ଭୂତ ସହିତ ଗପ
ଭୂତ ସହିତ ଗପ
"ହଁ ସେଇୟା ନୁହେଁ ତ ଆଉ କଣ? ତୁ ପୁରା ସତ କଥା କହୁଛୁ।ମୁଁ ବି ସେଇୟା ଭାବୁଥିଲି ଲୋ…" କଥାରେ କଥା ମିଶେଇ କହୁଥିଲା ମାଧିଆ ମା। ଘନା ମା କଣ ଭୁଲ କହିଲା କି?
"ଅସୁରୁଣୀ କି ଚିରୁଗୁଣି ଅଛି କେଜାଣି ସେଇ ଡାକ ବଙ୍ଗଳାରେ…!!?? ଯାଉଣୁ ଆସୁଣୁ କି ହସ ଶୁଭୁଚି ଲୋ ମା …!!କିଏ କଣ ତାକୁ କେବେ ଆଖିରେ ଦେଖିଛୁ କି…??ଖାଲି ଯାହା ତାର ହସ ଆଉ ଚୁପି ଚୁପି କଥା ଶୁଭେ।ମଣିଷ ହେଇଥିଲେ କଣ ତା ଭାଷା ଆମକୁ ବୁଝା ଯାଇ ନଥାନ୍ତା କି…??ତା କଥା କିଏ ବୁଝି ପାରୁନେ। ଆଉ ତାର ଗୋଡ଼ ଦୁଇଟା କୁଆଡେ ସବୁବେଳେ ମେଲା ଖୋଲା।ଆଲୋ ଯଦି ସିଏ ମାଈପିଲା ହେଇଥାନ୍ତା ତା ହେଲେ ଏମିତି ଗୋଡ଼ ଦେଖେଇ ପାରନ୍ତା କି…? ପ୍ରେତିନୀ ବୋଲି ସିନା ଅଲାଜୁକ ହେଇଚି…!!ବାପା ଲୋ…ଯଦି ଜଣେ ଅଳପ ପ୍ରାଣର ଲୋକ ସେଇ ବାଟରେ ଯିବ ହେଲେ ଛାତି ଧରି ରକତ ବାନ୍ତି କରି ମରିବା ଥୟ।"
ତା କଥା ଶୁଣି ମାଧିଆ ମା କାନରେ ହାତ ଦେଲା। ଡରରେ ତା ଦେହରୁ ଝାଳ ବାହାରି ଗଲା।ଘନା ମା ତ ଆଉରି କହୁଥିଲା ଯେ ସେ କୁଆଡେ ତାକୁ ଛାତ ଉପରେ ଚୁଟି ଖୋଲି ବୁଲିବା ବି ସେ ଦେଖିଛି।ସେଇ ବାବୁଟା କୁଆଡେ ଗୋଟେ ଝିଅକୁ କୁଆଁରୀ ମା କରି ଛାଡ଼ି ଦେଇଥିଲା।ଏବେ ସେଇ ଝିଅର ଆତ୍ମା ଆସି ତାକୁ କଲବଲ କରୁଛି।କେଳି କରୁଛି ତା ସହିତ।ତା ପ୍ରାଣ ନେଲେ ଯାଇ ସେ ପ୍ରେତ ଫେରିବ।
ଠିକ୍ କଥା ତ…!!ଆଗରୁ କେବେ ବି ଏମିତି ହେଇନି।ରାତି ଅଧରେ ସମସ୍ତେ ଶୋଇଲା ପରେ ମଧ୍ୟ ସେ ବଙ୍ଗଳାରେ ଆଲୁଅ ଦିଶେ।ଆଉ ଭୋର ହେଲେ କାଳେ ଅନ୍ଧାର ହୋଇଯାଏ।ତାଙ୍କ ଗାଁ କେତେ ଭଲ ଥିଲା ସତେ…!!ହେଲେ ଯେବେଠୁ ଡାକ ବଙ୍ଗଳା ଭିତରକୁ ସେଇ ହାକିମ ରହିବାକୁ ଆସିଛି ସେଇ ଦିନରୁ ପରା ଏଇ ଭୂତୁଣିଟା ଦିଶୁଛି ଆଉ ସମସ୍ତେ ପ୍ରାଣ ଭୟରେ ଥରୁଛନ୍ତି…!!
ବହିଟାକୁ ରଖିଦେଲା ନିଲୁ। ଏମାନଙ୍କୁ କଣ କହି ବୁଝେଇ ହେବ ସେଇକଥା ଭାବିଲା। ସେ ଡାକ ବଙ୍ଗଳାରେ ମିଷ୍ଟର ଆଉ ମିସେସ ଚତୁର୍ବେଦୀ ରହିବାକୁ ଆସିଛନ୍ତି ଏଇ ପନ୍ଦର ଦିନ ହେବ। ସେମାନଙ୍କୁ ଓଡ଼ିଆ ଆସେନା।ଆଉ ହିନ୍ଦୀରେ ସେମାନେ କଥା ହେଲେ ଏଇ ଲୋକମାନେ ବୁଝି ପାରନ୍ତିନି।ସହରୀ ହୋଇଥିବାରୁ ସେମାନେ ରାତି ଡେରି ଯାଏଁ ନିଜ କାମଧାମ କରନ୍ତି ଆଉ ସକାଳୁ ଅନେକ ସମୟ ଯାଏଁ ଶୋଇ ରୁହନ୍ତି।ତା ଛଡା ଆଧୁନିକତାର ମୂର୍ତ୍ତିମନ୍ତ ପ୍ରତୀକ ହୋଇ ମିସେଶ ଚତୁର୍ବେଦୀ ଛୋଟ ଛୋଟ କପଡ଼ା ପିନ୍ଧନ୍ତି ଏବଂ ଚୁଟି ଖୋଲା କରି ବୁଲନ୍ତି। ଗାଆଁ ଲୋକେ କିଛି ନ ବୁଝି ବିଚାରି ଏମିତି କିଛି ବି କହି ଚାଲିଛନ୍ତି।
ବହୁତ୍ ଚିନ୍ତା କରି ସେ ଡାକ ବଙ୍ଗଳାକୁ ଗଲା । ମିଷ୍ଟର୍ ଆଉ ମିଶେସ ଚତୁର୍ବେଦୀଙ୍କୁ ଗାଆଁ ଲୋକଙ୍କ ମନୋଭାବ ବୁଝେଇଲା। ସେମାନେ ସବୁ ଶୁଣି ବହୁତ୍ ହସିଲେ।ଆଉ ଗାଆଁ ଲୋକଙ୍କ ସହିତ କଥା ହୋଇ ସେମାନଙ୍କ ନିକଟତର ହେବାକୁ ଚେଷ୍ଟା କଲେ।କିଛିଦିନ ବିତିଗଲା ପରେ ମାଧିଆ ମା ମାନେ ତା ଜେଜେମାକୁ ନିଲୁ ପଚାରିଲା…
"ଜେଜି…ଭୂତ ସହିତ ଗପୁଛୁ ତୁ…??"
ଆଉ ତା କଥା ଶୁଣି ସମସ୍ତେ ହସି ହସି ଗଡ଼ିଗଲେ।