ବିଦ୍ୟାଳୟରେ ପ୍ରଥମଦିନ
ବିଦ୍ୟାଳୟରେ ପ୍ରଥମଦିନ
ମନେ ନାହିଁ ନିଜେ ଯେବେ ଜ୍ଞାନ ଆହରଣ ପାଇଁ ବିଦ୍ୟାଳୟକୁ ଯାଇଥିଲି ସେ ସମୟର ଅନୁଭୂତି କିପରି ।ମନେ ନାହିଁ ଖୁବ ଉନ୍ମାଦନା ନେଇ କି ଭୀତତ୍ରସ୍ତ ହୋଇ ପିତାମାତାଙ୍କ ଇସାରାରେ ବିଦ୍ୟାଳୟରେ ପାଦ ଦେଇଥିଲି । ସେ ସମୟ ଆଜି ବହୁତ ପଛରେ । ବୟସର ବର୍ଦ୍ଧିଷ୍ଣୁ ଗତିପଥରେ ଯୌବନରେ ଉପନୀତ ମୁଁ ।ଆଜିର ଅନୁଭୂତି ନିଆରା ।ପାର୍ଥକ୍ୟ କେବଳ ଛାତ୍ରୀ ନୁହେଁ ଶିକ୍ଷୟିତ୍ରୀ ରୂପେ ବିଦ୍ୟାଳୟର ପ୍ରଥମ ଦିନର ଅନୁଭୂତିକୁ ମନେ ପକାଉଛି ଆଜି ଖୁବ ସରାଗରେ ।
ଶିକ୍ଷକମାନଙ୍କ ହାତଗଢା ମୋର ଶିକ୍ଷା ଜୀବନ ।ଘର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ।ସହର ନ ହୋଇଥିଲେ ବି ନିପଟ ଗ୍ରାମର ଅନୁଭୂତି ପାଇନାହିଁ ।ସହର ଓ ଗ୍ରାମର ମଧ୍ୟବର୍ତ୍ତୀ ଜୀବନଧାରା ଭିତରେ ଭାଷା,ଭାବ, ଶିକ୍ଷା ଦୀକ୍ଷା ,ଚାଲିଚଳନ ଟିକେ ନିଆରା ।କିନ୍ତୁ ମୋର କର୍ମକ୍ଷେତ୍ର ରୂପେ ଗଂଜାମ ଜିଲ୍ଲାର ଏକ ଗ୍ରାମ ବିଦ୍ୟାଳୟ ସ୍ଥିରୀକୃତ ହେବା ପରେ କିଛି ଭୟ କିଛି ଉତ୍ସାହ ନେଇ ପ୍ରଥମ ଦିନ ପହଞ୍ଚିଲି ।ବିଦ୍ୟାଳୟଟି ବେଶ ବଡ଼ ନୁହେଁ ।ପ୍ରାଥମିକ ବିଦ୍ୟାଳୟ ।ଦୁଇଜଣ ଶିକ୍ଷକଙ୍କ ସହ ପରିଚିତ ହେବା ପରେ ନୂଆ ଅତିଥି ମୁଁ ପିଲାମାନଙ୍କ ପାଇଁ ବିସ୍ମୟର କାରଣ ସାଜିଥିଲି ।ଖୁବ ଆନନ୍ଦରେ ପିଲାମାନେ ମୋତେ ଲୁଚିଛପି ଦେଖୁଥିବାର ନଜର ପଡିଲା ।ମୁଁ ସେମାନଙ୍କ ଆଡ଼କୁ ଦୃଷ୍ଟି ବୁଲାଇ ଆଣିଲି ।କେଉଁ ପିଲାର ମଇଳା ପୋଷାକ ତ କାହାର ମୁଣ୍ଡରେ ତେଲ ନାହିଁ ।କାହାର ଶାର୍ଟ ରେ ବଟନ ନାହିଁ ତ କାହାର ନାକରୁ ଅମୃତ ବୋହିଯାଇଛି ।ହଟାତ ଦେହ ଶୀତେଇ ଗଲା ପିଲାଙ୍କର ଅବସ୍ଥା ଦେଖି ।ସେମାନଙ୍କ ପାଖକୁ ଯାଇ ପ୍ରଥମେ ଯେବେ ଭାବର ଆଦାନପ୍ରଦାନ କଲି ମନେ ମନେ ବିଚଳିତ ହେଲି ।ସେମାନଙ୍କ ଭାଷା ମୋ ପାଇଁ ଦୁର୍ବୋଧ ହେଉଥିଲା ।ଆଞ୍ଚଳିକ ଭାଷାର ଛିଟା ମୋତେ କଲବଲ କଲା ।ମୋ ଅଜାଣତରେ ଆଖି ଜକେଇ ଆସିଲା ।ଯେହେତୁ ସେମାନଙ୍କ ଭାଷା ବୁଝିପାରୁନାହିଁ କେମିତି ମୋର ଦାୟିତ୍ୱ ଓ କର୍ତ୍ତବ୍ୟ ସୁଚାରୁ ରୁପେ ପାଳନ କରିବି ।
ଆଉ ବିଦ୍ୟାଳୟ ପରିବେଶ ନ କହିବା ଭଲ ।ଶୌଚାଳୟ ନାହିଁ , ପାନୀୟ ଜଳର ସୁବିଧା ଏକମାତ୍ର ନଳକୂପ ।ଖେଳପଡ଼ିଆ ତ ଦୂରର କଥା ମଧ୍ୟାହ୍ନ ଭୋଜନ ରନ୍ଧନ କାର୍ଯ୍ୟ ଖୋଲା ଆକାଶ ତଳେ ହିଁ ସମ୍ପାଦିତ ହେଉଅଛି ।ବିଦ୍ୟାଳୟର ଉଭୟ ପାର୍ଶ୍ଵକୁ ଲାଗି ବାସଗୃହ ।ସଡ଼କରେ ଅନବରତ ଗାଡିମଟର ଏବଂ ପାଦଚଲା ଲୋକଙ୍କ କୋଳାହଳ । ଏମିତି ପରିବେଶରେ ନିଜକୁ କେମିତି ଉପଯୋଜିତ କରିବି ମନେ ମନେ ଭାଲେଣି ପଡିଗଲା ।ହୃଦୟର ଭୟ ଆଉ କୋହକୁ ଲୁଚାଇ କିଛି ସମୟ ସେଠାରେ କଟାଇ ପରଦିନଠାରୁ ବିଦ୍ୟାଦାନ କାର୍ଯ୍ୟ ପାଇଁ ପ୍ରସ୍ତୁତି ହୋଇ ଆସିବା ପାଇଁ ପ୍ରତିଶ୍ରୁତି ଦେଇ ସହକର୍ମୀଙ୍କ ଠାରୁ ବିଦାୟ ନେଲି ।
ସେଦିନର ସେ ଅନୁଭୂତି ମନେ ପଡିଲେ ଆଜି ହସଲାଗେ । ପ୍ରକୃତ ଶିକ୍ଷାର ଅର୍ଥ ନିଜକୁ ଯେକୌଣସି ପରିବେଶରେ ସମଯୋଜିତ କରିବା ନୁହେଁ କି ? ଚେଷ୍ଟା କରିଚି ଆଉ ସଫଳ ମଧ୍ୟ ହୋଇଛି । ଦୀର୍ଘ ଆଠ ବର୍ଷ ଭିତରେ ଅନେକ ପରିବର୍ତ୍ତନ ଘଟିଛି ମୋ ଭିତରେ ଆଉ ବିଦ୍ୟାଳୟ ପରିବେଶ ଓ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ।ଶୌଚାଳୟ , ସୁନ୍ଦର ଶ୍ରେଣୀ ଗୃହ, ରଙ୍ଗବେରଙ୍ଗର ଶିକ୍ଷାଦାନ ସାମଗ୍ରୀ ସହ ପାନୀୟ ଜଳର ସୁବ୍ୟବସ୍ଥା ,ଅତି ଛୋଟ ବଗିଚାରେ ମନ ମୋହୁଛି ମୋ ବିଦ୍ୟାଳୟ ।ପିଲାଙ୍କ ଭିତରେ ବଢିଛି ଭାଷା ଜ୍ଞାନ ।ତୁମେ ରୁ ଶୁଣିଛି ଆପଣ ଶବ୍ଦ ।ଅନେକ ଆଞ୍ଚଳିକ ଭାଷା ଭିତରେ ମୁଁ ଆଜି ସାଜିଛି ସମ୍ପୂର୍ଣ୍ଣ ସେ ଅଞ୍ଚଳର ଅଧିବାସୀ ।ସେଥିପାଇଁ ସାଙ୍ଗସାଥି ଠାରୁ ବନ୍ଧୁବାନ୍ଧବ ସମସ୍ତଙ୍କ ମୁହଁରେ କଟାକ୍ଷ ।ମୁଁ କୁଆଡେ ଗଂଜାମର ମଣିଷ ପରି ।ପିଲାଙ୍କ ଗହଣରେ ନିଜର ଅସ୍ତିତ୍ୱକୁ କିଛି ମାତ୍ରାରେ ହଜାଇ ସାଉଁଟିଛି ସେମାନଙ୍କ ସ୍ନେହ ଆଦର ।
ଅନୁଭୂତିର ଆଇନାରେ ସେଦିନର ଛବି ବଦଳିଯିବ ନାହିଁ ମାତ୍ର ନିଜ ଭିତରେ ଦୃଢ଼ତାକୁ ନେଇ ଆଗେଇ ଆସିଥିବାର ଆତ୍ମସନ୍ତୋଷ ମୋର ପୁରସ୍କାର ବୋଲି ଧରିନେଇଛି ।
'ଅସମ୍ଭବ ନୁହେଁ କିଛି ସମାଜରେ ମନୋବଳ କର ଦୃଢ଼,
ଅନୁଭୂତି ଶିକ୍ଷା ଦେଇଛି ଜୀବନେ ବଦଳିବ ନିଶ୍ଚେ ମୋଡ଼।'