ଭୟ
ଭୟ


ପିଲାଟି ଦିନରୁ ଗାଁର ଶେଷ ମୁଣ୍ଡରେ ସେଇ ବୁଢା ବରଗଛଟା ପ୍ରତି ଖାଲି ମୋର କାହିଁକି, ପ୍ରାୟ ସବୁ ପିଲାଙ୍କର ଗୋଟେ ଅସମ୍ଭବ ଧରଣର ଭୟ ଥାଏ। ସଞ୍ଜ ହେଲେ ସେ ବାଟରେ ବଡ ମଣିଷଙ୍କ ସାଙ୍ଗରେ ଯାଉଥିଲା ବେଳେ ବି ଛାତି ଭିତରଟା କେମିତି ଗୋଟେ ଧଡପଡ ହୁଏ। ଆପଣା ଛାଏଁ ଛୋଟ ପିଲାମାନେ ବଡ ମଣିଷଙ୍କ ପାଖକୁ ଜାକି ହେଇ ଯାଆନ୍ତି। ଟିକିଏ ଆଗରୁ ବକର ବକର ହେଇ ନାନାଦି ଅଜବ ପ୍ରଶ୍ନ ପଚାରି ବିରକ୍ତ କରିଦେଉଥିବା ଛୋଟିଆ ପିଲାଟା ଚୁପ୍ ପଡିଯାଏ। ସେଇ ପଚାଶ ହାତ ରାସ୍ତା ଅସରନ୍ତି ଲାଗେ। କଅଁଳ ବୟସରେ ଦରପନ୍ତରିଆ ହେଇ ମନେ ରହିଥିବା ହନୁମାନ ଚାଳିସା ଗୁଣୁଗୁଣୁ ହୁଏ।
ଆଈ କହୁଥିଲା ସେଇ ବରଗଛରେ କୁଆଡେ ବ୍ରହ୍ମରାକ୍ଷସ ଅଛି। କାନ୍ଧରେ ବ୍ରହ୍ମ ପଇତା ଥିଲେ କିଛି କରି ପାରିବନି ସିଏ। ଖାଲି ଡରେଇବ। ଗଛର ଡାଳକୁ ହଲେଇବ। ଶୂନଶାନ ରାତିରେ ଏସବୁ ଦେଖି ଯିଏ ଡରିଯିବ ବା ଚମକି ପଡିବ, ତା କଥା ସରିଲା। ଜର, ଝାଡା ଆଉ ରକ୍ତବାନ୍ତି ହେଇ ମରିବ। କୌଣସି ଝଡାଫୁଙ୍କା ବ୍ରହ୍ମରାକ୍ଷସ ପାଇଁ କାଟୁ କରିବନି।
ପୁଣି ଆଉଗୋଟେ କଥା ପିଲାଙ୍କ ଭୟକୁ ବଢେଇ ଦିଏ। ସେଇଟା ହେଲା ମାଣ୍ଟୁଆ ମଳିକର ଆତ୍ମହତ୍ୟା। ସେଇଠି ପାଖରେ ଗୋଟେ ଛୋଟ ଗଛରେ ସିଏ ଦଉଡି ଲଗେଇ ମରିଥିଲା। ଏମିତି ଅପ୍ରାକୃତିକ ଭାବରେ ମରିଥିବା ଲୋକଗୁଡା କାଳେ ଭୂତ ହୁଅନ୍ତି। ସେମାନେ ପୁଣି ବେଶି ଭୟଙ୍କର।
ଏମିତି ତ ସେ ବରଗଛଟା ପାଖରେ ଗୋଟେ ଅଶ୍ବତ୍ଥଗଛ ଅଛି ଯାହାର ପତ୍ରଗୁଡା ନିଶବ୍ଦ ରାତିରେ ଖରଖର ଶବ୍ଦ କରି ଆହୁରି ଭୟ ଜନ୍ମାଏ। ସବୁଠୁ ଭୟର କଥା ଯେ ଗାଁର ସବୁ ମଲାଲୋକଙ୍କର ଏଗାର ଦିନ ବିସର୍ଜନ ହାଣ୍ଡି ସେଇଠି ଫିଙ୍ଗି ଦିଆଯାଏ। ତେଣୁ ସ୍ବତଃ ଏକଥା ମନରେ ଆସିଯାଏ ଯେ ସବୁ ମଲାଲୋକଙ୍କର ଆତ୍ମା ସେଇ ବରଗଛରେ ବସବାସ କରନ୍ତି।
ଏଇମିତି ସବୁ ଭୟପ୍ରଦ ଧାରଣା ସବୁ ପିଲାଙ୍କ ପରି ମୋ ମୁଣ୍ଡରେ ମଧ୍ୟ ବସା ବାନ୍ଧିଥିଲା। ସେତେବେଳେ ମୋର ବୟସ ଏଇ ଚଉଦ କି ପନ୍ଦର। ନବମ ଶ୍ରେଣୀରେ ପଢୁଥାଏ। ଆମର ଘରଠୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଆମର କିଛି ଚାଷ ଜମି ଥାଏ। ସେ ଜମିରେ କମ୍ ସମୟରେ ଅମଳ ହୋଇପାରୁଥିବା ଧାନ ଚାଷ ହୁଏ ଯାହା ଅଗଷ୍ଟ ଶେଷ ବା ସେପ୍ଟେମ୍ବର ଆରମ୍ଭ ବେଳକୁ ଅମଳ ଉପଯୋଗୀ ହୋଇଯାଏ। ସେ ଧାନକୁ ଆମ ଅଞ୍ଚଳରେ ଷଠିଆ ଧାନ କହନ୍ତି। ଷଠିଆ ଧାନ ଅମଳ ହେଲେ ସେଇ ଧାନର ଚାଉଳରେ ନୂଆଖିଆ ହୁଏ। ସେଦିନ ସେଇ ଧାନର ବେଙ୍ଗଳା ହେଉଥିଲା। ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ। ମୋ ବୁଢାବାପା (ଜେଜେବାପା) ସବୁ ଚାଷବାସ ତଦାରଖ କରନ୍ତି। କିନ୍ତୁ ସେଦିନ କୌଣସି କାମରେ ସିଏ ବାହାରକୁ ଯାଇଥିବାରୁ ଗଲାବେଳେ ମୋତେ କହିଯାଇଥିଲେ ଯାଇ ବେଙ୍ଗଳା ଦେଖିଆସିବାକୁ। ଅଗତ୍ୟା ଉପରବେଳା ଖେଳ ଛାଡି ବେଙ୍ଗଳା ଦେଖିବାକୁ ଗଲି। କହିବା ବାହୁଲ୍ୟ ଯେ ସେ ସମୟ ପର୍ଯ୍ୟନ୍ତ ମୁଁ ସାଇକେଲ ଚଲେଇବା ଶିଖି ନଥାଏ। ତେଣୁ ଚାଲି ଚାଲି ଯିବାଟା ସାର ହେଲା। ଅବଶ୍ୟ ଦୁଇ କିଲୋମିଟର ଚାଲିବା ସେ ସମୟରେ ଗୋଟେ ସାଧାରଣ କଥା।
ମୁଁ ଯାଇ ଚାଷ ଜାଗାରେ ପହଞ୍ଚିବା ବେଳକୁ ବେଙ୍ଗଳା ଆରମ୍ଭ ହେଇଯାଇଥିଲା। ବେଙ୍ଗଳା ସରିଲା ବେଳକୁ ସଞ୍ଜ ହେଇଗଲାଣି। ତା'ପରେ ଝାଡିବା, ଧାନ ଉଡେଇବା ଆଉ ଧାନକୁ ମପାମପି କରି ବସ୍ତାରେ ପୁରେଇ ବାନ୍ଧିବା, ଏସବୁ ସରୁସରୁ ସମୟ ପ୍ରାୟ ରାତି ଆଠଟା ହେଇଗଲା। ଆମର ହଳିଆର ଘର ସେଇ ପାଖରେ। କଳାହାଣ୍ଡିଆ ମେଘ ସେତେବେଳକୁ ଘୋଟି ଆସିଲାଣି। ଅନ୍ଧାରିଆ ହେଇଗଲାଣି। ମୁଁ ହଳିଆର ଘରେ ଧାନ ବସ୍ତା ସବୁ ରଖେଇ ଦେଇ ଘରକୁ ଫେରିଲି।
ସେଇଠୁ ବାହାରିଲା ସମୟରୁ ମୋର ସେଇ ବରଗଛ ଆଉ ତା ସହ ସମ୍ପର୍କିତ ସେଇ ଭୟଙ୍କର କଥାସବୁ ମନେ ପଡୁଥିଲା। ତଥାପି ସାହସ ବାନ୍ଧି ଆଗୋଉଥିଲି। ଯେ ପର୍ଯ୍ୟନ୍ତ ସେଇ ତଥାକଥିତ ବରଗଛଟା ପାର ନ ହେଇଛି ସେ ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତ ଗୋଟେ ଗୋଟେ ଯୁଗ ଭଳିଆ ଲାଗୁଥିଲା। ମୁଁ ଯଥାତଥା ବରଗଛର ପାଖାପାଖି ପହଞ୍ଚି ଯାଇଥିଲି। ଆଉ ପ୍ରାୟ ପଚାଶ ମିଟର ଦୂରରେ ବରଗଛଟା। ଛାତି ଧଡପଡ ହେଉଥାଏ। ଆଖି ଆଗରେ ଉଭା ହେଇଯାଉଥାଏ ମାଣ୍ଟୁଆ। ବେକରେ ରସିଟା କଷି ହେଇଯାଇଛି। ବେକଟା ଲମ୍ବି ଯାଇଥିଲା ଆଉ ଜିଭଟା ବାହାରି ଆସିଥିଲା। ଏତେ ଜୋରରେ ଜିଭଟା କାମୁଡି ଦେଇଥାଏ ଯେ ସେଥିରୁ ରକ୍ତ ବାହାରି ଶୁଖି ଯାଇଥାଏ।
ମୋର ଏଣେ ଅବସ୍ଥା ଦିଗଣ୍ଡା ଦିକଡା। ସେତେବେଳକୁ ଝିପିଝିପି ବର୍ଷା ଆରମ୍ଭ ହେଲାଣି। ତଥାପି ଦେହରୁ ଝାଳ ବାହାରିବା ଆରମ୍ଭ ହେଇଯାଇଥାଏ। ଏବେ ସିନା ସେପ୍ଟେମ୍ବର ମାସ ସରିଲା ପର୍ଯ୍ୟନ୍ତ ଗରମ ଲାଗୁଛି, କିନ୍ତୁ ସେତେବେଳେ ସେପ୍ଟେମ୍ବର ମାସ ପଶୁ ପଶୁ ମହୁଲିଆ ଶୀତ ଆରମ୍ଭ ହେଇଯାଏ। ମହୁଲିଆ ଶୀତ ସାଙ୍ଗକୁ ଝିପିଝିପି ବର୍ଷା ମୋର ଝାଳ ବାହାରିବାକୁ ବନ୍ଦ କରିବାରେ ଅସମର୍ଥ ଥିଲା।
ମୋ ଚାଲିବା ବନ୍ଦ ହେଉ ନଥାଏ। ତଥାପି ମୁଁ ସେଇ ପଚାଶ ମିଟର ବାଟ ଅତିକ୍ରମ କରିପାରୁ ନଥାଏ। ମୋତେ ଜଣାପଡୁଥାଏ ମୁଁ ଜୋରରେ ଚାଲୁଛି, କିନ୍ତୁ ବାସ୍ତବରେ ମୋ ଚାଲି ଯେମିତି ଗେଣ୍ଡାଠାରୁ ବି ଧୀର ଥିଲା। ମାମୁଁଘରେ ଦୈନିକ ସଞ୍ଜବେଳେ ପ୍ରାର୍ଥନାରେ ହନୁମାନ ଚାଳିସା ବୋଲାଯାଏ। ସେଇଥିରୁ ଦରଖଣ୍ଡିଆ କରି ଯେଉଁ କେତେଟା ପଦ ମନେଥିଲା ତାକୁ ଜୋରରେ ବୋଲିବାକୁ ଆରମ୍ଭ କରିଦେଲି। ଜୟ ହନୁମାନ ଜ୍ଞାନ ଗୁନ ସାଗର, ଜୟ କପୀସ ତୀହଁ ଲୋକ ଉଜାଗର ....। ମୋ ଶକ୍ତି ମୁତାବକ ମୁଁ ଚିଲ୍ଲେଇ ଚିଲ୍ଲେଇ ବୋଲୁଥିଲେ ବି ମୋ ନିଜ ସ୍ବର ମୋତେ ଶୁଭୁ ନଥାଏ।
ଠିକ ସେତିକିବେଳକୁ କୋଉଠି ଥିଲା ଗୋଟେ ଭେରଣ୍ଡା, ଆରମ୍ଭ କରିଦେଲା ହୁକେ... ହୋ .... ବିକଟ ରଡି। ତା ସାଙ୍ଗକୁ ଅଳ୍ପ କିଛି ଦୂରରେ ଥିବା ପଳାଶବଣିରୁ ବି ବିଲୁଆଙ୍କର ବିକଟ ହୁକେ ...ହୋ ଚିତ୍କାର ଆରମ୍ଭ ହେଇଗଲା। ଛାତି ଭିତରେ ଭୟ ତାର ଚରମରେ ପହଞ୍ଚି ଯାଇଥିଲା। ଭୁସ୍ ଭୁସ୍ ହେଇ କିଛି ଗୋଟେ କଳା ରଙ୍ଗର କୁକୁର ବା ବିଲୁଆ ଆକୃତିର ଜୀବଟିଏ ମୋଠୁ ମାତ୍ର ଦୁଇ ତିନି ହାତ ଦୂରରେ ରାସ୍ତାରେ ଏପାଖରୁ ସେପାଖକୁ ଦୌଡିଗଲା। ଆଉ ସେତିକିବେଳେ ରାସ୍ତାରେ ବାଁ ପାଖରେ କିଏ ଜଣେ ଧଳା ଲୁଗା ପିନ୍ଧି ଠିଆ ହେଇଥିଲା। ସବୁକିଛି ଝାପ୍ସା ଦେଖା ଯାଉଥିଲା। ମୁଁ ଦୌଡିବା ଆରମ୍ଭ କରିଦେଲି। ହଠାତ୍ ମୋ ଗୋଡକୁ କେହି ଟାଣିଧରିବା ପରି ଲାଗିଲା। ଗୋଟେ ଭୟଙ୍କର ଚିତ୍କାର କରି ମୁଁ ମୁହଁ ମାଡି ପଡିଗଲି। ଆଉ ତାପରେ କ'ଣ ହେଲା କିଛି ମନେ ନଥିଲା।
ଆଖି ଖୋଲିଲା ବେଳକୁ ମୁଁ ଶୋଇଥିଲି ଆମ ଘରେ। ପାଖରେ ବୁଢାବାପା ବସିଥିଲେ। "ଶଳା, ମୁହଁ ଇସିପାତି, ପଛ ସନ୍ନିପାତି" ବୁଢାବାପା କହୁଥିଲେ।
ପରଦିନ ସକାଳୁ ମୋତେ ଜ୍ବର ଆସିଯାଇଥିଲା। ତଥାପି ଗତକାଲିର ରହସ୍ୟକୁ ଭେଦ କରିବାକୁ ମୁଁ ପୁଣି ସେଇ ଜାଗାକୁ ଗଲି। ରହସ୍ୟମୟ ବରଗଛଠାରୁ ଅନତିଦୂରରେ ସିଜୁ ଗଛରେ ଝୁଲୁଥାଏ ପରିତ୍ୟକ୍ତ ଧୋତିଟିଏ ଯାହା କେହି ଅପ୍ରାକୃତିକ ଉଚ୍ଚତା ବିଶିଷ୍ଟ ମଣିଷର ଭ୍ରମ ସୃଷ୍ଟି କରୁଥିଲା। ବାଟରେ ପଡିଥିବା ଖଣ୍ଡେ ଲତାରେ ପ୍ରାୟ ମୋ ଗୋଡ଼ ଛନ୍ଦି ହେଇ ଯାଇଥିଲା ଓ ମୁଁ ପଡିଯାଇଥିଲି। ହୁଏତ ସେଇ ସମୟରେ ଗୋଟେ ବିଲୁଆ ରାସ୍ତାରେ ଏ ପାଖରୁ ସେ ପାଖକୁ ଦୌଡ଼ି ଯାଇଥିଲା ଯାହା ମୋର ଭୟକୁ ଆହୁରି ବଢେଇ ଦେଇଥିଲା।
ମନେ ମନେ ନିଜ ଉପରେ ବହେ ହସିଲି। ଆଉ ସେଇଦିନରୁ ସମସ୍ତ ପ୍ରକାରର ଭୂତପ୍ରେତ ସମ୍ବନ୍ଧିତ କାହାଣୀ ଉପରୁ ମୋର ବିଶ୍ୱାସ ଉଠିଗଲା।