ବିଧିର ବିଧାନ
ବିଧିର ବିଧାନ
ଶୀତ ରାତି ନିରବ ନିସ୍ପନ୍ଦ। ସନ୍ଧ୍ୟା ପରେ ଶୀତର ପ୍ରକୋପ ବଢି ଯାଇଥିଲା। ଧନୀରାମ ବାବୁଙ୍କ ସ୍ତ୍ରୀ ସଞ୍ଜ ପ୍ରହରୁ ରୋଷେଇ ଶେଷ କରି ଦେଇଥାନ୍ତି। ଧନୀରାମ ବାବୁ ତାଙ୍କ କ୍ଷେତରୁ ପକ୍ୱଧାନକୁ ଆଣି ଆଜି ଜମା କରୁଥିଲେ। ତେଣୁ ସେ ଆଜି କ୍ଳାନ୍ତ ଅନୁଭବ କରୁଥାନ୍ତି। ସେ ହେଉଛନ୍ତି ସେହି ଅଞ୍ଚଳର ଜଣେ ଖ୍ୟାତିନାମା ଚାଷୀ। ତାଙ୍କର ମଧ୍ୟ ବିରାଟ ବଗିଚା ଥାଏ। ତାଙ୍କ ବଗିଚାରୁ ନାନା ପନିପରିବା ଉତ୍ପନ୍ନ କରି ବିକ୍ରି କରନ୍ତି। ଆସନ୍ତା କାଲି ଗୋଟିଏ ବଡ ମହାଜନ ଆସିବ। ତାଙ୍କ ବଗିଚାରୁ ପନିପରିବା ନେଇ ଯିବ। ତେଣୁ ତାଙ୍କୁ ଶୀଘ୍ର ଶୋଇବାକୁ ପଡିବ କାରଣ ତାଙ୍କୁ ଶୀଘ୍ର ଉଠିବାକୁ ପଡିବ।
ତେଣୁ ସ୍ତ୍ରୀକୁ କହିଲେ; ଯଦି ଖାଇବା ତିଆରି ହୋଇ ସାରିଛି, ଚାଲ ଆଜି ଶୀଘ୍ର ଖାଇଦେବା। କାରଣ ମୋତେ ଶୀଘ୍ର ଉଠି ବଗିଚାକୁ ଯିବାକୁ ପଡିବ। ଏବେ ସ୍ତ୍ରୀ ସୌଭାଗ୍ଯ ଲକ୍ଷ୍ମୀ ତାଙ୍କ ଦୁଇଜଣ ଯାକ ପାଇଁ ଆଣିଲେ ଖାଇବାକୁ। ପିଲାମାନେ ବାହାରେ ରହି ପାଠ ପଡୁଥାନ୍ତି। କେବଳ ସ୍ୱାମୀ ସ୍ତ୍ରୀ ଦୁଇଜଣ ଥାନ୍ତି। ତେଣୁ ଦୁଇଜଣ ଯାକ ମିଶି କରି ଖାଆନ୍ତି।
ସ୍ନେହ ସଂପର୍କରେ ତାଙ୍କର ଦିନ ଗୁଡିକ କଟୁଥାଏ। ଶୀଘ୍ର ଖାଇସାରି ଶୋଇ ପଡିଲେ ଧନୀରାମ ବାବୁ। ନରମ କମ୍ବଳ ତଳେ ଶୋଇ ଏ ବର୍ଷର ଆୟବ୍ୟୟ ଅଟକଳ କଥା ଚିନ୍ତା କରୁ କରୁ କେତେବେଳେ ନିଦ ହୋଇଯାଇଥିଲା, ସେ ଜାଣିପାରି ନଥିଲେ।
ପହାନ୍ତା ପ୍ରହର। ସକାଳ ୪ଟା ପାଖାପାଖି ହେବ। ଆପେ ତାଙ୍କ ନିଦ୍ରା ଭଙ୍ଗ ହେଲା। ନିଦରୁ ଉଠି ଯେତେବେଳେ ସେ ଘରର କବାଟ ଆଡକୁ ଚାହାଁନ୍ତି; ତାଙ୍କୁ ଦେଖା ଯାଇଥିଲା ଦୁଇଜଣ ବିଚିତ୍ର ମାନବ। ତାଙ୍କ ବେଶ ପୋଷାକ ଥିଲା ଭିନ୍ନ। ଆମ ସାଧାରଣ ମାନବଙ୍କ ଠାରୁ ଅଲଗା। ଏହିପରି ଅନୁଭବ ହେଉଥିଲା ଯେପରି ସେମାନେ ସ୍ୱର୍ଗ ଲୋକରୁ ଆସିଛନ୍ତି। ସେ ଭାବିଲା ବୋଧହୁଏ ସେ ସ୍ୱପ୍ନ ଦେଖୁଛି। ପୁଣି ସେଇ ଆଡକୁ ଚାହିଁଲା; ସେମାନଙ୍କ କଣ୍ଠ ସ୍ୱରକୁ ମଧ୍ୟ ଶୁଣିଲା; ସେ ଭାବିଲା, ନା-ଏହା ସ୍ୱପ୍ନ ନୁହଁ ଏହା ସତ କେହି ଦୁଇଜଣ ବୋଧହୁଏ ମୋ ଘରକୁ ଚୋରି କରିବା ପାଇଁ ଆସିଛନ୍ତି। ନତୁବା ପରିବା ମହାଜନ ଆସିଗଲେ କି?
ସେ ଭାବୁଥାଏ ବୋଧେ ପରିବା ମହାଜନ; ସାହାସ ବାନ୍ଧି ତାଙ୍କୁ ଯାଇ ପଚାରିଲା; ଏଇଠି କିଏ ଆପଣମାନେ ଠିଆ ହୋଇଛନ୍ତି; କ'ଣ ପାଇଁ ଏଠାକୁ ଆସିଛନ୍ତି? ସେମାନେ ଉତ୍ତର ଦେଲେ ଆମେ ସ୍ୱର୍ଗ ଲୋକରୁ ଆସିଛୁ ଏବଂ ତୁମକୁ ନେବା ପାଇଁ ଆସିଛୁ। ହଠାତ୍ ଧନୀରାମ କଥାଟିକୁ ବୁଝିପାରିଲେ ନାହିଁ। ସେ ଭାବିଲେ ଏମାନେ ପରିବା ମହାଜନ ନୁହଁନ୍ତି ତ। ସେ କହିଲେ ମୁଁ ତ ତୁମ ସହ ବଗିଚାକୁ ଯିବା ପାଇଁ ପ୍ରସ୍ତୁତ। ଚାଲନ୍ତୁ ଆପଣଙ୍କ କାମ ତୁଟାଇ ଦେଲେ ମୋର ଆଜି ଦିନର କାମ ଶେଷ ହୋଇଯିବ।
ତାଙ୍କ ଭିତରୁ ଜଣେ କହିଲେ ଆଜି ଠାରୁ ତୁମର ସବୁ କାମ ଶେଷ ହୋଇଯିବ। ତୁମର ଆଜିଠାରୁ ଛୁଟି। ତୁମର ମର୍ତ୍ତମଣ୍ଡଳର କାର୍ଯ୍ୟ ସବୁ ସରି ଯାଇଛି ଏବେ ତୁମକୁ ଫେରିବାକୁ ପଡିବ ଯମ ଭବନକୁ। ସେଇଠି ହିସାବ ହେବ ପାପ ପୁଣ୍ୟର କର୍ମ । ଏବେ ଧନୀରାମ ବାବୁ ବୁଝିଗଲେ ଏ ସ୍ୱପ୍ନ ନୁହଁ ତାଙ୍କୁ ସ୍ୱର୍ଗା ଲୋକରୁ ଡାକରା।
ବ୍ୟବସାୟୀଙ୍କ ସହ ସଂପର୍କ ରଖି ଧନୀରାମ ବାବୁ ଅନେକ ଚତୁରତା ଲାଭ କରିଥାନ୍ତି। ତେଣୁ ସେ ସ୍ୱୟଂ ଯମରାଜଙ୍କୁ ମଧ୍ୟ ଚିନ୍ତା କଲେ କୌଶଳରେ ବଶୀଭୂତ କରିବା ପାଇଁ।
ତାଙ୍କୁ କହିଲେ ହେ ଯମରାଜ; ଆପଣ ମୋ ଗୃହକୁ ଆସିଛନ୍ତି। ତେଣୁ ମୁଁ ଆପଣଙ୍କୁ ଆତିଥ୍ୟ ସତ୍କାର କରିବାକୁ ଚାହୁଁଛି। ଏହି ଶୀତ ସକାଳରେ ଆପଣ କ'ଣ ମୋ ଘରୁ ଚା' କପେ ପିଇବେନି; ଯମରାଜ ରାଜି ହୋଇଗଲେ; ତେଣୁ ଏବେ ଧନୀରାମ ବାବୁ ଚିନ୍ତା କଲେ ଚା'ରେ ନିଦ ବଟିକା ମିଶାଇ ଯମରାଜଙ୍କୁ ଦେଇ ଦେବେ। ସେଇଆ ମଧ୍ୟ କଲେ। ଦୁଇକପ ଚା'ରେ ଔଷଧ ମିଶାଇ ଯମରାଜ ଓ ଚିତ୍ରଗୁପ୍ତଙ୍କୁ ଦେଇଦେଲେ। ଏବେ ସେ ଦୁଇଜଣ ଏହାକୁ ପିଇ ଶୋଇପଡିଲେ।
ଧନୀରାମ ବାବୁ ଏହି ସମୟକୁ ଅପେକ୍ଷା କରିଥିଲେ। ସେ ଗଭୀର ନିଦ୍ରାରେ ଶୋଇଥିବା ବେଳେ ସେ ତାଙ୍କ ତାଲିକା ପୁସ୍ତକଟିକୁ ଆଣି ତାଙ୍କ ନାମ ଟିକୁ ଉପରୁ କାଟିଦେଇ ତଳକୁ ନେଇ ଯାଇଥିଲେ। ଭାବିଥିଲେ ତାଙ୍କର ଆୟୁକାଳ ବଢିଯିବ। ଯମରାଜ ନିଦ୍ରାରୁ ଉଠିଲେ ଜାଣିପାରିବେ ନାହିଁ।
ଏବେ ଯମରାଜ ନିଦ୍ରାରୁ ଉଠିଲେ। ତାଙ୍କୁ କହିଲେ ଧନୀରାମ ବାବୁ ଆପଣଙ୍କ ଚା' ବହୁତ ସୁସ୍ୱାଦ ଥିଲା। ଆପଣଙ୍କ ପ୍ରତି ମୁଁ ଅତ୍ୟନ୍ତ ସନ୍ତୁଷ୍ଟ। ତେଣୁ ମୁଁ ଆପଣଙ୍କୁ ଆଉ ନେବି ନାହିଁ। ଆପଣ ଆଉ କିଛି ଦିନ ଏ ସଂସାରରେ ରୁହନ୍ତୁ। ମୋ ତାଲିକା ପୁସ୍ତକର
ଏବେ ପ୍ରଥମେ ଥିବା ବ୍ୟକ୍ତିକୁ ନନେଇ ଶେଷରେ ଲେଖା ହୋଇଥିବା ବ୍ୟକ୍ତିଙ୍କୁ ନେଇଯିବି। ଚିତ୍ରଗୁପ୍ତଙ୍କୁ ଆଦେଶ ଦେଇଥିଲେ ଶେଷରେ ଥିବା ନାମର ତାଲିକା ଦେଖିବା ପାଇଁ। ଏବଂ ଚିତ୍ରଗୁପ୍ତ ସେଇ ନାମ ଉଚ୍ଚାରଣ କରିଥିଲେ। ସ୍ୱୟଂ ଯମରାଜ ଓ ଧନୀରାମ ଉପଲବ୍ଧ କରିଥିଲେ ବିଧିର ବିଧାନ ଅପରିବର୍ତ୍ତନୀୟ।