ବୋହୂ ବାପଘର
ବୋହୂ ବାପଘର
ହଁ ଏଇଟା ହିଁ ସତ୍ୟ।ଏଇ ମାତ୍ର ଦି ବର୍ଷ ହେଲା ଆସିଛି ବୋହୂ ହୋଇ ମିଲି।ଶାଶୁଘରେ ପାଦ ଦେଲା ପରେ ଆଉ ବାପ ଘରକୁ ଯିବା ସୁଯୋଗ ହୋଇନି।କେମିତି ବା ହୁଅନ୍ତା ?ତା ସ୍ବାମୀ ନିରୁ ତ ବିବାହ ପରଦିନ ଚାଲିଗଲା ଆମେରିକା ମିଲିକୁ ସାଙ୍ଗରେ ନେଇ।ଆଉ କଣ ଛୁଟି ମିଳିଲା ଯେ ମିଲି ଆସିଥାନ୍ତା ?
ଆରେ ନା ଏମିତି କିଛି କାରଣ ନାହିଁ ମ ବାହା ହେଲା ବେଳକୁ ମିଲିର ଶାଶୁ ଦେହ ଭଲ ନ ଥିଲା।ତେଣୁ ନିରୁ ଚାକିରି ଛାଡ଼ି ଆସି ନୂଆ ଦୋକାନ କରିଲା ଘର ପାଖରେ।ଆଉ ଚାକିରିଆ ବର ପାଇଥିବାରୁ ସମସ୍ତଙ୍କ ଆଗରେ ମୁଣ୍ଡ ଟେକି ଚାଲୁଥିବା ମିଲି ଏବେ ଦୋକାନୀର ସ୍ତ୍ରୀ ହୋଇ ଗାଁକୁ ଗଲେ କି ମୁହଁ ଦେଖେଇବ ସେଇୟା ଭାବି ବାପଘର ଗଲାନାହି।ତା ପରେ ଦୋକାନ ବନ୍ଦ କରି ଛୁଟିରେ ଯିବା କଣ ସମ୍ଭବ ଥିଲା କି? ଚାକିରି ହେଲେ ସିନା ଛୁଟି ମିଳନ୍ତା !ନିଜ ବ୍ୟବସାୟ କଣ ମଣିଷ ବନ୍ଦ କରି ବୁଲି ଯାଇପାରେ କି ?
ଚାହୁଁ ଚାହୁଁ ଦୁଇ ବର୍ଷ ବିତିଗଲାଣି।ଏ ଦୁଇ ବର୍ଷରେ ମିଲିର ଭାଇ ଭାଉଜ ତିନି ଥର ଆସିଲେଣି ତା ଘରକୁ।ମା ବାପା ତ ପିଲା ଦିନରୁ ଆରପାରିରେ।ଭାଇ ନିଜ କିରାଣୀ ଦୋକାନରୁ ଯାହା ଆଣେ ସେଇୟା ହିଁ ସେମାନଙ୍କର ସମ୍ବଳ।ଏଇ କାରଣରୁ ତ ନିରୂ ତା ପସନ୍ଦ ହେଇଥିଲା।କାରଣ ସେ ଚାକିରୀ କରିଥିଲା।ଆଉ ଏବେ ଦେଖ..ସେ ବି ଦୋକାନ ହିଁ କରିଦେଲା।
ସାଙ୍ଗମାନଙ୍କ ଆଗରେ ଆଉ ସାହି ପଡୋଶୀ ପାଖରେ କଣ ବା କହିବ ମିଲି ? ତେଣୁ ସେ ଗାଁ କୁ ଯିବା କଥା ହିଁ ମୁହଁରେ ଧରୁନି।କିଏ ପଚାରିଲେ ତା ଭାଇ ଭାଉଜ କହନ୍ତି ମିଲିର ଶାଶୁ ଏକୁଟିଆ ମଣିଷ ତ ତାକୁ ପାଖରୁ ଛାଡ଼ୁ ନାହାନ୍ତି !
ଅବଶ୍ୟ ଏକଥା ବି ମିଛ ନୁହେଁ କାରଣ ଶାଶୁ ମିଲିକୁ ବହୁତ ଭଲ ପାଆନ୍ତି।ତାକୁ ନ ଦେଖିଲେ ପାଗଳ ପରି ହୁଅନ୍ତି।ପିଲା ଦିନରୁ ମା ସ୍ନେହ ବଞ୍ଚିତା ମିଲି ମଧ୍ୟ ଶାଶୂଙ୍କ କୋଳରେ ସବୁ କିଛି ପାଇଯାଏ।ଆଉ ଘରେ ସବୁ କାମ ସରିଗଲା ପରେ ଦୁଇ ଜଣ ଖୁସି ଗପରେ ସମୟ ବିତେଇ ଦିଅନ୍ତି।ଏତେ ସୁଖ ଭିତରେ ବି ମିଲି ମନ ଟିକେ ଦୁଃଖୀ ହୋଇଯାଏ ଯେତେବେଳେ ସେ ଅନ୍ୟ ଝିଅ ମାନଙ୍କୁ ବାପଘର ଯିବା ଆସିବା କରିବା ଦେଖେ।ସେ ଖୁସି କଣ ତା ଭାଗ୍ୟରେ ଅସିବନି ?
ବେଳୁବେଳ ସେ ନିଋ ଉପରେ ରାଗିଯାଏ।କଣ ଦରକାର ଥିଲା ଚାକିରି ଛାଡ଼ିବା? ମିଲି ତ ଥିଲା ନା ଏଇଠି ଶାଶୁ ପାଖରେ ସେ ବରଂ ନିଜ କାମରେ ମନ ଦିଅନ୍ତା ଅବଶ୍ୟ ଏ ଘଟଣାରେ ନିରୂ ,ତା ମା କି ଆଉ କିଏ ବି ଦୁଃଖୀ ନୁହନ୍ତି।କାରଣ ଦୋକାନ କରିବା ଦ୍ଵାରା ନୀଋ ନିଜ ପରିଶ୍ରମ ଅନୁପାତରେ ରୋଜଗାର କରିପାରେ।ଘରକୁ ସମୟ ଦେଇପାରେ।ତାକୁ ବହୁତ ଖୁସି ଲାଗେ।ହେଲେ ମିଲି ?
ଭାଉଜ ଶିଡିରୁ ପଡି ଯିବା ଖବର ପାଇ ମନ ଘାଣ୍ଟି ଗୋଳେଇ ହେଉଛି।କଣ କରିବ ମିଲି ? ଗାଁକୁ ଯିବ ? ହେଲେ ନିରୁର ଦୋକାନ କଥା କେମିତି ଲୁଚେଇବ ଆଉ ସେ ନ କହିଲେ ବି ତା ସ୍ବାମୀ କି ଶାଶୁ କଣ ଚୁପ୍ ରହିବେ ? ସେ ଏକଥା ତ ଏଇଠି କାହାକୁ କହିନି ଯେ ସେ କାହିଁକି ଗାଁ କୁ କାହିଁକି ଯାଉନି ?
ନା ଆଉ ଉପାୟ ନାହିଁ।ମନଟା ଆଉ ବୋଲ ମାନୁନି।ଅଗତ୍ୟା ମିଲି ନିଜ ଶାଶୁ ଙ୍କୁ ସାଙ୍ଗରେ ନେଇ ବାପଘର ବାହାରିଲା।ବୁଢ଼ୀ ବୟସରେ ତାଙ୍କୁ କେଉଁଠି ବା ଛାଡ଼ନ୍ତା?କିନ୍ତ୍ ଗଲା ବେଳେ ହାତ ଯୋଡ଼ି ମିନତି କଲା ନିରୁଙ୍କ ଦୋକାନ କଥା କାହା ଆଗରେ ନ କହିବାକୁ।କାରଣ ମଧ୍ୟ କହିଲା।ଆଉ ସେ ମଧ୍ୟ ସବୁ ବୁଝିଗଲେ
ନିରୁ ସେମାନଙ୍କୁ ଛାଡ଼ି ଦେଇ ସଙ୍ଗେ ସଙ୍ଗେ ଫେରି ଆସିଲା।ମାସେ ପରେ ଯାଇ ଆଣିବାକୁ କଥା ଦେଇ..ମିଲି ଭାଉଜଙ୍କ ଗୋଡ଼ ଭାଙ୍ଗି ଯାଇଥାଏ।ମିଲି ପହଞ୍ଚିଯିବା ପରେ ସେ ଯେମିତି ଜୀବନ ପାଇଗଲେ।ଦିନ ରାତି ପର ଲାଗିଲା ପରି ଉଡି ଯାଉଥାଏ।ମିଲିର ଶାଶୁ ପ୍ରାୟ ଘରେ ରୁହନ୍ତି।ଏତେ ଦିନ ପରେ ଘରକୁ ଆସିଥିବାରୁ କିନ୍ତୁ ମିଲି ଘରକାମ ସାରି ସାଙ୍ଗମାନଙ୍କ ସହ ଗପସପ ରେ ଲାଗିଯାଏ।ସତର୍କ ଥାଏ।ଯେମିତି ସ୍ଵାମୀଙ୍କ ଦୋକାନ କଥା ପାଟିରୁ ଖସି ଯିବନି..ମିଲି ସାଙ୍ଗ ମାନେ ମଧ୍ୟ ତାକୁ ଭାରି ଆଦର ଦୃଷ୍ଟିରେ ଦେଖୁଥିଲେ।
ମିଲିର ଯିବା ସମୟ ଶେଷରେ ପାଖେଇ ଆସିଲା।ଭାଉଜ ମଧ୍ୟ ଚଲା ବୁଲା ଆରମ୍ଭ କରି ସାରିଥିଲେ।ଠିକ୍ ସମୟରେ ନିରୁ ଆସି ପହଁଚିଗଲା।ସାହି ପଡୋଶୀ ମିଲି କୁ ଦେଖା କରିବାକୁ ଆସି ଥାଆନ୍ତି।ଗାଡ଼ିରେ ଜିନିଷ ରଖା ହୋଇଗଲା। ନିରୁ ଆଉ ଶାଶୁ ବାହାରକୁ ବାହାରିବା ପରେ ମିଲି ଭାଉଜଙ୍କୁ କୁଣ୍ଡେଇ ଧରି ଯିବାକୁ ବାହାରିଲା।ଗାଆଁ ଦାଣ୍ଡରେ ସମସ୍ତେ ମିଲି କୁ ବିଦାୟ ଦେବାକୁ ଆସିଯାଇଥିଲେ।ମିଲି ସମସ୍ତଙ୍କ ଗେହ୍ଲି ଝିଅ ପରି ଥିଲା।କେଜାଣି ବିଚାରି ପୁଣି କେବେ ବାପଘର ଆସିବ ?
ଭାଉଜ ପଚାରିଲେ"ମିଲି ପୁଣି କେବେ ଆସିବ କୁହ ତ !"
"ଦୋକାନ କଥା ତ ଜାଣିଛ ଭାଉଜ।ବେପାର ବନ୍ଦ କରି ଆସିବା କଷ୍ଟ।ଇୟେ କଣ ଚାକିରି ହେଇଛି କି ଦରକାର ହେଲେ ଛୁଟି ମିଳିଯିବ ?"
ଅଭିମାନ କୋହ ଆଉ ଆବେଗରେ କଥାଟି ସିନା କହିଦେଲା ହେଲେ ଚାରିଆଡକୁ ଚାହିଁ ଦେଇ ଫେଁ କିନା ହସି ଉଠିଲା ।
