ବିଶ୍ୱାସ
ବିଶ୍ୱାସ
ଶ୍ରାବଣୀ ବଡ ଚୁଲବୁଲି ଝିଅଟି । ବୟସ ଏଇ ଚଉଦ କି ପନ୍ଦର ହେବ । ତା ମୁଣ୍ଡ ଉପରୁ ବହୁ ଦିନ ଆଗରୁ ବାପାର ହାତ ଉଠିସାରିଛି । ଆଗକୁ ପଛକୁ କହିଲେ କେବଳ ମା'ଟି ।
ପର ଘରେ ମୁଲ ଲାଗି ବାସନ ମାଜି ମାଆ ଘର ଚଳାଏ । ଶ୍ରାବଣୀ ଭାବେ ମୁଁ ବଡ ହୋଇଗଲେ ମାଆର ବୋଝଟା ନିଜ ମୁଣ୍ଡକୁ ନେଇ ଆସିବି । ମାଆର କଷ୍ଟ ବଡ ବ୍ୟଥିତ କରେ ତାକୁ ।
ଆଜି ପ୍ରଥମ କରି ଗାଁର ପ୍ରଧାନ ଘର ମଦନ ତାକୁ ନିଆରା ଲାଗିଲା, ଶ୍ରାବଣୀକୁ ଏମିତି ଚାହିଁ ଥାଏ ଯେପରି ଆଖିରେ ଖାଇଯିବ ।ଶ୍ରାବଣୀ ଦେଖିକି ନଦେଖିଲା ଭଳି ଚାଲିଗଲା । ଏବେତ ମଦନ ରୀତି ମତ ତାକୁ ପିଛା କଲାଣି । ଦେଖେଇ ଦେଖେଇ କେତେ କଥା କହୁଛି । ଆଗରୁ ଏସବୁ ଶ୍ରାବଣୀକୁ ଭଲ ଲାଗୁ ନଥିଲା କିନ୍ତୁ ଏବେ କଥା ପୁରା ବିପରୀତ । ମଦନକୁ ନ ଦେଖିଲେ ଶ୍ରାବଣୀର ଆଖି ଯୋଡିକ ଖୋଜି ହେଉଛି, ଟିକେ ଦେଖା ମିଳିଗଲେ ଖୁସିର ସୀମାରହୁନି । କିଛି ଦିନ ଅନ୍ତେ ମଦନ ମନର କଥା ଶ୍ରାବଣୀ ଆଗରେ କହିଦେଲା, ସ୍ନହ ପାଗେଳୀ ଶ୍ରାବଣୀ ନିଜକୁ ସମର୍ପଣ କରିଦେଲା ମଦନ ପାଖରେ ।
×××××××
ସେଦିନ ମଦନ ହଜାର ଟଙ୍କା ଶ୍ରାବଣୀ ହାତରେ ଧରାଇ କହିଥିଲା ତୋ ମାଆକୁ ଦେଇଦେବୁ, କହିବୁ ଚଳୁଥିବେ, ମୁଁ ତତେ ନେଇ ଏ ଗାଁ ଛାଡି ଚାଲିଯିବି । ଆମ ଘରଲୋକଙ୍କ କଥା ତୁ ତ ଜାଣୁ ସେମାନେ କେବେ ରାଜି ହେବେନି ଆମ ସମ୍ପର୍କକୁ ନେଇ । ଆମେ ଦୁଇଜଣ ବିବାହ କରି ବାହାରେରହିବା, କିଛିଦିନ ପରେ ଫେରି ଆସିବା । ତା ପରେ ଦେଖିବୁ ଆମକୁ ସମସ୍ତେ ଆପଣେଇ ନେବେ । ତୁ କାହାକୁ କିଛି କହିବୁନି ଆଜିରାତିରେ ବାହାରି ଯିବା ବୁଝିଲୁ........... ।
ଶ୍ରାବଣୀ କଣ କହିବ କିଛି ବୁଝି ପାରିଲାନି । ଟଙ୍କାକୁ ଚାହିଁ ଭାବୁଥିଲା ମଦନ ସତରେ କେତେ ଭଲ ପାଉଛି ତାକୁ ...... ମାଆର ବି ଯତ୍ନ କାରୁଛି । ତାକୁ ଆଉ କଣ ଦରକାର । କାହାକୁ କିଛି ନକହିରାତି ଅଧାରେ ମଦନ ସହ ଘରୁ ବାହାରି ଚାଲିଗଲା ଶ୍ରାବଣୀ । ସକାଳେ ମାଆ ତାର ଦେଖିଲା ବେଳକୁ ଶ୍ରାବଣୀ ନାହିଁ, ଦାଣ୍ଡ.. ବାଡି ଦୌଡ଼ି ଗଲା ହେଲେ ପାଇଲାନି କେବଳ ହଜାର ଟଙ୍କା ତା ତକିଆ ତଳୁ ପାଇଲା ।
×××××××
ଶ୍ରାବଣୀ ବସିଛି, ଆଖିର ଲୁଣିଆ ଲୁହ ଗୁଡା ବୋହି ପାଟିରେ ପଶୁଛି ।ନା ଜୋରେ କାନ୍ଦି ପାରୁଛି ନା କିଛି କହିପାରୁଛି ।କେବଳ ପଥର ଭଳି ବସିଛି । 'ମାଆ 'ର କଥା ଆଜି ବହୁତ ମନେ ପଡୁଛି, ତା ସହ ମନେ ପଡୁଛି ବର୍ତ୍ତମାନ ଦିନରେ ଭୋଗୁଥିବା ଅସହ୍ୟ ଯନ୍ତ୍ରଣା ଗୁଡିକ ।
ସେଦିନ ମଦନ ସହ ଆସିବା ପରେ ଖୁସିରେ ଫାଟି ପଡୁଥିଲା, ଏତେ ଖୁସି ତା ଜୀବନରେ ଅଛି ବୋଲି ଜାଣି ନଥିଲା । କିଛିଦିନ ଗଲା ପରେ ସେଦିନ ମଦନ କିଛି ଲୋକଙ୍କୁ ଘରକୁ ନେଇକି ଆସିଲା ,ଶ୍ରାବଣୀ କିଛି ବୁଝି ପାରୁନଥାଏ । ସେମାନେ ଶ୍ରାବଣୀ ଉପରେ ନିଲାମ ଡାକିଲା ପରି ଡାକି ଚାଲିଥାନ୍ତି ଦୁଇ ଲକ୍ଷ.... ତିନି ଲକ୍ଷ..... ।। ଶ୍ରାବଣୀ ଯାହାକୁ ନିଜଠୁ ବେଶୀ ଭଲ ପାଉଥିଲା, ନିଜର ଜୀବନ ବୋଲି ଭାବୁଥିଲା ସେଇ ତାକୁ ପାଞ୍ଚ ଲକ୍ଷ୍ୟରେ ଅନ୍ୟ କାହାକୁ ବିକିଦେଲା । ଶ୍ରାବଣୀକୁ ଯେତବେଳେ ସେ ଅଚିନ୍ହ ଲୋକଟା ଜୋର କରି ନେଇଯାଉଥିଲା, ମଦନର ହାତକୁ ସେ ସେତିକି ଜୋରେ ଜାବୁଡି ଧରିଥିଲା । କିନ୍ତୁ ମଦନରାଗି ଯାଇ ତା ହାତକୁ ଛିଞ୍ଚାଡି ଦେଲା ଓ ଚାଲିଗଲା । ଶ୍ରାବଣୀର ସେ କୋହଟା ଆସ୍ତେ ଚୁପ ହୋଇଗଲା, ମନେ ପଡିଗଲା ମାଆ କଥା.....ମା କଣ ଏମିତି କଷ୍ଟ ବେଳେ ଦୂରେଇ ଦେଇଥାନ୍ତା ।
ପଥର ପାଲଟି ଗଲା ସେ, ନିଜର ସବୁ ସ୍ୱପ୍ନ ଧୂଳିସାତ୍ ହୋଇଗଲା । ସେବେଠାରୁ ଶ୍ରାବଣୀର ନା ନିଜର ଇଛା ଅଛି ନା କିଛି ବାଟ । ଚାରି କାନ୍ଥ ଭିତରେ ଆବଦ୍ଧ ସେ । ଜଣକ ପାଖରୁ ଅନ୍ୟ ଜଣେ ତାକୁ କିଣି ନଉଚି, ସେ ଏବେ କେଉଁଠି ? ନିଜ ବି ଜାଣିନାହିଁ କେବଳ ତା ଦେହଟା ଉପରେ ସମସ୍ତେ ହକ ଜମାଉଛନ୍ତି । ଶ୍ରାବଣୀର ଜୀବନ ଏବେ ଗୋଟେ ନଈ ଭଳି ଅଙ୍କା ବଙ୍କା ହୋଇ ବହି ଚାଲିଛି, ଯୁଆଡେ ଯାଉଛି ନଈର ନାଁ ବଦଳିଲା ଭଳି ତା ନାଁ ବି ବଦଳି ଚାଲିଛି ।
