STORYMIRROR

Rajabala Tripathy

Comedy

3  

Rajabala Tripathy

Comedy

ବିଚରା ଯମରାଜ

ବିଚରା ଯମରାଜ

1 min
516


ଓଡ଼ିଶାର ଯମରାଜ ଆଜି ସକାଳୁ ସକାଳୁ ସଜ ବାଜ ହୋଇ ତାଙ୍କ ବାହନ ମଇଁଷିକୁ କୁଣ୍ଡା ତୋରାଣି ଖୋଇ ଅଫିସ ଡିଉଟିରେ ମର୍ତ୍ତ୍ୟ ଆଡେ ବାହାରିଲେ। କିନ୍ତୁ ଏ କଣ.. ସେ ଯେତେ ଚେଷ୍ଟା କଲେ ବି କୌଣସି ପତି ସ୍ଥାନୀୟ ପୁରୁଷର ପ୍ରାଣ ହାରିବାକୁ ଅସଫଳ। ଥକା ହାରା ଯମରାଜ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଗଲେ। କାରଣଟି କଣ ? କାରଣ ଜାଣିବା ପାଇଁ ବଜାର ଆଡକୁ ଟିକେ ବୁଲିଗଲେ। କିଛି ନହେଲେ ଥକା ମେଣ୍ଟେଇବା ପାଇଁ କିଛି ଫଳାହାର ତ କରିହେବ।ହେଲେ ବଜାରରେ ଫଳମାନଙ୍କର ଭାଉ ଆକାଶ ଛୁଆଁ। ଫଳା ହାର ତ ଦୂରର କଥା, ଦୋକାନୀ ଫଳ ସ୍ପର୍ଶ ବି କରିବାକୁ ଦେଲା ନାହିଁ। ଟିକେ ଅପମାନିତ ମାନେକରି ପୁରୁଣା ଅଚଳ ମୁଦ୍ରାତକ ନିଜ ଧୋତିରେ ଖୋସି ଯମରାଜ ଆଖ ପାଖକୁ ଲକ୍ଷ୍ୟ କରି ଦେଖିଲେ ବେଶ ତର ବର ହେଇ ଗେରୁଆ ଧୋତି ପିନ୍ଧା ବ୍ୟକ୍ତିମାନେ ଏତେ ତେଣେ ଧାଁ ଧପଡ଼ରେ ଲାଗିଛନ୍ତି।


ପ୍ୟାଣ୍ଟ ପିନ୍ଧା ଯୁଗରେ ମୃତ ପ୍ରାୟ ଧୋତି ହଠାତ ଜୀବନ୍ତ କିଆଁ। ଚମକି ପଡିଲେ ସେ। କାନ ଡେରି ଶୁଣିଲେ ମନ୍ତ୍ର ପାଠରେ ଚଉଦିଗ କମ୍ପମାନ । ନାଲି ନେଳି ରଙ୍ଗ ବିରଙ୍ଗ ଶାଢ଼ୀ ଚୁଡ଼ିରେ ସୁସଜ୍ଜିତ ନାରୀମାନେ ପୂଜା ପାଠରେ ବ୍ୟସ୍ତ। ଓ ହୋ ତେବେ ସେହି ଦିନଟି ଆଗତ ଯେବେ ସବୁ ହିନ୍ଦୁ ସ୍ୱାମୀମାନଙ୍କ ଆୟୁଷ ବଢେଇବା ଓ କମେଇବାର ରେଗୁଲେଟର ସ୍ତ୍ରୀମାନଙ୍କ ହାତରେ ବୋଲି ପ୍ରମାଣିତ ହେଇଯାଏ। ଧେତ ଆଜିର ଦିନଟି ବେକାର ହେଇଗଲା। ମଇଁଷିକୁ ଘର ଆଡ଼କୁ ମୋଡୁ ମୋଡୁ ଟିକେ ପଛକୁ ଚାହିଁ ଦେଖିଲେ, ସ୍ତ୍ରୀଠୁ ଜୋର ଗୋଟେ ମୁଣ୍ଡିଆ ଖାଉଥିବା ସ୍ୱାମୀଟିର ମୁହଁ ଆମ୍ବିଳ ଖାଇଲା ପରି, ସାବିତ୍ରୀ ବ୍ରତର ବଜାର ଦରରେ ଏ ମାସର ଦରମାଟି ସ୍ୱାହା ହେଇଯାଇଛି ଯେ। "ଏ ମର୍ତ୍ତ୍ୟବାସୀଙ୍କ ଲୀଳା ଦେବତାଙ୍କୁ ବି ଅଗୋଚର" ଗୁଣୁଗୁଣୁ ହେଇ ମନମାରି ଘରମୁହାଁ ହେଲେ ବିଚରା ଯମରାଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy