The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

puspanjali das

Classics

2  

puspanjali das

Classics

ବନ୍ଧୁତା

ବନ୍ଧୁତା

5 mins
313


      ସେଦିନ ପ୍ରତୀତି (ଡାକ ନାମ ତିତି)ଗାଡ଼ିରେ ବସି ରିଧିମା ସାଙ୍ଗରେ ଗପି ଚାଲିଥିଲା। ଯଦିଓ ନିଶ୍ଚିତ ଜାଗାରେ ପହଞ୍ଚିବାକୁ ସେମାନଙ୍କୁ ବେଶି ସମୟ ଲାଗିବନି ଜାଣି ଥିଲା,ତଥାପି ସେଇ କେତୋଟି ମୁହୂର୍ତ୍ତ କୁ ଯେମିତି ସାଇତି ରଖିବା କୁ ପ୍ରାଣପଣେ ଚେଷ୍ଟା କରୁଥିଲା। ପିଲାବେଳ ର ସବୁଠୁ ପ୍ରିୟ ବାନ୍ଧବୀ ର ସହଚର୍ଯ୍ୟ ପାଇଁ ଯେମିତି କୋଉ କାଳ ରୁ ଅନେଇବସିଥିଲା! କଲେଜ ଜୀବନ ର ସ୍ମୃତି ରୋମନ୍ଥନ କରୁ କରୁ ଯଦିଓ କଥା କଟାକଟି ହୋଇ ମତଭେଦ ଆଡକୁ ଆଗେଇ ଯାଉଥିଲେ,ହେଲେ ପରସ୍ପର ର ମନ ର ଭାବ ପଢିବାକୁ ଉଭୟ ଙ୍କୁ ବେଶି ସମୟ ଲାଗୁନଥିଲା,ସେଥିପାଇଁ ଖୁବ୍ ସହଜ ଓ ସରଳ ଭାବରେ କଥା ଗୁଡ଼ିକର ପୂର୍ଣଛେଦ ପଡ଼ିଯାଉ ଥିଲା।

   କଥା ଟା ବୁଲି ବୁଲି ଯେତେବେଳେ ପ୍ରତୀତି(ଡାକ ନାମ ପ୍ରୀତି),ତାଙ୍କରି କ୍ଲାସମେଟ ଉପରେ ଅଟକି ଯାଇଥିଲା,ସେତେବେଳେ ରିଧିମା ର ଯୁକ୍ତି ଉପସ୍ଥାପନ ଶୈଳୀ ଟା କେମିତି ବଦଳି ଯାଇଥିଲା! ପ୍ରତୀତି(ତିତି) ଯଦିଓ ତା'ର ବେଷ୍ଟ ଫ୍ରେଣ୍ଡ ଥିଲା,ହେଲେ,ଏକା ନାଁ ଥିବା କ୍ଲାସମେଟ ,ଯାହାର ସାଙ୍ଗିଆ ଓ ଡାକ ନାଁ ଟା କେବଳ ଅଲଗା, ତା'ର ବ୍ୟବହାର ଟା କିନ୍ତୁ ସେ ସହଜ ରେ ଗ୍ରହଣ କରିପାରୁନଥିଲା! ଅବଶ୍ୟ ,କଲେଜ ଜୀବନରେ ସେମିତି ବେଶି ଘନିଷ୍ଠ ହୋଇପାରିନଥିଲେ ତା'ସାଙ୍ଗରେ ,ହେଲେ ପରିଣତ ବୟସରେ ,ନୂଆ ଟେକ୍ନୋଲୋଜି ର ଅବଦାନ ଯୋଗୁଁ ଫେସବୁକ ରେ ପୁରୁଣା ବନ୍ଧୁତା ଯୋଡି ହୋଇଯାଇଥିଲା। ଦୁଇ ପ୍ରତୀତି ଓ ରିଧିମା ଭିତରେ ଭାବର ଆଦାନ ପ୍ରଦାନ ହୋଇ ଚାଲିଥିଲା,ଓ ଆହୁରି ଅନେକ ପୁରୁଣା ବନ୍ଧୁ ଙ୍କ ସହିତ ବନ୍ଧୁତା ର ମୂଳଦୁଆ ପଡ଼ି ପାରିଥିଲା,ସେଇ ଫେସବୁକ ଓ ହ୍ଵାଟ୍ସଆପ ମାଧ୍ୟମ ରେ,ଯେଉଁ ମାନଙ୍କ ସାଙ୍ଗରେ କେବେ ସାଙ୍ଗ ହେବାର ସାମାନ୍ୟ ସୁଯୋଗ ମଧ୍ୟ ଛାତ୍ର ଜୀବନ ରେ ନଥିଲା!

            ବ୍ୟସ୍ତ ବହୁଳ ଜୀବନ ଭିତରୁ ନିଜ ପାଇଁ ସମୟ ବାହାର କରି ପାରିବା ଅବଶ୍ୟ ସମସ୍ତ ଙ୍କ ପକ୍ଷେ ସମ୍ଭବ ହୋଇ ପାରୁନଥିଲା, ତଥାପି ପୁରୁଣା ସ୍ମୃତି ସବୁକୁ ସାଉଁଟିବା ଯେମିତି ସେଇ ପୁରୁଣା ବନ୍ଧୁ ମାନଙ୍କ ମେଳି ରେ ମନକୁ ମନ ହୋଇଯାଉଥିଲା! ହୁଏତ,ସେଥିପାଇଁ ଅନେକ ଭିନ୍ନ ଦୃଷ୍ଟିକୋଣ ରଖିଥିବା ବନ୍ଧୁ ମାନଙ୍କ ଭିତରେ ମଧ୍ୟ ପ୍ରତୀତି ଯେମିତି କିଛି ଟା ଖୁସି ଓ ଆତ୍ମସନ୍ତୋଷ ଗୋଟାଇ ପାରୁଥିଲା! ପ୍ରତୀତି ମୁହଁରେ କିଛି ନ କହିଲେ ବି ରିଧିମା ଯେ ବହୁତ କିଛି ଜାଣିପାରେ ,ଏକଥା ଅସ୍ବୀକାର କରିପରେନି ସେ କେବେ। ପ୍ରତୀତି(ପ୍ରୀତି)ର କଥା କହୁ କହୁ ପ୍ରତୀତି(ତିତି)ର ମୁହଁ ର ରଙ୍ଗ ଟା ସାମାନ୍ୟ ବଦଳି ଯାଇଥିବାରୁ,ରିଧିମା କଥା ର ମୋଡ ଟା ବଦଳାଇବାକୁ ଚେଷ୍ଟା କରିଥିଲା,ହେଲେ ତିତି ର ମନ ଭିତରେ କିଛି ବର୍ଷ ତଳର ଘଟଣା ଟି ଯେମିତି ଜୀବନ୍ତ ହୋଇଉଠିଥିଲା–ସେଦିନ ହଠାତ୍ ଫୋନ ଟିଏ ପାଇ ,ଖୁସି ହୋଇ ଦଉଡି ଯାଇଥିଲା,ଆର ପଟୁ ପ୍ରୀତି ର ସ୍ୱର ଭାସି ଆସିଥିଲା। ସବୁଥରକ ପରି ସହଜ ,ଆନ୍ତରିକ ସମ୍ବୋଧନ ଟିଏ ନ ଥିଲା । ପ୍ରାରମ୍ଭ ରୁ ପ୍ରଶ୍ନ ପରେ ପ୍ରଶ୍ନର ର ବୁଢିଆଣି ଜାଲ ରେ ଛନ୍ଦି ହୋଇ ପଡ଼ିଥିଲା ସେଦିନ। କିଛି ଅବୁଝା,ଅସ୍ପଷ୍ଟ ରହିଯାଇଥିଲେ ବି କେବଳ କେତୋଟି କଥା ସ୍ପଷ୍ଟ ହୋଇଯାଇଥିଲା ଯେ ,ସେମାନଙ୍କ ର ପୁରୁଣା ବନ୍ଧୁ ,ଯିଏ ଜଣେ ପ୍ରତିପତ୍ତିଶାଳୀ ଉଚ୍ଚ ପଦାଧିକାରୀ ଥିଲେ,ତାକୁଇ ନେଇ କିଛି ଭୁଲ ବୁଝାମଣା! କିଛି ବୁଝାଇବାକୁ ଯାଇ ତିତି ଥକି ପଡିଥିଲା,ଯେତେବେଳେ ପ୍ରୀତି କିଛି ଶୁଣିବାକୁ ବି ପ୍ରସ୍ତୁତ ନ ଥିଲା। ଯଦିଓ ସେ ନୀରବତା କୁ ସାଥି କରି ନେଇ ଅନେକ ଅମିମାଂଶିତ ପ୍ରଶ୍ନ ଗୁଚ୍ଛା ଭିତରୁ ନିଜକୁ ମୁକୁଳେଇ ପାରିଥିଲା,ହେଲେ ପରିଣତ ବୟସରେ ,ଏତେବର୍ଷ ପରେ ଗଢିଉଠୁଥିବା ବନ୍ଧୁତା ର ପୂର୍ଣ୍ଣଛେଦ ପଡିଯାଇ ଥିଲା,କେବଳ ପ୍ରୀତି ସାଙ୍ଗରେ ନୁହେଁ,ଅନ୍ୟ ଦୁଇଜଣ ବନ୍ଧୁ ଙ୍କ ସାଙ୍ଗରେ ମଧ୍ୟ ଯାହାକୁ ନେଇ ଭୁଲ ବୁଝାମଣା ଟା ହୋଇଥିଲା!

                ହଠାତ୍ ,ତିତି ର କାନ୍ଧ କୁ ହଲାଇ ଦେଇ ରିଧିମା କହିଉଠିଥିଲା–ମୁଁ ଜାଣିଛି,ତୋ ମୁଣ୍ଡ ଭିତରେ ଏବେ କୋଉ ସିନ୍ ଚାଲିଛି! ତୁ ଯେତେ ବୁଝାଇଲେ କ'ଣ ହେବ,ମୁଁ କିନ୍ତୁ ଜମା    ଭୁଲି ପାରୁନି! ତୁମ ଦୁଇ ଜଣ ଙ୍କ ନାଁ ଟା ସମାନ ଥିଲା,ବାହାଘର ପରେ ତୋର ସାଙ୍ଗିଆ ଟା ବି ସମାନ ହୋଇଗଲା,ସେଥିରେ ତୋର ଦୋଷ କୋଉଠି ହେଲା? ତା'ଛଡା, ବାହାଘର ପରେ ଆମ ହିନ୍ଦୁ ସମାଜ ରେ ,ସାଙ୍ଗିଆ ଟା ବିନା ଆଫିଡେବିଟ ରେ ବଦଳିଯାଏ। ଚାକିରୀ କଲେ ସିନା ଅଲଗା କଥା! ପୁରୁଣା ସାଙ୍ଗ ମାନଙ୍କ ଭିତରୁ ଯୋଉମାନେ ବେସି କ୍ଲୋଜ ନୁହେଁ,ସେମାନଙ୍କ ର ସିନା ଭୁଲ ହୋଇଯାଉଛି,ହେଲେ ତୁମ ଦୁହିଁ ଙ୍କ କ୍ଲୋଜସାଙ୍ଗ  ମାନଙ୍କ ର ତ ଭୁଲ ହବା ର ଚାନ୍ସ ହିଁ ନାହିଁ! କିଏ କ'ଣ କହିଲା,ବା ଗ୍ରୁପ ରେ ଲେଖିଲା,ଏ ବୟସରେ ସେଥିରେ ଏତେ ବ୍ୟସ୍ତ ଓ ବିବ୍ରତ ହେବାର କ'ଣ ଅଛି? ପ୍ରୀତି ର ସେଇ ଗୁଣ ଟା ଅତ୍ୟନ୍ତ ବିରକ୍ତିକର! ବନ୍ଧୁତା ରେ ବଡ଼ ଛୋଟ କ'ଣ ଦେଖାଯାଏ!! ପଦବୀ, ପ୍ରତିପତ୍ତି କ'ଣ ବନ୍ଧୁତା ର ମାପକାଠି! ବନ୍ଧୁତା ର ଅର୍ଥ ସେମାନଙ୍କୁ ଜଣା ନାହିଁ। ତୁ କାହିଁକି ସେମିତି ସାଙ୍ଗମାନଙ୍କ ସହିତ ସମ୍ପର୍କ ଛିନ୍ନ ପାଇଁ ବ୍ୟସ୍ତ ହେଉ କହିଲୁ! They are not worth it! ସମସ୍ତଙ୍କୁ ନିଜ ପରି ଭାବିବା ଛାଡେ। ସତରେ,ତିତି କାହିଁକି ସେ ପୁରୁଣା ବନ୍ଧୁ କେତୋଟି ଙ୍କୁ ହରାଇ ଏତେ ବିଷର୍ଣ୍ଣ ହୋଇ ପଡୁୁଥିଲା ହୁଏତ ନିଜେ ବି ଠିକ କରି ବୁଝିପାରିନଥିଲା! ସେ ବନ୍ଧୁତା ତ କେତୋଟି ମାସର ଥିଲା ମାତ୍ର! ବହୁ ବର୍ଷ ତଳ ର ବନ୍ଧୁତ୍ୱ ର ପୁନର୍ଉଦ୍ଧାର ଯେମିତି କରୁଥିଲା! ମନେ ମନେ ହସିବାକୁ ଲାଗିଥିଲା ତିତି,ଯେତେବେଳେ ଭାବିଦେଇଥିଲା,'ଆରେ, ସେମାନଙ୍କ ସାଙ୍ଗରେ ବନ୍ଧୁତା କୋଉଠି ଥିଲା ? କେବଳ କ୍ଲାସମେଟ ଥିଲେ,ପରିଣତ ବୟସରେ ବନ୍ଧୁତା କରିବାକୁ ଯେମିତି ଚେଷ୍ଟା କରୁଥିଲେ! ବନ୍ଧୁତା ର ସଂଜ୍ଞା ଯେ ସମସ୍ତ ଙ୍କ ପାଖରେ ଭିନ୍ନ ଭିନ୍ନ, ସେତକ କେମିତି ସିଏ ବୁଝିପାରୁନଥିଲା! ଫେସବୁକ ରୁ ଅନ୍ ଫ୍ରେଣ୍ଡ କରିଦେବାଟା,ହ୍ଵାଟ୍ସଆପ ରେ ବ୍ଲକ କରିଦେବା ଟା କୁ ଯଦିଓ ତାକୁ ଏତେ କଷ୍ଟ ଦେଇନଥିଲା,ଭୁଲ ବୁଝାମଣା ଟାକୁ ଦୂର କରିପାରିନଥିବା ର କ୍ଷୋଭ ଟା ଯେମିତି ମନ ଭିତରେ ଘର କରିକି ରହିଯାଇଥିଲା! ସେଥିପାଇଁ ଅବଶ୍ୟ ରିଧିମା ର ଗାଳି ଟା ତାକୁ ବାରମ୍ବାର ଶୁଣିବା କୁ ପଡୁଥିଲା! ସେମାନଙ୍କ ବନ୍ଧୁତା ର ଡୋର ଏତେ ମଜଭୁତ ଥିଲା ଯେ ,ସେ ଗାଳି ସବୁ କୁ ଖୁବ୍ ସହଜରେ ହଜମ କରିଦେଉଥିଲା,ହେଲେ ନିଜ ମନ ଭିତରୁ ସେ ଭୁଲ ବୁଝାମଣା କୁ ଦୁରେଇବାର ଆଶା ଟା ଛାଡି ପାରୁନଥିଲା! ତିତି ର ସରଳତା ପାଖରେ ରିଧିମା ଯେ ସବୁବେଳେ ଢାଲ ହୋଇ ଛିଡ଼ା ହୋଇଯାଉଥିଲା,ଏକଥା ତା'କୁ ବୁଝିବାକୁ କେବେହେଲେ ସମୟ ଲାଗୁନଥିଲା!

      ଏମିତି ଗପୁ ଗପୁ କେତେବେଳେ ଗାଡି ଯାଇ ତାଙ୍କ ପ୍ରତୀକ୍ଷିତ ସ୍ଥାନ ରେ ପହଞ୍ଚି ଯାଇଥିଲା, ଉଭୟେ ଜାଣିପାରିନଥିଲେ। ଗାଡ଼ିରୁ ଓହ୍ଳାଉ ଓହ୍ଳାଉ ସେଇ ବନ୍ଧୁ ତିନି ଜଣ ଙ୍କ ସାଙ୍ଗରେ ପ୍ରଥମେ ଦେଖା ହୋଇଯାଇଥିଲା। ସେଦିନ କଲେଜ ବନ୍ଧୁ ମାନଙ୍କ ମେଳି ଟା ବି ଟିକେ ଗହଳି ହୋଇ ସାରିଥିଲା। ତିତି କେମିତି ସେମାନଙ୍କ ସାଙ୍ଗ ରେ କଥାବାର୍ତା ଆରମ୍ଭ କରିବ ଭାବୁ ଭାବୁ,ରିଧିମା ସେମାନଙ୍କୁ ଅଣଦେଖା କରି,ତା'ହାତ ଧରି ଆଗକୁ ଭିଡି ନେଇଥିଲା ଓ ଅନ୍ୟ ପୁରୁଣା ବନ୍ଧୁ କେତେଜଣ ଙ୍କ ସାଙ୍ଗ ରେ କଥାବାର୍ତା କରି ,ଆସର ଜମାଇ ଦେଇଥିଲା।

        କିଛି ସମୟ ମଧ୍ୟରେ ସବୁ ପୁରୁଣା ବନ୍ଧୁ ମାନଙ୍କ ଏକାଠି ହବା ର ପ୍ରଥମ ପର୍ବ ଆରମ୍ଭ ହୋଇଯାଇଥିଲା। ସମସ୍ତେ ଛୋଟିଆ ଷ୍ଟେଜ ଟି ଉପରେ ନିଜ ନିଜର ପରିଚୟ ଦେଇ ଚାଲିଲେ। ତିତି ର ପରିଚୟ ପର୍ବ ରେ ଯୋଡିହୋଇ ଯାଇଥିଲା ଗୋଟିଏ ଛୋଟିଆ କବିତା, ଯାହା କେତେଜଣ ବନ୍ଧୁଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ତାକୁ ଆବୃତ୍ତି କରିବାକୁ ପଡିଥିଲା। ସେଇ କେତୋଟି ବର୍ଷ ରେ ନିଜର ପରିଚୟ ର ସାମାନ୍ୟ ପରିବର୍ତ୍ତନ ଯେମିତି ହୋଇ ଯାଇଥିଲା। ଚାରି କାନ୍ଥ ଭିତରେ ଆବଦ୍ଧ 'ଗୃହିଣୀ' ଟି ପରିପକ୍ଵ ବୟସରେ ହେଉ ପଛକେ,ଲେଖିକା ଟିଏ ହୋଇଯାଇଥିଲା। ଅବଶ୍ୟ ସେତକ ତାକୁ କହିବାକୁ ପଡିନଥିଲା,ଅଳ୍ପେ ବହୁତେ ପୁରୁଣା ବନ୍ଧୁ ମାନେ ହିଁ ତାକୁ ସେତେବେଳକୁ ସେ'ଆଖ୍ୟା ଟି ଦେଇ ସାରିଥିଲେ। ସେ କେବଳ ଏତେବର୍ଷ ପରେ ନିଜର ଆତ୍ମବିଶ୍ବାସ ଟିକକ ଯେମିତି ଫେରି ପାଇ ପାରିଥିଲା, ହୁଏତ ତା'ଅସ୍ତିତ୍ବ କୁ ହିଁ ଖୋଜି ପାଇ ଯାଇଥିଲା!

    ସମସ୍ତ ଙ୍କ ଠାରୁ ବିଦାୟ ନେଇ ଫେରିବା ସମୟ ରେ ହଠାତ୍ ପୁଣି ପ୍ରୀତି ସହ ସେଇ ତିନି ବନ୍ଧୁ ଙ୍କ ର ଭେଟ ହୋଇ ଯାଇଥିଲା! ଆଉ ଯେତେବେଳେ ପ୍ରୀତି ର ସେଇ ପୁରୁଣା ସମ୍ବୋଧନ ଟା ଶୁଣିପାରିଥିଲା,ସେତେବେଳେ ରିଧିମା ର ବାର ବାର ବାରଣ ସତ୍ତ୍ୱେ ,ନିଜକୁ ଅଟକାଇ ପାରିନଥିଲା! ପ୍ରୀତି ର କଥା ରକ୍ଷା କରି ନିଜର ଫୋନ ନମ୍ବର ଟି କାଗଜ ଖଣ୍ଡ କରେ ଲେଖିକି ତା'ହାତକୁ ବଢ଼ାଇ ଦେଇ ,ଚାଲିଆସି ରିଧିମା ସାଙ୍ଗରେ ଗାଡି ରେ ବସିପଡିଥିଲା। ହୁଏତ ସାମାନ୍ୟ ହାଲୁକା ଅନୁଭବ କରୁଥିଲା,ମୁହଁ ରେ ଯେମିତି ଆଶା ଓ ବିଶ୍ୱାସ ର ରଙ୍ଗ ଟା ବୋଳି ହୋଇ ଯାଇଥିଲା! ଆଉ ଏସବୁ କୁ ଲକ୍ଷ କରିକି,ଯଦିଓ ଅନେକ ଅକୁହା ପ୍ରଶ୍ନ ପସିଆସିଥିଲା ରିଧିମା ର ମନ ଭିତରକୁ–ଯେମିତି କି ସେସବୁ କ'ଣ ସେମାନଙ୍କର ରିଏଲାଇଜେସନ ନାଁ ତିତି ର ନୂଆ ପରିଚୟ ର ପ୍ରଭାବ?!, ତଥାପ ତିତି ର ମୁହଁ ଟି ର ରଙ୍ଗ ଦେଖି,ରିଧିମା ମୁହଁ ରେ ବିରକ୍ତି ଜାଗାରେ ଟାଣି ହୋଇ ଯାଇଥିଲା ଗୋଟିଏ ଛୋଟିଆ ହସ ର ରେଖା!        


Rate this content
Log in

More oriya story from puspanjali das

Similar oriya story from Classics