ଭଙ୍ଗା ଭଙ୍ଗା ହସ .....
ଭଙ୍ଗା ଭଙ୍ଗା ହସ .....
ପୁଷ ମାସ ର ସକାଳ ର ହାଡ଼ ଭଙ୍ଗା ଶୀତ ରେ ଶଯ୍ୟା ତ୍ୟାଗ କରି ଶ୍ରୀକାନ୍ତ ନିଜ କକ୍ଷର ଚୌକି ରେ ଜାକି ଜୁକି ହୋଇ ବସି ଝରକା ବାଟରେ ବାହାର ର ଦୃଶ୍ୟ ଦେଖୁଥିଲେ ଓ ସୂର୍ଯ୍ୟ ଙ୍କର କଅଁଳ ଖରା ର ମୃଦୁ ସ୍ପର୍ଶ କୁ ପାଇ ଭାବିବାକୁ ଲାଗିଲେ .ରାସ୍ତାରେ କିଛି ଲୋକଙ୍କର ଟିକେ ଟିକେ ଭିଡ ଦେଖି ଟିକେ ଆଶ୍ବସ୍ତି ହେଲେ .ଏବେ ଟିକେ ବାହାର କୁ ଯାଇ ଗୋଟିଏ ଚକ୍କର ମାରି ଆସିଲେ କେମିତି ହୁଅନ୍ତା ?ବହୁତଦିନ ହେଲାଣି ବାହାରକୁ ଯିବା ହେଇ ନାହିଁ .
ଟିକେ ନିଜକୁ ସଜାଡି ହୋଇ ଯାଇ ଅର୍ଦ୍ଧାଙ୍ଗିନୀ ମମତା ଙ୍କୁ କହିଲେ ,ମୁଁ କଣ ଭାବୁଥିଲି କି ବହୁତ ଦିନ ହେଲାଣି ଏଇ ଘର ଭିତରଟା ରେ ବନ୍ଦୀ ହୋଇ ରହିଲା ଭଳି ଅଛି ,ଟିକେ ବାହାରେ ଯାଇ ବୁଲି ଆସିଲେ ଭଲ ଲାଗନ୍ତା .
ମମତା ଟିକେ ହସି ଦେଇ କହିଲେ ,ସେ ତ ଠିକ ଅଛି କିନ୍ତୁ ମୁଁ ତୁମକୁ ଏକୁଟିଆ କେମିତି ଛାଡ଼ିବି ,ଏତେ ଦିନ ପରେ ତୁମେ ଟିକେ ସୁସ୍ଥ ହୋଇ ଚଲା ବୁଲା କରୁଛ .ତାପରେ ବାହାରେ ବୁଲିଲେ ଯଦି ଆଉ କିଛି ହେଇଯିବ ପୁଣି !! ନା ତୁମେ ଏବେ ରହିଯାଅ ଆଉ କିଛି ଦିନ ଯାଉ .
ଟିକେ ଭଙ୍ଗା ଭଙ୍ଗା ହସ ହସି ଶ୍ରୀକାନ୍ତ କହିଲେ ,ହଉ ତମେ ଯାହା ଭଲ ଭାବୁଛ .
ସେଠାରୁ ଫେରି ଆସି ପୁଣି ଚୌକିରେ ବସି ଝରକା ଫାଙ୍କରେ ବାହାରକୁ ଦେଖିବାକୁ ଲାଗିଲେ .
ଦୀର୍ଘ ଦୁଇ ବର୍ଷ ଶଯ୍ୟାଶାୟୀ ହେବା ପରେ ଏଇ ପନ୍ଦର ଦିନ ହେବ ଉଠି ବସୁଛନ୍ତି ଓ ଚଲା ବୁଲା କରୁଛନ୍ତି ସେ .
ତାଙ୍କ ହସ ଖୁସିର ଜୀବନ ଯେମିତି ଅଟକି ଯାଇଛି .ମମତା ବି ମନେ ମାନେ ଅନେକ ଦୁଃଖ କରୁଛି ,କିନ୍ତୁ ଉପରେ ଉପରେ ହସୁଛି .
ଏଇ ରାସ୍ତାର ଆର ପଟ ପ୍ରଫୁଲ ଦୋକାନରେ ବସି କେତେ ହସ ମଜା କରୁଥିଲେ ଖଟି କରି .ଅଫିସ ରୁ ଫେରି ଟିକେ ହାତ ମୁହଁ ଧୋଇ ଖଟି କୁ ଚାଲି ଯାଉଥିଲେ .ସେଠି ଚା ସାଙ୍ଗରେ ମିଠା ମିଠା ଥଟା ମଜା ରେ ସମୟ କଟି ଯାଉଥିଲା .ସେ ଖଟି ନ ଥିଲା ବେଳେ ବେଳେ ବିଧାନ ସଭା ଓ ଲୋକସଭା ବି ହେଇ ଯାଉଥିଲା .ଦେଶର ଅର୍ଥନୀତି ଠାରୁ ଆରମ୍ଭ କରି ବୈଦେଶିକ ନୀତି ଉପରେ ବେଶ ଭଲ ଆଲୋଚନା ହେଉଥିଲା .ଆମ ଆଲୋଚନା କୁ ଶୁଣି ପ୍ରଫୁଲ ବେଳେ ବେଳେ ଭଙ୍ଗା ଭଙ୍ଗା ହସ ହସି ପଚାରୁଥିଲା ,ସବୁ ଠିକ ଯେ ଏବେ ଆମେ କଣ କରିବା ?
ତାପରେ ଟିକେ ସମସ୍ତେ ଚୁପ ହେଇ ତାକୁ ଦେଖୁଥିଲେ ,କାହା ପାଖରେ ସଠିକ ଉତ୍ତର ନ ଥିଲା .
ଠିକ ମନେ ଅଛି ଦୁଇ ବର୍ଷ ତଳର ସେ ସନ୍ଧ୍ୟା କଥା .ସେ ଖଟିରେ ଏମିତି ବସି କଥା ହେଉ ହେଉ ହଟାତ କାଶ ହେଲା ଓ ସେଠାରେ ବେହୋସ ହେଇ ଯାଇଥିଲେ
ଶ୍ରୀକାନ୍ତ .
ଏମିତି ଆଗରୁ ସବୁଦିନେ ଟିକେ ଟିକେ କାଶ ହୁଏ ଓ ଔଷଧ ଖାଇଲେ କମି ଯାଏ .
କିନ୍ତୁ ସେ ଦିନ ପରେ ବୁଝିଲେ ଯେ ତାଙ୍କ ଫୁସ ଫୁସ ରେ କର୍କଟ ହୋଇ ଯାଇଛି .ଡାକ୍ତରଖାନାରେ ଛଅ ମାସ ରହିଲା ପରେ ଘରକୁ ଆସିଲେ ଓ ତାଙ୍କର ଚିକିତ୍ସା ଚାଲିଛି .ମମତା କି ଜାଣେ ,ଆଗରୁ କାନ୍ଦୁଥିଲା .କିନ୍ତୁ ଏବେ ସବୁ କିଛି ଚାପି ରଖି ଭଙ୍ଗା ଭଙ୍ଗା ହସ ହସି କଥା ହେଉଛି .ଶ୍ରୀକାନ୍ତ ବି ନିଜେ ଜାଣିଛନ୍ତି ଆଉ କେଇଟା ଦିନ ତାଙ୍କ ଜୀବନର ଖାଲି ବାକି ଅଛି .ତଥାପି ସେ ବି ଯନ୍ତ୍ରଣା କୁ ଚାପି ଭଙ୍ଗା ଭଙ୍ଗା ହସ ରେ ନିଜକୁ ବୁଝାଇ ଦେଉଛନ୍ତି .
ସେତିକି ବେଳେ ଦେଖିଲେ ଗୋଟିଏ ଘର ଚଟିଆ ଚଢେଇ ତାଙ୍କ ଝରକା ରେ ବସି ସତେ ଯେମିତି ଶ୍ରୀକାନ୍ତଙ୍କ ଚାହିଁ ଭଙ୍ଗା ଭଙ୍ଗା ହସ ହସି କିଛି କହିଲା ଆଉ ଉଡି ଚାଲିଗଲା .
ଯେମିତି ସେ କହୁଥିଲା ଶ୍ରୀକାନ୍ତଙ୍କୁ ....ଜୀବନ ଥିବା ଯାଏ ଏମିତି ଭଙ୍ଗା ଭଙ୍ଗା ହସ ରେ ନିଜେ ଖୁସି ହେବାକୁ ଓ ମମତା କୁ ବି ଟିକେ ଖୁସି କରିବାକୁ .
କେଜାଣି କେବେ ଏ ଜୀବନ ପକ୍ଷୀ ଉଡିଯିବ ...
କିନ୍ତୁ ଏ ଭଙ୍ଗା ଭଙ୍ଗା ହସ ସବୁ ଦିନ ପାଇଁ ସ୍ମୃତିରେ ରହିଯିବ ମମତା ର ଓ ଅନ୍ୟମାନଙ୍କର ......