Sriman Bapu

Drama Inspirational Others

4.3  

Sriman Bapu

Drama Inspirational Others

ବୋଉର ପ୍ରଥମ ମାତୃ ଦିବସ

ବୋଉର ପ୍ରଥମ ମାତୃ ଦିବସ

8 mins
551


 ଗାଁରେ ରୁହନ୍ତି ବୃଦ୍ଧ ବାପାମାଆ ବର୍ଷରେ ଥରେ ଅଧେ ପୁଅ ବୋହୂ, ନାତି ନାତୁଣୀ ଆସନ୍ତି ଆଠ ଦଶଦିନ ପାଇଁ । ଏଥର ଏହି ମହାମାରୀ କରୋନା ଆଉ ଲକ୍ ଡ଼ାଉନ୍ ଯୋଗୁଁ ଆସିପାରିବେନି । ଦୁଇଜଣ ଯାକ ତ ଗାଁର ଘରଦ୍ୱାର ଛାଡ଼ି ବାହାର ରାଜ୍ୟର ସହରରେ ରହୁଥିବା ପୁଅ ବୋହୂଙ୍କ ସହ ରହିପାରିବେନି । ଏଇମିତି ସବୁଦିନ ଫୋନରେ କଥା ହୁଅନ୍ତି , ପୁଣି Video calling ରେ ମୁହଁ ଦେଖାଦେଖି ହୋଇ ପୋଡ଼ା ମନରେ ଟିକେ ମଲମ ଲଗାନ୍ତି । 


ଗୋଟିଏ ଦିନ ସକାଳୁ ସକାଳୁ ବୋହୂର ଫୋନ୍ ଆସିଲା , ଫୋନ୍ ଉଠାଇ ସଦାବାବୁ ନମସ୍କାରଟିଏ ପାଇ ବୋହୂଙ୍କୁ ଭଲମନ୍ଦ ପଚାରି ସ୍ତ୍ରୀଙ୍କୁ ଫୋନ୍ ହସ୍ତାନ୍ତର କଲେ । Happy Mother's Day ବୋଉ ! ହସି ହସି ଅଭିନନ୍ଦନ ଜଣାଇଲେ ଶ୍ରଦ୍ଧା ,ତାଙ୍କ ସହ ସାତ ବର୍ଷର ନାତୁଣି ପିଙ୍କି ଆଉ ଖନେଇ ଖନେଇ କହୁଥିବା ତିନି ବର୍ଷର ନାତି ପିଙ୍କୁନ୍ ବି । ସେ ଦିନ ତାଙ୍କ ଖୁସି କହିଲେ ନ ସରେ ! ଦିନ ତମାମ ଖାଲି ପୁଅ ବୋହୁ ଆଉ ନାତିନାତୁଣୀଙ୍କ କଥା ଗପିଚାଲିଲେ ସ୍ୱାମୀଙ୍କ ଆଗରେ । ମନ ଭିତରକୁ ପଶି ଆସିଲା ପୁରୁଣା କଥାସବୁ ।


ଗୋଟିଏ ବୋଲି ପୁଅ ମ୍ୟାଟ୍ରିକ ପରେ ସହରକୁ ପାଠ ପଢ଼ିବାକୁ ଗଲା ଯେ ଆସି ଦୀର୍ଘ ଚବିଶ ବର୍ଷ ହେଲାଣି । ଘରକୁ କୁଣିଆ ଭଳି ବର୍ଷରେ ଆଠ ଦଶ ଦିନ ଆସିବ । ଘର ସଂସାର କଲା ପରେ ଘରକୁ ଆସିବା ଦିନକୁ ଦିନ କମି କମି ଯାଉଛି ,‌ ଆଗରୁ ଛୁଟି ଗୋଟିଏ ମିଳୁଥିଲେ ଦୌଡ଼ି ଆସୁଥିଲା ବୋଉକୁ ଦେଖିବା ପାଇଁ ।


ନାତିଟା ବହୁତ ଚଗଲା ହେଉଛି ,ଜଗିବାକୁ କେହି ନାହିଁ ପୁଣି ଘରର ଏତେ କାମ ସାହାଯ୍ୟ କରିବାକୁ ବି କେହି ନାହାନ୍ତି । ବୋହୂର ସବୁବେଳେ ସେଇ ସମାନ ଫରିଆଦ୍ , ସତ କଥା ବି ଏକା ଏକା ଦୁଇଟା ଛୋଟ ଛୁଆଙ୍କ ସହ ଘର କଥା ବୁଝିବା ଏତେ ସହଜ ନୁହେଁ । ଦୁଇ ମାସ ହେବ ଏହି ଲକ୍ ଡାଉନ୍ ପାଇଁ କାମବାଲୀର ଆସିବା ବି ବନ୍ଦ ।


ପିଙ୍କି ଆଉ ପିଙ୍କୁନ୍ ଜନ୍ମ ହେବା ପୂର୍ବରୁ ଆଉ ପରେ ମାସ ମାସ ରହି ସେ ବୋହୂ , ନାତୁଣୀ ଆଉ ନାତିଙ୍କ ସେବା ଯତ୍ନ କରିଛନ୍ତି । ମଝିରେ ମଝିରେ ସଦାନନ୍ଦ ଯାଇ ସ୍ତ୍ରୀଙ୍କୁ ଛାଡ଼ି ଆସନ୍ତି ତ କେବେ କେବେ ପୁଅ ଗୌଉରା ଆସି ମାଆକୁ ନେଇଯାଏ । ମାଆ ବି ପୁଅ ,ନାତି, ନାତୁଣୀ ଆଉ ଗୋଟିଏ ବୋଲି ସୁନାନାକୀ ବୋହୂର ମୁହଁ ଦେଖିବାକୁ ଝୁରି ହୁଅନ୍ତି । ମନ ଜମା ସମ୍ଭାଳି ହୁଏନି ମାସେ ଦୁଇ ମାସ ରହି ଯାଆନ୍ତି । ଦୁଇ ଦିନ ମା'ଙ୍କର ଖୁବ୍ ସେବା ହୁଏ ତା'ପରେ ସମସ୍ତଙ୍କ ସେବାରେ ଲାଗିଯାଆନ୍ତି ମାଆ । ସବୁ କଥାରେ ଯାଉଣୁ ଆସୁଣି ପୁଅ ଡ଼ାକନ୍ତି ବୋଉ ! ବୋହୂ ଡ଼ାକେ ବୋଉ ! ନାତୁଣୀ ଖୋଜେ ବୋଉକୁ ! ଆଉ ନାତିଟାର ବି ପ୍ରଥମ ଶବ୍ଦ ଥିଲା ବୋଉ ! ଏଇ ବୋଉ ଡ଼ାକରେ ହିଁ ତାଙ୍କ ଛାତି ଫାଟିପଡ଼େ । ସେ କିଛି ଖୋଜନ୍ତି ନାହିଁ, ଏତିକି ତାଙ୍କ ପାଇଁ ବହୁତ ! 


ପୁଅକୁ ଖାଇବାକୁ ଏଇଟା ଭଲଲାଗେ, ସେଇଟା ଭଲଲାଗେ ,ନାତୁଣୀର ଏଇଟା ପ୍ରିୟ ,ନାତିର ସେଇଟା ଭଲ , ବୋହୂର ସେଇଟା ପସନ୍ଦ । ସମସ୍ତଙ୍କ କଥା କଥା ବୁଝୁ ବୁଝୁ ୬୫ ବର୍ଷର ମାଆଙ୍କର ଦିନ କୁଆଡ଼େ ଫୁର୍ ହେଇଯାଏ । ଚିନ୍ତା କେବଳ ଗାଁରେ ଏକା ରହୁଥିବା ସ୍ୱାମୀଙ୍କର , ଯିଏ ନିଜ ହାତରେ ପାଣି ଗିଲାସେ ବି ଆଣି ପିଅନ୍ତି ନାହିଁ । ସେ ପୁଣି ଏ ବୟସରେ ନିଜ ହାତରେ ଦୁଇ ବେଳା ଫୁଟେଇ ଖାଆନ୍ତି । ତେଣୁ ପୁଅ ବୋହୂ ,ନାତି ନାତୁଣୀ ଯେତେ ଅଳିଅର୍ଦଳି କଲେବି ସେ ଅଧିକ ଦିନ ରହିପାରନ୍ତି ନାହିଁ । ବୋହୂ କିନ୍ତୁ ତାଙ୍କୁ ସ‌ହଜେ ଛାଡ଼ିବାକୁ ନାରାଜ୍ । ଶାଶୁ ଆସିଲେ ସେ ଟିକିଏ ଆରାମରେ ନିଃଶ୍ୱାସ ନିଅନ୍ତି । ଆରାମରେ WhatsApp ରେ ସାଙ୍ଗମାନଙ୍କ ସହ ଚାଟ୍ କରିପାରନ୍ତି , Facebook ରେ ସମୟ ଦେଇ ପାରନ୍ତି ଆଉ ଆରାମସେ ଘଣ୍ଟା ଘଣ୍ଟା ଫୋନରେ କଥା ହୋଇ ପାରନ୍ତି । 


ଆଗକୁ Mother's Day ଟା ଅଛି ତା' ପରେ କୁହ ବାପାଙ୍କୁ ଆସି ନେଇଯିବେ ବୋଉଙ୍କୁ । ଶ୍ରଦ୍ଧା ସ୍ୱାମୀକୁ , ଦିନ ଭର ନିଜର କାମ ଭାରର ଚାପ ଆଉ କଷ୍ଟ କେତେ ବଖାଣି ସାରିଲା ପରେ କହିଲେ । ବୋଉଙ୍କ ଦାୟିତ୍ଵ ବୁଝିବାଟା ଯେ ଏକ ଅତିରିକ୍ତ ବୋଝ ଏହି କଥାଟିକୁ ପରୋକ୍ଷ ଭାବେ ନାନା ଆଳ ଦେଖାଇ ଅଧିକ ଜୋର୍ ଦେଇ କହିଲେ । ଗୌରବଙ୍କୁ ସ୍ତ୍ରୀଙ୍କର ସବୁବେଳେ ଏମିତି ଦୁଇପଟିଆ ଆଉ ପରସ୍ପର ବିରୋଧୀ କଥାକୁ ବୁଝିବାକୁ ମୁସ୍କିଲ ହୁଏ । ତେଣୁ ସେ ଚିଡ଼ିଯାଇ କହିଲେ କ'ଣ କହିବାକୁ ଚାହୁଁଛ ପରିଷ୍କାର କହୁନ ?  ଏଆଡ଼େ ବୋଉକୁ ନେଇ ଏତେ ସିକାୟତ ପୁଣି ଆଉ କିଛି ଦିନ ବୋଉକୁ ରଖିବାକୁ ଇଚ୍ଛା । ବାପାଙ୍କୁ କୁହ ଆଠଦିନ ପରେ ଆସିବେ , ଶ୍ରଦ୍ଧା ମୁହଁକୁ ଛିଞ୍ଚାଡି ରାଗ ତମ ତମ ହୋଇ କିଚେନକୁ ଚାଲି ଗଲେ ଖାଇବା ବାଢ଼ିବା ପାଇଁ ।


ଗୌରବ ତାଙ୍କ ବୋଉ ବିରୁଦ୍ଧରେ ପଦେ ବି କଥା ବରଦାସ୍ତ କରିବେନି । ସେ ଭଲ ଭାବେ ଜାଣନ୍ତି ବୋଉଟା ସିଧା ସରଳ ଆଉ କଠିନ ପରିଶ୍ରମୀ ଲୋକଟା ଆଉ ତାଙ୍କ ସ୍ତ୍ରୀ ବିଲୁକୁଲ ଓଲଟା । କେବଳ ସେ ଥିଲା ସମୟରେ ଦେଖେଇ ହେବ ଯେ, ସେ ଶାଶୁଙ୍କ କେତେ ଯତ୍ନ ନେଉଛନ୍ତି । ଗୌରବ ଦିନ ତମାମ ଘରେ ନରହି ବି ସବୁ କଥା ଜାଣି ପାରନ୍ତି କି ବୋଉ କେତେ ସବୁ କାମ କରେ । ଝିଅ ଗୁଇନ୍ଦା ଭଳି ସବୁକଥା ତାଙ୍କୁ କହିଦିଏ । ସ୍ତ୍ରୀଙ୍କୁ ସେ ବାରମ୍ବାର ତାଗିଦ୍ କରନ୍ତି କି ବୋଉ ଡାଇବେଟିକ୍ ଆଉ ବ୍ଲଡ଼ପ୍ରେସର ରୋଗୀ , ତାଙ୍କର ଖାଇବା ପିଇବା ସବୁ ଠିକ୍ ସେ ଧ୍ୟାନ ନେବାକୁ । ସେ ଜାଣିଛନ୍ତି ବୋଉକୁ ଯେତେ ମନା କଲେ ବି ଜମା ମାନିବନି ଗୋଡ଼େଇ ତୋଡ଼େଇ ସବୁ କାମ କରିବ । 


ଦିନକର କଥା , ସେତେବେଳେ ପିଙ୍କୁନ୍ ଜନ୍ମ ହୋଇ ନଥାଏ । ପିଙ୍କି ତିନିବର୍ଷର ହେଇଥାଏ ,ଦେହ ଟିକେ ଉଷୁମ୍ ଲାଗିଲା । ଗୌରବଙ୍କର ଅଫିସରେ କାମଭାର ଅଧିକ ଥିଲା ତେଣୁ  ବୋଉକୁ ସାଙ୍ଗରେ ନେଇ ପାଖ କ୍ଲିନିକ୍ ରେ ଦେଖେଇ ନେବାକୁ ଆଉ ଯଦି କିଛି ଅସୁବିଧା ହୁଏ ତାଙ୍କୁ ଜଣେଇବାକୁ କହି ଅଫିସ୍ ପଳେଇଗଲେ । ରାଗ ପଶିଗଲା ଶ୍ରଦ୍ଧାଙ୍କର ! ଶାଶୁଙ୍କୁ ଟିଙ୍ଗି ଟିଙ୍ଗି ହୋଇ କହିଲେ ତୁମେ ଘରେ ଥାଅ , ମୁଁ ଡ଼ାକ୍ତରଖାନାରୁ ଆସୁଛି । ତୁମ ପୁଅଙ୍କୁ ତ ଖାଲି ମାଆ କଥା ଚିନ୍ତା , ଆଉ କେହି ତାଙ୍କୁ ଦେଖା ଯାଉନାହାନ୍ତି । ଶାଶୁ କିଛି କହିବା ପୂର୍ବରୁ ଛୁଆଟିକୁ ଧରି , ଭ୍ଯାନିଟ୍ ଗଳେଇ ଶ୍ରଦ୍ଧା ଚାଲିଗଲେ । ସେ ଭାବିଲେ ଆଜିକାଲି ଝିଅଙ୍କର ରଙ୍ଗଢଙ୍ଗ ଦେଖ ! ଗୁରୁଜନଙ୍କ ସହ କେମିତି ବ୍ୟବହାର କରିବା ତ ଜାଣନ୍ତି ନାହିଁ ପୁଣି, ଧୈର୍ଯ୍ୟ ବୋଲି ତିଳେ ନାହିଁ ।


ସକାଳେ ମାର୍କେଟ ଯାଇ ଗୋଉରା ମାଛ ଆଣିଥିଲେ , ବୋଉ ତାକୁ ଭାଜି ତରକାରୀ କଲେ , ଡ଼ାଲି ଟିକେ କଲେ ,ଭାତ ବସେଇଲେ । ବୋହୂଟା ରାଗିକି ଯାଇଛି ଯେ କିଛି ବି ମୁହଁରେ ଦେଇନି । ବୋହୂ  ଫେରିଲେ ଶାଶୁ ବୋହୂ ଦୁହେଁ ମିଶି ଖାଇବେ ଭାବି ଅପେକ୍ଷା କଲେ । ବାରଟା ବାଜିଲା , ଗୋଟେ ହେଲା ବୋହୂର ଦେଖାନାହିଁ ! ଛୁଆଟାର କ'ଣ ହେଲା ? ଏଇମିତି ନାନାଦି ଆଶଙ୍କାରେ ସେ ଚିନ୍ତିତ ହେଲେ । ଘରେ ଫୋନଟିଏ ଅଛି ସେଇଟିକୁ ଅନେଇ ବସିଛନ୍ତି । ତାଙ୍କୁ ନମ୍ବର ଖୋଜି ଡାଏଲ୍ କରିବା ଆସେନି , ଯେତେ ଶିଖେଇଲେ ସେ ହେଳା କରି ମନଦେଇ ନାହାନ୍ତି । ବୋହୂର ଫୋନ୍ ବି ନାହିଁ , ଅନେଇ ଅନେଇ ତିନିଟା ବାଜିଲା ସେ ଏକା କେମିତି ଖାଇ ଥାଆନ୍ତେ ? ପୁଅ ଗୋଉରାର ଫୋନ୍ ଆସିଲା ଭଲମନ୍ଦ ବୁଝିବା ପାଇଁ , ବୋଉ ଖାଇଲା କି ନାହିଁ ଜାଣିବା ପାଇଁ । ସ୍ତ୍ରୀ ତାଙ୍କୁ ଏ ବିଷୟରେ କିଛି ସୂଚନା ଦେଇ ନାହାନ୍ତି । ବୋଉ ପାଖରୁ ସବୁ କଥା ଶୁଣି ତାଙ୍କ ତଳିପା ରକ୍ତ ମୁଣ୍ଡକୁ ଉଠିଗଲା । ସ୍ତ୍ରୀଙ୍କୁ ଫୋନ୍ କରି ପ୍ରଥମେ ଝିଅ କଥା ପଚାରିଲେ , ତା' ପରେ କେଉଁଠି ଅଛ ପଚାରିଲେ ? ସ୍ତ୍ରୀ କହିଲେ ସାଙ୍ଗ ଘରେ । ଅଫିସରେ ଥିବାରୁ ନିଜ ରାଗକୁ ଅଳ୍ପକେ ନିୟନ୍ତ୍ରଣ କରି ଖାଲି ଏତିକି କହିଲେ , ଘରେ ତୁମ ସହ କଥାବାର୍ତ୍ତା ।


ପାଞ୍ଚଟା ବେଳେ ବୋହୂରାଣୀ ଘରକୁ ଫେରିଲେ , ରାଗ ତମ ତମ ହୋଇ । ପିଙ୍କି ମାଆ କୋଳରୁ ଓଲ୍ହେଇ ବୁଢୀମା ପାଖକୁ ବୋଉ ବୋଉ କହି ଦୌଡ଼ି ଯାଉଥିଲା , ଏତିକିବେଳେ ଶ୍ରଦ୍ଧା ଝିଅକୁ ଘୋଷାରି ଆଣି କହିଲେ ସବୁବେଳେ ଗୋଟିଏ ବୋଉ ବୋଉ କ'ଣ ? ସେ ତୋର କେଉଁ ବୋଉଲୋ ? ଏତିକି ଯଥେଷ୍ଟ ନଥିଲା , ରାମଚଣ୍ଡୀ ଭଳି ଜ୍ବରରେ ପିଡୀତ ଛୁଆଟିର ଗାଲରେ ,ପିଠିରେ ଚାପୁଡ଼ା ବିଧା କଷି ଦେଇଗଲେ । ନାତୁଣୀ ଉପରେ ଏ ଅତ୍ୟାଚାର ଦେଖି ବୁଢ଼ୀମା କେମିତି ସହି ପାରି ଥାଆନ୍ତେ ? ଦୌଡ଼ିଯାଇ ପିଙ୍କିକୁ ବୋହୂ ଠାରୁ ଛଡେଇ ଜାବୁଡ଼ି ଧରିଲେ । ପ୍ରଥମ ଥର ସେ ରାଗିକି କହିଲେ ତୁ ମାଆ ନା ଡାହାଣୀ ? ଛୁଆକୁ ଏମିତି କିଏ ମାରେ ? 


ବାସ୍ ଆଉ କିଏ ସମ୍ଭାଳେ ଶ୍ରଦ୍ଧାଙ୍କୁ ? ଉଗ୍ରଚଣ୍ଡୀ ରୂପ ଧାରଣ କଲେ ,କହିଲେ ତୁ ବୁଢ଼ୀ ମୋ ଘର ଭାଙ୍ଗିବାକୁ ଆସିଛୁ ? ପୁଅ ଆଗରେ ଭଲେଇ ହେଉଛୁ ? ଏବେ ତୁ ମୋ ଘରୁ ବାହାରେ ! ବାସ୍ , ଏତିକିରେ ତାଙ୍କ ଗୋଡ଼ ଝିମ୍ ଝିମ୍ କରି ପକାଇଲା , ମୁଣ୍ଡ ବୁଲେଇ ପକେଇଲା ,ସବୁ ଅନ୍ଧାର ଦେଖାଗଲା ! ବଡ଼ କଷ୍ଟରେ ସେ ଆସି ନିଜ ବିଛଣାରେ ଗଡ଼ି ପଡ଼ିଲେ । ନାତୁଣୀ ତାଙ୍କ ପାଖରେ ଚିରାଢି ଚିରାଢି କାନ୍ଦୁଥାଏ ,ତାଙ୍କର ଟିକିଏ ବି ଶକ୍ତି ନଥିଲା ଛୁଆଟା ମୁଣ୍ଡରେ ହାତ ବୁଲାଇ ଆଉଁସି ଦେବାକୁ । ଓଲଟା ଛୁଆଟା କେମିତି କେଜାଣି ବୁଢ଼ୀମାର ଅବସ୍ଥା ଦେଖି କାନ୍ଦ ବନ୍ଦ କରି ପାଖରେ ବସି ରହିଲା । ଶ୍ରଦ୍ଧା ତାଙ୍କ ରୁମରେ କବାଟ କିଳି ରହିଲେ ।


ଗୌରବଙ୍କ ଫେରୁ ଫେରୁ ସନ୍ଧ୍ୟା ସାତଟା ହେଲା , ଦେଖିଲେ ଘର ଦୁଆର ମେଲା । ପ୍ରଥମେ ମାଆଙ୍କ ପାଖକୁ ଗଲେ । ମାଆଙ୍କ ଅବସ୍ଥା ଦେଖି ଜାଣିଲେ ରକ୍ତଚାପ ଭୀଷଣ ବଡ଼ି ଯାଇଛି , ସେ କଥା କହିବାକୁ ଅସମର୍ଥ । ଝିଅ ତା'ର ନିଜ ଭାଷାରେ ବାପାଙ୍କୁ ସବୁକଥା କହିଗଲା । ଗୌରବଙ୍କ ଚପା ରାଗର ବିସ୍ଫୋରଣ ହେଲା , ସେ ଦୌଡ଼ିଗଲେ , କବାଟ ଏତେ ଜୋରରେ ବାଡ଼େଇଲେ ଯେମିତି ଭାଙ୍ଗିଦେବେ । ଶ୍ରଦ୍ଧା ଡ଼ରି ଡ଼ରି କବାଟ ଖୁଲିଲେ । ବାସ୍ , ତା' ପରେ ବର୍ଷଣ ହେବାକୁ ଲାଗିଲା ମାଡ଼ ! ଏପଟେ ଝିଅ ଏସବୁ ଦେଖି ଭେଁ ଭେଁ କରି କାନ୍ଦିବାକୁ ଲାଗିଲା ଆଉ ସେପଟେ ଶ୍ରଦ୍ଧା ମରିଗଲିଲୋ ମରିଗଲିଲୋ କରି ! ଗୌରବ ଘରୁ ବାହାରି ଛାତ ଉପରକୁ ପଳେଇ ଗଲେ । 


ବାହାଘରର ଚାରି ବର୍ଷ ହେବ, ଥରେ ବି ସ୍ତ୍ରୀ ଦେହରେ ଟିଙ୍କାଟିଏ ବି ଦେଇ ନଥିଲେ । ତାଙ୍କର ଯେତେବେଳେ ହୋସ୍ ଆସିଲା ଫେରିଯାଇ ଦେଖିଲେ ସ୍ତ୍ରୀ ବିଛଣାରେ ଶୋଇ କାନ୍ଦୁଛନ୍ତି । ଝିଅ କାନ୍ଦି କାନ୍ଦି ଘରର ଗୋଟିଏ କୋଣରେ ବସିଛି । ଝିଅକୁ କୋଳେଇ ଧରି ମାଆ ପାଖକୁ ଗଲେ , ରାଗରେ ଏକଦମ୍ ଭୁଲି ଯାଇଥିଲେ ମାଆଙ୍କ ଅବସ୍ଥା ସଂକଟାପନ୍ନ । ସେ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ କୁ ଫୋନ୍ କଲେ । ମାଆ ଆଉ ଝିଅକୁ ଧରି ହସ୍ପିଟାଲ ଗଲେ । ରାତିଟି ସେଠାରେ ରହିବାକୁ ପଡ଼ିବ ତେଣୁ ସାଙ୍ଗ ପ୍ରୀତମକୁ ବାଧ୍ୟ ହୋଇ ଫୋନ୍ କଲେ । ପ୍ରୀତମ ଆଉ ତାଙ୍କ ସ୍ତ୍ରୀ ଝରଣା ଅବିଳମ୍ବେ ଆସି ପହଞ୍ଚିଲେ । ଝିଅକୁ ନେଇ ତା ମାଆ ପାଖରେ ଛାଡ଼ି ଦେବାକୁ ସାଙ୍ଗକୁ କହିଲେ । ପର ଦିନ ରବିବାର ଥାଏ , ହସ୍ପିଟାଲରୁ ଡିସଚାର୍ଜ୍ ହୋଇ ମାଆ ପୁଅ ଫେରିଲା ବେଳକୁ ଦଶଟା ହେଲା । ସାଥିରେ ସାଙ୍ଗ ପ୍ରୀତମ ଥିଲେ ଆଉ ଏପଟେ ଝରଣା ଶ୍ରଦ୍ଧାଙ୍କ ସହ ଘରେ ।


ଶ୍ରଦ୍ଧା ନିଜ ଭୁଲ୍ ବୁଝିପାରିଥିଲେ , ସେ ପହଞ୍ଚିବା କ୍ଷଣି ଆସି ବୋଉଙ୍କର ପାଦ ଧରି ଛୋଟ ଛୁଆଟେ ପରି କଇଁ କଇଁ କରି କାନ୍ଦିଲେ । ପିଙ୍କି ମାଆର କାନ୍ଦ ଦେଖି କାନ୍ଦିବାକୁ ଲାଗିଲା । ବୋହୂକୁ ଶାଶୁ ମୋ ମାଆଲୋ କହି କୋଳେଇ ନେଲେ, ତାଙ୍କ ଆଖିରୁ ଝରଝର ହୋଇ ଲୁହ ବହିଆସୁଥାଏ । ଗୌରବ , ସାଙ୍ଗ ପ୍ରୀତମ ଆଉ ତାଙ୍କ ସ୍ତ୍ରୀ ଝରଣା ସମସ୍ତଙ୍କ ଆଖିରେ ଲୁହ । ସେଦିନର ଏ ପୁରୁଣା କଥା ମନେ ପଡ଼ିଗଲେ , ଏବେବି ବୁଢ଼ୀମାଆର ଆଖିରେ ଲୁହ ଜକେଇ ଆସେ ।


ତା' ପର ଦିନ ଶ୍ରଦ୍ଧା ସକାଳୁ ଜଳଦି ଉଠି ଘରର ସବୁ ବାସି କାମ ସାରିଲେ । ଶାଶୁଙ୍କୁ ଝିଅ ପରି ତାଗିଦ୍ କରି କହିଲେ ଆଜିଠୁ ତୁମର କିଛି କାମ କରିବା ଦରକାର ନାହିଁ , ମୁଁ ଅଛି ସବୁ ବୁଝିବି ।

ଶାଶୁ ହସିଦେଇ କହିଲେ ମୁଁ କ'ଣ ଛୋଟ ଛୁଆ ହେଇଛିକିଲୋ‌ , ମୋତେ ହଗେଇ ମୁତେଇବି ନେବୁ ? ହଁ , ହଁ ମୁଁ ସବୁ କରିବି । ମୋର ଆଜିଠୁ ଗୋଟିଏ ନୁହେଁ ଦୁଇଟି ଝିଅ । ଗୌରବ ସେଭିଂ ହେଉ ହେଉ ଏ କଥା ତାଙ୍କ କାନରେ ପଡ଼ିଲା । ଅଫିସ ଗଲାବେଳେ ମଉକା ଉଣ୍ଡି ସ୍ତ୍ରୀଙ୍କୁ ଭିଡ଼ି ଧରିଲେ ଆଉ ତାଙ୍କ ଉପରେ ହାତ ଉଠେଇ ଥିବାରୁ ପ୍ରଥମେ କ୍ଷମା ମାଗିଲେ । ଶ୍ରଦ୍ଧାଙ୍କୁ ଲାଗିଲା ତାଙ୍କ ସ୍ୱାମୀ ବି ଛୋଟ ପିଲାଟିଏ ,ତେଣୁ ତାକିଦ୍ କରି କହିଲେ ଆଜି ଅଫିସରୁ ଜଳଦି ଫେରିବ , ନହେଲେ ମୋ ରୂପ ଦେଖିବ ! ଗୌରବ ଆଜ୍ଞାଧୀନ ପିଲାଟି ପରି ହଁ ଭରିଲେ ।


ସେ ଦିନ ନିଜେ ଶ୍ରଦ୍ଧା ବଜାରକୁ ଯାଇ ଶାଶୁଙ୍କ ପାଇଁ ବାଛି ବାଛି ଗୋଟିଏ ଭଲ ଶାଢ଼ୀ କିଣି ପ୍ଯାକ୍ କରାଇଲେ । ଗୋଟିଏ ଭଲ କେକ୍ ବି ଆଣିଲେ । ଗୌରବ ନିଜ ପ୍ରତିଶ୍ରୁତି ମୁତାବକ ଜଳଦି ଅଫିସରୁ ଫେରି ଆସିଲେ । ସେ ସଂଧ୍ୟାରେ ଜୀବନର ପ୍ରଥମ ଥର ମାତୃ ଦିବସ ପୁଅ , ବୋହୂ ଆଉ ନାତୁଣୀ ସହ ସେ ପାଳିଲେ । କେକ୍ କାଟିବାକୁ ତାଙ୍କୁ ଲାଜ ଲାଗିଲା , ତାଙ୍କର ତାଙ୍କ ସ୍ୱାମୀଙ୍କ କଥା ମନେ ପଡ଼ିଲା । ଭାବିଲେ , ସେ ପାଖରେ ଥିଲେ ତାଙ୍କ ଭଳି କେତେ ଖୁସି ହୋଇଥାଆନ୍ତେ ! ଏହା ପୂର୍ବରୁ ସେ ମାତୃ ଦିବସ କ'ଣ ଜାଣି ନଥିଲେ । ଟି.ଭି ରେ ବହୁବାର ଅବଶ୍ୟ ଦେଖିଥିଲେ ହେଲେ ସେସବୁକୁ ସେ କେବେ ଗୁରୁତ୍ୱ ଦେଇ ନଥିଲେ । ସେ ସଂଧ୍ୟାରେ ଅଙ୍ଗେ ନିଭେଇଲେ ଯେ ଆଜିକା ପିଲାଙ୍କ ଦୃଷ୍ଟିରେ ମାତୃ ଦିବସ କ'ଣ ।


ଜଣେ ମାଆ ଛଡ଼ା ଏ କଥା ଆଉ କିଏ ବା ବୁଝିବ ? 

ମାଆ ପାଇଁ ମାତୃ ଦିବସଟି ଆରମ୍ଭ ହୁଏ ଯେବେ ସେ ପିଲାଟିକୁ ଗର୍ଭରେ ଧାରଣ କରେ ଆଉ ଶେଷ ହୁଏ ତା'ର ଶେଷ ନିଃଶ୍ୱାସରେ ...।


Rate this content
Log in

Similar oriya story from Drama