Er. Prakash Majhi

Drama Tragedy Classics

4.5  

Er. Prakash Majhi

Drama Tragedy Classics

ଅପେକ୍ଷା

ଅପେକ୍ଷା

9 mins
219


ଯେଉଁଠି ଧୈର୍ଯ୍ୟ ସେଇଠି ବିଜୟ। ଯେଉଁଠି ଅଧୀରତା, ସେଇଠି ବିନାଶର ପଥ ହୋଇଛି ସୁଗମ। ଲୋକ ଗଳ୍ପରେ କଇଁଛ ଠେକୁଆ କଥା ଓ ସୁନା ଅଣ୍ଡା ଦିଆ କୁକୁଡା କାହାଣୀ, ଏହାର ସ୍ପଷ୍ଟ ସୂଚନା ଦେଇଥାଏ। କଇଁଛର ଗତି ମନ୍ଥର। ଠେକୁଆର ଗତି ଦ୍ରୁତ। ଉଭୟ ଗୋଟିଏ ସ୍ଥାନରୁ ଯାତ୍ରା ଆରମ୍ଭ କଲେ ମାତ୍ର କଇଁଛର ମନ୍ଥର ଗତି ପ୍ରତି ସଚେତନ ହୋଇ ଠେକୁଆ କିଛି ବାଟ ଯାଇ ଆଳସ୍ୟ ବଶତଃ ଶୋଇରହିଲା। ମନ୍ଥର ଗତିରେ କଚ୍ଛପ ଶେଷରେ ପ୍ରତିଯୋଗିତାରେ ହେଲା ବିଜୟୀ। କିନ୍ତୁ ତା' ପ୍ରେମର ମନ୍ଥର ଗତି ଆଜି ପରାଜିତ ହେବାକୁ ଯାଉଛି। ପୁଣି ସେ ଭାବି ବସିଲା ସେହି ବୃଦ୍ଧା ପାଳିଥିବା ସୁନା ଅଣ୍ଡା ଦିଆ କୁକୁଡା କଥା। ଏକାବେଳେ ଅଣ୍ଡା ପାଇବାର ଲୋଭ ତା'କୁ ଗ୍ରାସ କରିବାରୁ ସେ ଧୈର୍ଯ୍ୟ ହରାଇବସିଲା। ଶେଷରେ କୁକୁଡାଟିର ପେଟ ଚିରିବାରୁ ସବୁଦିନ ପାଇଁ କୁକୁଡାକୁ ହରାଇବସିଲା। ତେବେ ସେ କ'ଣ ବିଜୟ ଲାଭ କରି ପାରିବ। ଏମିତି କେତେ କ'ଣ ଭାବୁଥିଲା। ପୁଣି ମନେ ପକାଇଲା ସେଇ ଅଭୁଲା ଦିନର ଘଟଣାଟିକୁ।

ବସ ଭିତରେ ଯେତିକି ସିଟ ଥିଲା ସେତିକି ଲୋକ ଥିଲେ । ସମସ୍ତେ ନିଜ ନିଜ ମୋବାଇଲ ସହ ବ୍ୟସ୍ତ , ଆଉ କିଛି ପାଖ ପେସେଞ୍ଜର ଙ୍କ ସହିତ ଗପସପ ରେ ମାତିଥିଲେ। ନିରା ର ଆଖି ପଡିଗଲା, ଜଣେ ଯୁବକ ଗୋଟିଏ ମୋଟା ବହି ଧରି ତା ଭିତରେ ଗଭୀର ଭାବେ ମଗ୍ନ । ବହି ବାହାର ର ଦୁନିଆଁ ସହ ଯେମିତି ତାଙ୍କର କୌଣସି ସମ୍ପର୍କ ନାହିଁ ।

ସେଦିନ ସେ ଯୁବକଙ୍କୁ ବସରେ ଦେଖିବା ପରଠୁ ନିରା ଖୁଵ ଅନ୍ୟମନସ୍କ ହୋଇ ପଡୁଥିଲା । ଘରକୁ ଫେରିବା ପରେ ବି ସେ ବୁଡି ରହିଲା କିଛି କାଳ ଯାଏ ...ସେଇ ଯୁବକଙ୍କ ଭାବନାରେ ।ରହି ରହି ତାର ମନେ ପଡି ଯାଉଥାଏ, ସେ ବସ ଭିତରର ବାତାବରଣ, ଝର୍କା କଡ଼ ସିଟରେ ବସିଥିବା ଶାନ୍ତ, ସୌମ୍ୟ ଚେହେରାର ଲୋକଟା ବହିର ଶବ୍ଦ ସବୁରେ ଏତେ ମଜ୍ଜି ଯାଇଥିଲା ଯେ ତାହା ତାର କପାଳର ଭ୍ରୁକୁଞ୍ଚନ, ଦୀର୍ଘଶ୍ୱାସ, ମୁଣ୍ଡ ହଲାଇବାର ଭଙ୍ଗି , ବେଳେବେଳେ ଝର୍କା ସେପଟ କୁ ଚାହିଁ କିଛି ସ୍ୱଗତକ୍ତି କରିବାର ଭଙ୍ଗୀରୁ ସ୍ପଷ୍ଟ ଜଣା ପଡୁଥିଲା ।

ନିରା ଏ ବସର ରେଗୁଲାର ପାସେଞ୍ଜର, ବିଗତ ତିନି ବର୍ଷ ଧରି । ଯୁବକଙ୍କୁ କିନ୍ତୁ ପ୍ରଥମ କରି ଦେଖିଲା । ଏଇ ଜାଗାକୁ ବୋଧେ ସେ ନୁଆ କରି ଆସିଛନ୍ତି । ତାଙ୍କର ବେଶ ପୋଷାକ ଆଉ ଚେହେରା ରୁ ସେ ସ୍ଥାନୀୟ ଲୋକ ପରି ଜଣା ପଡୁ ନାହାନ୍ତି ।ଓହୋ... ସେ କାହିଁକି ଏତେ କଥା ଭାବୁଛି ଯେ...ସେ ଅପରିଚିତ ଲୋକ ବିଷୟରେ.. ନିଜ ଭାବନା ରେ ଟିକିଏ ବିରାମ ଦେବାକୁ ଚାହୁଁଥିଲା ନିରା ...

ଆଜି ସକାଳୁ ଉଠିବାଟା ଡେରି ହୋଇଗଲା ।ଘଣ୍ଟାରେ ସାତଟା ବାଜିଲାଣି । ଘଣ୍ଟାଟେ ଭିତରେ ବ୍ରସ କରିବା, ଗାଧୁଆ ପାଧୁଆ, ରୋଷେଇ ସବୁକାମ କରିବାକୁ ପଡିବ ନ ହେଲେ ସେ ନିର୍ଦ୍ଦିଷ୍ଟ ବସଟି ଧରି ହେବନି ।ଅଫିସରେ ବାଓମେଟ୍ରିକ୍ସ ଲାଗିଛି ଡେରିରେ ପହଞ୍ଚିଲେ ନାନା କୈଫିୟତ ଦେବାକୁ ପଡିବ ।ସତରେ କଣ ନିରା ସେଇଥି ପାଇଁ ବ୍ୟସ୍ତ ହେଉଛି, ୟା ଛଡା ଆଉ କିଛି ବି କାରଣ ନାହିଁ ? ମନେ ମନେ ହସିଲା ସେ, ଅନ୍ୟ କାରଣ ଟି ସେମିତି ଲୁଚିକି ମନ ତଳେ ଥାଉ, ତାକୁ କେହି ନ ଦେଖନ୍ତୁ... ତା ଆଖିରେ ବି ନ ପଡୁ... ନହେଲେ ଝଡ଼ ଉଠି ପାରେ...

ଖୁଵ ତର ତର ଫ୍ରେସ ହୋଇ ଭାତ, ଡାଲି , ବାଇଗଣ ଭରତାରେ ଚଳେଇ ନେଲା । ଅଳ୍ପ ଖାଇ ବାକିତକ ହଟକେସରେ ପ୍ୟାକ କରି ସମୟ ଅନୁସାରେ ବାହାରି ପଡ଼ିଲା। ଘଣ୍ଟାରେ ସାଢ଼େ ଆଠଟା। ବସ ଷ୍ଟପରେ ପହଞ୍ଚିବାକୁ କୋଡ଼ିଏ ମିନିଟ ଲାଗିବ । ହଁ ସମୟ ପୂର୍ବରୁ ପହଞ୍ଚିଯିବ ନିଶ୍ଚୟ। ଏକ ସନ୍ତୋଷ ଖେଳିଗଲା ତାର ଅନ୍ତଃ ମନରେ । ବସ ଭିତରକୁ ଏକ ବିହଙ୍ଗମ ଦୃଷ୍ଟି ପକାଇ ନିରା ଖୁସି ହୋଇଗଲା ଯେ ସେ ଯୁବକଙ୍କ ପାଖ ସିଟ ଟି ଖାଲିଅଛି । ଚୁପଚାପ ଯାଇ ସିଟରେ ବସିଲା । କିଛି ଦିନ ହେବ ବହି ସହିତ ନିମଗ୍ନ ଥିବା ଯୁବକଙ୍କ ପ୍ରତି ନିରା ମନରେ କେମିତି କେଜାଣି ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି ହୋଇ ସାରିଛି । ତା ମନକୁ ଛୁଇଁଲା ପରି ଧାରଣା ଟିଏ ଜନ୍ମ ନେଇଛି ତାଙ୍କର ପାଣ୍ଡିତ୍ୟ, ସଂସ୍କାର, ରୁଚି ଆଉ ବୁଦ୍ଧିମତ୍ତା କୁ ନେଇ । ସେ ଆପେ ଆପେ ଟାଣି ହୋଇ ଯାଉଛି ତାଙ୍କ ଆଡକୁ ।

ନିରା ଆଶା କରିଥିଲା ହୁଏତ ସେ ସିଟରେ ବସିଲା ପରେ ଯୁବକଙ୍କ ସମ୍ପୂର୍ଣ୍ଣ ଆକର୍ଷଣ କେନ୍ଦ୍ରିତ ହେବ ତା ସହିତ ଦୁଇ ପଦ ଗପସପ ହେବାରେ କିନ୍ତୁ ସେପରି କିଛି ହେଲା ନାହିଁ । ବସର ଝର୍କାକୁ ଅଧା ଖୋଲା ରଖି ମୃଦୁ ପବନର ସ୍ପର୍ଶରେ ବଡ ନିଶ୍ଚିନ୍ତରେ ବହିର ପୃଷ୍ଠାରେ ହଜି ଯାଇଥିଲେ ସେ । ଟିକିଏ ତେରେଛା ଚାହାଣୀ ରେ ନିରା ଦେଖିବାକୁ ଚେଷ୍ଟା କରିଥିଲା ଏମିତି କୋଉ ବହି ଭିତରେ ଥାଇ ସେ ନିରାର ଅସ୍ତିତ୍ବ କୁ ସହଜରେ ଅସ୍ବୀକାର କରୁଥିଲେ, ଯଦିଓ ନିରା ତାଙ୍କ ଦେହକୁ ଦେହ ଲାଗିକି ବସିଥିଲା ! ବହିଟି ବୋଧେ ' ଦ ଗାଇଡ଼ ' ଅଥର ଆର. କେ ନାରାୟନ ଥିଲେ । ଯୁବକ ଙ୍କର ବହି ପଢ଼ିବାର ଝୁଙ୍କ, ତାଙ୍କର ଭାବ ଭଙ୍ଗୀ ଦେଖି ସେ ବୁଝି ପାରୁଥିଲା ଯେ ସେ ପାଠକ ଭାବରେ କେତେ ବିଶ୍ୱସ୍ଥ ବହିଟି ପ୍ରତି । ୟାଠୁ ଅଧିକ ଭଲ ପାଇବା ଜଣେ ଲେଖକଙ୍କ ପାଇଁ ଆଉ କଣ ବା ହୋଇପାରେ !

ନିରା ମନେ ମନେ ଯେତେ ଅସ୍ଥିର ହେଲେବି ନିଜକୁ ବୁଝାଇ ଦିଏ । ନିଜ ଆଡୁ ଆଗୁଆ କରି କିଛି ହେଲେ କହିବାକୁ ପ୍ରସ୍ତୁତ ହୋଇ ପାରେନା । କିନ୍ତୁ ଆକର୍ଷଣ, ଅନୁରାଗ ତ ସ୍ୱତଃସ୍ଫ୍ରୁତ ତାକୁ କେମିତି ହାତରେ ଅଟକାଇ ପାରିବ ଯେ, ସେସବୁ କୋଷରୁ ବାହାରି ପ୍ରଜାପତି ହୋଇ ଚାରିଆଡେ ଉଡ଼ି ବୁଲିଲେଣି । ଏ ଭିତରେ ମାସେ ବିତିଗଲାଣି, ନିରା ଲକ୍ଷ୍ୟ କରିଛି ସେ ବୋଧେ ଚାରୋଟି ବହି ପଢି ସାରିଲେଣି । ପ୍ରତି ସପ୍ତାହରେ ଗୋଟିଏ ମୋଟା ବହି । ବାପରେ କି ପୁସ୍ତକ ପ୍ରେମୀ ! ଅଦ୍ଭୁତ ଅଭ୍ୟାସ ଯୁବକଙ୍କର... ନିର୍ଜୀବ ବହି ଆଉ ଅକ୍ଷର ପ୍ରତି ଯେତେ ଅଧିକ ରୁଚି, ସେତିକି ବେପରୁଆ ସେ.. ଜଣେ ସୁନ୍ଦରୀ, ରୁଚି ସଂପନ୍ନା ଝିଅ ପ୍ରତି ବି। ହେଲେ ନିରା ଅଧିକ ରୁ ଅଧିକ ଛନ୍ଦି ହୋଇ ପଡୁଥାଏ ତାଙ୍କ ଭାବନାରେ.. କାହିଁକି କେଜାଣି... ବୋଧେ କିଛି ଏକାନ୍ତ ଗୋପନୀୟ ଅନୁଭବ ଟିଏ ଅଙ୍କୁରିତ ହୋଇ ଯାଇଛି ତା ମନ ତଳେ.. ଯାହାକୁ ସେ ଦେଖି ନ ଦେଖିଲା ପରି ହେଉଛି। ଜାଣି ନ ଜାଣିଲା ପରି ହେଉଛି ।

ନିରା ଏବେବି ବସରେ ଗଲାବେଳେ ତାଙ୍କ ଆଡକୁ ତାର ଲକ୍ଷ୍ୟ ଆପେ ଆପେ ଚାଲିଯାଏ କିନ୍ତୁ ସେ ଆଉ ନିକଟତର ହେବାକୁ କେବେ ଚେଷ୍ଟା କରେନା ।ଏତେ ଦିନ ଭିତରେ ସେ ଥରୁଟିଏ ବି ଅନୁଭବ କରିନି ବହି ପୃଷ୍ଠାରୁ ମୁହଁ ଉଠାଇ ସେ ତାକୁ ବା ଆଉ କାହାକୁ ଦେଖିବାର । ନିରାର ଷ୍ଟପେଜ ପୂର୍ବରୁ ସେ ସେଇ ନିର୍ଦ୍ଧିଷ୍ଟ ସିଟରେ ବସିଥାନ୍ତି ନିରା ଓଲ୍ହାଇବା ଯାଏ । ସେ ବୋଧେ ତା ଷ୍ଟପେଜ ର ଆହୁରି ଆଗକୁ ଯାଆନ୍ତି , କିନ୍ତୁ କେଉଁଠିକି ଯାଆନ୍ତି ସେ ଆଜି ଯାଏ ପଚାରି ପାରିନି । ସେ ଫେରିଲା ବେଳେ ପୁଣି ତାଙ୍କୁ ଦେଖେ ସେଇ ନିର୍ଦ୍ଧିଷ୍ଟ ସିଟରେ ବସି ଥିବାର ।

ନିରା ସେଦିନ ମନେ ମନେ ଖୁସିରେ ଅଧିର ହୋଇ ଉଠିଲା । ଯୁବକ ଜଣକ ତାର ସଦ୍ୟ ପ୍ରକାଶିତ କବିତା ସଂକଳନକୁ ଧରି ଖୁଵ ମନ ଦେଇ ପଢୁଥାନ୍ତି। ବହି ପଛରେ ତାର ଫଟୋ ଆଉ ଅଳ୍ପରେ ସେ ପ୍ରକାଶ କରିଥିବା ଅଭିବ୍ୟକ୍ତି ବି ଅଛି (ସବୁ କବିତା କୁ ନେଇ)। ଅବଶ୍ୟ ଫଟୋଟି ପୁରୁଣା। ନିରା ଦେହରେ ଶିହରଣ ଖେଳିଗଲା, ଆଃ ଏବେ ମୁହଁ ଟେକି ଟିକିଏ ଦେଖନ୍ତେ କି ତା ଆଡେ ! ସେ ଯେ କବିତା କୁ ଏତେ ଭଲ ପାଆନ୍ତି ଆଉ ଏବେକାର କବି ମାନଙ୍କୁ ବି ପଢନ୍ତି ସେ ଏବେ ଜାଣିଲା । ଆଗରୁ ତ ଭାବିଥିଲା ସେ କେବଳ ପୃଥିବୀ ବିଖ୍ୟାତ ଅଥର ଙ୍କ ବହିସବୁ ପଢ଼ନ୍ତି । ଆଜି ଯାଏ ବହୁ କଷ୍ଟ ରେ ନିଜର ଯେଉଁ ଆବେଗ, ଅନ୍ତର କଥାକୁ ଚାପି ରଖିଥିଲା ସେ ପୁଣି କୁଳ ଲଙ୍ଘିବାକୁ ତତ୍ପର ହେଲା । ତାର ଖୁଵ ଇଚ୍ଛା ହେଉଥିଲା ଦୌଡ଼ିକି ଯାଇ ତାଙ୍କ ପାଖରେ ଟିକିଏ ବସି ପଡ଼ନ୍ତା । ଖୁଵ ଆନ୍ତରିକତା ର ସହ ପଚାରି ଦିଅନ୍ତା ତା ଲେଖା ବିଷୟରେ, ତା ବହି ବିଷୟରେ ପଦେ । ମତାମତ କୁ ଗୁନ୍ଥି ରଖନ୍ତା ଛାତି ତଳେ । ତାଙ୍କ ପରି ଜଣେ ପାଠକ, ସମାଲୋଚକ ପାଇବା ତା ପାଇଁ କୌଣସି ସୌଭାଗ୍ୟ ଠୁ କମ ନୁହେଁ । ନା, ସେ ସେମିତି କିଛି କରି ପାରିଲାନି । ତାର ପ୍ରଚଣ୍ଡ ସ୍ୱାଭିମାନ, ଆତ୍ମ ସମ୍ମାନ ତାକୁ ପଛରୁ ଟାଣି ଧରିଲା । ନିରା ଆଜି ସିଟ ନ ପାଇ ବସ ଭିତରେ ଓହଳି ଥିବା ହେଣ୍ଡେଲ କୁ ଧରି ଛିଡ଼ା ହୋଇଥାଏ । ତା ପିଠିକୁ ଅଧା ଆଉଜି ପଡିଥାଏ ଜଣେ ଉତ୍ତଶୃଙ୍ଖଳ ଲୋକ । ସେ ଖୁଵ ଅସହଜ ହୋଇ ପଡୁଥାଏ । କିଛି ବାଟ ଗଲା ପରେ ଯୁବକଙ୍କ ପାଖ ସିଟଟା ଖାଲି ହୋଇଗଲା ସୌଭାଗ୍ୟକ୍ରମେ। ନିରା ପୁଣି ଏକ ସୁଯୋଗ ପାଇଲା ନିକଟତର ହେବାପାଇଁ ହେଲେ ସେ ଜାଣେ କିଛି ହେବନାହିଁ । ସେ ତ ପଥର ମୂର୍ତ୍ତି ଟିଏ । ଅନୁରାଗ ର ସମ୍ପର୍କ ଯୋଡ଼ିବାକୁ ଆତ୍ମାଟିଏ ଲୋଡ଼ା , ତାହା ତାଙ୍କ ପାଖରେ ନାହିଁ ବୋଧେ ।

ବହିଟି ପଢ଼ି ସାରି ଯୁବକ ଜଣକ ଲାପଟପ ବ୍ୟାଗରେ ରଖିବାକୁ ଗଲାବେଳେ ନିରା ଖୁଵ ନମ୍ରତାର ସହ ବହିଟି ମାଗିଲା । ବହିକୁ ଖୋଲି ଦେଖିଲା ଶହେ ଦଶ ପୃଷ୍ଠାରୁ , ସତୁରି ପୃଷ୍ଠା ଯାଏ ପଢା ସରିଛି । ପୃଷ୍ଠାର ଡାହାଣ କୋଣରେ ଖୁଵ ଯତ୍ନରେ ଭାଙ୍ଗ ଦିଆ ହୋଇଛି । ଠିକ ସେଇ ପୃଷ୍ଠା ମଝିରେ ଖୁଵ ସନ୍ତର୍ପଣରେ ଫୋଲଡ଼ କରା ହୋଇଥିବା ଏକ ଛୋଟ କାଗଜ ସେ ରଖିଦେଲା ତା ପରେ ବହିଟି ବଢ଼ାଇ ଦେଲା ଯୁବକଙ୍କ ହାତକୁ । ଭାଗ୍ୟ ଭଲ ନିରା ହାତରୁ ବହିଟି ନେଇ ସେ ସିଧାସଳଖ ବ୍ୟାଗରେ ରଖିଲେ । ଏକ ଦୀର୍ଘ ନିଶ୍ଵାସ ନେଲା ସେ.... ପରିଶେଷରେ ଶେଷ ରାସ୍ତା...ଶେଷ ଥର ପାଇଁ ଉଦ୍ୟମ, ଫଳବତୀହେବାର କୌଣସି ଆଶା ନ ରଖି । ଦେଖାଯାଉ କଣ ହେଉଛି....

ତହିଁ ପରଦିନ ସେ ନିର୍ଦ୍ଦିଷ୍ଟ ସିଟକୁ ଅନାଇ ଚମକି ପଡିଲା ନିରା । ସିଟ ଫାଙ୍କା କିନ୍ତୁ ସିଟ ଉପରେ ବହିଟିଏ ପଡିଛି ..ଅଥର... ସାମନ୍ଥ ଦାଉନିଙ୍ଗ... ତାଙ୍କର ଏକ ପ୍ରଖ୍ୟାତ ନଭେଲ " ମାଇଁ ଲୋଭଲି ୱାଇଫ "। ବସର କ୍ଲିନର ନିରାକୁ ଅନାଇ କହିଲା ...ମ୍ୟାଡ଼ମ ସାର ଏ ସିଟଟି ଆପଣଙ୍କ ପାଇଁ ରଖିଛନ୍ତି ଆଉ ଏ ବହିଟି ଆପଣଙ୍କୁ ଦେବାକୁ କହିଲେ । ନିରା କୁ ଏକ ଶକ୍ତ ଧକ୍କା ଲାଗିଲା । ମନେ ହେଲା କିଏ ଯେମିତି ଛୁରୀରେ ତା ଛାତିକୁ ବାରମ୍ବାର ଆଘାତ କରୁଛି । ସେ ଲହୁ ଲୁହାଣ ହେଉଛି। ଖୁଵ ଆଶଙ୍କାର ସହିତ ବହିଟିର ପୃଷ୍ଠାକୁ ଲେଉଟାଇବା ଆରମ୍ଭ କଲା । ଠିକ ଯେଉଁ ପୃଷ୍ଠାରେ ସେ ତାର ଦୁଇ ଧାଡ଼ିଆ ଚିଠିଟି ରଖିଥିଲା, ଏଇ ବହିର ଠିକ ସେଇ ପୃଷ୍ଠାରେ ସେ ତାର ଉତ୍ତର ଫେରାଇଥିଲେ । ....ଅପେକ୍ଷା କରିବ ଯଦି ଆମର ଆଉ ଥରେ ଦେଖାହେବ..... ।

ନିରା କିଛି ବୁଝି ପାରିଲାନି । ଅପେକ୍ଷା , କେତେଦିନ କାହିଁକି ? ତା ମନରେ ଅନେକ ପ୍ରଶ୍ନ ଉଠିଲା । ସେ ଅବଶ୍ୟ ବ୍ୟକ୍ତିଗତ ଭାବେ ଦେଖା କରିବାକୁ ଚାହୁଁଥିଲା ହେଲେ ତାଙ୍କର ବହି ପଢ଼ିବାର ଝୁଙ୍କ ଦେଖି ତାଙ୍କ ପ୍ରତି ସ୍ୱତଃ ଆକର୍ଷିତ ହୋଇଥିବା କଥା ତ କେବେବି କେଉଁଠି କହି ନ ଥିଲା । ତେବେ ସେ କଣ ଧରା ପଡି ଯାଇଛି ତାଙ୍କ ପାଖେ...ଲୁଚି ଲୁଚି ଦେଖିବା ବେଳେ । ତାର ଆକୁଳତାକୁ କେମିତି ମାପି ପାରିଲେ ଥରୁଟିଏ ବି ତା ଆଡେ ଦୃଷ୍ଟି ନ ଫେରେଇ । ନିରା ଗୋଟା ପଣେ ଝାଳରେ ବୁଡିଗଲା । ତାକୁ ସବୁ ଫିକା ଫିକା ରଙ୍ଗହୀନ ଲାଗୁଥିଲା ।

ନିରା ସେମିତି ଉଦାସ ମନରେ ସେଇ ଏକା ବସରେ ପ୍ରତିଦିନ ଯାଏ ଆସେ, କାଳେ କେବେ ପୁଣି ଦେଖା ହୋଇଯିବ । ସେ ଧରି ନେଇଛି ସେମିତି ଅପେକ୍ଷା ର କିଛି ଅର୍ଥ ନ ଥାଏ । ଯେଉଁଠି ପରସ୍ପରକୁ ବୁଝିବାର ନିରୋଳା ଅବସର କି ଅବକାଶ ଟିଏ ନ ଥିଲା ତାପରେ ପୁଣି ଅପେକ୍ଷା କିଏ, କାହାକୁ କାହିଁକି ବା କରିବାକୁ ଯିବ ଯେ ?

ନିରାର ପି.ଏଚ.ଡି ସରି ଆସିଲାଣି । ତାକୁ ବ୍ୟବସ୍ଥିତ କରିବାକୁ ବାପା, ମା ତା ପାଇଁ କୁଆଡେ ଯୋଗ୍ୟ ବର ଟିଏ ଦେଖି ସାରିଛନ୍ତି । ବାପା ହାର୍ଟ ପେସେଣ୍ଟ ମନା କଲେ ତାଙ୍କ ଇଚ୍ଛା ବିରୁଦ୍ଧରେ ଗଲା ପରି ହେବ । ନା ତାଙ୍କୁ ଆଘାତ ଦେଇ ପାରିବନି ସେ । ଶେଷଥର ପାଇଁ ଯୁବକଙ୍କୁ ଖୋଜି ଖୋଜି ସେ ବସର ପ୍ରଥମ ଷ୍ଟପେଜ ରୁ ଶେଷ ଷ୍ଟପେଜ ଯାଏ ଗଲା । କିଛି ଲୋକଙ୍କ ଠୁ ତାଙ୍କ ବିଷୟରେ ଖୋଜ ଖବର ନେବାକୁ ଚେଷ୍ଟା ବି କଲା ହେଲେ କୌଣସି ସଠିକ ଖବର ପାଇଲାନି । ଗୋଟିଏ ଶୂନ୍ୟତା ଓ ଖାଲି ପଣ କୁ ଛାତିରେ ଚାପି ରଖି ଗାଁ ମୁହାଁ ହେଲା ସେ।

ଗାଁ ରେ ପହଁଚିଲା ବେଳକୁ ବାହାଘର କାର୍ଡ ଛପା ହୋଇ ବଣ୍ଟା ସରିଲାଣି । କାର୍ଡ ଉପରେ ଛାଟା ଅକ୍ଷର ରେ ଲାଲ ଆଉ ହଳଦୀ ମିଶା ରଙ୍ଗରେ ଦୁଇଟି ନାଁ ନିରା ୱେଡ଼ସ ରାଜେଶ ଦେଖି କିଛି ସମୟ ପାଇଁ ସ୍ଥାଣୁ ପାଲଟି ଗଲା ନିରା । ସମୟ କେତେ ଜଲ୍ଦି ଡେଣା ମେଲି ଉଡି ଚାଲିଗଲା । ଅପେକ୍ଷା ପରି ଶବ୍ଦ ବେଳେ ବେଳେ ଖୁଵ ଅପରିଚିତ ହୋଇଯାନ୍ତି । ସବୁକିଛି ଏକ ରହସ୍ୟ ହୋଇ ରହିଗଲା ।

ନିରା ପରି ଏକ ଶାନ୍ତ, ସରଳ ଆଉ ପାଠ ମନସ୍କ ଝିଅ ସବୁ କଥା ବାପା ମାଙ୍କ କହିବା ଅନୁସାରେ କରି ଆସିଛି, ଏମିତି କି ତାର ପି.ଏଚ.ଡି ର ବିଷୟବସ୍ତୁ ବି " ପେରେଣ୍ଟ ସେଣ୍ଟିମେଣ୍ଟ ଆଣ୍ଡ ମେରେଜେସ "। ଏତେ ବାଧ୍ୟ ମନଟି କିନ୍ତୁ ଆଜି ସ୍ୱଇଚ୍ଛା ରେ ବାଧ୍ୟ ହେଉ ନ ଥିଲା । କୋଉଠି ନା କୋଉଠି ଏକ ଶୂନ୍ୟତା ତା ଭିତରର ସେଇ ଶୃଙ୍ଖଳିତ ମନ ଟିକୁ ଅବାଧ୍ୟ ହେବାକୁ ବାଧ୍ୟ କରୁଥିଲା । ହେଲେ ସମୟ କାହିଁ ହାତରେ ....ବାପା କାର୍ଡ ଛାପି ବାଣ୍ଟି ସାରିଲେଣି। ବାହାଘର ସାମଗ୍ରୀ କିଣା ସରିଲାଣି। ଘର ଦ୍ୱାର ରଙ୍ଗ ମାଖି ଚମକି ଉଠିଲାଣି । ସେ କେବଳ ଏତିକି ଶୁଣିଛି ପୁଅ ଆଇ.ପି.ଏସ । ବାହାଘର ପରବର୍ତ୍ତୀ ଜୀବନରେ ଝିଅଟି କଣ ପୁଅର ଉଚ୍ଚ ପଦବୀ ଆଉ ବିଡା ବିଡା ଟଙ୍କା ଦେଖିଲେ ହିଁ ଖୁସି ହେବ ? ଅନେକ ଦ୍ଵନ୍ଦ ରେ ନିରା ହେଲେ ଖୁଵ ଅସହାୟ ବି...

ଧୁମଧାମରେ ବିବାହ ସରିଗଲା । ନିଜ ଭିତରେ ଖୁଵ ବେଶୀ ଉତ୍ସାହ ଅନୁଭବ କରି ପାରୁ ନ ଥିଲା ସେ । କନ୍ୟା ବିଦାୟ ବେଳେ ବାପା ମା ଙ୍କ କୋଳରେ ମୁହଁ ଲୁଚାଇ ଖୁଵ କାନ୍ଦିଲା । କାନ୍ଦି କାନ୍ଦି ଏକ ପ୍ରକାର ବେହୋସ ହୋଇଗଲା। ବନ୍ଧୁ ବାନ୍ଧବ ସମସ୍ତେ ଦୌଡ଼ି ଆସିଲେ । କନ୍ୟା ବିଦାୟ ପାଇଁ ଉଦ୍ଧିଷ୍ଟ କାରରେ ଅପେକ୍ଷାରତ ଥିବା ରାଜେଶ କାରରୁ ଓହ୍ଲାଇ ଆସିଲେ । ନିରାର ହାତ ଧରି ଡାକିଲେ ...ନିରା.... ନିରା...

କାନ୍ଦି କାନ୍ଦି ବୁଜି ହୋଇ ଯାଇଥିବା ଆଖି ପତାରେ ନିରା ଭାବୁଥାଏ କେଉଁଠୁ ଆସୁଛି ଏ ପରିଚିତ ସ୍ୱର ...କେତେ ଆପଣାର ସେ ଡାକ.. କେତେ ମାଦକଭରା ସେ ଶବ୍ଦ ଉଚ୍ଚାରଣ ...ସ୍ୱପ୍ନ ନା ସତ ? ଧୀରେ ଧୀରେ ଆଖିପତା ଖୋଲିଲା ...ସେ ତ ସେଇ ବସର ପୁଅଟିକୁ ଦେଖୁଛି.. ଏଇ ତେବେ ରାଜେଶ, ଯିଏ ତାକୁ ଅପେକ୍ଷା ରୂପକ ଶବ୍ଦର ପାହାଡ଼ ଉପରେ ଏକାକୀ ଛିଡା କରି ଚାଲି ଯାଇଥିଲେ । ରାଜେଶ ତାକୁ ଚାହିଁ ଧୀରେ ଧୀରେ ହସୁଥିଲେ । କନ୍ୟା ବିଦାୟ କରି ନେଲା ବେଳେ କାରରେ ନିରାର ହାତକୁ ନିଜ ହାତରେ ନେଇ ସେ କହିଲେ " ମୁଁ ଜଣେ ନିରୋଳା ପାଠକ ନିଶ୍ଚୟ କିନ୍ତୁ ଜାଣି ଶୁଣି ଜଣେ ସର୍ବଗୁଣ ସମ୍ପର୍ଣ୍ଣା ଆଉ ସୁନ୍ଦରୀ ଝିଅକୁ ଗୁରୁତ୍ୱ ନ ଦେବା ବି ତାକୁ ପାଇବାର ଏକ ଅଭିନବ ଷଡଯନ୍ତ୍ର ହିଁ ଥିଲା । ନିରା ଆଖିରୁ ଟପ ଟପ ଲୁହ ବିନ୍ଦୁ ଖସୁଥିଲା ଅଥଚ ଓଠରୁ ଝରି ପଡୁଥିଲା ତାରା ଗୁଣ୍ଡ ପରି ହସ ।


Rate this content
Log in

Similar oriya story from Drama