ଭକ୍ତିର ଫୁଲ
ଭକ୍ତିର ଫୁଲ


ସକାଳୁ ସକାଳୁ ପ୍ରାତଃ ଭ୍ରମଣ ବେଳେ କିଛି କିଛି ପୁରାଣ ଶୁଣିବାକୁ ମିଳେ l ଯେମିତି
ମୋ ଗଛରେ ଯିଏ ହାତ ମାରିବ, ତା’କୁ ବଡ ରୋଗ ହେବ l
ଫୁଲ ତ ନେବେ l ଶଃ ଡାଳଗୁଡାକ ବି ଭାଙ୍ଗି ପକୋଉଛନ୍ତି . ଏଥର ଦେଖିଲେ ହାତକୁ ଶଳା ଦି ପାହାର ଦେବି .
ତାଙ୍କ ବୋପା ଆସି ଗଛରେ ପାଣି ଦେଇଥିଲେ
ଏତେ ଭକ୍ତି ଯଦି ଫୁଲ ଗଛ ଲଗୋଉନ ଇତ୍ୟାଦି ଇତ୍ୟାଦି
ଭାବେ ଏ ଲୋକଗୁଡାକ ଏତେ ଗାଲୁଆ ପ୍ରକୃତିର ହେଲେ କେମିତି ଠାକୁରଙ୍କୁ ଫୁଲ ଯଦି ଚଢେଇବାର ଏତେ ପ୍ରେମ, ଫୁଲ ଗଛ ଲଗୋଉନ କାହିଁକି ପୁଣି ସକାଳୁ ସକାଳୁ ଗାଳି ଶୁଣୁଛ କାହିଁକି ପୁଣି ମନେ ମନେ ଭାବେ, ଏମାନେ ଭକ୍ତିରେ ନେଉଛନ୍ତି ନା ଦାଉ ସାଧିବାକୁ ରାଗ ଶୁଝେଇବାକୁ ନେଉଛନ୍ତି l
କିନ୍ତୁ ନାନୀ ଆମର ପୁରା ଓଲଟା l ବୟସ ସତୁରୀ ଟପିଲାଣି l ହେଲେ ଦେଖିବାକୁ ଏକଦମ୍ ଚେଙ୍ଗା l ବେଶ୍ ଆଳାପୀ ଆଉ ସ୍ନେହୀ ମଧ୍ୟ l ତାଙ୍କୁ ବୟସ ନିର୍ବିଶେଷରେ ସମସ୍ତେ ନାନୀ ବୋଲି ଡାକନ୍ତି l କେବେ କାହାକୁ ଗାଳି ଦେବାର ଆମେ ଶୁଣିନୁ l ସକାଳୁ ଉଠି ଆଗେ ବଗିଚା କାମ l କେତେ ଗଛ ଲଗେଇଛନ୍ତି l ହେଲେ ଫୁଲ ଗଛଗୁଡିକୁ ଚିହ୍ନିବା କଷ୍ଟ l ଗଛରେ ସିନା ଫୁଲ ରହିଲେ ରାତି ନ ପାହୁଣୁ ତ ଗଛ ଲଣ୍ଡା l
ଆଜି ଜନ୍ମାଷ୍ଟମୀ l ଭାବିଲି ଟିକିଏ ନାନୀଙ୍କ ମଗଜ ଦେଖିବା l ଯାଉ ଯାଉ ତାଙ୍କ ବଗିଚା ପାଖରେ ଅଟକି ଗଲି l ଅବସ୍ଥା ପୂର୍ବ ଦିନ ଅପେକ୍ଷା ଆହୁରି ଖରାପ l ସବୁ ଗଛ ସାଫ୍ l କଢଟେ ବି ନାହିଁ l ଭାବିଲି ଏଇଟା ମୌକା ଚିଡେଇବା ପାଇଁ l
କ’ଣ ନାନୀ ! କି ଗଛ ଲଗେଇଛ ? ଏତେ ବଡ ବଡ କ’ଣ ଶାଗ ଗଛ ?
ଟିକିଏ ହସିଦେଇ କହିଲେ, ହଁ ଦିଟା ନେଇ ଯାଆ l ମାନି ବୋଉକୁ ଦେଇ ଦେବୁ ଯେ ଭାଜି ଦେବ l କହି ଟିକେ ମୁରୁକି ହସି ଦେଲେ l ଦେଖିଲି ନାନୀ ବିରକ୍ତି ହେବା ନାଆଁ ନେଉ ନାହାନ୍ତି l ପଚାରିଲି, ‘ଆଛା ନାନୀ କହିଲ l ରାତି ପାହିବା ପୂର୍ବରୁ ତ ଗଛ ଲଣ୍ଡା ହୋଇ ଯାଉଛି l କି ଲାଭ ହେଉଛି ତୁମର ?’ ସେହି ହସ ହସ ମୁହଁରେ କହିଲେ, ‘ଆରେ ପୁଅ ! ଯାହା ପାଇଁ ଫୁଲ ଗଛ ଲଗେଇଥିଲି, ତା’ ପାଖରେ ତ ଫୁଲ ପହଞ୍ଚିଯାଉଛି, ମୋର ଆଉ ଅସୁବିଧା କୋଉଠି
ରହିଲା ? ମୁଁ ଦେଲେ କେତେ, ଆଉ ଅନ୍ୟମାନେ ଦେଲେ କେତେ ?’
ସାପ ମୁହଁରେ ଗଦ ଶୁଙ୍ଘେଇଲା ଭଳି ମୁଁ ଏକଦମ୍ ଚୁପ୍ ହୋଇଗଲି l ମୋତେ ଲାଗିଲା, ସବୁ ପ୍ରଶ୍ନର ଉତ୍ତର ନାନୀ ଗୋଟିଏ ଧାଡିରେ ଦେଇ ଦେଲେ l ଏତେ ତତ୍ତ୍ୱପୂର୍ଣ୍ଣ କଥା ଶୁଣି ନିଜକୁ ବହୁତ ହୀନମନ୍ୟ ଲାଗିଲା l