କର୍ମ ହିଁ ଧର୍ମ
କର୍ମ ହିଁ ଧର୍ମ
ସମ୍ବଲପୁର ଜିଲ୍ଲାର ଯୁଜୁମରା ବ୍ଲକ। ଏହି ବ୍ଲକରେ ପ୍ରଧାନପାଲି ଗୋଟିଏ ଗାଁ। ଏ ଗାଁରେ ସବୁ ଜାତିର ଲୋକ ବାସ କରନ୍ତି। ଉମାଶଙ୍କର ସେ ଗ୍ରାମ ପଞ୍ଚାୟତର ସରପଞ୍ଚ। ଥରେ ସେ ଗ୍ରାମର ସମସ୍ତ ସଭ୍ୟଙ୍କୁ ଏକାଠି କଲେ। ଗ୍ରାମର ପଟାପଥର ପ୍ରାଙ୍ଗଣରେ ସମସ୍ତ ଯୁବକ ସମେତ ବରିଷ୍ଠ ଉଦ୍ରବ୍ୟକ୍ତି ମାନେ ଦିବା ୪ଘଣ୍ଟିକା ସମୟରେ ଉପସ୍ଥିତ ହେଲେ। ଗାଁର ମୁଖିଆ ସୋମନାଥ ଦଳବେହେରାଙ୍କୁ ଡକା ଯାଇଥାଏ। ବିଧି ଅନୁଯାୟୀ ସୋମନାଥଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ କରାଗଲା; ଉମାଶଙ୍କର ବାବୁ ପ୍ରଥମେ ସଭାର ଉଦ୍ଦେଶ୍ୟ ବୁଝାଇବାକୁ ଯାଇ କହିଲେ, "ସଭାପତି ମହୋଦୟ, ବରିଷ୍ଠ ଉଦ୍ରବ୍ୟକ୍ତି ଗଣ ଓ ଯୁବକ ଭାଇମାନେ, ଆମେ ଏ ଗାଁର ବାସିନ୍ଦା। ଆମ ପଞ୍ଚାୟତରେ ଆମ୍ଭ ଗ୍ରାମଟି ସବୁଠାରୁ ବଡ଼ ଗାଁ। ଗ୍ରାମର ଉନ୍ନତି ନିମିତ୍ତ ଗମନା ଗମନର ସୁବିଧା ନିତ୍ୟନ୍ତ ଆବଶ୍ୟକ। ଆମ ଗ୍ରାମର ବିଦ୍ୟାପୀଠ ଠାରୁ NH-6କୁ ସଂଯୋଗ କରୁଥିବା ରାସ୍ତାଟି ପୁରାପୁରି ଖରାପ ହୋଇ ଯାଇଛି। ଏହି ରାସ୍ତାଟିକୁ ମରାମତି କରିବା ଉଚିତ୍। ସେଥିପାଇଁ ସରକାରଙ୍କ ଉନ୍ନୟନ ଫଣ୍ଡରୁ ମୁଁ ପାଞ୍ଚଲକ୍ଷ ଟଙ୍କା ମଞ୍ଜୁର କରାଇଛି। ସରକାରଙ୍କ ନିର୍ଦ୍ଦେଶ ଏହାକୁ ଯଥାଶୀଘ୍ର ସମାପନ କରିବାକୁ ହେବ। ତେଣୁ ନିୟମାନୁଯାୟୀ ପଲ୍ଲୀ ସଭାରେ ଚୟନ କରାଯାଇଥିବା ବ୍ୟକ୍ତି ଏ ମରାମତି କାର୍ଯ୍ୟକୁ କରିବେ। ତେଣୁ ଆପଣ ଉକ୍ତ ସଭାରେ ଉପଯୁକ୍ତ ଠିକାଦାର ଚୟନ କଲେ ତାଙ୍କ ନାମରେ କାର୍ଯ୍ୟାଦେଶ ପ୍ରକାଶ କରାଯିବ। ଏବେ ନିଷ୍ପତ୍ତି ଆପଣଙ୍କର।"
ସେତିକିରେ ଆରମ୍ଭ ହୋଇଗଲା ହୋ-ହାଲା; ବିଭିନ୍ନ ବ୍ୟକ୍ତିଙ୍କ ମତାମତ ଭିନ୍ନ ପ୍ରକାରର; କିଏ କହିଲା ଶଙ୍କରା କରିବ ତ କିଏ କହିଲା ବଡବାବୁ ପୁଣି କିଏ କହୁଛି ନା-ନା। ଇଏ ଠିକ ନୁହଁ; ପ୍ରାଣବନ୍ଧୁ ଭଲ ଟୋକା ଏ କାର୍ଯ୍ୟଟି କରିବା ପାଇଁ ସେ ଉପଯୁକ୍ତ। ଏମିତି ଅନେକ ମତ ଆସିଲା; ଯଦ୍ୱାରା ଏହାକୁ ଭଦ୍ରବ୍ୟକ୍ତି ମାନେ କିଭଳି ନିର୍ଣ୍ଣୟ କରିବେ ମୁଣ୍ଡରେ ପଶୁନଥାଏ। ସଭାଟିର ରୂପ ତୀବ୍ରଧାରଣ କଲା; କିଛି ଲୋକ ନୀରବ ଦ୍ରଷ୍ଟା ହୋଇଥାନ୍ତି ତ କିଛି ଲୋକ ଉତ୍ତେଜିତ ହୋଇ ରହିଥାନ୍ତି, ଆଉ କେତେକ ସୁରା ପାନ କରି ଅଲୋଡାବାଣୀ ଗୁଡିଏ ଶୁଣାଉଥାନ୍ତି। ଏଭଳି ପରିପ୍ରେକ୍ଷୀରେ ବାତାବରଣକୁ ଶାନ୍ତ କରିବା ପାଇଁ ଟିକେଶ୍ୱର ବାବୁ କହିଲେ; ଭାଇମାନେ ମୁଁ ଏକ ପ୍ରସ୍ତାବ ଦେଉଛି; ଆପଣଙ୍କ ମନକୁ ପାଇଲେ ଏହା ଗୃହିତ କରିବା; ମୋ ମତ ଅନୁଯାୟୀ ଇଚ୍ଛୁକ ପ୍ରାର୍ଥୀମାନଙ୍କ ନାମ ଗୁଡିକ ଏକ ତାଲିକା ପୁସ୍ତକ କରାଯାଉ ଏବଂ ଅଦ୍ୟ ଠାରୁ ଗ୍ରାମର କୌଣସି ଉନ୍ନୟନ କାମ କରାଗଲେ କ୍ରମିକ ଅନୁଯାୟୀ ସେମାନଙ୍କୁ ଜଣଙ୍କ ପରେ ଜଣଙ୍କୁ ଗ୍ରାମ୍ଯ କମିଟି କାର୍ଯ୍ୟ ପାଇଁ ଅନୁମତି ଦେଉ ଯଦ୍ୱାରା ଇଚ୍ଛୁକ ଠିକାଦାର ମାନଙ୍କର ମନ ଦୁଃଖ ହେବ ନାହିଁ। ସେମାନେ ସମସ୍ତେ ଠିକ କାର୍ଯ୍ୟ ପାଇ ପାରିବେ।
ସଭାରେ ଅନେକ ବ୍ୟକ୍ତିଙ୍କ ମତ ଅନୁଯାୟୀ ସଭାପତି ଘୋଷଣା କଲେ ଯେ; ତେବେ ଆମ୍ଭ ଗ୍ରାମରେ ଠିକା କାର୍ଯ୍ୟ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ତାଙ୍କର ନାମାଙ୍କନ ତାଲିକାରେ ନାମ ଉଲ୍ଲେଖ କରନ୍ତୁ। ଏବେ ପ୍ରସ୍ତୁତ ହେଲା ତାଲିକା। ସିକନ୍ଦର ବାବୁ ଖାତା ଧରି ଆରମ୍ଭ କଲେ ନାମ ଲେଖା; ଆଗ୍ରହୀ ପ୍ରାର୍ଥୀ ସେମାନଙ୍କର ନାମକୁ ପଞ୍ଜୀକୃତ କରାଇଲେ ହେଲେ ଆଶ୍ଚର୍ଯ୍ୟର କଥା; ସିକନ୍ଦର ବାବୁଙ୍କ ଲେଖା ସମାପ୍ତ ହେଉନାହିଁ। ପାଖାପାଖି ଦେଢସହ ଘର ମଧ୍ୟରୁ ନାମ ଆସି ପହଞ୍ଚିଲା ୬୮ଜଣ ଠିକାଦାରଙ୍କର ଏବେ ପୁନଃ ବିଚାର। ୬୮ଜଣଙ୍କ ମଧ୍ୟରୁ କିଏ କରିବ ଏଇ ୧ନଂ କାମଟି। ୬୮ଜଣ ଯାକ ପ୍ରାର୍ଥୀଙ୍କର ଆଗ୍ରହ ସେମାନେ ଏଇ ରାସ୍ତା କାମଟି କରିବେ। ଇଏ ତ ଆହୁରି ଅଡୁଆରେ ପକାଇଲା ଭଦ୍ରଲୋକ ମାନଙ୍କୁ; ପ୍ରଥମେ ତ ହେଲେ ପାଞ୍ଚ ଛଅ ଜଣଙ୍କ ମଧ୍ୟରୁ ଚୟନ କରିବାକୁ ପଡୁଥିଲା ହେଲେ ଏବେ ..... ଇଏ ତ ଆହୁରି ଜଟିଳ। ସଭାପତି ମହୋଦୟ; ପୁଣି ଗୋଟିଏ ମତ ରଖିଲେ; କହିଲେ; ଏହା ହେଉଛି ମା' ଶରଣୀପାଟଙ୍କ ପୀଠ। ତାଙ୍କରି ଉପରେ ଆମ୍ଭେ ଏ ବିଚାରକୁ ଛାଡିଦେବା; ସିକନ୍ଦର ବାବୁ ଆପଣ ଚିରକୁଟ କାଗଜ ପ୍ରସ୍ତୁତ କରନ୍ତୁ; ଆମ୍ଭେ ଏହି କାର୍ଯ୍ୟଟିର ଠିକାଦାର ଚୟନ 'ଧର୍ମଗୁଳା' ମାଧ୍ୟମରେ ନିର୍ଣ୍ଣୟ କରିବା; ଏ କଥା ସମସ୍ତଙ୍କ ମନକୁ ଏବେ ପାଇଲା; ସମସ୍ତେ ଖୁସି; ଏଇଟା ହେଉଛି ଠିକ ବିଚାର। ଏଇଠି ଆଉ ମୁହଁ ଦେଖା ଚଳିବ ନାହିଁ; ଯାହା ହେବ ମା'ଙ୍କ ନିର୍ଦ୍ଦେଶ। ଏବେ ଦଳ ବେହେରା ବାବୁ ସିକନ୍ଦର ବାବୁଙ୍କୁ କହିଲେ; ଠିକ ଅଛି ଆଜିର ଏ ସଭାରେ ହୋଇଥିବା ନିଷ୍ପତ୍ତିକୁ ଆପଣ ଅଧିବେଶନର ଆଭିମୁଖ୍ଯ ଓ ବିଚାର ସମ୍ବନ୍ଧୀୟ ଆଲୋଚନାକୁ ଲେଖି ଦିଅନ୍ତୁ।
ବର୍ତ୍ତମାନ ସିକନ୍ଦର ବାବୁ ରେଜୁଲେସନ ଲେଖା ଆରମ୍ଭ କଲେ; ନଗେଶ୍ୱର ଜଣେ ସେ ଗାଁର ପଢାପିଲା; ଏମ.ବି.ଏ ପାଠ ପଢି ସେ ଆସି ଗାଁରେ ରହୁଥାଏ। ସେ ସଭାରେ ଉପସ୍ଥିତ ଥିଲା। ଅନୁମତି ନେଇ ସେ କହିଲା; ଆପଣ ଯେଉଁ ରେଜୁଲେସନଟି ଲେଖୁଛନ୍ତି ସେଇଠି କେବଳ ଆଉ ଗୋଟିଏ ବାକ୍ୟକୁ ସଂଯୋଗ କରି ଦେବେ କି; ପ୍ରକାଶ ଥାଉକି ଆଜିଠାରୁ ଗ୍ରାମର କୌଣସି ନିଷ୍ପତ୍ତି ନିଆଗଲେ ଏହାକୁ ଧର୍ମଗୁଳା ମାଧ୍ୟମରେ ଚୟନ କରାଯିବ। ଯଥା-ଗ୍ରାମର ସଂପାଦକ ଚୟନ ହେଉ କି ଗ୍ରାମର ଭୋଜି ଭାତରେ ବାସନ କୁସନ ସଫା କରିବା ହେଉ। ତେବେ ପ୍ରଥମେ ନିୟମ ଅନୁଯାୟୀ ଧର୍ମଗୁଳା ଚୟନରେ ଆଗେ ଗ୍ରାମ୍ଯ କମିଟି ଗଠନ କରିବା ତା' ପରେ ଠିକାଦାର। ସଭାପତି ମହୋଦୟଙ୍କ ଚେତା ଝାଉଁ କଲା। ଆରେ ପିଲାଟାର ବୟସ କମ ହେଲେ ବି ଏକ ଉପଯୁକ୍ତ ମତ ଦେଉଛି। ସେଇଠି ନଗେଶ୍ୱର କହିଲା; ଯଦି ୬୮ଜଣ ଯୁବକ ଠିକାଦାର ବୋଲି ଭାବୁଛନ୍ତି ସେଇ ୬୮ଜଣଙ୍କ ସହ ଆଉ ଅନ୍ୟ ଘରର ଯେଉଁ ଯୁବକ ମାନେ ରହିଲେ ସମସ୍ତେ ସେଠି ମିଶି ଯାଆନ୍ତୁ। ଏ କାମଟିକି ମିଶି ଆମେ ସମସ୍ତେ କରିବା; ଆଉ ଯେଉଁ ଅର୍ଥ ମଞ୍ଜୁର ହେବ ଆମେ ଗ୍ରାମ ଫଣ୍ଡରେ ରଖିବା; ଖଗେଶ୍ୱର ବାବୁ କହିଲେ; ଖାଲି ଗାଁର ଯୁବକ ମାନେ କାହିଁକି ଗାଁର ସବୁ ଲୋକ ଏ କାମ କରିବେ। ଆଜି ତ ପହିଲି ରଜ। ଆହୁରି ରଜ ତିନି ଦିନ। ରଜରେ ତ କେହି ନିଜ କାମ କରନ୍ତି ନାହିଁ। ତେଣୁ କାଲି ସମସ୍ତେ ଏ କାମରେ ଲାଗି ଯିବେ।
ଆଉ ଜଣେ ଯୁବକ ମାନସ କହିଲା; କାଲି ଆମେ ପୁରୁଷ ଲୋକମାନେ ଏ ସବୁ କାମ କରିବାକୁ ଯିବା ସମୟରେ ପ୍ରତି ଘରୁ କିଛି ଚାଉଳ ପରିବା ଆଣି ସ୍ତ୍ରୀ ଲୋକମାନେ ରୋଷେଇ କରନ୍ତେ। ଆଗେ ସେଇ ଜନ୍ତାଳରେ ଖାଇଲେ ଭଲ ହୁଅନ୍ତା
ନାହିଁ।
ମାନସ କଥା ଶୁଣି ସରପଞ୍ଚ ଉମାଶଙ୍କର ବାବୁ କହିଲେ ' ପ୍ରତି ଘରୁ ଚାଉଳ ପରିବା ନଆଣି କାଲି ଖାଇବା ପାଇଁ ଯାହା ଖର୍ଚ୍ଚ ଲାଗିବ ମୁଁ ସେ ସବୁ ଦେବି '। ମାନସ ଭଲ ପ୍ରସ୍ତାବଟିଏ ଦେଇଛି। ସମସ୍ତେ ଉମାଶଙ୍କର ବାବୁଙ୍କୁ ଧନ୍ୟବାଦ ଦେଇ ଫେରିଲେ।
କଥା ଅନୁସାରେ ସେହି ରଜ ତିନି ଦିନ ଗାଁ ରାସ୍ତାଟିକୁ ମରାମତି କରାଗଲା; ଯାହା ଆବଶ୍ୟକୀୟ ଖର୍ଚ୍ଚ ସରପଞ୍ଚ ବାବୁ ବହନ କରିଥିଲେ। 'ଏକତା ହିଁ ବଳ' - ଏହି ପ୍ରବଚନଟି ପ୍ରଧାନପାଲି ଲୋକେ ଦେଖାଇ ଦେଲେ। ଗାଁ ଲୋକେ ନଗେଶ୍ୱରଙ୍କୁ ପ୍ରଶଂସା କରିବା ସହ ଉମାଶଙ୍କର ବାବୁଙ୍କ ଏପରି ଏକ ମହତ କାର୍ଯ୍ୟ ପାଇଁ ଧନ୍ୟ ଧନ୍ୟ କଲେ। ନଗେଶ୍ୱର ପରି ଏକ ଉଦୀୟମାନ ଯୁବକ ଯଦି ସବୁ ଗାଁରେ ରହିବେ ଗାଁର ନାଁ ଓ ଟେକ ବଜାୟ ରହିବ ବୋଲି କିଛି ଲୋକ କହିଥିଲେ, ଅନେକ ସ୍ୱୀକାର କରିଥିଲେ ଯେ ନଗେଶ୍ୱରଙ୍କ କଣ୍ଠରେ ମା' ଶରଣୀ ପାଟ ସରସ୍ବତୀ ରୂପେ ବିଜେ ହୋଇ ଦୃଷ୍ଟି ଆକର୍ଷଣ କରିଥିଲେ ଯେ କର୍ମ ହିଁ ଧର୍ମ।
