଷିଣ ପାର୍ଶ୍ବରେ ଦେବଦେବ ମହାଦେବ 'ସିଦ୍ଧେଶ୍ୱର'ଙ୍କର ମନ୍ଦିର ଅବସ୍ଥିତ ।ଦେବାଧିଦେବଙ୍କର ଲିଙ୍ଗ ପାତାଳୀ ।ଯେତେ ଜଳଶାୟୀ କଲେ ମଧ୍ୟ ଟୋପଏ ପାଣି ରହେନାହିଁ।ସବୁ ଚାଲିଯାଏ ପାତାଳକୁ। ପାଦୁକ ପାଇବାପାଇଁ ମଧ୍ୟ ଟୋପାଏ ପାଣି ରହେନାହିଁ।ଏଭଳି ଆଶ୍ଚର୍ଯ୍ଯ ଘଟଣା ଅନ୍ୟ କୌଣସି ଶିବାଳୟରେ ପରିଦୃଷ୍ଟ ହୁଏନାହିଁ ।ମନ୍ଦିରର ପଶ୍ଚିମପଟରେ ଶ୍ରୀଶ୍ରୀ ହନୁମାନ 'ପଦ୍ମାଦ୍ରି'ରେ ବିରାଜିତ।କିମ୍ବଦନ୍ତୀ ଅନୁଯାୟୀ, 'ପଦ୍ମାଦ୍ରି' ଉପରୁ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ କପିରାଜ ସେହିସ୍ଥାନରେ,ବିଷ୍ଣୁଙ୍କ ଠାରୁ ଆଜ୍ଞା ନେଇ ଆସ୍ଥାନ ଜମେଇ ବସିଯାଇଛନ୍ତି।

ବ୍ରହ୍ମାଦ୍ରିନାଥ ନୀଳମାଧବଙ୍କର ମନ୍ଦିର ପରସର , ନୀଳାଦ୍ରି ବିହାରୀଙ୍କର ଶ୍ରୀମନ୍ଦିର ପରିସର ସହିତ ଅନେକ ସାମ୍ୟ ବହନ କରେ।

'କାଳିଆ ପଲ୍ଲୀ'କୁ ଗଲେ, ଜାଣିବା ଶୁଣିବା ଲୋକଙ୍କ ମୁହଁରୁ "କାଳିଆ ମାଧବ" ନାଁ'ଟି ଶୁଣିବାକୁ ମିଳେ।ଏହି 'କାଳିଆ ମାଧବ' ଅନ୍ୟ କେହି ନୁହନ୍ତି, ନିଜେ ସ୍ୱୟଂ ନୀଳ ମାଧବ।ଶବର ରାଜା ବିଶ୍ୱାବସୁ ନୀଳମାଧବଙ୍କୁ ସେହି ନାମରେ ଡାକୁଥିଲେ।ସେହି ନାମ ଅନୁସାରେ ଗ୍ରାମଟିର ନାମ "କାଳିଆ ପଲ୍ଲୀ" ରଖାଯାଇଥିଲା। ପ୍ରେମବିଦଗ୍ଧ ବ୍ରାହ୍ମଣ ଯୁବକ ବିଦ୍ୟାପତି ଏହି "କାଳିଆ ପଲ୍ଲୀ"ରେ କନ୍ଦର୍ପ ଶରାଘାତ ହୋଇ ଲଳିତାଙ୍କ କୋଳରେ ଅଭୟ ପ୍ରେମାଶ୍ରୟ ନେଇଥିଲେ ।

2003 ମସିହାରେ କଣ୍ଟିଲୋ ନିକଟସ୍ଥ "ଧାନ ଚାଙ୍ଗଡା" ଗ୍ରାମରୁ ଉଦ୍ଧୃତ ତାମ୍ର ଲିପିରୁ ନୀଳମାଧବ ମନ୍ଦିରର ନିର୍ମାଣ କାଳ ସମ୍ବନ୍ଧରେ ଅନେକ କଥା ଜଣାପଡେ। "ଓଡିଶା ରିଭ୍ୟୁ" ଜୁନ୍,2009 ସଂଖ୍ଯାରେ ,ସାକ୍ଷୀଗୋପାଳ ମହାବିଦ୍ଯାଳୟର ଅଧ୍ୟକ୍ଷା ଶ୍ରୀମତୀ ଗୀତାଦେବୀ ଏକ ଗବେଷଣା ମୂଳକ ପ୍ରବନ୍ଧରେ ଏକଥା ଉଲ୍ଲେଖ କରିଛନ୍ତି ।ଏହି ପ୍ରବନ୍ଧ ନୀଳମାଧବ ମନ୍ଦିରର ନିର୍ମାଣ କାଳ ,କଣ୍ଟିଲୋ ଗ୍ରାମର ନାମକରଣ ଏବଂ ନୀଳମାଧବ ପୀଠର ସାମାଜିକ ପରିସ୍ଥିତି ପ୍ରଭୃତି ବିଷୟ ଉପରେ ସ୍ପଷ୍ଟ ଆଲୋକପାତ କରେ।

କେତେକଙ୍କ ମତରେ କଣ୍ଟାପୂର୍ଣ୍ଣ ବଣ-ଜଙ୍ଗଲ ଘେରା ଅଂଚଳ ହୋଇଥିବାରୁ ନୀଳମାଧବ କ୍ଷେତ୍ରର ନାମ କଣ୍ଟିଲୋ ରଖାଯାଇଥିଲା।କିନ୍ତୁ, ଏହା ଅନୁମାନ ବ୍ୟତୀତ ଅନ୍ୟ କିଛି ନୁହେଁ ।ବାସ୍ତବରେ ଏ ସ୍ଥାନ ମହାନଦୀ କୂଳରେ ଅବସ୍ଥିତ ଥିବାରୁ ଏକ ଉନ୍ନତ ବାଣିଜ୍ୟ କେନ୍ଦ୍ର ଥିଲା।ମହାନଦୀରେ ନୌକାରେ ବୈଶ୍ୟ ଜାତିର ବ୍ୟାପାରୀମାନେ ଦଣ୍ଡି ବା କଣ୍ଟାରେ ପଣ୍ୟଦ୍ରବ୍ୟ ମାପି/ଓଜନ କରି ବଣିକ ମାନଙ୍କର ନୌକାପାଖରେ , ମହାନଦୀ କୂଳରେ ପଇଠ କରୁଥିଲେ।ଏହି 'କଣ୍ଟା' ନାମକ ମାପ/ଓଜନ ଯନ୍ତ୍ର ନାମରୁ କାଳକ୍ରମେ ଏହି ବାଣିଜ୍ୟକ୍ଷେତ୍ରର ନାମ କଣ୍ଟିଲୋରେ ପରିଣତ ହେଲା।

"ଧାନ ଚେଙ୍ଗେଡା" ଗ୍ରାମରୁ ପ୍ରାପ୍ତ ତାମ୍ରଲିପି,939 ଖ୍ରୀଷ୍ଟାବ୍ଦରେ ଭଂଜ ବଂଶର ରାଜା ଶତ୍ରୁ ଭଂଜଙ୍କ ଦ୍ୱାରା ପ୍ରଚଳିତ ହୋଇଥିଲା।ଏହାର ପ୍ରାପ୍ତିସ୍ଥାନ ,କଣ୍ଟିଲୋ ଓ କାଳିଆ ପଲ୍ଲୀ ଠାରୁ ଅନତି ଦୂରରେ ଅବସ୍ଥିତ।ଏଥିରୁ ଅନୁମେୟ ଯେ କଣ୍ଟିଲୋ ଭଞ୍ଜବଂଶ ଅଧୀନରେ ଶାସିତ ହେଉଥିଲା। ଶତ୍ରୁଭଂଜ ପରମ ବୈଷ୍ଣବ ଏବଂ ପରମ ଶୈବ ଥିଲେ।।ଶତ୍ରୁଭଂଜ,ଶୀଳଭଂଜଙ୍କର ପୁତ୍ର ଏବଂ ବିଦ୍ୟାଧର ଭଂଜଙ୍କର ପୌତ୍ର ଥିଲେ।ନିଜ ଦ୍ୱିତୀୟ ରାଜଧାନୀ ଗନ୍ଧାରାଡି ଠାରେ ଶତ୍ରୁଭଂଜ ଯେପରି ବିଷ୍ଣୁ ଏବଂ ସିଦ୍ଧେଶ୍ୱର ଶିବଙ୍କର ମନ୍ଦିର,ଗୋଟିଏ ପରିସର ଭିତରେ ନିର୍ମାଣ କରିଥିଲେ,କଣ୍ଟିଲୋ ନୀଳମାଧବ ମନ୍ଦିର ତାର ଅନୁରୂପ ଥିଲା।ତେଣୁ ଭଂଜ ବଂଶ ଦ୍ୱାରା ନୀଳମାଧବ ମନ୍ଦିର ଯେ ଦଶମ ଶତାବ୍ଦୀରେ ନିର୍ମିତ ହୋଇଥିଲା,ଏଥିରେ ସନ୍ଦେହ ନାହିଁ ।ବହୁ ବର୍ଷ ପର୍ଯ୍ଯନ୍ତ ଭଂଜ ରାଜବଂଶୀମାନେ ପ୍ରଭୁ ନୀଳମାଧବଙ୍କର ଭୋଗରାଗ ପାଇଁ ଖଞ୍ଜା ସ୍ଥିର କରିଥିଲେ ବୋଲି ମନ୍ଦିର ପ୍ରଶାସନଙ୍କଠାରୁ ସଂଗୃହିତ ତଥ୍ୟରୁ ଜଣାଯାଏ।ଗ

ଗନ୍ଧାରାଡିଠାରେ ଥିବା ବିଷ୍ଣୁମୂର୍ତ୍ତି ଏବଂ ବ୍ରହ୍ମାଦ୍ରିର ବିଷ୍ଣୁ ମୂର୍ତ୍ତି ଭିତରେ କିଛିଟା ପ୍ରଭେଦ ପରିଲକ୍ଷିତ ହୁଏ।ଗନ୍ଧାରାଡି ବିଷ୍ଣୁ ଚତୁର୍ଭୁଜରେ ଶଙ୍ଖ,ଚକ୍ର,ଗଦା,ପଦ୍ମ ଧାରଣ କରିଛନ୍ତି, ମାତ୍ର ବ୍ରହ୍ମାଦ୍ରିନାଥ ନୀଳମାଧବ ଉପର ଦୁଇ ହାତରେ ଶଙ୍ଖ ଚକ୍ର ଧାରଣକରି ତଳ ଦୁଇ ହାତକୁ ପ୍ରିୟତମା ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କ ମସ୍ତକ ଉପରେ ରଖିଛନ୍ତି ।ଏହି ପ୍ରଭେଦରୁ ଅନୁମେୟ ଯେ ମନ୍ଦିର ନୂତନ ଥିଲା କିନ୍ତୂ ମୂର୍ତ୍ତି ଥିଲେ ପୁରାତନ।ଅନୁମେୟ ଯେ ବିଶ୍ୱାବସୁଙ୍କ ଦ୍ୱାରା ବ୍ୟାଘ୍ରଗୁମ୍ଫାରେ ପୂଜିତ "କାଳିଆ ମାଧବ" ଭଂଜବଂଶୀ ରାଜାଙ୍କ ଦ୍ୱାରା ନିର୍ମିତ ନୂତନ ମନ୍ଦିରରେ ପୂଜିତ ହେଲେ।


Rate this content
Log in

Similar oriya story from Classics