ବିବାହ
ବିବାହ


ବିବାହ ତାରିଖ ସ୍ଥିର ହେବା ଦିନଠାରୁ ସୁରଭିର ମୁହଁ ଶୁଖିଯାଇଛି।
ଅଜଣା ଖୁସିରେ ଯେତିକି ଉଲ୍ଲସିତ ହେଉଛି ସେତିକି ଭୟ ଓ ଆଶଙ୍କାରେ ଥରି ଉଠୁଛି ।ମାଆ ଏସବୁ ଦେଖି ବ୍ୟସ୍ତ ହୋଇ ଦିନେ ପଚାରିଲେ ସୁଭି ସତ କହ ତୁ କଣ ଏ ବାହାଘରରେ ଖୁସି ନୁହେଁ?ତୁ ଏମିତି ମୁହଁ ଶୁଖାଇଛୁ କାହିଁକି ?ଏବେ ବି ବେଳ ଅଛି ମାଆ କହ କଣ ଅଛି ମନରେ ।
ସୁଭି କାନ୍ଦିପକାଇଲା ମାଆଙ୍କୁ ଜାବୁଡି ଧରି ।ମୋତେ ଭାରି ଡର ଲାଗୁଚି ବୋଉ ।କେମିତି ଘର ହେଇଥିବ ।ଶାଶୂ ଶ୍ୱଶୁର କେମିତି ହୋଇଥିବେ ।ସ୍ୱାମୀ ବୋଲି ଯାହା ହାତ ଧରି ଯିବି ସେ ମୋତେ ବୁଝିପାରିବେ ତ ।ଏମିତି ଅନେକ ଦ୍ବନ୍ଦ୍ୱ ମୋତେ ବିଚଳିତ କରୁଛି ।ବାହାଘର ପରେ ମୁଁ କଣ ଆଉ ଏମିତି ହସଖୁସିରେ ସ୍ୱାଧୀନ ଭାବରେ ବଞ୍ଚିପାରିବି ଆମ ଘର ପରି ?
ମାଆ ବୁଝିପାରିଲେ ସୁଭି ମନର ଦ୍ବନ୍ଦ୍ୱ ।ଦୂର କରିବା ପାଇଁ ଆରମ୍ଭ କଲେ ।ହଁ ରେ ମାଆ ତୋ ପରି ମୋ ମନରେ ବି ଏମିତି ଭୟ ଥିଲା ।ହେବନି କେମିତି ।ବାପଘରେ କେତେ ଖୁସି କେତେ ଆନନ୍ଦ ।ନଥାଏ କଟକଣା ସ୍ନେହଶ୍ରଦ୍ଧା ରେ ଫାଟିପଡୁଥାଏ ଘର ।ପ୍ରତ୍ୟେକ ଝିଅ ତା ବାପା ବୋଉଙ୍କ ପାଇଁ ସମ୍ପଦଠୁ ବି ମୂଲ୍ୟବାନ ।
ସମାଜର ନିୟମ ରେ ମାଆ ।ଝିଅଟିଏ ଶାଶୁ ଘର ଯାଇ ପର ଲୋକକୁ ଆପଣାର କରି ଘର ପରିବାର ଚଳାଇବାର ସାମର୍ଥ୍ୟ ରଖିଥାଏ ।ଜାଣିନୁ ପୁରାଣ ଯୁଗରୁ ବି ମାଆ ଲକ୍ଷ୍ମୀ,ମାଆ ପାର୍ବତୀ ,ମାଆ ସୀତା,ଅହଲ୍ୟା,ସାବିତ୍ରୀ ଏମିତି ଅନେକ ଦେବୀ ସଂସାରର ନିୟମରେ ବନ୍ଧା ହୋଇ ବିବାହ କରି ଦେବତା ମାନଙ୍କ ଘରେ ନିଜର ବାକି ଜୀବନ ବିତାଇଥିଲେ ।କିନ୍ତୁ ସେମାନଙ୍କର ଶକ୍ତି ସାମର୍ଥ୍ୟ ଧୈର୍ଯ୍ୟ ବଳରେ ସେମାନେ ଯୁଗେ ଯୁଗେ ପୂଜିତ ।ଆମେ ତ ନାରୀ ଜାତି ।ସଂସାରର ବୃଦ୍ଧି ପାଇଁ ଶକ୍ତି ଥିବାରୁ ବିବାହ ପରେ ଯିବାକୁ ହୁଏ ଶାଶୁଘର ।
ଶାଶୁଘର ଲୋକ ବି ମଣିଷ ।ସ୍ନେହଶ୍ରଦ୍ଧା ,ଉଚିତ ବ୍ୟବହାର,ଉତ୍ତମ ବୁଝାମଣା ବଳରେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ତୁଲାଇପାରିଲେ ତୁ ହେବୁ ସମ୍ମାନରର ଅଧିକାରିଣୀ ।ସମସ୍ତଙ୍କୁ ସ୍ନେହପ୍ରେମରେ ବାନ୍ଧିବାର ଆନ୍ତରିକତା ମନରେ ରଖିପାରିଲେ ସବୁ ସମ୍ଭବ ।
ତୋ ବାପା ଦାଦା ପିଉସୀ ହୋଇ ଚାରିଜଣ ।ତେଣେ ଶାଶୁ ଶଶୁର ବୋଉ ଦେଇଥିବା ସଂସ୍କାର ରେ ମୁଁ ମୋ କର୍ତ୍ତବ୍ୟ କରିଚାଲିଲି ।ସାଙ୍ଗରେ ଧରିଆସଥିବା ଡର ଭୟ ଆପେ ଆପେ କୁଆଡେ ଉଭେଇ ଗଲା ।ଶାଶୂ ବଦଳରେ ବୋଉଟିଏ ପାଇଛି ।ଶଶୁର ବଦଳରେ ବାପା ପାଇଛି ।ତୋ ବାବା ତ ଏତେ ଭଲ ଦିନେ ହେଲେ ଅବହେଳା କରିନାହାନ୍ତି ।ବାପଘର ପ୍ରତି ମନରେ ଶ୍ରଦ୍ଧା ଥିଲେ ବି କେବେ ସେମାନଙ୍କ ଅଭାବ ଅନୁଭବ କରିନି ।ନାରୀ ଚାହିଁଲେ ସବୁ ସମ୍ଭବ ।ଘରଟିକୁ ସ୍ୱର୍ଗ କରି ଗଢିପାରିବ ।ତୁ ତ ମୋର ହୀରା ଟା ।ମୁଁ ଜାଣେ ତୁ ଖୁବ ଶୀଘ୍ର ସେ ପରିବାରକୁ ଆପଣାର କରିପାରିବୁ ।
କେମିତି କେଜାଣି ବୋଉର ଏଇ କିଛି ପଦ କଥାରେ ସୁଭି ମନରୁ ଭୟ ଦୂର ହେଇଯାଇଥିଲା ।ନୂଆ ଆଶାରେ ଝଲସି ଉଠୁଥିଲା ମୁହଁ।ଓଠରେ ଖେଳଯାଉଥିଲା ହସ ।ବିବାହ ପରି ଗୁରୁତ୍ୱପୂର୍ଣ୍ଣ ସମୟକୁ ସ୍ୱାଗତ କରିବା ପାଇଁ ହୋଇପଡୁଥିଲା ଉତ୍କଣ୍ଠିତ ।ମନେ ମନେ ଭାବୁଥିଲା ବୋଉ ପରି ମୁଁ ମଧ୍ୟ ବିବାହର ମାନ ନିଶ୍ଚିତ ରଖିବି ।