ଭକ୍ତି ଓ ଭକ୍ତ
ଭକ୍ତି ଓ ଭକ୍ତ
ପିଲାଦିନେ ରଥ ଦେଖିବାକୁ ଆମେ ବଳଗଣ୍ଡି ଛକରେ ଥିବା ଅପା ଘରକୁ ଯାଉ। ଘର ଭିତରେ ଥାଅ, ଅବା ଝରକା ଦେଇ, ଅବା ଦାଣ୍ଡ ଦୁଆରେ ଠିଆ ହେଲେ ସୁନ୍ଦର ଭାବେ ତିନିରଥ ଦେଖିହୁଏ। ମନରେ ଭକ୍ତିର ସହ ପ୍ରଭୁ ଚତୁର୍ଦ୍ଧାଙ୍କୁ ଡାକେ। ଆମର ଏମିତି ବଡ଼ଦାଣ୍ଡରେ ଘର ଖଣ୍ଡେ ନଥାନ୍ତା। ସବୁ ଦେଖିହୁଅନ୍ତା। ଜମା ବୋର ଲାଗନ୍ତା ନାହିଁ, ତା ଛଡା ନବଦିନବ୍ୟାପୀ ଗୁଣ୍ଡିଚା ମନ୍ଦିର ଯିବାର କଷ୍ଟ ଜଣା ପଡନ୍ତା ନାହିଁ, ପୁଣି ଏପଟେ ବଡଦେଉଳକୁ ମଧ୍ୟ ଆରାମରେ ଯାଇ ହୁଅନ୍ତା, ବାର ମାସେ, ମନଲୋଭା ତେର ଯାତ୍ରା ବି ଦେଖିହୁଆନ୍ତା।
ବାପା, ଅବସର ପରେ ମିଶ୍ର ସାହିର ପୁରୁଣା ଅଣଓସାରିଆ ଘର ବିକ୍ରୀ କରି ପାଣ୍ଡଯାଗା ଅଞ୍ଚଳ, ମାଟିତୋଟା କୁ ଲାଗି ଲମ୍ବା ଚଉଡ଼ା ମନପସନ୍ଦିଆ ଘର କିଣିଲା ବେଳକୁ, ଆମେ ପ୍ରାୟ ବାହାଚୋରା ହୋଇଯାଇଥାଉ କିନ୍ତୁ ସୁନାବେଶ ଦେଖିବାକୁ ଆସିଲେ ମଧ୍ୟ, ଘରୁ ଆସି ବଡ଼ଦାଣ୍ଡରେ ଠିଆ ହୋଇ ଗହଳି ଭିତରେ ରଥ ଦେଖିବାକୁ, ବଳଗଣ୍ଡି ଅପା ଘର ପରି ଲାଗେନାହିଁ, ତ ମନହୁଏ, ପ୍ରଭୁ ମୋର ଖଣ୍ଡେ ଘର ବଡଦାଣ୍ଡରେ ନଥାନ୍ତା!
ଛାମୁ ଯାହା ଦେବେ ହରଷେ.... ପାଉ ପାଉ ଗଲା ବରଷେ। ତଥାପି ବଡ଼ଶଙ୍ଖ ଉପରେ, ବଡ଼ଦାଣ୍ଡରେ ନହେଲେ ବି ଟିକେ ଭିତରକୁ ଘର ଖଣ୍ଡେ ଦେଲେ ଚକାନୟନ। କିଣିବାର ମାସେ ଖଣ୍ଡେ ଭିତରେ ରଥଯାତ୍ରା। ମନ ଉଲ୍ଲସିତ। ହୃଦୟରେ କମ୍ପନ। ଦୀପ ତିନୋଟି ବସାଇବାକୁ ରଥ ଉପରେ ମନ। ମନ ଜାଣି ବୁଝି ଭକ୍ତର ମନୋବାଞ୍ଛା ପୁରଣ କରୁଥିବା ପ୍ରଭୁ ଜଗତର ନାଥ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ରଥ ସେଥର ମାଡ଼ି ଆସୁଛି ଘିଡି ଘିଡି, ଘଣ୍ଟା, କାହାଳୀ, ଘଣ୍ଟ, ହୁଳହୁଳି ଓ କରତାଳି ଭିତରେ।
ମୋ ଛାତି ଧଡପଡ। ଘରେ ଗୁଆଘିଅ ପ୍ରସ୍ତୁତ କରି ତିନୋଟି ଦୀପ ସଜାଡ଼ି, ଏଡେ ଗହଳି ଭିତରେ ଭଙ୍ଗା କ୍ୟାବିନ ଉପରେ ରଖି ଠିଆ ହୋଇ ଦେଖୁଛି, ତାଳଧ୍ଵଜରେ ବଳିଆ, ପାଖାପାଖି ହେଲେଣି, ତ ଦିଆସିଲି ମାରି ଉଠେଇଲି ଉପରକୁ, କାହା ମୁଣ୍ଡରେ ବାଜିବ, କିଏ କଣ କହିବ ବା ଲିଭିଯିବାର ଭୟରେ ଭଙ୍ଗା କ୍ୟାବିନରେ ଟିକେ ଚଢ଼ି ଦେଖାଇଲି ଦୀପ, ଚାହୁଁ ଚାହୁଁ, ଜଣଙ୍କ ପରେ ଜଣେ, ବଢ଼ା ବଢ଼ି ହୋଇ ସିଧା ରଥ ପାଖେ ତ ଘଣ୍ଟ ଘଣ୍ଟା ଭିତରେ ବି ନନା ଉଠାଇ ନେଲେ ଦୀପଟିକୁ। ହେ ପ୍ରଭୁ ବଳିଆର ଭୂଜ କହୁ କହୁ ନନ୍ଦିଘୋଷ ମାଡ଼ି ଆସୁଥିଲେ, ଆଉ ଠିକ୍ ପୂର୍ବ ପରି ଏ ହାତରୁ ସେ ହାତକୁ ହୋଇ ସିଧା ଠାକୁଙ୍କ ପାଖେ, ହେ କାଳିଆ ସାଆନ୍ତ, ଏତେ ଦିନ ପରେ ମନକଥା ବୁଝିଛ ପ୍ରଭୁ କହୁ କହୁ, ଦେବଦଳନରେ ଦେଵୀ ସୁଭଦ୍ରା ମାଆ, ଆଉ ଠିକ୍ ସେହି ଅନୁଭୂତି, ମୋ ଲୋମ ସବୁ ଟାଙ୍କୁରି ଉଠିଲା, ଚତୁର୍ଦ୍ଧାଙ୍କ କରୁଣାରେ, ତ ଗହଳିକୁ ଖାତିର ନକରି ତଳେ ସାଷ୍ଟାଂଗ ପ୍ରଣିପାତ କରୁଛି। ମତେ ତୋଳି ଧରୁଥିଲେ, ସ୍ଵାମୀ, ପୁଅ, ଝିଅ, ଜୋଇଁ, ବୋହୁ ଓ ନାତୁଣୀ କହୁଥିଲା, ଆଇ ଦେଖ ଦେଖ ରଥ, ତାକୁ ସାଉଁଟି ପକେଇ ମୁଁ କହୁଥିଲି, ମୋ ସୁଭଦ୍ରା ମାଆ।