ବୋଲବୋମ
ବୋଲବୋମ
ଧର୍ମ ବିଶ୍ୱାସୀ ଭାରତୀୟ ଜାତିର ଲୋକ ସଂସ୍କୃତିରେ ଭରି ରହିଛି ଅସାମାନ୍ଯ ଦୈବୀ ବିଶ୍ବାସ। ଆପଣାର ରିଷ୍ଟ ଖଣ୍ଡନ ପାଇଁ, ଇଷ୍ଟଙ୍କ ଦୟାରୁ ସୁଖମୟ ସୁସ୍ଥ ଜୀବନ ଯାପନ ପାଇଁ ସ୍ୱାସ୍ଥ୍ୟ, ଆୟୁବୃଦ୍ଧି, ଆରୋଗ୍ଯ, ଧନ-ଜନ-ଯଶ ଖ୍ୟାତି ପାଇଁ ମଧ୍ୟ ଭାରତୀୟ ମାନେ ପ୍ରତି ଘରେ ଘରେ ଭିନ୍ନ ଭିନ୍ନ ଓଷା ଓ ବ୍ରତକୁ ନିଷ୍ଠାର ସହିତ ପାଳନ କରିଥାନ୍ତି। କର୍ମରତ ପ୍ରାଣକୁ ନିତ୍ୟ-ନୂତନ ଭାବ ଭାବନାରେ ଉଦବୁଦ୍ଧ କରି ଗତି ତୋଳିବା ପାଇଁ, କର୍ମମୟ ଜୀବନରେ ଶାନ୍ତି-ସନ୍ତୋଷ, ସୌହାର୍ଦ୍ଦ୍ୟ-ଶିଷ୍ଠତା ରକ୍ଷା କରି କିଛି ପରିବର୍ତ୍ତନ ଆଣିବା ପାଇଁ ପର୍ବ-ପର୍ବାଣୀ ଗୁଡିକ ଆଦର-ଆନନ୍ଦ, ଆଗ୍ରହ ଓ ଆନ୍ତରିକତାର ସହିତ ପାଳନ କରାଯାଏ, ବେଳେ ବେଳେ ଧର୍ମପ୍ରାଣ ଭାରତ ଜାତି କେତେକ ମାନସିକ ପୂରଣ ପାଇଁ ମଧ୍ୟ କେତେକ ପର୍ବ-ପର୍ବାଣୀ ପାଳନ କରିଥାନ୍ତି। ସେଥିମଧ୍ୟରୁ ବୋଲବୋମ ଅନ୍ୟତମ।
ମୋ ବିଭାଘର ତିନି ବର୍ଷ ପର୍ଯ୍ୟନ୍ତ କୌଣସି ସନ୍ତାନ ସନ୍ତତି ହୋଇନଥିଲେ। ବାପା ମାଆଙ୍କର ସ୍ୱପ୍ନ ଥିଲା ସେ କିଭଳି ଗୋଟିଏ ସୁନ୍ଦର ନାତି କିମ୍ବା ନାତୁଣୀ ଦେଖିବେ। ତାଙ୍କ ମନର ଆଶା ଓ ଅଭିଳାଷକୁ ଦେଖି ଆମର ସନ୍ତାନ ସନ୍ତତି ଶୀଘ୍ର ନ ହେବାରୁ ମୁଁ ଗଭୀର ଦୁଃଖ ପ୍ରକାଶ କରୁଥାଏ। ଗାଁ ଭିନ୍ନେ ଭିନ୍ନେ ମଣିଷ ଏକା। ସେଥିପାଇଁ ମୋ ସ୍ତ୍ରୀଙ୍କୁ ଅନେକ କଥା ଶୁଣିବାକୁ ପଡୁଥାଏ ମଧ୍ୟ। କାରଣ ଏବେ ବି ଅନ୍ଧବିଶ୍ୱାସ ଆଧୁନିକ ସମାଜରେ ପରିପୂର୍ଣ୍ଣ ହୋଇରହି ଅଛି। ଗୋଟିଏ ସ୍ତ୍ରୀ ଲୋକର ସନ୍ତାନ ସନ୍ତତି ନହେଲେ ବନ୍ଧ୍ୟା ଦୋଷ ଯୋଗୁଁ ତାଙ୍କୁ ସମାଜରେ ଅଶୁଭ ସୁଚିତ କରି ଲୋକମାନେ ନାନା କଥା କହିଥାନ୍ତି। ଯାହାକି ତାହା ମଧ୍ୟ ଆମକୁ ଶୁଣିବାକୁ ପଡିଥିଲା। ମର୍ମାହତ ହୋଇ ଯାଇଥିଲୁ ଆମେ। ଡାକ୍ତରୀ ଚିକିତ୍ସା ମଧ୍ୟ କଲୁ। ଠିକ ବୋଲବୋମ ମାସରେ ଆମେ ଦେବଗଡରୁ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ନେଇ ଫେରୁଥାଉ। ବସର ଝରକା ପାଖରେ ମୋ ସ୍ତ୍ରୀ ବସିଥାନ୍ତି।
ତାଙ୍କର ଦୃଷ୍ଟି ପଡିଲା ଦଳେ ପିଲା ବୋଲବୋମ ଭକ୍ତ ଭାବରେ କାନ୍ଧରେ ପାଣି ନେଇ ନିକଟରେ ଥିବା ଝାଡେଶ୍ୱର ମନ୍ଦିର ନିକଟକୁ ଯାଉଛନ୍ତି। ସେ ମୋତେ କହିଲେ ତମେ ଶିବ ମହାପ୍ରଭୁଙ୍କୁ ପ୍ରାର୍ଥନା କର। ସେ ନିଶ୍ଚୟ ଆମ ଡାକ ଶୁଣିବେ। ତମେ ମଧ୍ୟ ବୋଲବୋମ ବ୍ରତ ପାଳନ କର। ଆଶା ଓ ବିଶ୍ବାସ ଜନ୍ମିଥିଲା ମୋ ମନରେ। ପ୍ରଭୁ ଶିବଙ୍କୁ ପ୍ରାର୍ଥନା କଲି ଏବଂ ସେହି ବର୍ଷ ଠାରୁ ବୋଲବୋମ କଲି। ଠିକ ମୋର ବୋଲବୋମ ବ୍ରତ ପାଳନ କରିବାର ଏକ ବର୍ଷ ପରେ ଆମ କୋଳକୁ ଆସିଥିଲା ଗୋଟିଏ କନ୍ୟା ସନ୍ତାନ। ଖୁସିର ଲହରୀ ଖେଳି ଯାଇଥିଲା ଆମ ପରିବାର ମଧ୍ୟରେ।
ବିଶେଷ କରି ମୋ ମାଆ ବାପା ବହୁତ ଖୁସି ଅନୁଭବ କରିଥିଲେ। ମୁଁ ଖୁସିରେ ଆତ୍ମବିଭୋର ହୋଇ ଯାଇଥିଲି। ମୋ ମନର ବହୁତ ଦିନର ଆଶା ପୁରଣ ହୋଇଯାଇଛି। ଆଜି ମୁଁ ବାପା ହୋଇଯାଇଛି। ସମସ୍ତ ଭାଇ, ବନ୍ଧୁ, ବାନ୍ଧବଙ୍କୁ ଅତି ଖୁସିରେ ଖବରଟିକୁ ଜଣାଇଥିଲି। ଯଥା ଶୀଘ୍ର ଡାକ୍ତର ଖାନାରୁ ଘରକୁ ନେଇ କନ୍ୟା ସନ୍ତାନ ସହ ଘରକୁ ଫେରିଲୁ। ଖୁସିର ସହିତ ସାହି ପଡିଶାଙ୍କୁ ମିଠା ମଧ୍ୟ ବଣ୍ଟନ କଲୁ। ମିଠା ବଣ୍ଟନ କରି ମୁଁ ଘରକୁ ଫେରିବା ପରେ ମୋ ମାଆ ମୋତେ ଯାହା କହିଲା ମୋ ପାଦ ତଳୁ ମାଟି ଖସିଗଲା ପରିଲାଗିଲା। କହିଲା ତୁ ଖୁସିରେ ମିଠା ବାଣ୍ଟିଲେ କ'ଣ ହେବ? ତୋ ଝିଅ ତା ମାଆ ସ୍ତନରୁ ଆଦୌ କ୍ଷୀର ପିଉନାହିଁ। ଆମେ ଅନେକ ଚେଷ୍ଟା କରିଥିଲୁ। ତା'କୁ ପିଆଇବା ପାଇଁ, ଡାକ୍ତର ପରାମର୍ଶ ମଧ୍ୟ କଲୁ। କିନ୍ତୁ କୌଣସି ଫଳ ମିଳିଲା ନାହିଁ। ଶିଶୁଟି ଖାଦ୍ୟ ଅଭାବରୁ ଦୁର୍ବଳ ହୋଇ ପଡିଲା। ଆମ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଲା। ଅନେକ ଲୋକ ଅନେକ ପରାମର୍ଶ ଦେଇଥିଲେ। ଅନେକ ଉପାୟ ଅବଲମ୍ବନ ପରେ ବି ସେ ପିଇଲା ନାହିଁ।
ଏବେ ମୁଁ ପୁନର୍ବାର ଭଗବାନ ଶିବଙ୍କୁ ମନେ ପକାଇଲି। ମାନସିକ ରଖିଲି ମୋ ଝିଅ ଯଦି ତା' ମାଆ ଠାରୁ ପିଏ ସେ ମଧ୍ୟ ବୋଲବୋମ କରିବ। ଠିକ୍ ଘଣ୍ଟାଏ ନ ପୁରୁଣୁ ମୋ ଝିଅ ତା' ମାଆ ଠାରୁ ପିଇବା ଆରମ୍ଭ କରିଥିଲା। ବୋଧହୁଏ ଏହା ଥିଲା ପ୍ରଭୁ ଶିବଙ୍କର ମୋ ପ୍ରତି ପରୀକ୍ଷା ଓ ଅଭିମାନ। କାରଣ ମୁଁ ଖୁସିରେ ପାଗଳ ହୋଇ ମୋ ଖୁସି ସମସ୍ତଙ୍କୁ ଜଣାଇଥିଲି କିନ୍ତୁ ପ୍ରଭୁ ଶିବଙ୍କୁ ଥରୁଟିଏ ବି ମନେ ପକାଇନଥିଲି। ତେଣୁ ଭଗବାନଙ୍କୁ ଆମେ ସର୍ବଦା ମନେ ପକାଇବା ଉଚିତ୍। ଦୁଃଖରେ ହେଉ କିମ୍ବା ସୁଖରେ ହେଉ। ଭଗବାନଙ୍କୁ ସର୍ବଦା ସ୍ମରଣ କରିବା ଉଚିତ୍। ଏଭଳି ଘଟଣାରୁ ମୁଁ ଉପଲବ୍ଧ କରିଥିଲି ଯେ ଭଗବାନ ମଧ୍ୟ ଅଭିମାନ କରନ୍ତି କାରଣ ସେ ଆମକୁ ବହୁତ ଭଲ ପାଆନ୍ତି।
