STORYMIRROR

Krushnapriya Mohapatra

Classics Inspirational Others

3  

Krushnapriya Mohapatra

Classics Inspirational Others

ଭକ୍ତର ଭଗବାନ

ଭକ୍ତର ଭଗବାନ

2 mins
144

ଭକ୍ତ ଓ ଭକ୍ତିର କଥା କହିଲା ବେଳେ ଏକ ପବିତ୍ର ଚିନ୍ତା ଧାରା ମାନସପଟରେ ଝଂକୃତ ହୁଏ। ନିରାକାର ନିର୍ବିକାର ପରଂବ୍ରହ୍ମ କେତେବେଳେ ଭକ୍ତର ଦୁଃଖ ଦୂର କରିବାକୁ

ସାକାର ରୂପ ଧାରଣ କରିଥାନ୍ତି ତ କେତେବେଳେ ସୁକ୍ଷ୍ମ ଶରୀର ଧାରଣ କରି ଅଦୃଶ୍ୟରେ ମାୟା ରଚନା କରିଥାନ୍ତି।


    ଯୁଗେ ଯୁଗେ ଭକ୍ତର ଭାବରେ ଭଗବାନ ବନ୍ଧା ପଡ଼ିଯାଆନ୍ତି। ଭକ୍ତର ଆକୁଳତା ଦେଖି ଅସ୍ତ୍ର ଧରନ୍ତି ତ ଆଉ କେତେବେଳେ ଅସ୍ତ୍ର ଆଗରେ ଠିଆ ହୋଇ ଭକ୍ତ ପାଇଁ ଜୀବନ ତ୍ୟାଗ କରନ୍ତି। ଏହି ପରମ କାରୁଣିକ ଭଗବାନ ଆଶ୍ଚର୍ଯ୍ୟମୟ ଲୀଳା ପ୍ରସ୍ତୁତ କରି ଭକ୍ତକୁ ନିଜର କରୁଣା ଦ୍ୱାରା ସାଜୁଯ୍ୟ ମୁକ୍ତି ପ୍ରଦାନ କରନ୍ତି। ସେଇ ଲୀଳାମୟ ପୁରୁଷ ଭକ୍ତର ହୃଦୟରେ ଥିବା କ୍ଷୋଭ ଆଉ ପ୍ରତିଶୋଧର କାମନା କୁ ମଧ୍ୟ ପୂରଣ କରିବା ପାଇଁ ଯୁଗ ପରିବର୍ତ୍ତନ ପର୍ଯ୍ୟନ୍ତ ଅପେକ୍ଷା କରି ଥାନ୍ତି।


   ସେଇ ପରି ଭକ୍ତମାନଙ୍କ ମଧ୍ୟରେ ଜଣେ ଥିଲେ ମହାନ ପରାକ୍ରମୀ, ବଳଶାଳୀ ବାନରଶ୍ରେଷ୍ଠ କିସ୍କିଦ୍ଧାର ଯୁବରାଜ ଅଙ୍ଗଦ। ଯାହାର ସାମାନ୍ୟ ଗୋଟିଏ ପାଦକୁ ଉଠାଇ ଦେବା ପାଇଁ ସାରା ଲଙ୍କା ନଗରର ସମସ୍ତ ଅସୁର ବଳ ହାର ମାନି ଯାଇଥିଲେ, ଅଥଚ ସେ ଥିଲେ ପ୍ରଭୂ ଶ୍ରୀ ରାମଙ୍କ ପରମ ଭକ୍ତ। ପିତା ତାଙ୍କର ବୀରଶ୍ରେଷ୍ଠ ବାନରରାଜ ବାଳୀ ଙ୍କୁ ଭଗବାନ ଶ୍ରୀରାମ ବଧ କରିଥିଲେ।       

     ଅଙ୍ଗଦ ପିତାଙ୍କୁ ହରାଇ ମଧ୍ୟ ଅନ୍ୟାୟ ପଥରେ

ପାଦ ରଖିଥିବାରୁ ପିତାଙ୍କ ମୃତ୍ୟୁ କୁ ସ୍ୱୀକାର କରି ନେଇ ଥିଲେ। ଆଉ ରାମଙ୍କୁ ସହାୟତା ପ୍ରଦାନ କରି ଅନ୍ୟାନ୍ୟ କପି ବଳ ଙ୍କ ସହ ରାବଣ ବିରୁଦ୍ଧ ରେ ଯୁଦ୍ଧ କରିଥିଲେ।

 ତାଙ୍କର ବେଳେ ବେଳେ ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ମନରେ ସାମାନ୍ୟ ଇଚ୍ଛା ଜାଗ୍ରତ ହୁଏ। ସେଇ ଇଚ୍ଛାକୁ ଜାଣି ପାରନ୍ତି ପ୍ରଭୂ, ମନ ମଧ୍ୟରେ ତଥାସ୍ତୁ

କରି ଦିଅନ୍ତି।


  ଯୁଗର ଅନ୍ତ ହୁଏ ତ୍ରେତୟା ଯାଇ ଦ୍ଵାପରଯୁଗର

ଶେଷ ସମୟରେ ପ୍ରଭୂ ଭକ୍ତର ମନୋଵାଞ୍ଛା ପୂର୍ଣ୍ଣ କରିବା ପାଇଁ ଶିଆଳି ଲତାରେ ନିଦ୍ରା ଯାଆନ୍ତି।


  ପରମ ଭକ୍ତ ଅଙ୍ଗଦ ଜାରା ଶବର ଭାବରେ ଜନ୍ମ ଗ୍ରହଣ କରନ୍ତି। ପିତାଙ୍କର ମୃତ୍ୟୁର ପ୍ରତିଶୋଧନେବା ଲାଗି ଯେଉଁ ପ୍ରବଳ ଇଚ୍ଛା ଜାଗିଥିଲା ତାର ପୂର୍ତ୍ତିପାଇଁ ଗୋଟିଏ ସୁଯୋଗ ସୃଷ୍ଟି କରିଦିଅନ୍ତି ପ୍ରଭୂ । ଜାରା ଶବରକୁ ଭଗବାନଙ୍କ ପାଦ ଗୋଟିଏ ହରିଣର କର୍ଣ୍ଣ ଭଳି ପ୍ରତୀୟମାନ ହେଲା ଏବଂ ଜାରାର ବିଷଯୁକ୍ତ ତୀର ନିକ୍ଷେପରେ ପ୍ରଭୂ ନିଜର ଶରୀର ତ୍ୟାଗ କରିଥିଲେ।


ଜାରା ନିଜର ଭୁଲ ବୁଝି ପଶ୍ଚାତାପ ଅନଳରେ ଦଗ୍ଧୀଭୁତ ହେଲା, ହେଲେ ତାଙ୍କୁ ପ୍ରଭୂ ଆଶ୍ଵାସନା ଦେଇ ଭକ୍ତର ମନୋଷ୍କାମନା ପୂର୍ଣ୍ଣ କରିଥିବାର ସୂଚନା ଦେଇଥିଲେ। ସେଥି ପାଇଁ ଭାଗବତ ରେ ଲେଖା ଅଛି-

ମୋହର ବାଞ୍ଚିତ ଏ କର୍ମ

ଜାରା ନ କର ମତିଭ୍ରମ।

 

   ସମୟ କ୍ରମେ ସେ ଶ୍ରୀକୃଷ୍ଣଙ୍କ ଅପୋଡା ଅଂଶକୁ ନୀଳ ସୁନ୍ଦର ପର୍ବତ ରେ ପୂଜା କରିଥିଲେ। ଜାରାର ପୁତ୍ର ବିଶ୍ୱାବସୁ ମଧ୍ୟ ନୀଳକନ୍ଦର ମଧ୍ୟରେ ନୀଳ ଜିମୁତବର୍ଣ୍ଣ ଭଗବାନଙ୍କୁ ଭାଵ ଭକ୍ତିର ସହ ଅନେକ ବର୍ଷ ପୂଜା କରିବା ଭିତରେ ରାଜା ଇନ୍ଦ୍ରଦିମ୍ନ ନୀଳ କନ୍ଦରକୁ ଆସି ପ୍ରଭୁଙ୍କ ଠାବ କରିବାରେ ସକ୍ଷମ ହୋଇଥିଲେ।


ହେଲେ ପ୍ରଭୂ ସ୍ଵଇଚ୍ଛାରେ ଅନ୍ତର୍ଧ୍ୟାନ ହୋଇ କ୍ଷୀର ସମୁଦ୍ର କୂଳରେ ଦାରୁ ରୂପ ରେ ଆବିର୍ଭୁତ ହେଲେ। ସେଇ ପରମ ଭକ୍ତ ସେବକ ଶ୍ରେଷ୍ଠ ଅଙ୍ଗଦଙ୍କ ଯୋଗୁଁ ଆମେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ରୂପକୁ ଏଇ କଳିକାଳରେ ସନ୍ଦର୍ଶନ କରି ମୁକ୍ତି ପ୍ରାପ୍ତ ହେଉଛେ।


  ଭକ୍ତ ଶିରୋମଣି ଅଙ୍ଗଦଙ୍କ ଭକ୍ତି ଭାବ ର ବିସ୍ତୃତ ଵର୍ଣ୍ଣନ ରୁ ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ କେତେ ଗୂଢ ଆଉ ନିବିଡ଼ ଏହା ପ୍ରମାଣିତ।ଶ୍ରୀମନ୍ଦିର ମଧ୍ୟରେ ଅଷ୍ଟକପିବର ଭାବରେ ଦକ୍ଷିଣ ଦ୍ୱାରରେ ଅବସ୍ଥାପିତ ହୋଇଛନ୍ତି ଭକ୍ତ ଅଙ୍ଗଦ। ପୁନଃ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଲକ୍ଷମଣଙ୍କୁ ସ୍କନ୍ଦରେ ଧରି ପାର୍ଶ୍ୱ ଦେବତା ଭାବରେ ବିରାଜିତ।


ଅନେକ ସମୟରେ ଅନେକ ଭକ୍ତ ଭଗବାନ ଙ୍କୁ ନିଜର ଭାଵ ଡୋରି ରେ ବାନ୍ଧିରଖି ଯୁଗ ଯୁଗ ଧରି ଅମର ହୋଇଛନ୍ତି। ଭକ୍ତର ଅଧିନ ପ୍ରଭୂ ଭକ୍ତର ଗାଳି ସହନ୍ତି କିନ୍ତୁ କାହାର ଗର୍ବ ସହନ କରି ପାରନ୍ତି ନାହିଁ।


Rate this content
Log in

Similar oriya story from Classics