Shanti Mishra

Classics

2  

Shanti Mishra

Classics

ବିଧାତାର କି ବିବେକ ଶାନ

ବିଧାତାର କି ବିବେକ ଶାନ

6 mins
131


ଯୋଉଠି ନିଜର ଗୋଟାଏ ପେଟ ପୋଷିବା ବି ଭାରି କଷ୍ଟ ସେଠି ସେ ଆହୁରି ଚାରି ପିଲାଙ୍କ ବୋଝ କିପରି ଉଠେଇବ ଜାଣି ପାରୁନି “ଶାରଳା” l ତାର ଚାରି ଦିଗ ବର୍ତ୍ତମାନ ପୁରା ଅନ୍ଧାର l ତାର ଖୁସିର ସଂସାର ସୁଖ ଦୁଃଖରେ ଚାଲିଥିଲା l ସ୍ଵାମୀ ଅଟୋରିକ୍ସା ଚଳୋଉଥିଲା l ଶାଶୁ ତାର ଦୁଇ ଦୁଇଟା ହୋଇ ଚାରି ଜାଆଁଳା ପିଲାଙ୍କୁ ଦେଖା ରଖା କରୁଥିଲା l ସେ ଯାଇ ବାହାରେ କିଛି ଲୋକ ମାନଙ୍କ ଘରେ ବାସନ ମଜା ଲୁଗା ସଫା କାମ କରି କିଛି ରୋଜଗାର କରୁଥିଲା l ବେଶ୍ ସାତ ପ୍ରାଣୀ ଆରମରେ ଚଳି ଯାଉଥିଲେ l ସୁଖ ପ୍ରାଚୁର୍ଯ୍ୟରେ ନହେଲେ ବି ଦୁଃଖ ଅଭାବରେ ନୁହେଁ l

ଦୁଇଟି ଯାଆଁଳା ପୁଅ ଓ ଦୁଇଟି ଯାଆଁଳା ଝିଅଙ୍କ ହସ ଖେଳରେ ଘରର ଆନନ୍ଦ ଦ୍ଵିଗୁଣିତ ହେଉଥିଲା l ବୃଦ୍ଧା ଶାଶୁ ପିଲା ମାନଙ୍କ ସହିତ ପିଲା ହୋଇ ଦିନ ରାତି ତାଙ୍କ ସହିତ ଖେଳୁଥିଲେ ସେମାନଙ୍କୁ ଗପ କହୁଥିଲେ l ଶାଶୁଙ୍କର ସେମାନେ ଜୀବନ ଥିଲେ l ବଞ୍ଚିବାର ପ୍ରେରଣା ଥିଲେ l ଦିନେ ଶାଶୁଙ୍କୁ ଜର ହେଲା l ଛଅ ଦିନ ଚାଲିଗଲା ଜର ଛାଡିବାର ନାଆଁ ନେଲାନି l ଶେଷରେ ଶାରଳାର ସ୍ଵାମୀ ଶାଶୁଙ୍କୁ ତା ଅଟୋରେ ବସେଇ ଡାକ୍ତରଙ୍କ ପାଖକୁ ନେଇଗଲା l

ସେମାନେ ଯାଇଛନ୍ତି ତ ଯାଇଛନ୍ତି ଆଉ ଫେରିଲେନି l ଅଟୋ ସହିତ ଏକ ଟ୍ରକ ଧକ୍କାରେ ଶାରଳାର ଶାଶୁ ଓ ସ୍ଵାମୀ ଦୁହେଁ ଇହଧାମ ତ୍ୟାଗ କରିଥିଲେ l ଶାରଳାର ସଂସାର ଉଜୁଡି ଗଲା l ସବୁ ଆଶା ଭରଷା ସ୍ଵପ୍ନ ଲୁହରେ ଭାଷିଗଲା l ପୁଅ ଦୁଇ ଜଣଙ୍କୁ ପାଞ୍ଚ ବର୍ଷ ଓ ଝିଅ ଦୁଇ ଜଣଙ୍କୁ ତିନି ବର୍ଷ l ସେମାନଙ୍କୁ କିପରି ପାଳିବ ! ବସି କରି ଶୋକ ମନେଇବାକୁ ବି ତାକୁ ବେଳ ନହିଁ l -“ଅହରହ ଖାଇବାକୁ ଦେ” ମାର ଡାକ ତାକୁ କିଂ କର୍ତ୍ତବ୍ୟ ବିମୁଢ କରୁଥାଏ l

ଘରେ ଯାହା ଥିଲା ଧୋଇ ଶୁଖେଇ ଛଅ ମାସ ଚଳେଇ ନେଲା ସିନା l କିନ୍ତୁ ଏବେ ! ଏବେ କଣ କରିବ ସେ l ପିଲା ମାନଙ୍କୁ ଏକା ଘରେ ଛାଡି ଦେଇ କୋଉଠି ଯାଇ ବାହାରେ କାମ ଧନ୍ଦା କରିବା ତା ପକ୍ଷରେ ସମ୍ଭବ ନୁହେଁ l ପିଲା ମାନେ ତା ଶାଶୁ ଓ ସ୍ଵାମୀଙ୍କର ଜୀବନ ଥିଲେ l ବାର ଦ୍ଵାରେ ଯାଇ ହାତ ପତେଇବା, ଦ୍ଵାର ଦ୍ଵାର ବୁଲି ପିଲା ମାନଙ୍କୁ ଧରି ଭିକ ମାଗିବାକୁ ତାକୁ ଭଲ ନଲାଗିଲେ ବି ତା ବ୍ୟତୀତ ଆଉ କିଛି ରାସ୍ତା ନାହିଁ l ପୁଅ ଦି ଜଣଙ୍କୁ ସବୁବେଳେ ଭୋକ l ସବୁବେଳେ ପରଷ୍ପର ଠାରୁ ଛଡ଼ା ଛଡି ହୋଇ ଖାଉଛନ୍ତି l ଏ ଦୃଶ୍ୟ ଦେଖି କୋଉ ମା କେବେ ସହି ପାରିବନି କିନ୍ତୁ ସେ ସବୁ ଆଖି ବୁଜି ସହି ଯାଉଛି l କିନ୍ତୁ କେତେ ଦିନ ସହିବ !

ବାହାରେ ଯାଇ ଭିକ ମାଗିବାକୁ ବି ସଙ୍କୋଚ ଲାଗୁଛି l ତାକୁ ଭିକ ଦବ ବା କିଏ ? ସଂସାରର ସବୁ ଲୋକ ଏତେ ହୃଦୟବାନ୍ ନୁହଁନ୍ତି ଯେ ତା ପରିବେଶ ପରିସ୍ଥିତି ଦେଖି ତାକୁ ସାହାଯ୍ୟ କରିଦେବେ l ତଥାପି ସମସ୍ତଙ୍କର ଅନାଦର ହତାଦର ଭର୍ଛନା ପରିହାସ ଉପହାସ ସହି ହାତ ପତେଇବାକୁ ବାଧ୍ୟ ହେଲା l

ପିଲାମାନଙ୍କର ଏ ଦୁଃଖ ଦେଖି ସହିବା ଅପେକ୍ଷା ତାକୁ ବେଶୀ ବାଧେ ଯେତେବେଳେ ଲୋକ ମାନଙ୍କ କଟୁକ୍ତି ପୂର୍ଣ କଥା ତା କାନରେ ବାଜେ l ଗୋଟାଏ ପେଟ ପୋଷି ବାକୁ ସକ୍ଷମ ନାହିଁ l ଚାରି ଚାରିଟା ଛୁଆ କଅଣ ପାଇଁ l ତା ପରର ଅଶ୍ରାବ୍ୟ ଶଦ୍ଦ, କଟୁ ବାକ୍ୟ ସେ ଶୁଣିପାରେନା l ଘରେ ଆସି କାନ୍ଦେ ଲୁଚି ଲୁଚି l ବାହାରକୁ ଯିବାକୁ ଇଛା ହୁଏନା l କିନ୍ତୁ ନଯାଇ ରାସ୍ତା ନାହିଁ l ସକାଳ ହଉ ନହଉ ଖାଇବା ପାଇଁ ପିଲା ମାନଙ୍କର କାନ୍ଦ ଆରମ୍ଭ ହୋଇ ଯାଏ l

ତେଣୁ ସେ ପ୍ରତ୍ୟେକ ଦିନ ଗଳି ବଦଳାଏ l ସେଇ ଏକା ଗଳିକୁ ସବୁଦିନ ଯାଏନା l ପିଲାମାନେ ବଡ ହୋଇ ଲୋକମାନଙ୍କ କୁଭାଷା କୁବ୍ୟବହାରର ଅର୍ଥ ବୁଝିବା ପୂର୍ବରୁ, ତାଙ୍କ କାନରେ ଏସବୁ ପଡିବା ପୂର୍ବରୁ ସେ ନିଶ୍ଚୟ କିଛି କାମ ଧନ୍ଦା କରିବ l ସେମାନଙ୍କୁ ଏପରି ହୀନିମାନ ଜୀବନ ବିତେଇବାକୁ ଦବନି l

ସେଦିନ ଅନ୍ୟ ଗୋଟେ ଗଳିରେ ଗୋଟାଏ ବିରାଟ ଘର ଦେଖି ଆଶାରେ ଯାଇ ଦ୍ଵାରସ୍ଥ ହେଲା l ବେଳେ ବେଳେ ବଡ ବଡ ଘରର ଲୋକ ମାନଙ୍କ ଘରେ କୁକୁର ଥାଏ l ତାକୁ ଦେଖିଲେ ଭୁକିବା ଆରମ୍ଭ କରି ଦିଅନ୍ତି l କୁକୁର ଠୁ ବେଶୀ ଭୁକନ୍ତି ଘରେ କେହି ଚାକର ବାକର ଯେବେ ଥାଆନ୍ତି l ସେମାନଙ୍କ ଅଦୌତି କହିଲେ ନସରେ l ଆସି ଗାଳି ଗୁଲଜ କରି ତାକୁ ଘଉଡେଇ ଦିଅନ୍ତି l ତଥାପି ସେ ଆଶା ଛାଡେନ କାରଣ ବେଳେ ବେଳେ ବଡ ଲୋକଙ୍କ ଘରୁ ବି ଭଲ ଭଲ ବଳକା ଖାଇବା ମିଳିଯାଏ l ସେ କେବେ ସେ ଖାଦ୍ୟ ଚାଖି ବି ନଥାଏ l ପୁଣି ଭୋକିଲା ପାଟିକୁ ତାହା ଅମ୍ବୃତ ପରି ଲାଗେ l ତେଣୁ ସେ କେବେ ଆଶା ଛାଡେନା l ସମସ୍ତେ ସମାନ ନୁହନ୍ତି l ବେଳେ ବେଳେ ପୁରୁଣା ଲୁଗା ପଟା ବି ମିଳିଯାଏ l ଯେମିତି ସେମିତି ହେଉ କାମ ଚଳେଇବା, ଦିନ ବିତେଇବା କଥା l କିଏ କୋଟିଏ ପାଇଲେ ବି ଖୁସି ହୁଅନ୍ତିନି ସେ କିନ୍ତୁ ଗୋଟିଏ କିଛି ପାଇଗଲେ ଭାରି ଖୁସି l

ସେଦିନ ସେଇ ବଡ ଘର ଆଗରେ ନା କୁକୁର ଥିଲା ନା କେହି ଚାକର ଥିଲେ ତାକୁ ହୁରୁଡେଇବାକୁ l ଯାଇ ଆରାମରେ ବାରଣ୍ଡାରେ ବସିଗଲା l ପିଲାମାନେ ପ୍ରସସ୍ଥ ବାରଣ୍ଡା ପାଇ ଦଉଡା ଦଉଡି କରି ଖେଳିବାକୁ ଲାଗିଗଲେ l ସେମାନଙ୍କୁ ଯେତେ ଚୁପ୍ ହୋଇ ବସିବାକୁ କହିଲେ ବି କଥା ଶୁଣୁ ନଥାନ୍ତି l ସେମାନଙ୍କ ପାଟି ତୁଣ୍ଡ ହସ ଗୋଳରେ କିଛି ସମୟ ପରେ ଘରର କବାଟ ଖୋଲିଲା l ସତେକି ଲକ୍ଷ୍ମୀ ପ୍ରତିମା ! ସେଇ ଭଳି ଜଣେ ଦେବୀ ସେ ଘରୁ ବାହାରି ଆସିଲେ l

ଯଦିଓ ତାଙ୍କ ହାତରେ କିଛି ନଥିଲା ତଥାପି ସେ ନିରାଶ ହେଇନଥିଲା କାରଣ ତାଙ୍କ ଉଜ୍ଜଳ ଆଖି ହସିଲା ମୁହଁ କହୁଥିଲା ସେ ଅନ୍ୟ ମାନଙ୍କ ପରି ତାକୁ କୁବ୍ୟବହାର କରିବେନି l ଦୁଃଖୀ ଲୋକର ଦୁଃଖ ବୁଝିବା ପରି ଶକ୍ତି ତାଙ୍କର ଅଛି l ସେ ଏକ ଲୋଭିଲା ଦୃଷ୍ଟିରେ ପିଲା ମାନଙ୍କୁ ଚାହିଁ ପଚାରିଲେ -“ଏ ସମସ୍ତେ ତୋର ପିଲା” ! ସେ ଡରି ଡରି ହଁ କଲା l ଭାବିନେଲା ସେ ବି ବୋଧେ ସେହି କର୍କଶ ଲୋକ ମାନଙ୍କ ପରି କହିବେ ନିଜେ ତ ଖାଇବାକୁ ପାଉନୁ ବାର ଦୁଆରେ ହାତ ପତୋଉଛୁ ଚାରି ଚାରିଟା ଛୁଆ ଜନ୍ମ କରିଥିଲୁ କାହିଁକି ?

ନା ସେପରି ସେ କିଛି କହିଲେନି ବରଂ କହିଲେ “କି ଭାଗ୍ୟବତୀ ସତରେ ତୁ ତତେ ଭଗବାନ ଏ ଅମୂଲ୍ୟ ସଂପଦ ଦେଇଛନ୍ତି l ତୁ ଟିକେ ବସ ମୁଁ ତୋ ପାଇଁ ଓ ତୋ ଛୁଆଙ୍କ ପାଇଁ କିଛି ଖାଇବାକୁ ଆଣେ “l ବଡ ବଡ ପ୍ଲାଷ୍ଟିକ ପ୍ଲେଟରେ ପାଞ୍ଚ ପ୍ଳେଟରେ ଭର୍ତ୍ତିକରି ଖାଇବା ଆଣି ଦେଲେ l କହିଲେ ଖାଇ ସାରି ଏ ପ୍ଳେଟ ସବୁ ଘରକୁ ନେଇଯିବୁ ପୁଣି ଦରକାର କେବେ ହେଲେ ଆସି ଖାଇବା ନେଇଯିବୁ l

ଭାତ, ଡାଲି, ବାଇଗଣ ଭଜା, ମାଛ ତରକାରୀ, ରସଗୋଲା ଶାଗ, କୋଉକାଳୁ ଏ ସବୁ ଖାଦ୍ୟ ପାଟି ଚାଖିନଥିଲା l କେବେ କେବେ ପର୍ବ ପର୍ବାଣୀରେ ଅକାଳେ ସକାଳେ ତା ଘରେ ଏପରି ଖାଦ୍ୟ ପ୍ରସ୍ତୁତ ହେଉଥିଲା l ନଚେତ ତ ତାର ସବୁଦିନ ଭାତ, ପଣିଆ ଡାଲି, ସାରୁ କି ଆଳୁ ପୋଡା ଖାଇ ଦିନ ସରୁଥିଲା l କିନ୍ତୁ ଏତେ ସ୍ଵାଦିଷ୍ଟ ଖାଦ୍ୟ ! ସେ କେବେ ରୋଷେଇ କରି ନଥିଲା କି ଖାଇ ନଥିଲା l

ଯେତେକ ଆଶୀର୍ବାଦ ଥିଲା ସବୁ ଢାଳିଦେଇଗଲା ସେଇ ଲକ୍ଷ୍ମୀ ମା’ ଟି ଉପରେ l ପିଲାମାନେ ସବୁବେଳେ ଖାଇବା ଦେଖିଲେ ବା ଡିଆ ପିଟା ହୋଇ ଛଡ଼ା ଛଡି ହୋଇ ଖାଆନ୍ତି l କିନ୍ତୁ ଆଜି ସମସ୍ତେ ନିଜ ନିଜ ପ୍ଲେଟରେ ଏତେ ଖାଇବା ଦେଖି ବହୁତ ଖୁସି l ଆନନ୍ଦରେ ବସି ଖାଇଲେ l କିଛି କିଛି ବଳିଗଲା ଖାଇବା ତାକୁ ବାନ୍ଧି ବୁନ୍ଧି କରି ଘରକୁ ନେଇ ଆସିଲା l ରାତି କାମ ଚଳିଯିବ lତାକୁ ଆଜି ଆଉ ବାର ଦୁଆର ଯିବାକୁ ପଡିଲାନି l ଗୋଟାଏ ଦୁଆରୁ ସବୁ ମିଳିଗଲା l

ରାତି ସାରା ଶାରଳା ଭାବୁଥାଏ ଖାଲି l ମା’ ଟିର ବୋଧେ କେହି ଛୁଆ ପିଲା ନାହାଁନ୍ତି କି କଣ l କି ଲୋଲୁପ ଦୃଷ୍ଟିରେ ତା ଛୁଆ ମାନଙ୍କୁ ଚାହୁଁଥାଏ l କାଲି ଯାଇ ମା’କୁ କିଛି ଘର କାମ, ବାସନ ସଫା ହେଉକି ଲୁଗା ସଫା ହେଉକି ବାଡି ବଗିଚା କାମ ହେଉ ଚାକିରି ଟିଏ ମାଗିବ l ମା’ ଟି ଭାରି ଦୟାଳୁ ନିଶ୍ଚୟ କିଛି ବି ହେଉ କାମ ଟିଏ ଦବ ବୋଲି ତାର ବିଶ୍ଵାସ l

ରାତିରେ ଭଲ ନିଦ ହେଲାନି ମା’ର ମୁଁହ ଟି ଆଖି ଆଗରେ ଖାଲି ଦିଶିଲା l ପର ଦିନ ସକାଳୁ ଯାଇ ମା’କୁ ମନର କଥା କହିଲା ଖୁସିରେ ସେ ତାକୁ ଘର ଓଳା ଝାଡୁ ପୋଛା କାମ କରିବାକୁ କହିଲେ l “ରଘୁ ମା’ ଟା ବୁଢି ହୋଇଗଲାଣି କାମକୁ ଆଉ ପାରୁନି l ତେଣୁ ଭଲ ହେଲା ତୁ ଆସି କରିଦେଲେ l ମତେ ଆଉ କାହାକୁ ଖୋଜିବାକୁ ପଡିବନି “l ଶାରଳା ତା ଜୀବନର ସବୁ ଘଟଣା କହିଥିଲା ସେ ପେଷାରେ ଭିକାରୁଣୀ ନୁହେଁ l ବାଧ୍ୟ ହୋଇ ହାତ ପତୋଉଛି ସିନା କିନ୍ତୁ ସେ କାମ କରି ଖାଇବାକୁ ଭଲପାଏ l ଘର ଭିତରକୁ ମା ନେଇ ସବୁ ଆଡ ବୁଲେଇ ଦେଖେଇଲେ l କଣ କଣ କରିବାକୁ ହବ ବି କହିଦେଲେ l

ଏତେ ବିରାଟ ଘର l ଏକାକୀ ସେ l ସ୍ଵାମୀ ରୁଗ୍ଣ, ଶଯ୍ୟାଶାୟୀ l ଘରେ ରଘୁମା ପାଖରେ ରହେ l ସେ ଏବେ କାମକୁ ବିଶେଷ ପାରୁନି l ଆଉ ଜଣେ ସ୍ତ୍ରୀ ଲୋକ ସକାଳ ସଂଜରେ ଆସି ରୋଷେଇବାସ କରି ଦେଇ ଯାଏ l ପିଲା ମାନଙ୍କ ସଙ୍ଗେ ମା ପୁରା ମିଶିଗଲେ ସେମାନଙ୍କୁ ନାମ ପଚାରି ତାଙ୍କୁ ଭଲ ଭଲ ମିଠା ଆଣି ଖାଇବାକୁ ଦେଲେ l

ଶାରଳା କହିଥାଲା “ମା’! ଏମାନେ ଟିକେ ବଡ ହେଇଗଲେ ତମର ସବୁ କାମ କରିବେ ତୁମର ସେବା କରିବେ l ତୁମର ପିଲା ଛୁଆ ନାହାଁନ୍ତି ସେଥି ପାଇଁ ମନ ଦୁଃଖ କର ନହିଁ l ଆଜି ଠାରୁ ଏ ସମସ୍ତେ ତୁମର ପିଲା l ତୁମର ସବୁ ଅଧିକାର ତାଙ୍କ ଉପରେ ତୁମେ ଆଜିଠୁ ସାବ୍ୟସ୍ତ କରିପାର l ମା’ଙ୍କ ଆଖିରୁ ଲୁହ ଝରି ଯାଇଥିଲା l ଶାରଳାର ବି l

ମନେ ମନେ ଶାରଳା ଭାବୁଥିଲା ବିଧାତାର ସତେ କି ବିବେକ ଏତେ ବିରାଟ ଘର ଦ୍ଵାର ସମ୍ପତି ବାଡି ଧନ ସମ୍ପତ୍ତି କିନ୍ତୁ କେହି ନାହାଁନ୍ତି ଖାଇବାକୁ କି ବ୍ୟବହାର କରିବାକୁ l ଆଉ ସେଇ ଦୟାଳୁ ମା’ ଜଣଙ୍କ ବି ମନେ ମନେ ଭାବୁଥିଲେ ବିଧାତାର କି ବିଚାର ଯାହାର ଖାଇବାକୁ ମୁଠେ ନାହିଁ ସାତସିଆଁ ଶାଢୀ ଖଣ୍ଡେରେ ଦିନ ବିତେଇବାକୁ ପଡୁଛି, ଚାରି ଚାରିଟା ଛୁଆ ତାର l ପିଲାମାନଙ୍କର ହସ କୌତୁକ ଦେଖି ଦିନ ବିତେଇବାକୁ ତାକୁ ବେଳ ନାହିଁ l ସକାଳ ହେବା ମାତ୍ରେ ଅର୍ଣ୍ନ ଚିନ୍ତା ବ୍ୟତୀତ ଆଉ କିଛି ଭାବିବାକୁ ତାର ସମୟ ନାହିଁ l ଆଉ ସେ ସମସ୍ତ ପ୍ରାଚୁର୍ଯ୍ୟ ଭିତରେ ଥାଇ ବି ଭିକରୁଣୀ ପରି ଦିନ ରାତି ଗୋଟିଏ ପିଲାର ହସ ଦେଖିବାକୁ କଥା ଶୁଣିବାକୁ ପାଗଳ l ଧନ୍ୟ ସେ ବିଧାତା ଆଉ ତା ବିଚାର ବିବେକକୁ l


Rate this content
Log in

Similar oriya story from Classics