STORYMIRROR

Sachidananda Kar

Romance

4  

Sachidananda Kar

Romance

ବଞ୍ଚିରହୁ ଏ ପ୍ରେମର ପୃଥିବୀ

ବଞ୍ଚିରହୁ ଏ ପ୍ରେମର ପୃଥିବୀ

2 mins
254


  ମୋତେ କେହିଜଣେ ପ୍ରେମ କଲେନାହିଁ। 


       କାହିଁକି କଲେନାହିଁ ବୋଲି ପଚାରିଲେ ମୁଁ ତା'ର ଉତ୍ତର କ'ଣ ଦେବି?ଦେଇ ପାରିବିନି। 


       ପ୍ରେମ କ'ଣ ଜାଣିବା ଦିନଠୁଁ ମୁଁ ପ୍ରେମିକ।ମୁଁ ପ୍ରେମ ଦେବାକୁ ଯେମିତି, ନେବାକୁ ମଧ୍ୟ ସେମିତି।ହେଲେ ମୋତେ କେହି ପ୍ରେମ ଦେଲେ ଇ ତ ମୁଁ ନେବି ଆଉ ଦେବି! 


       ପ୍ରେମକୁ ମୋର ସବୁବେଳେ ଅପେକ୍ଷା ଥାଏ।ହେଲେ କେହିଜଣେ ମୋ ପାଖକୁ ଆସନ୍ତି ନାହିଁ।ଆସିବା ତ ଦୂରର କଥା,ମୋତେ ଦେଖି କେହି ବି ହସିଦିଅନ୍ତି ନାହିଁ ଟିକେ।ମୁଁ ଜାଣିପାରେ ସେମାନେ ମୋତେ ପ୍ରେମ କରନ୍ତି ନାହିଁ। 


       ଫୁଲର ବାସ୍ନାରେ ଭିଜି ପବନ ମୋ ପାଖକୁ ଆସେ।ପକ୍ଷୀମାନେ ମୋତେ ଦେଖି ମଧୁର ଗୀତ ଗାଆନ୍ତି।ମୋତେ ଖୁସି କରିବାକୁ ଗଛରେ ନୂଆ ପତ୍ର କଅଁଳିଯାଏ।ଲତା ଲଟେଇଯାଏ।ମୋ ମନଟା ପ୍ରେମ ସରସର ହୁଏ।ପ୍ରେମ ବାଣ୍ଟିବାକୁ ମୁଁ ଇଚ୍ଛା କରେ।ହେଲେ ସେପରି କରି ପାରେନାହିଁ।କେହିଜଣେ ମୋ ପାଖରେ ନ ଥାଏ ସେତେବେଳେ। ମୁଁ ଯେମିତି ସେମିତି ଥାଏ ଦୁଃଖରେ, ଦୁର୍ଦ୍ଦିନରେ। 


       ମୁଁ ପ୍ରେମକଲାବାଲା।ହେଲେ କାହାକୁ ପ୍ରେମ କରିବି?ଉପରେ ପଡ଼ି ପ୍ରେମ କରି ପାରେନାହିଁ।ଜାଣେ ଉପରେପଡ଼ା ପ୍ରେମର ଆୟୁଷ ନ ଥାଏ।ଏକତରଫା ପ୍ରେମ ସଂପୂର୍ଣ୍ଣ ଅନୁଚିତ।କେହି ଜଣେ ମୋତେ ଭଲପାଇବାର ନଜରରେ ଚାହୁଁନାହାନ୍ତି ଯେତେବେଳେ...।ମୁଁ ନିରାଶ ହୁଏ।ଗୋଟେ ନିଃସଙ୍ଗ ଜୀବନ ଅତିବାହିତ କରେ। 


       ପ୍ରେମ ବିନା ରୁଚେ କି ଜୀବନ? 


       ପ୍ରେମ ବିନା ଓଠରେ କିଏ ଆଉ ହସ ଫୁଟାଏ ଯେ? 


       ତେଣୁ ପ୍ରେମ ପାଇଁ ମୁଁ ସବୁବେଳେ ଜଣକୁ ଖୋଜୁଥିଲି।କହିବାକୁ ଲାଜ, ମନେମନେ ଗୋଟେ ସୁନ୍ଦରୀ ଝିଅର ନକ୍ସା ଆଙ୍କୁଥିଲି।ସ୍ବପ୍ନ ଦେଖୁଥିଲି। 


       - ' ମୋତେ ବିଶ୍ୱାସ କର।ମୁଁ ତୁମର ସମସ୍ତ ଇଚ୍ଛା ପୂରଣ କରିବି।ତୁମ ପାଖେ ପାଖେ ତୁମର ଛାଇ ପରି ରହିବି।ତୁମ ପାଇଁ ସବୁ ସକାଳକୁ ସୁନାର ସକାଳ କରିବି।ତୁମେ ଜହ୍ନ ହୋଇ ସବୁବେଳେ ମୋ ଛାତି ତଳେ ରହିବ।ତୁମ ମୁହଁ ଜହ୍ନିଫୁଲିଆ।ତୁମ ହସ କୃଷ୍ଣଚୂଡ଼ା।ତୁମ ଆଖି ଅପରାଜିତା।ତୁମେ ମୋ ପାଇଁ ଗୋଟେ କୁଆଁରୀ କଦମ୍ବ ଫୁଲ। ' 


       ମୋର ଯିଏ ପ୍ରେମିକା ହେବ ଖୁସିଖୁସିରେ ପ୍ରେମପ୍ରେମରେ ତାକୁ ଏତିକି କହିଦେବାକୁ ମନେମନେ ଭାବୁଥିଲି।ହେଲେ ସେମିତି ହେଉ ନ ଥିଲା। 


       ଏମିତି ଏମିତିରେ ମୋର ଯୌବନ ଚାଲିଗଲା।ହଜିଗଲା ମୋର ପ୍ରେମ କରିବାର ବୟସ।ମୋର ବାର୍ଦ୍ଧକ୍ୟ ଆରମ୍ଭ ହୋଇଗଲା।ହେଲେ ମୋ ଅପେକ୍ଷାର ଅନ୍ତ ଘଟୁ ନ ଥିଲା।ଅପେକ୍ଷା କଲେ କ'ଣ ହେବ,କେହିଜଣେ ବି ମୋତେ ପ୍ରେମ କଲେନାହିଁ।ମୋର ପ୍ରେମିକା ହେଲେନାହିଁ। 


       ସାହସ,ଧୈର୍ଯ୍ୟ, ନିଷ୍ଠା ହରାଇବାକୁ ଚାହିଁଲେ ତ ହରାଇ ଦେଇହେବ।ହେଲେ ମୁଁ ହରାଇ ଦେଲିନାହିଁ।ଏତେ ପରେ ବି ଟିକିଏ ପ୍ରେମ ପାଇଁ, ମୁଠାଏ ସ୍ବପ୍ନ ପାଇଁ ମୁଁ ସେସବୁକୁ ସାଇତି ରଖିଲି।ବୋଧହୁଏ ବାର୍ଦ୍ଧକ୍ୟରେ ପ୍ରେମ ହେବାକୁ ମୋ ଭାଗ୍ୟରେ ଲେଖାଅଛି, ଏମିତି ଭାବିଲି। 


       ପ୍ରେମ ପାଇଁ ବୟସର ସୀମା ଥାଏ କ'ଣ?ପ୍ରେମ କ'ଣ କେବେ ହାରିଯାଏ?ଏତିକି ବିଶ୍ୱାସ ମୋ ମନରେ ଥିଲା ଓ ଏଇ ବିଶ୍ୱାସ ଟିକକ ପାଇଁ ମୁଁ ବାର୍ଦ୍ଧକ୍ୟରେ ବି ପ୍ରେମ ପାଇଁ ନିଜକୁ ପ୍ରସ୍ତୁତ କରି ରଖିଲି। 


       ହୃଦୟକୁ ପଢ଼ିବା ଓ ବୁଝିବା ଯଦି ପ୍ରେମ,ତେବେ ସେ ଯୋଗ୍ୟତା ମୋର ଅଛି ବୋଲି ମୁଁ ଦୃଢ଼ ଭାବରେ କହିପାରିବି।ପ୍ରେମ ଯଦି ଏକ ଅନୁଭବ, ତେବେ ତାକୁ ଅନୁଭବିବା ପାଇଁ ମନଟିଏ ମୋ ପାଖରେ ଅଛି ବୋଲି ତା'ର ପ୍ରମାଣ ମଧ୍ୟ ଦେଇପାରିବି।ମୋର ବିଶ୍ୱାସ ମୋତେ ପ୍ରେମ କରିବାକୁ ଏଠି କେହିଜଣେ ମୋ ପାଇଁ ଅଛି।ଆଜି ନ ହେଲେ କାଲି ସେ ମୋ ପାଖକୁ ଆସିବ।ମୋତେ ପ୍ରେମ କରିବ।ତେଣୁ ମୁଁ ଅପେକ୍ଷାରେ ଅଛି।ନିଜକୁ ପ୍ରସ୍ତୁତ କରି ରଖିଛି। 


       ମୁଁ ପ୍ରେମକଲାବାଲା।କେହିଜଣେ ଆଗେଇ ଆସି ମୋ ପାଇଁ ହୃଦୟକୁ ଖୋଲିଦିଅନ୍ତା ହେଲେ!ଯାଚି ଦିଅନ୍ତା ତା'ର ପ୍ରେମ।ଦେଖନ୍ତା ମୁଁ ନେଇପାରୁଛି କି ନାହିଁ ତା'ର ପ୍ରେମ!ତାକୁ ପ୍ରେମ ଦେଇପାରୁଛି କି ନାହିଁ ମଧ୍ୟ ଦେଖନ୍ତା! 


       ପ୍ରେମ ସବୁବେଳେ ମଧୁର।ସେଇ ମଧୁର ପ୍ରେମର ଦିଆନିଆର ଅପେକ୍ଷାରେ ଏବେ ମୁଁ।ସେମିତି ହେଉ।ଥରେ ହେଉ ନା!ମଧୁର ପ୍ରେମର ଦିଆନିଆରେ ମଧୁମୟ ହେଉ ଏ ଜୀବନ।ଘୁଞ୍ଚୁ ଏ ଜୀବନରୁ ଦୁଃଖ ଓ ଦୁର୍ଦ୍ଦିନ।ବଞ୍ଚିରହୁ ଏ ପ୍ରେମର ପୃଥିବୀ।


Rate this content
Log in

Similar oriya story from Romance